Unknown

 

 

 

 

 

 

 

 

 

 

ରୋହିତର ଡାଏରୀ

(ଷୋଡ଼ଶ ପର୍ବ)

ଚିତ୍ତରଞ୍ଜନ ଦାସ

 

—ଶ୍ରୀଯୁକ୍ତ ଧନେଶ୍ୱର ସାହୁଙ୍କୁ ମୁଁ ସେ ବାଣୀବିହାରରେ ପାଠ ପଢ଼ିବା ସମୟରୁ ଜାଣେ-। ବର୍ତ୍ତମାନ ସେ ଦର୍ଶନଶାସ୍ତ୍ରର ଅଧ୍ୟାପକ ହେଲେଣି । ସେତେବେଳେ ସେ ଯାହା ଥିଲେ, ବର୍ତ୍ତମାନ ମଧ୍ୟ ସେହିପରି ଅଛନ୍ତି; ଏକାନ୍ତ ନିର୍ମଳ ମଣିଷ ଜଣେ, —ଯାହା ଭିତରକୁ କି ଅବାଧ ଭାବରେ ଦେଖିହୁଏ, କେଉଁଠି ହେଲେ ବାଧାର ସମ୍ମୁଖୀନ ହେବାକୁ ପଡ଼େନାହିଁ । ତାଙ୍କ ଭଳି ମଣିଷଙ୍କୁ ନେଇ ଆମ ପୃଥିବୀ ପ୍ରକୃତରେ କେଡ଼େ ସହଜ ଅନୁଭବ କରୁ ନଥିବ !

 

‘ରୋହୀତର ଡାଏରୀ’ ଏହି ପର୍ବଟିକୁ ମୁଁ ତାଙ୍କ ହାତରେ ଉତ୍ସର୍ଗ କରୁଛି ।

☆☆☆

 

୨୦ । ୨ । ୮୨

 

ଆଗେ ମଣିଷମାନେ ଯାହା କହୁଥିଲେ, ତାହାରି ଅନୁରୂପ ଏକ ଜୀବନ ଯାପନ କରିବା ପାଇଁ ଚେଷ୍ଟା ମଧ୍ୟ କରୁଥିଲେ । ଯେଉଁପରି ଏକ ଜୀବନ ଯାପନ କରିବାଲାଗି ସେମାନେ ମନ କରୁଥିଲେ, ସେହି ଜୀବନର କଥା ହିଁ କହୁଥିଲେ । ଅର୍ଥାତ୍‍, ସେମାନଙ୍କ ଭିତରେ ଏକ ବିଶ୍ୱାସ ଅସଲ ସୁତ୍ର ପରି ରହି ସେମାନଙ୍କର କଥା ଓ ସେମାନଙ୍କର ଉଦ୍ୟମଟିକୁ ଏକତ୍ର କରି ରଖିଥିଲା ।

 

ଗୌରୀଭାଇଙ୍କ ଭିତରେ ଏକ ବିଶ୍ୱାସ ରହିଥିଲା । ଅତ୍ୟନ୍ତ ବଳିଷ୍ଠ ଭାବରେ ସେହି ବିଶ୍ୱାସ ତାଙ୍କ ଜୀବନର ବିଭିନ୍ନ ଦିଗ ଅର୍ଥାତ୍‍ ବିଭିନ୍ନ ଅନୁରାଗକୁ ଏକାଠି ଗୋଟିଏ ସମଗ୍ର ଭିତରେ ଧରି ରଖି ପାରିଥିଲା । ଏବଂ ସେଇଥିଲାଗି ସିଏ ଅନ୍ୟ ଅନେକଙ୍କଠାରୁ ଏକ ଭିନ୍ନ ପ୍ରକାରର ମଣିଷ ହୋଇ ପାରିଲେ, ଭିନ୍ନ ଭାବରେ ବଞ୍ଚି ପାରିଲେ । ଭିତରୁ ପ୍ରେରିତ ହୋଇ ବଞ୍ଚୁଥିଲେ । ଅର୍ଥାତ୍‍, ତାଙ୍କର ଭିତର ଓ ବାହାର ମଧ୍ୟରେ ବେଶୀ କୌଣସି ଅନ୍ତର ନଥିଲା । ଆପଣାକୁ ବିଶେଷ ଭାବରେ ପ୍ରତିଷ୍ଠିତ କରିବା ସକାଶେ ସିଏ ବାହାରଠାରୁ ନିଜକୁ ମୋଟେ କୌଣସି ପ୍ରକାରେ ବିଚ୍ଛିନ୍ନ କରି ରଖିନଥିଲେ । ଅଥବା, ବାହାରଟା ଉପରେ ଗୁଡ଼ାଏ ଆଧିପତ୍ୟ ବିସ୍ତାର କରି ରହିବାର ଇଚ୍ଛା କରି ନିଜପାଖରୁ ମଧ୍ୟ ମୋଟେ ବିଚ୍ଛିନ୍ନ ହୋଇ ପଡ଼ିନଥିଲେ । ସେଇଥିଲାଗି ସେ ସମସ୍ତଙ୍କର ଏତେ ପ୍ରିୟ ହୋଇ ପାରିଥିଲେ । ଏହି ସଂସାର ତାଙ୍କୁ ଭଲ ଲାଗୁଥିଲା ସିଏ ଏହି ସଂସାରକୁ ବଦଳାଇବାକୁ ଇଚ୍ଛା କରୁଥିଲେ । ଅତ୍ୟନ୍ତ ଆନ୍ତରିକତା ସହିତ ଜୀବନ ସହିତ ଆପଣାକୁ ସଂଯୁକ୍ତ କରି ନରଖି ପାରିବା ପର୍ଯ୍ୟନ୍ତ ଜୀବନକୁ ବଦଳାଇ ପାରିବ। ମୋଟେ ସମ୍ଭବ ହୁଏ ନାହିଁ । ଗୌରୀଭାଇଙ୍କ ଠାରେ ସେହି ଆନ୍ତରିକତା ସବୁବେଳେ ପ୍ରଚୁର ପରିମାଣରେ ରହିଥିଲା ।

 

୨୧ । ୨ । ୮୨

 

ଆଜି ସବୁକିଛି ଖୁସି ଲାଗୁଛି । ସତେ ଯେପରି ଆଜି ମୋ’ ନିଜର ଜନ୍ମଦିନ, ଠିକ୍‍ ସେହିପରି ଖୁସି ଲାଗୁଛି ।

 

ଆଜି ସବୁ ବାଟ ମୋ’ର ଆପଣାର ବାଟ ପରି ମନେ ହେଉଛି । ସବୁ ସୂର୍ଯ୍ୟୋଦୟ ମୋ’ ନିଜର ପୂର୍ବଦିଗକୁ ଧନ୍ୟକରି ଉଚ୍ଚାରିତ ହେଉଥିବା ପରି ହିଁ ମନେ ହେଉଛି । ମୋ’ର ତାଙ୍କ ସହିତ ସମ୍ପର୍କ ସତେଯେପରି କେବଳ ଏକ ଆଶୀର୍ବାଦର ସମ୍ପର୍କ ! ଅର୍ଥାତ୍‍, ସିଏ ସର୍ବଦା ହିଁ ମୋ’ ପାଖେ ପାଖେ ଅଛନ୍ତି, ମୋ’ ସହିତ ଏକାଠି ବାଟ ଚାଲୁଛନ୍ତି । ମୋ’ରି ଭିତର ଦେଇ ବାଟ ଚାଲୁଛନ୍ତି । ଅର୍ଥାତ୍‍ ମୋ’ର ଭିତରେ ପ୍ରତ୍ୟେକ ମୁହୂର୍ତ୍ତରେ ଜନ୍ମ ନେବାରେ ଲାଗିଛନ୍ତି । ସେହି ଜନ୍ମର ନିତ୍ୟ ଅନୁଭୂତି, ଏହାହିଁ ଆନନ୍ଦ, ଏହାହିଁ ସାନ୍ନିଧ୍ୟ, ତାହାହିଁ ଅଭୟ । ଯେକୌଣସି ଶାସ୍ତ୍ର ଓ ଯେକୌଣସି ସୂତ୍ରର ଏହି କଥାଟି ଅନେକ ବାହାରେ । ସେଗୁଡ଼ାକ ଠାରୁ ଅନେକ ଅଧିକ ଗଭୀରରେ । ଏହି ଅସଲ ଗଭୀରଟିର ସନ୍ଧାନ ମିଳିଲେ ତା’ପରେ ଯାବତୀୟ ଶାସ୍ତ୍ର ଏବଂ ଯାବତୀୟ ସୂତ୍ରର ଅସଲ ପରିଚୟଟି ଉପଲବ୍ଧ ହୋଇ ଯାଇଥାଏ । ସେଠାରେ ପାଇଲେ ଏଠାରେ ଏହି ସବୁଗୁଡ଼ିକୁ ମଧ୍ୟ ଚିହ୍ନି ହୁଏ । ଏକାବେଳେକେ ଆପଣାର ଆଖି ଭିତରେ ଲାଭ କରିହୁଏ । ଏବଂ ଅସଲ କଥା ହେଉଛି, ସବୁକିଛି ଖୁସି ଲାଗେ । ସମସ୍ତେ ଭଲ ଲାଗନ୍ତି । ସବୁଠାରେ ସେହି ଗୋଟିଏ ଜନନୀର ଆଶୀର୍ବାଦ ମଧ୍ୟରେ ସବୁକିଛି ଭରି ରହିଥିଲା ପରି ଅନୁଭବ ହୁଏ । ସେହି ଆଶୀର୍ବାଦ ମୋ’ର ସବୁଠାରୁ ବଡ଼ ଶକ୍ତି । ଆଜିର ଦିନଟି ମୋ’ ଲାଗି ସେହି ଶକ୍ତିର ହିଁ ପରିଚାୟକ ହୋଇ ରହିଥାଉ । ସେହି ଶକ୍ତି ଦେଇ ମୁଁ ସକଳ ଜୀବନକୁ ମଧ୍ୟ ଚିହ୍ନିବାଲାଗି ସମର୍ଥ ହୁଏ ।

 

୨୨ । ୨ । ୮୨

 

ବାଟରେ ଯାଉ ଯାଉ ମୁଁ କେଉଁଠାରେ ଅଟକି ରହିଯିବି, ସେହି କଥାଟା ପ୍ରାୟ ସବୁ କ୍ଷେତ୍ରରେ ପ୍ରଧାନତଃ ମୋ’ ନିଜ ଉପରେ ହିଁ ନିର୍ଭର କରିବ । ଯେକୌଣସି ବାହାନାରେ ମୁଁ ବାଟରେ ଅଟକି ଯାଇଥାଏ ପଛକେ, ସେହି କ୍ଷେତ୍ରରେ ସବା ମୂଳରେ ମୁଁ ନିଜେ ହିଁ ସେଥିପାଇଁ ଦାୟୀ ହୋଇ ରହିଥିବି ।

 

ଅଟକି ରହିଯିବା ସକାଶେ ମଣିଷ ତା’ ନିଜ ମୁଣ୍ଡ ଭିତରୁ ଯେ କେତେ ନା କେତେ ଉପାୟ ଓ ଆଲମ୍ବନ ବାହାର କରିଛି, ସେକଥା ଭାବିଲେ ପ୍ରକୃତରେ ଭାରି ବିସ୍ମିତ ହେବାକୁ ପଡ଼ିଥାଏ । ଅର୍ଥାତ୍‍, ନିଜ ଜୀବନର ଯେକୌଣସି କଥାକୁ ମଧ୍ୟ ସିଏ ଭାରି ଚମତ୍କାର ଭାବରେ ସତେଅବା ଅଫିମ ପରି ବ୍ୟବହାର କରିପାରେ ଓ ସେଇଟାକୁ ଖାଇ ନିର୍ମଳ ବିବେକର ସହିତ ଅଟକି ରହି ଯାଇପାରେ । ଏହି ଅଟକି ଯିବାର ଅଗୌରବଟାକୁ ସମର୍ଥନ ଦେଇ ଆମ ପୃଥିବୀରେ କେତେ ମନ୍ଦିର ଗଢ଼ା ଯାଇଛି, କେତେ ଶାସ୍ତ୍ର ଲେଖାଯାଇଛି, କେତେ ଗୁରୁଙ୍କ ଗୋଟାଏ ଗୋଟାଏ ଉଚ୍ଚ ଗାଦିରେ ପରିଣତ କରି ଦିଆଯାଇଛି ଏବଂ କେତେ ସମ୍ପ୍ରଦାୟ ହାତରେ କେତେ ମିଛ ପରାକ୍ରମର ପ୍ରତୀତିକୁ ନେଇ ସମର୍ପିତ କରି ରଖାଯାଇଛି । ଏହିପରି କରି କେତେ ମଣିଷ ଶାନ୍ତ ହୋଇ ଯାଇଛନ୍ତି ଓ ଅନ୍ୟ କେତେ କେତେ ମଣିଷଙ୍କୁ ଶାନ୍ତ କରି ରଖିବାର ଫିକର କରିଛନ୍ତି । ବାଟମାନେ ହାହାକାର କରି ଉଠିଛନ୍ତି । ବାଟଗୁଡ଼ିକୁ ମୂର୍ତ୍ତିରେ ପରିଣତ କରି ଦିଆଯାଇଛି, ମଣିଷମାନେ ନିଜ ଚାରିପାଖରେ ଉଚ୍ଚ ଉଚ୍ଚ କାନ୍ଥମାନ ତିଆରି କରି କେତେ ପ୍ରଚଣ୍ଡତାର ପ୍ରଦର୍ଶନ କରିଛନ୍ତି ଓ ସେହି ପ୍ରଚଣ୍ଡତାକୁ ହିଁ ଉତ୍ସାହ ବୋଲି ଭ୍ରମ କରିଛନ୍ତି ।

 

୨୩ । ୨ । ୮୨

 

ଅନେକ ସମୟରେ ଅନେକ ମଣିଷ ମନେ ପଡ଼ନ୍ତି । ସେତିକିବେଳେ ମୁଁ ସେମାନଙ୍କୁ ସତେଅବା ନିଜ ଭିତରେ ଦେଖିବାକୁ ପାଏ ଓ ନିଜ ଭିତରେ ଅନୁଭବ କରେ । ସେମାନେ ମୋ’ ଜୀବନର କେତେ ଶୂନ୍ୟକୁ ଯେ ଭରାଇ ରଖିଛନ୍ତି, ମୁଁ ସେକଥା ଠିକ୍‍ ସେତିକିବେଳେ ଅନୁଭବ କରିବାକୁ ସମର୍ଥ ହୁଏ । ଆପଣାର ଆଦର୍ଶ, ଆପଣାର ନୀତି, ଆପଣାର ରୁଚି ଏବଂ ଆପଣାର ଭଲ ପାଇବା କହିଲେ ଅନେକ ସମୟରେ ନିଜ ଭିତରେ ଏତେଗୁଡ଼ାଏ ଥାନ ମାଡ଼ି ରହିଥିବା ମଣିଷମାନଙ୍କୁ ହିଁ ବୁଝାଏ । ଯେଉଁମାନେ ମୋତେ ନାନାଭାବେ ପ୍ରେରିତ କରିଛନ୍ତି, ମୋ’ ଦୁଆରକୁ ଖୋଲିଛନ୍ତି, ବନ୍ଧୁ ପରି ଆସି ମୋ’ର ମୋହଭଙ୍ଗ କରିଛନ୍ତି, ସେମାନେ ସମସ୍ତେ ମୋ’ର ଆଦର୍ଶ ଏବଂ ମୋ’ର ଭଲ ପାଇବା ଗୁଡ଼ିକୁ ରକ୍ତମାଂସର ପ୍ରାଣବନ୍ତତା ଦେଇ ରଖିଛନ୍ତି ।

 

ସେହି ବ୍ୟକ୍ତିମାନଙ୍କୁ ମୁଁ ଅନେକ ସମୟରେ ମୋ’ର ଅତି ଅନ୍ତରଙ୍ଗ ପ୍ରଦେଶରେ ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ହିଁ ଅନୁଭବ କରେ । ସେମାନଙ୍କ ଠାରୁ ମୁଁ କେତେ କେତେ ସମ୍ପଦ ପାଇଛି, ମୁଁ କେତେ ପ୍ରକାରେ ସେମାନଙ୍କ ଦ୍ୱାରା ଉପକୃତ ହୋଇଛି । ସେମାନଙ୍କର ଅଜାଣତରେ ବି ମୁଁ ଏହିପରି ଉପକୃତ ହୋଇଛି । ସେମାନେ ଅତୀତ ଭିତରେ ଅଛନ୍ତି, ବର୍ତ୍ତମାନ ଭିତରେ ମଧ୍ୟ ଅଛନ୍ତି । ମୋ’ର ବର୍ତ୍ତମାନ ଏବଂ ଅତୀତକୁ ଅର୍ଥପୂର୍ଣ୍ଣ କରି ରଖିଛନ୍ତି, ପ୍ରେରଣାର ଉତ୍ସ ହୋଇ ରହିଛନ୍ତି । ସେମାନଙ୍କ ପ୍ରତି କୃତଜ୍ଞ ହୋଇ ରହିବା ଛଡ଼ା ମୋ’ ପାଖରେ ଆଉ କିଛିହେଲେ ନାହିଁ । ସେହି କୃତଜ୍ଞତା ହିଁ ମୋତେ ମୋ’ ଜୀବନର ସବୁଦିନ ଲାଗି ଗ୍ରହଣଶୀଳ କରି ରଖିବ । ଆପଣାକୁ ଦେଇ ପାରିବାର କ୍ଷେତ୍ର ଗୁଡ଼ିକରେ ମୋତେ ଯାବତୀୟ କୁଣ୍ଠା ଏବଂ କୃପଣତାର କବଳରୁ ବଞ୍ଚାଇ ରଖିଥିବ ।

 

୨୪ । ୨ । ୮୨

 

ଭିତରକୁ ଅନାଇ ମନେ ହେଉଛି ଯେ ମୁଁ କାହାକୁ ବି ପଛରେ ଛାଡ଼ି ଆସିନାହିଁ । ଅନେକେ ନୂଆଗୁଡ଼ାକୁ ପାଇବା ସଙ୍ଗେ ସଙ୍ଗେ କୁଆଡ଼େ ପୁରୁଣାଗୁଡ଼ାକୁ ଏକାବେଳେ ପଛରେ ଫିଙ୍ଗିଦେଇ ଆସନ୍ତି । ସେମାନେ ପୁରୁଣାକୁ ଗୋଟାସୁଦ୍ଧା ହରାନ୍ତି, ନୂଆକୁ ଗୋଟାସୁଦ୍ଧା ପାଆନ୍ତି ।

 

ମୁଁ ସେପରି କରିପାରେ ନାହିଁ । ପୁରୁଣାକୁ ମୋ’ର ଭୂମିରୂପେ ଅନୁଭବ କରୁଥିବା ପର୍ଯ୍ୟନ୍ତ ହିଁ ମୁଁ ନୂଆଗୁଡ଼ିକୁ ମଧ୍ୟ ଅନୁଭବ କରିବାକୁ ସମର୍ଥ ହୁଏ । ନୂଆ ଓ ପୁରୁଣା ମୋ’ ଲାଗି ଅବିଚ୍ଛିନ୍ନ ଭାବରେ ସଂଯୁକ୍ତ ହୋଇ ରହିଥାନ୍ତ । ନୂଆ ଭିତରେ ପୁରୁଣାର ଆଶୀର୍ବାଦ ରହିଥାଏ ଓ ପୁରୁଣା ଭିତରେ ନୂଆର ବୀଜ ନିହିତ ହୋଇ ରହିଥାଏ। ପୁରୁଣାଟି ହିଁ ଯଥାର୍ଥ ଭାବରେ ନୂଆଲାଗି ବାଟ କାଢ଼ି ନିଏ । ଯାହା ଅଛି, ତା’ ଭିତରେ ଯାହାର ଆଉ କୌଣସି ଆବଶ୍ୟକତା ନାହିଁ, ତାହା ବଳେ ବଳେ ଖସି ପଡ଼ୁଥାଏ ଓ ତାହାର ସ୍ଥାନରେ, ଯାହା ପ୍ରକୃତରେ ଆବଶ୍ୟକ, ତାହା ପରିପୂରକ ଭାବରେ କ୍ଷେତ୍ରଟିକୁ ପରିପୂର୍ଣ୍ଣ କରିବାରେ ଲାଗିଥାଏ । ଆଖି ସମ୍ମୁଖ ଦିଗକୁ ରହିଥାଏ ସତ, ତେଣେ ଚେରଗୁଡ଼ିକ ସହିତ ମଧ୍ୟ ଖିଅ ଲାଗି ରହିଥାଏ । ସେହି ଖିଅ ଏକ ସମଗ୍ରତାର ଅନୁଭବ ଆଣି ଦିଏ, ଯାହାକି ପୁରୁଣା ଓ ନୂଆକୁ ଗୋଟିଏ ବୃତ୍ତ ଭିତରେ ଏକାଠି କରି ଦେଖିବାକୁ ସମର୍ଥ କରାଏ । ମୋ’ ନିଜ ଭିତରେ ଯଦି ଅସଲ ସମାଧାନଟି ହୋଇ ପାରିଥିବ । ଯଦି ମୁଁ ପୁରୁଣା ଭିତରେ ବାନ୍ଧିହୋଇ ରହିବାକୁ ଅଥବା ନୂଆ ଭିତରକୁ ପଳାଇ ଯିବାକୁ ବ୍ୟାଧିତ ଭାବରେ କୌଣସି ଆଗ୍ରହ ରଖି ନଥାଏ, ତେବେ ନୂଆ ଓ ପୁରୁଣା ଭିତରେ ଆଦୌ କୌଣସି ବିରୋଧ ରହିବ ନାହିଁ ଏବଂ ମୋ’ର ଗ୍ରହଣ ତଥା ବର୍ଜନ ସର୍ବଦା ସହଜ ହୋଇ ରହିଥିବା, କାରଣ, ଅସଲ କେନ୍ଦ୍ରଟି ହିଁ ସବୁଠାରୁ ଅଧିକ ସକ୍ରିୟ ହୋଇ ରହିଥିବ ।

 

୨୫ । ୨ । ୮୨

 

କାଲି ଆପଣାକୁ ସକଳ ଦିଗରୁ ସଫଳ ବୋଲି ଅନୁଭବ କରୁଥିବା ଜଣେ ଉଚ୍ଚ ପୋଲିସ ଅଫିସର ପିଲାମାନଙ୍କର ଏକ ସଭାରେ କେତେ ପ୍ରାଞ୍ଜଳ ଭାବରେ କହିଲେ ଯେ, ସିଏ ରାମକୃଷ୍ଣ ପରମହଂସଙ୍କୁ ତାଙ୍କ ଜୀବନର ଗୁରୁ ବୋଲି ଗ୍ରହଣ କରିଛନ୍ତି । ତାଙ୍କ ମୁହଁର କଥା ଶୁଣି ତାଙ୍କ ଭିତରକୁ ପଶି ତାଙ୍କୁ ଦେଖୁଥିବା ସମୟରେ ମୁଁ ଅନୁଭବ କରୁଥିଲି ଯେ, ସିଏ ଯାହା କହିଲେ, ତାହା ଏକାବେଳେକେ ସତ୍ୟ । ସିଏ ଆପଣାର ପରମ ସମ୍ପଦରୂପେ ପରମହଂସ ଦେବଙ୍କୁ ଗ୍ରହଣ କରିଛନ୍ତି; ମାତ୍ର, ପରମହଂସ ଦେବ ତାଙ୍କୁ ଯେପରି ଗ୍ରହଣ କରି ପାରିବେ, ସିଏ ନିଜେ ସେହି ଅନୁସାରେ ମୋଟେ ପ୍ରସ୍ତୁତ ହୋଇ ପାରିନାହାନ୍ତି ।

 

ବନ୍ଧୁ ରାମକୃଷ୍ଣଙ୍କ ମଧ୍ୟରେ ତାଙ୍କ ଭଣ୍ଡାର ଭିତରେ ନେଇ ରଖିବାଲାଗି ଯେତିକି ଅନୁକୂଳ, କେବଳ ସେତିକି ଗ୍ରହଣ କରିଛନ୍ତି । ନିଜର ଦର୍ପଣଟି ଉପରେ ହିଁ ସିଏ ରାମକୃଷ୍ଣଙ୍କୁ ଦେଖୁଛନ୍ତି ଓ ଆପଣାର ଅନେକ କିଛିକୁ କ୍ଷମା ଦେଇ ଢାଙ୍କି ରଖିବାକୁ ସେହି ପ୍ରତିରୂପଟିକୁ ହିଁ ସତେଅବା ଏକ ଖୋଳପରି ଗ୍ରହଣ ନେଇଛନ୍ତି । ରାମକୃଷ୍ଣ ପରମହଂସଙ୍କର ସ୍ୱଚ୍ଛ ଦର୍ପଣଟି ଉପରେ ନିଜକୁ ଦେଖିବା ତାଙ୍କ ଜୀବନରେ ହୁଏତ ଏବେ ବି ସମ୍ଭବ ହୋଇନାହିଁ । ତେବେ ତ ସିଏ ସାଗରକୁ ସ୍ପର୍ଶ କରି ପାରିଥାନ୍ତେ, ଆପଣାର ବଜାର ଭିତରେ ସିଏ ଅସଲ ସଉଦାଟିକୁ କରି ପାରିଥାନ୍ତେ । ସେ ସେକଥା କରିନାହାନ୍ତି । ଖୁସି ହୋଇ ଶୋଇ ପଡ଼ିଛନ୍ତି । ତାଙ୍କ ଜୀବନରେ କେଡ଼େ ଉଚ୍ଚକୁ ଉଠି ପାରିଛନ୍ତି ବୋଲି ଅନୁଭବ କରୁଛନ୍ତି । ଦୁଆରଗୁଡ଼ାକୁ କେବଳ ଆପଣାଲାଗି ବନ୍ଦ କରି ରଖି ଉପରକୁ ଉଠିଯିବା, ତାହା ଯେକୌଣସି ଗାତରେ ପଶିବା ସହିତ ସମାନ ।

 

୨୬ । ୨ । ୮୨

 

ବାହାରେ ଯାହାସବୁ ଘଟୁଛି, ତାହାର ଏକ ପ୍ରତିକ୍ରିୟାରୂପେ କେବଳ ନିଜ ଭିତରକୁ ପଳାଇ ଯାଇ ସେଇଠାରେ ଆପଣା ସହିତ ନିରାପଦ ହୋଇ ବଞ୍ଚିବାଲାଗି ଓ ନିଜର ବାଟଟିକୁ ଏକୁଟିଆ ଚାଲିବାଲାଗି ବେଳେବେଳେ କେତେ ପ୍ରଲୋଭନ ଆସି ପହଞ୍ଚୁଛି । ବାହାରେ ଯେପରି ସବୁ କବାଟଗୁଡ଼ାକ ବନ୍ଦ ହୋଇ ରହିଛି ଓ ମଣିଷଟାକୁ ଭିତରେ ଲୁଚାଇ ମୁଖାଗୁଡ଼ାକ ଯେପରି ବାହାରକୁ ଆସି ସୁଆଙ୍ଗ କରୁଛନ୍ତି; ତାହାରିଦ୍ୱାରା ପ୍ରବର୍ତ୍ତନା ପାଇ ନିଜର କବାଟଟାକୁ ସମ୍ପୂର୍ଣ୍ଣରୂପେ ବନ୍ଦ ରଖି ଆପଣାର ମୁଖାଗୁଡ଼ାକରୁ ହିଁ ଆପଣାର ଯାବତୀୟ ପରିଚୟକୁ ଜାହିର କରି ସମସ୍ତଙ୍କୁ ଠକିବା ଲାଗି କେତେ ପ୍ରଲୋଭନ ଆସି ନପହଞ୍ଚୁଛି ! ଏହି ପ୍ରଲୋଭନକୁ ଏଡ଼ି ତଥାପି ଆପଣାର ବାଟଟିକୁ ସାଧୁତାର ସହିତ ବଞ୍ଚିବାଟା ସମ୍ଭବତଃ ଏହିପରି ଏକ ସମୟରେ ସବୁଠାରୁ ଅଧିକ କଷ୍ଟକର ।

 

ଏଥିଲାଗି ଭିତରେ ଅଜସ୍ର, ବିଶ୍ୱାସ ରହିଥିବା ଦରକାର । ସଂସାର ଉପରେ ଜୀବନ ଉପରେ ଓ ମଣିଷ ଉପରେ ପ୍ରାୟ ଏକ ଅନମନୀୟ ବିଶ୍ୱାସ ରହିଥିବା ଦରକାର । ସମସ୍ତେ ଆପଣାର ଗୋଟିଏ ଗୋଟିଏ ଗାଡ଼ ତିଆରି କରି ରଖୁଛନ୍ତି ଓ ତାହାକୁ ହିଁ ଅଧିକାଂଶ କ୍ଷେତ୍ରରେ ସତେଅବା ଗୋଟାଏ ସିଂହାସନ ବୋଲି ପ୍ରମାଣ କରିବାକୁ କେତେ ତତ୍ପର ହୋଇ ଉଠୁଛନ୍ତି । ବାହାରୁ ଏହିସବୁ ଫିସାଦ ଯେଡ଼େ ଚମତ୍କାର ବୋଲି ଦେଖା ଯାଉଥିଲେ ମଧ୍ୟ ଆପଣାକୁ ତଥାପି ସେହିସବୁ ଆକର୍ଷଣରୁ ବଞ୍ଚାଇ ରଖିବାକୁ ପଡ଼ିବ । ତା’ ନହେଲେ ଅନ୍ତତଃ ଆପଣା ପାଖରେ ମଧ୍ୟ ସାଧୁ ହୋଇ ରହିବ ସମ୍ଭବ ହେବନାହିଁ । ଏବଂ ନିଜପାଖରେ ସାଧୁ ହୋଇ ରହି ନପାରିଲେ ମୁଖାମୁଡ଼ାକ ହିଁ ଏକମାତ୍ର ପରିତ୍ରାଣପଥ ହୋଇ ରହିବେ, —ସେହି ପ୍ରବଞ୍ଚନା ଦ୍ୱାରା ସବୁଠାରୁ ଅଧିକ ପରିମାଣରେ ମୁଁ ନିଜେ ହିଁ ପ୍ରବଞ୍ଚିତ ହୋଇ ରହିଥିବି ।

 

୨୮ । ୨ । ୮୨

 

ସମସ୍ତେ କହୁଛନ୍ତି, ଯାହାସବୁ ଘଟୁଛି, ସେଗୁଡ଼ାକ ମୋଟେ ସହି ହେଉନାହିଁ । ମାତ୍ର, ଏଗୁଡ଼ାକର ପରିବର୍ତ୍ତନ ଦିଗରେ କିପରି କ’ଣ କରିବାକୁ ହେବ ବା କିପରି ଭାବରେ ପ୍ରଥମ ପାଦଗୁଡ଼ିକୁ ପକାଇବାକୁ ହେବ, ସେହି ବିଷୟରେ ହଠାତ କିଛି କରି ନପାରି ସେମାନେ ସତେଅବା ଅପେକ୍ଷା କରି ବସିଛନ୍ତି । ଅର୍ଥାତ୍‍, ଗାତ ଗୁଡ଼ିକ ଭିତରୁ ବାହାରିବାର ଉପାୟଟିଏ କେବେ ଦିଶିଯିବ ବୋଲି ସେମାନେ ଅପେକ୍ଷା କରି ବସିଛନ୍ତି । ଏବଂ ସେପରି ଏକ ଉପାୟ ଦିଶି ନଥିବା ପର୍ଯ୍ୟନ୍ତ ଗାତଭିତରେ ରହିଛନ୍ତି, ଗାତଟି ସହିତ ସହଯୋଗ କରୁଛନ୍ତି । ଗାତସୁନ୍ଦର ହୋଇ ଦିଶିବାକୁ ଯତ୍‍ପରେରାନାସ୍ତି ଚେଷ୍ଟା କରୁଛନ୍ତି । ସେମାନଙ୍କୁ ଯେପରି ସମସ୍ତେ ଚାଲାକ ବୋଲି କହିବେ, ଶିକ୍ଷିତ ବୋଲି କହିବେ ଓ ପଦସ୍ଥ ବୋଲି କହିବେ, ସେଥିଲାଗି ପୁରୁଣା ଗାତଗୁଡ଼ାକ ଭିତରେ ଏପର୍ଯ୍ୟନ୍ତ ହାତ ପୂରାଇ ରହିଛନ୍ତି । ତଥାପି ଗାତରୁ ବାହାରି ଆସିବାକୁ ଉଚ୍ଛନ୍ନ ହୋଇ ପଡ଼ୁଛନ୍ତି । ରାତି ପାହିବ ବୋଲି ନିଘୋଡ଼ ନିଦରେ ଶୋଇ ରହି ଅପେକ୍ଷା କରିଛନ୍ତି ।

 

ଅର୍ଥାତ୍‍, ପୁରୁଣାଗୁଡ଼ାକ ଏପର୍ଯ୍ୟନ୍ତ ବି କାମୁଡ଼ି ଧରିଛି । ଆଗଟା ସଫା ହୋଇ ଦିଶିଲେ ମଧ୍ୟ ଆଗକୁ ଗୋଡ଼ ପକାଇବା ଲାଗି ଆବଶ୍ୟକ ସାହସଟି ତଥାପି ସମ୍ଭବ ହୋଇନାହିଁ, ଅର୍ଥାତ୍‍, ଭିତରୁ ଆବଶ୍ୟକ ସମ୍ମତିଟି ଏପର୍ଯ୍ୟନ୍ତ ମିଳିନାହିଁ । ଏହି ସମ୍ମତିଟି ଲାଗି ଅନେକ ମଣିଷ ବାହାର ଉପରେ ଅପେକ୍ଷା କରି ରହିଛନ୍ତି । ମାତ୍ର, ସତ କଥା ହେଉଛି, ଏହି ସମ୍ମତି ଭିତରୁ ହିଁ ଆସିବ । ଅସଲ ପଦକ୍ଷେପଟି ଭିତରୁ ହିଁ ପଡ଼ିବ । ଭିତରେ ଭବିଷ୍ୟ ବିଷୟରେ ଅନେକ ବିଶ୍ୱାସ ସମ୍ଭବ ହେଲେ ଯାଇ ବାହାରେ ଘୋଟି ରହିଥିବା ହାସ୍ୟାସ୍ପଦ ଅନ୍ଧାରଗୁଡ଼ିକ ପ୍ରତି ରହିଥିବା ଅସହିଷ୍ଣୁତା ଯଥାର୍ଥ ଭାବରେ ସକ୍ରିୟ ହୋଇ ପାରିବ ।

 

୧ । ୩ । ୮୨

 

ସଭାଗୁଡ଼ାକ ଏପରି ହେବା ଉଚିତ, ଯେଉଁଠାରେ କି କେବଳ ପରସ୍ପରକୁ କଥନଂ ସମ୍ଭବ ହୋଇ ପାରିବ । ସଭାରେ କେବଳ ଜଣେ ବକ୍ତା ଓ ଅନ୍ୟମାନେ ଶ୍ରୋତା ହେବେ, —ଏହି ସଭାଗୁଡ଼ାକୁ ପ୍ରକୃତରେ ମୋଟେ ସଭା ବୋଲି କୁହାଯିବ ଉଚିତ ନୁହେଁ ।

 

ବର୍ତ୍ତମାନ କଥାକଥିତ ସଭାଗୁଡ଼ାକରେ ପ୍ରାୟ ସେହି କଥା ହିଁ ହେଉଛି । ଭାଷଣ ଦିଆ ଯାଉଛି, ଭାଷଣ ଶୁଣା ହେଊଛି । ଯିଏ ଯାହା ମୋଟେ ନୁହଁ, ସିଏ ସେହି କଥାଗୁଡ଼ାକୁ ରଞ୍ଜାଇ କରି ମଜ୍ଜାଇ କରି କହୁଛି, ସେଥିରେ କେତେ ନା କେତେ ଅଳଙ୍କାର ଭର୍ତ୍ତି କରି କେଡ଼େ ଭାବପ୍ରବଣ ଭାବରେ କଥାଗୁଡ଼ାକୁ କହୁଛି । ଏବଂ ଯେଉଁମାନେ ଶୁଣୁଛନ୍ତି, ସେମାନେ କେବଳ ଶୁଣୁଛନ୍ତି । ଭିତରର ଅସଲ କାନଗୁଡ଼ାକୁ ବନ୍ଦ ରଖି ସେମାନେ ସେଗୁଡ଼ିକୁ ଶୁଣୁଛନ୍ତି । ଶୁଣୁଛନ୍ତି ଏବଂ ଆପ୍ୟାୟିତ ହେଉଛନ୍ତି । ସେମାନଙ୍କର ଜୀବନ ବଞ୍ଚିବାର ଅସଲ ମୂଳଦୂଆଗୁଡ଼ିକ ଯାଏ ସେହି ଶବ୍ଦଗୁଡ଼ାକ ମୋଟେ ପହଞ୍ଚି ପାରୁନାହିଁ । ଏହିପରି କହିବା ଏବଂ ଶୁଣିବାକୁ ଏକାଠି କୌଣସି ଆନୁଷ୍ଠାନିକତା ଭିତରେ ମିଶାଇ ବକ୍ତୃତାଗୁଡ଼ାକର ମାଧ୍ୟମରେ ପ୍ରଧାନତଃ ବିନୋଦନ ହିଁ ଚାଲିଛି । ମଣିଷ ମଣିଷଙ୍କ ଭିତରେ ଯଥାର୍ଥ ଭେଟଗୁଡ଼ାକ ସମ୍ଭବ ନହେଉଥିବା ପର୍ଯ୍ୟନ୍ତ ଜଣେ ଯେ କାହିଁକି କହିଲା ଓ ଆହୁରି ଏତେ ଲୋକ କାହିଁକି ଶୁଣିଲେ, ସେକଥାର କୌଣସି ଅଭିପ୍ରାୟ ହିଁ ଧରା ପଡ଼ୁନାହିଁ । ସମସ୍ତେ ଏକାଠି ବସନ୍ତେ, ସମ୍ପୂର୍ଣ୍ଣ ଗ୍ରହଣଶୀଳ ଭାବରେ ବସନ୍ତେ, ସମସ୍ତେ କହନ୍ତେ ଓ ସମସ୍ତେ ଶୁଣନ୍ତେ, —ଆମ ସଭାମାନଙ୍କରେ ଏହିପରି ହୋଇପାରୁଥିଲେ ଯାଇ ହୁଅନ୍ତା । ମିତ୍ର ଭାବରେ ସମସ୍ତେ ପରସ୍ପରର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସନ୍ତେ, ପରସ୍ପର ପ୍ରତି ଅଧିକ ଗ୍ରହଣଶୀଳ ହୋଇ ପାରନ୍ତେ, ଏବଂ ସମସ୍ତେ ମିଶି ସତେଅବା କୌଣସି ସତ୍ୟର ଆବିଷ୍କାର କରୁଥିଲା ପରି ଅନୁଭବ କରିଥାନ୍ତେ ।

 

୨ । ୩ । ୮୨

 

ବଡ଼ମାନେ କିଛି କଲେନାହିଁ, ଖାଲି କହିଲେ । ପିଲାମାନଙ୍କୁ ରାତି ଏଗାରଟା ପର୍ଯ୍ୟନ୍ତ ବସାଇ ବକ୍ତୃତାମାନ ଶୁଣାଇଲେ, ପରସ୍ପରର ପ୍ରଶଂସା କଲେ ଓ ପରସ୍ପରର ପ୍ରଶସ୍ତି ଗାଇଲେ, ଏବଂ ପିଲାମାନଙ୍କୁ ଶୁଣିବାଲାଗି ବାଧ୍ୟ କଲେ । ସେମାନେ ଯାହାକିଛି କଲେ, ସେଗୁଡ଼ାକୁ ପିଲାମାନଙ୍କ ଠାରୁ ଲୁଚାଇକରି କଲେ । ଏବଂ ସେମାନଙ୍କୁ ଆପଣା ବିଷୟରେ ଆଦୌ କିଛି ନକହି ତଥାକଥିତ ସଂସ୍କୃତି ବିଷୟରେ କହିଲେ, ସାହିତ୍ୟ ବିଷୟରେ, ଧର୍ମ ବିଷୟରେ ଏବଂ ଅତୀତର ଗୌରବ ବିଷୟରେ ବି କହିଲେ । ସେମାନଙ୍କୁ ଆପଣାର ଖୋଳଗୁଡ଼ାକୁ ହିଁ ଦେଖାଇ ବୁଲିଲେ । କେବଳ ଏତିକି କରି ସେମାନେ ପିଲାମାନଙ୍କ ପ୍ରତି ଆପଣାର କର୍ତ୍ତବ୍ୟ ସାରିଦେଲେ ।

 

କାଲି ସେହିପରି ଏକ ନିର୍ଯ୍ୟାତନାର ଦୃଶ୍ୟ ଦେଖି ଆସିଲି । ବଡ଼ମାନେ ସତେଅବା ବୁଢ଼ା ବୁଢ଼ା ପିଲାଙ୍କ ପରି ଖାଲି ବକ୍ତୃତା ଝାଡ଼ିଲେ, ଘଣ୍ଟା ଘଣ୍ଟା ଧରି ପିଲାଙ୍କ ଆଗରେ ଗର୍ଜନ କଲେ, ବଡ଼ିମା ଦେଖାଇଲେ । ପିଲାମାନେ ସେଗୁଡ଼ାକରୁ ହୁଏତ ମୋଟେ କିଛି ବି ବୁଝି ପାରିଲେ ନାହିଁ । ମାତ୍ର ଖୁବ୍‍ ତାଳି ମାରିଲେ । ବୋକା ବଡ଼ମାନେ ସେଥିରେ ବି ଚେତିଲେ ନାହିଁ; ନିଜ ଭିତରେ ଯେତେ ପାଣ୍ଡିତ୍ୟ ଥିଲା, ସବୁଯାକ ସତେଅବା ଗୋଟାଏ ରାତିରେ ଗାଳି ପକାଇବେ ବୋଲି ପଣ କରି ଯାଇଥିଲେ । ଏହି ବଡ଼ମାନେ ସେମାନଙ୍କର ପିଲାଦିନେ ମୋଟେ ପିଲା ହୋଇନଥିଲେ। ତେଣୁ, ଏବେ ଯାଇ ପିଲା ହେବାକୁ ମନ କଲେ ଏବନ ଆପଣାର ସ୍ୱୀକୃତିଗୁଡ଼ାକୁ କେବଳ ନିଜକୁ ହିଁ ଦେଇ ନିରାଲମ୍ବ ଭାବରେ ପିଲା ହେଲେ । ଆପଣାକୁ ଏକାନ୍ତ ଅଯୋଗ୍ୟ ବୋଲି ପ୍ରତିପାଦିତ କଲେ । ଏହି ପିଲାଙ୍କ ଆଗରେ କୃତ୍ରିମ ମୁଖାଗୁଡ଼ାକୁ ପିନ୍ଧି କେଡ଼େ ବସନହୀନ ହୋଇ ନାଚିବାକୁ ମନ କଲେ । ଏହିଗୁଡ଼ାକ ହିଁ ଆମ ସମାଜରେ ଶିକ୍ଷାର ଅନ୍ୟ ନାମ ହୋଇ ରହିଲା, ଶିକ୍ଷାର ସର୍ବନାଶ କଲା ।

 

୩ । ୩ । ୮୨

 

ଏ ପିଲାମାନେ ବୁଢ଼ା ହୋଇ ନଯାନ୍ତୁ । ବୟସ ବଢ଼ିଲେ ମଧ୍ୟ ମୋଟେ ବୁଢ଼ା ହୋଇ ନଯାନ୍ତୁ । ଏମାନେ ସଂସାରକୁ ନ ନିନ୍ଦନ୍ତୁ । କେବଳ ନିଜକୁ ନଦେଖନ୍ତୁ, ଅନ୍ୟ ମଣିଷମାନଙ୍କୁ କଦାପି ଗୋଡ଼ିମାଟି ପରି ନଦେଖନ୍ତୁ ! ଆମେ ବଡ଼ମାନେ ସେମାନଙ୍କୁ ଅନବରତ କେବଳ ସେହି ଗୋଡ଼ିମାଟି ପରି ହିଁ ଦେଖୁଛୁ ଏବଂ ତେଣୁ, ସେମାନଙ୍କୁ ଆମେ ଯାହାକିଛି ଉପଦେଶ ଦେଉଛୁ ବା ହିତବାଣୀ ଶୁଣାଉଛୁ, ସେଗୁଡ଼ାକ ସେମାନଙ୍କର ଜୀବନରେ ପ୍ରଧାନତଃ କ୍ଷତିକାରକ ହୋଇ ହିଁ କାର୍ଯ୍ୟ କରୁଛି । ସେମାନଙ୍କୁ ଆମେ ନିଜ ପାଖରେ କ୍ରମେ ଅଧିକରୁ ଅଧିକ ଅସହାୟ ହୋଇଯିବାର ଶିକ୍ଷା ଦେଉଛୁ । ଏବଂ ତେଣୁ, ସେମାନେ ବଡ଼ ହୋଇ ଠିକ୍‍ ଆମରି ଅନୁସରଣ କରୁଛନ୍ତି, ଆମରି ପରି ଅଭିନୟ କରୁଛନ୍ତି, ନିଜକୁ ଠକୁଛନ୍ତି ଓ ଦୁନିଆ ଯାକକୁ ଠକୁଛନ୍ତି ।

 

ଯଦି ସେମାନଙ୍କ ପ୍ରତି ରହିଥିବା ଆମର ଯାବତୀୟ ଅନୁରାଗ କେବଳ ସେମାନଙ୍କ ଭିତରେ ରହିଥିବା ଆପଣାର ଅସଲ ଖିଅଗୁଡ଼ିକୁ ସେମାନଙ୍କ ହାତରେ ନେଇ ଧରାଇ ଦିଅନ୍ତା, ତେବେ ତାହାହିଁ କେତେ କାମର ହୁଅନ୍ତା । ସେମାନେ ନିଜ ବାଟ ନିଜେ ଖୋଜନ୍ତେ, ନିଜେ ନିଜ ବିବେକର ଠାବ କରନ୍ତେ; କୌଣସି ପ୍ରକାରେ ପ୍ରମତ୍ତ ନହୋଇ ସେମାନେ ସେହି କଥାଟିକୁ କରିପାରନ୍ତେ । ସେମାନେ ବୟସରେ ପାଠରେ ଓ ସାମର୍ଥ୍ୟରେ ଆମଠାରୁ କେତେ କମ୍‍ ହୋଇଥିଲେ ମଧ୍ୟ ଆମର ସେମାନଙ୍କ ପ୍ରତି ଦୃଷ୍ଟି ମୁଖ୍ୟତଃ ଏହିପରି ହିଁ ହୋଇ ରହିଥାନ୍ତା । ମାତ୍ର, ଅସଲ କଥା ହେଉଛି, ଆମ ବଡ଼ମାନେ ନିଜପ୍ରତି ବି କୌଣସି ସମ୍ମାନବୋଧ ରଖି ପାରିନାହୁଁ ବୋଲି ପିଲାମାନଙ୍କୁ ମଧ୍ୟ ଆଦୌ କୌଣସି ସମ୍ମାନ ଦେଇ ପାରୁନାହିଁ, ଆମେ ଆମରି ଅପୂର୍ଣ୍ଣତା ଅର୍ଥାତ୍‍ ଗ୍ଲାନିଗୁଡ଼ାକ ଦ୍ୱାରା ହିଁ ପିଲାମାନଙ୍କୁ ଗିଳି ପକାଉଛୁ । ଆମ ଭିତରର ପିଲାଟି ଅଲୋଡ଼ା ହୋଇ ପଡ଼ିଛି ବୋଲି ଆମେ ପିଲାଙ୍କ ଉପରେ ହିଁ ସେହି ଦୁଃଖର ପ୍ରତିଶୋଧ ନେଉଛୁ ।

 

୪ । ୩ । ୮୨

 

ଅପେକ୍ଷା କରିବାର ଅର୍ଥ ପ୍ରସ୍ତୁତ ହେବା, ଏବଂ ପ୍ରସ୍ତୁତ ହେବାର ଅର୍ଥ ହେଉଛି, ଯାହା ଆସୁଛି, ତାହାରି କାର୍ଯ୍ୟରେ ବ୍ୟବହୃତ ହେବାଲାଗି ଆପଣାକୁ ଅନୁକୂଳ କରି ରଖିବା । ଅପେକ୍ଷା କରିବାକୁ ଯେଉଁମାନେ ଏକ ନିଷ୍କ୍ରିୟତାକୁ ହିଁ ବୁଝନ୍ତି, ସେମାନେ ଯଥାର୍ଥ ସମୟଟି ଆସି ପହଞ୍ଚି ଗଲେ ମଧ୍ୟ ତଥାପି ପ୍ରସ୍ତୁତ ହୋଇ ପାରନ୍ତିନାହିଁ । ଯଥାର୍ଥ ସମୟଟି ସେମାନଙ୍କ ଲାଗି ଆଦୌ କେତେବେଳେ ହେଲେ ଆସେନାହିଁ ।

 

ଅପେକ୍ଷା କରିବାର ଅସଲ ଅର୍ଥଟି ହେଉଛି, ଆପଣାର ଅନେକ ଭିତରେ ପ୍ରବେଶ କରି, ଯାହା ଆସୁଛି, ତାହାକୁ ଯଥାସମ୍ଭବ ଅଧିକ ସମଗ୍ର ଭାବରେ ଅନୁଭବ କରିବାକୁ ସମର୍ଥ ହେବା । ତାହାର ଅର୍ଥ, ଅନ୍ୟମାନଙ୍କ ଭିତରେ ମଧ୍ୟ ପ୍ରବେଶ କରିବାକୁ ସମର୍ଥ ହେବା, ସେମାନଙ୍କୁ ସମଗ୍ର ଭାବରେ ଦେଖିବା । ଯେଉଁ ଆଗାମୀ ବିପ୍ଳବଟି ପୃଥିବି ଲାଗି ଆସୁଛି, ତାହା ସବାଆଗ ଓ ସବୁକିଛିର କେନ୍ଦ୍ରରୂପେ ମଣିଷକୁ ହିଁ ସ୍ୱୀକାର କରିବ । କୌଣସି ଆଦର୍ଶବାଦ ବା ତଥାକଥିତ ବିପ୍ଳବ ଲାଗି ତାହା ମଣିଷକୁ କଦାପି ଦଳି ଦେବନାହିଁ । ମଣିଷ ତା’ର ନିଜ ଆଦର୍ଶକୁ ନିଜେ ବାଛିବ; ଏବଂ ପ୍ରତ୍ୟେକ ମଣିଷ ଯେପରି ଆପଣା ଆଦର୍ଶଟିକୁ ବାଛି ତାହାକୁ ବଞ୍ଚି ପାରିବାର ଯଥାର୍ଥ ପରିବେଶଟିକୁ ପାଇ ପାରିବ, ଯେକୌଣସି ସମାଜର ଅସଲ କର୍ତ୍ତବ୍ୟ ତାହାହିଁ ହେବ । ତେଣୁ, କର୍ତ୍ତୃତ୍ୱ ବିଷୟରେ ଆମ ଯୁଗଯୁଗର ସଂସ୍କାରରେ ଯେଉଁସବୁ ଅନ୍ଧବିଶ୍ୱାସ ରହିଛି, ତାହାକୁ ଦୂର କରିବାକୁ ହେବ । ତେବେଯାଇ ମଣିଷକୁ, ସବୁ ମଣିଷଙ୍କୁ ଏକ ଅନ୍ୟ ଦୃଷ୍ଟିରେ ଦେଖିବା ସମ୍ଭବ ହେବ । ଏପର୍ଯ୍ୟନ୍ତ ଆଦର୍ଶଗୁଡ଼ାକ ମଣିଷ ଉପରେ ନିଶା ପରି କାର୍ଯ୍ୟ କରି ଆସିଛି, ଆଦର୍ଶଗୁଡ଼ାକ ଏଣିକି ଆଖି ପରି କାମ କରିପାରିଲେ ଯାଇ ଏହି ପୃଥିବୀ ବଦଳିବ । ସେହି ଆଖିଟିକୁ ଅର୍ଜନ କରିବାଲାଗି ପ୍ରସ୍ତୁତ ହେବା, ତାହାରି ଅର୍ଥ ହେଉଛି ଅପେକ୍ଷା କରିବା ।

 

୫ । ୩ । ୮୨

 

କୋଉଦିନ କ’ଣ ଲେଖିବି, ସେକଥା ମୁଁ ଆଗରୁ ଆଦୌ କିଛି ଭାବି କରି ରଖିନଥାଏ । ପୂର୍ବରୁ କେତେବେଳେ କେତେ କେତେ କଥା ମନକୁ ଆସିଥାଏ । କେତେ କଥା ଆସି ପୁଣି କୁଆଡ଼େ ସେଇ ଭିତରେ ଭିତରେ ଲୀନ ହୋଇ ଯାଇଥାଏ । ସକାଳେ ଏହି ଖାତାରେ ଲେଖିଲା ବେଳକୁ ମୁଁ ଯେତେବେଳେ ନୀରବ ହୋଇ ଏଠାରେ ଆସି ବସେ, ସେତେବେଳେ ସେଥିଭିତରୁ କୌଣସି ଗୋଟିଏ କଥା ଅତ୍ୟନ୍ତ ସହଜ ଭାବରେ ଆସି ହାବୁଡ଼ି ଯାଏ । ମାତ୍ର, ଦିନେ ଦିନେ କିଛି ଆସେନାହିଁ । ତଥାପି ଭିତରକୁ ବନ୍ଧୁ ପରି ଅନାଇବା ମାତ୍ରକେ କୌଣସି ନା କୌଣସି ଭାବନା ସହିତ ଭେଟ ହୋଇଯାଏ । ସେହି ଭାବନାଟି ସତେଯେପରି, ମୋ’ଲାଗି ଅପେକ୍ଷା କରି ରହିଥାଏ । ସେହି ଭେଟ ଲାଗି ଆଦୌ କୌଣସି ଶ୍ରମ କରିବାକୁ ପଡ଼େ ନାହିଁ । କୌଣସି ପ୍ରକାରେ ବ୍ୟସ୍ତ ହେବାକୁ ହିଁ ପଡ଼େନାହିଁ ।

 

ତେଣୁ, ସବୁଦିନେ ମୁଁ ଏହି ପୃଷ୍ଠାଟି ଉପରେ କ’ଣ ଲେଖେ, ତାହାର କେତେ ମହତ୍ତ୍ୱ ରହିଛି ବା ନାହିଁ, ସେହି ବିଷୟଟି ଉପରେ କୌଣସି ଚିନ୍ତା କରିବାକୁ ମଧ୍ୟ ମୁଁ କେବେ ସମୟ ପାଏନାହିଁ । ତଥାପି ମୁଁ ଏତିକି ଜାଣେ, ମୋ’ ନିଜ ଜୀବନର ଅନ୍ତଃଯୋଜନାଟି ମଧ୍ୟରେ ତାହାର ଏକ ମହତ୍ତ୍ୱ ନିଶ୍ଚୟ ରହିଛି । ହୁଏତ ସେହିସବୁ କଥାକୁ ଆପଣାର ଚେତନା ସହିତ ଯୋଡ଼ି ମୁଁ ଅନେକ ସମୟରେ ଆଗକୁ ବାଟ ପାଇଯାଏ । ବିଭିନ୍ନ ବିଷୟରେ ମୋ’ର ଅସଲ ପ୍ରତିକ୍ରିୟା ଅର୍ଥାତ୍‍ ଅସଲ ଦୃଷ୍ଟିକୋଣଗୁଡ଼ିକୁ ମୁଁ ସେଇଥିରୁ ହିଁ ଚିହ୍ନିବାକୁ ସମର୍ଥ ହୁଏ । ତେଣୁ ସେଗୁଡ଼ିକ ଉପରେ ମୁଁ ଏତେ ମହତ୍ତ୍ୱ ଦିଏ । ଏଗୁଡ଼ିକ ମୋତେ ମୋ’ ଭିତର ସହିତ ସଂଯୁକ୍ତ ହୋଇ ରହିବାର ନିର୍ଦ୍ଦିଷ୍ଟ ବଳଗୁଡ଼ିକୁ ଆଣି ଦେଇଯିବାରେ ଭାରି ସାହାଯ୍ୟ କରନ୍ତି ।

 

୬ । ୩ । ୮୨

 

ଭିତରେ ଏକ ନୂଆ ପ୍ରକାରର ଅସନ୍ତୋଷ,—ସତେଅବା ଏକ ନୂଆ ପ୍ରକାରର ସୂର୍ଯ୍ୟୋଦୟ ଲାଗି ମୋ’ର ଦିଗ୍‍ବଳୟ ଗୁଡ଼ିକ ଅପେକ୍ଷା କରି ରହିଛନ୍ତି । ବର୍ତ୍ତମାନ ମୁଁ ଯେଉଁ କାର୍ଯ୍ୟଟି ଭିତରେ ପଶିଛି, ସେଇଟି ଯେପରି ମୋ’ର ଅସଲ କାର୍ଯ୍ୟ ନୁହେଁ, ବେଳେବେଳେ ସେହିପରି ଏକ ସ୍ୱର ମୁଁ ଭାରି ଅନୁଭବ କରୁଛି । ଏପରି ଏକ ଅନୁଭୂତି ଦ୍ୱାରା ଉପସ୍ଥିତ କାର୍ଯ୍ୟଟି ଲାଗି ମୁଁ ଯେକୌଣସି ଅବହେଳା ଦେଖାଉଛି, ସେକଥା ମୋଟେ ନୁହେଁ । ମାତ୍ର, ସେହି କାର୍ଯ୍ୟଟି କିପରି ଶୀଘାତିଶୀଘ୍ର, ସରିଯିବ, ଏହିପରି ଏକ ଅସ୍ଥିରତା ଭିତରେ ଏକ ନିର୍ଦ୍ଦିଷ୍ଟ ଆକାର ପାଇ ଆସୁଥିଲା ପରି ମନେ ହେଉଛି । ବହି ଲେଖିବା, ଲେଖିବାର ମଧ୍ୟ ଦେଇ ପାଣ୍ଡିତ୍ୟ ଦେଖାଇବା, ଏଗୁଡ଼ାକ ମୋ’ର ଅସଲ ଧର୍ମ ବୋଲି ଧୀରେ ଧୀରେ ଅଧିକ ସ୍ପଷ୍ଟ ହୋଇଯିବାରେ ଲାଗିଛି ।

 

ମୋ’ ବହିଗୁଡ଼ିକର ମାଧ୍ୟମରେ ମୁଁ ସବାଆଗ ମୋ’ ନିଜ ହୃଦୟଟିକୁ ଖୋଲି ରଖିବାକୁ ହିଁ ଇଚ୍ଛା କରିଛି, ଅନ୍ୟ ଅନେକଙ୍କର ହୃଦୟ ମଧ୍ୟକୁ ଏକ ସହଜ ପ୍ରବେଶଧିକାର ପାଇବି ବୋଲି ଏକ ଅଭିଳାଷ ବି ରଖିଛି । ସେଇଥିଲାଗି ଯାବତୀୟ ବିଦ୍ୟାକୁ ଭଲ ପାଇଛି, ଶାସ୍ତ୍ର ପ୍ରତି ଏବଂ ବିଦ୍ୟା ପ୍ରତି ଏକ ଆକର୍ଷଣ ଅନୁଭବ କରିଛି । ମାତ୍ର, ପାଣ୍ଡିତ୍ୟଟା ଯେତେବେଳେ ଏଥିରେ ଆଦୌ କୌଣସି ସହାୟତା ନ କରେ, ସେତେବେଳେ ସେହି ପାଣ୍ଡିତ୍ୟକୁ ମୁଁ ଆଦୌ କୌଣସି ମହତ୍ତ୍ୱ ଦେଇ ପାରିନାହିଁ । ଏପରି ଅନେକ ପଣ୍ଡିତ ଦେଖିଛି, ଯେଉଁମାନେ କି ଆପଣାର ହୃଦୟକୁ ଯଥାସମ୍ଭବ କିଳି ରଖି ତା’ ଉପରେ ବାବୁ ହୋଇ ବସିବାକୁ ହିଁ ପାଣ୍ଡିତ୍ୟ କରୁଥାନ୍ତି, ଜାତିର ଅଥବା ଦେଶର ସେବା କରୁଥାନ୍ତି । ସେମାନଙ୍କ ଠାରୁ ମୁଁ ଆପଣାକୁ ଅତ୍ୟନ୍ତ ଦୂରବର୍ତ୍ତୀ କରି ରଖିଛି, —ସେମାନଙ୍କର ଭାଷାଗୁଡ଼ାକୁ ମୁଁ ମୋ’ର ଭାଷା ନୁହେଁ ବୋଲି ମୁଁ ମୂଳରୁ ଜାଣିଛି ।

 

୭ । ୩ । ୮୨

 

ମଣିଷର ଦୁଃଖରେ ସମବେଦନା ପ୍ରକାଶ କରି ବୁଦ୍ଧଦେବ ସଂସାର ଛାଡ଼ିଥିଲେ ଓ ସଂସାରକୁ ଦୁଃଖ ଦୂର ହେବାର ମାର୍ଗଟିକୁ ବତାଇ ଦେଇଥିଲେ । ସେହି ବୁଦ୍ଧଙ୍କୁ ତାଙ୍କର ଅନୁରାଗୀମାନେ କରୁଣାମୟ ବୁଦ୍ଧ ବୋଲି କହିଛନ୍ତି । ବୁଦ୍ଧଦେବଙ୍କର ସନ୍ଦେଶମାନ କ୍ରମେ ବୌଦ୍ଧଧର୍ମରେ ପରିଣତ ହେଲା । ପ୍ରଥମ ଯାନକୁ ହୀନଯାନ ବୋଲି ଘୋଷଣା କରି ନୂଆ ଯାନୀମାନେ ଆପଣାକୁ ମହାଯାନୀ ବୋଲି କହିଲେ । ମହାଯାନ କ୍ରମେ ପଣ୍ଡିତମାନଙ୍କର ଯାନ ହେଲା । ସେଥିରୁ ବିଜ୍ଞାନବାଦ ବାହାରିଲା ଏବଂ ତାହାରି ଏକ ପ୍ରତିକ୍ରିୟାତ୍ମକ ସମାନ୍ତର ରୂପେ ମଣିଷମାନଙ୍କର ଚିତ୍ତ ହରଣ କରି ରଖିବାଲାଗି ବୁଦ୍ଧଦେବଙ୍କୁ ନେଇ ଚମତ୍କାର ମୂର୍ତ୍ତିକଳ୍ପନାମାନ ପୂର୍ଣ୍ଣ ପ୍ରଶୟ ଲାଭ କଲା ।

 

ମାତ୍ର, ଦୁଃଖ ଯେଉଁଠି ଥିଲା ସେଇଠି ରହିଗଲା । ଦୁଃଖୀ ମଣିଷମାନେ ବି ରହିଗଲେ । ସେମାନଙ୍କର ସଂଖ୍ୟା ଆହୁରି ବଢ଼ିଲା । ସହାନୁଭୂତି କମିଲା ଓ ସମବେଦନା ହ୍ରାସ ପାଇଲା । ଅଧିକରୁ ଅଧିକ ମଣିଷ ନୃଶଂସ ହେଲେ, କେବଳ ନିଜକୁ ଦେଖିଲେ, ନିଜର ସୁଖ ଓ ନିଜର ଶାନ୍ତି ଲାଗି ବୁଦ୍ଧଦେବଙ୍କୁ ପ୍ରାର୍ଥନା କଲେ ଓ ବୁଦ୍ଧଙ୍କୁ ଧ୍ୟାନ କରି ମନ୍ତ୍ର ଜପ କଲେ । ଏହି ପୃଥିବୀରେ ଧନ ବଢ଼ିଲା, ଆରାମ ବଢ଼ିଲା, ଅନ୍ୟମାନଙ୍କ ଆଡ଼କୁ ଅନାଇବାକୁ ଓ ଅନ୍ୟମାନଙ୍କର କଥା ଭାବିବାକୁ ମଣିଷ ପାଖରେ ଅଧିକ ଅସମୟ ବି ବଳିଲା । ତଥାପି ସମବେଦନା କମିଗଲା । ଏହାକୁ ହିଁ ହୁଏତ ଆଧୁନିକ ସଂସାରକୁ ଚାରିଆଡ଼ୁ ଘୋଟି ରହିଥିବା ବେଦନାର ଏକ ମୁଖ୍ୟ କାରଣ ବୋଲି କୁହାଯାଇ ପାରିବ । ମଣିଷ ନିଜକୁ ହିଁ ସବୁଠାରୁ ଅଧିକ ଦୁଃଖୀ ବୋଲି ଭାବୁଥିବା ପର୍ଯ୍ୟନ୍ତ ଏବଂ ସେଥିଲାଗି ଏକାନ୍ତ ସ୍ୱାର୍ଥପର ଭାବରେ କେବଳ ଆପଣାର ସମ୍ପଦଗୁଡ଼ାକୁ ଅଧିକ ଚକଚକ କରି ଦେଖାଇବାରେ ବ୍ୟସ୍ତ ଥିବା ପର୍ଯ୍ୟନ୍ତ ଏ ଦୁଃଖଗୁଡ଼ାକ ହୁଏତ ସେହିପରି ରହିଥିବ । ତେଣେ ବୁଦ୍ଧଙ୍କ ନାମରେ ନୃଶଂସ ମଣିଷମାନେ ବାନା ଉଡ଼ାଇବାର ଲାଗିଥିବେ ।

 

୮ । ୩ । ୮୨

 

ଆଜି ପୁଅର ଜନ୍ମଦିନ । ପୁଅକୁ ଚଉଦ ପୁରି ପନ୍ଦର ଚାଲିବ । ପୁଅ ମଣିଷ ହେବ, ମଣିଷ ପରି ମଣିଷ ହେବ, —ଆପଣାକୁ ସେ କୌଣସି ସ୍ଥାନରେ ନତମସ୍ତକ କରିବନାହିଁ, —ସଂସାରରେ ସମସ୍ତଙ୍କୁ ସହାନୁଭୂତି ସହିତ ନିଜ ଭିତରେ ସ୍ଥାନ ଦେବ ଏବଂ ସେଥିଲାଗି ନିଜର ଜୀବନଗୃହଟିକୁ ଅନୁରୂପ ଭାବରେ ପ୍ରଶସ୍ତ କରି ରଖିବ । ଆଜି ସକାଳର ପାଖରେ ମୋ’ର ଏତିକି ପ୍ରାର୍ଥନା ।

 

ସେହି ପୁଅ ମୋଟେ କାହାରିପରି ହେବନାହିଁ । ସିଏ ସମ୍ପୂର୍ଣ୍ଣ ଭାବରେ ନିଜଟି ପରି ହେବ । ତା’ ନିଜ ଭିତରେ ଯେଉଁଠି ତାର ଅସଲ ବାସନାଟି ରହିଛି, ପୁଅ ତାହାରି ନିର୍ଦ୍ଦେଶରେ ନିଜପାଇଁ ବାଟଟିଏ ତିଆରି କରିବ ଓ ସେହି ବାଟଟିକୁ ଚାଲିବ । ସଂସାରରେ ବାଟଟିଏ ଖୋଜିବାକୁ ହେବ ବୋଲି ଆପଣା ଭିତରେ ଯେତିକି ଶ୍ରଦ୍ଧା ଏବଂ ଯେତିକି ବିଶ୍ୱାସର ଆବଶ୍ୟକତା ରହିଛି, ପୁଅଲାଗି ମୁଁ ଭଗବାନଙ୍କ ପାଖରେ ସେତିକି ଶ୍ରଦ୍ଧା ଏବଂ ସେତିକି ବିଶ୍ୱାସ ଲାଗି ପ୍ରାର୍ଥନା କରୁଛି । ପୁଅପାଇଁ ମୁଁ ଅନେକ ଖୁସି ଲାଗି ପ୍ରାର୍ଥନା କରୁଛି । ତା’ର ବାଟରେ ପ୍ରତିକୂଳତା ଆସୁ, ପରୀକ୍ଷା ପରେ ପରୀକ୍ଷା ଆସୁ, —ମାତ୍ର ପୁଅ ଖୁସି ହୋଇ ସେହିସବୁ ପ୍ରତିକୂଳତା ଏବଂ ପରୀକ୍ଷାର ସମ୍ମୁଖୀନ ହେଉ । ଆପଣାର ବିଫଳତା ଏବଂ ବ୍ୟର୍ଥତା ଲାଗି ସିଏ ସଂସାର ପାଖରେ କେବେ କୌଣସି ଅଭିଯୋଗ କରିବାକୁ ମନ ନକରୁ । ଜୀବନ ପାଖରେ, ଜଗତ ପାଖରେ ସିଏ ସର୍ବଦା କୃତଜ୍ଞ ହୋଇ ରହିଥାଉ । ଯେତିକି ପାଉଛି, ତା’ଠାରୁ ଦଶଗୁଣ ଅଧିକ ଦେବାଲାଗି ପ୍ରସ୍ତୁତ ହେଉ, ଖୁସି ହୋଇ ଆପଣାର ସର୍ବୋତ୍ତମ ଯୋଗ୍ୟତାଟିକୁ ସଂସାରଲାଗି ତତ୍ପର ରଖିବାରେ ସମର୍ଥ ହେଉ-। ସଂସାରରେ ସିଏ ଯୋଉ ବାଟରେ ଯାଉ ପଛକେ, ସିଏ ଖୁସି ହୋଇ ସେହି ବାଟରେ ଯାଉ-। ସେହି ବାଟକୁ ନିଜର ବାଟ ବୋଲି କହିବାର ସାହସ ମଧ୍ୟ ସିଏ ଅର୍ଜନ କରୁ । ଏବଂ ସେହି ବାଟଟିକୁ ଚାଲିବାଲାଗି ତା’ ଭିତରେ ସର୍ବଦା ଯଥେଷ୍ଟ ସଂକଳ୍ପ ମହଜୁଦ ହୋଇ ରହିଥାଉ ।

 

୯ । ୩ । ୮୨

 

ଯେଉଁମାନେ ଜ୍ଞାନକୁ ଗଣିକା କରି ତାହାକୁ ନିଜ ସୁଖଲାଗି ମନ କରନ୍ତି, ସେମାନଙ୍କୁ କେଉଁ ସ୍ତରର ଅଜ୍ଞାନୀ ବୋଲି କୁହାଯିବ ? ଯେଉଁମାନେ ନିଜର ଯଶଲାଗି ଜ୍ଞାନକୁ ଇଚ୍ଛା କରନ୍ତି, ସେମାନେ ପ୍ରକୃତରେ ଜ୍ଞାନର କେତେ ଟିକିଏ ଅଂଶକୁ ବୁଝାନ୍ତି ? ଆପଣାର ଅର୍ଥଗତ ଉପାର୍ଜନଗୁଡ଼ାକୁ ଯେଉଁମାନେ ଆପଣାର ପରମ ସାର୍ଥକତା ବୋଲି ଗ୍ରହଣ କରି ନେଇଥାନ୍ତି ଓ ସେହି ସାର୍ଥକତାର ସିଡ଼ିରେ ହିଁ ପାହାଚକୁ ପାହାଚ ଉଠି ଯିବାକୁ ଜ୍ଞାନଆୟତନର ସକଳ ଧନ୍ଦା ବୋଲି ବୁଝନ୍ତି, ସେମାନଙ୍କୁ ପ୍ରକୃତରେ କେଉଁ ଧନ୍ଦାର ମଣିଷ ବୋଲି ବିଚାର କରାଯାଇ ପାରିବ ? ଏଡ଼େ ବଡ଼ ବଡ଼ ଗମ୍ଭୀର ଭିତରେ ଏଡ଼େ ଉଚ୍ଚ ଓ ତେଣୁ ଏଡ଼େ ଉଜ୍ଜ୍ୱଳ ହୋଇ ବସିଥିବା ଜ୍ଞାନୀମାନଙ୍କ ସହିତ ଏକାଠି ବସିଥିବା ବେଳେ ମୋତେ ଏହି କଥାଗୁଡ଼ାକ ଭାରି ମାଡ଼ି ମାଡ଼ି ପଡ଼େ-

 

ଏମାନେ ହୁଏତ କୌଣସି ସମ୍ଭୋଗଲାଗି ବି ଯୋଗ୍ୟ ନୁହନ୍ତି । ସମ୍ଭୋଗ ନିମନ୍ତେ ବି ଆପଣାକୁ ଅନ୍ତତଃ ଘଡ଼ିକ ସକାଶେ ଭୁଲିଯିବାକୁ ହୁଏ । ମାତ୍ର, ଯେଉଁ ତଥାକଥିତ ଜ୍ଞାନାସନୀ ମଣିଷମାନେ ଆପଣାକୁ କେବେହେଲେ ଭୁଲି ପାରନ୍ତି ନାହିଁ, ସେମାନଙ୍କୁ ଆମେ ସମ୍ଭୋଗର କ୍ଷେତ୍ରରେ ମଧ୍ୟ କେଡ଼େ ନିକୃଷ୍ଟ ଗୋଟିଏ ଗୋଟିଏ ନିମିତ୍ତ ବୋଲି କହିବା ! ଏବଂ ଜ୍ଞାନରେ ଆପଣାକୁ ସମର୍ପିତ କରି ରଖିବାର ସୋପାନଟି ତ ଆହୁରି କେତେ ଦୂରରେ ଯାଇ ରହିଥାଏ ! ଏବଂ ସେହି ସମର୍ପଣଟି ଲାଗି ଆପଣାକୁ ଯୋଗ୍ୟ କରିବାରେ ଜ୍ଞାନକୁ ସମର୍ପଣ କରି ଦେଇଥାନ୍ତି, ଯେଉଁମାନେ ଅଧିକ ଜ୍ଞାନ ଲାଗି ଆପଣାକୁ ଅଧିକ ଶ୍ରଦ୍ଧାର ଭାଜନ କରିବାକୁ ହିଁ ଆପଣାର ସବୁଠାରୁ ବଡ଼ ଆଚରଣ ବୋଲି ବୁଝିଥାନ୍ତି, ସେମାନେ ତ ତଥାକଥିତ ଜ୍ଞାନଶ୍ରମୀ ଓ ଆତ୍ମପ୍ରେମୀମାନଙ୍କ ଲାଗି ଅପହଞ୍ଚ ଓ ଅବୋଧ୍ୟ ହୋଇ ରହିଥାନ୍ତି ।

 

୧୦ । ୩ । ୮୨

 

ଆଜି ହୋରିଖେଳର ବଡ଼ିସକାଳୁ ଶାନ୍ତିନିକେତନର ଗାନ୍ଧୀପୁଣ୍ୟାହ କଥା କାହିଁକି ଭାରି ମନେ ପଡ଼ିଯାଉଛି । ଗାନ୍ଧୀ, ରବୀନ୍ଦ୍ରନାଥ ଓ ଶ୍ରୀ ଅରବିନ୍ଦ, —ଏମାନଙ୍କୁ ଆପଣାର ବୋଲି ଗ୍ରହଣ କରି ସାରିବାପରେ ମୁଁ କାହିଁକି ଏମାନଙ୍କୁ କେବଳ ଗୋଟିଏ ଗୋଟିଏ ବିଶେଷ ଦିନମାନଙ୍କରେ ମନେ ପକାଇବାକୁ ମୋଟେ ଇଚ୍ଛା କରି ପାରୁନାହିଁ । ମୋ’ର ବ୍ୟକ୍ତିଗତ ଜୀବନ କଥା ମୁଁ ଏଠାରେ ମୋଟେ କହିବାକୁ ଯାଉନାହିଁ । ଭାରତବର୍ଷରେ ଆମେ ଯେଉଁ ଦିଗ୍‍ବଳୟ ଆଡ଼କୁ ଦୃଷ୍ଟିପାତ କରିବା ପଛକେ, ଆମକୁ ସେଥିରେ ମଧ୍ୟ ଗାନ୍ଧୀଙ୍କର ଦର୍ଶନ ମିଳିବ, ରବୀନ୍ଦ୍ରନାଥଙ୍କର ଦର୍ଶନ ମିଳିବ ଓ ଶ୍ରୀ ଅରବିନ୍ଦଙ୍କର ଦର୍ଶନ ମିଳିଯିବ ।

 

ଭାରତବର୍ଷକୁ ଆଉ କୌଣସି ଭାରତୀୟ ଏତେ ନିବିଡ଼ ଭାବରେ ବୁଝି ପାରିଥିଲା ଏବଂ ନିବିଡ଼ ଭାବରେ ନିଜର କରିଥିଲା ବୋଲି ମୋ’ର ମନେ ହେଉନାହିଁ । ଭାରତବର୍ଷକୁ କୌଣସି ଭାରତୀୟ ଏତେ ଉଚ୍ଚକୁ ଟେକି ଧରି ନିଜ ଭିତରେ ତାହାକୁ ଅନୁଭବ କରି ପାରିଥିଲା ବୋଲି ମୋ’ର ଆଦୌ ମନେ ହେଉନାହିଁ, କୌଣସି ଭାରତୀୟ ଭାରତବର୍ଷର ଏତେ ଗଭୀରକୁ ଯାଇ ବିଶ୍ଳେଷଣ କରି ପାରିଥିଲା ଏବଂ ତାହାର ସ୍ୱକୀୟ ବାଟଟିକୁ ବତାଇ ଦେଇଥିଲା ବୋଲି ମଧ୍ୟ ମୋ’ର ମନେ ହେଉନାହିଁ, ସେମାନେ ଏକାଧାରରେ ଆଧୁନିକ ଥିଲେ ଏବଂ ସର୍ବକାଳୀନ ଥିଲେ । ଏକ ଭାରତୀୟ ମାଟି ଉପରେ ଛିଡ଼ା ହୋଇ ଏବଂ ଭାରତୀୟ ଚକ୍ଷୁକୁ ଅନ୍ତର ଭିତରେ ବହନ କରି ସମଗ୍ର ବିଶ୍ୱ ଓ ସମଗ୍ର ଜୀବନକୁ ସମ୍ବୋଧନ କରିବା ହେଉଛି ସେମାନଙ୍କ ଜୀବନର ସବୁଠାରୁ ବଡ଼ କଥା । ତେଣୁ ଏହି ଦେଶରେ ପ୍ରତ୍ୟେକଟି ଦିନ ସେମାନଙ୍କର ସ୍ମୃତିରେ ଏକ ପୁଣ୍ୟାହରୂପେ ପ୍ରତିଷ୍ଠିତ ହୋଇ ରହିଛି । ସେମାନଙ୍କୁ ଆପଣାର ବୋଲି ଅନୁଭବ କରୁଥିବା ପର୍ଯ୍ୟନ୍ତ ଏହି ଦେଶରେ ଜନ୍ମଗ୍ରହଣ କରିଥିବା ସକାଶେ ଆପଣାକୁ ଗୌରବାନ୍ୱିତ ମନେ ହେଉଥିବା । ଏହି ଦେଶରେ ନିଜର ଜୀବନକୁ ବଞ୍ଚୁଥିବାକୁ ଏବଂ ଜୀବନର ଯାବତୀୟ ଆହ୍ୱାନର ସମ୍ମୁଖୀନ ହେଉଥିବାକୁ ହିଁ ଆମେ ଆମ ଜୀବନର ଏକ ବଡ଼ ପୁଣ୍ୟ ବୋଲି ଅନୁଭବ କରିବା ।

 

୧୧ । ୩ । ୮୨

 

ଆପଣା ପାଖରେ ସାଧୁ ନହେଲେ କଳା ଓ ସାହିତ୍ୟର କ୍ଷେତ୍ରରେ ମଧ୍ୟ ସାଧୁତା ରକ୍ଷା କରାଯାଇ ପାରିବନାହିଁ ବୋଲି କାଲି ଗୋଟିଏ ବହିରେ ପଢ଼ିଲି । କଥାଟି କେଡ଼େ ସତ, ମାତ୍ର ଯେଉଁ ଦେଶରେ ଏହି କଥାଟିକୁ ସଭା ଭିତରେ ସମସ୍ତଙ୍କ ଆଗରେ କହିବାକୁ ପଡ଼େ, ସେହି ଦେଶରେ ସତେଅବା କେଉଁଠିହେଲେ ସାଧୁତା ନଥିଲା ପରି ଆଶଙ୍କା ହୁଏ । ଅର୍ଥାତ୍‍ ସେଠାରେ ନିଜ ପାଖରେ ସେହି ସାଧୁ ହୋଇ ରହିନଥାନ୍ତି ଅଥବା କଳା ଓ ସାହିତ୍ୟରେ ହୁଏତ ଆଦୌ କୌଣସି ସାଧୁତା ରକ୍ଷା କରା ଯାଏନାହିଁ ।

 

ସେଠି ଆପଣା ଭିତରେ ସମସ୍ତେ କାପୁରୁଷ ହୋଇ ରହିଥାନ୍ତି । ଆପଣା ଭିତରେ କୋଉଠି ଆପଣାକୁ ଜବାବ ଦେବାକୁ ହୁଏ ବୋଲି ସେଠି ହୁଏତ କେହିହେଲେ ଅନୁଭବ କରୁନଥାନ୍ତି । ଏବଂ ସେହି ଦୁର୍ଦ୍ଦଶାଟିକୁ ଘୋଡ଼ାଇ ରଖିବାଲାଗି ଲୋକେ ସାହିତ୍ୟ କରନ୍ତି, କଳା କରନ୍ତି ପରସ୍ପର ପାଖରେ ବାଣ ମାରନ୍ତି, ନିଜ ନିଜର ଢେଲ ପିଟି ପରସ୍ପରକୁ ଆପ୍ୟାୟିତ କରନ୍ତି, ଅର୍ଥାତ୍‍ ନିଜର ଆପ୍ୟାୟନ ପାଇଁ ପରସ୍ପରକୁ କାମରେ ଲାଗନ୍ତି । ନିଜେ ଫୁଲିବା ପାଇଁ ପରସ୍ପରକୁ ଗ୍ରାସ କରନ୍ତି । ସେମାନେ ଆପଣା ଭିତରେ ରହିଥିବା ଅସଲ ବନ୍ଧୁଟି ପାଖରେ ପ୍ରାୟ ଏକ ଅପରାଧୀ ହୋଇ ରହିଥାନ୍ତି, ଏବଂ ସମ୍ଭବତଃ ସେଇଥି ସକାଶେ ସାହିତ୍ୟ ଓ କଳାର ଦାଣ୍ଡରେ ମୁଖା ପିନ୍ଧି ବାହାରି ଥାଆନ୍ତି, କେତେ ପରିଚ୍ଛନ୍ଦ ପିନ୍ଧି ସଭାରେ କେଡ଼େ ସ୍ୱଚ୍ଛ ହୋଇ ଦିଶିବାକୁ ଚେଷ୍ଟା କରୁଥାନ୍ତି । ଯେଉଁଠି ଏଗୁଡ଼ାକ ହେଉଥାଏ, ସେଠି ସାଆନ୍ତମାନେ ହିଁ କଳା ଓ ସାହିତ୍ୟର ଯନ୍ତା ଭିତରେ ବଡ଼ ବଡ଼ ବାଘପରି ବୁଲୁଥାଆନ୍ତି, କେଡ଼େ ସୁକୁମାର ଓ ସମ୍ଭ୍ରାନ୍ତ ହୋଇ ଲାଙ୍ଗୁଳା ବାଡ଼ୋଇ ଥାଆନ୍ତି । ଆପଣା ପାଖରେ ଗୋଟାସୁଦ୍ଧା ନଷ୍ଟବୀର୍ଯ୍ୟ ହୋଇ ରହିଥାନ୍ତି । ଏବଂ ସାହିତ୍ୟ ଓ କଳାର ମାଧ୍ୟମରେ ସମସ୍ତଙ୍କୁ ବାଟକୁ ଆଣିବେ ବୋଲି ଛାତ୍ରଚାମର ଧରି ଏଡ଼େ ବଡ଼ ପାଟିରେ ସ୍ଲୋଗାନ ଗୁଡ଼ାକୁ ଦେଉଥାନ୍ତି ।

 

୧୨ । ୩ । ୮୨

 

ଭିତରୁ ଅସଲ ବନ୍ଧୁ ଆଉ ପାହାଚେ ଉଠି ଯିବାଲାଗି ସଙ୍କେତ ଦେଇ ସାରିଲାଣି, ନିର୍ଦ୍ଦେଶ ବି ଦେଇ ସାରିଲାଣି । ସେଥିଲାଗି ଏହି ଦେହ ସମେତ ସବୁ କିଛ ପ୍ରସ୍ତୁତ ହେବ । ପୁରୁଣା ଅନେକ ଗଣ୍ଠିକୁ ଫିଟାଇ ପାରିବାକୁ ହେବ । ଏହା ମୋଟେ ସହଜ ନୁହେଁ । ମାୟାକୁ ଛାଡ଼ିଲେ ମାୟା ଯାଏନାହିଁ । ମାୟାଠାରୁ ଆହୁରି ବୃହତ୍ତର ଏକ ବୃତ୍ତ ମଧ୍ୟରୁ ମାୟାକୁ ଏକ ବୃହତ୍ତର ସତ୍ୟର ଅଂଶରୂପେ ଅନୁଭବ କରି ପାରିଲେ ଯାଇ ମାୟାର ଚାରଗୁଡ଼ାକୁ ଅତିକ୍ରମ କରି ପାରିବା ସମ୍ଭବ ହେବ । ପୁରୁଣାକୁ ଛାଡ଼ି ନୂଆ ଭିତରକୁ ପଳାଇଗଲେ ଅଥବା ଗୋଟାପ୍ରତି ବିରକ୍ତ ହୋଇ ଆଉଗୋଟାକୁ ବିକଳ ଭାବରେ ଯାବୁଡ଼ି ଧରିଲେ ବି ଅସଲ ଉତ୍ତୋଳନଟି ମୋଟେ ଘଟିବନାହିଁ । ମୁହୂର୍ତ୍ତଟି ଆସିବ, ମୁହୂର୍ତ୍ତଟି ଚାଲିଯିବ । ମୁଁ ପରାହତପ୍ରାୟ ପଡ଼ି ରହିଥିବି । ଅର୍ଥାତ୍‍, ମୋ’ର ଅସନ୍ତୋଷ ମୋତେ ଅଧିକରୁ ଅଧିକ କ୍ଲାନ୍ତ କରି ପକାଉଥିବ, ମୋତେ ଅଧିକରୁ ଅଧିକ ଅସହାୟ ବି କରି ପକାଉଥିବ ।

 

ବନ୍ଧୁ, ମୁଁ ଅପେକ୍ଷା କରିଛି । ଦୁଆରଗୁଡ଼ାକ ଏକାବେଳେକେ ଉନ୍ମୁକ୍ତ ରହିଛି । ଏହି ଦେହଟା ମଧ୍ୟ ପରବର୍ତ୍ତୀ ସୋପାନର ସ୍ପର୍ଶଟି ଲାଗି ସମ୍ମତ ହୋଇ ରହିଛି । କେବଳ ମୁହୂର୍ତ୍ତଟିର ହିଁ ଅପେକ୍ଷା ରହିଛି । କୌଣସି ପ୍ରକାର ବୈରାଗ୍ୟ ମୋତେ ଆଗରେ ଆସୁଥିବା ସୋପାନଟିକୁ ଗ୍ରହଣ କରି ପାରିବାଲାଗି କୌଣସି ପ୍ରକାରେ ଅଯୋଗ୍ୟ କରି ରଖି ପାରିବନାହିଁ । ଏହି ବୈରାଗ୍ୟକୁ ମୁଁ ଶ୍ରଦ୍ଧାଦ୍ୱାରା ହିଁ ଅତିକ୍ରମ କରିବି । ଅସନ୍ତୋଷକୁ ଶକ୍ତିରେ ପରିଣତ କରିବି । ବିଶ୍ୱାସର କ୍ଷେତ୍ରରେ ଏକ ଉତ୍ତୋଳନ ଘଟାଇବା ଦ୍ୱାରା ହିଁ ମୁଁ ଏହା କରିପାରିବି । ବିଶ୍ୱାସ ଆହୁରି ପ୍ରସାରିତ ହେବ । ଯେଉଁ ପରବର୍ତ୍ତୀ ସ୍ୱପ୍ନଟି ଲାଗି ଏହି ବିଶ୍ୱାସ ଉଦ୍ଦିଷ୍ଟ ହୋଇ ରହିବ, ସେହି ସ୍ୱପ୍ନଟିର ଅସଲ ଚେରଗୁଡ଼ିକ ମୋ’ ଭିତରେ ରହିଥିବା ପର୍ଯ୍ୟନ୍ତ ମୁଁ ଅବଶ୍ୟ ମୋ’ ବିଶ୍ୱାସର ଯୋଗ୍ୟ ହୋଇ ପାରିବି-। ସମ୍ମତ ହୋଇ ରହିବାକୁ ହିଁ ସବୁଠାରୁ ବଡ଼ ପ୍ରସ୍ତୁତିରୂପେ ଅନୁଭବ କରି ପାରୁଥିବି । ପରବର୍ତ୍ତୀ ଉତ୍ତୋଳନ ମୋତେ ଆହୁରି ଅଧିକ ଶ୍ରଦ୍ଧା ଲାଗି ଯୋଗ୍ୟ କରି ଅଗ୍ରସର କରାଇନେବ ।

 

୧୩ । ୩ । ୮୨

 

ଅତି ଉତ୍ସାହରେ ମୁଁ ଯେତେବେଳେ ଆଉ ସମସ୍ତଙ୍କୁ ମଧ୍ୟ ଆପଣ ସହିତ ଆଗକୁ ଉଡ଼ାଇ ନେବି ବୋଲି ଭାବେ, ଆପଣା ଭିତରେ ମୁଁ ସେତିକିବେଳେ ନିରାଶ ହୁଏ । ସମସ୍ତ ସଂସାରକୁ ନିଜ ବଳରେ ଅଥବା ନିଜ ନିର୍ଦ୍ଦେଶରେ ଆଗକୁ ଉଡ଼ାଇ ନେବାଲାଗି ଯେ ମୋ’ର ଆଦୌ କୌଣସି ଅଧିକାର ନାହିଁ, ସେହିକଥା ଭୁଲି ଯାଇଥିବା ସମୟରେ ହିଁ ମୁଁ ଉତ୍ତେଜିତ ହୋଇପଡ଼େ ଓ ଆପଣାର ଅନେକ ସାମର୍ଥ୍ୟ ହରାଇବସେ ।

 

କେବଳ ନିଜକୁ ହିଁ ଅଧିକରୁ ଅଧିକ ପ୍ରସ୍ତୁତ କରିବାର ଅଧିକାର ମୋ’ର ରହିଛି । ନିଜେ ଝୁଣ୍ଟି, ବିଫଳ ହୋଇ, ପୁନର୍ବାର ନୂତନ ଆଶାରେ ତଥାପି ଆଗକୁ ଯିବାଲାଗି ମୁଁ କେବଳ ନିଜକୁ ହିଁ ସମ୍ମତ କରି ରଖିପାରିବି । ଅନ୍ୟମାନଙ୍କ ପ୍ରତି ପ୍ରଧାନତଃ ଏକ ଉପେକ୍ଷାଭାବ ଯେ ପୋଷଣ କରିବି, ସେକଥା ଆଦୌ ନୁହେଁ । ଅନ୍ୟମାନଙ୍କ ପ୍ରତି ଶ୍ରଦ୍ଧା ରଖିବି, ସେମାନଙ୍କୁ ସେହିମାନଙ୍କର ସହକାରେ ଆଗକୁ ଯିବାରେ ସାହାଯ୍ୟ କରିବି, —ଯଥାସମ୍ଭବ ଅଧିକ ସହାନୁଭୂତି ବାଟରେ ମୁଁ ସେମାନଙ୍କୁ ବୁଝିବି ଓ ଯଥାସମ୍ଭବ ସେମାନଙ୍କର ଅଧିକ କାମରେ ଲାଗିବି । ସେମାନଙ୍କୁ ସେମାନଙ୍କର ଆପଣା ରୀତିରେ ଆଗକୁ ଯିବାକୁ ବଳ ମିଳୁ, ମୁଁ ଏଥିପାଇଁ ହୁଏତ ପ୍ରାର୍ଥନା ବି କରିପାରିବି । ମାତ୍ର ବାଧ୍ୟ କରି ପାରିବିନାହିଁ । ବାଧ୍ୟ କରି ମୁଁ କିଛି କରି ପାରିବିନାହିଁ । ଏହାଦ୍ୱାରା, ମୁଁ ଯାହାକୁ ବାଧ୍ୟ କରୁଛି, ତାହାର ଆଦୌ କୌଣସି ଉପକାର ହେବନାହିଁ । ମୁଁ ନିଜେ ମଧ୍ୟ ବାରମ୍ବାର ନିରାଶ ହେବାରେ ଲାଗିଥିବି । ସେହି ନୈରାଶ୍ୟ ମୋତେ ଆହୁରି ଅନେକ ପ୍ରକାରେ ମଧ୍ୟ ଅସମର୍ଥ କରି ପକାଇବ । ସବୁ ମଣିଷଙ୍କର ମୁହୂର୍ତ୍ତ ଅବଶ୍ୟ ଆସିବ, ଏବଂ ସେମାନଙ୍କର ଦୁଆର ଅବଶ୍ୟ ଖୋଲିବ । ଆଗକୁ ଯିବାର ଯଥାର୍ଥ ଉତ୍ସହାଟି ଭିତରୁ ବଳେ ବଳେ ସମୟ ଜାଣି ଆସିବ । ସେତେବେଳେ ଆଉ ଅସମ୍ମତ ହେବାର କୌଣସି ପ୍ରଶ୍ନ ହିଁ ନଥିବ ।

 

୧୪ । ୩ । ୮୨

 

ଏ ସକାଳ କେବେହେଲେ ପୁରୁଣା ହେବନାହିଁ । ଏ ମନ କେବେହେଲେ ପୁରୁଣା ହେବନାହିଁ । ଅତିପରିଚିତ ଏହି ମନ୍ଦିରଟି ମଧ୍ୟ କେବେହେଲେ ପୁରୁଣା ହେବନାହିଁ । ଶାସ୍ତ୍ରରେ ପୁରୁଣା ଲୁଗା କଥା କୁହାଯାଇଛି । ପୁରୁଣା ଲୁଗାକୁ ପକାଇ ଦେଇ ନୂଆ ଲୁଗା ଗ୍ରହଣ କଲାପରି ଯୋଗୀ କୁଆଡ଼େ ପୁରୁଣାକୁ ଛାଡ଼ି ଦେଇ ଚାଲିଯିବ, ତା’ପ୍ରତି କୌଣସି ମାୟା ବା ମୋହ ରଖିବନାହିଁ । ଏବଂ ନୂଆ ହୋଇଯିବ ।

 

ମୋ’ ଜୀବନରେ ଛାଡ଼ିଯିବାର କୌଣସି ଅବକାଶ ହିଁ ମୋତେ ମିଳିନାହିଁ । ପରବର୍ତ୍ତୀ ଗୋଟିଏ ସୂର୍ଯ୍ୟୋଦୟରେ ଯାଇ ପହଞ୍ଚିଲା ବେଳକୁ ପରବର୍ତ୍ତୀ ସୂର୍ଯ୍ୟୋଦୟଟି ମୋ’ଲାଗି କଦାପି ମିଛ ବା ମାୟାରେ ପରିଣତ ହୋଇ ଯାଉନାହିଁ । ମୁଁ ସେଇଟିକୁ ମୋ’ର ସଞ୍ଚିତ ସମଗ୍ରଟି ଭିତରେ ଦେଖିବାକୁ ପାଉଛି ଓ ନୂଆ ଅର୍ଥସମୃଦ୍ଧିରେ ଦେଖିବାକୁ ପାଉଛି । ସେହି ସମଗ୍ରଟି ଭୂମି ହୋଇ ନୂଆଟିକୁ ଗ୍ରହଣ କରୁଛି; ନୂଆଟିକୁ ଧାରଣ କରି ରଖୁଛି । ତେଣୁ ଗୋଟିଏ ସୋପାନକୁ ଗ୍ରହଣ କରିବାକୁ ଯାଇ ଆଉଗୋଟିକୁ ଛାଡ଼ିବାର ଦ୍ଵନ୍ଦ ମୋତେ ପ୍ରାୟ କେବେହେଲେ ସହିବାକୁ ପଡ଼ିନାହିଁ । ସେହି ଅବିଚ୍ଛିନ୍ନତାର ଧାରଣାଟିକୁ ମୋ’ ଜୀବନରେ ଏକ ଉପଲବ୍ଧ ସତ୍ୟରେ ପରିଣତ କରି ରଖିବାକୁ ହିଁ ମୋତେ ଏହି ଆକାଶ, ଏହି ସକାଳ ଓ ଏହି ନୀରବତା ସବୁଦିନେ ବନ୍ଧୁପରି ସାହାଯ୍ୟ କରି ଆସିଛନ୍ତି । ଏହି ବନ୍ଧୁମାନେ ମୋ’ ଜୀବନରେ ଗୋଟିଏ ଗୋଟିଏ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛନ୍ତି । ସେଥିଲାଗି ବାହାରର ସକାଳଟି ମଧ୍ୟରେ ଆପଣାକୁ ଉନ୍ମୋଚିତ କରିଦେବା ସଙ୍ଗେ ସଙ୍ଗେ ମୋ’ ଭିତରେ ମଧ୍ୟ ସତେଅବା କେଉଁ ଆଶୀର୍ବାଦମୟ ସକାଳ ପରି ତାହା ପ୍ରସାରିତ ହୋଇ ଯାଉଛି । ଆଶୀର୍ବାଦ, —ତାହାହିଁ ଜୀବନ; ଏବଂ ମୋ’ ତରଫରୁ ତାହା କୃତଜ୍ଞତା ରୂପେ ବ୍ୟକ୍ତ ହେବାରେ ଲାଗିଛି ।

 

୧୫ । ୩ । ୮୨

 

ମଣିଷ ଆମର ବୋଲି ବୈଜ୍ଞାନିକ ପ୍ରମାଣ ସହ ପ୍ରମାଣିତ ହେବା ପର୍ଯ୍ୟନ୍ତ ମୁଁ ମୋଟେ ଅପେକ୍ଷା କରିବି ନାହିଁ । ମଣିଷ ଅମରତ୍ୱକୁ ଆପଣାର ଅସଲ ଧର୍ମରୂପେ ବହନ କରି ଏହି ସଂସାରରେ ବିଚରଣ କରୁଛି, ସେହିପରି ଏକ ଭୂମି ଉପରେ ମୁଁ ଜୀବନକୁ ବଞ୍ଚିବି । ଜୀବନକୁ ବଞ୍ଚିବି ବୋଲି କହିବାର ଅର୍ଥ ହେଉଛି, ସେହିପରି ଏକ ବିଶ୍ୱାସର ଭୂମି ଉପରେ ମଁ ଆପଣାକୁ ଗଢ଼ିବି, ଅନ୍ୟମାନଙ୍କ ସହିତ ଆପଣାର ସମ୍ପର୍କ ଗୁଡ଼ିକର ନିର୍ଦ୍ଧାରଣ କରିବି ଓ ଆପଣାକୁ ଦେବି ।

 

ଭୁବନମୟ ଶକ୍ତିର ହିଁ ଲୀଳା ଚାଲିଛି, ଦୃଶ୍ୟ ଓ ଅଦୃଶ୍ୟ ସକଳ କ୍ଷେତ୍ରରେ ଏବଂ ସକଳ ଅବସରରେ ଶକ୍ତି ହିଁ ଆପଣାକୁ ପ୍ରତିଭାତ ଏବଂ ରୂପାୟିତ କରିବାରେ ଲାଗିଛି ବୋଲି ମୁଁ କଦାପି ପ୍ରମାଣ ଖୋଜିବାକୁ ବା ପ୍ରମାଣ କରିବାକୁ ଯିବିନାହିଁ । ମୁଁ ସେହି ଶକ୍ତିକୁ ନିଜ ଭିତରେ ଅନୁଭବ କରିବି, ନିଜର ସେହି ଶକ୍ତିମୟ ପିଣ୍ଡଟି ଭିତରେ ଶକ୍ତିମୟ ବ୍ରହ୍ମାଣ୍ଡକୁ ଅନୁଭବ କରିବି, ସେହି ଶକ୍ତିର ପରିପୂର୍ଣ୍ଣ ପ୍ରକାଶ ଲାଗି ମୁଁ ଆପଣାକୁ ଏକ ନିମିତ୍ତ ରୂପେ ତିଆରି କରିବି, —ମୋ’ର ଜୀବନ ଦେଇ ଭିତରେ ଏବଂ ବାହାରେ ସେହି ଶକ୍ତିର ପୂର୍ଣ୍ଣ କ୍ରିୟାଶୀଳତା ଲାଗି ମୁଁ ଏକ ସମ୍ମତ ଭୂମି ହୋଇ ରହିବି । ପ୍ରମାଣ ଚାହିଁବି ନାହିଁ, ପ୍ରମାଣ ଖୋଜିବି ନାହିଁ, ମୁଁ ସେଥିଲାଗି ଏକ ଆଧାର ହୋଇ ରହିବି-। ତେବେ ସବୁଯାକ ପ୍ରମାଣକୁ ମୁଁ ନିଜ ଭିତରୁ ହିଁ ପାଇବି, ନିଜ ବାହାରୁ ମଧ୍ୟ ପାଇବି । ଏହି ସକାଳ ଭିତରେ ବି ମୁଁ ସେହି ପ୍ରମାଣ ପାଇବି । ଏହି ଆଲୋକଠାରୁ ମୁଁ ସେହି ପ୍ରମାଣ ପାଇବି । ଆପଣାକୁ ମୁଁ ଯେଉଁ ଭୂମିରେ ସମ୍ପୂର୍ଣ୍ଣ ରୂପେ ସମର୍ପିତ କରି ରଖି ପାରୁଥିବି, ସେହି ସମସ୍ତ କ୍ଷେତ୍ରରେ ମୁଁ ଆବଶ୍ୟକ ସକଳ ପ୍ରମାଣ ପାଇ ପାରିବି । ଅମରତ୍ୱକୁ ପ୍ରମାଣ କରାଯାଏ ନାହିଁ, ଅମରତ୍ୱକୁ ବଞ୍ଚିବାକୁ ହୁଏ; ତେବେଯାଇ ଅମରତ୍ୱକୁ ଅନୁଭବ କରିହୁଏ । ଅମରତ୍ୱର ଆଶୀର୍ବାଦକୁ ଲାଭ କରି ହୁଏ ।

 

୧୬ । ୩ । ୮୨

 

ସେମାନେ ପ୍ରତିଯୋଗିତା କରୁ କରୁ ପୃଥିବୀକୁ ଏକାବେଳେକେ ଧ୍ୱଂସ କରିଦେବାକୁ ସତେଯେପରି ପ୍ରତିଜ୍ଞାବଦ୍ଧ ହୋଇ ବାହାରିଛନ୍ତି । ଏମାନଙ୍କ ପାଖରେ ଅନେକ ବିଜ୍ଞାନ ଓ ଅନେକ ବୁଦ୍ଧି ଏବଂ ଜୀବନକୁ ମୁଖ୍ୟତଃ ଭୋଗ ଓ ଅଧିକ ଭୋଗ ବୋଲି ବୁଝୁଥିବା କୋଟି କୋଟି ଲୋକ, ଯେଉଁମାନେ କି ସେମାନଙ୍କର ସରକାରକୁ ସମର୍ଥନ କରୁଛନ୍ତି ଏବଂ ସେପରି କରିବାକୁ ଏକ ଜାତୀୟ କର୍ତ୍ତବ୍ୟ ବୋଲି ଭାବୁଛନ୍ତି । ଜାତୀୟତା ସହିତ ଭୟ ମିଶିଲେ ଜାତୀୟତା ଆହୁରି ଆହୁରି ଉଗ୍ର ହୁଏ, ଜାତୀୟତା ଭିତରୁ ମାନବିକ ଆଦର୍ଶ ଭୂମିଟି କୌଣସି କାରଣରୁ ବିଚ୍ୟୁତ ହୋଇଗଲେ ଜାତୀୟତା ପୈଶାଚିକ ହୋଇପଡ଼େ । ପୃଥିବୀରେ କେତେଟା ବଡ଼ ଦେଶର ନେତୃତ୍ୱ ସେହିପରି କେତେଜଣ ପିଶାଚଙ୍କ ହାତରେ ପଡ଼ିଛି । ପିଶାଚମାନେ ଆପଣାର ଯନ୍ତ୍ରାସ୍ତଗୁଡ଼ାକୁ ସୁମାରି କରି ହିଁ ଆପଣାକୁ ଆପାତତଃ ଏତେ ବେଶୀ ଶକ୍ତିଶାଳୀ ବୋଲି ବିଚାର କରୁଛନ୍ତି ।

 

ଏହି ପିଶାଚମାନେ ଯିବେ । ଅସ୍ତ୍ରଗୁଡ଼ିକ ପୃଥିବୀର ମାନବିକ ଆକାଂକ୍ଷା ଗୁଡ଼ିକୁ କଦାପି ମାରିଦେଇ ପାରିବ ନାହିଁ । ସଞ୍ଚିତ ଅସ୍ତ୍ର ଗୁଡ଼ାକୁ ହୁଏତ ପରସ୍ପର ବିରୁଦ୍ଧରେ ପ୍ରୟୋଗ କରି ହିଁ ପିଶାଚମାନେ ମରିବେ । ଅଧିକରୁ ଅଧିକ ମଣିଷ ଏହି ବିଶ୍ୱାସଟିରେ ଅଧିକରୁ ଅଧିକ ଦୃଢ଼ ହେଉଥିଲେ ଯାଇ ତାହା ହେବ । ମଣିଷ ଆପଣା ଜୀବନର ଆକାଂକ୍ଷା ଗୁଡ଼ାକୁ ଜାତୀୟତାର ଗାରଗୁଡ଼ାକ ଭିତରୁ ଡିଆଁଇ ନେଇ ପାରିଲେ ଯାଇ ଏକଥା ହେବ । ସେହି ଅତିକ୍ରମଣର ପର୍ଯ୍ୟାୟ ବର୍ତ୍ତମାନ ସାରା ପୃଥିବୀରେ ଆପଣାକୁ ଅନୁଭୂତ କରାଇବାକୁ ଆରମ୍ଭ କଲାଣି । ପୃଥିବୀର ଧର୍ମ, ପୃଥିବୀର ବିଜ୍ଞାନ ଏବଂ ପୃଥିବୀର ରାଜନୀତି ଲାଗି ଏହାହିଁ ସବୁଠାରୁ ବଡ଼ ଆହ୍ୱାନ ବୋଲି କହିବାକୁ ପଡ଼ିବ । ଏହି ସବୁକିଛି କ୍ଷେତ୍ରରେ ଏକ ଯଥାର୍ଥ ଅତିକ୍ରମଣ ଆବଶ୍ୟକ ହେଉଛି । ପୃଥିବୀରେ ସେହି ଦିଗରେ ନେତୃତ୍ୱ ଅଧିକ ଟାଣ ହେବା ଆବଶ୍ୟକ ।

 

୧୭ । ୩ । ୮୨

 

ତଥାପି ବିବେକ କହୁଛି, ଏହି ପୃଥିବୀ ଅବଶ୍ୟ ରହିବ । ବିବେକ କହୁଛି, ବିବେକର ହିଁ ବିଜୟ ହେବ । ବିବେକକୁ ଗିଳି ଭୟାଳୁମାନେ ଯେତେ ଯାହା ଉପଦ୍ରବ କରିବାକୁ ମନ କରନ୍ତୁ ଏବଂ ସଂସାରର ମଣିଷମାନଙ୍କୁ ଭୟଦ୍ୱାରା ବଶୀଭୂତ କରି ଆପଣାର ଅସତ୍ୟଗୁଡ଼ାକୁ ହିଁ ସତ୍ୟ ବୋଲି ଚଳାଇ ନେବାକୁ ଯେତେ ମନ କରନ୍ତୁ ପଛକେ, ତଥାପି ବିବେକ ରହିବ । ଏବଂ ବିବେକ ରହିଥିବା ପର୍ଯ୍ୟନ୍ତ ବି ଅବଶ୍ୟ ରହିବ ।

 

ବିବେକ ଅସ୍ତ୍ରଦ୍ୱାରା ଭୟାଳୁମାନଙ୍କର ଅସ୍ତ୍ରକୁ ଜୟ କରି ପାରିବ ନାହିଁ । ବର୍ତ୍ତମାନ ରାଜନୀତିକ କ୍ଷମତାକୁ ଆତ୍ମସାତ କରିଥିବା ଭୟାଳୁମାନେ ହିଁ ଆପଣାର ପକ୍ଷଟିକୁ ବିବେକ ବୋଲି ମାନୁଛନ୍ତି ଏବଂ ଅନ୍ୟ ପକ୍ଷଟିକୁ ପୃଥିବୀଲାଗି ଅନିଷ୍ଟକାରୀ ରୂପେ ଦେଖୁଛନ୍ତି । ଏହି ଭ୍ରମ ଦ୍ୱାରା ପୃଥିବୀର ରାଜନୀତିକ ବିବେକ ମଧ୍ୟ ଅତ୍ୟାଚାରୀମାନଙ୍କର କବଳ ଭିତରେ ଯାଇ ପଡ଼ିଛି ଓ ସମସ୍ତ ପୃଥିବୀର ଭାଗ୍ୟକୁ ବିପଦଗ୍ରସ୍ତ କରି ରଖିଛି । ଏହି ସ୍ଥିତି ଅବଶ୍ୟ ବଦଳାଇବାକୁ ହେବ । କେବଳ ବିବେକ ଉପରେ ନିର୍ଭର କରି ହିଁ ବିବେକ ଏଥିରେ ସଫଳ ହୋଇ ପାରିବ । ମାତ୍ର, ଏଥିଲାଗି ବିବେକକୁ ଆହୁରି ଅନେକ ସାହସୀ ହେବାକୁ ପଡ଼ିବ । ସାହସର ଅର୍ଥ ହେଉଛି, ଆପଣାର ଅସଲ ବିଶ୍ୱାସଗୁଡ଼ିକର ଘୋଷଣା କରିବାଲାଗି ବିବେକ କୌଣସି ପ୍ରକାରେ କୁଣ୍ଠିତ ହେବନାହିଁ । ଏବଂ କୁଣ୍ଠକୁ ହିଁ କଦାପି ନମ୍ରତା ବୋଲି ଭ୍ରମ କରିବ ନାହିଁ । ଆମ ସାହିତ୍ୟ ବର୍ତ୍ତମାନ ସେହି ବିବେକ ଅର୍ଥାତ୍‍ ସେହି ସାହସର କଥା ହିଁ କହୁ । ଯାବତୀୟ ପ୍ରକାରର କୁଣ୍ଠା, ଭୟ ଏବଂ ଉଦାସୀନତା ଠାରୁ ସାହିତ୍ୟ ଦୂରରେ ରହୁ । ତେବେ ଯାଇ ଆମ ସଂସାରରେ ଅସଲ ସଂକ୍ରମଣଟି ସମ୍ଭବ ହୋଇ ପାରିବ ।

 

୧୮ । ୩ । ୮୨

 

ଫିନ୍‍ଲାଣ୍ଡ, —ମୋ’ ହୃଦୟ ଭିତରେ ଅତି ସ୍ନେହର ସହିତ ସାଇତା ହୋଇ ରହିଥିବା ଗୋଟିଏ ଦେଶ । କାଲି ସେହି ଦେଶର ଦୁଇ ଜଣ ବନ୍ଧୁଙ୍କ ସହିତ କିଛି ସମୟ ଲାଗି ଏକାଠି ହେବା ପରେ ହୃଦୟ ଭିତରର ସେହି ଦେଶଟି ମୋ’ର ସକଳ ଚେତନାକୁ ଜଡ଼ିତ କରି ରଖିଥିଲା । ସେହି ଦେଶରୁ ମୁଁ କେତେ କେତେ କଥା ଶିଖିଛି; —ନୀରବତା ଭିତରେ ଯେ ଏକ ଅନ୍ତରଙ୍ଗତା ନିହିତ ହୋଇ ରହିଛି, ଏହି କଥାଟି ମୁଁ ଫିନ୍‍ଲାଣ୍ଡରୁ ଶିଖିଛି ।

 

ଫିନ୍‍ଲାଣ୍ଡର ଗୀତ, ଫିନ୍‍ଲାଣ୍ଡର ଭାଷା, ଏବେ ବି ଏସବୁ ମୋ’ ଭିତରେ ଅତି ପରିଚିତ ବନ୍ଧୁ ପରି ଅତି ନିକଟରେ ରହିଛନ୍ତି । ମୁଁ ଆଉ ଗୋଟାଏ ଦେଶରେ ଜନ୍ମ ହୋଇଥିଲି ବୋଲି ଏହି ସମ୍ପ୍ରସାରଣ ସକାଶେ ମୋତେ ଆଦୌ କୌଣସି କଷ୍ଟ ବା ଶ୍ରମ କରିବାକୁ ପଡ଼ିନାହିଁ । ଭଲ ପାଇବା ଯେ ମୂଳତଃ ଏକ ସମ୍ପ୍ରସାରଣ ହୋଇଯିବାର କଥା, ଅନ୍ୟାନ୍ୟ ଅନେକ କ୍ଷେତ୍ର ପରି ଏଥିରୁ ମଧ୍ୟ ମୁଁ ସେହି ପ୍ରମାଣଟିକୁ ପାଇଛି । ଆପଣାକୁ ସମ୍ପ୍ରସାରିତ କରି ନପାରିଲେ ନିଜ ଦେଶକୁ ମଧ୍ୟ ଯଥାର୍ଥ ଭାବରେ ଅନୁଭବ କରି ହୁଏନାହିଁ । ଆପଣା ଦେଶକୁ, ଆପଣାର ଭାଷାକୁ ଓ ଆପଣାର ଠାକୁରମାନଙ୍କୁ ସତେଅବା ଚୋରି କରି ଆଣିଥିବା ଅଳ୍ପ ଧନ ପରି ମନେହୁଏ ଏବଂ ସର୍ବଦା କେବଳ କାମୁଡ଼ି ଧରି ରଖିବାକୁ ମନ ହୁଏ । ଏହି ଦୁର୍ଭାଗ୍ୟ ହେତୁ ଆପଣାର ଏତେ ପାଖରେ ଥାଇ ମଧ୍ୟ ଆପଣାର ଦେଶଟି ତଥାପି ଆପଣା ପାଖରେ ନଥାଏ, ଲୋକମାନେ କେହି ପାଖରେ ନଥାନ୍ତି । ଆପଣାକୁ ସର୍ବଦା ଭାରି ଆତୁର ପରି ମନେ ହେଉଥାଏ । ଫିନ୍‍ଲାଣ୍ଡର ଆକାଶ, ସେହି ଦେଶର ହ୍ରଦ ଓ ଅରଣ୍ୟ, ସେହି ଦେଶର ମଣିଷମାନଙ୍କର ସତତଗ୍ରହଣଶୀଲ ସଲଜ୍ଜ ନୀରବତା, —ଏହି ସବୁ କିଛି ମୋତେ ଅନେକ ସମ୍ପ୍ରସାରଣ ଲାଗି କେଡ଼େ ସହଜ ଭାବରେ ଯୋଗ୍ୟ କରି ଆଣିଛି !

 

୧୯ । ୩ । ୮୨

 

କୋଉ ଦେଶ ମୋ’ର ଓ କୋଉ ଦେଶ ମୋ’ର ନୁହେଁ, ତାହାକୁ କୌଣସି ଭଗବାନ ମୋ’ ଲାଗି ନିର୍ଦ୍ଦିଷ୍ଟ କରି ଦେଇନାହାନ୍ତି । ମାତ୍ର, ଏକଥା ଅତ୍ୟନ୍ତ ସତ ଯେ, ମୁଁ ଯେଉଁ ଦଶରେ ଜନ୍ମ ହୋଇଥାଏ ପଛକେ, ଗୋଟିଏ ଦେଶକୁ ଯଥାର୍ଥ ଭାବରେ ଆପଣାର କରି ଅନୁଭବ କରିପାରିଲେ ମୁଁ ତଥାକଥିତ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ କ୍ରମଶଃ ଆପଣାର କରି ଅନୁଭବ କରି ଶିଖିବି । ଦୂରତା କମି କମି ଯାଉଥିବ । ଯଥାର୍ଥ ଭଲ ପାଇବା ଏବଂ ଯଥାର୍ଥ ଭାବରେ ଆପଣାର କରି ପାରିବା ଦ୍ୱାରା ସବୁ କ୍ଷେତ୍ରରେ ଯାହା ହୁଏ, ତାହାହିଁ ହେବ ।

 

ସେଇଥିଲାଗି ଭାରତବର୍ଷକୁ ଆପଣାର ଭୂମି ରୂପେ ଅନୁଭବ କରୁଥିଲେ ମଧ୍ୟ ସୁଦୂର ଫିନ୍‍ଲାଣ୍ଡ ମଧ୍ୟ ମୋ’ ହୃଦୟର ଏତେଗୁଡ଼ାଏ ଥାନ ଅଧିକାର କରି ରହିବାରେ ଆଦୌ କୌଣସି ବାଧା ହୁଏନାହିଁ । ସେହି ଦେଶରେ ମୋତେ ଯେ ଅନେକ କଥା ଭଲ ଲାଗେ, ତାହାର ସମ୍ଭବତଃ ସର୍ବମୂଳ କାରଣ ହେଉଛି ଯେ, ମୋତେ ଭାରତବର୍ଷରୂପୀ ନିଜର ଏହି ଘରଟିରେ ମଧ୍ୟ ଅନେକ କଥା ଭଲ ଲାଗେ । ଏହି ଘରେ ମୁଁ ନିଜକୁ ଅନେକ ବିଷୟ ଲାଗି ଦାୟୀ ବୋଲି ଅନୁଭବ କରେ ଏବଂ ମୋ’ର ସର୍ବପ୍ରଧାନ କର୍ତ୍ତବ୍ୟଗୁଡ଼ାକ ସବାଆଗ ଏହି ଦେଶର ଭୂମିଟିକୁ ସମ୍ମୁଖରେ ରଖି ହିଁ ନିର୍ଦ୍ଧାରିତ ହୁଏ । ଯେଉଁମାନେ ଗୋଟିଏ ଦେଶରେ ଜନ୍ମ ହୋଇଛନ୍ତି ବୋଲି ଅନ୍ୟ ଏକ ଦେଶକୁ ଆପଣାଠାରୁ ବହୁଦୂର ପରି ଭାବନ୍ତି ଓ ଅନୁଭବ କରନ୍ତି, ମୁଁ ସେଥିଲାଗି ସେମାନଙ୍କୁ ମୋଟେ ବୁଝି ପାରେନାହିଁ । ସେମାନେ ସେମାନଙ୍କର ଏହି ତଥାକଥିତ ନିଜ ଦେଶଟିକୁ ମଧ୍ୟ ଯଥାର୍ଥରେ ନିଜର କରି ପାରିଛନ୍ତି କି, ମୁଁ ନିଜକୁ ଏହି ପ୍ରଶ୍ନଟି ପଚାରିବାକୁ ଆରମ୍ଭ କରେ ।

 

୨୦ । ୩ । ୮୨

 

ପ୍ରକାଶକଙ୍କର କୃପା ଅନେକ ସମୟରେ ସତେଅବା ଭଗବାନଙ୍କର କୃପା ପରି ହିଁ ମନେ ହୋଇଥାଏ । ପ୍ରକାଶକ ଇଚ୍ଛା କଲେ ହିଁ ବହିଖଣ୍ଡେ ଛପା ହୁଏ । ଏବଂ ଅଧିକାଂଶ ସମୟରେ ପ୍ରକାଶକଙ୍କର କୃପା ହେଲେ ଯାଇ ପ୍ରକାଶକଙ୍କର ଇଚ୍ଛା ହୋଇଥାଏ । କାରଣ, ଏହି ଇଚ୍ଛା ପଛରେ ଯୁକ୍ତିଯୁକ୍ତ ଆଉ କୌଣସି କାରଣ ନଥାଏ । ପ୍ରକାଶକଙ୍କର କୃପା ନହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହୁଏ । ପାଣ୍ଡୁ ଲିପି ତାଙ୍କରି ଦରବାରରେ ପଡ଼ି ରହିଥାଏ ଏବଂ ବର୍ଷ ପରେ ବର୍ଷ ନୀରବ ତପସ୍ୟା କରିବାକୁ ପଡ଼ୁଥାଏ । କୃପା ହେଲେ ଭାଗ୍ୟ ଫିଟେ । ଅର୍ଥାତ୍‍ ପାଳିଟା ଆସି ପହଞ୍ଚିଯାଏ । ଆପଣାକୁ ସତେଅବା କୌଣସି ନିର୍ବାଚିତା ନାୟିକା ପରି ମନେହୁଏ ଓ ପ୍ରକାଶକଙ୍କ ଏହି ପୃଥିବୀରେ ସବୁଠାରୁ ଅଧକ ଦୟାବାନ୍‍ ବ୍ୟକ୍ତି ପରି ମନେହୁଏ ।

 

ଏହିପରି ଏକ ଦୁର୍ଦ୍ଦଶାଲାଗି ରହିଥିଲେ ମଧ୍ୟ ତଥାପି ସାହିତ୍ୟ ପ୍ରତି ରହିଥିବା ଖିଅଟି ଲାଗି ରହିଥାଏ । ଲେଖକମାନେ ପୂରାପୂରି ନରୁଷି ତଥାପି ଯେ ଲେଖନ୍ତି ଓ ତଥାପି ଯେ ସେମାନଙ୍କର ଧୈର୍ଯ୍ୟ ମୋଟେ ତୁଟି ଯାଏ ନାହିଁ, ଏଇଥିରୁ ହିଁ ସାହିତ୍ୟକ ଅର୍ଥାତ୍‍ ସାହିତ୍ୟ ଲେଖକର ସହିତ୍ୟାନୁରାଗର ପରୀକ୍ଷା ହୋଇଯାଏ । ଯେକୌଣସି ଅନୁରାଗକ୍ଷେତ୍ରର ଅଭିସାରିକା ପରି, ଆଦୌ କୌଣସି ଭରସା ନଥିଲେ ମଧ୍ୟ ତଥାପି ଯେ ଅପେକ୍ଷା କରିବାକୁ ପଡ଼େ, ଲେଖକକୁ ତାହାରି ଦ୍ୱାରା ହିଁ ଏକ ମହିମାମୟ ଅନୁଭବ ପ୍ରାପ୍ତି ହୋଇଯାଏ । ଓଡ଼ିଶାରେ ଏହି ସ୍ଥିତି କେଉଁଦିନ ଯିବ, ସେକଥା କେହି କହିପାରିବ ନାହିଁ । ମାତ୍ର ତଥାପି ଯେ ସାହିତ୍ୟ ରହିବ, ସମସ୍ତ ଅନୁରାଗ ଓ ସମସ୍ତ ବ୍ୟାକୁଳତା ଅବଶ୍ୟ ରହିବ, ସମ୍ପୂର୍ଣ୍ଣ ଦୃଢ଼ତାର ସହିତ ସେକଥା ଅବଶ୍ୟ କୁହାଯାଇ ପାରିବ ।

 

୨୧ । ୩ । ୮୨

 

ଆମ ନିଜ ଭିତରକୁ ଆମର ଯେତିକି ଦୂରଯାଏ ଯାଇପାରିବା ଉଚିତ, ଆମେ ସେତିକି ଦୂରଯାଏ ଯିବାକୁ ବି ଅନେକ ସମୟରେ ଯଥେଷ୍ଟ ଧୈର୍ଯ୍ୟ ଓ ସହାନୁଭୂତି ମୋଟେ ପ୍ରକାଶ କରିନଥାଉ । ତେଣୁ, ଅନ୍ୟମାନଙ୍କ ଭିତରକୁ ଯଥେଷ୍ଟ ଗଭୀରଯାଏ ଯାଇ ପାରିବା ତ ଆହୁରି ଅଧିକ କାଠିକର ପାଠହୋଇ ରହିଯାଏ । ମୁଖାଗୁଡ଼ାକୁ କାଢ଼ି ଫୋପାଡ଼ିଦେବା ପ୍ରକୃତରେ ବଡ଼ କଷ୍ଟକର, ଆମଭିତରୁ ଅନେକ ମଣିଷ କେବଳ ବାହାର ଆଡ଼କୁ ଯେ ବହୁ ମୁଖା ପିନ୍ଧି ବସିଥାନ୍ତି ତା’ ନୁହେଁ, ଆପଣାର ଭିତର ଆଡ଼କୁ ମଧ୍ୟ ସେମାନେ କେତେ ନା କେତେ ମୁଖା ପିନ୍ଧି ରହିଥାନ୍ତି । ସେମାନେ ଆପଣାର ଭିତରକୁ ଅନାଇବା ବେଳକୁ କେବଳ ସେହି ମୁଖାଗୁଡ଼ିକୁ ହିଁ ଦେଖୁଥାନ୍ତି । ମୁଖାର ସେପାଖରେ ଯେଉଁ ଅସଲ ଅସ୍ତିତ୍ୱ ଓ ଅସଲ ଅନୁରାଗୀଟି ଅଛି, ସେକଥା ସେମାନେ ଅନୁଭବ କରୁଥିଲେ ମଧ୍ୟ ତଥାପି ସତ୍ୟରୂପେ ସ୍ୱୀକାର କରିନେଇ ପାରନ୍ତି ନାହିଁ ।

 

ବାହାର ମୁଖା ଓ ଭିତର ମୁଖା ମଧ୍ୟରେ ଯେପରି ଏକ ନିବିଡ଼ ସମ୍ପର୍କ ଅବଶ୍ୟ ରହିଛି, ଆମ ପ୍ରତ୍ୟେକଙ୍କର ଭିତରେ ଆମ ନିଜ ସହିତ ସମ୍ପର୍କ ଓ ବାହାରେ ଅନ୍ୟମାନଙ୍କ ସହିତ ସମ୍ପର୍କ, ଦୁଇଟି ଭିତରେ ଏକ ଖିଅ ଅବଶ୍ୟ ଲାଗି ରହିଥାଏ । ଆମେ ନିଜକୁ ଯେତିକି ଅନ୍ତରଙ୍ଗ ଭାବରେ ସ୍ୱୀକାର କରି ନେଇଥାଉ, ବାହାରେ ଅନ୍ୟମାନଙ୍କୁ ମଧ୍ୟ ସେତିକି ଅନ୍ତରଙ୍ଗ ଭାବରେ ଗ୍ରହଣ କରୁ । ବାହାରର ସକଳ ବାଡ଼ ଓ ବାରଣ ସତ୍ତ୍ୱେ ଯିଏ ତଥାପି ନିଜ ଭିତରକୁ ଅଧିକରୁ ଅଧିକ ଅନ୍ତରଙ୍ଗ ଭାବରେ ଯିବାକୁ ସାହସକରେ, ସେହି ବ୍ୟକ୍ତି ହିଁ ବାହାର ସଂସାରରେ ତଥା ସମ୍ପର୍କରେ ଯଥାର୍ଥ ଭାବରେ କୌଣସି ଅନ୍ତରଙ୍ଗତାର ଯୋଗ୍ୟ ହୋଇପାରେ ।

 

୨୨ । ୩ । ୮୨

 

ନୈରାଶ୍ୟ ଏକ ସଂକ୍ରାମକ ବ୍ୟାଧି । ବିଶେଷ କରି, ଯେତେବେଳେ ଏତେ ଲୋକ ଏତେ ଏତେ କାରଣରୁ ନାନା ପ୍ରକାରର ନୈରାଶ୍ୟ ଭିତରେ ପୃଥିବୀଯାକ ଆକ୍ରାନ୍ତ କରି ରଖିଛନ୍ତି, ସେତେବେଳେ ସେହି ନୈରାଶ୍ୟର କବଳରୁ ଆପଣାକୁ ବଞ୍ଚାଇ ରଖିବା ଯେ ଅତ୍ୟନ୍ତ କଷ୍ଟକର, ସେଥିରେ ଆଦୌ କୋଣସି ସନ୍ଦେହ ନାହିଁ । ସମସ୍ତେ ଅତି ସହଜରେ ନୈରାଶ୍ୟକୁ ହିଁ ସବୁଠାରୁ ଅଧିକ ବରଣୀୟ ଧର୍ମ ବୋଲି ଗ୍ରହଣ କରି ନେଉଥିବା ସମୟରେ ଆଶା ଓ ବିଶ୍ୱାସରେ ଅତୁଟ ହୋଇ ରହିପାରିବା ଓ ସେହି ଅନୁସାରେ ନିଜକୁ ସକ୍ରିୟ କରି ରଖିବା ପ୍ରକୃତରେ ଅତ୍ୟନ୍ତ କଷ୍ଟକର-

 

ତଥାପି ମୁଁ ସେହି ବ୍ୟାଧିକୁ ଭୟ କରିବିନାହିଁ । ଯିଏ ବା ଯେଉଁମାନେ ସେହି ବ୍ୟାଧିରେ ଗ୍ରସ୍ତ ହୋଇ ରହିଛନ୍ତି, ମୁଁ ତଥାପି ସେମାନଙ୍କ ପାଖକୁ ଯିବି ଆଦରର ସହିତ ଯିବି । ମଣିଷ ଭିତରେ ଯେଉଁ ଅସଲ ବସ୍ତ୍ରଟିକୁ ସ୍ୱୀକୃତି ଦେଇପାରିଲେ ମଣିଷକୁ ଅତ୍ୟନ୍ତ ଆପଣାର ବୋଲି ମନେହୁଏ, ମୁଁ ସେହି ବସ୍ତ୍ରଟିକୁ ହିଁ ମଣିଷର ଅସଲ ସନ୍ତକ ବୋଲି ଗ୍ରହଣ କରି ମଣିଷ ପାଖକୁ ଯିବି । ତା’ଭିତରେ ମୁଁ ସେହି ବସ୍ତ୍ରଟିକୁ ସ୍ପର୍ଶ କରିବାକୁ ସମର୍ଥ ହେବି । ତେବେ ଯାଇ ଦୁର୍ଗଗୁଡ଼ାକୁ ଭେଦ କରି ପାରିବି, ଉଦାସୀନତାର ବାଡ଼ଗୁଡ଼ାକୁ ଭାଙ୍ଗିଦେଇ ପାରିବି, —ଏବଂ ବନ୍ଧୁ ପରି ବନ୍ଧ ସହିତ ବସି ଏକତ୍ର କଥା ବାର୍ତ୍ତା କରି ପାରିବି । ବିଶ୍ୱାସ ଭିତରେ ରହିଛି, ଲଜ୍ଜିତ ହୋଇ ଲୁଚିକରି ରହିଛି । ମୁଁ ସେହି ଭିତରକୁ ଛୁଇଁ ପାରିବାଲାଗି ସମର୍ଥ ହେବି । ତେବେ ଯାଇ ହେବ । ମୋ’ ନିଜ ଭିତରେ ଯାହାକିଛି ମୋତେ ଗୋଟିଏ କରି ରଖିଛି, ପ୍ରେରଣା ପରି ହୋଇ ବାଟରେ ଚଳାଇ ନେଉଛି ଓ ବନ୍ଧୁପରି ହୋଇ ସାହସ ଦେଉଛି, ମୁଁ ସେହି ବସ୍ତୁଟିକୁ ହିଁ ମୋ’ର ଅସଲ ପରିଚୟ ବୋଲି ହୃଦବୋଧ କରାଇ ପାରିଲେ ଅନ୍ୟମାନଙ୍କର ଦୁର୍ଗର ବାଧାଗୁଡ଼ାକୁ ବି ଭାଙ୍ଗିଦେଇ ପାରିବି, ଅନ୍ତଃପ୍ରବେଶ କରି ପାରିବି-

 

୨୩ । ୩ । ୮୨

 

କାଲି ସେହିକଥା ପଡ଼ିଥିଲା । ବହିଟିଏ ଲେଖିବାର ଅର୍ଥ ନୁହେଁ ଯେ, କୌଣସି ପ୍ରତିପକ୍ଷ ଉପରେ ତୁମେ ନାଲିଛକା ବାଡ଼େଇ ଦେଇ ଆସିବ । ବହି ଲେଖାହୁଏ ସମ୍ପୃକ୍ତ ଏବଂ ଆଗ୍ରହୀ ସମସ୍ତଙ୍କ ପାଖରେ ନିଜର ଦୃଷ୍ଟିକୋଣକୁ ଯଥାର୍ଥ ଭାବରେ ନିବେଦନ କରି ପାରିବାପାଇଁ । ତେଣୁ, ବହିଟିଏ ବାହାରିବା ପରେ ସେଇଟି ବିଷୟରେ ଆଲୋଚନା ହେବା ଉଚିତ, ବହିରେ ଆଲୋଚିତ ବିଷୟଗୁଡ଼ିକ ଉପରେ ସମସ୍ତେ ଆପଣା ଆପଣାର ମତାମତ ଦେବା ଉଚିତ । ତେବେଯାଇ ବିଚାରଗୁଡ଼ିକର ଅଧିକ ମନ୍ଥନ ହୋଇ ପାରିବ ଏବଂ ତଦ୍ଦ୍ୱାରା ବହିଟିର ଲେଖକ ପ୍ରକୃତରେ ଭାରି ଉପକୃତ ହୋଇ ପାରିବେ ।

 

ଓଡ଼ିଶାରେ ସେକଥା ହୁଏ ନାହିଁ । ଜଣେ ବହିଟିଏ ଲେଖି ଅନେକ ସମୟରେ ସେହି ବିଷୟରେ ସତେଅବା ଶେଷ କଥା କହି ଦେଇଥିବା ପରି ଏକ ମିଛ ଗର୍ବ ଅନୁଭବ କରିଥାଏ ଏବଂ ସିଏ ଯାହା ଲେଖିଛି, ତାହା ଉପରେ ସମୀକ୍ଷାତ୍ମକ ଭାବରେ କେହି କିଛି କହିଲେ ହିଁ ସିଏ ପ୍ରାୟ ଅପମାନିତ ଅନୁଭବ କରେ । ଏଗୁଡ଼ାକ ଏକ ଅନ୍ତର୍ଗତ କୁତ୍ସିତତାର ଲକ୍ଷଣ । ଏହିସବୁ ନେଇ ଓଡ଼ିଶାରେ କେତେ କ’ଣ ତାମସା ହୁଏ । ଗୋଟାଏ ପକ୍ଷ ପ୍ରତିଆକ୍ରମଣ କରେ ଓ ଅନ୍ୟ ପକ୍ଷକୁ ତାହା ସହିବାକୁ ହିଁ ପଡ଼େ । ହୁଏତ ସେହି କାରଣରୁ ଏଠି ଅନେକ ସମୀକ୍ଷକ ଅସଲ ସମୀକ୍ଷାଗୁଡ଼ିକୁ କରିବା ପାଇଁ ସର୍ବଦା ପ୍ରାୟ ଏକ ଅନିଚ୍ଛୁକତା ହିଁ ପ୍ରଦର୍ଶନ କରିଥାନ୍ତି । ଉପୁରିଆ ଭାବରେ ଗୋଟାଏ ଦୁଇଟା କଥା କହିଦେଇ ନିରାପଦ ଭାବରେ ଅପସରି ଯାଆନ୍ତି । ତଦ୍ଦ୍ୱାରା ସାହିତ୍ୟରେ ଅସଲ ଆଦାନପ୍ରଦାନଟି ଭାରି କ୍ଷତିଗ୍ରସ୍ତ ହୋଇ ରହେ, —ଏକ ଆତ୍ମୀୟତାହୀନ ସମ୍ପର୍କ ହିଁ ସାହିତ୍ୟର କ୍ଷେତ୍ରରୁ ଅସଲ ଆଗ୍ରହଗୁଡ଼ିକୁ ବହିଷ୍କୃତ କରି ରଖିଥାଏ । ଏହି ଦୁଷ୍ଟ ଏବଂ ଦୁଃଖମୟ ପରମ୍ପରାଟି ଭାଙ୍ଗିଲେ ଯାଇ ଅସଲ ଅତ୍ମୀୟତା ଓ ଅସଲ ଆଗ୍ରହଗୁଡ଼ିକ ସମ୍ଭବ ହୋଇପାରିବ ।

 

୨୪ । ୩ । ୮୨

 

ବାଟରେ ମୁଁ ଯଦି ଆଦୌ କୌଣସି କଣ୍ଟାର ସମ୍ମୁଖୀନ ନହେବି, ତେବେ ଏ କଣ୍ଟାଗୁଡ଼ାକୁ ବି ବୁଝି ପାରିବି କିପରି ? ଅନେକ ବ୍ୟକ୍ତି ନିଷ୍କଣ୍ଟକ ଭାବରେ ସର୍ବଦା ଆଗକୁ ଯାଇପାରିବେ ବୋଲି କୌଣସି ଜଣେ ଗୁରୁଙ୍କର ସାହାଯ୍ୟ ନିଅନ୍ତି; ଗୁରୁଙ୍କୁ ହିଁ ଅବଲମ୍ବନ ରୂପେ ମାନିଥାନ୍ତି । ସେମାନେ କଣ୍ଟାକୁ ଡରନ୍ତି, ଅର୍ଥାତ୍‍ କଣ୍ଟାଗୁଡ଼ାକୁ ଏଡ଼ାଇ ବାଟ ଚାଲିବାକୁ ଇଚ୍ଛା କରୁଥାନ୍ତି । ଏତେ ଟିକିଏ ବିପଦ ପଡ଼ିଲେ ଅଗ୍ରଗତିରେ ବାଧା ଆସି ପହଞ୍ଚିବ ବୋଲି ସେମାନେ ଭାରି ଆଶଙ୍କା କରୁଥାନ୍ତି ।

 

ମୁଁ ଭାବେ, ବିପଦ ପଡ଼ିଲେ ଅଗ୍ରଗତିରେ ମୋଟେ କୌଣସି ବାଧା ଆସେ ନାହିଁ । ଅନେକ ସମୟରେ ବିପଦଗୁଡ଼ିକ ଦ୍ୱାରା ଓ ପ୍ରତିକୂଳତାଗୁଡ଼ିକ ଦ୍ୱାରା ହିଁ ଅଗ୍ରଗତି ଦ୍ରୁତକର ହୁଏ । ଭିତରେ ଆକାଂକ୍ଷା ଓ ସମର୍ପଣର ବୃତ୍ତିଗୁଡ଼ିକ ଆହୁରି ଅଧିକ କାମରେ ଲାଗି ପାରନ୍ତି । ଆପଣା ଭିତରେ କେତେ କେଉଁଠି କେତେ ପ୍ରକାରର କଣ୍ଟା ଲୁକ୍କାୟିତ ହୋଇ ରହିଥାଏ, —ତଦ୍ଦ୍ୱାରା ନିଜ ଭିତରେ କେତେ ଅହଙ୍କାର କେତେପ୍ରକାର ଛଦ୍ମବେଶ ପିନ୍ଧି କେତେ କୋଳାହଳ କରୁଥାନ୍ତି । ବାହାରେ କଣ୍ଟାଗୁଡ଼ିକର ସମ୍ମୁଖୀନ ହୋଇ ପାରିଲେ ଯାଇ ଭିତରର କଣ୍ଟାଗୁଡ଼ିକୁ ମଧ୍ୟ ଚିହ୍ନି ହୁଏ ଓ ସେଗୁଡ଼ିକୁ ସାହସର ସହିତ ଦୂର ବି କରିହୁଏ । ବାହାରର କଣ୍ଟାଗୁଡ଼ାକ ବିଷୟରେ ଅତିକାତର ହୋଇ ପଡ଼ିଲେ ଅନେକ ସମୟରେ ଭିତରର କଣ୍ଟାଗୁଡ଼ାକୁ ଆଦୌ ଚିହ୍ନି ହୁଏନାହିଁ । ଏବଂ ଆହୁରି ଅଧିକ ପ୍ରମାଦପୂର୍ଣ୍ଣ କଥା ହେଉଛି, ବାହାରର କଣ୍ଟାଗୁଡ଼ାକର ଅସଲ ମୂଳଟି ଆମ ଭିତରେ ରହିଥିବା କଣ୍ଟାଗୁଡ଼ିକ ଭିତରେ ରହିଥାଏ ବୋଲି ଆବିଷ୍କାର କରିବାକୁ ଇଚ୍ଛା ବି ହୁଏନାହିଁ । ତେଣୁ, ମୁଁ କଣ୍ଟାଗୁଡ଼ିକୁ ଡରିବି ନାହିଁ, କଣ୍ଟାପାଖରୁ ଡରି ପଳାଇବି ନାହିଁ । କଣ୍ଟାକୁ ଏହି ଜୀବନର ଏକ ଅଂଶରୂପେ ହିଁ ଗ୍ରହଣ କରିନେବି ।

 

୨୫ । ୩ । ୮୨

 

ଅଗ୍ରଗତି କରିବାର ଅର୍ଥ ରାଜ୍ୟ ଦଖଲ କରିବା ଆଦୌ ନୁହେଁ । ସମସ୍ତଙ୍କ ଠାରୁ ଅନେକ ଉପରେ ସବାବଡ଼ କୁଦଟାଏ ଦେଖି ତାହାରି ଉପରେ ଯାଇ ବସିବାକୁ ଚେଷ୍ଟା କରିବା ଏବଂ ଆବଶ୍ୟକ ପଡ଼ିଲେ ଅତ୍ୟନ୍ତ ନିର୍ମମ ଭାବରେ ଅନ୍ୟମାନଙ୍କର କାନ୍ଧ ଉପରେ ଗୋଡ଼ ଦେଇ ଉପରକୁ ଉପରକୁ ବଢ଼ି ଚାଲିଯିବା ଏବଂ ତାହାକୁ ହିଁ ନିଜ ଉପରେ ଭଗବାନଙ୍କର ପରମ ଆଶୀର୍ବାଦ ବୋଲି ମନେ କରିବା, ଏଗୁଡ଼ାକ ମୋଟେ ଅଗ୍ରଗତି ନୁହେଁ । ଅନ୍ତତଃ ମୋ’ ନିଜର ଜୀବନରେ ମୁଁ ଏହାକୁ କଦାପି ଅଗ୍ରଗତି ବୋଲି ଅନୁଭବ କରିନାହିଁ ।

 

ଅନ୍ୟମାନଙ୍କ ସହିତ ଲାଗିଥିବା ଖିଅଗୁଡ଼ିକ ଲାଗି ରହିଥିବ, ଆହୁରି ଅଧିକ ଦୃଢ଼ ହେବାରେ ଲାଗିଥିବ, —ଏବଂ ଏଣେ ମୁଁ ଅଧିକରୁ ଅଧିକ ଶ୍ରଦ୍ଧାର ସହିତ ଆପଣାର ଅଧିକ ଗଭୀରକୁ ପ୍ରବେଶ କରି ପାରୁଥିବି; ମୋ’ ଦେଖିବାର, ଅନୁଭବ କରିବାର ଓ ହେବାର ଆୟତନ ଗୁଡ଼ିକ ଅଧିକରୁ ଅଧିକ ପ୍ରସାରିତ ହୋଇ ପାରୁଥିବ, ଅଧିକରୁ ଅଧିକ ପରିମାଣରେ ସର୍ବଗ୍ରାହୀ ହୋଇ ପାରୁଥିବ, —ମୁଁ ତାହାକୁ ଅସଲ ଅଗ୍ରଗତି ବୋଲି କହିବି । ମୋ’ର ଅଭିଯୋଗ ଅଧିକରୁ ଅଧିକ ହ୍ରାସ ହେବାରେ ଲାଗିଥିବ, ମୁଁ ଅନ୍ୟ ସମସ୍ତଙ୍କୁ ଅଧିକରୁ ଅଧିକ ଆପଣାର ବୋଲି ଅନୁଭବ କରି ପାରୁଥିବି, —ଏହି ପୃଥିବୀ ଅଧିକରୁ ଅଧିକ ଆପଣାର ଘର ପରି ମନେ ହେଉଥିବ, ଏଠି ମୁଁ କାହାରି ଚେର ଛିଡ଼ାଇ ନିଜର ତଥାକଥିତ ମତଲବଗୁଡ଼ାକୁ ଅଧିକ ସିଦ୍ଧ କରିବାକୁ ଆଦୌ କୌଣସି ଚେଷ୍ଟା ବି କରୁନଥିବି । ତେବେ ଯାଇ ଆପଣାର ସମ୍ଭାବ୍ୟ ଗଭୀରତା ଏବଂ ଊର୍ଦ୍ଧ୍ୱତାଗୁଡ଼ିକୁ ମୁଁ ସ୍ପର୍ଶ କରି ପାରିବି । ଏବଂ ତାହାହିଁ ଯଥାର୍ଥ ଅଗ୍ରଗତି ହୋଇ ରହିବ ।

 

୨୬ । ୩ । ୮୨

 

ସମସ୍ତେ କହୁଛନ୍ତି, ଏହି ସମାଜ କୁଆଡ଼କୁ ଯାଉଛି । ମୁଁ କହୁଛି, ଏହି ସମାଜ ଯେଉଁ ଆଡ଼କୁ ଯିବାର କଥା, ଠିକ୍‍ ସେହିଆଡ଼କୁ ହିଁ ଯାଉଛି । ଆମେସବୁ ଏକାଠି ମିଶି ତାକୁ ଯୁଆଡ଼େ ନେବାଲାଗି ଫିକର କରି ବସିଛୁ, ଆମ ସମାଜ ଠିକ୍‍ ସେଇ ଆଡ଼କୁ ଯାଉଛି ।

 

ଆମ ଅଧିକାଂଶଙ୍କର ଯେଉଁ ଅପବିବେକଗୁଡ଼ାକ ବର୍ତ୍ତମାନ ଜୀବନର ନାକରେ ଦଉଡ଼ା ବାନ୍ଧି ତାକୁ ଏକ ଅଣସମାଜ ଆଡ଼କୁ ନେଇଯିବାରେ ଲାଗିଛି, ତାହା ଫଳରେ ଆମେ ହିଁ ସତ୍ୟାନାଶ ହୋଇଯିବୁ । ଆମ ଜୀବନର ପାଷଣ୍ଡ ଅର୍ଦ୍ଧସତ୍ୟଗୁଡ଼ାକ ପାଷଣ୍ଡ ବୋଲି ପ୍ରମାଣିତ ହେବେ ଏବଂ ଆମକୁ ଗୋଡ଼ହାତ ବାନ୍ଧି ଆମରି ରଚିତ ଏହି ଗାତଗୁଡ଼ିକ ଭିତରେ ପକାଇ ରଖିବେ । ଆମେ ଆମ ନିଜ ତିଆରି ଭୂତମାନଙ୍କ ସହିତ ଏହିଠାରେ ହିଁ ଅଟକି ରହିଯିବୁ । ମାତ୍ର ସମାଜ ତଥାପି ରହିବ । ସମାଜ ବଦଳିଯିବ । ଅନ୍ୟ ନେତୃତ୍ୱର ଜନ୍ମ ହେବ । ଆମକୁ ସହ୍ୟ କରି ନପାରି ବିଶ୍ଵବିବେକ ଅନ୍ୟ ବାଟ ଖୋଜିବ ଏବଂ ତାହାରି ପ୍ରତିକ୍ରିୟା ସ୍ୱରୂପ ହିଁ ଏକ ଅନ୍ୟ ବ୍ୟାକୁଳତା ଜନ୍ମଲାଭ କରିବ, ସେହି ବ୍ୟାକୁଳତା ଭିତରୁ ଏକ ବିକଳ୍ପ ଜନ୍ମଲାଭ କରିବ । ଏବଂ ତା’ପରେ, ବର୍ତ୍ତମାନ ଆମକୁ ପ୍ରାୟ ଗୋଟାସୁଦ୍ଧା ଚତୁର ଅଥଚ ଅଧମ କରି ରଖିଥିବା ଏହି ଶାସ୍ତ୍ରଗୁଡ଼ାକ ଓ ଏହି କାଇଦାଗୁଡ଼ାକ ସମ୍ପୂର୍ଣ୍ଣ ଭାବରେ ଅକାମୀ ବୋଲି ଘୋଷିତ ହେବେ । ଗୋଟାଏ ପରସ୍ତ ଯାଇ ଆଉଗାଟାଏ ପରସ୍ତ ଆରମ୍ଭ ହେବ । ଗୋଟାଏ ପ୍ରୟୋଗ ଯାଇ ଆଉଗାଟାଏ ପ୍ରୟୋଗ ଆରମ୍ଭ ହେବ । ସେହି ପ୍ରୟୋଗ ପଛରେ ରହିଥିବା ଉତ୍ସାହଟି ଆମ ଭିତରୁ ଯାହା ଭିତରେ ଥିବ, ସେହି ପ୍ରୟୋଗରେ ସିଏ ନିଶ୍ଚୟ ସହଯୋଗ କରି ପାରିବ । ଏହାହିଁ ରୀତି, ବିଧାତାର ନିୟମ । ମାତ୍ର, ଫୁଲ ଫୁଟିବ ହିଁ ଫୁଟିବ, ସକାଳ ହେବ ହିଁ ହେବ । ଏହି ତାରାମାନେ ଆମକୁ ଆବୋରି ରହିଥିବା କିଟିକିଟି ଅନ୍ଧାରର ଏହି ରୀତି ଭିତରେ ତଥାପି ଆଗାମୀ ସକାଳର ପ୍ରତୀକ ହୋଇ ରହିଥିବେ, ବନ୍ଧୁପରି ସ୍ମରଣ କରାଇ ଦେଉଥିବେ ।

 

୨୭ । ୩ । ୮୨

 

ବଙ୍ଗଳା ଦେଶରେ ପୁଣି ବହୁ ହତ୍ୟା ଚାଲିବ । ଦେଶକୁ ଯାବତୀୟ ପ୍ରମାଦରୁ ରକ୍ଷା କରିବାର ଆଳ ଦେଖାଇ ଏହିସବୁ ହତ୍ୟା ଘଟିବ । ସରକାରୀ କ୍ଷମତାରେ ରହିଥିବା ସାମରିକ କର୍ତ୍ତାମାନେ ଏହିସବୁ ହତ୍ୟାଲାଗି ଆଦେଶ ଦେବେ, ଅର୍ଥାତ୍‍ ଏହିସବୁ ହତ୍ୟା କରାଇବେ । ସେମାନେ ନିଜେ ଅସ୍ତ୍ରକ୍ଷମତା ବଳରେ ହିଁ ଦେଶର ଶାସନକ୍ଷମତାକୁ ଦଖଲ କରିଛନ୍ତି ଓ ସେହି କ୍ଷମତାର ପୂର୍ଣ୍ଣ ପ୍ରୟୋଗ କରି ସେମାନେ ହତ୍ୟାଗୁଡ଼ିକୁ କରିବାକୁ ଯାଉଛନ୍ତି । ଏହି ପ୍ରକ୍ରିୟାର ସ୍ୱାଭାବିକ ପରିଣାମ ସ୍ୱରୂପ ସେମାନେ ନିଜେ ମଧ୍ୟ ସେହି ହତ୍ୟାର ଶିକାର ହେବେ । ହତ୍ୟା ଅଧିକ ହତ୍ୟା ଲାଗି ବାଟ ପରିଷ୍କାର କରିଦେବ । କୌଣସି ପ୍ରକାର ବିବେକଦଂଶନ ଅନୁଭବ ନକରି ଏହିସବୁ ହତ୍ୟା ଅନୁଷ୍ଠିତ ହେବ । ସେହି ହତ୍ୟା ଯେ ଦେଶବାସୀଙ୍କର ହିତ ପାଇଁ ସେହିମାନଙ୍କର ସମର୍ଥନ କ୍ରମେ ହେଉଛି, ଲୋକମାନଙ୍କୁ ଏହିପରି ଏକ ଉଲ୍ଲାସ ପ୍ରକଟ କରିବା ସକାଶେ ସମସ୍ତ ଔପଚାରିକ ସନ୍ତର୍ପଣରେ ବାଧ୍ୟ କରାଯିବ ।

 

ବଙ୍ଗଳା ଦେଶର ମଣିଷମାନେ ସେଠାରେ କେଡ଼େ ଭୟଭୀତ ପରିସ୍ଥିତି ମଧ୍ୟରେ ନୀରବ ହୋଇ ରହିଥିବେ । ସେମାନେ କେତେ ପ୍ରକାରର ଅନିଶ୍ଚୟତା ମଧ୍ୟରେ ସମୟ ଅତିବାହିତ କରୁଥିବେ । ସାମୂହିକ ଜୀବନରେ କୌଣସି ମୂଲ୍ୟରାଶି ଉପରେ ଯେ ସ୍ଥାୟୀ ଭାବରେ ନିର୍ଭର କରାଯାଇ ପାରିବ, ସେମାନଙ୍କ ମଧ୍ୟରୁ ଏହି ବିଶ୍ୱାସଟି ଏକାବେଳେକେ ତୁଟି ଯାଇଥିବ । ଗତ ତିରିଶ ବର୍ଷରୁ ଅଧିକ କାଳ ରାଜନୀତିକ ସ୍ୱାଧୀନତା ପାଇଥିଲେ ମଧ୍ୟ ସେହି ଦେଶର ରାଜନୀତିକ ଚେତନା ଯେ ଆଦୌ ପରିପକ୍ଵ ହୋଇ ପାରିନାହିଁ, ଏହାହିଁ ତାର ପ୍ରମାଣ । ଏହି ଅସମର୍ଥତାଗୁଡ଼ାକୁ ବଜାୟ ରଖିବାରେ ଯେଉଁ ନେତୃତ୍ୱ ଦାୟୀ, ସେହି ନେତୃତ୍ୱର ଅପସାରଣ ହେଲେ ଯାଇ ଏଥିରେ ପରିବର୍ତ୍ତନ ଘଟିବ ।

 

୨୮ । ୩ । ୮୨

 

ଦିନେ ଜର୍ମାନୀର ଖ୍ରୀଷ୍ଟିଆନ ଶାସକମାନେ ଭାବୁଥିଲେ ଯେ ପୃଥିବୀରେ କେବଳ ସେହିମାନେ ରହିବେ ଏବଂ ସେହିମାନଙ୍କର ରହିବାଟାକୁ ଯଥାସମ୍ଭବ ଅଧିକ ନିଷ୍କଣ୍ଟକ ଓ ନିଷ୍କଳଙ୍କ କରି ରଖିବାଲାଗି ଇହୁଦୀମାନଙ୍କୁ ଲୁପ୍ତ ହୋଇଯିବାକୁ ପଡ଼ିବ । ଇଉରୋପର ଅନ୍ୟାନ୍ୟ ଦେଶରେ ମଧ୍ୟ ପ୍ରାୟ ଏହିପରି ଭାବିବା ଲାଗି ଭାରି ଚମତ୍କାର ଭାବରେ ଲୋକମାନଙ୍କୁ ପ୍ରବର୍ତ୍ତନ ଦିଆଯାଇ ଆସିଥିଲା । ଏହି ବିଷାକ୍ତ ଭାବନାଗୁଡ଼ିକ ସକାଶେ ଇଉରୋପରେ କେତେ ପ୍ରମାଦ ଉପୁଜିଲା ଇହୁଦୀଗୋଷ୍ଠୀ କେତେ କଷ୍ଟ ପାଇଲେ ଏବଂ ତଦ୍ଦ୍ୱାରା ତଥାକଥିତ ଖ୍ରୀଷ୍ଟିଆନ ସମାଜ ମଧ୍ୟ କ୍ଷତିଗ୍ରସ୍ତ ହେଲା ।

 

ବର୍ତ୍ତମାନ ଇହୁଦୀ ଦେଶ ଇସ୍ରାଏଲରେ ବାସ କରୁଥିବା ଇହୁଦୀମାନେ ସମ୍ଭବତଃ ଠିକ୍‍ ସେହିପରି ବିଶ୍ୱାସ କରୁଛନ୍ତି ଯେ, ପୃଥିବୀର ସେହି ଅଞ୍ଚଳରେ କେବଳ ସେହିମାନେ ହିଁ ରହିବେ ଏବଂ ତେଣୁ ଆଉ ସମସ୍ତଙ୍କୁ ସମ୍ପୂର୍ଣ୍ଣ ଭାବରେ ବିଲୁପ୍ତ କରିଦେବା ହିଁ ସେମାନଙ୍କର ପବିତ୍ର କର୍ତ୍ତବ୍ୟ ହେବ । ଏହିପରି ଭାବିବାକୁ ଏବଂ ବିଶ୍ୱାସ କରିବାକୁ ସେମାନେ ପିଲାଦିନୁ ଶିକ୍ଷା ପାଇଁ ଆସିଛନ୍ତି । ଏହା କେବଳ ସେହି ଅଞ୍ଚଳର ସ୍ୱାଭାବିକ ମାନବିକ ବିକାଶକୁ ଯେ କ୍ଷତିଗ୍ରସ୍ତ କରୁଛି ତା’ ନୁହେଁ, ଇହୁଦୀ ଗୋଷ୍ଠୀର ମଧ୍ୟ ତଦ୍ଦ୍ୱାରା ଭାରି କ୍ଷତି ହେଉଛି । ଇସ୍ରାଏଲର ମଣିଷମାନେ କ୍ରମେ ଏପରି ଏକ ଅସମର୍ଥତା ଭିତରେ ଅସହାୟ ଭାବରେ ଆସି ପଶି ଗଲେଣି ଯେ, ସେମାନେ ଆଉ ବୃହତ୍ତର ପୃଥିବୀଟିକୁ ମୋଟେ ଦେଖୁନାହାନ୍ତି, କେବଳ ଇସ୍ରାଏଲଟାକୁ ହିଁ ଦେଖିଛନ୍ତି । ଅର୍ଥାତ୍‍, ସେମାନେ ଆପଣାକୁ ହିଁ ଦେଖୁଛନ୍ତି । ଉନ୍ନତ ଅସ୍ତ୍ର ଓ ଉନ୍ନତ ବିଦ୍ୟାକୌଶଳ ସେମାନକୁ ଏହିପରି ଉତ୍ତେଜିତ ଭାବରେ ଏକପାଖିଆ ହୋଇ ରହିବାଲାଗି ଖୋରାକ ଯୋଗାଇ ଦେଇଛି, ସେମାନଙ୍କୁ ଅଧିକ ଦୁର୍ଦ୍ଦଣ୍ଡ କରୁଛି ।

 

୨୯ । ୩ । ୮୨

 

ସେଦିନ ଟେଲିଭିଜନ୍‍ କେନ୍ଦ୍ର ପ୍ରଶିକ୍ଷିତ ବାରିକ ମୋତେ କେଡ଼େ ସରାଗରେ କେତେ ସୁଶୋଭନ କରି ସଜାଇଦେଲେ । ମୋ’ ମୁଣ୍ଡର ଚନ୍ଦା ହୋଇ ଆସୁଥିବା ଅଂଶଟିରେ କଳାରଙ୍ଗ ଲଗାଇଦେଲେ । ନିଶର ଯେଉଁ ଅଂଶଟିରେ ବାଳଗୁଡ଼ାକ କ୍ରମେ ପାଚି ଆସୁଥିବା ପରି ମନେ ହେଉଥିଲା, ସେ ତା’ ଉପରେ ମଧ୍ୟ କଳା ରଙ୍ଗ ଲଗାଇଦେଲେ । ମୁଁ ଆଇନ ପାଖରେ ବସି ତାଙ୍କର ଏହି ପ୍ରସାଧନ-ନୈପୁଣ୍ୟଗୁଡ଼ିକୁ ଦେଖିବାରେ ଲାଗିଥାଏ ।

 

ସବୁ ଚନ୍ଦା ଅଂଶ ଓ ପାକଲା ଅଂଶ କଳା ହୋଇଗଲା ପରେ ମୁଁ ବେଶ୍‍ ଅନ୍ୟ ପ୍ରକାରର ଦେଖାଗଲି । ବୟସ ଅନେକ କମି ଯାଇଥିଲା ପରି ବି ଦେଖାଗଲି । ଆଜିକାଲି କ୍ୟାମେରାଗୁଡ଼ାକ ଏପରି ତିଆରି ହୋଇଛି ଯେ, ସେମାନେ ବାହାରଟାକୁ ତରୁଣ ବୋଲି ନଦେଖାଇଲେ ମଣିଷର ଭିତରଟାକୁ ତରୁଣ ବୋଲି ଦେଖାଇ ପାରନ୍ତି ନାହିଁ । ସେଥିଲାଗି କାରିଗରମାନେ କେତେ ଯତ୍ନର ସହିତ ବାହାରଟାକୁ ତରୁଣ ଓ ଚକଚକ କରି ଦେଖାଇବାର ଚେଷ୍ଟା କରିଥାନ୍ତି । ଆପଣାର ଏହି ରୂପଟିକୁ ବାହାରୁ ଦେଖିବାକୁ ଚେଷ୍ଟା କରୁଥିବା ସମୟରେ ମୁଁ ଭିତରର ଆଇନାଟି ଉପରେ ଏହି ସଜ୍ଜିତ ବାହ୍ୟ ରୂପଟିକୁ ଅନୁଭବ କରିବାକୁ ଚେଷ୍ଟା କରୁଥିଲି, ଆହୁରି ଅଧିକ ଯଥାର୍ଥ ଭାବରେ କହିଲେ, ମୁଁ ସେଇଟିକୁ ଅନୁଭବ କରୁଥିଲି । ବାହାରର ମୁଖାଟା ଭିତରୁ ଅନାଇବା ବେଳକୁ କେଡ଼େ ମନୋରମ ଦେଖା ଯାଉଥିଲା । ସେହି ମୁଖାଟାକୁ ଯଥାସମ୍ଭବ ଅନ୍ତରାଳରେ ରଖି ମୁଁ ଭିତରର କଥାଗୁଡ଼ିକୁ ଯଥାର୍ଥ ନିଷ୍ଠାର ସହିତ କହିବା ଲାଗି ଚେଷ୍ଟା କରୁଥିଲି ।

 

୩୦ । ୩ । ୮୨

 

ଯିଏ ଯେଉଁ ଭେକଟିକୁ ବାଟର ଭ୍ରମ କରି ଗ୍ରହଣ କରି ନେଇଛି, ତାହାକୁ ସିଏ ଏକମାତ୍ର ବାଟ ବୋଲି କହୁଛି । ଅର୍ଥାତ୍‍, ସିଏ ଗ୍ରହଣ କରିଥିବା ଭେକଟିକୁ ଖୁବ୍‍ ସମ୍ଭବ ନାନା କାରଣରୁ ତା’ ଉପରେ ଲଦି ଦିଆଯାଇଛି । ସିଏ ଭିତରୁ ସମ୍ଭବ ହୋଇ ପାରିବା ପୂର୍ବରୁ ହିଁ ନାନା ଅନ୍ୟ କାରଣରୁ ଭେକଟାକୁ ଗ୍ରହଣ କରି ନେଇଥାଏ । ଭେକଟା ବ୍ୟତୀତ ଗ୍ରହଣ କରିଥିବା ବାଟଟି ସହିତ ତାହାର ଆଦୌ କୌଣସି ଅନ୍ତର୍ଗତ ସମ୍ପର୍କ ନଥାଏ । ନିଜ ଭିତରେ ନିଜକୁ ସମ୍ମତ କରିବା ସକାଶେ ଯେତିକି ଶ୍ରଦ୍ଧା ଦରକାର, ତା’ ଭିତରେ ହୁଏତ ସେତିକି ଶ୍ରଦ୍ଧା ମଧ୍ୟ ନଥାଏ ।

 

ମୋ’ ବାଟଟି ଯଦି ମୋ’ ଜୀବନର ଯଥାର୍ଥ ଅଂଶରେ ପରିଣତ ହୋଇଯାଏ, ତେବେ ମୁଁ କଦାପି ସେହି ବାଟଟିକୁ ଏକମାତ୍ର ବାଟ ବୋଲି ଦାବି କରିବିନାହିଁ । ବାଟ ହେଉଛି ଏକ ସଂଯୋଜକ । ଲକ୍ଷ୍ୟଟି ସହିତ ବାଟ ଚାଲୁଥିବା ମଣିଷର ଯେଉଁ ପ୍ରେରଣାର ଖିଅଟି ଲାଗି ରହିଥିବା ଦରକାର, ସେହି ପ୍ରେରଣା ହିଁ ବାଟ ଚାଲିବାର ସର୍ବପ୍ରଧାନ ସନ୍ତକ ହୋଇ ରହିଥିବା ଉଚିତ । ଖିଅଟି ଲାଗିଥିଲେ, ଅର୍ଥାତ୍‍ ଲକ୍ଷ୍ୟଟି ସହିତ ଏକ ଅନ୍ତର୍ଗତ ସ୍ପର୍ଶ ରହିଥିଲେ, ବାଟଟା ବିଷୟରେ କଦାପି କୌଣସି ଅସୂୟା ଉପୁଜିବ ନାହିଁ । ମୁଁ ଯେପରି ମୋ’ ବାଟରେ ଯାଉଛି, ଅନ୍ୟମାନେ ମଧ୍ୟ ସେହିପରି ଆପଣା ଆପଣାର ବାଟରେ ଯାଉଛନ୍ତି, —ଏହି କଥାଟି ଯଥାର୍ଥରେ ବାଟ ଚାଲୁଥିବା ପ୍ରତ୍ୟେକ ମଣିଷଙ୍କ ମଧ୍ୟରେ ଏକ ଶ୍ରଦ୍ଧା ହିଁ ନିଷ୍ପନ୍ନ କରିବା, —ଏକ ସଖ୍ୟଭାବ ଜାଗୃତ କରି ଆଣିବ । ଯିଏ ପ୍ରକୃତରେ ପଥଚାରୀ, ସିଏ ଅସୂୟା ଲାଗି ସମୟ ପାଇବ କୁଆଡ଼ୁ ? ଆମ ପୃଥିବୀରେ ଆଜି ଏତେ ବେଶୀ ଅସୂୟା ଦେଖି ମନେହୁଏ, ହୁଏତ ଏମାନଙ୍କ ପାଖରେ ଆପଣାର ବୋଲି କହି ପାରିବାର ଆଦୌ କୌଣସି ବାଟ ହିଁ ନାହିଁ ।

 

୩୧ । ୩ । ୮୨

 

ବେଳେବେଳେ ମନେହୁଏ, ମୁଁ ପୃଥିବୀର ଭବିଷ୍ୟତ ବିଷୟରେ ମୋଟେ କିଛି ହେଲେ ଭାବିବି ନାହିଁ । ବର୍ତ୍ତମାନଟିକୁ ଯଥାସମ୍ଭବ ଅଧିକ ସମ୍ପୂର୍ଣ୍ଣ ଭାବରେ ବଞ୍ଚିବି । ଭବିଷ୍ୟତରେ ଏହି ପୃଥିବୀ ଯେପରି ଭାବରେ ଚାଲୁ ବୋଲି ମୁଁ କଳ୍ପନା କରୁଛି, ମୋ’ର ଏହି ବର୍ତ୍ତମାନ ମୁହୂର୍ତ୍ତରେ ମଧ୍ୟ ମୁଁ ଠିକ୍‍ ସେହିପରି ବଞ୍ଚିବା ଲାଗି ଚେଷ୍ଟା କରିବି ।

 

ଅର୍ଥାତ୍‍ ମୋ’ ସ୍ୱପ୍ନର ଭବିଷ୍ୟତଟିକୁ ମୁଁ ବର୍ତ୍ତମାନ ମଧ୍ୟରେ ହିଁ ବଞ୍ଚିବି । ଭବିଷ୍ୟତରେ ମଣିଷ ମଣିଷ ଭିତରେ ଓ ଗୋଷ୍ଠୀ ଗୋଷ୍ଠୀ ଭିତରେ ଯେଉଁଭଳି ସମ୍ପର୍କ ପ୍ରତିଷ୍ଠିତ ହେଉ ବୋଲି ମୁଁ ପ୍ରକୃତରେ ଇଚ୍ଛା କରୁଛି, ମୋ’ର ବର୍ତ୍ତମାନର ଯାବତୀୟ ସମ୍ପର୍କ ଯଥାସମ୍ଭବ ତାହାରି ଉପରେ ହିଁ ଆଧାରିତ ହୋଇ ରହିବ । ଗୋଷ୍ଠୀ ଭିତରେ ରହିଥିବା ସମୟରେ ମଧ୍ୟ ମୋ’ର ଯାବତୀୟ ଆଚରଣ ପ୍ରଧାନତଃ ତାହାରିଦ୍ୱାରା ନିର୍ଦ୍ଧାରିତ ହେବ । କାଲିର ପୃଥିବୀ ଯଦି ଆଜିଠାରୁ ଗଢ଼ା ନହେବ, ତେବେ ସେହି କଳ୍ପିତ ପୃଥିବୀ ହୁଏତ ଆଦୌ କେବେହେଲେ ଗଢ଼ାହୋଇ ପାରିବନାହିଁ । ଧର୍ମ, ସାହିତ୍ୟ, ଶିକ୍ଷା ଏବଂ ସମାଜ-ପରିବର୍ତ୍ତନର କ୍ଷେତ୍ରରେ ମୁଁ ଭବିଷ୍ୟତ ବିଷୟରେ ଯେତେ ଯାହା ଚିନ୍ତା କରୁଛି, ସେଗୁଡ଼ିକୁ ମୁଁ ମୋ’ର ଏହି ବର୍ତ୍ତମାନର ଭୂମି ଉପରେ ମଧ୍ୟ ସକ୍ରିୟ ଭାବରେ ଅନୁଭୂତ କରାଇବି । ତେବେଯାଇ ହେବ । ଅର୍ଥାତ୍‍ ମୁଁ ତେବେଯାଇ ଉଚିତ ବିବେକର ସହିତ ମୋ’ର ଜୀବନଟିକୁ ବଞ୍ଚି ପାରିବି ଏବଂ ତେବେଯାଇ ଭବିଷ୍ୟତ ବିଷୟରେ ଯଥାର୍ଥ ଭାବରେ କିଛି ଚିନ୍ତା କରିବାକୁ ମୋ’ର ସତକୁ ସତ ଅଧିକାର ରହିପାରିବ । ମୁଁ ବିଶ୍ୱାସ କରେ, ଆମର ଏହି ବର୍ତ୍ତମାନଟି ଦ୍ୱାରା ହିଁ ଯାବତୀୟ ଭବିଷ୍ୟତ ନିୟନ୍ତ୍ରିତ ହେବ । ଭବିଷ୍ୟଗୁଡ଼ାକୁ ଅଚାନକ ଭାବରେ ଆକାଶରୁ ଆସି ଖସି ପଡ଼ିବନାହିଁ । ଏହି ବର୍ତ୍ତମାନ ହିଁ ବିବର୍ତ୍ତିତ ହୋଇ ଆପଣାର ମୂଳବାସନାଗୁଡ଼ିକ ଅନୁସାରେ ଭବିଷ୍ୟତକୁ ଗଢ଼ିବ ।

 

୧। ୪ । ୮୨

 

ନୂତନ ଓଡ଼ିଶା କ’ଣ ଗୋଟାଏ ଖେଳନା ଯେ ଆମେ କେତେଜଣ ତାକୁ ନେଇ ଖେଳିବାରେ ହିଁ ଲାଗୁଥିବୁ? ନୂଆ ଓଡ଼ିଶା ଗଢ଼ା ହେବାର ପଇଁଚାଳିଶ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ମଣିଷ ନରଖର ଅର୍ଦ୍ଧପଶୁର ଜୀବନ ଯାପନ କରୁଥିବେ ଓ ଆମେ କେତେଜଣ ଖାଲି ନୂତନ ଓଡ଼ିଶା ବିଷୟରେ ବକ୍ତୃତା ଦେବାରେ ଲାଗିଥିବୁ ଓ ସବୁପ୍ରକାରର ପୁରୁଣା କୌଶଳ ସହିତ ଏଠି ଅଧିକାଂଶ ମଣିଷଙ୍କର ଶୋଷଣ ହିଁ କରୁଥିବୁ ?

 

ଓଡ଼ିଶାରେ ଓଡ଼ିଶା ନାମରେ ଅଧିକାଂଶ ମଣିଷଙ୍କୁ ଏପରି ଅଫିମଖୁଆ ହୋଇ ରଖାଯାଇଛି ଯେ ସେମାନେ ଆପଣାକୁ ମଣିଷ ପରି ଅନୁଭବ କରି ପାରିବାକୁ ମଧ୍ୟ ଏକାବେଳେକେ ଅସମର୍ଥ ହୋଇ ରହିଛନ୍ତି । ଏଗୁଡ଼ାକୁ ଆମେ ସବୁଦିନେ ଦେଖୁଛୁ, ଆଖି ଆଗରେ ଦେଖୁଛୁ, —ଅଥଚ ପ୍ରାୟ ନିର୍ଲିପ୍ତ ହୋଇ ରହିଛୁ । ଆପଣାର କ୍ଷୁଦ୍ର କୌଶଳଗୁଡ଼ିକ ମଧ୍ୟରେ ପ୍ରାୟ ବିବେକହୀନ ହୋଇ ରହିଥିବା ନିଜ ସ୍ୱାର୍ଥଗୁଡ଼ିକ ଭିତରେ ଆମେ ଏତେବେଶୀ ଲିପ୍ତ ହୋଇ ରହିଛୁ ଯେ ଅନ୍ୟ ସମସ୍ତଙ୍କ ବିଷୟରେ ଅତ୍ୟନ୍ତ ଦାରୁଣ ଭାବରେ ନିର୍ଲିପ୍ତ ହୋଇ ରହିଛୁ । ଗୋଟିଏ ସମଷ୍ଟିକୁ ସମୃଦ୍ଧ ଏବଂ ଆକାଂକ୍ଷାଯୁକ୍ତ କରି ଗଢ଼ିବାକୁ ହେଲେ କେବଳ ବକ୍ତୃତା ଛଡ଼ା ଯେ ଆହୁରି ଅନେକ କିଛି ଦରକାର, ଅର୍ଥାତ୍‍, ସବାଆଗ ଯେ ସମସ୍ତଙ୍କୁ ଏକାବେଳେକେ ଗୋଟିଏ ସମଷ୍ଟି ଭିତରେ ଅନୁଭବ କରି ପାରୁଥିବା ଗୋଟାଇ ହୃଦୟ ଦରକାର, ସେକଥାଟା ଆମ ଅନେକଙ୍କର ସତେଅବା ମୋଟେ ମନେ ନାହିଁ । ଓଡ଼ିଶାରେ ଏହି ଅସଲ କଥାଟା କହିବାଲାଗି ଆଜି କୌଣସି ନେତୃତ୍ୱ ବି ନାହିଁ । ସମସ୍ତେ ଆପଣାର କୂପଗୁଡ଼ିକ ଭିତରେ କେଡ଼େ ଉଗ୍ର ଭାବରେ ଶୋଭାମୟ ଦିଶୁଛନ୍ତି, —ଅଥଚ ରାଜ୍ୟଟାଯାକ କେଡ଼େ ନରଖର ହୋଇ ରହିଛି । ଏମାନେ କେହି ଅସଲ ସ୍ୱପ୍ନଟିର ଯୋଗ୍ୟ ହୋଇ ପାରୁନାହାନ୍ତି ।

 

୨ । ୪ । ୮୨

 

ଓକିଲମାନ ସାହିତ୍ୟ କରିବାରେ ଆଦୌ କାହାରି କୌଣସି ଆପତ୍ତି ନାହିଁ । ମାତ୍ର, ଓକିଲ ତାର ଓକିଲାତି ବୁଦ୍ଧିକୁ ଛାଡ଼ି ହିଁ ସାହିତ୍ୟ ଭିତରକୁ ଆସିବା ଉଚିତ । ସାହିତ୍ୟର ଅନୁରାଗୀ ହୋଇ ତାର ସାହିତ୍ୟ ଭିତରକୁ ଆସିବା ଉଚିତ । ମାତ୍ର, ଓକିଲର ଓକିଲାତି ବୁଦ୍ଧି ଗୁଡ଼ାକ ଯେତେବେଳେ ବିଷ ପରି ସାହିତ୍ୟ ଭିତରେ ଯାଇ ଚରିବାକୁ ଆରମ୍ଭ କରେ, ସେତେବେଳେ ସାହିତ୍ୟର ଇଜ୍ଜତ ଯାଏ ଏବଂ ସହିତ୍ୟ ଭିତରେ ପଶିଥିବା ଓକିଲମାନଙ୍କର ବି ଆଦୌ କୌଣସି ଲାଭ ହୁଏନାହିଁ ।

 

ଅର୍ଥାତ୍‍, ଓକିଲାତି ପରି ସାହିତ୍ୟ ମୋଟେ ଗୋଟାଏ ଧନ୍ଦା ନୁହେଁ । ସାହିତ୍ୟ ଏକ ଜୀବନଦର୍ଶନ । ଦିନଯାକ ଓକିଲାତି କରି ରାତିରେ ଜଣେ ବ୍ୟକ୍ତି ଅବଶ୍ୟ ସାହିତ୍ୟ କରିପାରେ ସତ, ମାତ୍ର ସାହିତ୍ୟକୁ ସତକୁ ସତ ମନ କଲେ ଆପଣା ଜୀବନର ସମଗ୍ର ଦର୍ଶନଟି ମଧ୍ୟ ସାହିତ୍ୟଧର୍ମର ଅନୁରୂପ କରି ଆଣିବାକୁ ହୋଇଥାଏ । ସାହିତ୍ୟ ଭିତରକୁ ଓକିଲାତି ବୁଦ୍ଧି ପଶିଲେ ସାହିତ୍ୟ ଭିତରେ ଓକିଲ ତଥାପି ଓକିଲ ହୋଇ ରହିବାକୁ ଇଚ୍ଛା କରୁଛି ବୋଲି ଧାରା ପଡ଼ିଯାଏ । ଶ୍ରାଦ୍ଧଗୁଡ଼ାକ ଏତେ ଟିକିଏ ହେଲେ ବଢ଼େନାହିଁ, ଭିତରର କଠିତାଗୁଡ଼ାକ ଏତେ ଟିକିଏ ବି କୋମଳ ହୁଏନାହିଁ । ସାହିତ୍ୟ ଭିତରକୁ ଆସି ମଣିଷ ଏତେ ଟିକିଏ ବି ବଦଳି ନଥାଏ । ସିଏ ସତେଅବା ପାରିଧି କରିବାକୁ ହିଁ ସାହିତ୍ୟ ଭିତରେ ଆସି ପଶିଥାଏ । ତା’ର ସେହି ପାରିଧିର ଭୂମିକା ଭିତରେ ସିଏ ପ୍ରାୟ ସବୁବଳେ ରଜା ହୋଇ ରହିବାକୁ ଇଚ୍ଛା କରୁଥାଏ । ସାହିତ୍ୟକ ସମ୍ବନ୍ଧଟିକୁ ସତେଅବା ଶିକାରର ପଶୁ ପରି ଦେଖୁଥାଏ । ଏମାନେ ସାହିତ୍ୟ ଭିତରକୁ ଆସିଲେ ସାହିତ୍ୟରେ ରହିଥିବା ଆମେ ଅନ୍ୟମାନେ ପ୍ରକୃତରେ ପ୍ରମାଦ ଭିତରେ ଆସି ପଡ଼ୁ । ଆମ ଭିତରେ ରହିଥିବା ସାହିତ୍ୟକ ହୃଦୟଟି ପ୍ରମାଦ ଗଣେ । ସାହିତ୍ୟକୁ ନେଇ ଆଉ କୁଆଡ଼େ ପଳାଇ ଯିବାକୁ ମନ ହୁଏ ।

 

୩ । ୪ । ୮୨

 

ସାହିତ୍ୟ ଭିତରେ ଆମେ ସମସ୍ତେ ନାକ ପର୍ଯ୍ୟନ୍ତ ବୁଡ଼ି ରହିଥିଲେ ମଧ୍ୟ ତଥାପି ଯେ ଆମ ଭିତରେ ଏତେ ବେଶୀ ଦୂରତା ଏବଂ ଏତେ ବେଶୀ ବିଦ୍ୱେଷ ରହିଛି, ସେଇଥିରୁ ପ୍ରମାଣ ମିଳିଯାଉଛି ଯେ, କେବଳ ସାହିତ୍ୟଦ୍ୱାରା ହିଁ ଯାହା ହୋଇପାରିବ ବୋଲି ଆମେ ସାଧାରଣତଃ ଭାବୁଛୁ, ତାହା ମୋଟେ ହୋଇ ପାରିବନାହିଁ । ସାହିତ୍ୟ ସହିତ ବିବେକ ରହିଥିଲେ ଯାଇ ହେବ —ଜୀବନର ଓ ଚେତନାର, ଅନ୍ତରଙ୍ଗତା ଓ ଅନୁରାଗର ସମଗ୍ର ଦ୍ୱାରଟି ଉନ୍ମୋଚିତ ହୋଇ ପାରିଥିଲେ ଯାଇ ସେସବୁ ହେବ । ସମ୍ଭବତଃ ଗୋଟିଏ କଥାରେ କହିଲେ ଆମ ପ୍ରତ୍ୟେକଙ୍କ ଭିତରେ ଆଧ୍ୟତ୍ମିକ ଭୂମିଟିଏ ରହିଥିଲେ ଯାଇ ସେକଥା ହେବ । କେବଳ ସାହିତ୍ୟ ସେହି ଭୂମିଟିକୁ ମୋଟେ ସୃଷ୍ଟି କରି ପାରିବନାହିଁ । ନିଜ ଭିତରେ ଏକ ଆଧ୍ୟାତ୍ମିକ ଅନୁରାଗକୁ ଆମର ଭୂମି ଓ ଆମର ଚକ୍ଷୁରେ ପରିଣତ କରି ଆମେ ସାହିତ୍ୟ ଭିତରକୁ ଗଲେ ହୁଏତ ତାହରିଦ୍ୱାରା ହିଁ ଆମର ତଥାକଥିତ ସାହିତ୍ୟ ଅଧିକ ଅନୁରାଗ, ଅଧିକ ଅନ୍ତରଙ୍ଗତା ଏବଂ ଅଧିକ ଅନ୍ତଃପ୍ରବେଶ ଲାଗି ବାଟ ଫିଟାଇଦେଇ ପାରିବ ।

 

ତେଣୁ, ଖାଲି ସାହିତ୍ୟ ଯଥେଷ୍ଟ ନୁହେଁ । ଖାଲି ସାହିତ୍ୟ ଆମପରି କେତେଟା ଅନୁରାଗହୀନ ମଣିଷଙ୍କ ହାତରେ ପଡ଼ି ଆମକୁ ହୁଏତ ଆହୁରି ଅଧିକ ଅନୁରାଗହୀନ ହେବାରେ ସାହାଯ୍ୟ କରିବ । ରାକ୍ଷସର ହାତରେ ପଡ଼ି ସାହିତ୍ୟ ରାକ୍ଷସୀ ଇଚ୍ଛାଗୁଡ଼ାକର ହିଁ ପୂରଣ କରିବାରେ ଲାଗିଥିବ । ସାହିତ୍ୟ ଥିବ, ଅଥଚ ଚାରିଆଡ଼େ ଅନ୍ଧାର ପୂର୍ଣ୍ଣ ହୋଇ ରହିଥିବ, ଅନ୍ତର ଭିତରେ ଗୁଡ଼ାଏ ଇର୍ଷା ଚହଟିବାରେ ଲାଗିଥିବେ । ବ୍ୟକ୍ତିଗତ ଓ ସାମୂହିକ ଉଭୟ ପ୍ରକାରର ଇର୍ଷା ସୁବର୍ଣ୍ଣଚଢ଼େଇ ପରି ହୋଇ ଆମ ସମସ୍ତଙ୍କୁ ଭାରି ଚକଚକ ଅଥଚ ଭାରି ପ୍ରାଣହୀନ କରି ରଖିଥିବେ-। ଆମ ଅନେକଙ୍କର ସହଯୋଗ ସହିତ ଆମ ସାହିତ୍ୟ ଏବେ ହୁଏତ ସେହିପରି ଏକ ପର୍ଯ୍ୟାୟ ମଧ୍ୟଦେଇ ଗତି କରୁଛି ।

 

୪ । ୪ । ୮୨

 

ସାହିତ୍ୟ ଘର ଭିତରେ ଥାଉ, ସାହିତ୍ୟ ଆମ ସମ୍ପର୍କ ଭିତରେ ଥାଉ, ଆମ ଆନ୍ତରିକତା ଗୁଡ଼ିକ ଭିତରେ ହିଁ ରହିଥାଉ । ସାହିତ୍ୟ ଦାଣ୍ଡକୁ ନଯାଉ । ସାହିତ୍ୟର ମାଧ୍ୟମରେ ଆମେ ସମସ୍ତେ ଯେଉଁ ଅନ୍ତରଙ୍ଗତାକୁ ଲୋଡ଼ୁଛୁ, ସେହି ଅନ୍ତରଙ୍ଗତା ହିଁ ଦାଣ୍ଡକୁ ଯାଉ । ପରସ୍ପର ସହିତ ଯେଉଁ ଖିଅଗୁଡ଼ିକ ଯୋଡ଼ି ପାରିଥିଲେ ସବୁ ମଣିଷ ଅତ୍ୟନ୍ତ ନିକଟବର୍ତ୍ତୀ ପରି ଲାଗନ୍ତି, ସେହି ଖିଅଗୁଡ଼ାକ ହିଁ ଦାଣ୍ଡକୁ ଦେଖାଯାଉ, ଦାଣ୍ଡକୁ ସଂକ୍ରାମିତ ହେଉ । ସେହି ଖିଅଗୁଡ଼ିକର ଦର୍ପଣରେ ହିଁ ଆମର ଯାବତୀୟ ପରିଚୟ ଆପଣାକୁ ଘୋଷିତ କରିବାକୁ ସମର୍ଥ ହେଉ ।

 

ଯେଉଁ ଅନ୍ତରଙ୍ଗତାକୁ ନିଜ ଭିତରେ ଅନୁଭବ କରି ପାରିଲେ ମଣିଷ ସାହିତ୍ୟକୁ ମନ କରେ, ଅର୍ଥାତ୍‍ ଗୁମ୍ଫାଗୁଡ଼ାକୁ ଓ କୁମ୍ପାଗୁଡ଼ାକୁ ମନ ନକରି ଆକାଶକୁ ମନ କରେ ଓ ଆତ୍ମୀୟତାକୁ ମନ କରେ, ପରସ୍ପର ସହିତ ସାହିତ୍ୟର ଯାବତୀୟ ସମ୍ପର୍କ ଏବଂ ସଂସର୍ଗର ମାଧ୍ୟମରେ ଆମେ ସେହି ଅନ୍ତରଙ୍ଗତାଟି ହିଁ ପ୍ରସାରିତ ହୋଇ ଯାଉଥିବାର ଅନୁଭବ କରିବାକୁ ସମର୍ଥ ହେଉ । ସାହିତ୍ୟ ହିଁ ଆମର ସମଗ୍ର ପରିଚୟ ହେଉ । ଆମର ଅନ୍ୟ ଯାବତୀୟ ଅସମ୍ମତିକୁ ଆମର ସାହିତ୍ୟବାସନା ହଜମ କରି ପାରିବାକୁ ସମର୍ଥ ହେଉ । ଅସମ୍ମତିଗୁଡ଼ାକ ସ୍ୱାଭାବିକ ଭାବରେ ବିଲୁପ୍ତ ହୋଇ ଯାଉଥିବା ସଙ୍ଗେ ସଙ୍ଗେ ହିଁ ଭିତରର ଖୁସିଗୁଡ଼ାକ ଅଧିକରୁ ଅଧିକ ସ୍ୱାଭାବିକ ଭାବରେ ଆମକୁ ମାଧ୍ୟମ କରି ଅଭିବ୍ୟକ୍ତ ହେବାକୁ ସମର୍ଥ ହୁଅନ୍ତୁ । ସେହି ଖୁସି ହିଁ ଆମର ଏହି ସଂସାରକୁ ବଦଳାଇବ, ଆପଣାକୁ ନେଇ ଅନ୍ୟ ସମସ୍ତଙ୍କ ସହିତ ସମ୍ମଳିତ କରାଇବ । ଆମ ସାହିତ୍ୟ ସମ୍ମିଳନୀ ସେହି ଅସଲ ଖୁସିଟିର ନିମିତ୍ତ ହେଉ ।

 

୫ । ୪ । ୮୨

 

ଯେଉଁମାନେ ପ୍ରାୟ ଏକ ଅତ୍ୟାସକ୍ତ ସହିତ ଠାକୁରଙ୍କର ପୂଜା କରୁଥାନ୍ତି ଓ ସେହି ପୂଜାର ବିଧିଗୁଡ଼ାକୁ ହିଁ ସତେଅବା ଜୀବନର ମନ୍ତ୍ର ପରି ମାନିଥାନ୍ତି, ସେମାନେ ସତେଯେପରି ସେହି ଅନୁପାତରେ ଆତ୍ମୀୟତାର କ୍ଷେତ୍ରରେ ସମସ୍ତଙ୍କଠାରୁ ଅଲଗା ହୋଇ ରହିବାକୁ ମନ କରୁଥାନ୍ତି । କ୍ରମେ ସେମାନେ ନିଜ ଠାକୁରଟିକୁ ନେଇ ଆପଣାର କେତୋଟି ନିଭୃତ ଗାତ ଭିତରକୁ ଚାଲିଯାଆନ୍ତି ଓ ସେହିଗୁଡ଼ିକ ଭିତରେ ତାଙ୍କୁ ଏକାକୀ ଭୋଗ କରିବାକୁ ଇଚ୍ଛା କରନ୍ତି । ସେମାନଙ୍କର ଶ୍ରଦ୍ଧା ଦ୍ୱାରା ଆମର ଏଠି ମନ୍ଦିର ବଢ଼େ, ମନ୍ଦିରର ପାହାଚଗୁଡ଼ାକ ମର୍ମର ପଥରରେ ଥୁଆ ହୋଇ ରହନ୍ତି; ସେଠାରେ କେଡ଼େ ଦର୍ପରେ ଘଣ୍ଟା ବାଜେ, ଠାକୁରମାନେ କେଡ଼େ ଦାମିକା ଲୁଗା ଏବଂ ଗହଣାମାନ ପିନ୍ଧି ଭାରି ଶୋଭବନ ଦିଶନ୍ତି, —ମାତ୍ର ଆତ୍ମୀୟତା ହ୍ରାସ ପାଇ ଯାଉଥାଏ-। ମଣିଷମାନେ ଆଉ ମୋଟେ ପରସ୍ପରକୁ ଦେଖି ପାରନ୍ତିନାହିଁ । ଏପରିକି, ସେମାନେ ଠାକୁରଙ୍କ ଭିତରେ ମଧ୍ୟ ଆପଣାକୁ ଦେଖି ପାରିବାର ସମର୍ଥ ହୁଅନ୍ତି ନାହିଁ । ସେମାନେ ଆପଣା ଭିତରେ ହିଁ ଆପଣାର ଠାକୁରଙ୍କୁ କିଳି କରି ରଖନ୍ତି, ତାଙ୍କ ସହିତ ଏକୁଟିଆ ସମ୍ପର୍କ ରଖିଥାନ୍ତି ।

 

ଠାକୁରଙ୍କୁ ଅସଲ ଦେଖିବା ହେଉଛି ତାଙ୍କୁ ପରସ୍ପର ଭିତରେ ଦେଖିବା । ତାଙ୍କୁ ଯଥାର୍ଥରେ ନିଜ ଭିତରେ ଅନୁଭବ କରିବାର ଅର୍ଥ ହେଉଛି ତାଙ୍କୁ ପରସ୍ପର ଭିତରେ ଅନୁଭବ କରିବା, —ଆମ ପରସ୍ପରକୁ ନିବିଡ଼ ଭାବରେ ସଂଲଗ୍ନ କରି ରଖିଥିବା ସୂତ୍ରଗୁଡ଼ିକ ମଧ୍ୟରେ ହିଁ ତାଙ୍କୁ ଅନୁଭବ କରିବା, ସେହି ସୂତ୍ରଗୁଡ଼ିକରେ ତାଙ୍କୁ ଅତ୍ୟନ୍ତ ସରଳ ଭାବରେ ଆମ ଅନ୍ତରଙ୍ଗତାର ବ୍ୟାସଗୁଡ଼ିକୁ ଅଧିକରୁ ଅଧିକ ପ୍ରସାରିତ କରୁଥିବାର ଅନୁଭବ କରିବା । କାନ୍ଥଦିଆ ସବୁ ମନ୍ଦିରକୁ ଭାଙ୍ଗି ଏହି ସମ୍ପର୍କଗୁଡ଼ିକର ଯଥାର୍ଥ ସମଗ୍ରତାକୁ ହିଁ ଅସଲ ମନ୍ଦିର ରୂପେ ସ୍ୱୀକାର କରିବା । ମୋ’ଭିତରେ ଯେଉଁଠି ଏହି ସବୁକିଛି ଅତ୍ୟନ୍ତ ନିବିଡ଼ ଭାବରେ ମୋ’ ସହିତ ଗଇଁଠା ହୋଇ ରହିଛି, ମୁଁ ସେହିଠାରେ ହିଁ ତାଙ୍କୁ ଅନୁଭବ କରିବି ।

 

୬ । ୪ । ୮୨

 

ଫକ୍‍ଲାଣ୍ଡ୍‍ ଦ୍ୱୀପପୁଞ୍ଜକୁ ମୋ’ର ସମ୍ପତ୍ତି ବୋଲି କହି ଇଂଲଣ୍ଡ ତାକୁ ଆକ୍ରମଣକାରୀ ଆଉଗୋଟିଏ ଦେଶ ହାତରୁ ରକ୍ଷା କରିବା ଲାଗି ଯୁଦ୍ଧଭେଳା ପଠାଇଲାଣି । ସମସ୍ତେ କହୁଛନ୍ତି ଯୁଦ୍ଧ ଲାଗିଯିବ । ଆଧୁନିକ ରାଜନୀତିର ପୃଥିବୀ ବୋଲି ଯାହାକୁ କୁହାଯାଏ, ସେହିସବୁ ଅଞ୍ଚଳରେ ଆଉଏକ ପ୍ରକାରର ଯୁଦ୍ଧଭୟ ଘୋଟି ରହିଥିବା ସମୟରେ ସେହି ଦକ୍ଷିଣସ୍ଥ ନିର୍ଜନାଞ୍ଚଳରେ ଯେଉଁ ଯୁଦ୍ଧ ଲାଗିବ, ତାହା ସତେଅବା ଊନବିଂଶ ଶତାବ୍ଦୀର ଗୋଟାଏ ଘଟଣା ପରି ମନେ ହେଉଛି । ଅନ୍ତତଃ, ଯେଉଁ କାରଣରୁ ସେଠାରେ ଯୁଦ୍ଧ ଲାଗିବାକୁ ଯାଉଛି, ସେଇଟା ହେଉଛି ସମ୍ପୂର୍ଣ୍ଣ ଭାବରେ ଊନବିଂଶ ବା ଅଷ୍ଟାଦଶ ଶତାବ୍ଦୀର ଏକ କାରଣ ।

 

ଭାଗ୍ୟକୁ ଇଂଲଣ୍ଡରେ ଏବେ ମଧ୍ୟ ରାଜପଦ ରହିଛି । ସେହି ରାଜପଦରେ ଆଦୌ କୌଣସି କ୍ଷମତା ନଥିଲେ ମଧ୍ୟ ବର୍ତ୍ତମାନ ଯେଉଁମାନେ ଇଂଲଣ୍ଡର ପ୍ରକୃତ ଶାସନଭାରରେ ରହିଛନ୍ତି, ସେମାନେ ବି ଆପଣାକୁ ହୁଏତ ସେଇଥି ସକାଶେ ଠିକ୍‍ ରାଜା ବୋଲି ଅନୁଭବ କରୁଛନ୍ତି-। ଏଡ଼େ ବଡ଼ ପୃଥିବୀରେ ସେମାନଙ୍କର ଯୋଉଠି ଚେନାଏ କିମ୍ବା ଅରାଏ ଜାଗା ରହିଛି, ସେମାନେ ତାହାକୁ ଆପଣାର ସାମ୍ରାଜ୍ୟ ଜ୍ଞାନରେ ଦେଖିଛନ୍ତି ଓ ତାହାର ରକ୍ଷା କରିବାଟାକୁ ନିଜର କର୍ତ୍ତବ୍ୟ ବୋଲି ମନେ କରୁଛନ୍ତି । ମନୋଭାବରେ ଶାସକମାନେ ସଚରାଚର ଯୁଗଗୁଡ଼ାକର ଅନେକ ପଛରେ ରହିଥାନ୍ତି । ଇଂଲଣ୍ଡର ବିଶେଷତ୍ୱ ଯେ, ଇଂଲଣ୍ଡ ତୁଳନାତ୍ମକ ଭାବରେ ଏହି ଧାଡ଼ିରେ ପ୍ରାୟ ସମସ୍ତଙ୍କ ପଛରେ ଯାଇ ରହିଥାଏ । ଫକ୍‍ଲାଣ୍ଡ୍‍ ଦ୍ଵୀପପୁଞ୍ଜ ଇଂଲଣ୍ଡର ଶାସକମାନଙ୍କୁ ଯେ ଆପଣାର ସାମ୍ରାଜ୍ୟବୀର୍ଯ୍ୟ ଦେଖାଇବା ଲାଗି ଏକ ସୁଯୋଗ ଦେଲା, ସେଥିଲାଗି ଯେଡ଼େ ଅନାମଧେୟ ହୋଇଥିଲେ ମଧ୍ୟ ଆମେ ସେହି ଦ୍ୱୀପକୁ ହିଁ ଭଗବାନ ବୋଲି କହିବା ।

 

୭ । ୪ । ୮୨

 

ବକ୍ତୃତା ଦେବାରେ ଯଦି ଏତେ ଶ୍ରଦ୍ଧା, ତେବେ ଆମେ ନୀରବ ହୋଇ ବାଟ ଚାଲିବା ଆଉ କେତେବେଳେ ? ନୀରବ ହୋଇ ବାଟ ଚାଲିବାର ଅର୍ଥ ହେଉଛି ଆଦୌ କୌଣସି କୋଳାହଳ ନକରି ଆପଣା ଭିତରେ ରହିଥିବା ଅସଲ ଥଳଟିର ସ୍ପର୍ଶ ପାଇବା ଓ ସେହି ସ୍ଥଳଟିକୁ ଆପଣାର ଅସଲ ପିଣ୍ଡ ଓ ଅସଲ ପ୍ରେରଣାରୂପେ ଗ୍ରହଣ କରି ବଦଳି ବଦଳି ଯିବା । ବଦଳି ଯିବାର ଅର୍ଥ ହେଉଛି ଅଧିକରୁ ଅଧିକ ସମ୍ମତ ହେବା, ଯୋଗ୍ୟ ହୋଇ ରହିବା ଏବଂ ଅଧିକରୁ ଅଧିକ କାମରେ ଲାଗିବା ।

 

ଆମେ ଯେତେବେଳେ ଆମ ଭିତରେ ରହିଥିବା କୌଣସି ଏକ ପ୍ରତିବନ୍ଧକ ସକାଶେ ମୋଟେ କାମରେ ନଲାଗିବାକୁ ହିଁ ମନ କରି ବସୁ, ହୁଏତ ସେତିକିବେଳେ ହିଁ ସବୁଯାକ ବୁଦ୍ଧି ଓ ସବୁଯାକ ସରାଗକୁ ଖର୍ଚ୍ଚ କରି ଆମେ ବକ୍ତୃତା ଦେବାରେ ଲାଗିଯାଉ । ଆପଣାର ହୃଦବୋଧ କରାଇବା ସତେ ଯେପରି କୌଣସି ନା କୌଣସି ଜାଗାରେ ବାକି ରହି ଯାଇଥିବା ପରି ଆମେ ବକ୍ତୃତାଦ୍ଵାରା ଅନ୍ୟ ସମସ୍ତଙ୍କୁ ସବୁକଥା ବୁଝାଇ ଦେବାକୁ ବାହାରୁ । ଅଥବା, ଆପଣାର ମୋଟେ ହୃଦବୋଧ କରାଯାଇ ପାରିବନାହିଁ ବା ଆପଣାକୁ ମୋଟେ ସମ୍ମତ କରାଯାଇ ପାରିବନାହିଁ, ଏହିପରି ଗୋଟାଏ ପରାଜୟବୋଧ ଆମକୁ ପ୍ରାୟ ଗୋଟାସୁଦ୍ଧା ଜୟ କରି ସାରିବା ପରେ ଆମେ ଅନ୍ୟମାନଙ୍କୁ ବକ୍ତୃତା ଦେଇ ବୁଝାଇବାରେ ଲାଗିଯାଉ । ଭଳିକି ଭଳି ଶବ୍ଦ କହୁ, ଭଳିକି ଭଳି ଅତୁରତା ସହିତ ସେଗୁଡ଼ାକୁ କହୁ ଓ ସେଗୁଡ଼ାକ ଦ୍ୱାରା ନିଜ ଭିତରେ ଭଳିକି ଭଳି କ୍ଷତିପୂରଣ କରିବାରେ ଲାଗିଥାଉ । ପରସ୍ପର ପାଖରେ ବକ୍ତୃତା ନଦେଇ କ’ଣ ଆମେ ପରସ୍ପରକୁ ବୁଝାଇ ପାରନ୍ତୁ ନାହିଁ, ପରସ୍ପର ସାଙ୍ଗରେ ଯାଇ ପାରନ୍ତୁନାହିଁ ? ବକ୍ତୃତାଗୁଡ଼ାକୁ ଶୁଣିଲାବେଳେ ମୁଁ ଏହିସବୁ କଥା ଭାବିବାରେ ଲାଗିଥାଏ, —ବାଟ ଚାଲି ହିଁ, ଅସଲ ପ୍ରତ୍ୟୟଟି ମିଳିପାରିବ ଓ ଅସଲ କାତରତାଗୁଡ଼ାକ ଅତିକ୍ରମ ହେବ ବୋଲି ଅନ୍ୟମାନଙ୍କୁ ମନେ ମନେ କାକୁତି କରିବାରେ ଲାଗିଥାଏ-

 

୮ । ୪ । ୮୨

 

ସରକାର ଆଗ ନିୟମଗୁଡ଼ାକୁ ରଖିବେ, ତା’ପରେ ଯାଇ ଦେଶର କଲ୍ୟାଣ କରିବେ । ଦେଶର କଲ୍ୟାଣ କରିବାକୁ ହେଲେ ଅନେକ ସମୟରେ ଯେ ଚଳି ଆସିଥିବା ନିୟମଗୁଡ଼ାକୁ ବଦଳାଇବାକୁ ପଡ଼େ, ସରକାର ସେହି କଥାଟିକୁ ମୋଟେ ବୁଝି ପାରନ୍ତିନାହିଁ । ହୁଏତ ସେହି କଥାଟି ବୁଝିବାକୁ ମୋଟେ ତିଆରି ବି ହୁଅନ୍ତିନାହିଁ ।

 

ଶିକ୍ଷା ନାମରେ ସରକାର ଯୋଉସବୁ ନିୟମ ତିଆରି କରି ରଖିଛନ୍ତି ଓ ଯେଉଁ ନିୟମ ଅନୁସାରେ ନିଜର ଯନ୍ତ୍ରଗୁଡ଼ାକୁ ଚଳାଉଛନ୍ତି, ସେଗୁଡ଼ାକ ସତ୍ତ୍ୱେ ତଥାପି ଶିକ୍ଷାର କ୍ଷେତ୍ରରେ ଅଭିଳଷିତ ଅଗ୍ରଗତିଟି ଆଦୌ ହୋଇ ପାରୁନାହିଁ । ଆଖି ଆଗରେ ହିଁ ସମସ୍ତେ ଦେଖୁଥିବା ପରି ଅଶିକ୍ଷାଗୁଡ଼ାକ ବଢ଼ିବାରେ ଲାଗିଛି । ଏବଂ ସରକାର ତଥାପି ନିୟମଗୁଡ଼ାକୁ ହିଁ ସବୁଠାରୁ ଅଧିକ ପବିତ୍ର ବୋଲି ବିଚାର କରୁଛନ୍ତି ଓ ସେହିଗୁଡ଼ାକ ଭିତରେ ଅଧିକରୁ ଅଧିକ ପରିମାଣରେ ସଢ଼ିବାରେ ଲାଗିଛନ୍ତି । ନୂଆଲାଗି ପ୍ରକୃତରେ ଏକ ଅଭିଳାଷ ରହିଥିଲେ କର୍ତ୍ତାମାନେ ସେହିପରି ସେମାନଙ୍କୁ ପ୍ରାୟ କୌଣସି ପ୍ରକାର ହୃଦୟ ନଥିବା ଗୋଟାଏ ଗୋଟାଏ ଯନ୍ତ୍ରରେ ପରିଣତ କରି ରଖିଥିବା ଅବ୍ୟବସ୍ଥାଗୁଡ଼ାକୁ ଭାଙ୍ଗି ଏକ ନୂତନ ଅନୁରାଗ ଓ ନୂତନ ପବନ ଲାଗି ବାଟ ଛାଡ଼ିଦେବାକୁ ତଦନୁରୂପ ପ୍ରସ୍ତୁତ ହୋଇ ପାରିବା ଦରକାର । ଯନ୍ତ୍ରଗୁଡ଼ାକୁ ହିଁ ସବୁଠାରୁ ଅଧିକ ଭଲ ପାଇ ପାରିବାଲାଗି ମଣିଷକୁ ଯେପରି ଅସହାୟ ଭାବରେ ଗୋଟାଏ ଗୋଟାଏ ଯନ୍ତ୍ରରେ ପରିଣତ ହୋଇଯିବାକୁ ପଡ଼େ ଓ କେବଳ ଆପାଣାଟିକୁ ଛାଡ଼ିଦେଲେ ଆଉ ସବୁକିଛି ଲାଗି ଆଖି ବୁଜିଦେବାକୁ ପଡ଼େ, ସେହି ଅସହାୟତାକୁ ଜିତି ପାରିବାକୁ ହେଲେ ମଣିଷର ସବାଆଗ ଏକ ସମ୍ମାନବୋଧ ରହିଥିବା ଦରକାର । ଏହି ସମ୍ମାନବୋଧ ଆମର କର୍ତ୍ତାମାନଙ୍କୁ କିଏ ଆଣିଦେବ ?

 

୯ । ୪ । ୮୨

 

ମୁଁ ଖୁସି ହୋଇ ତାଙ୍କୁ ପଚାରିଲି, ‘‘ଆପଣ ଏବେ କ’ଣ ଲେଖାଲେଖି କରୁଛନ୍ତି ?’’ ସିଏ ଫଁ କରି ଉତ୍ତର ଦେଲେ, ‘‘ଲେଖିବି କାହିଁକି, ଲେଖିଲେ ଲାଭ କ’ଣ ହେବ, କାହାପାଇଁ ଲେଖିବି ?’’ ସେହି ଫଅଁଟା ଯେ ମୋ’ଲାଗି ଉଦ୍ଦିଷ୍ଟ ହୋଇଥିଲା, ସେକଥା ମୋଟେ ନୁହେଁ । ଫଅଁଟା ଯେ ସାହିତ୍ୟ ଲାଗି ଉଦ୍ଦିଷ୍ଟ ଥିଲା; ସେକଥା ମଧ୍ୟ ନୁହେଁ । ତାହା ଖୁବ୍‍ ସମ୍ଭବ ତାଙ୍କ ନିଦଲାଗି ହିଁ ଉଦ୍ଦିଷ୍ଟ ହୋଇ ରହିଥିଲା । ସିଏ ସାହିତ୍ୟ ଲେଖି, ଅର୍ଥାତ୍‍ ସାହିତ୍ୟ ପାଇଁ ସମୟ ଦେଇ ତା’ ବଦଳରେ ପ୍ରକୃତରେ କ’ଣ ପାଇବାକୁ ଯେ ଆଶା କରୁଥିଲେ ସେକଥା ସେଇ ଜାଣନ୍ତି । ସେହି କଥାଟିକୁ ସିଏ ହୁଏତ ପାଇ ପାରିଲେନାହିଁ ବୋଲି ନିଜ ଉପରେ ତାଙ୍କର ଏତେ ରାଗ ଏବଂ ତେଣୁ ସଂସାର ବିରୁଦ୍ଧରେ ତାଙ୍କର ଏତେ ଅଭିମାନ ଓ ଅଭିଯୋଗ । ମଣିଷର ଭିତରଟା ଯେତେବେଳେ ସବୁଜ ଥାଏ, ରସବନ୍ତ ଥାଏ, —ଯେତେବେଳେ ସକଳ ବାସନା ଉପରେ ସହୃଦୟ ବନ୍ଧୁଟିଏ ହିଁ ସବୁଠାରୁ ଅଧିକ ସ୍ୱୀକୃତି ଲାଭ କରି ବସି ରହିଥାଏ, ସେତେବେଳେ, ସାହିତ୍ୟ ଲେଖିଲେ କ’ଣ ଲାଭ ହେବ ବା କାହାପାଇଁ ସାହିତ୍ୟ ଲେଖିବି ବୋଲି କହି କଦାପି ପ୍ରଶ୍ନ କରନ୍ତିନାହିଁ । ସେତେବେଳେ ଅସଲ ଲାଭଘରଟି ସହିତ ସୂତ୍ରଟି ଲାଗିଥାଏ ବୋଲି ଅନ୍ୟାନ୍ୟ ଲାଭ କଥା ମୋଟେ ମନେ ପଡ଼େନାହିଁ ।

 

ସେହି ସୂତ୍ରଟି ଛିଡ଼ି ଆସିବାକୁ ଆରମ୍ଭ କଲେ ହିଁ ଜରାଗ୍ରସ୍ତ ହେବାକୁ ହୁଏ, କେତେ ପ୍ରକାରର ବୈରାଗ୍ୟ ଆସି ଆପଣା ଜୀବନର ଯାବତୀୟ ଦର୍ଶନ ଏବଂ ସ୍ପର୍ଶନକୁ ସତେଅବା ନିରର୍ଥକ ବୋଲି ଦେଖାଇ ଦେବାକୁ ଚେଷ୍ଟା କରେ । ସେତିକିବେଳେ ଦୁଃଖଗୁଡ଼ାକ ଫଅଁରେ ପରିଣତ ହୁଅନ୍ତି । ସମ୍ଭବତଃ ସେତିକିବେଳେ ଆପଣା ବ୍ୟତୀତ ସଂସାରଯାକରେ ଆଉ କେହିହେଲେ ଦିଶନ୍ତି ନାହିଁ । ଏହି ଯୁଗ ପରେ ଆଉ ବି ଯୁଗ ରହିଛି, ଚାରିପାଖରେ ଏହି ଧୂଳିଗୁଡ଼ାକ ଉପରେ ଗୋଟାଏ ଆକାଶ ରହିଛି ବୋଲି ମୋଟେ ଅନୁଭବ ହୁଏନାହିଁ ।

 

୧୦ । ୪ । ୮୨

 

ଜୀବନରୁ ଅବସର ନେବା ପୂର୍ବରୁ ଆମ ନେତାମାନେ କେବେହେଲେ ରାଜନୀତିରୁ ଅବସର ନେବାକୁ ଇଚ୍ଛା କରୁନାହାନ୍ତି । ରାଜନୀତି କହିଲେ ଯଦି ସେମାନେ ଦେଶ ପାଇଁ, ସମାଜ ପାଇଁ ଆପଣାର ସବୁ ଶକ୍ତି ଓ ସମୟ ଦେଇ କାର୍ଯ୍ୟ କରିବାକୁ ବୁଝୁ ଥାଆନ୍ତେ, ତେବେ ଆମ ନେତାମାନଙ୍କୁ ପ୍ରକୃତରେ କେଡ଼େ କେଡ଼େ ମହାନ ବ୍ୟକ୍ତି ବୋଲି କୁହାଯାଇ ପାରୁଥାନ୍ତା । ମାତ୍ର, ରାଜନୀତି କହିଲେ ଏମାନେ ପ୍ରାୟ ସମସ୍ତେ ନିଜେ ସର୍ବୋଚ୍ଚ କ୍ଷମତାରେ ଯାଇ ରହିବାକୁ ହିଁ ବୁଝୁଛନ୍ତି । ଥରେ ମଣିଷମାଂସ ଖାଇଲେ ବାଘମାନେ କୁଆଡ଼େ ଆଉ ଅନ୍ୟ କୌଣସି ମାଂସ ଖାଇବାକୁ ମୋଟେ ଭଲ ପାଆନ୍ତିନାହିଁ । ସ୍ୱାଧୀନତା ପରେ କ୍ଷମତାକାମୀ ନେତାମାନେ ସମ୍ଭବତଃ ଖାଲି ମଣିଷମାଂସ ହିଁ ଚାଖି ଆସିଛନ୍ତି । ତେଣୁ, ରାଜନୀତିରୁ ବାହାରି ଆଉକୁଆଡ଼େ ଯିବାକୁ ମୋଟେ ମନ କରୁନାହାନ୍ତି ।

 

ଯେଉଁ ମଣିଷମାନେ ପ୍ରଧାନତଃ ସିଂହାସନଗୁଡ଼ାକ ଲାଗି ବଞ୍ଚନ୍ତି, ସେମାନଙ୍କ ନିଜ ଭିତରର ସିଂହାସନଟିରେ ବୋଧହୁଏ ଆଦୌ କେହି ବସିନଥିବେ । ଭିତରେ କୁଆ ଉଡ଼ିଲେ ମଣିଷ ବାହାରେ ସମ୍ଭବତଃ ଠିକ୍‍ ଏହିମାନଙ୍କ ପରି ହିଁ କାଙ୍ଗାଳ ହୋଇଥାଏ, ଉଗ୍ର ହୋଇଥାଏ ଏବଂ ନିର୍ଲଜ୍ଜ ହୋଇଥାଏ । ମଣିଷ, ଅର୍ଥାତ୍‍ ସୁସ୍ଥ ମଣିଷ, ସେଇଠି ନିଜଭିତରେ ରହିଥିବା ସିଂହାସନଟି ଉପରେ ଯାହାକୁ ନେଇ ବସାଇଥାଏ, ତାହାରି ନିର୍ଦ୍ଦେଶ ଅନୁସାରେ ହିଁ ବାହାରେ ନିଜକୁ ନାନାକ୍ଷେତ୍ରରେ ପ୍ରବୃତ କରେ । ତେବେଯାଇ ସେ ବାହାରେ ମଧ୍ୟ ସୁସ୍ଥତାର କାରଣ ହୁଏ । ମାତ୍ର, ଯିଏ ଭିତରେ କେବେହେଲେ କାହାକୁ ନେଇ ବସାଇବାର ଚେଷ୍ଟା କରିନାହିଁ, ସିଏ ବାହାରେ ଆତୁରଙ୍କ ପରି ଯାହାକିଛି କରେ, ତଦ୍ଦ୍ୱାରା କେବଳ ପ୍ରମାଦର ହିଁ ସଂକ୍ରମଣ ହୁଏ, ଅସୁସ୍ଥତାର ସଂକ୍ରମଣ ହୁଏ ।

 

୧୧ । ୪ । ୮୨

 

ପରସ୍ତ ପରସ୍ତ ପାରି ହେବା, —ତାହାହିଁ ଜୀବନ । ପାରିହେବାକୁ ମନ କରିବ, ଆଉଗାଟାଏ ଗଣ୍ଠି ପକାଇବା ଲାଗି ଏହି ଗଣ୍ଠିଟିକୁ ଫିଟାଇବା, —ତାହା ହିଁ ମରଣ । ସେହି ମରଣ ବାଟ କାଢ଼ିନିଏ, ବାଟ ଦେଖାଇନିଏ । ଏ ପାହାଚଟି ଯେପରି ଆର ପାହାଚଟି ଆଡ଼କୁ ହାତ ଧରି ଉଠାଇ ନେଇଯାଏ, ଠିକ୍‍ ସେହିପରି । ଅନେକ ମରଣ, ତେଣୁ ଅନେକ ଜୀବନ ।

 

ଆମେ ଯେଉଁମାନେ ମରି ଶିଖିଲୁନାହିଁ, ସେହିମାନେ ହିଁ ପ୍ରକୃତରେ ମରଣର ପ୍ରତୀକ ହୋଇ ରହିଲୁ, —ନାନା ଅସୁନ୍ଦରତର ବାହକ ହୋଇ ରହିଲୁ । ଆମେ ଏହି ସଂସାରଟାକୁ ବଡ଼ ଅବର୍ଜିଆ କରି ରଖିଲୁ । ଏଠି ଆମେ ହିଁ ସତେଅବା ସାରା ପୃଥିବୀର ସବୁଯାକ ମଣିଷକୁ ଓ ସବୁଯାକ ସମ୍ପତ୍ତିକୁ ଭୋଗିବାଲାଗି ଜିଦ୍‍ ଧରି ରହିଲୁ ଓ ତେଣୁ ଜୀବନଟାକୁ ସତେଅବା ଏକ ଜୁଗ୍‍ପସାରେ ପରିଣତ କରି ରଖିଲୁ । ଲୁଚି ରହିବାଟା ଯଦି ଆଧୁନିକତା ହୋଇଥାନ୍ତା, ତେବେ ଏମେ କୋଉଦିନୁଁ ଆଧୁନିକ ପୃଥିବୀଲାଗି ଯୋଗ୍ୟ ହୋଇ ସାରନ୍ତୁଣି । ଭାରତବର୍ଷ ଏପରି ଏକ ଦେଶ, ଯେଉଁଠାରେ ବି ବୁଢ଼ାମାନେ, ନଷ୍ଟବୀର୍ଯ୍ୟମାନେ ହିଁ ସବୁଠାରୁ ଅଧିକ କୃପଣ ହୁଅନ୍ତି ସବୁଠାରୁ ଅଧିକ ପ୍ରଚଣ୍ଡ ହୁଅନ୍ତି, —ଭିକ୍ଷୁକୁ ବ୍ରହ୍ମଚାରୀ କହି ଗୌରବ ଦେଇ ତା’ ପାଇଁ ଆସିଥିବା ସମ୍ପତ୍ତିକୁ ଭୋଗ କରିବାଲାଗି ମନ କରନ୍ତି । ନିଜେ କିଛିହେଲେ ଛାଡ଼ନ୍ତି ନାହିଁ । ଆପଣା ଭିତରେ ସକଳ ପାହାଚଉଠାକୁ ଅତ୍ୟନ୍ତ ନିର୍ମମ ଭାବରେ ଅଟକାଇ ରଖିଥାନ୍ତି । ଏମାନଙ୍କୁ ଦେଖିଲେ ମନେହୁଏ, ଏମାନେ ନିଜ ଭିତରକୁ କେବେହେଲେ ପଶି ପାରିନାହାନ୍ତି । ନିଜ ଭିତରକୁ କେବେହେଲେ ବାଟ ପାଇନାହାନ୍ତି । ସେଇଥିଲାଗି ବାହାରେ ଏପରି ଭାବରେ ହିଂସୁକ ହୋଇ ରହିଛନ୍ତି । ଏମାନେ ଆପଣା ପାଖରେ ଆପଣାକୁ କେବେହେଲେ ଦେଇନାହାନ୍ତି । ସେଇଥିଲାଗି କ୍ଷମତାଗୁଡ଼ାକୁ ହିଁ ସାର୍ଥକତା ବୋଲି ଭ୍ରମ କରୁଛନ୍ତି । ଏମାନଙ୍କୁ ବୁଦ୍ଧି ଦେବାଲାଗି ପିଲାମାନେ କେବେ ସଂକଳ୍ପ କରି ବାହାରିବେ କେଜାଣି ?

 

୧୨ । ୪ । ୮୨

 

ବାହାର ସଂସାରରେ ଯେଉଁପରି ଏକ ବାସ୍ତବତା ରହିଛି, ଆମ ପ୍ରତ୍ୟେକଙ୍କ ଭିତରେ ଆପଣାର ନାନା ଅନ୍ତରର୍ବଗ ଓ ଅନ୍ତକ୍ଷୁଧାକୁ ନେଇ ମଧ୍ୟ ଠିକ୍‍ ସେହିପରି ଏକ ବାସ୍ତବତା ରହିଛି । ବାହାର ସହିତ ଭିତରର ଅନେକ ସମୟରେ ଆଦୌ କୌଣସି ସଙ୍ଗତି ରହୁନାହିଁ । ତେଣୁ, ଭିତର ପାଖରେ ବାହାରଟା ପ୍ରାୟ-ଅସ୍ଵୀକୃତ ଓ ତେଣୁ ନିର୍ବାସିତ ହୋଇ ରହିଛି ଓ ବାହାର ପାଖରେ ଭିତରଟା ମଧ୍ୟ ଅବଦମିତ ହୋଇ ରହିଛି । ଆମ ଜୀବନର ଅନେକ ଜୁଗୁପ୍‍ସା ସେଇଥିରୁ ହିଁ ଜନ୍ମଲାଭ କରୁଛି ।

 

ଏହି ସବୁକିଛିର ଆହୁରି ତଳକୁ ହୃଦୟ ରହିଛି ଏବଂ ଆମ ବାହାର ଏବଂ ଭିତର ଦୁଇଟିଯାକକୁ ଗୋଟିଏ ସମଗ୍ରରେ ସମ୍ଭାରି ଧରିବା ସକାଶେ ସେହି ହୃଦୟ ପାଖରେ ହିଁ ଆବଶ୍ୟକ ସାମଗ୍ରୀ ରହିଛି । ଆମେ ସେହି ହୃଦୟକୁ କବାଟ କିଳି ରଖିଛୁ । ଆମ ହୃଦୟ ଆମର ଚତୁରତାଗୁଡ଼ାକୁ ଧରା ପକାଇଦେବ ବୋଲି ହୁଏତ ଆମେ ତାକୁ କବାଟ କିଳି ରଖିଛୁ । ତେଣୁ, ବିକଳ୍ପରୂପେ କେତେଗୁଡ଼ାଏ ଉଗ୍ର ଭାବପ୍ରବଣତାକୁ ହିଁ ଆମ ଜୀବନର ସାର କରି ରଖିଛୁ । ଭାବପ୍ରବଣତା ଅର୍ଥାତ୍‍ ଭାବର ଅଭାବ । ହୃଦୟଟି କୋଉ ତଳେ ଅପଚରା ହୋଇ ରହିଛି ବୋଲି ଆମେ ନିଜ ଭିତରେ ମଧ୍ୟ କେଡ଼େ ବିଭକ୍ତ ହୋଇ ରହିଛୁ । ଭାଙ୍ଗିବାକୁ ପ୍ରବଳ ତାଡ଼ନା କରିବାରେ ଲାଗିଥିବା ମିଛ କେତେ କେତେ ବନ୍ଧକୁ ଆମେ କେତେ ଅପଶକ୍ତିର ପ୍ରଚଣ୍ଡତା ଦେଇ ବାନ୍ଧି ରଖିବାରେ ଲାଗିଛୁ । ତେଣୁ, ଜୀବନକୁ ଏକ ସନ୍ତୋପ ବୋଲି ହିଁ ଅଙ୍ଗେ ନିଭାଉଛୁ । ଜୀବନ ଯେ ଆନନ୍ଦରେ ପରିଣତ ହୋଇପାରେ, ଅର୍ଥାତ୍‍, ଏକ ଆତ୍ମୀୟତା ଓ ନିର୍ଭୟତାରେ ପରିଣତ ହୋଇପାରେ, ସେହି କଥାଟିକୁ ଥରେ ଭାବିବାକୁ ହିଁ ଆମକୁ ଭୟ ଲାଗୁଛି । ଆମ ହୃଦୟକୁ ବାଟ ଛାଡ଼ିଦେଲେ ଆମ ବାହାର ଆଉ ଭିତର ମଧ୍ୟରେ ଏକ ଯଥାର୍ଥ ସମାଧାନ ସମ୍ଭବ ହୁଅନ୍ତା, —ଅର୍ଥାତ୍‍, ଜୀବନ ସହିତ ଏକ ଯଥାର୍ଥ ମିତ୍ରତା ସମ୍ଭବ ହୁଅନ୍ତା । ତା’ପରେ ଯାଇ ଆମ ଭିତରର ଅସଲ ବନ୍ଧୁଟି ବାହାରେ ଥିବା ବୃହତ୍ତର ଜୀବନଟି ସହିତ ପ୍ରକୃତ ସଖ୍ୟ ସ୍ଥାପନ କରି ପାରନ୍ତା ।

 

୧୩ । ୪ । ୮୨

 

ଉଦବୋଧକ ଉଦବୋଧନ ଦେଇ କହିଲେ ଯେ, କୌଣସି ଜାତି, ଦେଶ ଓ ସମାଜର ଜଗତକୁ ସର୍ବଶ୍ରେଷ୍ଠ ଦାନ ହେଉଛି ତାର ସାହିତ୍ୟ । ମୁଁ ତ ହୁଏତ ଠିକ୍‍ ଓଲଟା କଥାଟାକୁ ହିଁ ଅଧିକ ସତ୍ୟ ବୋଲି କହିବି । ମୁଁ କହିବି, କୌଣସି ଜାତି, ଦେଶ ଓ ସମାଜକୁ ଯଥାର୍ଥରେ ଏକ ଜାତି, ଦେଶ ଓ ସାମାଜରୂପେ ଗଢ଼ିବାର ପ୍ରୟାସରେ ସାହିତ୍ୟ ହେଉଛି ଏକ ଶକ୍ତିଶାଳୀ ସାଧନ । କାରଣ; ଯେକୌଣସି ଜାତି, ଦେଶ ଓ ସମାଜର ଜଗତକୁ ତା’ର ସର୍ବଶ୍ରେଷ୍ଠ ଦାନ ହେଉଛି ତାର ମଣିଷ, —ନିର୍ଭୀକ ମଣିଷ, ସହଜ ମଣିଷ ଏବଂ ଆଦର୍ଶଯୁକ୍ତ ମଣିଷ । ଏହିପରି ମଣିଷ ଗଢ଼ିବା ଦିଗରେ ଯେକୌଣସି ଦେଶରେ ସାହିତ୍ୟ ଇଚ୍ଛା କଲେ ଅନେକ ସହାୟତା କରିପାରିବ ।

 

ଅନେକ କ୍ଷେତ୍ରରେ ସାହିତ୍ୟ ଏହି କଥାଟିକୁ ମୋଟେ କରେନାହିଁ । ସାହିତ୍ୟ ଭୁଲିବାରେ ସାହାଯ୍ୟ କରେ । ପଳାଇ ଯିବାରେ ସାହାଯ୍ୟ କରେ, ଓ ନିର୍ମମ ହେବାରେ ସାହାଯ୍ୟ କରେ । ସେତେବେଳେ ଲେଖା ହେଉଥିବା ବହିଗୁଡ଼ାକ ହିଁ ଭାରି ଖୁସିରେ ସାହିତ୍ୟ ବୋଲି କୁହାଯାଏ ଏବଂ ତାହାକୁ ନେଇ କେତେକ ଲୋକ ଭାରି ଖୁସି ହୋଇ ଗୋଟିଏ ସୁସଜ୍ଜିତ ଘରେ ବନ୍ଦ ହୋଇ ରହିଥାନ୍ତି ଏବଂ ସାହିତ୍ୟକୁ ହିଁ ଭୋଜ୍ୟରୂପେ ବ୍ୟବହାର କରିବାରେ ଲାଗିଥାନ୍ତି । ଏହା ସଂସ୍କୃତ ନୁହେଁ, ଏହା ବ୍ୟାଧି । ସେହି ବ୍ୟାଧିରୁ ମୁକ୍ତ ହେଲେ ଯାଇ ସାହିତ୍ୟ ମଣିଷଲାଗି ପ୍ରକୃତରେ କିଛି କାର୍ଯ୍ୟ କରି ପାରିବ; —କ୍ରମଶଃ ଭାରି ଭୀରୁ ହୋଇ ଯାଉଥିବା ଆମର ଏହି ସଂସାରରେ ଅଧିକ ସାହସ, ଅର୍ଥାତ୍‍ ଅଧିକ ବିଶ୍ୱାସ ଓ ତେଣୁ ଅଧିକ ଆତ୍ମୀୟତା ଆଣିଦେବାରେ ସହାୟକ ହୋଇପାରିବ । ଏକ ମୂଳଭୂତ ଅବିଶ୍ୱାସ ହେତୁ ହିଁ ଆମର ଅନେକ ସାହିତ୍ୟକ ଅଧିକତର କ୍ଷେତ୍ରରେ ମଣିଷ ଅପେକ୍ଷା ପ୍ରତିଷ୍ଠାକୁ ହିଁ ଅଧିକ ପରିମାଣରେ ଲୋଡ଼ୁଛନ୍ତି । ସେମାନେ ଆମ ଚାରିପାଖରେ ରହିଥିବା ଅନ୍ଧାରଗୁଡ଼ାକୁ ଆହୁରି ଅଧିକ ଗାଢ଼ କରିବାରେ ଲାଗିଛନ୍ତି । ସେମାନେ ନିଜେ ବି ମରି ମରି ଯାଉଛନ୍ତି ।

 

୧୪ । ୪ । ୮୨

 

ଧର୍ମ ବିଷୟରେ କାଲି ଯେଉଁମାନେ କେତେ କେତେ ଉତ୍ସାହରେ କେଡ଼େ ଗଲଦ୍‍ ଘର୍ମ ହୋଇ କହି ଯାଉଥିଲେ, ସେମାନଙ୍କ ଭିତରେ ହୁଏତ ଏତେ ଟିକିଏହେଲେ ଧର୍ମଚେତନା ନ ଥିଲା । ଅଥଚ, ପ୍ରଥମତଃ ଧର୍ମଚେତନା ବିଷୟରେ ହିଁ ସେମାନଙ୍କୁ କହିବାଲାଗି ଅନୁରୋଧ କରାଯାଇଥିଲା-

 

ସେମାନଙ୍କ ମଧ୍ୟରୁ ଯେଉଁ ଚେତନାଟି କଥା କହୁଥିଲା, ତାହା ସତେଯେପରି ଏକାବେଳେକେ ଏକ ଅନ୍ୟ ଚେତନା । ସେଇଟା ହେଉଛି, ମୁଁ କେତେ ଜାଣିଛି, କେତେ ଆୟତ୍ତ କରିଛି, ସେଇଟାକୁ ହିଁ ଅଧିକରୁ ଅଧିକ ପ୍ରତାପ ସହିତ ଦେଖାଇ ହେବାର ଚେତନା । ଏବଂ ଗୋଟାଏ ଦୃଷ୍ଟିରୁ ବିଚାର କଲେ, ସେଇଟା ହେଉଛି ପ୍ରାୟ ଗୋଟାସୁଦ୍ଧା ଅଧର୍ମର ହିଁ ଚେତନା । ଭିତରେ ଅସଲ ଧର୍ମର ଚେତନା ଯେତିକି ଯେତିକି ଭୂଇଁଟିଏ ପାଇଥିବ, ସେତିକି ଅଧିକ ପରିମାଣରେ ହିଁ ଦେଖାଇ ହେବାର ପ୍ରବୃତ୍ତି କମି କମି ଯାଉଥିବ । କେବଳ ମସ୍ତିଷ୍କଟା ନୁହେଁ, ହୃଦୟଟା ମଧ୍ୟ ଅନୁଭବ କରି ପାରୁଥିବ ଓ ତେଣୁ କଥା କହି ପାରୁଥିବ । ଆପଣାର କଥାରେ ବିନୟ ପୂରି ରହିଥିବ, ଗ୍ରହଣଶୀଳତା ପୂରି ରହିଥିବ । ଆପଣାର ବକ୍ତବ୍ୟଟା ଦ୍ୱାରା ସମସ୍ତଙ୍କୁ ଅବିର ପକାଇ ଅନ୍ଧ କରିଦେବା ପରିବର୍ତ୍ତେ ତାହା ସମସ୍ତଙ୍କର ସଖ୍ୟ ଲୋଡ଼ୁଥିବ । ତେବେଯାଇ ଚେତନାର କଥା କହିହେବ । ସଂସାର ଭିତରେ ସାହିତ୍ୟ ବୋଲି ଯେଉଁ ବସ୍ତୁଟି ରହିଛି ଓ ତାହା ନାନାପ୍ରକାର ଚେତନା ଦ୍ୱାରା ଯେପରି ପରିଚାଳିତ ଏବଂ ପରିପ୍ରେରିତ ହେବାରେ ଲାଗିଛି, —ଯିଏ ତାକୁ ପ୍ରକୃତରେ ଆପଣାର ଚେତନା ଦେଇ ଅଙ୍ଗେ ନିଭାଇଥିବ, ସିଏ କଥା କହିଲାବେଳେ ନିଶ୍ଚୟ ଆଉପ୍ରକାରେ ହେବ, ଅନ୍ତତଃ ଏଭଳି କଦାପି ହେବନାହିଁ । ସିଏ ଚେତନାର ବଢ଼ିବାରେ ସାହାଯ୍ୟ କରିବ, କୋଳାହଳ ବଢ଼ାଇବାକୁ ମୋଟେ କୌଣସି ଉତ୍ସାହ ଦେଖାଇବ ନାହିଁ ।

 

୧୫ । ୪ । ୮୨

 

ସାହିତ୍ୟ ଭିତରେ ଜୀବନକୁ ଦେଖି ପାରିବା ଉଚିତ । କିଏ କେଡ଼େ ଛଦ୍ରମ ଓ ସୁନ୍ଦର କରି ଆପଣାର ସହିତ୍ୟ ମଧ୍ୟଦେଇ ଜୀବନର ବର୍ଣ୍ଣନା କରି ପାରିଛି, ସେଥିରୁ ନୁହେଁ, ମାତ୍ର ଆପଣାର ସାହିତ୍ୟ ଦ୍ୱାରା କିଏ ଜୀବନରେ କେତେ ଗଭୀରକୁ ଯାଇ ପାରିଛି, ଆପଣାକୁ ଏହି ସମଗ୍ରଟି ସହିତ ଯଥାର୍ଥରେ ସଂଯୁକ୍ତ ଓ ଏକାତ୍ମ କରିଦେଇ ପାରିଛି, ଜୀବନ ପାଖକୁ ଆସି କିଏ କେତେ ପରିମାଣରେ ଆପଣାର କୃତ୍ରିମତା ଓ ଭୀରୁତାଗୁଡ଼ିକୁ ପରିହାସ କରି ପାରିଛି, ସେଇଥିରୁ ହିଁ ସାହିତ୍ୟର ବିଚାର ହୋଇ ପାରିବା ଉଚିତ ।

 

ସମସ୍ତେ ଗୋଟାଏ କାରଣରୁ ହିଁ କଦାପି ସାହିତ୍ୟକୁ ଲୋଡ଼ନ୍ତି ନାହିଁ । କିଏ ଯଥାର୍ଥରେ ଜୀବନକୁ ଲୋଡ଼େ ବୋଲି ସାହିତ୍ୟକୁ ଲୋଡ଼େ । ଆଉକିଏ ଜୀବନକୁ ଭଲ ପାଏନାହିଁ ବୋଲି ସାହିତ୍ୟକୁ ଲୋଡ଼େ । ଆଉ କିଏ କିଏ ଜୀବନ ଅପେକ୍ଷା ସାହିତ୍ୟକୁ ହିଁ ଅଧିକ ଲୋଡ଼ନ୍ତି । ଏମାନେ କଦାପି ଏକା ସାହିତ୍ୟ ଳେଖନ୍ତି ନାହିଁ । ଏମାନଙ୍କ ଭିତରୁ କେହି ସାହିତ୍ୟକୁ ନେଇ ଆପଣାର ଗାତଟି ଭିତରକୁ ପଳାନ୍ତି, ଆଉ କେହି ସାହିତ୍ୟକୁ ଗୋଟାଏ ଏଡ଼େବଡ଼ ଆସନ ତିଆରି କରି ତାହାରି ଉପରେ ଯାଇ ବସନ୍ତି । ସେହି ଆସନଟାକୁ ହିଁ ସାହିତ୍ୟର ଅସଲ ପ୍ରାମାଣିକତା ବୋଲି ମଣନ୍ତି । ଏମାନେ ସମସ୍ତେ ସାହିତ୍ୟ ଲେଖନ୍ତି, ତଥାପି ଏମାନଙ୍କର ସାହିତ୍ୟ କଦାପି ସମାନ ନୁହେଁ-। ଆହୁରି ଅନେକ ଜୀବନକୁ ଡରନ୍ତି । ଆପଣାକୁ ନେଇ ସତେଅବା କୋଉ ସାତ ସନ୍ଧିରେ ଲୁଚାଇ ରଖିଥାନ୍ତି । ଗୋଟାଏ ପ୍ରକାରର ଅତିଗ୍ଳାନିକର ଅହଙ୍କାର ଏମାନଙ୍କୁ କାହାରି ପାଖ ଧରାଇ ଦେଉ ନଥାଏ । ଏମାନେ ବି ଲେଖନ୍ତି । ଏମାନେ ବି ପ୍ରେମ କରନ୍ତି ବୋଲି କେତେ ଶୈଳୀରେ ପ୍ରମାଣ କରି ବାହାରିଥାନ୍ତି । ଏମାନେ କେବଳ ନିଜକୁ ଭଲ ପାଉଥାନ୍ତି । ଆପଣାର କଲିଜାଟା ହିଁ ସବୁଠାରୁ ସୁଆଦ ବୋଲି ଏମାନେ କେଡ଼େ ଭ୍ରମ କରି ରହିଥାନ୍ତି । ଓ କେଡ଼େ ଢମ କରୁଥାନ୍ତି । ଏମାନଙ୍କର ସାହିତ୍ୟ ଭିତରୁ ଜୀବନକୁ ନୁହେଁ, ସବାଆଗ ସେହିମାନଙ୍କୁ ହିଁ ଦେଖିପାରିବା ଉଚିତ ।

 

୧୬ । ୪ । ୮୨

 

ସେଦିନ ବକ୍ତା ମସୀ ଅସି ହେଉ ବୋଲି କହି ସାହିତ୍ୟକୁ ଆଶୀର୍ବାଦ ପ୍ରଦାନ କରିଥିଲେ-। ଜଣେ ସାହିତ୍ୟକର ମସୀ ଅସିପରି କାର୍ଯ୍ୟ କରିପାରିବ କି ନାହିଁ; ତାହା ମୁଖ୍ୟତଃ ସେହି ସାହିତ୍ୟକର ସମ୍ମତି ଏବଂ ଆଗ୍ରହ ଉପରେ ନିର୍ଭର କରିବ, ତା’ ଜୀବନର ଅନ୍ତର୍ଗତ ଅଙ୍ଗୀକାରଟି ଉପରେ ପୂର୍ଣ୍ଣମାତ୍ରାରେ ନିର୍ଭର କରିବ ।

 

ମାତ୍ର, ସେଥିଲାଗି ସାହିତ୍ୟକ ତା’ ଜୀବନକୁ ଅବିଭକ୍ତି ଗୋଟାଏ ଜୀବନ ବଞ୍ଚି ପାରୁଥିବା ଉଚିତ । ସାହିତ୍ୟ ବାହାରେ ତା’ ଜୀବନ ଓ ସାହିତ୍ୟ ଭିତରେ ତାର ସ୍ୱପ୍ନ, —ଏହି ଦୁଇଟି ମଧ୍ୟରେ ଆଦୌ କୌଣସି ଅସଙ୍ଗତ କିମ୍ବା ବିରୋଧ ରହିବା ମୋଟେ ଉଚିତ ନୁହେଁ । ତା’ର ସାହିତ୍ୟ ଭିତରେ ମଣିଷ ହିଁ ସବା ମଝିରେ ବସି ପାରୁଥିବା ଉଚିତ । ମଣିଷକୁ ବାଦ୍‍ ଦେଇ ଯଦି ତା’ ସାହିତ୍ୟ ଆଉ କେଉଁ ଅନ୍ୟ ଭାବପ୍ରବଣତାର ପଥରେ ପଳାଇ ଯିବାକୁ ମନ କରୁଥାଏ, ତେବେ ସେହି ସାହିତ୍ୟ କଦାପି ଅସି ପରି କାର୍ଯ୍ୟ କରି ପାରିବନାହିଁ । ତାହା ସମାଜରେ କେତେକଙ୍କର ମନୋରଞ୍ଜନ କରିବ, ଲେଖୁଥିବା ଲୋକକୁ ଯଶ ଆଣିଦେବ ଏବଂ ମଣ୍ଡନଗୁଡ଼ାକୁ ଆହୁରି ମଣ୍ଡିତ କରି ରଖିବ ସତ, ମାତ୍ର, ଅବର୍ଜିଆଗୁଡ଼ାକ ପାଖରେ ତଥାପି ଭାରି ଅସମର୍ଥ ହୋଇ ରହିଥିବ । ହୁଏତ ଏହି ଅବର୍ଜିଆଗୁଡ଼ାକ ଉପରେ ହିଁ ଯେକୌଣସି ପ୍ରକାରେ ସୁନ୍ଦର ହୋଇ ଦିଶିବାକୁ ଚେଷ୍ଟା କରୁଥିବ । ଅସି ହେବାକୁ ହେଲେ ସାହିତ୍ୟକୁ ସାଧୁ ହେବାକୁ ପଡ଼ିବ, —ଅର୍ଥାତ୍‍ ନିଜ ସହିତ ଓ ଜୀବନ ସହିତ ଲାଗିଥିବା ଆପଣାର ଡୋରଗୁଡ଼ିକ ପାଖରେ ସାଧୁ ହିଁ ହେବାକୁ ହେବ । ଅଭିନୟଗୁଡ଼ାକୁ, ଦରବାରଗୁଡ଼ାକୁ ଛାଡ଼ି ଆସିବାକୁ ପଡ଼ିବ । ତେବେଯାଇ ହେବ ।

 

୧୭ । ୪ । ୮୨

 

ସାହିତ୍ୟ ବିଷୟରେ ଆମର ଦୃଷ୍ଟିଭାବପ୍ରବଣତାମୂଳକ ନହୋଇ ମୁଖ୍ୟତଃ ସମୀକ୍ଷାମୂଳକ ହୋଇପାରିବା ଉଚିତ । ଆମ ଭିତରେ ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ନିଜକୁ ଅନ୍ୟ ସମସ୍ତଙ୍କ ଠାରୁ ଅଧିକ ବୋଲି ଶୁଣିଲେ ଭାରି ଖୁସି ଅନୁଭବ କରନ୍ତି । ବ୍ୟକ୍ତିଗତ ଭାବରେ ଯେଉଁମାନେ ଏହିପରି ଆପଣାର ପ୍ରଶଂସାଗୁଡ଼ାକୁ ହିଁ ଶୁଣିବାକୁ ଭଲ ପାଆନ୍ତି, ସାମୂହିକ ଭାବରେ ସେମାନେ ନିଜର ସାହିତ୍ୟ, ନିଜର ଜାତି ଓ ନିଜର ସଂସ୍କୃତି ବିଷୟରେ ମଧ୍ୟ ଠିକ୍‍ ସେହିକଥା ଶୁଣିବାକୁ ଇଚ୍ଛା କରନ୍ତି । ଏଗୁଡ଼ାକୁ ଶୁଣୁଥିବା ପର୍ଯ୍ୟନ୍ତ ସେମାନଙ୍କର ବିବେକ ଆପଣା ଭିତରେ ହୁଏତ କୌଣସି ଦଂଶନ ହିଁ ଅନୁଭବ କରେନାହିଁ । ନିଜ ବିବେକକୁ ଶୁଆଇ ପକାଇ ସେମାନେ ଏକ ବିକୃତ ନିଷ୍କ୍ରିୟତା ଭିତରେ ହିଁ ବାନ୍ଧିବୁନ୍ଧି ହୋଇ ରହି ଥାଆନ୍ତି । ଗତି ନଥିଲେ ମଧ୍ୟ ଯଥେଷ୍ଟ ଗତି ରହିଛି ବୋଲି ମନେ ହେଉଥାଏ ।

 

ସାହିତ୍ୟ ବିଷୟରେ ଆମର ଧାରଣାଗୁଡ଼ାକ ସେହି ଊନବିଂଶ ଶତାବ୍ଦୀର ମଡ଼େଲଗୁଡ଼ାକ ଦ୍ୱାରା ଏବେ ମଧ୍ୟ ନିୟନ୍ତ୍ରିତ ହେଉଛି । ସାହିତ୍ୟ କହିଲେ ସବାଆଗ ଯେ ମଣିଷମାନଙ୍କୁ ବୁଝାଏ ଏବଂ ସେହି ମଣିଷମାନଙ୍କ ଲାଗି ଏକ ଉଚିତ ସମାଜ ଓ ପରିବେଶ ସୃଷ୍ଟି କରିବାରେ ଯେ ସାହିତ୍ୟର ଏକ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ଓ ଭୂମିକା ରହିଛି, ସେକଥା ଆମଭିତରୁ ତଥାକଥିତ ଅନେକ ସହିତ୍ୟକ ଏପଯ୍ୟନ୍ତ ଉପଲବ୍ଧି କରିପାରି ନଥିବା ପରି ମନେ ହେଉଥାଏ । ତେଣୁ, ଭାବପ୍ରବଣ ନହୋଇ ନିଜ ଘରଟି ଆଡ଼କୁ ସମୀକ୍ଷାତ୍ମକ ଦୃଷ୍ଟିରେ କେହି ଅନାଇବାକୁ ମନ କରିବା ମାତ୍ରକେ ଏହି ନିଜ ଘରେ କେଡ଼େ ସନ୍ତୁଷ୍ଟ ହୋଇ ରହିଥିବା ଲୋକମାନେ ସତେଅବା ଭାରି ଆଘାତ ଅନୁଭବ କରିବାକୁ ଆରମ୍ଭ କରନ୍ତି । ସର୍ବଦା ଆପଣାର ପ୍ରଶଂସା ଶୁଣିବାକୁ ଇଚ୍ଛା କରିବାର ଏହି ଯେଉଁ ପ୍ରବୃତ୍ତି, —ଏହା ହେଉଛି ଏକ ଅପରିପକ୍ଵ ବ୍ୟକ୍ତିଦୃଷ୍ଟିର ପ୍ରବୃତ୍ତି । ଆମ ସାହିତ୍ୟ ଆମକୁ ଅଧିକ ପରିପକ୍ଵ କରିବ ନ ଆମ ଅପରିପକ୍ଵତା ଗୁଡ଼ାକ ଲାଗି ଗୋଟିଏ ମଧୁର ଆବରଣ ହୋଇ ରହିବ, ହୁଏତ ତାହାହିଁ ଅସଲ ପ୍ରଶ୍ନ ।

 

୧୮ । ୪ । ୮୨

 

ସଂସାର ଭିତରେ ଏତେ ଚିହ୍ନା ମଣିଷ ରହିଛନ୍ତି ବୋଲି ଏହି ସଂସାର ଏଡ଼େ ଚିହ୍ନା ଲାଗୁଛି । ଏହି ସଂସାରରେ ଏତେ ଆପଣାର ମଣିଷ ଅଛନ୍ତି ବୋଲି ଏଠି ସବୁକିଛି ଏଡ଼େ ଆପଣାର ବୋଲି ମନେହେଉଛି । କେତେ କେତେ ନୟନଉନ୍ମୀଳନ ଏହି ସଂସାରରେ ଏହି ଚିହ୍ନା ମଣିଷମାନଙ୍କ ସକାଶେ ହିଁ ସମ୍ଭବ ହୋଇଛି । ମୁଁ ଯେ ଏକ ବାଟ ଚାଲୁଛି, ଏହି ବାଟ ଯେ ମୋତେ କେତେ କେତେ ନୂତନ ଅନୁଭବ ଏବଂ ନୂତନ ଅନ୍ତଃଦୃଷ୍ଟି ଆଣି ଯୋଗାଇଦେଇ ଯାଉଛି, ମଣିଷମାନଙ୍କ ସହିତ ମୋ’ର ରହିଥିବା ସଖ୍ୟଗୁଡ଼ିକ ସକାଶେ ହିଁ ତାହା ସମ୍ଭବ ହୋଇଛି ।

 

ଏହି ପରିଚୟ ମଣ୍ଡଳଟି ଭିତରୁ ଯେତେବେଳେ ମୃତ୍ୟୁ ସେହିପରି ଜଣେ ବ୍ୟକ୍ତିଙ୍କୁ ଅପସରାଇ ନେଉଛି, ସେଥିଲାଗି ହଠାତ୍‍ ଭିତରେ ଆସି କେଡ଼େ ବଡ଼ ଆଘାତ ଆସି ବାଜିଲା ପରି ମନେ ହେଉଛି ସତ, ମାତ୍ର ତା’ ବୋଲି ସେମାନଙ୍କୁ ଯେ ମୁଁ ସବୁକାଳ ପାଇଁ ହରାଇ ବସିଲି, ସେକଥା ମୋଟେ ନୁହେଁ । ମୋ’ ବାଟରେ ମୁଁ ସେମାନଙ୍କ ଠାରୁ ତଥାପି ସଖ୍ୟ ପାଇବି, ଦମ୍ଭ ପାଇବି, ଉତ୍ସାହ ପାଇବି । ଏହି ସଂସାର ଭିତରେ ମୋ’ର ଯାବତୀୟ ବିଚରଣରେ ମୁଁ ସେମାନଙ୍କୁ ମନେ ରଖିବି ଓ ସେମାନଙ୍କ ଠାରୁ ପ୍ରେରଣା ପାଇବି । ଏହି ଚିହ୍ନା ବାଟଟି ଉପରେ ସେମାନେ ତଥାପି ମୋ’ର ଏକାନ୍ତ ଚିହ୍ନା ହୋଇ ରହିବେ । ମୃତ୍ୟୁକୁ ଜୟ କରିବାକୁ ହେଲେ ମଣିଷ ହିସାବରେ ଆମ ସମସ୍ତଙ୍କ ପାଖରେ ଏହି ଗୋଟିଏ ହିଁ ବଡ଼ ଉପାୟ ରହିଛି । ତେଣୁ, ଯିଏ ଚାଲିଗଲେ, ସିଏ ମୋଟେ ଚାଲିଗଲେ ନାହିଁ । ସିଏ ମୋ’ର ଧ୍ୟାନଦୃଷ୍ଟିରେ ଆହୁରି ସ୍ଥିର ହୋଇ ରହିଲେ, ଆହୁରି ଅଧିକ ଉଜ୍ଜ୍ୱଳ ହୋଇ ରହିଲେ ଓ ଆହୁରି ଅଧିକ ଚିହ୍ନା ହୋଇ ରହିଲେ । ଏହି ସଂସାର ପ୍ରତି, ସଂସାରକୁ ଏଡ଼େ ପ୍ରେରଣାମୟ କରି ରଖିଥିବା ସେହି ବିଶ୍ୱକର୍ତ୍ତାଙ୍କ ପ୍ରତି କୃତଜ୍ଞ ରହି ହିଁ ମୁଁ ସେହି ପରିଚୟଗୁଡ଼ିକୁ ସ୍ଥାୟୀ କରି ରଖିବି ।

 

୧୯ । ୪ । ୮୨

 

ପ୍ରତ୍ୟେକ ମୁହୂର୍ତ୍ତରେ ଅଟକି ରହିଯିବାର ପ୍ରଲୋଭନ, —ଭିତରୁ ପ୍ରଲୋଭନ ଓ ବାହାରୁ ମଧ୍ୟ ପ୍ରଲୋଭନ । ଏହାହିଁ ସଂସାର, ଏହାହିଁ ମାୟା, ଏହାହିଁ ଅହଂକେନ୍ଦ୍ରିତା । ସେହି ଅହଂର ଆହୁରି ଭିତରକୁ ଆହୁରି ଏକ ଉପାଦାନ ରହିଛି, ଯିଏକି ଆହୁରି ଆଗକୁ ଯିବାକୁ ଚାହୁଁଛି, ଆହୁରି ଅଧିକ ନିବିଡ଼ ଭାବରେ ଧରି ରଖିବାକୁ ଚାହୁଁଛି, ଆହୁରି ଅଧିକ ସମ୍ପ୍ରସାରିତ ହୋଇ ଯିବାକୁ ଇଚ୍ଛା କରୁଛି । ମାତ୍ର, ଉପରର ସେହି ମୋଟା ଖୋଳଟା କେବଳ ନିରାପତ୍ତା ଇଚ୍ଛା କରୁଛି, —ଯଶଃ, ପ୍ରଶଂସା, ଏହି ସବୁଗୁଡ଼ାକୁ ହିଁ ନିରାପତ୍ତା ବୋଲି ଅନୁଭବ କରୁଛି । ଅଟକିଯିବାର ଏହି ଭୀରୁତା ଗୁଡ଼ାକୁ ହିଁ ଅନେକ ସମୟରେ ଉତ୍ସାହ ବୋଲି ଭ୍ରମ କରୁଛି ।

 

ଏହି ଦେଶର ସଂସ୍କୃତି ଭିତରେ ଏପରି ଗୋଟାଏ ଷଡ଼ଯନ୍ତ୍ରକାରୀ ଉପାଦାନ କୋଉଠି ରହିଛି, ଯାହାକି ଭାରି ଅଟକାଇ ରଖିବାକୁ ମନ୍ତ୍ରଣା ଦେଉଛି । ଉଚ୍ଚତାଗୁଡ଼ାକୁ କାନ୍ଥପରି ଭାବି ସେହି କାନ୍ଥଭିତରେ ହିଁ ରହି ଯିବାଲାଗି ମନ୍ତ୍ରଣା ଦେଉଛି । ଏହି ଅଟକି ଯିବାର ଏକ ଅନ୍ୟନାମ ହେଉଛି ଉଦାସୀନତା । ଉଦାସୀନତାର ପ୍ରଲୋଭନ ଭିତରୁ ଆସୁଛି, ବାହାରୁ ମଧ୍ୟ ଆସୁଛି । ଉଦାସୀନତା ଭୀରୁ କରି ପକାଉଛି । ଉଦାସୀନତା ଉଗ୍ର କରୁଛି । ଉଦାସୀନତା ସତେଅବା ହେଲେ ଆଉ କାହାରିକୁ ହେଲେ ଦେଖି ପାରୁ ନାହିଁ । ଏହି ଆଳସ୍ୟକୁ ଆଳସ୍ୟ ବୋଲି ଜାଣିଥିଲେ ଆଉ ଭୟ କରିବାର କୌଣସି କାରଣ ରହିବ ନାହିଁ । ଶ୍ରଦ୍ଧାବଳରେ ଯାବତୀୟ ଆଳସ୍ୟକୁ କାଟି ଚାଲିଯିବାକୁ ପଡ଼ିବ । ଭିତରେ ସଞ୍ଚିତ ହୋଇ ରହିଥିବା ବିଶ୍ୱାସ ଗୁଡ଼ିକୁ ଛୁଇଁ ପାରିଲେ ଆଉ ଅଟକି ରହିବାର କୌଣସି ପ୍ରମାଦ ନଥିବ । ଅଟକି ନରହିବା, ଅର୍ଥାତ୍‍, ଆପଣାକୁ ଦେବା, ସଖ୍ୟ ମାଗିବା, ପଥ ଚାଲୁଥିବା, ଶୃଙ୍ଗାରୋହଣର ଉତ୍ସାହ ରଖିବା, —ଆପଣା ଭିତରେ ଓ ଆପଣାର ବାହାରେ ଯିଏ ସତତ ବାଟ ଚାଲୁଛି, ତାହାକୁ ହିଁ ଆପଣାର ପରମ ସାଥୀ ରୂପେ ଅନୁଭବ କରୁଥିବା ।

 

୨୦ । ୪ । ୮୨

 

ମୋ’ର ସ୍ୱପ୍ନଗୁଡ଼ିକ ମୋତେ ସର୍ବଦା ଅଧିକ ସଚେତନ ହେବାରେ ହିଁ ସାହାଯ୍ୟ କରିଛନ୍ତି-। ମୁଁ ହୁଏତ ଏପରି ବି କହିପାରିବି ଯେ, ମୋ’ର ସ୍ୱପ୍ନ ମୋ’ର ଚେତନ ଜୀବନରେ ମୋତେ ଆହୁରି ଆଗକୁ ଓ ଆହୁରି ଅଧିକ ଗଭୀରକୁ ଯାଇ ପାରିବା ଲାଗି ସତତ ସାହାଯ୍ୟ କରି ଆସିଛି । ଆହୁରି ଟିକିଏ ଆଗକୁ ଯାଇ କହିଲେ, ମୋ’ର ଅଚେତନ ମୋ’ର ସଚେତନ ସହିତ ସର୍ବଦା ସହଯୋଗ କରି ଆସିଛି ।

 

ବା, ମୋ’ର ସଚେତନ ମଧ୍ୟ ମୋ’ର ଅଚେତନ ସହିତ ସବୁବେଳେ ସହଯୋଗ କରି ଆସିଛି । ମୋ’ ଅଚେତନର ସେହି ନିବିଡ଼ ଗଭୀରରେ, ଯେଉଁଠି ମୋ’ର ଅସଲ ପ୍ରେରଣା ଓ ଅସଲ ସକ୍ରିୟତାଗୁଡ଼ିକ ଜନ୍ମଲାଭ କରୁଛି, ମୋ’ର ସଚେତନ ତାହାରି ସହିତ ହିଁ ଆପଣାକୁ ସର୍ବଦା ସଂଯୁକ୍ତ କରି ରଖିଛି । ଆପଣାର ଅଲଗା କୌଣସି ଦୌରାତ୍ମ୍ୟ କରିବ ବୋଲି ମୋ’ର ଏହି ତଥାକଥିତ ସଚେତନ ମୋ’ର ଅଚେତନ ମୂଳଗୁଡ଼ାକୁ ବାହାରୁ ଥାଇ କୌଣସି ପ୍ରକାରେ ଦବାଇ ରଖିବାକୁ ଚେଷ୍ଟା କରିନାହିଁ । ତାର କାରଣ ହେଉଛି ଯେ, ମୋ’ର ସଚେତନ ମୋ’ର ଅଚେତନକୁ କେବେହେଲେ ଭୟ କରିନାହିଁ । ଅର୍ଥାତ୍‍, ମୋ’ର ଅଚେତନ ଏବଂ ସଚେତନ ମଧ୍ୟରେ ମୁଁ କେବେହେଲେ କୌଣସି ମୂଳଭୂତ ଦ୍ଵନ୍ଦ୍ୱ ଅନୁଭବ କରିନାହିଁ । ଅଚେତନ ସଚେତନକୁ ସହିବା ଲାଗି ସବୁବେଳେ ପ୍ରସ୍ତୁତ ରହିଛି, କାରଣ ସେହି ସଚେତନର ସିମାଗୁଡ଼ାକ ବିଷୟରେ ଅଚେତନ ସବୁବେଳେ ସଚେତନ ରହିଛି । ସଚେତନକୁ ଅଧିକ ସମୃଦ୍ଧ ଓ ଅଧିକ ପ୍ରାମାଣିକ କରିବାରେ ଅଚେତନ କୌଣସି କୃପଣତା କେବେ କରିନାହିଁ । ଯେତେବେଳେ ମୋ’ର ସଚେତନ କୌଣସି ପରିସ୍ଥିତିରେ ପଡ଼ି ମୁଖା ପିନ୍ଧିବାକୁ ମନ ବଳାଇଛି, ସେତେବେଳେ ଭିତରେ ଥାଇ ଅଚେତନତାକୁ ଏପରି ବଳ ଦେଇଛି, ଯାହାଫଳରେ ମୁଖାଗୁଡ଼ାକୁ ନଲୋଡ଼ି ମଧ୍ୟ ସଚେତନ ଆପଣାକୁ ପୂର୍ଣ୍ଣ ପ୍ରସନ୍ନତା ସହିତ ପ୍ରବୃତ୍ତ କରି ରଖିପାରିଛି, ଚେରଗୁଡ଼ିକ ଲାଗିଥିବା ପର୍ଯ୍ୟନ୍ତ ମୁଖାଗୁଡ଼ାକର କୌଣସି ପ୍ରୟୋଜନ ହୋଇନାହିଁ ।

 

୨୧ । ୪ । ୮୨

 

ଏହି ଜୀବନକୁ ଯଥାର୍ଥ ଭାବରେ ବଞ୍ଚିପାରିଲେ ଏହି ଜୀବନ ପ୍ରକୃତରେ ସକଳ ଶୁଭର ଅନୁମନ୍ତା କେଉଁ ଭଗବାନଙ୍କର ଆଶୀର୍ବାଦ ପରି ମନେହୁଏ । ଏବଂ ଜୀବନକୁ ଯଥାର୍ଥ ଭାବରେ ଦେଖିପାରିଲେ ଯାଇ ଜୀବନକୁ ଯଥାର୍ଥ ଭାବରେ ବଞ୍ଚି ହୁଏ । କୃପଣମାନେ, ଭୟାଳୁମାନେ ଏହି ଜୀବନକୁ ମୋଟେ ଯଥାର୍ଥ ଭାବରେ ବଞ୍ଚି ପାରନ୍ତିନାହିଁ । ଯେଉଁ ମଣିଷମାନେ ସଂସାର ଭିତରୁ ଖାଲି ଆତ୍ମସାତ୍‍ କରିନେଇ ନିଜ ଜୀବନର ବପୁଟାକୁ ବଢ଼ାଇବାକୁ ଇଚ୍ଛା କରୁଥାନ୍ତି, ସେମାନେ ଜୀବନର ଅସଲ ଅଭିଜ୍ଞାତାଗୁଡ଼ିକୁ ମୋଟେ ଲାଭ କରିପାରନ୍ତି ନାହିଁ । ସେମାନେ ପ୍ରକୃତରେ କୌଣସି ଆଶୀର୍ବାଦର ଭାଜନ ହୋଇ ପାରନ୍ତି ନାହିଁ ।

 

ସକାଳର ଏହି ସୂର୍ଯ୍ୟକିରଣ ମୋ’ ଦେହରେ ପ୍ରକୃତରେ ଦେବତାର ଏକ ଆଶୀର୍ବାଦରୂପେ ଅନୁଭୂତ ହେବ, —ଏଥିଲାଗି ମୁଁ ମୋ’ ଶଙ୍କାର ଗହ୍ୱରଗୁଡ଼ାକ ଭିତରେ ଯଥାସମ୍ଭବ ଅଧିକ ଫୁଲି ବନ୍ଦ ହୋଇ ରହିଥିବା ପର୍ଯ୍ୟନ୍ତ ସେକଥା ମୋଟେ ସମ୍ଭବ ହେବନାହିଁ । ଅନେକ ମଣିଷ ଯେ ନିଜନିଜର କେତୋଟି ଗହ୍ୱର ତିଆରି କରି ତାହାରି ଭିତରୁ ସଂସାରକୁ ଦେଖନ୍ତି ଓ ଜୀବନକୁ ଦେଖନ୍ତି, ସେଇଥିଲାଗି ସେମାନେ ଅନେକ ଆନନ୍ଦ ଓ ଅନେକ ଆଶୀର୍ବାଦରୁ ଆପଣାକୁ ବଞ୍ଚିତ କରି ରଖିଥାନ୍ତି । ତା’ପରେ ସେମାନେ ଯେଉଁ ଜୀବନଦର୍ଶନ ଗୁଡ଼ାକୁ ବାହାର କରି ଆପଣାର ପକ୍ଷସମର୍ଥନ କରିବାରେ ଲାଗିଥାନ୍ତି, ସେଗୁଡ଼ାକର ଯଥାର୍ଥ ଜୀବନ ସହିତ ପ୍ରକୃତରେ କୌଣସି ସମ୍ପର୍କ ନଥାଏ । ଜୀବନଠାରୁ ବିଚ୍ଛିନ୍ନ ହୋଇ ରହିବାଲାଗି ହିଁ ସେମାନେ ଆପଣାର କେତେଟା ଅଭିପ୍ରାୟକୁ ଦର୍ଶନରୂପେ ବାଢ଼ିବାର ଚେଷ୍ଟା କରିବାରେ ଲାଗିଥାନ୍ତି । ସଂସାରରେ ଓ ଜୀବନରେ ଏତେ ଆନନ୍ଦ ଓ ଆଶୀର୍ବାଦ ରହିଥିଲେ ମଧ୍ୟ ସେମାନେ ସେଗୁଡ଼ିକରେ ଆଦୌ କୌଣସି ଭାଗ ନେଇ ପାରନ୍ତିନାହିଁ ।

 

୨୨ । ୪ । ୮୨

 

ଆମ ଶିକ୍ଷାର, ବିଶେଷତଃ ଉଚ୍ଚଶିକ୍ଷାର ଏବେ ସର୍ବପ୍ରଧାନ ଉଦ୍ଦେଶ୍ୟ ହେଲାଣି ନିରାପତ୍ତା । ନିରାପତ୍ତାର ଅର୍ଥ ହେଉଛି ଅଧିକରୁ ଅଧିକ ସୌଭାଗ୍ୟର ଉପଭୋଗ । ଅର୍ଥାତ୍‍, ଦେଶର ପନ୍ଦରପଣ ମଣିଷ ମଣିଷର ସାଧାରଣ ଜୀବନ ଯାପନ କରିବାଲାଗି ମଧ୍ୟ କୌଣସି ସୁଯୋଗ ନପାଉଥିବା ସମୟରେ ଯଥାସମ୍ଭବ ଅଧିକ ସମ୍ପତ୍ତି ଓ ସୁଯୋଗ ନିଜହାତରେ ରଖି ଏଠି ସବୁଠାରୁ ଅଧିକ ସୌଭାଗ୍ୟଶାଳୀ ବୋଲାଇବା ଲାଗି ଏକ ଉଗ୍ର ଲାଳସା । ସେହି ଲାଳସା ସକାଶେ ହିଁ ଏବେ ଆମର ଉଚ୍ଚଶିକ୍ଷିତମାନେ କ୍ରମଶଃ ଏଡ଼େ ଉଗ୍ର ହେବାରେ ଲାଗିଛନ୍ତି । ସଂଖ୍ୟାରେ ଓ ଯୋଗ୍ୟତାରେ ଯେତେ କମ୍‍ ହେଲେ ମଧ୍ୟ ଦେଶଟାକୁ କେବଳ ନିଜ ଭିତରେ ଭୋଗ କରିବାକୁ ହିଁ ଆମ ଉଚ୍ଚଶିକ୍ଷିତମାନେ ଆମ ଶିକ୍ଷାବିହାର ମାନଙ୍କରେ ତାଲିମ ପାଉଛନ୍ତି ।

 

ଶିକ୍ଷିତମାନେ ହିଁ ସମାଜକୁ ନେତୃତ୍ୱ ଦେଇ ପାରୁଥାନ୍ତେ । ଯିଏ ଭୋଗକୁ ହିଁ ସବୁଠାରୁ ବଡ଼ ଲକ୍ଷ୍ୟ ବୋଲି ଗ୍ରହଣ କରିଥାଏ, ସିଏ କଦାପି କୌଣସି ନେତୃତ୍ୱର ଯୋଗ୍ୟ ହୋଇ ପାରେନାହିଁ । ଭୋଗୀମାନେ ନୃଶଂସ ହୁଅନ୍ତି ଓ ତେଣୁ, ଭୋଗୀମାନଙ୍କ ହାତରେ ନେତୃତ୍ୱର ରଜ୍ଜୁଗୁଡ଼ାକ ରହିଥିବା ପର୍ଯ୍ୟନ୍ତ ଦୃଶ୍ୟ ଓ ଅଦୃଶ୍ୟ ନାନା ନୃଶଂସତା ପ୍ରାୟ ପୂର୍ଣ୍ଣ ପ୍ରଶୟ ପାଇ ବୃଦ୍ଧି ପାଇବାରେ ଲାଗିଥାଏ । ଏହି ଭୋଗୀମାନେ ହେଉଛନ୍ତି ଭିତରେ ଭାରି ଭୀରୁ । ସେମାନେ ସବାଆଗ କେବଳ ଆପଣାକୁ ଦେଖନ୍ତି, —ଅନ୍ୟମାନଙ୍କୁ ଆପଣାର ଭୋଗଲାଗି ରହିଥିବା ପ୍ରାୟ ଗୋଟାଏ ଗୋଟାଏ ସାମଗ୍ରୀ ପରି ଦେଖନ୍ତି । ଭୋଗୀମାନଙ୍କର କୌଣସି ଦେଶ ନଥାଏ, କୌଣସି ବନ୍ଧୁ ନଥାନ୍ତି, —କେଉଁଠିହେଲେ କୌଣସି ଯଥାର୍ଥ ଅନୁରାଗ ଦ୍ୱାରା ପ୍ରେରିତ ହୋଇ ସେମାନେ କିଛି କରନ୍ତିନାହିଁ । ଆମ ଦେଶରେ ଅଣ୍ଟି ଅଣ୍ଟି ପଇସା ଖରଚ ହୋଇ ଭୋଗୀମାନଙ୍କର ଏହି ଅପଗୋଷ୍ଠୀଟାକୁ ହିଁ ଅଧିକ ମଜବୁତ କରାଯାଉଛି ।

 

୨୩ । ୪ । ୮୨

 

ଦୀର୍ଘ ଚାରିମାସ ରୁଟିନ୍‍ ପରି ପୃଷ୍ଠାକୁ ପୃଷ୍ଠା ଲେଖିବାପରେ ଆଜି ଅଳ୍ପ କେତେଘଣ୍ଟା ପରେ ବହିଲେଖାଟି ସରିଯିବ, ଏଥିରେ କେବଳ କୃତଜ୍ଞତା ପ୍ରକାଶ କରିବା ଛଡ଼ା ମୋ’ର ଆଉ କିଛି କରିବାକୁ ନାହିଁ । ମୁଁ ଯେ ଖୁସିରେ ଏହି କାର୍ଯ୍ୟଟିକୁ କରିପାରିଲି; ତାହାହିଁ ସବୁଠାରୁ ଅଧିକ ଖୁସିର କଥା ।

 

ଏହି ଲେଖାଟି ମୋତେ ଲେଖିବାକୁ ଦିଆ ଯାଇଥିଲା । ବାହାରୁ ଏପରି ଏକ ବରାଦ ଆସି ନଥିଲେ ହୁଏତ ମୁଁ କେବେହେଲେ ଆପଣାଆଡ଼ୁ ବହିଟିକୁ ଲେଖି ନଥାନ୍ତି । ତଥାପି ବରାଦଟିର ସମ୍ମତି ଦେଲି । ସେଥିଲାଗି ବେଶ୍‍ କେତେମାସ ପ୍ରସ୍ତୁତ ହେବାକୁ ପଡ଼ିଲା ଓ ତା’ପରେ ଯାଇ ଲେଖା ଆରମ୍ଭ ହେଲା । ଦୈନିକ ଅଳ୍ପ ଅଳ୍ପ କରି ଲେଖି ବହିଟି ଶେଷକୁ ସମ୍ପୂର୍ଣ୍ଣ ହେଲା । ଏହାକୁ ମୁଁ କିପରି କ’ଣ ଲେଖିଲି, ସେଇଟି ବାହାରି ସାରିଲେ ଯାଇ ସେଇଟି ଜଣା ପଡ଼ିବ । ତଥାପି, ମୋ’ଦ୍ୱାରା ଯେ ଏହି କାର୍ଯ୍ୟଟି ହୋଇପାରିଲା, ସେଥିଲାଗି ମୁଁ କେବଳ କୃତଜ୍ଞ ହିଁ ରହିବି । ଅନେକ ସମୟରେ ସହଜରେ ସମ୍ମତ ହୋଇ ଆପଣାକୁ ନେଇ ସକଳ କାର୍ଯ୍ୟ କରାଇ ନେଉଥିବା ପ୍ରଭୁଙ୍କ ପାଖରେ ବସି ତାଙ୍କରି କଥାଟିକୁ ମାନିନେଇ ପାରିଲେ ଅନେକ କିଛି ସାଧ୍ୟ ହୋଇଯାଏ । ଏକା ଏକା ଯେଉଁସବୁ କଥା ହୋଇପାରିବ ବୋଲି ପ୍ରତ୍ୟୟ ଆସୁନଥାଏ, ତାଙ୍କରି ହାତରୁ ଦାୟିତ୍ୱଟିକୁ ଗ୍ରହଣ କରିଥିବା ପରି କାର୍ଯ୍ୟଟିକୁ ଆରମ୍ଭ କଲେ କାର୍ଯ୍ୟଟି ଭାରି ସହଜ ହୋଇଯାଏ, ଅର୍ଥାତ୍‍, ସେଇଟି ନିଜର କାର୍ଯ୍ୟ ପରି ମନେହୁଏ । ତେଣୁ, କେବଳ କୃତଜ୍ଞ ହୋଇ ରହିବା ବ୍ୟତୀତ ମୋ’ର ଆଉ କ’ଣ କରିବାର ଅଛି ? ଆଦେଶ ଆସିବା ସମୟରେ ମୁଁ ଯଥାର୍ଥ ଭାବରେ ପ୍ରସ୍ତୁତ ରହିଥିବି, କେବଳ କୃତଜ୍ଞ ରହିଥିଲେ ହିଁ ଏହି ଜୀବନଯାକ ସେକଥା ସମ୍ଭବ ହେଉଥିବ ।

 

୨୪ । ୪ । ୮୨

 

ସମର୍ପିତ ଜୀବନର ସବୁ ଦିନ ସମର୍ପିତ ହୋଇ ରହିବ । ଆଜି ଦିନଟି ହେଉଛି ତାହାରି ବାର୍ତ୍ତାବହା ଅଧିକ ସମର୍ପଣ ଲାଗି ଆପଣାକୁ ଅଧିକରୁ ଅଧିକ ଯୋଗ୍ୟକରି ମୁଁ ଆଜି ଦିନଟିର ପାଳନ କରିବି ଓ ଆଜି ଦିନଟିର ଯୋଗ୍ୟ ହେବି । ପବିତ୍ର ସଂକଳ୍ପ ଦ୍ୱାରା ମୁଁ ଆଜିର ଏହି ପବିତ୍ର ଦିନଟିକୁ ନିଜର କରି ରଖିବି ।

 

ପବିତ୍ର ଦିନଗୁଡ଼ିକର ପାଳନ ଅତ୍ୟନ୍ତ କୋଳାହଳ ଶୂନ୍ୟ ଭାବରେ ହୋଇ ପାରିବା ଉଚିତ । ତେବେଯାଇ ସେହି ପବିତ୍ରତା ଆମ ଭିତରକୁ ସତକୁ ସତ ଭେଦ କରି ପାରିବ ଓ ଆମକୁ ଜୀବନଲାଗି ଅଧିକ ଯୋଗ୍ୟ କରି ପାରିବ । ଜୀବନଲାଗି ଅଧିକ ପ୍ରସ୍ତୁତ କରିପାରିବ । ଗୋଟିଏ ଗୋଟିଏ ଦିନକୁ ଯେ ଆମେ ପବିତ୍ର ଦିନ ରୂପେ ପାଳନ କରୁ, ଅନ୍ୟ ଦିନଗୁଡ଼ିକ ପବିତ୍ର ନୁହଁନ୍ତି ବୋଲି ଯେ ଆମେ ସେପରି କରୁ, ସେକଥା ଆଦୌ ନୁହେଁ । କ୍ରମଶଃ ଆମ ଜୀବନର ପ୍ରତ୍ୟେକଟି ଦିନ ଯେପରି ଆମଲାଗି ଏକ ପବିତ୍ରତାର ଅନୁଭବକୁ ବହିଆଣି ପାରିବ, ସେଇଥିଲାଗି ଆପଣାର ସଂକଳ୍ପକୁ ଅଧିକରୁ ଅଧିକ ସମ୍ମତ କରି ରଖିବାଲାଗି ଆମେ ପବିତ୍ର ଦିନଗୁଡ଼ିକର ପାଳନ କରିଥାଉ-। ଆଗେ ସମାଜରେ ଓଷା ଓ ବ୍ରଜାଗୁଡ଼ିକର ବରାଦ ହୋଇ ରହିଥିଲା । ଓଷା ଦିନ ଓଷା ପାଳନ କରି ବ୍ୟକ୍ତିମାନେ ଠାକୁରଙ୍କଠାରୁ କିଛି ନା କିଛି ଫଳ ଆଶା କରୁଥିଲେ । ଆମର ପବିତ୍ର ଦିବସଗୁଡ଼ିକର ପାଳନରେ ସେହି ରୀତିଟି ବଦଳିଯାଉ । ଠାକୁରଙ୍କ ଠାରୁ କୌଣସି ଫଳଲାଭ କରିବାକୁ ନୁହେଁ, ଆପଣାର ଜୀବନରୁ ଅଧିକ ଯୋଗ୍ୟ ଓ ପ୍ରସ୍ତୁତ କରିବା ହିଁ ଆମର ଯାବତୀୟ ପାଳନର ସର୍ବପ୍ରଥମ ଉଦ୍ଦେଶ୍ୟ ହୋଇ ରହିବ । ତେବେଯାଇ ପବିତ୍ରତାର ଯଥାର୍ଥରେ କୌଣସି ମର୍ଯ୍ୟାଦା ରହିବ ।

 

୨୫ । ୪ । ୮୨

 

ଅସଲ କଥା, ମୁଁ ନିଜେ ବାଟ ଚାଲୁଥିବି । ଅସଲ କଥା, ମୁଁ ନିଜେ ଭଲ ଉପରେ ବିଶ୍ୱାସ କରୁଥିବି, ସତ୍ୟ ଉପରେ ବିଶ୍ୱାସ ରଖିଥିବି । ଅର୍ଥାତ୍‍, ମୁଁ ଯାହାକୁ ସତ୍ୟ ବୋଲି ଅନୁଭବ କରୁଛି ଓ ଜାଣୁଛି, ତାହାରି ଅନୁସାରେ ଜୀବନଯାପନ କରୁଥିବି । ମୋ’ ଜୀବନ ଅନ୍ତତଃ ସେହି ସତ୍ୟର କ୍ଷେତ୍ରରେ ଆଦୌ କୋଣସି ପ୍ରକାରେ ବିଭାଜିତ ହୋଇ ରହିନଥିବ । ମୋ’ର ଗୋଟାଏ ମୁହଁରେ ମୁଁ ସେହି ସତ୍ୟର କଥା କହି ଆଉ ଗୋଟିଏ ମୁହଁରେ ତା’ର ଠିକ୍‍ ଓଲଟା ଆଚରଣଟାକୁ କଦାପି କରୁନଥିବି । ତେବେଯାଇ ମୁଁ ବାଟ ଚାଲୁଛି ବୋଲି କୁହାଯାଇ ପାରିବ, ମୁଁ ସତ୍ୟରେ ରହିଛି ବୋଲି କୁହାଯାଇ ପାରିବ । ଅନ୍ୟ ସମସ୍ତେ କେବଳ ମିଥ୍ୟାରେ ଅଛନ୍ତି, —ସେତେବେଳେ ଯାଇ ମୋ’ର ଏହିକଥା କହିବାର କୌଣସି ଅଧିକାର ରହିବ ।

 

ସାହିତ୍ୟକ ବି ନିଜର ବାଟଟିକୁ ନିଜେ ଚାଲୁଥିବ । ଅର୍ଥାତ୍‍, ତାର ନିଜ ଜୀବନରେ ସିଏ କେତୋଟି କଥାକୁ ସତ୍ୟ ବୋଲି ମାନୁଥିବ ଏବଂ ସେହି ସତ୍ୟଗୁଡ଼ିକ ଅନୁସାରେ ସିଏ ଜୀବନ ବି ବଞ୍ଚୁଥିବ । ତେବେଯାଇ ତାର ଲେଖୁଥିବା ସାମଗ୍ରୀଗୁଡ଼ିକ ଯଥାର୍ଥ ସାହିତ୍ୟ ବୋଲି କୁହାଯାଇ ପାରିବ । ଏବଂ ସେହି ସାହିତ୍ୟ ଭିତରେ ପ୍ରକୃତରେ କୌଣସି ଶକ୍ତି ରହିଛି ବୋଲି କୁହାଯିବ । ଆମର ଅନେକ ସାହିତ୍ୟ ହୁଏତ ସେପରି କୌଣସି ସତ୍ୟର ଉପଲବ୍ଧି କରିନାହାନ୍ତି । ସେମାନେ କୁଆଡ଼େ ଖାଲି ସଉକରେ ଲେଖୁଛନ୍ତି । ତେଣୁ ସେମାନେ ବଞ୍ଚିବା ସମାୟାରେ ରୀତିମତ ସଉକ ଅନୁସାରେ ବଞ୍ଚୁଛନ୍ତି । ଫଳରେ, ନା ସେମାନଙ୍କର ସାହିତ୍ୟରେ କୌଣସି ଶକ୍ତି ରହିଛି ବା ସେମାନଙ୍କର ଜୀବନରେ ବି କୌଣସି ଶକ୍ତି ରହିଛି !

 

୨୬ । ୪ । ୮୨

 

ଜଗନ୍ନାଥଙ୍କୁ ନେଇ ଏମାନେ ସମସ୍ତେ ଅହଙ୍କାରୀ ହେଲେ । ଜଗନ୍ନାଥଙ୍କୁ ଆମର ବୋଲି କହିଲେ । ଜଗନ୍ନାଥ ହିଁ ସବୁଠାରୁ ବଡ଼ ଓ ଜଗନ୍ନାଥ ହିଁ ଏକମାତ୍ର ବୋଲି କହିଲେ । ଜଗନ୍ନାଥଙ୍କର ଯୋଗ୍ୟ ହୋଇ ପାରିଲେନାହିଁ । ଆପଣାର ଭାବପ୍ରବଣତା ଗୁଡ଼ାକୁ ଦେଇ ସମଗ୍ର ଭୂମିଟିକୁ ଭାରି ଉତ୍ତେଜିତ କରି ରଖିଲେ । ଆପଣାର କପଟତା ଦ୍ୱାରା ସମସ୍ତ ଦିଗ୍‍ବଳୟଟାକୁ ଆଚ୍ଛନ୍ନ କରି ରଖିଲେ ।

 

ଜଗନ୍ନାଥ ସତକୁ ସତ ଜୀବନ ଭିତରେ, ଦିଗ୍‍ବଳୟଟି ଭିତରେ ପ୍ରବେଶ କଲେ ମଣିଷର ପାଟି ବନ୍ଦ ହୋଇଯାଏ । ହୃଦୟ ଖୋଲେ । ହୃଦୟ ଖୋଲି ଯାଇଥିବା ମଣିଷର କଥାଗୁଡ଼ାକ ବି ଅନ୍ୟ ପ୍ରକାରର ହୋଇଯାଏ । ଯିଏ ପ୍ରକୃତ ଭୂଇଁଟିକୁ ଛୁଇଁଥାଏ, ସିଏ ନିଜ ଭିତରେ ମଧ୍ୟ ସେହି ଭୂଇଁଟିକୁ ଆବିଷ୍କାର କରିଥାଏ, ସିଏ ହୃଦୟ ଭିତର ଦେଇ ମଣିଷମାନଙ୍କ ଭିତରକୁ ବାଟ ପାଇ ଯାଇଥାଏ । ତେଣୁ, ସିଏ ଜାଣି ଜାଣି ଠକେ ନାହିଁ । ନିଜେ ଆପଣାର ଗଣ୍ଠିଟି ଭିତରେ ବାନ୍ଧିହୋଇ ରହି ସମସ୍ତଙ୍କୁ ତୁଣ୍ଡରେ ମୁଗଧ ଓ ଉଗ୍ର କରି ରଖିବାକୁ ମୋଟେ ଇଚ୍ଛା କରେନାହିଁ । ଜଗନ୍ନାଥ ତାକୁ ବାଟ ଦେଖନ୍ତି । ତା’ର ଆଚ୍ଛନ୍ନତା ଗୁଡ଼ାକ ମଧ୍ୟରୁ ବାଟ ଦେଖାଇ ତାକୁ ବାହାରକୁ ନେଇ ଆସନ୍ତି । ସିଏ ଆଉ ଆପଣା ଭିତରେ କିଳିହୋଇ ରହି ପାରେନାହିଁ, ବେଶ ପିନ୍ଧି ରହି ପାରେନାହିଁ । ସିଏ ଜଗନ୍ନାଥଙ୍କର ହୋଇଯାଏ । ଜଗନ୍ନାଥ ମୋ’ର ବୋଲି କହିବାକୁ ଏକ ଅପରାଧ ବୋଲି ମଣେ ।

 

୨୭ । ୪ । ୮୨

 

ଯେଉଁମାନେ ଦେଶକୁ ଠକନ୍ତି, କର୍ମକ୍ଷେତ୍ରକୁ ଠକନ୍ତି, ସମାଜକୁ ଓ ମଣିଷକୁ ଠକନ୍ତି, ସେମାନେ କ’ଣ ପ୍ରକୃତରେ ନିଜକୁ ବି ଠକନ୍ତି ନାହିଁ ? ସାଧାରଣତଃ କୁହାଯାଇଥାଏ ଯେ, ମଣିଷ ସ୍ୱାର୍ଥପରବଶ ହୋଇ ହିଁ ସଂସାରରେ ଠକ ହୁଏ । ଆପଣା ସହିତ ଯାହାର ନିଜ ଭିତରେ ପ୍ରକୃତରେ କୌଣସି ବୁଝାମଣା ହୋଇ ଯାଇଛି, ସିଏ କ’ଣ ବାହାରେ କାହାକୁ ହେଲେ ଠକିବାକୁ ମନ କରି ପାରିବ ? ଯିଏ ନିଜ ଭିତରେ ଆପଣାର ନିବିଡ଼ ପରିଚୟଟିଏ ପାଇ ପାରିଛି, ସିଏ ସେହି ନିଜର ଦର୍ପଣ ଉପରେ ହିଁ ଆପଣାର ଦେଶ, ସମାଜ ଓ ମନୁଷ୍ୟମଣ୍ଡଳଟିକୁ ଆବିଷ୍କାର ନକରି ପ୍ରକୃତରେ ଆଉ କ’ଣ କରିପାରିବ ? ତେଣୁ ମୁଁ ଭାବେ, ନିଜକୁ ଠକୁଥିଲା ମଣିଷ ହିଁ ବାହାରେ ସମସ୍ତଙ୍କୁ ଠକେ-। ନିଜ ଭିତରେ ଅନେକ କ୍ଷତ ଓ ଅନେକ ଦ୍ଵନ୍ଦ୍ୱକୁ ଭରଣା କରି ପାରୁ ନଥିବା ଜଣେ ମଣିଷ ହିଁ ବାହାରେ ନାନା ପ୍ରତାରଣାର ପ୍ରଶ୍ରୟ ଦେଖାଇ ସେହି କ୍ଷତଗୁଡ଼ିକର ଭରଣା କରିବାକୁ ମନ କରୁଥାଏ ।

 

ଏ ଠକମାନେ କୁଆଡ଼େ ଯିବେ ? ନିଜ ପାଖରେ ବି ଯଦି ଏମାନେ ଆପଣାର ଠକ ମୁହଁଟିକୁ ଦେଖାଇ ପାରୁନଥିବେ, ତେବେ ଏମାନେ ଆଉ କୋଉଠି ଯାଇ ଦଣ୍ଡେ ବସି ଉଶ୍ୱାସ ହୋଇ ପାରୁଥିବେ, ଖୁସି ହୋଇ ପାରୁଥିବେ, —ଆପଣାର ଯଥାସାଧ୍ୟ ସବୁକିଛି କରି ପାରିଲେ ବୋଲି ଏକ ପୂର୍ଣ୍ଣତାର ଉପଲବ୍ଧି କରି ପାରୁଥିବେ ? ଏମାନଙ୍କର ଅସଲ ମାଆଟି ପ୍ରକୃତରେ କେଉଁଠି ଏମାନଙ୍କ ଲାଗି ଅପେକ୍ଷା କରି ବସିଥିବ ? ନା, —ଖାଲି ଚାହାଳୀଚୋର ହୋଇ ଏମାନଙ୍କର ଉଗ୍ର ଦିନଗୁଡ଼ାକ ଖାଲି ଅଫଳନ୍ତି ଭାବରେ କଟି ଯାଉଥିବ ?

 

୨୮ । ୪ । ୮୨

 

ଏପରି ଅନେକ ମଣିଷ ଅଛନ୍ତି, ଯେଉଁମାନଙ୍କ ସହିତ ସମ୍ପର୍କରେ ଆସିଲେ ବୋଧ ହୁଏ, ସେମାନେ ସତେଯେପରି ସଂସାରଟାକୁ ଖାଲି ଭାଙ୍ଗିବାକୁ ହିଁ ଆସିଛନ୍ତି । ଜୀବନରୂପୀ ତୃଣଭୂମିଟିରେ ସେମାନେ ଯେତେ ଚରିବାକୁ ଆସିନାହାନ୍ତି, ତାକୁ ମାଡ଼ି ମକଚି ଯେପରି ଖାଲି ନଷ୍ଟ କରିବାକୁ ଆସିଛନ୍ତି । ସେମାନେ ଯୁଆଡ଼େ ଯାଆନ୍ତି, ସେଠାରେ ସତେଅବା କେତେ ଶବ୍ଦ କରି ସେମାନେ ଆପଣାର ଉପସ୍ଥିତିଟିକୁ ଘୋଷଣା କରିବାରେ ଲାଗିଥାନ୍ତି । ଯୋଉଠି କଥା କହନ୍ତି, କଥାରେ ସମସ୍ତଙ୍କୁ ସତେଅବା ପୋତି ପକାଇବାକୁ ହିଁ ଇଚ୍ଛା କରୁଥାନ୍ତି । ସେମାନଙ୍କର ସମ୍ପର୍କରେ ଆସିଲେ ସ୍ପଷ୍ଟ ମନେହୁଏ, ସତେଯେପରି, ଏହି ସଂସାର ଏକାବେଳେକେ ଧ୍ୱଂସ ହୋଇଯାଉ ପଛକେ, ସେମାନେ ସେଥିରେ କଦାପି କୌଣସି ଶୋଚନା ହିଁ କରିବେ ନାହିଁ, —ମାତ୍ର ସେମାନଙ୍କର ଉଗ୍ରତାଗୁଡ଼ାକ ପ୍ରକାଶ ପାଇବାର ଅନୂକୁଳତା ମନ ତା’ଠାରୁ ଅଧିକ ଶଙ୍କିତ ହୋଇ ଉଠିବେ ।

 

ବାହାରେ ଯେତେ ଉତ୍ତେଜିତ ହେଉଥିଲେ ମଧ୍ୟ ଭିତରେ ଏହି ଲୋକମାନେ ଅତିମାତ୍ରାରେ ରକ୍ଷଣଶୀଳ ହୋଇ ରହିଥାନ୍ତି । ଅତ୍ୟନ୍ତ ପରିମାଣରେ ବିଶ୍ୱାସହୀନ ହୋଇ ରହିଥାନ୍ତି-। ହୁଏତ ସେଇଥିଲାଗି ହିଁ ସେମାନେ ବାହାରେ ଏତେ ଉଗ୍ର ହେବାକୁ ଭଲ ପାଉଥାନ୍ତି । ଉଗ୍ରତାକୁ ହିଁ ମନୁଷ୍ୟତାର ଏକମାତ୍ର ଗୁଣଲକ୍ଷଣ ବୋଲି ମନେ କରୁଥାନ୍ତି । ଆମ ସଂସାର ଆହୁରି ଆଗକୁ ଯିବ, ଏ ସଂସାର ଆହୁରି ବଦଳିବ, ଏସବୁ ବିଷୟରେ ସେମାନେ କଦାପି କୌଣସି ଆଗ୍ରହ ପ୍ରକାଶ କରନ୍ତିନାହିଁ । ସେମାନେ ଏଠି ଯେପରି ସବୁଦିନେ ରହିବେ ଓ ଆପଣାର ଉଗ୍ରତାଗୁଡ଼ାକୁ ଜାରି କରିବାଲାଗି ଏକ କ୍ଷେତ୍ର ସେମାନଙ୍କୁ ସବୁବେଳେ ପ୍ରାପ୍ତ ହୋଇ ରହିଥିବ, ସେମାନେ ସତେଅବା ସେହି ବିଶ୍ୱାସଟି ହିଁ ରଖିଥାନ୍ତି ।

 

୨୯ । ୪ । ୮୨

 

ସାହିତ୍ୟରେ ଶାଶ୍ୱତ ମୂଲ୍ୟ ସାହିତ୍ୟର ତାତ୍କାଳିତ ମୂଲ୍ୟଠାରୁ କ’ଣ ଏକାବେଳେକେ ଅଲଗା ? ଭାରତବର୍ଷର ଶାସ୍ତ୍ର ଓ ଦର୍ଶନରେ ଶାଶ୍ୱତ ଶବ୍ଦଟିକୁ ଏପରି ଏକ ପବିତ୍ରତାର ପ୍ରତୀତି ଦେଇ ବ୍ୟବହାର କରାଯାଇଛି ଯେ, ଜୀବନରେ ଶାଶ୍ୱତ ଓ ତତ୍କାଳିକ ନାମରେ ଯେପରି ସତେଅବା ଦୁଇଟା ଅଲଗା ଅଲଗା କ୍ଷେତ୍ର ରହିଛି ଓ ଦୁଇ କ୍ଷେତ୍ର ମଧ୍ୟରେ ସତେଯେପରି ମୋଟେ କୌଣସି ସମ୍ପର୍କ ନାହିଁ, ଅନେକ ସମୟରେ ଅନେକ ବ୍ୟକ୍ତି ସେହିପରି ବିଚାର କରିଥାନ୍ତି । ସେମାନଙ୍କର ତାତ୍କାଳିକ ଗୁଡ଼ାକ ଅତି ପାଖରେ ଓ ଆପଣା ବୁଦ୍ଧିର ଅକ୍ତିଆରରେ ରହିଥାଏ, ଓ ଶାଶ୍ୱତଗୁଡ଼ାକ ଅନେକ ଦୂରରେ ନାନା ବର୍ଣ୍ଣାଢ଼୍ୟତାର କେତେ କେତେ ଭାବପ୍ରବଣତା ସହିତ ଆକାଶରେ ଯାଇ ଶୋଭା ପାଉଥାନ୍ତି । ଭାରତବର୍ଷର ସମାଜ ଯେମିତି ବୁଦ୍ଧି ଓ ଭାବପ୍ରବଣତା ଭିତରେ ବାଣ୍ଟି ହୋଇ ରହିଛି, ଠିକ୍‍ ସେହିପରି । ବୁଦ୍ଧି ଗୁଡ଼ାକ ଆମକୁ ଆମ ସାମାଜିକ ଜୀବନରେ ଅତ୍ୟନ୍ତ ଗଧ ଓ ଅତ୍ୟନ୍ତ ନିର୍ମମ କରି ରଖିଛି ଓ ସାମାଜିକ ସ୍ୱପ୍ନଗୁଡ଼ିକର କ୍ଷେତ୍ରରେ ଭାବପ୍ରବଣତା ଗୁଡ଼ାକ ବି ଆମକୁ କେତେ ଭଳି ମିଛ ଉତ୍‍ଫୁଲ୍ଲତା ଓ ମିଛ ସ୍ୱାର୍ଥତାବୋଧ ମଧ୍ୟରେ ପ୍ରାୟ ନିକମା କରି ରଖିଛି । ମୋହଭଙ୍ଗର କୌଣସି ସାହସ ନାହିଁ ।

 

Unknown

ଶାଶ୍ୱତତାକୁ ବଞ୍ଚିଲେ ଯାଇ ଶାଶ୍ୱତତାର ସାର୍ଥକ ଅନୁଭବ ସମ୍ଭବ ହୁଏ । ସେହି ବଞ୍ଚିବାର ଭୂମିରେ ଶାଶ୍ୱତ ସହିତ ତଥାକଥିତ ତାତ୍କାଳିକତାର ଏକ ନିବିଡ଼ ଖିଅ ଲାଗି ରହିଥାଏ । ଚତୁରତା ପରାଭୂତ ହୋଇ ରହିଥାଏ । ଆତ୍ମୀୟତାରୁ ପ୍ରଧାନତମ ଧର୍ମରୂପେ ସ୍ୱୀକୃତ ହୋଇ ରହିଥାଏ । ଏବଂ ଆତ୍ମୀୟତାରୁ ସମର୍ପଣ ଆସେ । ସେହି ସମର୍ପଣବୃତ୍ତି ଶାଶ୍ୱତ ଓ ତାତ୍କାଳିକ ମଧ୍ୟରେ ଆଦୌ କୌଣସି ଭେଦ କରି ପାରେନାହିଁ । ମୁହୂର୍ତ୍ତଗୁଡ଼ାକ ଭିତରେ ତାହା ଚିରନ୍ତନକୁ ଦେଖେ, ଭୂମି ସହିତ ଆକାଶଟିକୁ ଅବିଚ୍ଛିନ୍ନ ଭାବରେ ଦେଖିବାକୁ ସମର୍ଥ ହୁଏ ।

 

୩୦ । ୪ । ୮୨

 

ଯେଉଁମାନେ କେବଳ ନିଜକୁ ନେଇ ସଂସାର ବଞ୍ଚନ୍ତି; ସେମାନଙ୍କର କୌଣସି ଶୃଙ୍ଖଳାର ଆବଶ୍ୟକତା ନଥାଏ । ସେମାନେ ଯାହାସବୁ କରନ୍ତି, ତାହାକୁ ହିଁ ସେମାନେ ଶୃଙ୍ଖଳା ବୋଲି ଗ୍ରହଣ କରିନିଅନ୍ତି ଓ ସେଥିରେ କୌଣସି ବ୍ୟାଘାତ ହେଲେ ପ୍ରତିବାଦ କରି ଗର୍ଜନ କରି ଉଠନ୍ତି ।

 

ଆପଣାର ସ୍ୱାର୍ଥ ଓ ତଜ୍ଜଜିତ ଖିଆଲଗୁଡ଼ାକୁ ଡେଇଁ ବୃହତ୍ତର ଆଉ କୌଣସିଟି ପାଇଁ ଆପଣାର ଜୀବନଟିକୁ ବଞ୍ଚି ଶିଖିଲେ ଯାଇ ଅସଲ ଶୃଙ୍ଖଳାର ପ୍ରୟୋଜନ ହୋଇଥାଏ । ସେତେବେଳେ ମଣିଷ କାହାପାଇଁ ବଞ୍ଚେ ଅଥବା କୌଣସି ଏକ ମୂଲ୍ୟ ପାଇଁ ବଞ୍ଚେ, ସେତେବେଳେ ସିଏ ଆପଣାର ଖଣ୍ଡପରି ତୃପ୍ତି ଗୁଡ଼ାକ ପାଇଁ ଆଉ ସଂସାରଗୋଟାକୁ ଟାଣି ଓଟାରି ବିପର୍ଯ୍ୟସ୍ତ କରି ପକାଇବାକୁ ଆଦୌ ଇଚ୍ଛା କରେନାହିଁ । ଜୀବନରେ ଯାବତୀୟ ମୂଳ୍ୟକଳନାର ବିଧିଗୁଡ଼ାକ ମଧ୍ୟ ବଦଳିଯାଏ, ସୁସ୍ଥ ହୁଏ । ଭିତରେ ରହିଥିବା ଅନେକ କଠିନତାର ଆଉ କୌଣସି ଗଉଁ ଉହେନାହିଁ । ସିଏ ସତ୍ୟକୁ ଖୋଜେ, ସତ୍ୟ ଲାଗି ମଣିଷମାନଙ୍କର ସଖ୍ୟକୁ ଖୋଜେ, —ମଣିଷମାନଙ୍କୁ ପ୍ରକୃତରେ ଲୋଡ଼େ । ଯେଉଁମାନେ ନିଜ ଭିତରେ କେଉଁ ଗଣ୍ଠିଗୁଡ଼ାକୁ ଅଧିକରୁ ଅଧିକ ଜବର କରିବାଲାଗି ସାରା ସଂସାରଟାକୁ ଲଟା ପରି ଦୁହିଁ ଆଣି ତାହାକୁ ଚାରିପାଖରେ ଗୁଡ଼ାଇ ପକାଇବାରେ ଲାଗିଥାନ୍ତି, ସେମାନେ ସଂସାର ଲାଗି ଏକ ସମସ୍ୟା ହୋଇ ରହନ୍ତି, —ଭଗବାନଙ୍କ ଲାଗି ହୁଏତ ଏକ ପ୍ରହେଳି ହୋଇ ରହିଥାନ୍ତି । ସେମାନେ କେବେ କୋମଳ ହେବେ, ବିନୀତ ହେବେ ଓ ସମ୍ମତ ହେବେ, ଭଗବାନ ହୁଏତ ସେଇଥିପାଇଁ ଅପେକ୍ଷା କରି ରହିଥାନ୍ତି । କିଳା ହୋଇ ରହିଥିବା ଦୁଆରଟାର ସେ ପାଖରେ ସେ ଅପେକ୍ଷା କରି ରହିଥାନ୍ତି ।

 

୧ । ୫ । ୮୨

 

ସତେଅବା ନିର୍ବାକ ପାଲଟି ଯାଇଥିବା କଳାମଚମଚ ପଥର ପରି ଦେହମାନେ, —ସାହିତ୍ୟ ଏକାଡେମୀର ହତାରେ ଉଦୁଉଦିଆ ଖରାବେଳେ ଶାବଳ ଧରି ଗାତ ଖୋଳୁଥିଲେ । ମୁହଁରେ ହେଁ ନାହିଁ କି କାନ୍ଦ ନାହିଁ କି ପ୍ରତିବାଦ ନାହିଁ । ଏପରିକି, ଦେହଗୁଡ଼ାକ ମଧ୍ୟ ଏପରି ଉତ୍ପୀଡ଼ିତ ହେଉଥିବାର ଆଦୌ କୌଣସି ପ୍ରତିବାଦ କରୁନାହାନ୍ତି । ସବୁ ଅଭ୍ୟାସରେ ପଡ଼ି ଯାଇଥିବାର କରାମତି । ଜୀବନର ଯେ ସମ୍ମୁଖୀନ ହେବାକୁ ହେବ, ପ୍ରାୟ ଏହିପରି ଏକ ଭାଗ୍ୟବାଦୀ ବାଧ୍ୟତାର ପରିଣତି ।

 

ମୋତେ ସେହି ଦୃଶ୍ୟ ଦେଖି ମୋଟେ ବିକଳ ଲାଗିଲାନାହିଁ । ମୁଁ ଖାଲି ଭାବୁଥିଲି, ଆମେ ସମସ୍ତେ, ଦେହରେ ବଳ ଥିବା ଆମେ ସମସ୍ତେ ଆବଶ୍ୟକ ହେବା ମାତ୍ରକେ ଏହିପରି ଏକ କାର୍ଯ୍ୟରେ ଏକାଠି ଲାଗିଯାଇ ପାରିଥାନ୍ତୁ କି ! ଆପଣାର ଆଦର୍ଶବାଦ ଗୁଡ଼ାକୁ ଦେଖାଇବା ଲାଗି ଭାବପ୍ରବଣ ହୋଇ ଦିନେ ଦିନେ ବିଶେଷ ଉତ୍ସବର ଅବସର ମାନଙ୍କରେ ନୁହେଁ, ମାତ୍ର ଅତ୍ୟନ୍ତ କୋଳାହଳ ଶୁନ୍ୟ ଭାବରେ ଆପଣା ଆପଣାର ନିତ୍ୟନେ ମିତ୍ତିକ ଜୀବନରେ ମଧ୍ୟ ଆମେ ସେହିକଥା କରି ପାରିଥାନ୍ତେ, —ଖୁସି ହୋଇ ଭାରି ସ୍ୱାଭାବିକ ଭାବରେ ସେକଥା କରୁଥାନ୍ତେ । ବର୍ତ୍ତମାନ ଯେପରି ସମାଜର ଏକ ନିର୍ଦ୍ଦିଷ୍ଟ ନିମ୍ନତମ ଗାରର ଆହୁରି ତଳେ ରହିଥିବା ଲୋକେ ସେହି କାର୍ଯ୍ୟଗୁଡ଼ିକୁ କରିବାକୁ ବାଧ୍ୟ ହେଉଛନ୍ତି ଓ ଯେତେ କଠିନ ଭାବରେ ଆପଣାକୁ ନିୟୋଜିତ କରୁଥିଲେ ମଧ୍ୟ ସେହି କର୍ମସ୍ତରରୁ କିଞ୍ଚିତ ଉପରକୁ ଉଠିବାଲାଗି ସେମାନଙ୍କର ପ୍ରାୟ କୌଣସି ସାମର୍ଥ୍ୟ ନାହିଁ, ସେପରି ମୋଟେ ହେଉନଥାନ୍ତା । ତେବେ ଆମର ସାମୂହିକ ଭାବମୂର୍ତ୍ତିଗୁଡ଼ାକ ଏଠି ଅନେକ ପରିମାଣରେ ଅଧିକ ସୁସ୍ଥ ହୋଇ ପାରିଥାନ୍ତା ।

 

୨ । ୫ । ୮୨

 

ଗୋଟାଏ ସ୍ତରକୁ ଆସି ସାମ୍ବାଦିକତା ଅବଶ୍ୟ ସାହିତ୍ୟରୂପେ ଅନୁଭୂତ ହୋଇପାରେ । ଏବଂ ଗୋଟାଏ ସ୍ତରକୁ ଆସି ସାହିତ୍ୟ ମଧ୍ୟ ସାମ୍ବାଦିକତାରେ ପରିଣତ ହୋଇ ଯାଇପାରେ ।

 

ଆମର ଏଠି ଯେଉଁମାନେ ସାମ୍ବାଦିକତା କରନ୍ତି ଅର୍ଥାତ୍‍ ଖବରକାଗଜମାନ ବାହାର କରନ୍ତି, ସେମାନେ ମୁଖ୍ୟତଃ ରାଜନୀତିର ଥାଆନ୍ତି, ମୁଖ୍ୟତଃ କ୍ଷମତାରେ ରହିଥାନ୍ତି ଅଥବା କ୍ଷମତାରେ ରହିବାକୁ ଇଚ୍ଛା କରୁଥାନ୍ତି । ସାମ୍ବାଦିକତାକୁ ଏମାନେ ଏକ ନିର୍ଦ୍ଦିଷ୍ଟ ପରିଚ୍ଛଦ ପିନ୍ଧାନ୍ତି, —ତେଣୁ, ତା’ର ଇଜ୍ଜତ ନିଅନ୍ତି । ଏହିପରି ଭାବରେ ନିଜର ଇଜ୍ଜତ ବଢ଼ିବ ବୋଲି ପାଞ୍ଚ ରଖିଥାନ୍ତି । ଏହିପରି ଭାବରେ ପରିଚାଳିତ ହେଉଥିବା ସମ୍ବାଦପତ୍ରମାନେ ପରସ୍ପରର ଇଜ୍ଜତ ନିଅନ୍ତି ଓ ତାହାରିଦ୍ୱାରା ହିଁ ଆପଣାର ଇଜ୍ଜତ ବଢ଼ୁଛି ବୋଲି ପାଞ୍ଚ ରଖିଥାନ୍ତି । କେତେ ମଣିଷ ସାହିତ୍ୟକୁ ମଧ୍ୟ ପ୍ରାୟ ଏହିପରି ଏକ ସ୍ତରକୁ ଖସାଇ ଆଣିଥାନ୍ତି । ଅନ୍ୟ ଏକ ସ୍ତରର ସାମ୍ବାଦିକତା ମଧ୍ୟ ରହିଛି, ଯେଉଁଠାରେ କି ଜଣେ ବ୍ୟକ୍ତି ଆଗରେ ଏକ ବୃହତ୍ତର କଲ୍ୟାଣକୁ ଅସଲ ପ୍ରେରକରୂପେ ଗ୍ରହଣ କରି ସାମ୍ବାଦିକତା କରୁଥାଏ । ସେହି କଲ୍ୟାଣ ଅର୍ଥାତ୍‍ ସେହି ଜାଗରୁକତାକୁ ସମ୍ଭବ କରିବାଲାଗି ସିଏ ସମ୍ବାଦପତ୍ର କାଢ଼ିଥାଏ ଏବଂ ସମ୍ବାଦପତ୍ରରେ ଲେଖିଥାଏ । ସିଏ ଯାହା ଲେଖେ, ତଦ୍ଦ୍ୱାରା ସିଏ ଦୁଆରଗୁଡ଼ାକୁ ଫିଟାଏ, ଭିରୁତାଗୁଡ଼ିକୁ କାଟେ । ଅର୍ଥାତ୍‍ ଭୀରୁ କ୍ଷମତାଗୁଡ଼ାକୁ ହସେ, ଭୀରୁ କ୍ଷମତାଲୋଭିମାନଙ୍କୁ ସମ୍ପୂର୍ଣ୍ଣ ସମ୍ଭ୍ରମର ସହିତ ଖୋଲି କରି ଦେଖାଇ ଦିଏ । ସିଏ ଏକ ନୂତନ ସମ୍ଭାବନା ଅର୍ଥାତ୍‍ ନୂତନ ସାମୂହିକ ସମ୍ପର୍କ ଲାଗି ବାଟ ଖୋଳିଦିଏ । ସିଏ ସାମ୍ବାଦିକତାକୁ ଏକ ବ୍ରତରୂପେ ଗ୍ରହଣ କରିଥାଏ ।

 

୩ । ୫ । ୮୨

 

ଯିଏ ଚାଲିଗଲେ, ତାଙ୍କପାଇଁ ମୋଟେ କାନ୍ଦିବାକୁ ମନ ହୁଏନାହିଁ । ଯିଏ ବାହାରେ ଚକ୍ଷୁରୁ ଅନ୍ତର ହୋଇ ଚାଲିଯାଆନ୍ତି, ଅର୍ଥାତ୍‍, ଆମେ ସଂସାର ବୋଲି କହୁଥିବା ପରିଚୟ ତଥା ସମ୍ପର୍କର କ୍ଷେତ୍ରରୁ ବିଦାୟ ନେଇ ଚାଲିଯାଆନ୍ତି, ଯଦି ସିଏ ପ୍ରକୃତରେ ପ୍ରିୟ ହୋଇଥାଆନ୍ତି, ତେବେ ଚାଲିଯିବା ପରେ ହୃଦୟ ଭିତରେ ସେ ଅଧିକ ପ୍ରତ୍ୟକ୍ଷ ହୋଇ ଅଧିଷ୍ଠିତ ରହନ୍ତି । ତାଙ୍କରି ସହିତ ଅହରହ ବାଟ ଚାଲୁଥିବା ପରି ମନେ ହେଉଥାଏ । ହରାଇବାର ପ୍ରଶ୍ନ ଉଠେନାହିଁ ।

 

ଆଖିପାଆନ୍ତାରେ ରହିଥିବା ପର୍ଯ୍ୟନ୍ତ ସମ୍ଭବତଃ ତଥାପି ଏକ ଦୂରତା ରହିଥାଏ, ସଙ୍କୋଚ ରହିଥାଏ; ଅନେକ ସମଗ୍ର ଭାବରେ ଚିହ୍ନି ବି ହୁଏନାହିଁ, ତେଣୁ ସମଗ୍ର ଭାବରେ ନିଜର ବି କରିହୁଏନାହିଁ । ମାତ୍ର, ଆଖିରୁ ଅନ୍ତର ହୋଇ ଗଲାପରେ ସେହି ବାଧା ଆଉ ମୋଟେ ରହେନାହିଁ । ସଙ୍କୋଚଗୁଡ଼ାକ ଦୂର ହୋଇଯାଏ । ଯିଏ ଗଲେ, ତାଙ୍କରି ପ୍ରତି ରହିଥିବା ନିଜର କୃତଜ୍ଞତାଗୁଡ଼ାକ ଏକ ସମଗ୍ର ବିଶ୍ଵାସରୂପେ ଅନୁଭୂତ ହୁଅନ୍ତି, ତାଙ୍କୁ ଆହୁରି ନିଜର କରି ରଖନ୍ତି । ଆଖିରେ ଦେଖୁଥିବା ପର୍ଯ୍ୟନ୍ତ ଓ ପାଟିରେ କହୁଥିବା ପର୍ଯ୍ୟନ୍ତ ହୁଏତ ଏକ ଈର୍ଷା ମଧ୍ୟ ରହିଥାଏ, ଆଉଜଣକୁ ପ୍ରଶଂସା କରି ନିଜେ ପ୍ରଶଂସିତ ହେବାପରି ଅନୁଭବ କରିବାର ଏକ ଅନ୍ୟ ବୁଦ୍ଧି ମଧ୍ୟ ରହିଥାଏ । ମାତ୍ର, ସିଏ ସଂସାରରୁ ଚାଲିଗଲା ପରେ ସେଗୁଡ଼ାକ ମୋଟେ ରହେ ନାହିଁ ଓ ନୀରବତା ମଧ୍ୟରେ ସବୁ ମିଳିଯାଏ । ଅଧିକ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ ବି କରିହୁଏ । ଏହିପରି ସମ୍ପର୍କ ଦ୍ୱାରା ହିଁ ଯଥାର୍ଥ ଉନ୍ମୋଚନ ହୁଏ; ଅର୍ଥାତ୍‍, ଯଥାର୍ଥ ଦିଆନିଆ ହୋଇପାରେ । ଆପଣାକୁ କ୍ଷୁଦ୍ର ଓ ତେଣୁ, ଉଗ୍ର ମନେ ନକରିବା ପରେ ଯାଇ ସିନା ଯଥାର୍ଥରେ ଦେଇହୁଏ ଓ ନେଇହୁଏ; ଯଥାର୍ଥରେ ସମ୍ପର୍କ ସ୍ଥାପନ କରିବା ସମ୍ଭବ ହୁଏ ।

 

୪ । ୫ । ୮୨

 

ଠିକ୍‍ ମେ’ ମାସ ବେଳକୁ ମୋ’ର ବରଷ ସରେ । ବରଷଟାଯାକ ଆପଣାର କାମ ଉପରେ ଅର୍ଥାତ୍‍ ସମ୍ମୁଖରେ ଜଳୁଥିବା ତାରାଟି ଉପରେ ମୋ’ର ସମସ୍ତ ଚକ୍ଷୁ ନିବିଷ୍ଟ ହୋଇ ରହିଥାଏ । ଏପ୍ରିଲ ମାସ ସାରି ମେ’ ମାସ ପଶିଲା ବେଳକୁ ସେହି ତାରାଟି ସତେଅବା କେଉଁ ଶୃଙ୍ଗ ହୋଇ ଡାକେ, କେଉଁ ନୀଡ଼ ହୋଇ ଡାକେ, ଠିକ୍‍ ଜନନୀର ସେହିପରି ହୋଇ ମୋତେ ଡାକେ । ମୁଁ ତରତର ହୋଇ ସେଇଠିକି ଦଉଡ଼ି ଯିବାକୁ ମନ କରେ । ସେଇଠାକୁ ଯାଇ ମୁଁ ଆପଣାକୁ ନୀରବ କରି ଲମ୍ବାଇଦିଏ, —ମୋ’ର ଘରଟି ନିହିତ ମୁଁ ମୋ’ର ପ୍ରତ୍ୟୟଗୁଡ଼ିକୁ ଯୋଡ଼ିଦେଇ ଆସେ ।

 

ଏହି ବର୍ଷଟିର କାର୍ଯ୍ୟକୁ ମୁଁ ଯେ ଖୁସି ହୋଇ କରିପାରିଛି, ତାହାହିଁ ମୋ’ର ସବୁଠାରୁ ବଡ଼ ଖୁସି । ବାଧ୍ୟ ହୋଇ କିଛି କରିବା, —ଏକଥା ମୋ’ ଜୀବନରେ ମୋଟେ ସହଜେ ସମ୍ଭବ ହୁଏନାହିଁ । ବାଧ୍ୟ ହେଲାବେଳେ ଏକ ଅବଜ୍ଞାସୂଚକ ହସ ହସି ମୁଁ ନିଜକୁ ପରିହାସ କରିବାରେ ଲାଗିଥାଏ । ଯିଏ ମୋତେ ବାଧ୍ୟ କରୁଛି, ତାକୁ ମୁଁ ହସିବାରେ ଲାଗିଥାଏ; ମୁଁ ଯେ ସେଥିରେ ବାଧ୍ୟ ହେଉଛି, ସେଥିରେ ଆହୁରି ବେଶୀ ହସ ମାଡ଼ୁଥାଏ । ମୁଁ ସେତିକିବେଳେ ଭାବୁଥାଏ, ମତେ ଯିଏ ପ୍ରକୃତରେ ପରିଚାଳିତ କରି କାର୍ଯ୍ୟରୁ କାର୍ଯ୍ୟକୁ ନେଇ ଯାଉଥାଏ, ସିଏ ତ ମୋତେ କେବେହେଲେ ବାଧ୍ୟ କରେନାହିଁ । ସିଏ ମୋତେ ଆପଣାର ସାଙ୍ଗେ ସାଙ୍ଗେ ରଖିଥାଏ, ଏବଂ ନିଜେ ମଧ୍ୟ ମୋ’ର ସଙ୍ଗେ ସଙ୍ଗେ ରହିଥାଏ । ବନ୍ଧୁପରି ରହିଥାଏ, ସହଯୋଗୀ ପରି ରହିଥାଏ । ମୋତେ ଶକ୍ତି ଦିଏ, ମୋ’ ସହିତ ଅସଲ ସୂତ୍ରଗୁଡ଼ିକୁ ଯୋଡ଼ି କରି ରହିଥାଏ । ତେଣୁ ଖୁସିରେ ହିଁ ସବୁକିଛି ସମ୍ଭବ ହୁଏ ।

 

୫ । ୫ । ୮୨

 

ଭିତରେ ସବୁକିଛି ଏକାବେଳେକେ ନିସ୍ତବ୍ଧ । ଏହି ନିସ୍ତବ୍ଧତାକୁ ଗୋଟାଏ ପ୍ରକାରର ବୈରାଗ୍ୟ ବୋଲି ଅବଶ୍ୟ କୁହାଯାଇ ପାରିବ ସତ, ମାତ୍ର ସେହି ବୈରାଗ୍ୟ ଭିତରେ ବିରକ୍ତିର ଲେଶମାତ୍ର ହିଁ ନାହିଁ ।

 

ପୃଥିବୀରେ କେତେ କ’ଣ ଘଟୁଛି । ଭାରତରେ ଘଟୁଛି ଓ ଭାରତ ବାହାରେ ମଧ୍ୟ ଘଟୁଛି-। ଅନେକ ସମୟରେ ହୃଦୟ ଭିତରେ ରହିଥିବା ଭବିଷ୍ୟଚିତ୍ରଟି ସହିତ ସେହି ଘଟଣାଗୁଡ଼ିକୁ ଆଦୌ ମିଳାଇ କରି ଦେଖିବା ସମ୍ଭବ ହେଉନାହିଁ । ରାଜନୀତିବାଲା ରାଜନୀତି କରୁଛନ୍ତି, ବିଜ୍ଞାନବାଲା ବିଜ୍ଞାନ କରୁଛନ୍ତି । ସାହିତ୍ୟବାଲା ସାହିତ୍ୟ ବି କରୁଛନ୍ତି ଓ ଧର୍ମବାଲାଏ ଧର୍ମ ଭିତରେ ପରମ ଉତ୍ସାହର ସହିତ ପୂରା ଧାର୍ମିକ ହୋଇ ରହିଛନ୍ତି । ମନେ ହେଉଛି, ଏକାବେଳେକେ ସମଗ୍ର ପୃଥିବୀଟିର କଥା ଭାବିବା ଲାଗି ସତେଅବା ଆଉ କାହାରିହେଲେ ସମୟ ନାହିଁ । ଅଥବା, ଏପରି ବି ହୋଇପାରେ ଯେ, ସମଗ୍ର ପୃଥିବୀ ଲାଗି ଏମାନଙ୍କର କାହାରି କଳ ପାଉନାହିଁ ବୋଲି ହିଁ ଏମାନେ ନିଜନିଜର ବଖରାଟି ମାନଙ୍କରେ ଆପଣାକୁ ଏଡ଼େ ନିଷ୍ଠା ଓ ଏକାନ୍ତତା ସହିତ ଆବଦ୍ଧ କରି ରଖିଛନ୍ତି । ସମ୍ଭବତଃ ତାହାରି ଫଳରେ ପୃଥିବୀ ବହୁ କେନ୍ଦ୍ରରେ କେତେ ଥାନ ହୋଇ ରହିଛି, ତଥାପି ପୃଥିବୀର ସମଗ୍ର ଭାଗ୍ୟଟି ହୁଏତ କୌଣସି ଜାଗାରେ ଥଳ ପାଇ ପାରୁନାହିଁ । ଭିତରେ ଆପଣାକୁ କେତେ ସମଗ୍ର ଶ୍ରଦ୍ଧା ସମଗ୍ର ସକ୍ରିୟତାର ଯୋଗ୍ୟ କରିପାରିଲେ ଯାଇ ଯେ ବାହାରେ ବର୍ତ୍ତମାନ ପରିସ୍ଥିତିର ସମ୍ମୁଖୀନ ହେବା ସମ୍ଭବ ହେବ, ଆପଣା ଭିତରକୁ ଅନାଇ ମୁଁ ସେହି କଥା ଭାବୁଛି ।

 

୬ । ୫ । ୮୨

 

ଭୋକ କଲେ ବୋଉ କଥା ମନେ ପଡ଼େ । ଭାଉଜବୋଉ କଥା ମନେ ପଡ଼େ । ସେମାନେ ଭୋକ ଜାଣି ପାରୁଥିଲେ ଓ ହୃଦୟ ଶାନ୍ତ ହେବାପରି କେତେ ସ୍ୱାଭାବିକ ସ୍ନେହ ଓ ଆଦର ସହିତ ଖାଇବା ପଦାର୍ଥକୁ ଆଣି ହାତ ପାଖରେ ରଖିଦେଇ ପାରୁଥିଲେ ।

 

ସେମାନଙ୍କର ପ୍ରାୟ ନିଜର ଜୀବନ ବୋଲି କିଛିହେଲେ ନଥିଲା । ସେମାନଙ୍କର ସଂସାର ଅତି ସାନ ସଂସାରଟିଏ ହୋଇ ରହିଥିଲା ଓ ସେମାନେ ସେହି ସଂସାରଟି ଲାଗି ବଞ୍ଚୁଥିଲେ-। ନିଜର ଅହଂଟିକୁ ମଧ୍ୟ ସେମାନେ ସେହି ସଂସାରଟି ମଧ୍ୟରୁ ବାଦ ଦେଇଥିଲେ । ସେହି ସଂସାରଟି ସକାଶେ ଅହଂଗୁଡ଼ାକୁ ଭୁଲିଥିଲେ । ସେଇଥିଲାଗି, ଅଳପ ଭିତରେ ବିଚରଣ କରୁଥିଲେ ମଧ୍ୟ ସେମାନେ ତଥାପି ଅହଂମୁକ୍ତ ହୋଇ ରହିଥିଲେ, —ଆପଣାକୁ ଅନେକ ବିକୃତିରୁ ମୁକ୍ତ କରି ରଖିଥିଲେ । ସେମାନଙ୍କର ଭଲ ମନ୍ଦ, ଦିଅଁ ଦେବତା, ଡର ଓ ଭୟ ସବୁକିଛି ସେହି ସାନ ସଂସାରଟି ଭିତରେ ସୀମାବଦ୍ଧ ହୋଇ ରହିଥିଲା । ସେହି ସୀମାଗୁଡ଼ାକୁ ସେମାନେ ପରମ ନିଷ୍ଠାର ସହିତ ମାନୁଥିଲେ, ମାତ୍ର ସୀମାଗୁଡ଼ିକ ଭିତରେ ଅହଂଟା ବି ମୋଟେ ନଥିଲା । ସେଇଥିଲାଗି ସେମାନେ ସୁଖରେ ଥିଲେ, ଆପଣାର ଚେରଗୁଡ଼ିକୁ ଅନେକ ଭିତରକୁ ଭେଜାଇ ରଖି ପାରିଥିଲେ-। ଏଠି ଦୁଃଖ ପାଉଥିଲେ, ବଞ୍ଚିତ ହେଉଥିଲେ, ବିପଦର ସମ୍ମୁଖୀନ ହେଉଥିଲେ, ତଥାପି ସୁଖୀ ଥିଲେ-। କାନ୍ଦି କାନ୍ଦି ଉଶ୍ୱାସ ହୋଇ ପାରୁଥିଲେ । ଚେରଗୁଡ଼ିକ ଗଭୀରକୁ ରହିଥିଲେ ସମ୍ଭବତଃ ଏହିପରି ହୋଇଥାଏ ।

 

୭ । ୫ । ୮୨

 

ଜୀବନରେ ଅନ୍ୟମାନେ ଯାହାକିଛି ହାସଲ କଲେ, ସେଗୁଡ଼ିକୁ ସେମାନେ ଆପଣା ସଂସାରର ପାହାଚ ଉଠିବାରେ ଲଗାଇଲେ, ନିଜ ସଫଳତାର ପାହାଚ ଗୁଡ଼ାକୁ ଉଠିବାରେ କାମରେ ଲଗାଇଲେ । ଅଧିକ ପଇସା କମାଇବାରେ କାମରେ ଲଗାଇଲେ, ଆପଣାର ଚାକିରିରେ ଉଚ୍ଚରୁ ଉଚ୍ଚତର ହେବାରେ କାମରେ ଲଗାଇଲେ । ବହିଟିଏ ଲେଖିଲେ, ନୂଆ କୌଣସି ଥାନକୁ ପ୍ରଶିକ୍ଷଣ ପାଇଁ ଗଲେ । ତାହାକୁ ସେମାନେ କର୍ତ୍ତାମାନଙ୍କ ଆଗରେ ଆପେ ଅର୍ଜିଥିବା ଅଧିକ ଯୋଗ୍ୟତାର ପ୍ରମାଣ ବୋଲି ଦେଖାଇଲେ ଓ ତାହାରି ବଳରେ ଅଧିକ ପାଇଲେ ।

 

ମୁଁ ଯାହାକିଛି ଉଦ୍ୟମ କରିଛି, ତାହାକୁ ବାହାରେ ସଫଳତା ପାଇବାର ଅଥଚ ସିଡ଼ି ଉଠିବାର ଆଦୌ କୋଣସି କାମରେ କେବେହେଲେ ଲଗାଇବାକୁ ମନ କରିନାହିଁ । ସେଗୁଡ଼ିକରୁ ଉତ୍ସାହ ପାଇ, ଆନନ୍ଦ ପାଇ ଓ ଆଲୋକ ପାଇ ମୁଁ ଆପଣାର ଭିତରେ ହିଁ ପାହାଚକୁ ପାହାଚ ଉଠି ଯାଉଥିବା ପରି ଅନୁଭବ କରିଛି । ଏଗୁଡ଼ିକ ଦ୍ୱାରା ମୁଁ ଅନେକ ଅଧିକ ହୋଇ ପାରିଛି । ଆପଣାର ଅଧିକ ଗଭୀରକୁ ସ୍ପର୍ଶ କରି ପାରିଛି । ଗୋଟିଏ ବହି ଲେଖିବା ଦ୍ୱାରା ମୋ’ ପାଖରେ ସତେଅବା ଅଧିକ ସତ୍ୟର ଉଦ୍‍ଘାଟନ ହୋଇଯାଇଛି ଏବଂ ସେହି ଉଦ୍‍ଘାଟନ ମୋ’ ନିଜକୁ ମଧ୍ୟ ଆସି ସ୍ପର୍ଶ କରି ପାରିଛି । ମୋ’ର ଗୋଟିଏ ଗୋଟିଏ ଲେଖା, ଗୋଟିଏ ଗୋଟିଏ ସମ୍ପର୍କ ଓ ଗୋଟିଏ ଗୋଟିଏ ଘଟଣା, —ଏଗୁଡ଼ାକ ମୋ’ ଚେତନାର ଭୂମିରେ ଅଧିକରୁ ଅଧିକ ନିବିଡ଼ ଭାବରେ ସ୍ୱୀକାର କରି ନେବାରେ ସତେଅବା ପାବଚ୍ଛ ପରି କାର୍ଯ୍ୟ କରିଛନ୍ତି । ସେଇଥିଲାଗି ଏହି ସବୁକିଛି ମୋ’ର ଅନ୍ତର୍ଗତ ଜୀବନର ଗୋଟିଏ ଗୋଟିଏ ଅଂଶ ହୋଇ ରହିଛନ୍ତି, ଅଥବା ମୁଁ ବି କାଳକ୍ରମେ ସେହିସବୁର ଗୋଟିଏ ଗୋଟିଏ ଅଂଶରେ ପରିଣତ ହୋଇଯାଇଛି ।

 

୮ । ୫ । ୮୨

 

ସାହିତ୍ୟ ଭିତରେ ଯିଏ ଚିରନ୍ତନକୁ ଖୋଜି ବାହାରିବ ସିଏ ସାହିତ୍ୟକୁ କଦାପି ଏକ ବିଳାସ ପରି ଗ୍ରହଣ କରି ପାରିବନାହିଁ । ସିଏ ସାହିତ୍ୟକୁ ସମଗ୍ର ଜୀବନର ସମବାଚୀ କରି ଗ୍ରହଣ କରିବି । ଯାବତୀୟ କଥାର ନାନା ପ୍ରସ୍ଥ ଭିତରେ ଗଭୀରତାର ମଧ୍ୟ ଗୋଟିଏ ପ୍ରସ୍ଥ ରହିଛି । ସେହି ଗଭୀରତାର ପ୍ରସ୍ଥକୁ ସ୍ପର୍ଶ କରି ପାରିଲେ ହିଁ ସାହିତ୍ୟ ଭିତରେ ଚିରନ୍ତନକୁ ଅନୁଭବ କରି ହେବ । ମୁହୂର୍ତ୍ତ ଭିତରେ ଚିରକାଳ ଅର୍ଥାତ୍‍ ଚିରବର୍ତ୍ତମାନଙ୍କୁ ଅନୁଭବ କରିବା ସମ୍ଭବ ହେବ । ନିଜର ତଥାକଥିତ ବ୍ୟକ୍ତିଗତ ଜୀବନରେ ବି ଏକ ଗଭୀରତା-ପ୍ରସ୍ଥ ରହିଛି । ନିଜ ଜୀବନରେ ସେହି ପ୍ରସ୍ଥଟିକୁ ଚିହ୍ନି ପାରିଲେ ଓ ସେଇଟିକୁ ନିଜର ଜୀବନରେ ବଞ୍ଚିବା ଲାଗି ଆପଣାକୁ ସ୍ଵଭାବତଃ ପ୍ରେରିତ କରି ରଖିପାରିଲେ ଯାଇ ଜଣେ ମଣିଷ ଗଭୀରତାଟିକୁ ଖୋଜିବାଲାଗି ଆକାଂକ୍ଷୀ ହେବ ।

 

ଯାହା ଅଛି, ତାହା ସବା ତଳୁ ସବା ଉପରିଭାଗ ପର୍ଯ୍ୟନ୍ତ ସଞ୍ଚରିତ ହୋଇ ରହିଛି, ଯାହାକିଛି ଦୃଶ୍ୟ, ତାହା ଅଦୃଶ୍ୟର ଭୂମିଉପରେ ହିଁ କେତେ କେତେ ବ୍ୟଞ୍ଜନ ଓ ସମ୍ଭାବନା ସହିତ ଯୁକ୍ତ ହୋଇ ରହିଛି । ମୋ’ ଭିତରେ ଚିରନ୍ତନ ଶିଶୁଟିଏ ରହିଛି ବୋଲି ବାହାରେ ଅନୁରାଗୀ ଅଥୟ ଶିଶୁଟିଏ ପରି ମୁଁ ଜୀବନର ଏହି ଯାବତୀୟ ବିସ୍ତୃତି ମଧ୍ୟରେ ଧାଇଁବାରେ ଲାଗିଛି, ସେହି ଧାଇଁବାକୁ ହିଁ ଜୀବନର ଆସ୍ଵାଦନ କରିବା ବୋଲି କହୁଛି, ମୋ’ର ଯାବତୀୟ ପରିଚୟ ଓ ସମ୍ପର୍କ ସ୍ଥାପନ ମଧ୍ୟରେ ମୁଁ ଚିରନ୍ତରର ସ୍ପର୍ଶ ଲାଭ କରି ପାରୁଛି ।

 

୯ । ୫ । ୮୨

 

ବର୍ତ୍ତମାନ କେତେଟା ଦିନ ବାଟରେ କଟିବ । ବାଟ ହିଁ ଘର ହେବ । ସେହି ଘରଟିକୁ ଆଜିର ଏହି ଶୁଭାରମ୍ଭ ସମୟରେ ମୁଁ ନିଜ ଭିତରେ ହିଁ ଦେଖିବାକୁ ପାଉଛି । ଘଞ୍ଚ ଅରଣ୍ୟ, ଦୂରର ସେହି ସ୍ୱପ୍ନମୟ ଶୁଭ୍ରତା, ଆକାଶ ଆଉ ଗଡ଼ାଣିଉଠାଣିର ବାଟ, ମୁଁ ସବୁଗୁଡ଼ିକୁ ସତେଅବା ମୋ’ ଭିତରେ ହିଁ ଅନୁଭବ କରି ପାରୁଛି ।

 

ବରଷକରେ ଥରେ ଠିକ୍‍ ଏହିପରି ଭାବରେ ବାଟଟା ହିଁ ଘର ହୋଇଯାଏ । ସବୁ କାମ, ସବୁ ରୁଟିନ୍‍ ବନ୍ଦ ହୋଇଯାଏ । ମୁଁ ନିଜଭିତରୁ ବାହାରି ଚାଲିଯାଏ । ସଚେତନ ଭାବରେ ଆଉ କିଛିହେଲେ ସଂଗ୍ରହ କରିବାକୁ ଚେଷ୍ଟା କରେନାହିଁ । ସମ୍ଭବତଃ ଠିକ୍‍ ସେହି କାରଣରୁ ହିଁ ତେଣୁ ଫେରିବା ବେଳକୁ ମୁଁ ପୂର୍ଣ୍ଣ ହୋଇ ଫେରି ଆସିଥାଏ । ସମ୍ପୂର୍ଣ୍ଣ ଗୋଟିଏ ବରଷଲାଗି ଶକ୍ତି, ବିଶ୍ୱାସ ଏବଂ ଅସଲ ରଜ୍ଜଗୁଡ଼ିକୁ ନେଇ ଫେରି ଆସିଥାଏ । ଭିତର ଆଉ ବାହାର ମଧ୍ୟରେ ସ୍ଥାପିତ ହୋଇଥିବା ଏକ ଆତ୍ମୀୟତା ନେଇ ଫେରିଥାଏ । ଗୋଟାଏ ପୂରା ବର୍ଷର ଡୋରଟିକୁ ଲଗାଇ ମୁଁ ଫେରି ଆସି ପାରିଥାଏ । ମୋ’ ପଥ ମୋ’ର ଘରକୁ ଉତ୍ତୋଳନ ଆଣିଦିଏ, ଉନ୍ମୋଚନ ଆଣିଦିଏ । ତାହାକୁ ଅନେକ ପ୍ରକାରର କୁଣ୍ଠାରୁ ବିମୋଚିତ ହେବାରେ ସାହାଯ୍ୟ କରେ । ମୋ’ର ଜ୍ଞାତ ଘରଟି ଅଜ୍ଞାତ ଅନେକ ପଥକୁ ଏକ ଚିହ୍ନା ଆତ୍ମୀୟତାରେ ଅତ୍ୟନ୍ତ ନିଜର କରିଆଣେ, ନିକଟବର୍ତ୍ତୀ କରିଆଣେ, ମୋତେ ଅନେକ ବିଭ୍ରାନ୍ତି ଓ ବିରୋଧରୁ ବଞ୍ଚାଏ । ଭିତରର ଏହି କେନ୍ଦ୍ର ତଥା ବାହାରର ଏହି ପରିଧି, —ଏଗୁଡ଼ିକ ଓତଃପ୍ରୋତ ଭାବରେ ଏକ ସମଗ୍ରତାରେ ପରିଣତ ହୁଅନ୍ତି । ତା’ପରେ କେନ୍ଦ୍ର ଆଉ ପରିଧିଗୁଡ଼ିକୁ ମୁଁ ଆଉ ମୋଟେ ଅଲଗା କରି ଦେଖି ପାରେନାହିଁ । କେନ୍ଦ୍ରଗୁଡ଼ିକ ପରିଧିରେ ଓ ପରିଧିଗୁଡ଼ିକ କେନ୍ଦ୍ରରେ ପରିଣତ ହୁଅନ୍ତି ।

 

୧୦ । ୫ । ୮୨

 

ଗଛକୁ ପାହାଡ଼ ସୁନ୍ଦର ଦିଶେ, ପାହାଡ଼କୁ ଗଛ ସୁନ୍ଦର ଦିଶେ । ଏବଂ ସବୁଟିକୁ ଗୋଟିଏ ବେଢ଼ ଭିତରେ ସମ୍ଭାରି ଧରି ଏହି ଆକାଶ ମଧ୍ୟ କେଡ଼େ, ସୁନ୍ଦର ଦିଶେ । ଅଧିକାଂଶ ମଣିଷ ଏହି ଆକାଶ ସହିତ ମଜି ଯାଉ ଯାଉ ପୃଥିବୀକୁ ଭୁଲି ଯାଆନ୍ତି । ମାତ୍ର, ମୋତେ ଖାସ୍‍ ଏହି ଆକାଶଟା ସକାଶେ ହିଁ ପୃଥିବୀ ସୁନ୍ଦର ଦିଶେ, —ସମଗ୍ର ହୋଇ ଦିଶେ, —ଆକାଶ ସକାଶେ ହିଁ ପୃଥିବୀ ଏଡ଼େ ନିଜର ବୋଲି ମନେହୁଏ ।

 

ଆକାଶକୁ, ଅରଣ୍ୟକୁ ଓ ପାହାଡ଼କୁ ଭଲ ପାଉଥିବା ଓ ସେଗୁଡ଼ିକର ଅନ୍ତର ଭିତରେ ପ୍ରବେଶ କରି ପାରୁଥିବା ଲୋକେ ତଥାପି ବେଳେବେଳେ ଏହି ପୃଥିବୀର ମଣିଷମାନଙ୍କ ପ୍ରତି ଉଦାସ ହୋଇପଡ଼ନ୍ତି । ସେହି କଥାଟିକୁ ମୁଁ ମୋଟେ ବୁଝିପାରେ ନାହିଁ । ଏଠି ନଇନିତାଲରେ ମଧ୍ୟ ମଣିଷ ଅଛନ୍ତି, —ଖଟି ଖାଉଛନ୍ତି, ଦୁଃଖ ପାଉଛନ୍ତି, ନାନାଭାବେ ବଞ୍ଚିତ ହୋଇ ରହିଛନ୍ତି —ପୃଥିବୀକୁ, ପ୍ରକୃତିକୁ ଓ ଆକାଶକୁ ଭଲ ପାଇ ଶିଖିଲେ ଏହି ମଣିଷମାନେ ମଧ୍ୟ ଆତ୍ମୀୟ ପରି ଲାଗିବେ । ଯେଉଁମାନେ ଏଠାକୁ ଖାଲି ଟୁରିଷ୍ଟ ହୋଇ ଆସନ୍ତି, ସେମାନେ କୁଆଡ଼େ ମଣିଷମାନଙ୍କୁ ମୋଟେ ଦେଖି ପାରନ୍ତିନାହିଁ । ଅନେକ ମଣିଷ ପୁଣି ଏପରି ବି ଅଛନ୍ତି, ଯେଉଁମାନେ ଅନ୍ୟାନ୍ୟ ଅନେକ ମଣିଷଙ୍କୁ ବଞ୍ଚିତ ନକଲେ ଏହି ଜୀବନକୁ ଆଦୌ ଉପଭୋଗ କରି ହେବନାହିଁ ବୋଲି ଦୃଢ଼ ଭାବରେ ବିଶ୍ୱାସ କରନ୍ତି । ସେମାନଙ୍କର ଏହି ବିଶ୍ୱାସରେ, ସଂସାରନୀତି ଚାଲେ, —ଅର୍ଥନୀତି ଓ ରାଜନୀତି ଚାଲେ, —ଧର୍ମଶାସ୍ତ୍ରଗୁଡ଼ାକ ସେହି ଅନୁସାରେ ଲେଖାଯାଏ । ସେମାନଙ୍କର ମେଳରେ ମୁଁ ମୋଟେ ବସି ପାରେ ନାହିଁ କି ସେମାନଙ୍କର ଧାଡ଼ିରେ ମୋଟେ ମିଶିପାରେ ନାହିଁ । ସମସ୍ତଙ୍କୁ ବାନ୍ଧି ରଖିଥିବା ସେହି ଗୋଟିଏ ସୂତ୍ରକୁ ହୃଦୟରେ ଧରି ମୁଁ ବାଟ ଚାଲେ, ତେଣୁ ବିଭାଜନ କରିପାରେ ନାହିଁ ।

 

୧୨ । ୫ । ୮୨

 

ଅଗ୍ରଜ କହିଲେ, ‘‘ନିଶର ବାଳ ପାଚିବାକୁ ଆରମ୍ଭ କଲେ ତୁ କ’ଣ କରିବୁ ?’’ ସିଏ ବୟସରେ ଅଗ୍ରଜ, ସାହିତ୍ୟରେ ଅଗ୍ରଜ, ସଂସାରର ଅଭିଜ୍ଞତାରେ ମଧ୍ୟ ଅଗ୍ରଜ । ହୁଏତ ଅଧିକ ନୈତିକ ନିଶ୍ଚିତନା ଏବଂ ଅଧିକ ଦମ୍ଭଯୁକ୍ତ ସଂକଳ୍ପ ସହିତ ସିଏ ଏହି ଜୀବନକୁ ବଦଳାଇବା ଲାଗି ବାହାରିଥିଲେ । ବାଳ ପାଚିବା ସଙ୍ଗେ ସଙ୍ଗେ ଆଣ୍ଠୁ ମାଡ଼ି ପଡ଼ିଲେ । ନୈରାଶ୍ୟଗ୍ରସ୍ତ ହେଲେ । କିଛି କୋଉଠି କଦାପି ବଦଳି ପାରିବନାହିଁ ବୋଲି ଝକମାରି ରହିଗଲେ । ବାଳକ କୃଷ୍ଣଙ୍କର ଭଜନା କରୁ କି ସିଏ ବାଳ ପାଚିବାଠାରେ ଆସି ଅଟକିଗଲେ ।

 

ବାଳ ପାଚିଲେ ମୁଁ କ’ଣ କରିବି ? ସମ୍ଭବତଃ, ବର୍ତ୍ତମାନ ଯାହାସବୁ କରୁଛି, ତାହାହିଁ କରିବି । ଅନ୍ତତଃ ଏତିକି କଥା ଅତ୍ୟନ୍ତ ସତ ଯେ, ଏହି ବାଳ ପାଚିବାରୁ ହିଁ ମୁଁ କଦାପି କାହାର ବିଚାର କରିବାକୁ ଯିବିନାହିଁ । ବାହାରୁ ନଦେଖି ମୁଁ ଭିତରୁ ଦେଖିବି । ଭିତରୁ ଦେଖିଲେ ସବୁ ମଣିଷ ଭିତରେ ଏକ ସଖାର ଆବିଷ୍କାର କରିପାରିବି । ତାହା ମୋତେ ମଧ୍ୟ ନୂତନ ଉଷ୍ମତା ଆଣିଦେବ, ନୂତନ ଆଖି ଆଣି ଦେଉଥିବ । ଏହି ସଂସାର ପରି ଏହି ମଣିଷ ମଧ୍ୟ କେବେହେଲେ ବୁଢ଼ା ହୋଇଗଲା ପରି ମନେ ହେବନାହିଁ । ଅନ୍ୟ କାହାର ବାଳ ପାଚିବାର ସମୟ କେବେ ଆସୁଛି ବୋଲି ଗଣନା କରିବାର ଅର୍ଥ ହେଉଛି ଅନ୍ୟକୁ ଈର୍ଷା କରିବା, —ସମ୍ଭବତଃ, ନିଜ ଭିତରେ ବାଳ ପଚି ଯାଇଥିବାର ଦୁର୍ଦ୍ଦଶାଟାକୁ ବି ସହି ନପାରିବା । ମୁଁ ଆଉ ଯାହା କିଛି କରିବି ପଛକେ, ଏହି ଦୁର୍ଗତିରେ କଦାପି ପଡ଼ିବିନାହିଁ । ମୋ’ର ବାଟ ଇର୍ଷାର ବାଟ ନୁହେଁ, —ତୁଳନା କରିବାର ବାଟ ନୁହେଁ, କାରଣ, ଏହା ଦମ୍ଭର ବାଟ ମଧ୍ୟ ନୁହେଁ । କାରଣ, Zenର ଭାଷାରେ, 'To compare is odious, to compare is odorous."

 

୧୩ । ୫ । ୮୨

 

ଅସାଧୁ ସମାଜରେ ସାଧୁତାରୁ କଦାପି କୌଣସି ଫଳ ମିଳେ ନାହିଁ । ଅସାଧୁ ସମାଜରେ ଯିଏ ତଥାପି ସାଧୁ ହୁଏ, ଅର୍ଥାତ୍‍ ନିଜ ପାଖରେ ତଥା ଅନ୍ୟମାନଙ୍କ ପାଖରେ ସାଧୁ ହୋଇ ରହିବ ବୋଲି ସଂକଳ୍ପ କରି ବାହାରିଥାଏ, ସିଏ ଯଦି ସେଥିରୁ ପ୍ରକୃତରେ କୌଣସି ସଫଳତା ବା ଲାଭ ପାଇବ ବୋଲି ସେପରି କରୁଥାଏ, ତେବେ ତାହାର ସେହି ଆଚରଣକୁ ମଧ୍ୟ ଏକ ଅସାଧୁ ଆଚରଣ ବୋଲି କହିବାକୁ ହେବ । ଆମ ପିଲାଦିନେ ଆମକୁ ଏହିପରି ଅନେକ ଗପ କୁହାଯାଏ, ଯେଉଁଥିରେ କି ଜଣେ ବ୍ୟକ୍ତି ସାଧୁ ହେବାରୁ କେତେ ନା କେତେ ଫଳପାଇଥାଏ; ସାଧୁ ହୋଇ ଦରିଦ୍ର ଧନୀ ହୁଏ, ସାଧାରଣ ମଣିଷଟାଏ ଶେଷକୁ ଜଣେ ବଡ଼ଲୋକର ଝିଅକୁ ମଧ୍ୟ ବିବାହ କରି ପାରିବାର ସୌଭାଗ୍ୟ ଲାଭ କରେ । ଏହି ଗପସବୁ ବାଜେ ଗପ । ଏହାଦ୍ୱାରା କୌଣସି ନୈତିକତା ବଢ଼େନାହିଁ; ଅର୍ଥାତ୍‍, ଗୋଟାଏ ନୀତିହୀନ ସମାଜକୁ ନିତୀଯୁକ୍ତ କରିବାରେ ଏଗୁଡ଼ାକୁ ମୋଟେ କୌଣସି ସାହାଯ୍ୟ କରନ୍ତିନାହିଁ । ଜଣେ ମଣିଷର ଧନଲାଭ ବା ଭାଗ୍ୟଲାଭରେ ହୁଏତ କିଞ୍ଚିତ ସାହାଯ୍ୟ କରିଥାନ୍ତି । ସିନା, ମାତ୍ର ଆଉ ଅଧିକ କିଛିହେଲେ କରିପାରନ୍ତି ନାହିଁ ।

 

ନିଜ ଭିତରେ ଓ ନିଜ ବାହାରେ ସଂସ୍କାରବତ ଦୃଢ଼ ବୋଇ ରହିଥିବା ପ୍ରାୟ ଏକ ଧର୍ମ ହୋଇ ରହିଥିବା ଅସାଧୁତାର ସମ୍ମୁଖୀନ ହେବାକୁ ଓ ତା’ ମୂଳରେ ପ୍ରେରକ ପରି ହୋଇ ରହିଥିବା ଭୁଲ ସ୍ୱତଃସିଦ୍ଧଗୁଡ଼ାକୁ ଟଳାଇବା ସକାଶେ ଯେଉଁ ସାଧୁତା ସମର୍ଥ ହୋଇପାରିବ, ବର୍ତ୍ତମାନ ସେହି ସାଧୁତା ସବୁଠାରୁ ଅଧିକ ପରିମାଣରେ ଦରକାର । ସେଇ ସାଧୁତା ସବାଆଗ ଦରକାର । ବର୍ତ୍ତମାନ ଏପରି ମଣିଷ ଦରକାର, ଯେଉଁମାନେ ନିଜର ସୁଖଲାଗି ଅଥବା ସଫଳତା ଲାଗି ସାଧୁ ହେବେନାହିଁ କିମ୍ବା କଷ୍ଟ ସହିବେ ନାହିଁ; —ସେମାନେ ଏହି ସମାଜର ପୁରୁଣା ଚେରଗୁଡ଼ାକୁ ବଦଳାଇ ଦେଇ ପାରୁଥିବେ । ଯେଉଁମାନେ ତଦୁପଯୁକ୍ତ ଭାବରେ ସାହସା ହୋଇଥିବେ ବିଶ୍ୱାସୀ ହୋଇଥିବେ ଭଗବତ୍‍ ପ୍ରେରିତ ଭାବରେ ସାଧୁ ହୋଇ ପାରିଥିବେ ।

 

୧୪ । ୫ । ୮୨

 

ଜର୍ମାନୀର ବନ୍ଧୁ ଜଣକ କାଲି କହିଲେ, ପୂର୍ବଜନ୍ମରେ ଖୁବ୍‍ ସମ୍ଭବ ମୁଁ ସ୍କାଣ୍ଡିନେଭିଆରେ ଜନ୍ମଗ୍ରହଣ କରିଥିଲି । ମୁଁ ଯୋଉଠି ଜନ୍ମଗ୍ରହଣ କରିଥାଏ ନା କାହଁକି, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ମୁଁ ସେଠାରେ ମଧ୍ୟ ମୋ’ର ପୃଥିବୀଟିକୁ ଭଲ ପାଇଥିଲି, ମାୟାରେ ପଡ଼ିଥିଲି । ଡୋର ବାନ୍ଧିଥିଲି ଓ ତଥାପି ଆଦୌ କୌଣସି ପ୍ରକାରର ଆର୍ତ୍ତତା ଭିତରେ ମୋଟେ ପଡ଼ି ଯାଇନଥିଲି, ତଥାପି ଅଭିଯୋଗ କରି ନଥିଲି; ଧୋକା ଖାଇଥିଲି, ତଥାପି ମଣିଷମାନଙ୍କୁ ଖରାପ ବୋଲି କହି ନଥିଲି । କେତେଥର ଝୁଣ୍ଟି ପଡ଼ିଥିଲି ତଥାପି ଅଟକି ଯାଇନଥିଲି । ବିଫଳ ହୋଇଥିଲି ତଥାପି ଆପଣାକୁ ହୀନ ବା ହତଭାଗ୍ୟ ବୋଲି ମୋଟେ ମନେ କରିନଥିଲି । ବାଟରେ କେତେ ପ୍ରକାରର ଶତ୍ରୁତାକୁ ଅଙ୍ଗେ ନିଭାଇଥିଲି ସତ, ମାତ୍ର ତଥାପି ମଣିଷ ଭିତରେ ବନ୍ଧୁକୁ ହିଁ ଖୋଜିବୁଲୁଥିଲି ।

 

ସେହି ପୃଥିବୀରେ ନିଶ୍ଚୟ ଆକାଶ ଥିଲା । ସେଠାରେ ପ୍ରତିଦିନ ସୂର୍ଯ୍ୟୋଦୟ ବି ହେଉଥିଲା । ହୁଏତ ମନକଲା ମାତ୍ରକେ ସୂର୍ଯ୍ୟୋଦୟ ହୋଇ ଆସିଲା ପରି ମନେ ହେଉଥିଲା । ମନ କଲାମାତ୍ରକେ ଅନେକ ନିର୍ଭୟ ଦେଇ ଚଢ଼େଇମାନେ ଉଡ଼ି ଯାଉଥିଲେ, —ପବନ ବହୁଥିଲା ଓ ଏହି ସବୁଯାକ ଶୂନ୍ୟ ଶବ୍ଦମୟ ଅର୍ଥାତ୍‍ ଉତ୍ସାହମୟ ହୋଇ ଉଠୁଥିଲା । ମୋ’ ଚାରିପାଖରେ ଲୋକେ ସେହି ପୃଥିବୀକୁ ସମ୍ଭବତଃ ସ୍କାଣ୍ଡିନେଭିଆ ବୋଲି କହୁଥିଲେ । ବର୍ତ୍ତମାନର ଚାରିପାଖର ଲୋକେ ଯେପରି ଏକ ପୃଥିବୀଟାକୁ ଭାରତବର୍ଷ ବା ଓଡ଼ିଶା ବୋଲି କହୁଛନ୍ତି ଠିକ୍‍ ସେହିପରି । ଏଠି ଯେପରି ସବୁ କିଛି ଘର ପରି ଲାଗୁଛି ସେଠି ବି ସେମିତି ଘରପରି ଲାଗୁଥିଲା । ଭୁବନଟାଯାକ ଗୋଟିଏ ନୀଡ଼ ଭିତରେ ସମାହିତ ହୋଇ ରହିଥିବା ପରି ମନେ ହେଉଥିଲା । ‘‘ଅଭୟଂ ମିତ୍ରାତ ଅଭୟଂ ଅମିତ୍ରାତ’’ ବୋଲି କହି ହେଉଥିଲା ।

 

୧୫ । ୫ । ୮୨

 

ଅତୀତର ବୀର ଓ ଦେଶଭକ୍ତମାନଙ୍କୁ ସ୍ମରଣ କରି ଆମେ ଭାରତବର୍ଷରେ ଏପରି ଦୟନୀୟ ଭାବରେ ଭୀରୁ ହୋଇ ପାରୁଛୁ କିପରି ? ସେମାନଙ୍କୁ ମନେ ପକାଇ ଆମେ କେଡ଼େ ଗୌରବ ଅନୁଭବ କରୁଛୁ, ସେମାନଙ୍କୁ ଆମର ବୋଲି କହି ଆମେ ଆପଣାକୁ କେଡ଼େ ଧନୀ ବୋଲି ଅନୁଭବ କରୁଛୁ । ମାତ୍ର ତଥାପି ଭୀରୁ ହୋଇ ରହିପାରୁଛୁ ? ଭୀରୁ ଅର୍ଥାତ୍‍ ସୁବିଧାବାଦୀ ଓ ନିରାପତ୍ତାବାଦୀ ହୋଇ ରହିପାରୁଛୁ କିପରି ? ସେଇଥିଲାଗି ବେଳେ ବେଳେ ମନେହୁଏ ଯେ, ସେମାନେ ପ୍ରକୃତରେ ଆମର ନୁହନ୍ତି । ସେମାନେ ଏହି ଦେଶରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ବର୍ତ୍ତମାନ ଏହି ଦେଶକୁ ଆମର ବୋଲି ଦାବି କରୁଥିବା ଆମମାନଙ୍କର ଆଦୌ ନୁହନ୍ତି । ସେମାନଙ୍କର ଗୌରବରେ ଆମର କୌଣସି ଅଧିକାର ନାହିଁ ।

 

ଏବଂ ସମ୍ଭବତଃ ସେଇଥିଲାଗି ହିଁ, ଯେତେବେଳେ ଆମ ପାଟିରୁ ଆମ ପିଲାମାନେ ସେହି ବୀରମାନଙ୍କର କଥା ଶୁଣୁଛନ୍ତି, ସେତେବେଳେ ସେମାନେ ସେହି କଥାଗୁଡ଼ିକରୁ ଆଦୌ ଅସଲ ପ୍ରେରଣାଟିକୁ ଅନୁଭବ କରି ପାରୁନାହାନ୍ତି । ଆମ ପାଟିରୁ ବାହାରିବା ସମୟରେ ସମ୍ଭବତଃ ସେମାନଙ୍କର ଗାଥାଗୁଡ଼ାକ ବି ଭୀରୁମାନଙ୍କର କଥାପରି ଶୁଣାଯାଉଛି, ପ୍ରଧାନତଃ ଏକ ବିରୋଧକୁ ହିଁ ପ୍ରକଟ କରୁଛି, —କେବଳ କେତେଟା ଶବ୍ଦପରି ହିଁ ଶୁଣାଯାଉଛି ଓ ତେଣୁ ଅସଲ ଭାବଟିକୁ ମୋଟେ ସଂକ୍ରମିତ କରି ପାରୁନାହିଁ । ଅର୍ଥାତ୍‍, କଥାରେ ଖୁବ୍‍ ବେଶୀ ମୂଲ୍ୟ ନାହଁ । ସେହି କଥାଟିକୁ କିଏ କହୁଛି, କଥାଟିର ମହତ୍ତ୍ୱ ତାହା ଉପରେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରୁଛି । ତେଣୁ ଅସାଧୁର ମୁହଁରେ କଥାଗୁଡ଼ାକର ମହତ ଯାଉଛି । ଯେଉଁ ଇତିହାସ ପ୍ରେରଣା ଦିଅନ୍ତା, ତାହା ମୁଖ୍ୟତଃ ବହିପାଠ ହୋଇ ରହିଯାଉଛି ।

 

୧୬ । ୫ । ୮୨

 

ମଣିଷ ମଣିଷର ବନ୍ଧୁ ହେବାକୁ ମନ କଲେ ତା’ ନିଜ ଭିତରେ ଯେ ପ୍ରକୃତରେ କେତେ କ’ଣ ଦ୍ୱାରା ଉନ୍ମୋଚିତ ହୋଇଯାଏ, ମଣିଷ ସତକୁ ସତ ସମ୍ମତ ହୋଇଗଲେ ଯେ ତା’ ଭିତରେ ସେ କେତେ ପ୍ରକାରେ କେତେ ଯୋଗ୍ୟ ହୋଇଯାଏ, ଠିକ୍‍ ଚାଳିଶ ବର୍ଷ ତଳେ ମୁଁ ସେହି କଅଁଳ ବୟସରେ ତାହାର ଏକ ପରିଚୟ ପାଇଥିଲି ।

 

ସେଇ ଦିନଠାରୁ ମୁଁ ମଣିଷ ଭିତରେ ଭଲଟାକୁ ହିଁ ସବାଆଗ ଚିହ୍ନିବାକୁ ଚେଷ୍ଟା କରି ଆସିଛି । ସବୁ ପ୍ରକାରର ଖୋଳ ସତ୍ତ୍ୱେ ପ୍ରତ୍ୟେକ ମଣିଷର ଭିତରେ ଯେ ସବାତଳେ ବନ୍ଧୁଟିଏ ବସି ରହିଛି, ଅପେକ୍ଷା କରି ବସିଛି ଓ ଅନ୍ୟମାନଙ୍କ ଭିତରେ ବନ୍ଧୁକୁ ହିଁ ଖୋଜିବାରେ ଲାଗିଛି, ମୋ’ ନିଜ ଭିତରେ ମୁଁ ସେଇ ଦିନଠାରୁ ସେହି ବିଶ୍ୱାସଟିକୁ ଅଧିକରୁ ଅଧିକ ବଢ଼ାଇବା ଲାଗି ଚେଷ୍ଟା କରି ଆସିଛି । ହୁଏତ ସେଇ ବାଟରେ ଆହୁରି ଆଗକୁ ଯାଇ ମୁଁ ଭଗବାନଙ୍କୁ ବନ୍ଧୁରୂପେ ଆବିଷ୍କାର କରିଛି । ଯିଏ ଅଯାଚିତ ଭାବରେ ଦିଏ, ମୁକ୍ତ ଭାବରେ ଦିଏ, ଉଜ୍ଜ୍ୱଳ କରେ ଓ ଆଲୋକିତ କରିଦିଏ, ସେଇ ହେଉଛି ବନ୍ଧୁ । ଏହିପରି ଭାବରେ ସମ୍ଭବତଃ ମୁଁ ସୂର୍ଯ୍ୟକୁ ହିଁ ଆପଣା ଜୀବନର ସର୍ବଶ୍ରେଷ୍ଠ ପ୍ରତୀକ ବୋଲି ଅନୁଭବ କରି ଶିଖିଛି । ଆଖି ବୁଜିଲା ମାତ୍ରକେ ଭିତରେ ଓ ବାହାରେ ଆଲୋକ ଦେଖିଛି, ଲୋଡ଼ିଲା ମାତ୍ରକେ ଆପଣାର ଭିତରେ ଓ ବାହାରେ ସତେଅବା କେଉଁ ଆତ୍ମୀୟଜନକୁ ଅନୁଭବ କରିଛି । ଏବଂ ସମ୍ଭବତଃ ସେହି କାରଣରୁ ହିଁ, ମୁଁ ନିଜ ଜୀବନରେ ଶିକ୍ଷକର ଧନ୍ଦାଟିକୁ ଆଦରି ନେଇଛି, ସେହି ଧନ୍ଦାଟିକୁ ଏକ ବ୍ରତରେ ପରିଣତ କରିବାକୁ ଚେଷ୍ଟା କରିଛି । ଏବଂ ତାହରିଦ୍ୱାରା ହିଁ ମୋ’ ଭିତରେ ସମସ୍ତ ଶକ୍ତି ଓ ସମସ୍ତ ବ୍ୟାକୁଳତା ଗୋଟିଏ ଛତ୍ର ହୋଇ ପ୍ରତ୍ୟହ ଜନ୍ମଲାଭ କରିବାରେ ଲାଗିଛି ।

 

୧୭ । ୫ । ୮୨

 

ଏହି ପୃଥିବୀଗୋଟାକରେ ସମ୍ଭବତଃ ମଣିଷ ହେଉଛି ଏଭଳି ଏକମାତ୍ର ପ୍ରାଣୀ, ଯିଏକି ଆପଣାର ନିନ୍ଦା କରିବାରେ ଗୋଟାଏ ପ୍ରକାରର ଆନନ୍ଦ ଅନୁଭବ କରେ । ମଣିଷ ଅଧିକ ଚତୁର ହୋଇଥିଲେ ସିଏ ଏପରି ନିନ୍ଦାଦ୍ୱାରା ସମ୍ଭବତଃ ଅଧିକ ଆନନ୍ଦ ଅନୁଭବ କରିଥାଏ । ଏହି ଚତୁରତା ପଛରେ ଏକ ପ୍ରକାରର ଅହଙ୍କାର ନିହିତ ହୋଇ ରହିଥାଏ, ଯାହାକୁ କି ମଣିଷ ଅନେକ ସମୟରେ ଏକ ଗର୍ବ ବୋଲି ବି ଅନୁଭବ କରେ ଓ ସେହି ଅନୁଭବରୁ ଅନେକ ଆନନ୍ଦ ପାଏ ।

 

ମଣିଷର ସଂସାରରେ ଏବେ ଯେଉଁ ସବୁ ବିଭ୍ରାଟ ମଣିଷର ଭାଗ୍ୟକୁ ସତେଅବା ଚାରିଆଡ଼ୁ କାମୁଡ଼ି ଧରିଥିବା ପରି ମନେ ହେଉଛି, ସେହି ବିଭ୍ରାଟଗୁଡ଼ାକ ଅଧିକାଂଶତଃ ଏହି ଚତୁର ମଣିଷର ହିଁ ସୃଷ୍ଟି । ଭକ୍ତ ଯେତେବେଳେ ଚତୁର ହୁଏ, ଯେତେବେଳେ ଆଦର୍ଶବାଦୀ ଚତୁର ହୁଏ, ବିଦ୍ୟା ଯେତେବେଳେ ଚତୁର ହେବାକୁ ହିଁ ସବୁଠାରୁ ଅଧିକ ଲାଭଜନକ ବୋଲି ବିଶ୍ୱାସ କରେ, ଯେତେବେଳେ ଶ୍ରଦ୍ଧାମାନେ ଉତ୍ତେଜିତ ହୋଇ ପ୍ରାୟ ଏକ ଚତୁରତାର ସହିତ ସଂସାର ଭିତରେ କେବଳ ଆପଣାକୁ ହିଁ ଦେଖିବାରେ ଲାଗିଯାଆନ୍ତି ଯେତେବେଳେ ଭୟ ଚତୁର ହୋଇ ଆପଣାର ଚାରିପାଖରେ ଉଚ୍ଚ ପାଚେରୀମାନ ତିଆରି କରି ପକାଏ ଏବଂ ତାହାକୁ ହିଁ ଚତୁରତା ବୋଲି କହିବାକୁ ଆରମ୍ଭ କରେ, ଜୀବନରେ ସେତିକିବେଳେ ହିଁ ଯାବତୀୟ ବିଭ୍ରାଟ ଆସି ପହଞ୍ଚେ । ସେହି ବିଭ୍ରାଟର ମଣିଷ ଭିତରେ ଏକ ଉପଦ୍ରବଶକ୍ତି ଜନ୍ମଲାଭ କରେ । ସେତେବେଳେ ହିଂସ୍ର ହେବାକୁ ଭାରି ମନ ହୁଏ ଓ ଆପଣା ଭିତରେ ରହିଥିବା ଯାବତୀୟ ପ୍ରେରଣା ଅହଙ୍କାରୀ ହୋଇ ଜୀବନ ବିରୁଦ୍ଧରେ ଖଡ଼୍‍ଗଧାରଣ କରି ବାହାରନ୍ତି । ଆପଣାକୁ ଓ ଜଗତକୁ ଅଧିକ ନିଷ୍କପଟ ଭାବରେ ସ୍ୱୀକାର କରିନେଇ ପାରିଲେ ଯାଇ ଏହି ପ୍ରମାଦରୁ ରକ୍ଷା ମିଳିବା ସମ୍ଭବ ହୁଏ ।

 

୧୮ । ୫ । ୮୨

 

କାଲି ଚିଲିର ସେହି ବନ୍ଧୁଜଣକ ତାଙ୍କ ପୁରୀଯାତ୍ରାର ଅଭିଜ୍ଞତା କଥା କହୁଥିଲେ । ସେ ଜଗନ୍ନାଥଙ୍କୁ ସିଂହଦ୍ୱାରରୁ ଦର୍ଶନ କରି ଫେରିଲେ । ଭିତରକୁ ଯିବାଲାଗି ଅନୁମତି ପାଇଲେ ନାହିଁ । ସିଏ କହୁଥିଲେ, ମୁଁ ଭାବୁଛି ସ୍ୱର୍ଗର ସମଗ୍ର ସାମ୍ରାଜ୍ୟଟିରେ ହିନ୍ଦୁମାନଙ୍କ ସକାଶେ ନିଶ୍ଚୟ ଗୋଟାଏ ଅଲଗା ସ୍ୱର୍ଗ ସହୀ ଅଲଗା ହୋଇ ରହିଥିବ । ହିନ୍ଦୁମାନେ ମୃତ୍ୟୁ ପରେ ସେହି ଅଲଗା ସ୍ଵର୍ଗରେ ଯାଇ ରହୁଥିବେ । ସେହ ସ୍ୱର୍ଗ ମଧ୍ୟକୁ ଅନ୍ୟମାନଙ୍କୁ ପ୍ରବେଶ କରିବା ଲାଗି ମୋଟେ ଅନୁମତି ମିଳୁନଥିବ । ସମ୍ଭବତଃ ଏହିପରି ଏକ ସ୍ୱତନ୍ତ୍ର କଳ୍ପନା ଦ୍ୱାରା ପ୍ରଭାବିତ ହୋଇ ହିନ୍ଦୁମାନେ ଏହି ପୃଥିବୀରେ ମଧ୍ୟ ଆପଣାର ମନ୍ଦିର ଭିତରକୁ ଆଉ ପ୍ରବେଶ କରିବାକୁ ଦିଅନ୍ତି ନାହିଁ । ସେମାନେ ଅନ୍ୟମାନଙ୍କୁ ସତେଅବା ଇତର ବୋଲି ମନେ କରନ୍ତି ।

 

ଅଥଚ ଆପଣାର ନାଥଙ୍କୁ ଜଗନ୍ନାଥ ବୋଲି କହନ୍ତି, —ପୁରୁଷୋତ୍ତମଙ୍କୁ ହିଁ ପୁରୁଷର ଭାଗବତ ଆଦର୍ଶରୂପେ କଳ୍ପନା କରନ୍ତି । କେବଳ ନିଜକୁ ହିଁ ସମଗ୍ର ଜଗତ ବୋଲି ଭାବିବାର ଭ୍ରମରେ ପଡ଼ିଗଲେ ମଣିଷ ଏହି ଭ୍ରାନ୍ତିଟାକୁ ନାନା ବୈଭବ ଦେଇ ଧର୍ମ ବୋଲି, ପୁଣ୍ୟ ବୋଲି ଓ ଉପାସନା ବୋଲି କାମୁଡ଼ି କରି ଧରିଥାଏ । ଉଗ୍ର ହୁଏ, ଅହଙ୍କାରୀ ହୁଏ, ସତେଅବା ଆପଣାର ଗୁମ୍ଫାଟାକୁ ହିଁ ସକଳ ବିସ୍ତାର ବୋଲି ଅନୁଭବ କରିବାର ଉତ୍ତେଜନା ଭିତରେ ପଡ଼ି ରହିଥାଏ । ମଣିଷର ଜଗତ ଯେତିକି ବଡ଼ ବା ସାନ, ତାର ଜଗନ୍ନାଥ ମଧ୍ୟ ହୁଏ ଠିକ୍‍ ସେତିକି ବଡ଼ ବା ସାନ । ସିଏ ସାନ ହେଲେ ତା’ର ଜଗତ ମଧ୍ୟ ସାନ ହୋଇଯାଏ, ଏବଂ ସେହି ଜଗତ ଭିତରେ ବସିଥିବା ଜଗନ୍ନାଥ-ପିତୁଳାଟି ମଧ୍ୟ ସେହିପରି ସାନ ହୋଇ ରହିଯାଆନ୍ତି ।

 

୧୯ । ୫ । ୮୨

 

ଭିତରେ ଶକ୍ତି ଭରପୂର ହୋଇ ରହିଥିବ, ମାତ୍ର ନିଜର ଖାସ କୌଣସି ambition ନଥିବ, —ସମର୍ପଣ କହିଲେ ବସ୍ତୁତଃ ତାହାକୁ ହିଁ ବୁଝାଇବ ନାହିଁ କି ? ଭିତରେ ଶକ୍ତିଗୁଡ଼ିକ ପ୍ରସ୍ତୁତ ହୋଇ ରହିଥିବେ, ସମ୍ମତ ହୋଇ ରହିଥିବେ, —ଅଥଚ ଆପଣାର ଗତିପ୍ରେରଣା ଗୁଡ଼ିକୁ କୌଣସି ପ୍ରକାର ସ୍ୱାର୍ଥକାମୀ ଓ ସ୍ୱସଫତାପ୍ରୟାସୀ ଗହ୍ୱର ଭିତରକୁ ଟାଣି ଆଣିବାକୁ ମୋଟେ କୌଣସି ଚେଷ୍ଟା କରୁନଥିବେ । ତାହାକୁ ହିଁ ଅସଲ ଉନ୍ମୋଚନ ବୋଲି କୁହାଯାଇ ପାରିବ ।

 

ମୋ’ର ଯାବତୀୟ ପ୍ରୟାସ ଓ ଯାବତୀୟ ପ୍ରେରଣା ମୋତେ ଏହିପରି ଏକ ସଦାଉଦ୍ୟତତା ଲାଗି ଯୋଗ୍ୟ କରି ରଖିଥାଉ । ମୁଁ ଏହି ଘରେ ସବୁଦିନେ ସନ୍ତାନରୂପେ ହିଁ ପ୍ରସ୍ତୁତ ହୋଇ ରହିଥାଏ । ସଂସାରରୁ ସବୁକିଛିକୁ ଟାଣି ଟୁଣି ସମ୍ପତ୍ତିରୂପେ, ଖ୍ୟାତିରୂପେ ଓ ଖାସ୍‍ ନିଜର ରୂପେ ଜମା କରି ରଖିବାର ଅପକର୍ମ ଗୁଡ଼ାକ ଲାଗି ରହିଥିବା ପର୍ଯ୍ୟନ୍ତ ଭିତରର ଅସଲ ଧ୍ୟାନୀ ନେତ୍ରଟି କୌଣସି ଦିଗ୍‍ବଳୟ ପାଇପାରେ ନାହିଁ । ତାର ଡେଣାଗୁଡ଼ିକ ସତେ ଯେପରି ଆଉ କେଉଁ ରାକ୍ଷସ ପାଖରେ ବଶ ହୋଇ ରହିଥାଏ । ଓ ତେଣୁ ଅସଲ ଚାରଣାଗୁଡ଼ିକ ଲାଗି ଏକାନ୍ତ ଅସମ୍ମତ ହୋଇ ରହିଥାଏ । ତେଣୁ, ବାହାରେ ଯାବତୀୟ ଭୃତ୍ୟଗିରି ଲାଗି ରହିଥିଲେ ମଧ୍ୟ ଭିତରେ ପ୍ରକୃତରେ କୌଣସି ପ୍ରସ୍ତୁତି ସମ୍ଭବ ହୁଏନାହିଁ । ମୋ’ର ସକାଳ ଓ ସନ୍ଧ୍ୟା ମୋତେ ସେହିସବୁ ଦୁର୍ଗତିରୁ ସତତ ବଞ୍ଚାଇ ରଖିଥାନ୍ତୁ । ଖାସ୍‍ ନିଜର ଆଶା ଓ ନିଜର ପ୍ରାର୍ଥନା କହିଲେ ମୁଁ ହୁଏତ ଏମିତିକୁ ହିଁ ବୁଝିବି ।

 

୨୦ । ୫ । ୮୨

 

ଏହି ପାହାଡ଼କୁ ଅନାଇ ଧ୍ୟାନରେ ବସିଥିବା ସମୟରେ ମୁଁ କ୍ରମେ ଆପଣା ଭିତରେ ଏଇ ପାହାଡ଼ଗୁଡ଼ିକୁ ହିଁ ଅନୁଭବ କରି ପାରୁଛି । ନିଜ ଭିତରକୁ ଅନାଇ ମୁଁ ସବୁଜ ଅରଣ୍ୟକୁ ଦେଖି ପାରୁଛି, ଏହି ବିରାଟ ଆକାଶକୁ ପ୍ରତ୍ୟକ୍ଷ କରି ପାରୁଛି । ଠିକ୍‍ ସେହିପରି, ମୁଁ ମଣିଷକୁ ଅନାଇ ରହିଥିବା ସମୟରେ ତାକୁ ମୋ’ ନିଜ ଭିତରେ ମଧ୍ୟ ଅନୁଭବ କରି ପାରିବି । ଏହି ଆକାଶ, ଅରଣ୍ୟ ଓ ପାହାଡ଼ ମଧ୍ୟଦେଇ ସୂତ୍ରଟି ମୋ’ଠାରୁ ଅନ୍ୟ ସବୁ ମଣିଷଙ୍କ ମଧ୍ୟକୁ ପ୍ରଲମ୍ବିତ ହୋଇ ରହିଛି, ଯାହା ମୋତେ ଏହି ସବୁଟି ସହିତ ସଂଯୁକ୍ତ କରି ରଖିଛି, ସେହି ସୂତ୍ରଟିର ମାଧ୍ୟମରେ ହିଁ ମୁଁ ଅନ୍ୟ ସବୁ ମଣିଷଙ୍କୁ ମଧ୍ୟ ଆପଣା ଭିତରେ ଅତ୍ୟନ୍ତ ଭୟମୁକ୍ତ ଭାବରେ ଅନୁଭବ କରି ପାରିବି । ମଣିଷମାନଙ୍କର ମୁକ୍ତିର ପଥ ପରସ୍ପରଠାରୁ ମୋଟେ ଅଲଗା ନୁହେଁ । ଏହି ପଥଗୁଡ଼ିକ ମଧ୍ୟରେ ଆଦୌ କୌଣସି ପ୍ରତିଦ୍ୱନ୍ଦ୍ୱିତା ନାହିଁ । ଏହି ପଥଗୁଡ଼ିକ ପ୍ରତ୍ୟେକ ବ୍ୟକ୍ତିର କେନ୍ଦ୍ରଟି ଭିତରୁ ଶ୍ରଦ୍ଧାଦ୍ୱାରା ପ୍ରେରିତ ହୋଇ ସବୁଟି ସହିତ ସଂଯୁକ୍ତ ହୋଇ ରହିବାର ଏକ ବ୍ୟାକୁଳତା ଦ୍ୱାରା ପରସ୍ପର ମଧ୍ୟକୁ ହିଁ ସମାହିତ ହୋଇ ଆସିଛି ।

 

ତେଣୁ, ସଂସାରରୁ ଖସି ଚାଲିଯିବାର ଆଦୌ କୌଣସି ପ୍ରଶ୍ନ ହିଁ ନାହିଁ । ସଂସାରରୁ ବିମୁଖ ହେଲେ ଯେ ଯାଇ ଜଣେ ମଣିଷ ଈଶ୍ଵରମୁଖ ହୋଇପାରିବ ଓ ତେଣୁ ଅସଲ ବାଟଟିକୁ ପାଇ ପାରିବ, ଏପରି ଏକ ଅନ୍ଧବିଶ୍ୱାସ ସକାଶେ ମଧ୍ୟ ଆଦୌ କୌଣସି ଆବଶ୍ୟକତା ନାହିଁ । ଆମେ ଯେଉଁମାନେ ଅନେକ ସଂସ୍କାର ଓ ଶାସ୍ତ୍ରଜାଲ ଭିତରେ ବଣା ହୋଇ ଆପଣାର ବିଭେଦକ ବୁଦ୍ଧିଗୁଡ଼ାକ ଦ୍ୱାରା ହିସାବ କରି ମଣିଷର ସଂସାରଟାକୁ ଏପରି ଦୟନୀୟ ଭାବରେ ବିକଳ ଓ ଉତ୍ତେଜିତ କରି ରଖୁଛି, ଆମେ ପ୍ରକୃତରେ ଆମ ନିଜର ପଥଗୁଡ଼ିକୁ ମଧ୍ୟ ନାନା ବାଧା ଓ ନାନା ଗ୍ରନ୍ଥିଦ୍ୱାରା ଭାରି ଅସମ୍ମତ କରି ରଖିଛୁ, ଆପଣାକୁ ପ୍ରକୃତରେ ଭାରି ଅସଂଲଗ୍ନ କରି ରଖିଛୁ ।

 

୨୧ । ୫ । ୮୨

 

ବେଳେବେଳେ, ଯେତେବେଳେ ଜୀବନଟା ପ୍ରାୟ କେବଳ ଏକ ପୁନରାବୃତ୍ତି ବୋଲି ମନେହୁଏ, ସେତେବେଳେ ଆପଣା ଭିତରେ ସତେଅବା ସବୁଯାକ ନୈରାଶ୍ୟ ଆସି ଏକାବେଳେକେ ଷଡ଼ଯନ୍ତ୍ର କରିବାକୁ ମନ କରନ୍ତି । ସେମାନେ କେତେ ଫିକର କରି ଆସିଥିବା ପରି କହନ୍ତି, ‘‘ତୋ’ ଦ୍ୱାରା ପ୍ରକୃତରେ କିଛିହେଲେ ସମ୍ଭବ ହେବନାହିଁ, ତୁ ଯୋଉଠି ଅଛୁ, ସେଇଠି ଚିରଦିନ ରହିଯିବୁ, —ତେଣୁ ଏହି ବୃଥା ଉଦ୍ୟମଗୁଡ଼ାକୁ ଛାଡ଼ିଦେ’, ନିଜ ଉପରେ ରହିଥିବା ସବୁ ଉପ୍ରୋଧ ଅର୍ଥାତ୍‍ ସବୁ ବିଶ୍ୱାସକୁ ଛାଡ଼ି ଦେ’, —ଦୁଆରଗୁଡ଼ାକୁ ପୂରାପୂରି ବନ୍ଦ କରି ଦେ ।’’

 

ମଣିଷ ଯେତେବେଳେ ଏମିତି ଏକ ଅସହାୟ ଅବସ୍ଥାକୁ ନିଜ ଭିତରେ ସ୍ୱୀକାର କରିନିଏ, ସମ୍ଭବତଃ ସେତିକିବେଳେ ହିଁ ସିଏ ତାର ଅସଲ ସହାୟଟି ତା’ ଭିତରେ ରହିଛି ବୋଲି ଭୁଲିଯାଏ । ସେତେବେଳେ ସିଏ ସହାୟ ଲାଗି ବାହାରକୁ ଅନାଏ, ବାହାରଗୁଡ଼ାକୁ ଆଶ୍ରା କରେ ଏବଂ ଅତ୍ୟନ୍ତ ଲଜ୍ଜାକର ଭାବରେ ପ୍ରାୟ ଆତ୍ମଦ୍ରୋହୀ ହୋଇ ବାହାରେ ନାନା ଖୁଣ୍ଟା ଉପରେ ଆଉଜି ପଡ଼ିବାକୁ ମନ କରେ । ସିଏ ଭୟଦ୍ୱାରା ହିଁ ପ୍ରେରିତ ହୋଇ ଆଉଜି ପଡ଼େ; ତାର ଭୟ ତାକୁ ବେଶ୍‍ ଚମତ୍କାର ଭାବରେ ଉଗ୍ର ଓ ଉତ୍ତେଜିତ କରି ରଖିଥାଏ । ଏବଂ ସେହି ଉତ୍ତେଜନାରେ ପଡ଼ି ସିଏ ସତେଅବା ସବୁ ପାଇଛି ବୋଲି ଦମ୍ଭ କରିବାରେ ଲାଗିଥାଏ । ହାତରୁ ଅସଲ ଖିଅଟି ଛାଡ଼ିହୋଇ ଯାଇଥିବାରୁ ସିଏ ବାହାରର କେତେ ନା କେତେ ସୂତାରେ ଗୁରାଇ ତୁରାଇ ହୋଇ ବସିଥାଏ ଓ ଭାରି ଅବର୍ଜିଆ ହୋଇ ରହିଥାଏ । ଏବଂ ତା’ ଜୀବନଟାଯାକ ପ୍ରାୟ ଏକ ପୁନରାବୃତ୍ତି ଭିତରେ ହିଁ ଭଉଁରୀ ବୁଲିବାରେ ଲାଗିଥାଏ । ବୈରାଗ୍ୟଟା ହିଁ ଏକମାତ୍ର ସତ୍ୟରୂପେ ଶାଢ଼ି ପିନ୍ଧି ବସିଥାଏ ।

 

୨୨ । ୫ । ୮୨

 

ଯୋଗଚ ଅର୍ଥ ସମ୍ବନ୍ଧସ୍ଥାପନ । ଏହା ହେଉଛି ଏକ ସମଗ୍ର ସମ୍ବନ୍ଧସ୍ଥାପନ । କେବଳ ଭିତର ସହିତ ନୁହେଁ କିମ୍ବା କେବଳ ଏକ ତଥାକଥିତ ଊର୍ଦ୍ଧ୍ୱ ସହିତ ବି ନୁହେଁ । ତଥାକଥିତ ବାହାର ଓ ତଥାକଥିତ ନିମ୍ନ, —ଏହି ସବୁଟି ସହିତ ଏକ ସମଗ୍ର ସମ୍ବନ୍ଧସ୍ଥାପନ । କୋଉଠି ଗୋଟାଏ ସ୍ୱର୍ଗର ଅର୍ଥାତ୍‍ ବ୍ୟୂହର କଳ୍ପନା କରି ତାହାରି ଭିତରକୁ ପଳାୟନ କରିବା ଓ ତାହାରି ଭିତରେ ବିସ୍ତୃତ, ନିବୁଜ ଏବଂ ନିରାପଦ ହୋଇ ରହିବା ଏବଂ ଏକ ମିଛ ଧାର୍ମିକତାରେ ଗୌରବ ଅନୁଭବ କରିବା,-–ତାହା କଦାପି ଯୋଗ ନୁହେଁ । ତାହା ଏକ ଜୁଗୁପ୍‍ସା, ଲୁଚି ରହିବାର ଇଚ୍ଛା ।

 

ମନୁଷ୍ୟ ଯୋଗକୁ ଇଚ୍ଛା କଲେ ଆଉ କଦାପି ଲୁଚି ରହିବାକୁ ଇଚ୍ଛା କରେ ନାହିଁ । ସିଏ ବାହାରକୁ ବାହାରି ଆସେ । ଆପଣାର ତଥାକଥିତ ଅନେକ ଗୁମ୍ଫାକୁ ସିଏ ଏହି ସମଗ୍ର ବିସ୍ତାରଟି ସହିତ ମିଳାଇଦିଏ । ସିଏ ଯୁକ୍ତ ହୋଇଯାଏ । ଅର୍ଥାତ୍‍, ଆତ୍ମୀୟତାକୁ ହିଁ ଉଦୟର ଅସଲ ଚାବିକାଠି ବୋଲି ଗ୍ରହଣ କରେ । ଆତ୍ମୀୟତାରେ ବାନ୍ଧି ହୋଇଯାଏ, ଅତ୍ମୀୟତା ଦ୍ୱାରା ବାନ୍ଧେ । ଏହି ଆତ୍ମୀୟତା ହିଁ ସକଳ ଭୟର ମୋଚନ କରେ । ଏବଂ ଭୟ ଥିବା ପର୍ଯ୍ୟନ୍ତ ମଣିଷ କଦାପି ମୁକ୍ତ ହୋଇ ପାରେନାହିଁ । ଏବଂ ସେହି କାରଣରୁ ହିଁ ମୁକ୍ତି ସମ୍ଭବ ହୁଏନାହିଁ । ପଳାୟନ ଭୟଟାକୁ ହିଁ ସୂଚାଇ ଦେଇଥାଏ । ଭାରତବର୍ଷର ସମାଜରେ ଏହି ଭୟଟା ହିଁ ସବୁଠାରୁ ଅଧିକ ପରିମାଣରେ ରହିଛି । ଏଠି ମଣିଷମାନେ ପରସ୍ପରକୁ ଭୟ କରୁଛନ୍ତି । ତେଣୁ, ମୁକ୍ତିର ଇଚ୍ଛାଗୁଡ଼ାକ ପ୍ରାୟ ଏକ ଲାଳସାରେ ପରିଣତ ହୋଇ ରହିଛି, ଅନେକ ଜୁଗୁପ୍‍ସାକୁ ଉତ୍ସାହ ଦେବାରେ ଲାଗିଛି, ଜୁଗୁପ୍‍ସାମାନଙ୍କୁ ଧର୍ମର ପରିଚ୍ଛଦ ପିନ୍ଧାଇ ଠାକୁର ପରି କରି ମନ୍ଦିରରେ ବସାଇ ଦିଆଯାଇଛି । ଏସବୁ ଭାଙ୍ଗିବା ଉଚିତ । ଯିଏ ଏଗୁଡ଼ାକୁ ଭାଙ୍ଗି ପାରିବ, ତାହାହିଁ ଯୋଗ । ଯିଏ ଲୁଚି ପଳାଇବ ନାହିଁ, ସେଇ ଅସଲ ଯୋଗୀ । ବର୍ତ୍ତମାନ ଭାରତବର୍ଷରେ ସେହିପରି ଏକ ଯୋଗଯୁକ୍ତ ଜୀବନର ଆବଶ୍ୟକତା ରହିଛି ।

 

୨୩ । ୫ । ୮୨

 

ପାହାଡ଼ ଉପରକୁ ଉଠିବା ବେଳକୁ ଯେତିକି କଷ୍ଟ, ପାହାଡ଼ ଉପରେ ଯାଇ ପହଞ୍ଚି ପାରିଲେ ସେତିକି ଆନନ୍ଦ । ଅନେକ ମଣିଷ ଅଛନ୍ତି, ଯେଉଁମାନେ ପର୍ବତ ଚଢ଼ିବାକୁ ହିଁ ଜୀବନର ବେଉସା ବୋଲି ଗ୍ରହଣ କରି ନେଇଥାନ୍ତି; —ସେମାନେ ପର୍ବତ ଉପରେ ବିଜୟ ହାସଲ କରନ୍ତି ।

 

କୌଣସି ବିଜୟ ହାସଲ କରିବାଲାଗି ମୁଁ କାଲି ପର୍ବତ ଉପରକୁ ଯାଇ ନଥିଲି । ପର୍ବତର ଯେତିକି ନିକଟକୁ ଆସିଲେ ପର୍ବତ ସହିତ ଏକ ଅଭେଦ ଆତ୍ମୀୟତା ଅନୁଭବ କରାଯାଇପାରେ, ସେତିକି ନିକଟକୁ ଆସି ପାରିବା ସକାଶେ ମୁଁ ପର୍ବତ ଉପରକୁ ଯାଇଥିଲି । ପର୍ବତ ମୋ’ଠାରୁ ମୋଟେ ଭିନ୍ନ ନୁହେଁ, —ସେହି କଥାଟିକୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିବାଲାଗି ମୁଁ ପର୍ବତ ଉପରକୁ ଯାଇଥିଲି । ସେହି ଜଣେ ସୃଷ୍ଟିକର୍ତ୍ତା ପର୍ବତକୁ ତିଆରି କରିଛି, ମୋତେ ବି ତିଆରି କରିଛି, —ଏହି କଥାଟିକୁ ମୁଁ ପିଲାଦିନୁଁ କେତେ ବହିରେ ପଢ଼ି ଆସିଛି । ପର୍ବତ ଭିତରେ ରହି ଯିଏ ପର୍ବତକୁ ଠିକ୍‍ ପର୍ବତ କରି ରଖିଛି, ମୋ’ ଭିତରେ ରହି ସେଇ ମତେ ଠିକ୍‍ ମୋ’ପରି କରିବା ଲାଗି ମୋ’ର ସର୍ବୋତ୍ତମ କାନ୍ଧ ହୋଇ ରହିଛି, —ଅନ୍ତର୍ଗତ ଜୀବନରେ ହେତୁ ପାଇବା ଦିନଠାରୁ ହିଁ ମୁଁ ସେହି କଥା କ୍ରମେ ଅନୁଭବ କରି ଆସୁଥିଲି । କାଲି ପର୍ବତକୁ ଆବିଷ୍କାର କରି ମୁଁ ନିଜକୁ ଆବିଷ୍କାର କଲି, ଅର୍ଥାତ୍‍, ମୋ’ ସହିତ ପର୍ବତର ଲାଗିଥିବା ସୂତ୍ରଟିକୁ ମୁଁ ଆବିଷ୍କାର କଲି । ମୋ’ ନିଜ ଭିତରେ ଆବିଷ୍କାର କଲି, ପର୍ବତ ଭିତରେ ମଧ୍ୟ ଆବିଷ୍କାର କଲି । ଏହି ସୂତ୍ରଟିକୁ ଆବିଷ୍କାର କରିବାଲାଗି ସମର୍ଥ ହୋଇ ପାରିଲେ ତା’ପରେ ମଣିଷ ଆଉ କାହାରି ଉପରେ ବିଜୟ ହାସଲ କରିବାକୁ ମୋଟେ ମନ କରେନାହିଁ । ସିଏ ଆପଣା ଭିତରେ ସେହି ସୂତ୍ରଟିର ହିଁ ବିଜୟ ଘୋଷଣା କରେ, ସେହି ସୂତ୍ରଟିର ହିଁ ନିମିତ୍ତ ହୋଇଯାଏ । ଏବଂ ସେହି ସୂତ୍ରଟି ଦେଇ ପର୍ବତକୁ ଦେଖିଲେ, ପର୍ବତକୁ ଅନୁଭବ କରି ପାରିଲେ, ଯାବତୀୟ ପର୍ବତାରୋହଣ ଭାରି ସହଜ ହୋଇଯାଏ-

 

୨୪ । ୫ । ୮୨

 

ମନ୍ତ୍ର ଆଗରୁ ନଥାଏ, ମନ୍ତ୍ରଟିଏ ପାଇବାକୁ ହୁଏ । ଆପଣାର ସ୍ଵଭାବଟିକୁ ଅର୍ଥାତ୍‍ ସ୍ୱପଥଟିକୁ ଖୋଜୁ ଖୋଜୁ ମନ୍ତ୍ରଟିଏ ମିଳିଯାଏ । ଆପଣାର ସ୍ୱଭାବଟିକୁ ଖୋଜି ଯିଏ ଯେତିକି ଗଭୀରକୁ ଭେଦ କରିପାରେ, ଆପଣାର ଆକାଂକ୍ଷା ଏବଂ ଆକୁଳତା ଗୁଡ଼ାକୁ ଯେତିକି ମୂଳରୁ ଆବିଷ୍କାର କରିପାରେ, ସିଏ ସେହି ସ୍ତରର ମନ୍ତ୍ରଟିଏ ଅବଶ୍ୟ ପାଇଯାଏ । ସେହି ମନ୍ତ୍ରଟି ହୁଏତ ଆଗରୁ ଆଦୌ କୌଣସି ବହିରେ ନଥାଏ । ତାକୁ ଭେଟିବାକୁ ହୁଏ, ଆପଣାର ଅନୁକୂଳ କରିନେବାକୁ ହୁଏ । ତେବେଯାଇ ହୁଏ । ଯେଉଁମାନେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ମନ୍ତ୍ରଟିଏ ପାଇ ଆପଣାର ମନ୍ତ୍ରଟିଏ ପାଇଗଲେ ବୋଲି ଏକ ପ୍ରକାର ଲାଳସାରେ ପଡ଼ିଯାଆନ୍ତି, ଅର୍ଥାତ୍‍ କୌଣସି ଏକ ନିର୍ଦ୍ଦିଷ୍ଟ ମନ୍ତ୍ର ଅନ୍ୟମାନଙ୍କର ଜୀବନରେ ପ୍ରାପ୍ତ କରାଇଥିବା ସଫଳତା ଦୃଷ୍ଟିରୁ ତାହାକୁ ମନ୍ତ୍ର ବୋଲି ଗ୍ରହଣ କରିବାର ପ୍ରଲୋଭନରେ ପଡ଼ିଯାନ୍ତି, ସେମାନେ ସେହି ପ୍ରଲୋଭନର ସ୍ତରରେ ହିଁ ରହି ଯାଆନ୍ତି । ସେମାନଙ୍କର ମନ୍ତ୍ର ସେମାନଙ୍କର ଜୀବନରେ ଦ୍ୱାର ପରି ବା ପାବଚ୍ଛ ପରି କାର୍ଯ୍ୟ ନକରି ସତେଅବା ପ୍ରାଚୀର ପରି କାର୍ଯ୍ୟ କରିବାରେ ଲାଗିଥାଏ । ଚେତନାକୁ ବାନ୍ଧିରଖେ, ଆତ୍ମୀୟତାକୁ ବାନ୍ଧିରଖେ, ଯାବତୀୟ ପ୍ରେରଣାର ଗୋଡ଼ରେ ସତେଅବା ପଥର ବନ୍ଧାହୋଇ ରହିଥାଏ ।

 

ଯେଉଁ ଗୁରୁମାନେ ମନ୍ତ୍ର ଦେବାକୁ ହିଁ ଅସଲ ଗୁରୁପଣ ବୋଲି ଭାବନ୍ତି, ସେମାନଙ୍କର ଏସବୁ କଥା ମନେ ନଥାଏ କି ନାହିଁ କେଜାଣି ? ଯେଉଁଠି ବଜାଜର ପିଣ୍ଡରେ ଗୋଟାଏ ମନ୍ତ୍ରକୁ ଶାସ୍ତ୍ର ଲେଖା ହୋଇ ସବୁଠାରୁ ବଡ଼ ଓ ଫଳପ୍ରଦ ମନ୍ତ୍ର ବୋଲି ଘୋଷଣା କରା ଯାଇଥାଏ, ସେଠି ମନ୍ତ୍ରଟିକୁ ଗ୍ରହଣ କରିବା ଲୋକଟିକୁ ହୁଏତ ମୋଟେ ବିଚାରକୁ ଅଣା ଯାଏନାହିଁ । ମନ୍ତ୍ରରୂପୀ ଜାଲ ପକାଯାଇ ସେହିସବୁ କ୍ଷେତ୍ରରେ ଶିଷ୍ୟବର୍ଗର ଏକ ପାଳିତ ପଲର ସୃଷ୍ଟି କରାଯାଏ । ଚେତନାଗୁଡ଼ାକୁ ଛାଞ୍ଚରେ ପକାଇ ଦିଆଯାଏ ।

 

୨୫ । ୫ । ୮୨

 

କବିମାନେ ମନ୍ତ୍ର ପରେ ମନ୍ତ୍ର ରଚନା କରି ମନ୍ତ୍ରମହୋଦଧି ରଚନା କରି ଥୋଇ ଦେଇଛନ୍ତି, —ସେହି ରଚିତ ଶାସ୍ତ୍ରଗୁଡ଼ିକରେ ସେମାନେ ମନ୍ତ୍ରକୁ ମହୌଷଧି ବୋଲି କହିଛନ୍ତି । ଅଧିକ ଯଥାର୍ଥ ଭାବରେ ସମ୍ଭବତଃ ଏପରି କୁହାଯାଇ ପାରିବ ଯେ, ସାଧକମାନେ କୌଣସି ଏକ ନିର୍ଦ୍ଦିଷ୍ଟ ମନ୍ତ୍ର ନେଇ ସାଧନା କରୁ କରୁ ନାନା କାରଣରୁ କବି ପାଲଟି ଯାଇଛନ୍ତି । ତା’ପରେ ମନ୍ତ୍ରଟିକୁ ନେଇ ଆପଣାର ସାଧନାରେ ପାହାଚକୁ ପାହାଚ ଅଗ୍ରସର ହୋଇଯିବା ପରିବର୍ତ୍ତେ ସେମାନେ ମନ୍ତ୍ରଟାକୁ ହିଁ ଅଧିକ ଉଜ୍ଜ୍ୱଳ ଭାବରେ ଦେଖିବାକୁ ଆରମ୍ଭ କରିଛନ୍ତି; ପ୍ରାୟ ଏକ ପୌତ୍ତଳିକତାପୂର୍ଣ୍ଣ କବିତ୍ଵପ୍ରବଣତା ଭିତରେ ପଡ଼ି ମନ୍ତ୍ରଟିକୁ ହିଁ ସର୍ବସାର ବୋଲି ଘୋଷଣା କରିଛନ୍ତି-। ଅନେକ ସମୟରେ ସେହିମାନେ ହିଁ ମନ୍ତ୍ରଦାତା ଗୁରୁ ହୋଇ ମନ୍ତ୍ରର ପ୍ରଚାର କରିଛନ୍ତି, ମନ୍ତ୍ର ଦୀକ୍ଷା ଦେଇଛନ୍ତି, —ମନ୍ତ୍ରକୁ ଅମୋଘ ବୋଲି କହିଛନ୍ତି । ମନ୍ତ୍ରଗୁଡ଼ିକର ସଂଗ୍ରହରୁ ମନ୍ତ୍ରମହୋଦଧିର ଭିଆଣ ହୋଇଛି । ମନ୍ତ୍ରଗୁଡ଼ାକୁ ହିଁ ଆଶ୍ରା କଲେ ସବୁ ହୋଇଯିବ ବୋଲି ଏକ ସହଜ ବିଶ୍ୱାସକୁ ସ୍ଲୋଗାନରୂପେ ପ୍ରଚାର କରି ଦିଆଯାଇଛି । ସାଧନାର ଅସଲ ଆହ୍ୱାନ ଅର୍ଥାତ୍‍ ଅସଲ ଶ୍ରଦ୍ଧାଗୁଡ଼ାକ ପଛରେ ରହିଯାଇଛି । ମନ୍ତ୍ରଗୁଡ଼ାକ ସୂତ୍ର ପରି ହୋଇ ଅସଲ ସାକ୍ଷାତ୍‍କାରର ଗୋଡ଼ଗୁଡ଼ିକୁ ଛନ୍ଦିକରି ରଖିଛନ୍ତି ।

 

ଆପଣାର ମନ୍ତ୍ରଟିକୁ ଆବିଷ୍କାର କରିବାକୁ ହୁଏ । ଅର୍ଥାତ୍‍, ଆପଣାର ନିବେଦନ ପଥଟିକୁ ଯଥାର୍ଥ ଆନ୍ତରିକତା ଓ ବ୍ୟାକୁଳତା ସହିତ ଖୋଜି ବାହାରିଲେ ଓ ସେହି ଅନ୍ଵେଷଣଟି ଲାଗି ଆପଣାର ପୂର୍ଣ୍ଣ ସମ୍ମତିଟିକୁ ପ୍ରସ୍ତୁତ କରି ରଖିପାରିଲେ ଆପଣାର ମନ୍ତ୍ରଟି ଆପେ ଆପେ ମିଳିଯାଏ-। ଏବଂ ତା’ପରେ ଆଉ ମହୋଦଧି ମନ୍ଥନ କରି ଆପଣାର ମନ୍ତ୍ରଟିକୁ ଆଣିବାକୁ ପଡ଼େନାହିଁ-। ଆପଣାର ସୂତ୍ରଟିରୂପେ ମିଳିଯାଏ । ଆପଣାର ସ୍ଵଭାବସ୍ଥ ମୂଳଟି ଠାରୁ ଆପଣାର ଗିରିଶିଖର ପର୍ଯ୍ୟନ୍ତ ଯେଉଁ ସୂତ୍ରଟି ଲମ୍ବି ରହିଥାଏ, ତାହାହିଁ ଆପଣାର ମନ୍ତ୍ର ।

 

୨୬ । ୫ । ୮୨

 

ଭୀରୁ ଶାସ୍ତ୍ରକୁ କାମୁଡ଼ି ଧରେ, ପ୍ରାୟ ଅତ୍ୟନ୍ତ ନିରାଶ୍ରୟ ଭାବରେ ସିଏ ଶାସ୍ତ୍ରକୁ କାମୁଡ଼ି ଧରିଥାଏ । ସମ୍ଭବତଃ ସେହି କାରଣରୁ ହିଁ ସିଏ ଶାସ୍ତ୍ରକୁ ପବିତ୍ର ବୋଲି କହେ । ମଣିଷଠାରୁ ଶାସ୍ତ୍ରକୁ ଅଧିକ ପବିତ୍ର ବୋଲି କହି ଡିଣ୍ଡିମ ବଜାଇ ବୁଲେ । ଗୋଟାଏ ବିଶେଷ ପ୍ରକାରର ନୀତିବାଦୀ ହୋଇ ରହେ । ତା’ ନୀତି ସଂସାରକୁ ଖାଇଯାଏ, ଭବିଷ୍ୟକୁ ଖାଇଯାଏ, ଯାବତୀୟ ପ୍ରକାରର ପରିବର୍ତ୍ତନ ଲାଗି ବାଟ ଓଗାଳି ବସିଥାଏ । ସେଇଥିଲାଗି ଶାସ୍ତ୍ରମାନେ ପୂଜା ପାଆନ୍ତି, —ଶାସ୍ତ୍ରର ପରିଚ୍ଛଦ ପିନ୍ଧି ତୁଚ୍ଛା ପିତୁଳାମାନେ ପୂଜା ପାଆନ୍ତି । ମଣିଷ ହତାହୃତ ହୋଇ ରହିଥାଏ, ମଣିଷ ଶୋଇ ରହିଥାଏ । ଏଇ ମଣିଷ ଯେ ଆପଣାର ବାଟ ଚାଲିବାଲାଗି ଶାସ୍ତ୍ରମାନଙ୍କୁ ତିଆରି କରିଥିଲା, ଭୀରୁ ହାତରେ ଅଢ଼ାଗୁଡ଼ାକ ରହିଥିବା ପର୍ଯ୍ୟନ୍ତ ସଂସାରରେ ସେହି କଥାଟିକୁ ବିସ୍ତୃତ କରି ରଖାଯାଇଥାଏ ।

 

ଯେଉଁ ଶାସ୍ତ୍ର ମଣିଷକୁ ଅଧିକରୁ ଅଧିକ ଭୀରୁ ହୋଇ ରହିବାପାଇଁ ଚତୁରତା ଓ ସେହି ଚତୁରତାକୁ ଖାଦ୍ୟ ଯୋଗାଇ ଦେବାରେ ଲାଗିଥିବା ଆଳସ୍ୟଗୁଡ଼ାକୁ ଆଣି ଯୋଗାଇ ଦେଉଥାଏ, ସେହି ଶାସ୍ତ୍ର ଶାସ୍ତ୍ର ନୁହେଁ । ତାହା ଆଦୌ କୌଣସି ନେତ୍ରର ଉନ୍ମୋଚନ ଘଟାଏନାହିଁ । ତାହା ଅନେକ ମଣିଷଙ୍କୁ ନାନା ଅଳପ ଭିତରେ ବହାଡମ୍ବର କରି ରଖେ । ତେଣୁ, ଏହି ଶାସ୍ତ୍ରଗୁଡ଼ିକୁ ଟପିଯିବକୁ ହୁଏ, —ଶାସ୍ତ୍ର ଭିତରୁ ମଣିଷକୁ ଆବିଷ୍କାର କରିବାକୁ ପଡ଼େ, ଏହି ମଣିଷର ଯାବତୀୟ ଉଜ୍ଜ୍ୱଳତାକୁ ଚି଼ହ୍ନି ତାହାକୁ ହିଁ ଆହୁରି ଅଗ୍ରସର ଓ ଆହୁରି ଗଭୀର କରି ପାରିବା ଲାଗି ଏକ ବ୍ରତ ଗ୍ରହଣ କରିବାକୁ ପଡ଼େ । ପୁରୁଣାଗୁଡ଼ାକୁ ଦେଇ ଆମେ ନୂଆକୁ ବୁଝିବାର ଚେଷ୍ଟା କରୁଥିବା ପର୍ଯ୍ୟନ୍ତ ଆମେ ନୂଆଲାଗି ଖୁବ୍‍ ବେଶୀ ଯୋଗ୍ୟ ହୋଇ ପାରିବନାହିଁ । ନୂଆର ଆଲୋକରେ ହିଁ ପୁରୁଣାକୁ ନୂତନ ବ୍ୟଞ୍ଜନାରେ ଦେଖି ପାରିଲେ ଯାଇ ପୁରୁଣା ଉପରେ ଗୋଡ଼ ଦେଇ ନୂଆ ଭିତରକୁ ପ୍ରବେଶ କରିବା ସମ୍ଭବ ହୁଏ ।

 

୨୭ । ୫ । ୮୨

 

ଆଉ ଦୁଇଟା ଦିନ ଗଲେ ପୁଣି ଆମେ ଓଡ଼ିଶାକୁ ଚାଲିଯିବୁ । ଗତ ପ୍ରାୟ ତିନି ସପ୍ତାହ ହେଲା ପାହାଡ଼ ଓ ଅରଣ୍ୟର ଯେଉଁ ସାନ୍ନିଧ୍ୟ ଏଠାରେ ମିଳିଲା, ମୁଁ ତାହାକୁ ସାଙ୍ଗରେ ନେଇ ଯିବି । ଏହି ଧ୍ୟାନ ସେଠାରେ ମଧ୍ୟ କଦାପି ଭାଙ୍ଗିବ ନାହିଁ । ଏହି ଖୁସୀ, —ଭିତରୁ ବାହାରର ଏହି ସମଗ୍ରଟିକୁ ସତେଅବା ସମ୍ପୂର୍ଣ୍ଣ ଭାବରେ ଚିହ୍ନି ପାରୁଥିବା ଖୁସି, —ସେହି ସମତଳ ଭୂମିରେ ମଧ୍ୟ ମୋ’ର ସାଙ୍ଗେ ସାଙ୍ଗେ ରହିଥିବ, —ମୋତେ ପରିଚାଳିତ କରୁଥିବ, ସମ୍ମିଳିତ କରି ରଖିଥିବ, ମୋ’ର ଶିଖରଗୁଡ଼ିକୁ,ମୋ’ର ବାଟ ଚାଲିବା ସହିତ ସଂଯୁକ୍ତ କରି ରଖିଥିବ ।

 

ଦୂରତାମାନେ କୋଉକାଳୁ ସଂଯୁକ୍ତକାରୀ ସୂତ୍ରରେ ପରିଣତ ହୋଇ ସାରିଲେଣି । ଯିଏ ଦୂର, ସିଏ ଯେ ଅତି ନିକଟରେ ରହିଛି, ଦୂରରେ ଥାଇ ନିକଟର ପ୍ରେରଣା ଦେଉଛି ଓ ନିକଟରେ ଥାଇ ଦୂରର ପ୍ରେରଣା ଦେଉଛି, ସେହି କଥାଟିକୁ ମୁଁ କୋଉଦିନୁଁ ଅଙ୍ଗେ ନିଭାଇ ସାରିଲିଣି । ସେଥିଲାଗି ଛାଡ଼ିଯିବାଟା ମୋଟେ ଛାଡ଼ିଯିବା ପରି ଲାଗୁନାହିଁ । ଛୁଇଁ ନପାରିବାଟା ଆହୁରି ଛୁଇଁବାଲାଗି ଓ ଆହୁରି ପାଖକୁ ଆସିବାଲାଗି ପ୍ରେରଣା ଦେଉଛି । ସମ୍ଭବତଃ, ମଣିଷ ଭିତରେ କୋଉଠି କୌଣସି ଭୟ ରହିଥାଏ, ଯାହାକି ତାକୁ ଦୂରଠାରୁ ବିଚ୍ଛିନ୍ନ କରି ରଖିଥାଏ । ସେହି ଭୟକୁ ଅନେକ ବିଶ୍ୱାସ ଦେଇ ଏକ ଆତ୍ମୀୟତାରେ ପରିଣତ କରିବାକୁ ହୁଏ । ସେହି ଆତ୍ମୀୟତା ଚକ୍ଷୁ ହୋଇ ଆମ ଭିତରେ ରହିଥିବା ସକଳ ଚକ୍ଷୁକୁ ଖୋଲିଦିଏ, ସକଳ ବାରଣକୁ ଭୁଲାଇ ଦେଇଯାଏ । ତା’ପରେ ଚାଲିଲା ମାତ୍ରକେ ସବୁକିଛି ଅତିପାଖରେ ମିଳିଯାଏ । ଆପଣାର ମୂଳଟିକୁ ଛୁଇଁ ପାରିବାକୁ, ଅର୍ଥାତ୍‍ ସେହି ମୂଳଟି ଦେଇ ବାହାରର ଏହି ଯାବତୀୟ ବିସ୍ତାର ଓ ଯାବତୀୟ ପ୍ରସାରକୁ ଅନୁଭବ କରିବାଲାଗି ମୋଟେ ଆଖି ବୁଜି ବସିବାକୁ ପଡ଼େନାହିଁ । ଖୋଲା ଥିବା ଆଖି ବଳେ ବଳେ ବୁଜି ହୋଇଯାଏ ଓ ବୁଜି ହୋଇ ରହିଥିବା ଆଖି ବଳେ ବଳେ ଖୋଲିଯାଏ ।

 

୨୮ । ୫ । ୮୨

 

ହିମାଳୟର ମନ୍ଦିର ଓ ଦେବତା —ଆବାସ ଗୁଡ଼ିକ ଅପେକ୍ଷା ହିମାଳୟର ଗଧେରା (ଝରଣା, ନଦୀଧାରା, ମୋତେ ଅଧିକ ଆପଣାର ଲାଗେ । ଗଧେରାର ଗତିଥାଏ, ସ୍ୱଚ୍ଛତା ଥାଏ, ଶୀତଳତା ଥାଏ, ସାବଳୀଳତା ଥାଏ । ସେହି ନିର୍ମଳ ପାଣି ଭିତରକୁ ଅନାଇଦେବା ବେଳକୁ ସତେଅବା ନିଜ ଭିତରକୁ ଅନାଇଦେଲା ପରି ମନେହୁଏ । ଭିତରଟାଯାକ ସବୁକିଛି ସ୍ୱଚ୍ଛ ଲାଗେ, ସ୍ନିଗ୍ଧ ଲାଗେ । ଏବଂ ସେଇଠି ଆପଣାର ଦର୍ପଣ ଉପରେ ଏହି ସଂସାରଯାକକୁ ଦେଖିହୁଏ, —ସଂସାର ଯାହା ଭିତରେ ନୀଡ଼ଟିଏ ପରି ହୋଇ ନିର୍ଭୟ ହୋଇ ରହିଛି, ତାହାକୁ ମଧ୍ୟ ଦେଖିହୁଏ । ସବୁ ମନ୍ଦିରର ଦ୍ୱାରଗୁଡ଼ିକ ସତେଅବା ଏକାବେଳେକେ ଖୋଲି ଯାଉଥିବା ପରି ଲାଗେ । ସେହି ଶୀତଳଜଳର ସ୍ପର୍ଶ ହେବାମାତ୍ରକେ, ଭିତରେ ସତେଅବା ଇପ୍ସିତ କେତେ କେତେ ସ୍ପର୍ଶର ଅନୁଭବ ହୁଏ । ଆପଣା ଭିତରର ଚେତନା କେତେ ଥାନରେ ଥଳ ପାଇଯିବା ପରି ମନେ ହେଉଥାଏ ।

 

ଠିକ୍‍ ଏହି ଅନୁଭୂତିଗୁଡ଼ିକୁ ପାଇବ ବୋଲି ମଣିଷ ଗୋଟାଏ ଗୋଟାଏ ଜାଗାରେ ମନ୍ଦିର ତିଆରି କରେ, ଦେବତାର ଥାପନା କରେ, ତୀର୍ଥମାହାତ୍ମ୍ୟ ଫାନ୍ଦେ ଓ କ୍ଷେତ୍ର କ୍ଷେତ୍ର ଭିତରେ ପାତ୍ରାନ୍ତର କରିବାର ଏକ ନିଜସ୍ୱ ନ୍ୟାୟଶାସ୍ତ୍ର ମଧ୍ୟ ତିଆରି କରି ପକାଏ । ଗୋଟାଏ ନିର୍ଦ୍ଦିଷ୍ଟ ବେଢ଼ା ଭିତରେ ଯାଇ ପ୍ରବେଶ କରିବା ମାତ୍ରକେ, ସିଏ ନିଜଭିତରେ ଯେଉଁ ସଖ୍ୟ, ସାନ୍ନିଧ୍ୟ ଏବଂ ସ୍ନିଗ୍ଧତାର କାମନା କରୁଛି; ତାହାକୁ ପାଇଯିବ ବୋଲି ଭାବୁଥାଏ । ତେଣୁ, ଅନେକ ଅସଲ କବାଟକୁ ତଥାପି ବନ୍ଦ ରଖି ସିଏ ତୀର୍ଥକୁ ମନ କରେ ଏବଂ ଦେଉଳ ଭିତରକୁ ଧାଇଁଯାଏ । ସିଏ ଅଧିକାଂଶ ସ୍ଥଳରେ ବିଫଳ ହୁଏ । ନିଜକୁ ବିସ୍ତାରିତ କରିପାରିବା ପରିବର୍ତ୍ତେ ସିଏ ସଂସାରର ସବୁଯାକ ବିତ୍ତକୁ ନିଜର ଲୁବ୍ଧ ଗାତଗୁଡ଼ାକ ଭିତରେ ଆଣି ସଞ୍ଚିରଖିବି ବୋଲି ମନ କରେ । ବେଢ଼ାଗୁଡ଼ାକୁ ମଧ୍ୟ ଅପବିତ୍ର କରେ । ଧାଇଁ ଧାଇଁ ନିରାଶ ହୁଏ । ସିଏ ନିଜକୁ ବି ସ୍ପର୍ଶ କରିପାରେ ନାହିଁ ।

 

୨୯ । ୫ । ୮୨

 

ଏଠି ଉଚ୍ଚ ଉଚ୍ଚ ପାହାଡ଼, ସେଠି ସମତଳଭୂମି । ଏଠି ଥଣ୍ଡା, ସେଠି ଗରମ । ସେଠି ଯେଉଁମାନେ ଗରମ ସହି ପାରନ୍ତିନାହିଁ, ସେମାନେ ଟିକିଏ ଥଣ୍ଡା ଉପଭୋଗ କରିବାକୁ ଥଣ୍ଡାକୁ ଆସନ୍ତି, ନୈନିତାଳକୁ ଆସନ୍ତି । ଏଠି ସେମାନଙ୍କୁ ପର୍ଯ୍ୟଟକ ବୋଲି କୁହାଯାଏ । ସେମାନେ ଯେପରି ଏଠି ହୋଟେଲରେ ରହିବେ, ଘୋଡ଼ାରେ ଚଢ଼ିବେ, ନୌକାରେ ହ୍ରଦବିହାର କରିବେ ଓ ଆଖିରେ ରଙ୍ଗଚଷମା ଲଗାଇ ଏଠାରେ ବିସ୍ତୀର୍ଣ୍ଣ ହୋଇ ରହିଥିବା ପାହାଡ଼ ଓ ଅରଣ୍ୟକୁ ଦେଖିବେ, ସେଥିଲାଗି ଏଠି ବରଷାର କେତେଟା ମାସ ପାଇଁ କେତେ ଆୟୋଜନ କରାଯାଏ । ସ୍ୱୟଂ ସରକାର ମଧ୍ୟ ସେଥିଲାଗି କେତେ ଛାମୁଡ଼ିଆ ବାନ୍ଧନ୍ତି, କେତେ ମହୁରୀ ବଜାନ୍ତି । ଖରାଦିନଟା ଯାକ ସରକାର ଏଠି ଏହି ପର୍ଯ୍ୟଟକମାନଙ୍କ ଲାଗି ଯେତିକି କାମ କରନ୍ତି, ସ୍ଥାନୀୟ ପାହାଡ଼ୀମାନଙ୍କ ପାଇଁ ଯଦି ସେତିକି କାମ କରି ପାରୁଥାନ୍ତେ !

 

ମୁଁ ଗରମ ଛାଡ଼ି ଥଣ୍ଡା ପାଇବାକୁ ମୋଟେ ପାହାଡ଼କୁ ଆସେନାହିଁ । ଏହି ଦେଶର ସମତଳଭୂମି ଓ ଏହି ଦେଶର ପାହାଡ଼ —ମୋତେ ଉଭୟେ ଭଲ ଲାଗନ୍ତି, ଉଭୟେ ନିଜର ବୋଲି ଏଡ଼େ ଭଲ ଲାଗନ୍ତି । ହୁଏତ ସେହି କାରଣରୁ ମୋତେ ସେଠି ଅତିବେଶୀ ଗରମ ଲାଗେନାହିଁ କି ଏଠି ମଧ୍ୟ ବେଶି ଥଣ୍ଡା ବି ଲାଗେନାହିଁ । ମୁଁ ସଖ୍ୟ ଖୋଜି ଏଠାକୁ ଆସେ । ଜୀବନରେ ସଖ୍ୟ ଖୋଜିବାର ବୃତ୍ତିଟିକୁ ଅଧିକ ବିସ୍ତାର ଦେଇ ମୁଁ ଓଡ଼ିଶାରୁ ଭାରତବର୍ଷର ଅନ୍ୟ ଜାଗାଗୁଡ଼ିକୁ ଯାଏ । ନିଜକୁ ପରୀକ୍ଷା କରି ଦେଖେ, —ଅର୍ଥାତ୍‍, ନିଜର ଚେରଗୁଡ଼ିକ କେତେ ମଜବୁତ ରହିଛି, ତାହାରି ପରୀକ୍ଷା ନିଏ । ଏଠି ମୁଁ ମଣିଷକୁ ଦେଖେ, —ସେହି ମଣିଷର ପରିପ୍ରେକ୍ଷୀ ଉପରେ ଏହି ଅରଣ୍ୟ ଓ ପାହାଡ଼କୁ ଦେଖେ । ଅରଣ୍ୟ ଓ ପାହାଡ଼ ମୋ ହାତରେ ଆତ୍ମୀୟତାର ଯେଉଁ ଅସଲ ସୂତ୍ରଗୁଡ଼ିକୁ ଧରାଇ ଦିଅନ୍ତି, ମୁଁ ସେହି ସୂତ୍ରଗୁଡ଼ିକୁ ଦେଇ ମଣିଷକୁ ଦେଖେ । ସେହି ପ୍ରକାରେ ମୁଁ ନିଜର ମଧ୍ୟ ଏକ ଆତ୍ମୀୟତାପୂର୍ଣ୍ଣ ପରିଚୟ ପାଇଯାଏ ।

 

୧ । ୬ । ୮୨

 

କଷ୍ଟଗୁଡ଼ାକୁ ସହିବାକୁ ହୁଏ । କଷ୍ଟ ସହି ନପାରିବା ମଣିଷ ପ୍ରକୃତରେ ଅନେକ କଷ୍ଟ ପାଏ । ଏବଂ ଯେଉଁମାନେ ପ୍ରକୃତ କଷ୍ଟ ଆସି ପହଞ୍ଚିବା ପୂର୍ବରୁ କଷ୍ଟ ଆସି ପହଞ୍ଚିଲେ କ’ଣ କରିବେ ବୋଲି ସତତ ଭୀତ ହୋଇ ରହିଥାନ୍ତି, ସେମାନେ ସମ୍ଭବତଃ ସବୁଠାରୁ ଅଧିକ କଷ୍ଟ ପାଆନ୍ତି ।

 

କଷ୍ଟର ସମ୍ମୁଖୀନ ହେବାର ଅର୍ଥ ହେଉଛି କଷ୍ଟ ସହିବା । କଷ୍ଟକୁ ସହିବାର ଅର୍ଥ ହେଉଛି କଷ୍ଟକୁ କଷ୍ଟ ବୋଲି ସ୍ୱୀକାର ନକରିବା । କଷ୍ଟର ସମ୍ମୁଖୀନ ହେବାର ଅର୍ଥ ହେଉଛି କେବଳ କଷ୍ଟଗୁଡ଼ାକରୁ ନିଜକୁ ବଞ୍ଚାଇକରି ରଖିବା ଅପେକ୍ଷା ବୃହତ୍ତର ଆଉକିଛିକୁ ମନ କରିବା ଓ ସେହିପରି ଭାବରେ କଷ୍ଟକୁ ଅତିକ୍ରମ କରି ଯିବା । କଷ୍ଟକୁ ଅତିକ୍ରମ କଲେ ତଥାପି ଯେ କଷ୍ଟ ଆସେ, ଏହି କଥାଟିକୁ ଭଲ କରି ମନେ ରଖି କଷ୍ଟକୁ ଅତିକ୍ରମ କରିବାକୁ ହୋଇଥାଏ । କଷ୍ଟଗୁଡ଼ାକ ଦୂର ହୋଇ ଯାଉ ବୋଲି ଯୋଉମାନେ ଭଗବାନଙ୍କ ପାଖରେ ଗୁହାରି କରିବାରେ ଲାଗିଥାନ୍ତି, ସେମାନେ ବିଚରା ଯୋଉଠି ସେଇଠି ରହିଯାଆନ୍ତି, ଭୀରୁ ହୋଇ ରହିଯାନ୍ତି ଏବଂ ତେଣୁ ସବୁବେଳେ କଷ୍ଟ ପାଇବାରେ ଲାଗିଥାନ୍ତି । ସେମାନେ ଯଥାର୍ଥରେ ଆଦୌ କୌଣସି ଅତିକ୍ରମଣ ସମ୍ଭବ କରି ପାରନ୍ତିନାହିଁ । କଷ୍ଟଠାରୁ ବଞ୍ଚି ରହି ପାରିବେ ବୋଲି ସେମାନେ ଅଧିକରୁ ଅଧିକ ଗାତରେ ପଶିବାରେ ଲାଗିଥାନ୍ତି ଓ ତେଣୁ ଆପଣା ଜୀବନ ସହିତ ଏକ ସୁସ୍ଥ ସମ୍ପର୍କସ୍ଥାପନାରେ ମଧ୍ୟ ଭାରି ଅସମର୍ଥ ହୋଇ ରହିଥାନ୍ତି । କଷ୍ଟ ସହିବା ଜୀବନର ଆଦର୍ଶ ହୋଇ ରହିବା ଉଚିତ ନୁହେଁ ସତ, ମାତ୍ର କଷ୍ଟ ଆସିଲେ ତାହାକୁ ସହିବା —ଏହା ହିଁ ଜୀବନ । ଏହାହିଁ ଅତିକ୍ରମଣ ଦ୍ୱାରା ଅଧିକ ଶକ୍ତିମାନ ହୋଇ ପାରୁଥିବା ଜୀବନ । କଷ୍ଟଗୁଡ଼ାକୁ ସ୍ତର ସ୍ତର କରି ଭେଟି ସ୍ତରକୁ ସ୍ତର ଅତିକ୍ରମ କରିଯିବ, —ଆମେ ଏହାରିଦ୍ୱାରା ହିଁ ନିଜ ସହିତ ଯଥାର୍ଥରେ ଏକ ସାକ୍ଷାତ୍‍‍କାର ସମ୍ଭବ କରିପାରୁ । ଅନ୍ୟମାନଙ୍କର ମଧ୍ୟ ଯଥାର୍ଥ ପରିଚୟ ଲାଭ କରିପାରୁ ।

 

୨ । ୬ । ୮୨

 

ଯେଉଁମାନେ ବାଟରେ ଗଲେନାହିଁ, କେଉଁଠି ହେଲେ ଆଦୌ କୌଣସି ବାଟ ନଥିଲା ବୋଲି ଯେ ସେମାନେ ବାଟରେ ଯାଇ ପାରିଲେନାହିଁ, ସେକଥା ମୋଟେ ନୁହେଁ । ବାଟ ଥିଲା, ମାତ୍ର ସେମାନେ ଗଲେନାହିଁ; ଆପଣାର ବାଟଟିଏ ପାଇବାକୁ ସେମାନେ ମୋଟେ ମନ କଲେନାହିଁ । ସେମାନେ ବାଟ ଚାଲିବାକୁ ଲୋଡ଼ିଲେ ନାହିଁ । ଆପଣାକୁ ହିଁ ଲୋଡ଼ିଲେ । ଵାଟଗୁଡ଼ାକୁ ଅପବିତ୍ର କଲେ । ସଂସାରରେ ପାରମ୍ପରିକ ଭାବରେ ରହି ଆସିଥିବା ଅନେକ ବିଶ୍ୱାସକୁ ସେମାନେ କ୍ଷତବିକ୍ଷତ କରି ପକାଇଲେ ।

 

ଯେଉଁମାନେ ଘରକୁ ଫେରିଲେ ନାହିଁ, ସେମାନଙ୍କ ଲାଗି ଆଦୌ କୌଣସିଠାରେ ଘର ବୋଲି କିଛି ନଥିଲା ବୋଲି ଯେ ସେମାନେ ସେପରି କଲେ, ସେକଥା ମୋଟେ ନୁହେଁ । ସେମାନେ ଜାଣି ଜାଣି ଘରକୁ ଫେରିଲେ ନାହିଁ । ଜୀବନକୁ ବଞ୍ଚିବାକୁ ହେଲେ ସବାଆଗ ଏକ ଅବଲମ୍ବନ ସ୍ୱରୂପ ଯେ ଏକ ଖୁଣ୍ଟ ପୋତିବାକୁ ହୁଏ, ସେକଥା ସେମାନେ ଜାଣିଶୁଣି କାଟି ପକାଇଲେ । ଚେରଗୁଡ଼ାକୁ ଡରିଲେ, ଭୂଇଁ ଗୁଡ଼ାକୁ ଡରିଲେ । ସତେଅବା ଆହୁରି କେତେ କ’ଣ ଖୋଜିଲେ ଓ ଗାତରେ ପଶିଲେ । ଯୁଗଟାକୁ ଅତ୍ୟନ୍ତ ବର୍ବର ଭାବରେ ଗାତରେ ପୂରାଇ ରଖିଲେ । ଆମ ସଂସାରରେ ବର୍ବରତା ବଢ଼ାଇଲେ, ଭୀରୁତାଗୁଡ଼ାକୁ ଅତିମାତ୍ରାରେ ବଢ଼ାଇଲେ । ଏମାନେ ଭୀରୁ ହୋଇ ରହିବାକୁ ମନ କଲେ ଓ ସେହି ଲଜ୍ଜାଟାକୁ ଭୁଲି ରହିବାକୁ ବାହାରେ ପ୍ରବଳ ହେଲେ । ଏହି ପ୍ରବଳ ଲୋକମାନଙ୍କର ପ୍ରକୃତରେ କୌଣସି ଘର ନାହିଁ, —ଏମାନଙ୍କର ନିଜର ବୋଲି କୌଣସି କେନ୍ଦ୍ର ନାହିଁ । ଏମାନଙ୍କ ଲାଗି ବାଟ ବୋଲି କିଛି ନାହିଁ । ଏମାନେ ଜନନୀ ହେବାରୁ ବଞ୍ଚିତ ରହିଛନ୍ତି ।

 

୩ । ୬ । ୮୨

 

ଅନେକ ମଣିଷ ଥାଆନ୍ତି, ଯେଉଁମାନେ କାର୍ଯ୍ୟ ବିଗାଡ଼ି ଦେବାକୁ ହିଁ ସବୁଠାରୁ ଅଧିକ ପୁଣ୍ୟମୟ କାର୍ଯ୍ୟ ବୋଲି ବିଚାର କରନ୍ତି । ସେମାନେ ଆଗ ଭୁଲ୍‍ଗୁଡ଼ାକୁ ଦେଖନ୍ତି, —ଓକିଲଙ୍କ ପରି ବହିର କେତେ ସୂତ୍ର ଅନୁସାରେ ସେହି ଭୁଲଗୁଡ଼ାକୁ ଦେଖାନ୍ତି ଏବଂ ସେଇଥିରେ ହିଁ କେଡ଼େ ଆତ୍ମପ୍ରସାଦ ଲାଭ କରୁଥାନ୍ତି । ଏବଂ ନିଜେ କିଛିହେଲେ କରିବାକୁ ଇଚ୍ଛା କରନ୍ତି ନାହିଁ । ଆମ ସାଧାରଣ ଜୀବନର କ୍ଷେତ୍ରରେ ଏମାନଙ୍କ ଲାଗି ମଧ୍ୟ ହୁଏତ ଏକ ପ୍ରୟୋଜନ ରହିଛି ସତ, ମାତ୍ର କଦାପି ଏମାନଙ୍କଠାରୁ ଯଥାସମ୍ଭବ ଅଧିକ ଦୂରରେ ରହିବାକୁ ହିଁ ଅଧିକ ଆବଶ୍ୟକ ମନେ ହୋଇଥାଏ । କାରଣ, ଏମାନଙ୍କର ଅଧିକ ସଂସର୍ଗରେ ଆସିଲେ ଗୋଟାଏ ପ୍ରକାର ଅକ୍ରିୟତାଜନିତ ବିଳାସ ସତେଅବା ଅତି ଅଜାଣତ ଭାବରେ ନିଜକୁ ଭିତରୁ ଗ୍ରାସ କରି ଆସୁଥିବା ପରି ମନେ ହେଉଥାଏ । ତା’ପରେ ଆପଣା ଭିତରେ ସତେଅବା ଖାଲି ଖୁରି ଖାଇବାଲାଗି ଏ ଖୁଣଗୁଡ଼ାକୁ ଦେଖାଇବା ଲାଗି ହିଁ ଅଧିକ ଉତ୍ସାହ ହୁଏ ।

 

ଏହି ପ୍ରକାରର ଉତ୍ସାହୀମାନେ ହୁଏତ ଭିତରେ ଭାରି ଖୁସି । ଭିତରେ ଦୁଃଖୀ ବୋଲି ବାହାରେ ଉତ୍ତେଜିତ । ଭିତରେ ଆପଣା ପାଖରେ ଖଳ ବୋଲି ବାହାରେ ମଧ୍ୟ ସକଳ କ୍ଷେତ୍ରରେ ଖଳ । ଏମାନେ ଜନନୀ ହୋଇ ପାରିଲେ ନାହିଁ ବୋଲି ଭିତରେ ଯେଉଁ ଦୁଃଖ ଭୋଗୁଥାନ୍ତି, ବାହାରେ ତାହାରି ତାଡ଼ନାରେ ହିଁ ଉଗ୍ର ହୁଅନ୍ତି, —ଉତ୍ତେଜିତ ହୁଅନ୍ତି । ଆହୁରି ଯଥାର୍ଥଭାବେ କହିଲେ, ଏମାନେ ଯାହା ପ୍ରସବ କରିବାକୁ ମନ କରୁଥାନ୍ତି, ତାହାର ଯୋଗ୍ୟ ହୋଇ ପାରନ୍ତି ନାହିଁ । ତେଣୁ, ଆପଣା ସହିତ ରହିଥିବା ଏହି ବାଦକୁ ସେମାନେ ଅନ୍ୟମାନଙ୍କ ଉପରେ ସାଧିବାକୁ ଚେଷ୍ଟା କରୁଥାନ୍ତି ।

 

୪ । ୬ । ୮୨

 

ମୁଁ ବୁଦ୍ଧି ଦେଇ ଜାଣିଛି ଯେ, ବୁଦ୍ଧିର ସୀମା ଜାଣିବାର ଶେଷ ସୀମା ନୁହେଁ । ବୁଦ୍ଧିର ସମ୍ମତି ନେଇ ମୁଁ ବୁଦ୍ଧିର ସେପାଖକୁ ଯାଇଛି ଏବଂ ଏକ ବୃହତ୍ତର ସମଗ୍ର ମଧ୍ୟରେ ବୁଦ୍ଧିର ପାହାଚଟିକୁ ଅଧିକ ସମ୍ପୂର୍ଣ୍ଣ ଭାବରେ କଳି ଦେଖିବାକୁ ଚେଷ୍ଟା ମଧ୍ୟ କରିଛି ।

 

ବୁଦ୍ଧିର ସାହାଯ୍ୟ ପାଇନଥିଲେ ମୁଁ କଦାପି ବୁଦ୍ଧି ସେପାଖକୁ ଯାଇ ପାରିନଥାନ୍ତି କିମ୍ବା ଏହି ଭୂମିଟିର ସେପାଖକୁ ଆହୁରି କେତେ କେତେ ଭୂମି ରହିଛି ବୋଲି ଅନୁମାନ ବି କରି ପାରିନଥାନ୍ତି । ମାତ୍ର, ବୁଦ୍ଧି ଭିତରେ ଗୁରାଇ ତୁରାଇ ହୋଇ ବସିବାକୁ ମନ କରିଥିଲେ ମଧ୍ୟ ମୁଁ ସେକଥା କଦାପି କରି ପାରିନଥାନ୍ତି । ମୋ’ ଚାରିପାଖରେ ବିଚରଣ କରୁଥିବା ଅନେକ ବୁଦ୍ଧିଆଙ୍କ ପରି ମୁଁ ହୁଏତ ଅଳପ ହୋଇ ରହିଥାନ୍ତି, ଉଗ୍ର ହୋଇ ରହିଥାନ୍ତି । ନିଜ ଭିତରର ଅନେକ ପ୍ରାଚୀରକୁ ଡେଇଁ ଆହୁରି ସେପାଖକୁ ଯିବାଲାଗି ମୋଟେ ସମର୍ଥ ହେଉନଥାନ୍ତି । ତେଣୁ ଆପଣାକୁ କୌଣସି ଗାର ଭିତରେ କିଳିନରଖି ଆପଣାର ସମ୍ମତିଗୁଡ଼ିକୁ ପ୍ରସାରିତ କରିଦେବା ହେଉଛି ଅସଲ ବୁଦ୍ଧିର କାମ । ମଣିଷ ଭୟ ଛାଡ଼ିଲେ ଯାଇ ସେହିସବୁ ସମ୍ମତିର ଭାଜନ ହୋଇପାରିବ । ଅନେକ ମଣିଷ ବୁଦ୍ଧିକୁ ସତେଅବା ଗୋଟାଏ ଯନ୍ତ୍ର ପରି ବ୍ୟବହାର କରି ତାହା ସାହାଯ୍ୟରେ କେଡ଼େ ସନ୍ଥଣାରେ ଆପଣାର ଜୀବନ ନାମରେ ଗାତଟିଏ ଖୋଳନ୍ତି । ସେମାନେ ନିଜପାଇଁ ସେହି ଗାତଟିକୁ ଖୋଳିଥାନ୍ତି । ଅତି ଚାଲାଖି ହୋଇ ସେମାନେ ସେହି ଗାତଟି ଭିତରେ ଥାଆନ୍ତି ଓ ଗାତକୁ ସତେଅବା ସାମ୍ରାଜ୍ୟ ବୋଲି ମନେ କରୁଥାନ୍ତି ।

 

୫ । ୬ । ୮୨

 

ବଡ଼ଲୋକ ମାନଙ୍କର କୋଠିକୁ କେବେ ଗଲେ ସବାଆଗ ମୋ’ର ଫୁଲ ବଗିଚାକୁ ଦେଖିବାକୁ ମନ ହୁଏ । ଫୁଲ ବଗିଚାରେ ରହିଥିବା ଗଛମାନଙ୍କୁ, ପତରମାନଙ୍କୁ ଓ ଫୁଲମାନଙ୍କୁ ଦେଖିବାକୁ ମନ ହୁଏ । ସବୁକିଛି କୃତ୍ରିମତା ଭିତରେ ସେଠି ଏଇ ଗଛ, ପତର ଓ ଫୁଲମାନେ ହିଁ ଆପଣାର ପରି ଲାଗନ୍ତି, ତୁମକୁ ଅନାଇ ଅତ୍ୟନ୍ତ ଆତ୍ମୀୟ ପରି ଟିକିଏ ମୁରୁକି ହସିବେ ବୋଲି ସତେଅବା ଅପେକ୍ଷା କରି ରହିଥାନ୍ତି । ତେଣୁ, ସବାଆଗ ମୁଁ ବଗିଚାକୁ ଚାଲିଯାଏ । ଗୋଟି ଗୋଟି କରି ସମସ୍ତଙ୍କୁ ସଂଖୋଳି ଯାଏ । ଏବଂ ପ୍ରଥମଥର ପାଇଁ ଦେଖୁଥିଲେ ମଧ୍ୟ ସେମାନେ ସମସ୍ତେ ମୋ’ରି ଏକାବେଳେକେ ଚିହ୍ନା ପରି ମନେ ହୁଅନ୍ତି ।

 

ସେଠି କୋଠି ଭିତରେ ଥିବା ମଣିଷମାନେ କେଡ଼େ କୃତ୍ରିମ ଭାବରେ ତୋର ଦିଶୁଥାନ୍ତି, କେଡ଼େ ଉଦ୍ଧତ ହୋଇ ଯା’ଆସ କରୁଥାନ୍ତି ଓ ତା’ ସହିତ ଆପଣା ଭିତରର ଫମ୍ପା ଗୁଡ଼ାକୁ କେଡ଼େ ସୂତରରେ ଧରା ପକାଇ ଦେବାରେ ଲାଗିଥାନ୍ତି । ହୁଏତ କାହାରି ହସିବାକୁ ମନ ନଥାଏ, ଅଥଚ ସମସ୍ତେ ହସହସମୁଖ ହୋଇ ଝଲସିବାରେ ଲାଗିଥାନ୍ତି, —ଏକ ଅପରକୁ ଏହି ଝଲିସିବାରେ ମଉଳନ ପକାଇଦେବେ ବୋଲି ସତେଅବା କେଡ଼େ ପାରଙ୍ଗମ ହୋଇ ଲାଗିଥାନ୍ତି । ସମସ୍ତେ ଫୁଲେଇ ହୁଅନ୍ତି, ଅଥଚ କେହି କାହାରି ଫୁଲେଇପଣକୁ ସହି ପାରୁନଥିବା ପରି ନିଜେ ଅନ୍ୟ ସମସ୍ତଙ୍କୁ ବଳିପଡ଼ିବା ଲାଗି କେତେ ମିହନ୍ତ କରୁଥାନ୍ତି । ମୁଁ ସେଠି ପଶିବାକୁ ମୋଟେ କୌଣସି ବାଟ ପାଏ ନାହିଁ । ତେଣୁ ବଗିଚାକୁ ପଳାଇଯାଏ । ସେଠି ସତେଅବା ନିଜର ଘର ଭିତରେ ବନ୍ଧୁମାନଙ୍କ ମେଳରେ ରହିଥିବା ଭଳି ମନେହୁଏ । ବଗିଚାର ମାଳି ସହିତ ସଙ୍ଗାତ ବସିବାକୁ ମନ ହୁଏ । ମାତ୍ର, ମାଳି ହୁଏତ ସେତେବେଳେ ବାବୁଙ୍କ ଘର ଭିତରେ ଭୃତ୍ୟମହୋତ୍ସବରେ ନିମିତ୍ତ ହୋଇ କାର୍ଯ୍ୟ କରୁଥାଏ ।

 

୬ । ୬ । ୮୨

 

ମୋ’ ବିଚାର ସହିତ ଆଉଜଣଙ୍କର ବିଚାର ଯଦି ନମିଳିଲା, ତେବେ ମୁଁ ତାକୁ ଭୁଲ ବିଚାର ବୋଲି ବର୍ଜନ କରିବିନାହିଁ । ସେହି ଅନ୍ୟ ବିଚାରଟିର ଦର୍ପଣଭୂମି ଉପରେ ମୁଁ ଆପଣାର ବିଚାରକୁ ଆହୁରି ଅଧିକ ଗଭୀର ଭାବରେ ଦେଖିବାକୁ ଚେଷ୍ଟା କରିବି ଓ ତେବେ ସମ୍ଭବତଃ ମୋ’ ନିଜ ବିଚାରଟିକୁ ମୁଁ ଆହୁରି ଅଧିକ ଭାବରେ ବୁଝିବାଲାଗି ସମର୍ଥ ହେବି । ବିଚାରର ସଂସ୍ପର୍ଶକ୍ଷେତ୍ରରେ ଅନ୍ତତଃ ଏହାହିଁ ସର୍ବନିମ୍ନ ନୀତିଗତ ମାନଦଣ୍ଡ ହୋଇ ରହିବ ।

 

ସାହିତ୍ୟ ହେଉଛି ଏକ ସୃଜନର କ୍ଷେତ୍ର, ଏକ ଅଧିଗମନର କ୍ଷେତ୍ର, —ତେଣୁ ଏକ ବିଚାରର କ୍ଷେତ୍ର । ସାହିତ୍ୟରେ ଦୃଷ୍ଟିଭେଦରେ ମତଭେଦ ଅବଶ୍ୟ ଘଟିବ । ତେଣୁ, ଆପଣାର ଦୃଷ୍ଟିଟିକୁ ଏକମାତ୍ର ଦୁଷ୍ଟି ବୋଲି ଧରି ନେବାକୁ ହିଁ ଆମେ ସତ୍ୟ ବୋଲି ମାନି ନେଉଥିଲେ ଆମେ ହୁଏତ ମତବାଦୀ ହୋଇ ରହିବା ସିନା, ମାତ୍ର କଦାପି ସତ୍ୟବାଦୀ ହୋଇ ପରିବାନାହିଁ । ଓଡ଼ିଆ ସାହିତ୍ୟର ସଂସ୍ପର୍ଶ କ୍ଷେତ୍ରରେ ମଧ୍ୟ ଏହାହିଁ ରୀତି ହୋଇ ରହିବ । ବିଚାର ହେଉଛି ମୂଳତଃ ଏକ ଅନ୍ତଃପ୍ରବେଶ । ଅନ୍ୟମାନଙ୍କର ଅନ୍ତଃପ୍ରବେଶ କରିବା ସଙ୍ଗେ ସଙ୍ଗେ ନିଜର ଅନ୍ତର ମଧ୍ୟକୁ ବି ଅଧିକରୁ ଅଧିକ ନିବିଡ଼ ଓ ନିକଟ ଭାବରେ ପ୍ରବେଶ । ଯୋଉଁମାନେ ନିଜର ମତଗୁଡ଼ାକୁ ଏକାନ୍ତ ଭାବରେ ଅମୋଘ ବୋଲି ମାନି ନେଇଥାନ୍ତି, ସେମାନେ ନିଜ ଭିତରକୁ ବି କୌଣସି ଯଥାର୍ଥ ପ୍ରବେଶ କରି ପାରନ୍ତି ନାହିଁ । ବାଡ଼ ପକାଇ ଅନ୍ୟମାନଙ୍କୁ ବାହାରେ ରଖିବା ସଙ୍ଗେ ସଙ୍ଗେ ସେମାନେ ନିଜକୁ ମଧ୍ୟ ଅନେକ ସମୟରେ ଆପଣା ଭିତରୁ ନିର୍ବାସିତ କରି ରଖନ୍ତି । ନିଜର କ୍ଷତି କରନ୍ତି । ନିଜ ଭିତରର କୁସୁମ କଳିଟିକୁ ସତେଅବା ଗୋଟାଏ କାଠଗଡ଼ ପରି ପକାଇ ରଖିଥାନ୍ତି, ଥୋବରା ହୋଇ ରହିଥାନ୍ତି ।

 

୭ । ୬ । ୮୨

 

ଜୀବନରେ ମୁଁ ଯେତିକି ଦେଇଛି, ତା’ଠାରୁ ଅନେକ ବେଶୀ ନିଜେ ପାଇଛି । ଆପଣାର ଦୁଆରଗୁଡ଼ିକୁ ଉନ୍ମୋଚିତ କରି ରଖିପାରିଲେ ହିଁ ଯଥାର୍ଥ ଭାବରେ ଦେଇପାରିବା ସମ୍ଭବ ହୁଏ । ଆପଣାର ଦୁଆରଗୁଡ଼ିକୁ ଖୋଲା ରଖିଥିଲେ ସମ୍ଭବତଃ ଏପରି ଗୋଟିଏ ମୁହୂର୍ତ୍ତ ଆସି ପହଞ୍ଚେ, ଯେତେବେଳେ କି ଦେବା ଓ ପାଇବା ମଧ୍ୟରେ ଆଦୌ କୌଣସି ପାର୍ଥକ୍ୟ ବାରି ହୁଏନାହିଁ । ଦେଲାବେଳେ ଦେବାପରି ମନେ ହୁଏନାହିଁ ବା ପାଇବାବେଳେ ପାଇବା ପରି ମନେ ହୁଏନାହିଁ । ଅଥଚ, ଭିତରେ ସବୁକିଛି ପରିପୂର୍ଣ୍ଣ ହୋଇ ରହିଥାଏ । ଦେବାବେଳେ ଯେତିକି ପରିପୂର୍ଣ୍ଣ ହୋଇ ରହିଥାଏ, ପାଇବାବେଳେ ବି ସେତିକି ପରିପୂର୍ଣ୍ଣ ହୋଇ ରହିଥାଏ । ଏହିପରି ଏକ ମୁହୂର୍ତ୍ତରେ ଯଥାର୍ଥରେ ସାନ୍ନିଧ୍ୟ ସମ୍ଭବ ହୁଏ । ଏବଂ ସାନ୍ନିଧ୍ୟ ଲାଗି ରହିଥିଲେ ଦେବା ଆଉ ପାଇବା କେବଳ ଗୋଟିଏ କ୍ରିୟାଶୀଳତାକୁ ହିଁ ବୁଝାଏ ।

 

ପାଇବାର ଅଭିପ୍ରାୟ ରଖି ଯେଉଁଠି ଦେବାର ଯୋଜନାମାନ ପ୍ରସ୍ତୁତ କରାଯାଏ, ସେଠି ଦେବା ହୁଏନାହିଁ କି ପାଇବା ମଧ୍ୟ ହୁଏନାହିଁ । ମଣିଷ ହୁଏତ କ’ଣ ପାଇବ ବୋଲି ମନ କରି ବସିଥିବା ବେଳେ ଆଉ କ’ଣ ପାଏ; କ’ଣ ଦେବ ବୋଲି ମନ କରି ଆଉ କ’ଣ ଦିଏ । ତେଣୁ ଅସଲ ଯୋଗସୂତ୍ରଟି ମୋଟେ ସ୍ଥାପିତ ହୋଇ ପାରେନାହିଁ । ନିଜ ଭିତରକୁ ମଧ୍ୟ ଅସଲ ପ୍ରବେଶ ପତ୍ରଟି ମୋଟେ ମିଳେନାହିଁ । ନିଜ ସହିତ ଲାଗିଥିବା ଖିଅଟା ସତେଅବା ଏକ ବଣିଜର ସ୍ତରରେ ରହିଯାଏ । ଏବଂ ବଣିଜ କରି ମୋଟେ ବେଶୀ ବାଟ ଯାଇ ହୁଏ ନାହିଁ । ନିଜ ଭିତରକୁ ଯାଇ ହୁଏ ନାହିଁ ଅଥବା ସଂସାର ଭିତରକୁ ବି ଯାଇ ହୁଏ ନାହିଁ । ଏକ ମୂଳଭୂତ ବିତୃଷ୍ଣା ବା ବିରକ୍ତି ହିଁ ଜୀବନ-ପରିବେଶର ସର୍ବମୂଳ ଭାବ ହୋଇ ରହିଥାଏ । ଅର୍ଥାତ୍‍, ଏକ ଅଭାବ ହିଁ ଜୀବନର ସର୍ବମୂଳ ଆବେଦନ ହୋଇ ରହିଥାଏ ।

 

୮ । ୬ । ୮୨

 

ଗତ ଦଶବର୍ଷ ଭିତରେ ପଶ୍ଚିମ ଜର୍ମାନୀରେ ଯାନ୍ତ୍ରିକ ପ୍ରଗତିର କ୍ଷେତ୍ରରେ ଯେତେ ପ୍ରଗତି ହୋଇଛି ଆମ ଭାରତବର୍ଷରେ ତାହା ତୁଳନାରେ କିଛି ହୋଇନାହିଁ ବୋଲି ବୈଜ୍ଞାନିକ ବନ୍ଧୁଜଣକ କାଲି ଏଇଠି ଘରେ ବସି କହିଗଲେ । ସିଏ ଜର୍ମାନୀରେ ଯାହା ଦେଖିଲେ, ତେଣୁ ଭାରତବର୍ଷରେ ଫେରି ଏଠାରେ ତାଙ୍କୁ ସବୁ କିଛି ଅତ୍ୟନ୍ତ ନୈରାଶ୍ୟଜନକ ପରି ଲାଗିଲା ବୋଲି ସିଏ ସତେଅବା ଅତ୍ୟନ୍ତ ଉଦାସୀନ ହୋଇ କହୁଥିଲେ । ସିଏ କହିଲେ, ଭାରତରେ କାହିଁକି ଏପରି ନୈରାଶ୍ୟଜନକ ଅବସ୍ଥା ରହିଛି, ତା’ର ମୁଖ୍ୟ କାରଣଗୁଡ଼ାକ ମଧ୍ୟ ତାଙ୍କୁ ପରିଷ୍କାର ଭାବରେ ଜଣା ଅଛି । ମୁଁ ଅବାକ ହୋଇ ଶୁଣୁଥାଏ ।

 

ଠିକ୍‍ ଏହି ଜାଗାରେ ହିଁ ବୈଜ୍ଞାନିକ ହାରି ଯାଇଛନ୍ତି । ବୈଜ୍ଞାନିକକୁ ମଧ୍ୟ ଆପାଣାର ପେଟପୋଷଣା ପାଇଁ ଚାକିରି କରିବାକୁ ହୁଏ । ମାତ୍ର, ଅନେକ ବୈଜ୍ଞାନିକ ଚାକିରି କରୁ କରୁ କ୍ରମେ କେବଳ ଚାକିରିଆଟିଏ ହୋଇ ଯାଆନ୍ତି । ଆପଣାର ବିଜ୍ଞାନକୁ ଭୁଲି ଯାଆନ୍ତି, ବୈଜ୍ଞାନିକ ଦୃଷ୍ଟିଟିକୁ ବି ହରାଇ ବସନ୍ତି । ଭାରତବର୍ଷର ଅଧିକାଂଶ ବୈଜ୍ଞାନିକ ସମ୍ଭବତଃ ଠିକ୍‍ ଏହିପରି ଭାବରେ ଚାକିରି କରୁ କରୁ ତୁଚ୍ଛା ଚାକିରିଆ ହୋଇ ଯାଇଛନ୍ତି । ଚଉକିରେ ବସୁ ବସୁ ହାକିମ ହୋଇ ଯାଇଛନ୍ତି । ତା’ପରେ ଏହି ଦେଶକୁ ଭୁଲି ଯାଇଛନ୍ତି ଏବଂ କ୍ଷେତ୍ରଟିକୁ ଭୁଲି ବିଜ୍ଞାନକୁ ମଧ୍ୟ ଭୁଲିଛନ୍ତି । ତେଣୁ, ଏତେ ବିଜ୍ଞାନୀ ରହିଥିଲେ ମଧ୍ୟ, ବିଜ୍ଞାନ ନାମରେ ଏତେ ଏତେ କୋଠା ତିଆରି ହୋଇ ଏତେ ସିରସ୍ତା ବସିଥିଲେ ମଧ୍ୟ ତଥାପି ସ୍ଥିତି ନୈରାଶ୍ୟଜନକ ହୋଇ ରହିଛି । ବୈଜ୍ଞାନିକ ଯେଡ଼େ ନିରାଶ ହୋଇଥିଲେ ମଧ୍ୟ ତଥାପି ଚାକିରିରେ ଅଛନ୍ତି, ତଥାପି ବାବୁ ହୋଇ ବସିଛନ୍ତି ।

 

୯ । ୬ । ୮୨

 

ନଈରେ ପହଁରି ଆଜି ସବୁ ଆମ ଗାଆଁପରି ଦେଖାଯାଉଛି । ଅର୍ଥାତ୍‍, ସବୁ ଚିହ୍ନା ପରି ମନେ ହେଉଛି । ଅନେକ କବି ଅଛନ୍ତି, ଯେଉଁମାନେ କି ନଈପହଁରାକୁ ନେଇ କବିତା ଲେଖନ୍ତି, ମାତ୍ର କେବେହେଲେ ନଈ ପହଁରି ନଥାନ୍ତି । ତେଣୁ, ସିଧା ନକରି ବଙ୍କା କହନ୍ତି, ଚିନ୍ତାକଳ୍ପ ସାହାଯ୍ୟରେ କହନ୍ତି । ଆପଣାର ବୁଦ୍ଧି ଦେଇ ମସ୍ତିଷ୍କ ଭିତରେ ଗୋଟାଏ ନଈର ଭିଆଣ କରି ସେମାନେ ତାହାରି କଥା କହନ୍ତି । ହୃଦୟ ଭିତରେ ହୁଏତ ଆଦୌ କୌଣସି ନଈ ଅନୁଭବ କରି ପାରନ୍ତିନାହିଁ । ସେମାନେ ଗଡ଼ିଆ ଭିତରେ ଥାଇ ନଈର କଥା କହନ୍ତି । କାନ୍ଥ ଭିତରେ ଥାଇ ମୁକ୍ତ ଗତିଶୀଳତା ଓ ଏକ ଆମନ୍ତ୍ରଣକାରୀ ସ୍ୱଚ୍ଛତାର କଥା କହନ୍ତି; କେତେ ଅଳଙ୍କାର ଦେଇ ବନାଇ ଚୂନାଇ କହନ୍ତି । ଯାହା ବନାନ୍ତି, ସେଥିରେ ଅଳଙ୍କାରଗୁଡ଼ାକ ଏଡ଼େ ପ୍ରବଳ ଭାବରେ ରହିଥାଏ ଯେ, ଅଳଙ୍କାର ଦେଇ ସେମାନେ ଯାହାକୁ ବନାନ୍ତି; ସେହି ପଦାର୍ଥଟି ମୋଟେ ଦେଖା ଯାଏନାହିଁ ।

 

ନଈକୁ ମୁଁ ଆମ ଗାଆଁରୁ ଚିହ୍ନିଛି । ନଈ ମୋ’ ଗାଆଁରେ ମୋ’ ପିଲାବେଳର ସାଙ୍ଗ । ନଈରେ ପାଣି ଅଛି, ଗଣ୍ଡ ଅଛି, ସୁଅ ଅଛି, ବାଲି ଅଛି । ଏହି ସବୁଗୁଡ଼ିକ ସହିତ ମୋ’ର ନିବିଡ଼ ପରିଚୟ । ତେଣୁ, ମୋ’ର ନଈପହଁରା କହିଲେ ମୁଁ ନଈରେ ପହଁରିବାକୁ ବୁଝାଏ । କାହାରି ନିକଟବର୍ତ୍ତୀ ହେବାକୁ ମନ କଲେ ଯେପରି ମୁଁ ପ୍ରକୃତରେ ତାର ନିକଟବର୍ତ୍ତୀ ହୋଇଆସେ ଓ ନିଜର କୌଣସି ସଂକୋଚନକୁ ଜାଣିଶୁଣି ଠିଆ କରି ରଖେନାହିଁ, ଏକଥା ମଧ୍ୟ ଠିକ୍‍ ସେହିପରି । ମୋ’ ଗାଁଆଁ ଓ ମୋ’ ସହର, —ମୋ’ର ହୃଦୟ ଭିତରେ ସତେଅବା ଗୋଟିଏ ନଈ ଦେଇ ଦୁହେଁ ଛନ୍ଦି ହୋଇ ରହିଛନ୍ତି । ଏହି ନଈକୁ ଭଲ ପାଇ ମୁଁ ଗଡ଼ିଆଗୁଡ଼ାକୁ ଭାଙ୍ଗି ପାରିଛି, —ମୋ’ର ଗଡ଼ିଆମାନ ଆପଣାକୁ ନେଇ ନଈରେ ମିଶାଇ ଦେବାକୁ ଏତେ ଟିକିଏ ବି କୁଣ୍ଠିତ ହୋଇନାହାନ୍ତି ।

 

୧୦ । ୬ । ୮୨

 

ବାପାମାଆ ଅନେକ ସମୟରେ ନିଜର ପିଲାମାନଙ୍କୁ ଯଥାର୍ଥ ଭାବରେ ଭଲ ପାଇ ପାରନ୍ତି ନାହିଁ । ତେଣୁ, ସେମାନଙ୍କର ପ୍ରକୃତ ବିକାଶଲାଗି ଏକ ଯଥାର୍ଥ, ସ୍ୱାଭାବିକ ଅର୍ଥାତ୍‍ ମୁକ୍ତ ବାତାବରଣ ସେମାନଙ୍କୁ ଯୋଗାଇ ଦେଇ ପାରନ୍ତିନାହିଁ । ସେମାନେ ପିଲାମାନଙ୍କୁ ଆପଣାର ସମ୍ପତ୍ତିପ୍ରାୟ ଜ୍ଞାନ କରନ୍ତି । ସମ୍ପତ୍ତିପ୍ରାୟ ଜ୍ଞାନ କଲେ ଆଉ ଯଥାର୍ଥ ସଖ୍ୟ ଓ ଯଥାର୍ଥ ସାହଚର୍ଯ୍ୟ ଦେଇ ହୁଏନାହିଁ । ପିଲାମାନଙ୍କୁ ଗଣ୍ଠିଧନ କରି ଦେଖନ୍ତି ଏବଂ ନାନାପ୍ରକାର ସ୍ନେହାଳୁତାର ଗଣ୍ଠି ପକାଇ ସେମାନଙ୍କୁ ଆପଣା ସହିତ ବାନ୍ଧି ରଖିଥାନ୍ତି । ସେମାନଙ୍କ ସକାଶେ ସୁଗମ ବାଟଟିଏ ତିଆରି କରି ରଖିବାକୁ ଆପଣାର ଧର୍ମ ବୋଲି ଅନୁଭବ କରନ୍ତି । ଫଳରେ ଅନେକ ବିକାଶ । ଅର୍ଥାତ୍‍ ଅନେକ ସାହାସ ଲାଗି ଆଉ ସୁଯୋଗ ମିଳେନାହିଁ, ଅନେକ ସମ୍ଭାବନା ଅସ୍ଵୀକୃତ ହୋଇ ରହିଯାଏ । ଜୀବନଗୁଡ଼ାକ ଖାଲି ଗୁଳାରେ ଚାଲେ ।

 

ସେହି କାରଣରୁ ହିଁ ଜୀବନରେ ବନ୍ଧୁ ଦରକାର ହୁଅନ୍ତି । ଆପଣାର ସ୍ନେହାଫାଶରେ ବାନ୍ଧି ରଖିବାପାଇଁ ନୁହେଁ, ଯୁଗପତ୍‍ ଭାବରେ ଅଭୟ ଏବଂ ସାହସ ଦେବାପାଇଁ ଜଣେ ଜନନୀ ଦରକାର ହୁଅନ୍ତି । ସେହି ଜନନୀ ଏକାବେଳେକେ ମାଆର କାମ କରନ୍ତି, ବନ୍ଧୁର କାମ ବି କରନ୍ତି । ସିଏ ଘରଟିଏ ଯୋଗାଇ ଦିଅନ୍ତି, ଆଶ୍ରୟଟିଏ ଯୋଗାଇ ଦିଅନ୍ତି, ଅଥଚ ସତେଅବା ସମଗ୍ର ଆକାଶଟିକୁ ସୁରକ୍ଷାର ଢାଙ୍କୁଣୀ ପରି ବ୍ୟବହାର କରି ସିଏ ଆମକୁ ଏହି ବିସ୍ତୀର୍ଣ୍ଣ ପୃଥିବୀ ଭିତରେ ଛାଡ଼ି ଦିଅନ୍ତି, —ବୃହତ୍ତରୁ ବୃହତ୍ତର ହେବାକୁ ଶିଖାନ୍ତି । ଗେହ୍ଲା ପୁଅ ପରି ଅଧିକରୁ ଅଧିକ ନେଇ କେବଳ ଆହୁରି ଗେହ୍ଲା ହେବାକୁ ନୁହେଁ, ଦେଇ ମଧ୍ୟ ଶିଖାନ୍ତି । ତାଙ୍କରି ଅତ୍ମୀୟତା ଭିତରେ ପ୍ରବେଶ କରି ପାରିଲେ ଅଧିକ ଦେବାଲାଗି ମନ ହୁଏ, ଅଧିକ ବାଟ ଚାଲିବାକୁ ମନ ହୁଏ । ତେଣୁ, ଅନେକ ଅଧିକ ସମ୍ଭବ ହୁଏ । ଅଧିକ ସମ୍ଭବ ହେଲେ ଯାଇ ଫାଶଗୁଡ଼ାକ ଫିଟେ, ମୁକ୍ତି ମିଳେ ।

 

୧୧ । ୬ । ୮୨

 

ଗାଆଁରେ ସାନ ମନ୍ତ୍ରୀ, ସହରରେ ବଡ଼ ମନ୍ତ୍ରୀ । ମନ୍ତ୍ରୀ ହେବାର କାଇଦାଗୁଡ଼ିକ କିଏ କାହାଠାରୁ ଶିଖିଛି, ସେକଥା କଦାପି ନିର୍ବିବାଦରେ କହି ହେବନାହିଁ । ଗାଆଁ ବାଲା କହୁଛନ୍ତି, ଆମେ ଯାବତୀୟ ଦୁଷ୍ଟ ସାହସକୁ କେବଳ ସହରବାଲାଙ୍କ ପାଖରୁ ଶିଖିଲୁ । ସାନମାନେ କହୁଛନ୍ତି, ବଡ଼ମାନେ ହିଁ ଆମଙ୍କୁ ଯାବତୀୟ ଅନୀତି ଶିଖାଇଲେ । ଅନ୍ୟାୟଗୁଡ଼ାକ, ଅର୍ଥାତ୍‍ ନୃଶଂସତାଗୁଡ଼ାକ କୁଆଡ଼େ ସହରରୁ ଗାଆଁ ଭିତରେ ପଶିଲା । ଗାଆଁର ଅଳପପାଠୁଆମାନେ ଅଧିକ ପାଠ ପଢ଼ିବାଲାଗି ସହରକୁ ଗଲେ ଓ ସେଇଠାରୁ ସବୁପ୍ରକାର ନଷ୍ଟକାରୀ ସାହସକୁ ସାଙ୍ଗରେ ନେଇ ଘରକୁ ଫେରିଲେ । ଆମ ଦେଶରେ ଯେତେବେଳେ ସହର ବୋଲି ଅଲଗା ହୋଇ କିଛି ନଥିଲା, ସେତେବେଳେ ଏହି ସାନ ସାନ ସଂସାର ହିଁ ନିବୁଜ ପୃଥିବୀ ପରି ହୋଇ ରହିଥିଲା । ମଣିଷମାନେ କଥା ମାନୁଥିଲେ, ବ୍ୟବସ୍ଥା ମାନୁଥିଲେ ଓ ତେଣୁ ଭଲ ହୋଇ ରହିଥିଲେ, ଜବତ ହୋଇ ରହିଥଲେ-

 

ଆଧୁନିକ କାଳରେ ପୁରୁଣା ପାଚେରୀଗୁଡ଼ାକ ଭାଙ୍ଗିଗଲେ । କିନ୍ତୁ ଗ୍ରାମଜୀବନର ଅଣ୍ଟାରେ ବାହାରର ଅନ୍ୟ ହାଉଆକୁ ରୋକି ପାରିବା ଲାଗି ହୁଏତ ଯଥେଷ୍ଟ ବଳ ନଥିଲା । ଚେରଗୁଡ଼ାକ ଅବଶ୍ୟ ରହିଥିଲା, ମାତ୍ର ସେଗୁଡ଼ାକ ଏଠି ମଣିଷକୁ ଛନ୍ଦି ଛାନ୍ଦି ଜବତ କରି ରଖିଥିଲା ସିନା, ମଣିଷକୁ ତଥାପି ଏକ ନିର୍ଭୀକ ଜୀବନଦୃଷ୍ଟିର ଯୋଗାଇ ପାରିନଥିଲା । ତେଣୁ, ସଂକ୍ରମଣ ବଦଳରେ ଗ୍ରାସଟା ହିଁ ସାର ହେଲା । ନୁଆକୁ ନିଜ ଡୋରରେ ଛୁଆଁଇ ସେଥିରୁ କିଛି ଆପଣାର ବିଚାର ଅନୁସାରେ ଗ୍ରହଣ କରିବା ଏହି ଗାଆଁ ଗୁଡ଼ିକ ପକ୍ଷରେ ସମ୍ଭବ ହେଲାନାହିଁ । ଗାଆଁ ଲୋକେ ଆଗେ ଗାଆଁ ବ୍ରାହ୍ମଣକୁ ମାନୁଥିଲେ, ଏବେ ସହରର ବ୍ରାହ୍ମଣମାନଙ୍କୁ ଆଦରିନେଲେ । ସହରର ଶାସ୍ତ୍ର ଅନୁସାରେ ଚଲିଲେ, —ଏହି କ୍ଷେତ୍ରରେ ଏତିକି ମାତ୍ର ହୋଇପାରିଲା ।

 

୧୨ । ୬ । ୮୨

 

କାଲି ଗୋଟିଏ ଗାଆଁରେ ଥିଲି ଆଜି ସକାଳେ ସହରରେ ବସି ଏହି ଖାତାଟିକୁ ଖୋଲି ବସିବା ବେଳକୁ ଗାଆଁଗୁଡ଼ାକ ହିଁ ସବାଆଗରେ ରହିଥିବା ପରି ମନେ ପଡ଼ି ଯାଉଛନ୍ତି । ଗାଆଁ ତଥାପି ଗାଆଁ ହୋଇ ରହିଛି । ସେଠି ଖୋଲା ଆକାଶ ରହିଛି, ଖୋଲା ପାଟ ରହିଛି, —ନିର୍ମଳ ପବନ ରହିଛି, —ଆପଣାକୁ ଗୋଟାସୁଦ୍ଧା ଖୋଳିଦେଇ ପାରୁଥିବା ନଈନାଳ ବି ରହିଛି । ଗାଆଁର ଯେଉଁ ମଣିଷମାନେ ଆଗ ଚାଲାଖ ହୋଇ ସହରକୁ ଆସିଛନ୍ତି, ସେମାନେ ସତେଯେପରି ଏବେ ମଧ୍ୟ ସହରର ଜୀବନ ସହିତ ଆପଣାକୁ ପୂରାପୂରି ମେଲ ଖୁଆଇ ପାରିନାହାନ୍ତି । ସେମାନେ ଗାଆଁରେ ମାମଲତକାର ହୋଇ ଗାଆଁକୁ କେତେପ୍ରକାରେ ନଚାଇବାକୁ ଚେଷ୍ଟା କରିଛନ୍ତି ସତ, ତଥାପି ସହରରେ ଭାରି ଅଜାତିଆ ହୋଇ ରହିଛନ୍ତି ଓ ତେଣୁ ଧରାପଡ଼ି ଯାଉଛନ୍ତି ।

 

ଗାଆଁର ନେତୃତ୍ୱ ଗାଆଁରୁ ବାହାରିବ । ତେବେଯାଇ ଗାଆଁର ମଙ୍ଗଳ ହେବ, ଦେଶର ମଙ୍ଗଳ ହେବ । ଆପଣାର ସକଳ ଆନ୍ତରିକତାର ଭୂମିରେ ଯେଉଁମାନେ ଗାଆଁକୁ ଛାଡ଼ି ସାରିଲେଣି ଓ ସହରରୁ ଚାଲାଖି ଶିଖି ନିଜ ଗାଆଁରେ ଆଧୁନିକ ମାମଲତକାରି କରୁଛନ୍ତି, ସେମାନେ ଗାଆଁ ଅଥବା ସହର ଦୁଇଟା ଭିତରୁ ଗୋଟାକୁ ମାନିନେବା ଉଚିତ । ଗାଆଁରେ ଘରଡିହ ଥିବା ପର୍ଯ୍ୟନ୍ତ ସେମାନେ ଗାଆଁକୁ ଆସନ୍ତୁ, ମାତ୍ର ଗାଆଁ ପ୍ରତି ଶ୍ରଦ୍ଧା ରଖି ଆସନ୍ତୁ । ସହରରୁ ବିଦ୍ୟା ଶିଖି ଗାଆଁଗୁଡ଼ାକୁ ମଧ୍ୟ ଆପଣାର କାବୁରେ ରଖିବାର ଫିକର କରି ସେମାନେ ଗାଆଁକୁ ନଆସନ୍ତୁ । ଗ୍ରାମ୍ୟଜୀବନର ଦୁଇଟିକୁ ଏକ ସମଗ୍ର ସମ୍ମାନଜନକ ବୃତ୍ତରୂପେ ତିଆରି କରିବାଲାଗି ଗ୍ରାମର ନେତୃତ୍ୱ ସବୁପ୍ରକାରେ ପଦକ୍ଷେପ ଗ୍ରହଣ କରୁ । ଗାଆଁ ସହରର ଅନୁପୂରକ ହେଉ, ତଥାପି ସହରର ଗ୍ରାସରେ ନପଡ଼ୁ । ସହର ମଧ୍ୟ ଗାଆଁର ଅନୁପୂରକ ହୋଇ ରହୁ ।

 

୧୩ । ୬ । ୮୨

 

ମଣିଷ ଖାଲି କହିବ, କିଛି ହେବ ନାହିଁ ଏବଂ ତେଣେ ଏହି ପୃଥିବୀରେ କିଛି ହେଲାନାହିଁ ବୋଲି ଶ୍ଲେଷୋଦ୍‍ଗାର କରିବାରେ ହିଁ ଲାଗିଥିବ । ଆମ ପୃଥିବୀର ନୀତିବାଦୀଙ୍କ ଲାଗି ହୁଏତ କାଳ କାଳ ଲାଗି ତାହାହିଁ ସର୍ବପ୍ରଧାନ ଆଚରିତ ଧାରା ହୋଇ ରହିଆସିଛି ।

 

ମଣିଷ ବାଟ ଚାଲୁଥିବ, —ମଣିଷ ଭିତରେ ଶ୍ରଦ୍ଧା ଥିବ, ମଣିଷ ବିଶ୍ୱ ସଂସାରର ଦର୍ପଣ ଉପରେ ଆପଣାକୁ ଦେଖିବାଲାଗି ସମର୍ଥ ହେଉଥିବ । ତେବେ ତାହାହିଁ ତାର ସର୍ବଶ୍ରେଷ୍ଠ କହିବାପରି ହେବ । ତା’ ଉପସ୍ଥିତି ହିଁ କଥାଠାରୁ ଅଧିକ କାମଦେବ, ପ୍ରେରଣା ପରି କାମ ଦେବ । ଯିଏ ଏହି ଦୃଷ୍ଟିରୁ ସମସ୍ତଙ୍କର ସୁହୃତ୍‍ ହୋଇ ବାହାରି ପାରିବ ସେଇ ସଂସାରରେ ବନ୍ଧ ଭାଙ୍ଗିବ, ଗାରଗୁଡ଼ାକୁ ଡେଇଁଯାଇ ପାରିବ, —ସେଇ ଗବାକ୍ଷଗୁଡ଼ିକୁ ଖୋଲିବ । ଆମ ଗୋଡ଼ରେ ବନ୍ଧାହୋଇ ରହିଥିବା ପଥରଗୁଡ଼ାକରୁ ସେଇ ଆମର ବିମୋଚନ ପଟାଇବ । ସେଇ ସତ୍ୟର ପରିଚୟ ଦେବ । ମିଥ୍ୟାର ଗଭୀର ଭିତରକୁ ଯାଇ ସେଇ ସତ୍ୟର ସାନ୍ନିଧ୍ୟ ଲାଭ କରିବ ଓ ଅନ୍ଧକାରର ଗଭୀରକୁ ଯାଇ ଅର୍ଥାତ୍‍ ଏହି ଯାବତୀୟ ପରସ୍ତକୁ ଭେଦ କରି ସେଇ ଆଲୋକର ସନ୍ଧାନ ଦେବ ଏବଂ ଆଲୋକର ପ୍ରତିନିଧି ଭାବରେ ଆମ ସମସ୍ତଙ୍କର ପ୍ରତ୍ୟୟଭାଜନ ବି ହୋଇ ପାରିବ । ସଂସାରର ଅସଲ ଯୋଗୀ ସେହି ପ୍ରତିନିଧି ହୋଇ ପାରିବ । ପରିବର୍ତ୍ତନର ମୁହୂର୍ତ୍ତମାନେ ସେହି ଯୋଗୀଲାଗି ଅପେକ୍ଷା କରି ରହିଛନ୍ତି । ପାଚେରୀଗୁଡ଼ାକ ତାହାରି ସ୍ପର୍ଶରେ ଦୁଆରରେ ପରିଣତ ହେବାକୁ ଅପେକ୍ଷା କରି ରହିଛନ୍ତି ।

 

୧୪ । ୬ । ୮୨

 

ମୂର୍ତ୍ତି ବୋଲି କହି ପାରିବା ଭଳି ମୂର୍ତ୍ତି ଆଉ ପ୍ରାୟ କେଉଁଠିହେଲେ ନାହିଁ । ସମ୍ଭବତଃ ସେଇଥିଲାଗି ଆମେ ସମସ୍ତେ ପଥର ଓ ସିମେଣ୍ଟ ଦେଇ ମୂର୍ତ୍ତିଗୁଡ଼ାଏ ତିଆରି କରି ରଖିବାରେ ଏତେ ଆଗ୍ରହ ପ୍ରକାଶ କରୁଛୁ । ଏବଂ ଆମ ଭିତରୁ ଯେଉଁମାନେ ନିଜ ମୂର୍ତ୍ତିର ପ୍ରେମରେ ପଡ଼ି ଯାଇଛନ୍ତି, ସେମାନେ ଏକ ଆରେକର ମୂର୍ତ୍ତିକୁ କୁତ୍ସିତ କରି ପକାଇବା ପାଇଁ ପରସ୍ପର ଆଡ଼କୁ କାଦୁଅ ଫିଙ୍ଗିବାରେ ଲାଗିଛନ୍ତି ।

 

ଯୋଉ ମୂର୍ତ୍ତିଗୁଡ଼ାକ ତିଆରି ହେଉଛି, ଆପଣାର ମୂର୍ତ୍ତିଟିକୁ ଯଥାସମ୍ଭବ ଅଧିକ ବହଳ କରି ଦେଖାଇବା ନିମନ୍ତେ ଲାଳସୀ ହୋଇ ରହିଥିବା ମଣିଷମାନେ ହିଁ ସେଗୁଡ଼ାକୁ ତିଆରି କରୁଛନ୍ତି-। ପଥରମୂର୍ତ୍ତି ଗୁଡ଼ାକୁ କଥା ଓ ପ୍ରଶଂସାରେ କେତେ ଅଭିମଣ୍ଡନ ଦେଇ ମଣ୍ଡାଇ ରଖାଯାଉଛି ଏବଂ ଅହଂକାରୀମାନେ ସେଠି କେଡ଼େ ବିନୟର ସହିତ ଥାପିତ ମୂର୍ତ୍ତି ଗୁଡ଼ାକର ସ୍ତୁତି କରିବାରେ ଲାଗିଛନ୍ତି । ଅଧିକାଂଶ ମଣିଷ ନିଜ ଭିତରକୁ ଅନାଇ ହୁଏତ ଆଦୌ କୌଣସି ମୂର୍ତ୍ତି ଦେଖିବାକୁ ପାଉନାହାନ୍ତି । ସେମାନେ ଆପଣା ଭିତରେ ମୁଣ୍ଡଟି ସହିତ ଗଣ୍ଡିଗୁଡ଼ାକୁ ଆଦୌ ଯୋଡ଼ି ପାରୁନାହାନ୍ତି ଏବଂ ତେଣୁ ବାହାରେ ମୂର୍ତ୍ତି ଗୁଡ଼ାକର ଥାପନା କରି ଆପଣା ଭିତରେ ରହିଥିବା ପରାଜୟଟାର ପ୍ରତିଶୋଧ ନେବାଲାଗି ଏତେ ବେଶୀ ଉତ୍ସାହୀ ହୋଇ ବାହାରୁଛନ୍ତି । ଅସଲ ମୂର୍ତ୍ତି ଭିତରେ ରହିଛି, ଭିତରେ ହିଁ ଅପେକ୍ଷା କରି ରହିଛି । ବାହାରେ ମିଛ ପ୍ରଶସ୍ତି ଗୁଡ଼ାକର ଆଡ଼ମ୍ବର ଭିତରେ ପଥର ହୋଇ ଥାପିତ ହେବାପାଇଁ ନୁହେଁ, ସେହି ଅନ୍ତରଭିତରେ ଏକ କେନ୍ଦ୍ରରୂପେ ସ୍ୱୀକୃତ ହେବାଲାଗି ହିଁ ଅପେକ୍ଷା କରି ବସିଛି । ଭିତରେ ଅସଲ ସ୍ୱୀକୃତିଟି ମିଳିଲେ ଯାଇ ବାହାରେ ମୂର୍ତ୍ତି ସ୍ଥାପିତ ହୋଇ ପାରିବ ।

 

୧୫ । ୬ । ୮୨

 

ମୋ’ ନିଜ ଭିତରେ ବି ମୋ’ର ଗୋଟିଏ ମୂର୍ତ୍ତି ରହିଛି । ଏହାକୁ ଚଳନ୍ତି ଭାଷାରେ କେବଳ ଏକ ଭାବମୂର୍ତ୍ତି ବୋଲି ମୋଟେ କହି ହେବନାହିଁ । ଏହି ମୂର୍ତ୍ତିକୁ ମୁଁ ଅନେକ ସମୟରେ ଅତ୍ୟନ୍ତ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିଛି; —ଅର୍ଥାତ୍‍, ତାହାକୁ ଦେଖିପାରିଛି, ଛୁଇଁ ପାରିଛି, ବେଳେ ବେଳେ ତାହାକୁ ହିଁ ମୋ’ର ଅସଲ ଭୂମିଗୁଡ଼ିକର ସାଥୀ କରି ଆଗକୁ ବାଟ ଚାଲିବାର ଚେଷ୍ଟା ବି କରିଛି । ମୋ’ର ବାଟ ଚାଲିବା ସଙ୍ଗେ ସଙ୍ଗେ ସେହି ମୂର୍ତ୍ତିଟି ବି କେତେ ପ୍ରକାରେ ବଦଳିଛି, ମାର୍ଜିତ ହୋଇଛି ଏବଂ ପ୍ରସାରିତ ହୋଇଛି । ନାନାବିଧ ଅହଙ୍କାରରୁ ଆପଣାକୁ ମୁକ୍ତ କରି ଆଣି ମୁଁ ତାରୁ ସତତ ଅଧିକରୁ ଅଧିକ ସମତାଯୁକ୍ତ କରିବାଲାଗି ଚେଷ୍ଟା ମଧ୍ୟ କରିଛି । ଏହି ମୂର୍ତ୍ତିଟିକୁ ଅନୁଭବ କରୁଥିବା ବେଳେ ମୁଁ ଆପଣାକୁ ଅନ୍ୟମାନଙ୍କ ସହିତ ତୁଳନା କରି କଦାପି ଈର୍ଷା କରିନାହିଁ, କଦାପି ଉଗ୍ର ହୋଇନାହିଁ । ଏହି ମୂର୍ତ୍ତିଟି ମୋ’ ଜୀବନାଗ୍ରହର ଡାଳଗୁଡ଼ିକ ଭିତରେ ସତେଅବା ପୂର୍ଣ୍ଣିମାର ଜହ୍ନପରି ଉଦିତ ହୋଇ ରହିଛି, ଉଜ୍ଜ୍ୱଳ ହୋଇ ରହିଛି, —ମୋତେ ପୁଲକିତ କରିଛି, ଆକର୍ଷିତ କରିଛି, ନିଜପାଖରେ ନିଜକୁ ଆହୁରି ଅଧିକ ପ୍ରିୟକରି ରଖିଛି, ଉଦ୍ୟତ କରି ରଖିଛି ।

 

ଏହି ମୂର୍ତ୍ତି ଆଦୌ ଏକ ବିଲଗ ମୂର୍ତ୍ତି ନୁହେଁ । ଏହି ମୁର୍ତ୍ତିକୁ ମୁଁ ସତେଅବା କାହାର ପାଦତଳେ ରହିଥିବାର ଦେଖିବାକୁ ପାଇଥାଏ । ମୁଁ ଅନେକ ସମୟରେ ଯାହାକୁ କରୁଣା ବୋଲି କହିଥାଏ, ବନ୍ଧୁ ବୋଲି କହିଥାଏ, ଉତ୍ସାହ ମାଗି ମୁଁ ଅନେକ ସମୟରେ ଯାହାରି ପାଖକୁ ବାରବାର ଦଉଡ଼ି ଯିବାକୁ ଇଚ୍ଛା କରିଥାଏ, ମୁଁ ମୋ’ ମୂର୍ତ୍ତିଟିକୁ ତାହାରି ପାଦତଳେ ଦେଖିବାକୁ ପାଇଥାଏ, —ତାହରିଦ୍ୱାରା ହିଁ ମୂର୍ତ୍ତିଟି ମୋତେ ଏତେ ନିକଟତମ ପରି ମନେହୁଏ ।

 

୧୬ । ୬ । ୮୨

 

ସମସ୍ତେ କହୁଛନ୍ତି, ମୋଟେ କିଛିହେଲେ ହେବନାହିଁ । କାହିଁକି ଯେ ହେବନାହିଁ, ସେଥିଲାଗି ସମସ୍ତେ ନିଜକୁ ଛାଡ଼ି ଅନ୍ୟମାନଙ୍କୁ ଦୋଷ ଦେବାରେ ଲାଗିଛନ୍ତି । ସେମାନେ କେବଳ ବିରକ୍ତି ପ୍ରକାଶ କରୁଛନ୍ତି ।

 

ମୁଁ ବିରକ୍ତିର ମଣିଷ ନୁହେଁ, —ମୁଁ ଅନୁରକ୍ତିର ମଣିଷ, ଅନୁରାଗର ମଣିଷ । ଆପଣାପ୍ରତି ମଧ୍ୟ ମୋ’ର ବିଶେଷ ଅନୁରାଗ ରହିଛି । ଅନୁରାଗ ରହିଛି ବୋଲି ଆସ୍ଥା ରହିଛି । ଏବଂ ଆପଣାପ୍ରତି ଆସ୍ଥା ରହିଛି ବୋଲି ଅନ୍ୟମାନଙ୍କ ପ୍ରତି ମଧ୍ୟ ଆସ୍ଥା ରହିଛି । ମଣିଷ—ଅନ୍ତରର ଯେଉଁ ଅନୁରାଗମୟ ସ୍ଥାନଟିରେ ମଣିଷ ସର୍ବଦା ଇଚ୍ଛୁକ, ସର୍ବଦା ସମ୍ମତ ଓ ସର୍ବଦା ଆଗ୍ରହୀ; ଆପଣା ଭିତରେ ରହିଥିବା ସେହି ସ୍ଥାନଟିରୁ ପ୍ରେରଣା ଏବଂ ପ୍ରତ୍ୟୟ ନେଇ ମୁଁ ସଂସାରରେ ଅନ୍ୟମାନଙ୍କୁ ଚିହ୍ନିବାକୁ ଯାଇଛି । ତେଣୁ, ମଣିଷ ଭିତରେ ପ୍ରଧାନତଃ ବନ୍ଧୁମାନଙ୍କୁ ହିଁ ପାଇଛି । ଯିଏ ମଣିଷ ଭିତରେ ବନ୍ଧୁ ଖୋଜିବାକୁ ଯାଏ, ସିଏ କଦାପି ବିରକ୍ତ ହୁଏନାହିଁ । ତେଣୁ ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ, ଏହି ସଂସାରରେ ଅନେକ କିଛି ସମ୍ଭବ ହେବ, ଏହି ଅନେକ କିଛି ସମ୍ଭବ ହେବ-। ଅର୍ଥାତ୍‍, ମୋ ଦ୍ୱାରା ଅନେକ କିଛି ସମ୍ଭବ ହେବ । ଅନେକ ପରିଚୟ ସମ୍ଭବ ହେବ, ଅନେକ ସମ୍ଭବ ହେବ, ଅନେକ ପରିବର୍ତ୍ତନ ସମ୍ଭବ ହେବ । ମୋ’ ନିଜ ଭିତରେ ମୁଁ ନିଜ ପାଖରୁ କିଛି ହେଲେ ଲୁଚାଇ ରଖିବାକୁ କେବେ ଇଚ୍ଛା କରିନାହିଁ । ଭିତରେ କୌଣସି ଜୁଗୁପ୍ସା ନଥିବାରୁ ମୁଁ ବାହାରେ ମଧ୍ୟ ଉଗ୍ରତା ଦେଖାଇନାହିଁ । ବାହାରେ କାହାରି ବିଷୟରେ କୌଣସି ଅବିଶ୍ୱାସ ବା ଈର୍ଷା ପୋଷଣ କରିନାହିଁ । ଜୀବନରେ ସବୁଠାରେ ବିଶ୍ୱାସ ହିଁ ଅଧିକ ପାଇଛି; —ମଣିଷ ପାଖରୁ ସମର୍ଥନ ପାଇଛି, ମମତା ପାଇଛି, ଉତ୍ସାହ ମଧ୍ୟ ପାଇଛି । ସେହି ଉତ୍ସାହର ଦୃଷ୍ଟିରେ ହିଁ ମୁଁ ଜୀବନକୁ, ନିଜକୁ ତଥା ଅନ୍ୟମାନଙ୍କୁ ଦେଖି ଶିଖିଛି ।

 

୧୭ । ୬ । ୮୨

 

ଅନେକ ସମୟରେ ସେଇ ଗୋଟିଏ ମଣିଷ ଭିତରେ ସମ୍ମତି ଓ ଅସମ୍ମତି ମଧ୍ୟରେ ଝଗଡ଼ା ଲାଗିଥାଏ, ବିଶ୍ୱାସ ଓ ଅବିଶ୍ୱାସ ମଧ୍ୟରେ ଝଗଡ଼ା ଲାଗିଥାଏ । ଚିହ୍ନିବା ଓ ନଚିହ୍ନିବା ଭିତରେ ବି ଝଗଡ଼ା ଲାଗିଥାଏ । ସେତେବେଳେ ତଥାପି ଉଦାସୀନତା ଓ ଉପେକ୍ଷାରୁ ଦୂରରେ ରହିବାକୁ ପଡ଼େ । ଶ୍ରଦ୍ଧାଟା ଯେ ଅସଲ ଭାବ ସେହି ଭାବଟିର ପଥରେ ଅନ୍ତରାୟ ହୋଇ ରହିଥିବା ଆଉ ସବୁକିଛି ଅଭାବ; ତଥାପି ସେହି କଥାଟିକୁ ଗଣ୍ଠି ଧନରୂପେ ଯାବୁଡ଼ି ଧରି ରଖିବାକୁ ହୋଇଥାଏ ।

 

ମୋ’, ଜୀବନରେ ଅସମ୍ମତି ଉପରେ ସମ୍ମତିର ହିଁ ବିଜୟ ହେଉ । ଅବିଶ୍ୱାସ ଉପରେ ବିଶ୍ୱାସର ବିଜୟ ହେଉ, ସକଳ ଉପେକ୍ଷା ଉପରେ ଶ୍ରଦ୍ଧାର ବିଜୟ ହେଉ । ଅଭାବଗୁଡ଼ାକୁ ଅସ୍ୱୀକାର କରି ଭାବର ହିଁ ବିଜୟ ହେଉ । ମରଣକୁ ଓ ମାୟାକୁ ‘ନାହିଁ’ ବୋଲି ଜାଣିବା ଅପେକ୍ଷା ଜୀବନକୁ ଓ ସତ୍ୟକୁ ମୁଁ ‘ହଁ’ ବୋଲି ଜାଣିବାରେ ହିଁ ଅଧିକ ଯତ୍ନବାନ ହୁଏ ଓ ଅଧିକ ଆଗ୍ରହ ପ୍ରକାଶ କରେ । ଏବଂ ସତତ ବାଟ ଚାଲିବାରେ ଲାଗିଥାଏ । ଘୃଣା, ଈର୍ଷା ପ୍ରଭୃତି ଯେଉଁସବୁ ଉତ୍ତେଜନା ମୋତେ ନାନାପ୍ରକାରେ ପ୍ରଲୁବ୍ଧ କରି ଅଧବାଟରେ ଅଟକାଇ ରଖିବାର ଉପକ୍ରମ କରନ୍ତି ଓ ଅଟକି ଯିବାକୁ ହିଁ ନାନା ତତ୍ତ୍ୱ ଦେଇ ବଖାଣିବାକୁ ଆରମ୍ଭ କରନ୍ତି, ମୁଁ ସେହି ଉତ୍ତେଜନା ଗୁଡ଼ିକରୁ ସତତ ଦୂରରେ ରହିଥାଏ । ସଂସାରରେ ଯିଏ ଯେଉଁ ବଣିଜ କରୁଥାଉ ପଛକେ ଓ ତାହାକୁ ହିଁ ବ୍ୟାବହାରିକ ଦୃଷ୍ଟିରୁ ସବୁଠାରୁ ବଡ଼ ସଫଳତା ବୋଲି କହୁଥାଉ ପଛକେ, ମୁଁ ନିଜ ଧର୍ମକୁ ହିଁ ଅସଲ ବାଣିଜ୍ୟରୂପେ ଗ୍ରହଣ କରି ରଖିବାରେ ଯେପରି କେବେହେଲେ କୌଣସି କାର୍ପଣ୍ୟ ନକରେ ।

 

୧୮ । ୬ । ୮୨

 

ଶରୀର ଉପରେ ଯାବତୀୟ ଜୁଲୁମ କରାଯାଏ; ଅର୍ଥାତ୍‍, ଶରୀର ମଧ୍ୟ ଯେ ସାଙ୍ଗରେ ରହିଛି, ସେହି କଥାଟି ପ୍ରତି ବେଳେ ବେଳେ ଖିଆଲ ରହେନାହିଁ । ଏବଂ ତାହା ଫଳରେ ଯେତେବେଳେ ଶରୀର ଅସୁସ୍ଥ ହୋଇପଡ଼େ, ସେତେବେଳେ ସେହି ଶରୀରଟା ପ୍ରତି ହିଁ କ୍ରୋଧ ପ୍ରକାଶ କରାଯାଏ । ଶରୀର ସହିତ ସତେଅବା ଏକ ଭୃତ୍ୟ ପରି ବ୍ୟବହାର କରାଯାଏ । ତା’ ପାରିବାର ସୀମାଟିକୁ ଅତିକ୍ରମ କରି ତାକୁ କାମରେ ଲଗାଯାଏ, —ଏବଂ ସୀମା-ଅତିକ୍ରମ ହୋଇଗଲା ବୋଲି ସେହି ଶରୀରକୁ ହିଁ ଗାଳି ଦିଆଯାଏ ।

 

ଶରୀରକୁ ବି ସାଙ୍ଗରେ ନେବାକୁ ହେବ । ତା’ ବୋଲି ଅଳସୁଆ ମନଟା ପରି ଶରୀରକୁ ଯେ ଗେହ୍ଲା ଓ ଅଳସୁଆ କରି ରଖିବାକୁ ପଡ଼ିବ, ସେକଥା ଆଦୌ ନୁହେଁ । ମାତ୍ର, ଅସଲ କଥା ହେଉଛି, ଶରୀରକୁ ଆପଣାର ସମ୍ପଦରୂପେ ଗ୍ରହଣ କରିବାକୁ ପଡ଼ିବ ଏବଂ ଶରୀର ପ୍ରତି ଆବଶ୍ୟକ ଆଦର ଓ ସହାନୁଭୂତି ଦେଖାଇବାରେ ତଥାପି କୌଣସି କାର୍ପଣ୍ୟ କରାଯିବ ନାହିଁ । ଆମର ମନ ଓ ପ୍ରାଣ ଶରୀରକୁ କଦାପି ଆପଣାର ଏକ ଭୃତ୍ୟପରି ଗ୍ରହଣ କରିବେ ନାହିଁ । ସେମାନେ ଶରୀରକୁ ସମାସ୍କନ୍ଧ ବୋଲି ଗ୍ରହଣ କରିବେ, ତାକୁ ତା’ର ଯଥୋଚିତ ମର୍ଯ୍ୟାଦା ଦେବେ । ତେବେଯାଇ ହେବ-। ତେବେ, ଅସୁସ୍ଥ ହୋଇ ପଡ଼ିଲାବେଳେ ଶରୀର କଦାପି ଆପଣାକୁ ଏକୁଟିଆ ବୋଲି ଅନୁଭବ କରୁନଥିବ, ତାକୁ ସମସ୍ତେ ଅସହାୟ ଅବସ୍ଥାରେ ଛାଡ଼ି ଚାଲିଗଲେ ବୋଲି ମୋଟେ ଅନୁଭବ କରୁନଥିବ । ସିଏ ସମସ୍ତଙ୍କର ସାଙ୍ଗରେ ରହିଥିବା ପରି ଅନୁଭାବ କରୁଥିବ, —ତେଣୁ, ତାକୁ ଲୁଚି ବୁଲିବାର କୌଣସି ଦୁର୍ଦ୍ଦଶା ଅନୁଭବ କରିବାକୁ ହିଁ ପଡ଼ୁନଥିବ ।

 

୧୯ । ୬ । ୮୨

 

କାଲି ଦିନଯାକ ଭୂଆଁ ବୁଲୁଥିବା ସମୟରେ ମୁଁ ଶରୀର ପ୍ରତି ମୋଟେ ବିରକ୍ତ ହୋଇନାହିଁ । କାଲି ଶରୀରଟା ହିଁ ଏହି ଭୂଆଁ ବୁଲିବାରୁ ସବୁଠାରୁ ଅଧିକ କ୍ଳାନ୍ତ ହୋଇ ପଡ଼ିଥିଲା । ତଥାପି, ମୁଁ ଶରୀରଟାକୁ ହିଁ ସବୁଠାରୁ ବଡ଼ ବୋକା ବୋଲି କହି କଦାପି ଗାଳି ଦେଇନାହିଁ ଓ ତଦ୍ଦ୍ୱାରା ପ୍ରାଣ ଓ ମନ ପ୍ରତି ଉତ୍ତେଜନା ସୃଷ୍ଟି କରି ତା’ଉପରେ କୌଣସି ଦୌରାତ୍ମ୍ୟ ଦେଖାଇବାକୁ ମୋଟେ ମନ କରିନାହିଁ । ବେଶ୍‍ ଲକ୍ଷ୍ୟ କରି ଦେଖିଛି ଯେ, ସହାନୁଭୂତିର ଏକ ସୂତ୍ର ମୋ’ର ଶରୀର ଓ ମନକୁ ଏକାଠି ଗୁନ୍ଥି ରଖିଛି । ବେଳେ ବେଳେ ଶରୀର ବି ମନକୁ ସହାନୁଭୂତି ଦେଖାଇଛି-। ଏହି ମିଛଟାରେ ଭୂଆଁ ବୁଲିବାକୁ ଶରୀର ଅବଶ୍ୟ ସହ୍ୟ କରିନେଇ ପାରିବ ଓ ତା’ର ଆଦୌ କିଛି ହେବନାହିଁ ବୋଲି ଶରୀର ବରଂ ମନକୁ ଆଶ୍ଵାସନ ଦେଉଥିବା ପରି ମନେ ହୋଇଛି-। ଏବଂ ପ୍ରଧାନତଃ ତାହାରି ବଳରେ ବାଟଗୁଡ଼ାକ କଟିଯାଇଛି, ସମୟ ଓ କଷ୍ଟଗୁଡ଼ାକ କଟିଯାଇଛି-। ତଥାପି ଅପ୍ରସନ୍ନ ବୋଧ ହୋଇନାହିଁ । ଏହି ସଖ୍ୟକୁ ମୁଁ ଅଭିନନ୍ଦନ ଜଣାଉଛି ।

 

ଭିତରେ ଠିକ୍‍ ଏହିପରି ଭାବରେ ସବୁକିଛି ଗୋଟିଏ ସୂତ୍ରରେ ବାନ୍ଧିହୋଇ ରହିଥାନ୍ତୁ । ଯେଉଁ କେନ୍ଦ୍ରଟି ଜୀବନର ଅମୁଲ ପ୍ରତ୍ୟୟ ହୋଇ ପାରିଲେ ସୂତ୍ରଗୁଡ଼ିକ ଆପଣାର ଔଚିତ୍ୟ ଲାଭ କରନ୍ତି, ସେହି କେନ୍ଦ୍ରଟି ହିଁ ସୂତ୍ରଗୁଡ଼ିକର ମୂଳ ପ୍ରେରକ ହୋଇ ରହିଥାଉ । ମୋ’ର ଶରୀର, ମୋ’ର ମନ ଓ ମୋ’ର ପ୍ରାଣ ସେହି କେନ୍ଦ୍ରଟି ସହିତ ଆତ୍ମୀୟତାର ସମ୍ପର୍କରେ ବାନ୍ଧି ହୋଇ ରହିଥାଆନ୍ତୁ । ତା’ ହେଲେ ଆଉ କେତେବେଳେ ହେଲେ ସୂତାଗୁଡ଼ାକ ହାତରୁ ଖସି ଯିବନାହିଁ । ବାହାରେ ଓ ଭିତରେ ଆପଣାର ଘରେ ରହିଥିବା ପରି ହିଁ ଅନୁଭବ ହେଉଥିବ । ତେବେଯାଇ ଅନାୟାସରେ ସବୁ ବାଟ କାଟିଯାଇ ପାରୁଥିବ, ବାଟ ଉପରେ ପଦ୍ମ ଫୁଟି ଫୁଟି ଯାଉଥିବ ।

 

୨୧ । ୬ । ୮୨

 

ହାତରେ ରେଖାଗୁଡ଼ିକ ରହିଥାଏ । ଆମ ଜୀବନରେ କ’ଣସବୁ ଘଟିବାକୁ ଯାଉଛି, ଅର୍ଥାତ୍‍ ଘଟିବ ବୋଲି ବିଧିନିର୍ଦ୍ଦିଷ୍ଟ ହୋଇ ରହିଛି, ସେହି ରେଖାଗୁଡ଼ିକରୁ ସେକଥା ଜଣାଯାଏ ବୋଲି ଜ୍ୟୋତିଷଶାସ୍ତ୍ରର ପଣ୍ଡିତମାନେ କହନ୍ତି । ଏହି ଶାସ୍ତ୍ରରେ ବିଶ୍ୱାସ କରି ଅନେକ ଲୋକ ପୂରାପୂରି ସେହି ରେଖାଗୁଡ଼ାକ ପାଖରେ ହିଁ ବାଧ୍ୟ ହୋଇ ରହନ୍ତି ।

 

ମଣିଷ ଭିତରେ ଏପରି ଏକ ପ୍ରେରଣାଶକ୍ତି ଓ ଏହାରି ଏକ ଶ୍ରଦ୍ଧାଶକ୍ତି ରହିଛି, ଯାହାକି ରେଖାଗୁଡ଼ାକ ଠାରୁ ଅନେକ ଅଧିକ ଶକ୍ତିଶାଳୀ । ତାହା ରେଖାଗୁଡ଼ାକ ଦ୍ୱାରା ଆଦୌ ନିୟନ୍ତ୍ରିତ ହୁଏନାହିଁ । ସେହି ଶକ୍ତିକୁ ସର୍ବମୂଳ ପ୍ରେରକରୂପେ ଗ୍ରହଣ କରି ମଣିଷର ଭାଗ୍ୟ ବିଷୟରେ ବିଚାର କଲେ ହୁଏତ ଏପରି ମଧ୍ୟ କୁହାଯାଇ ପାରିବ ଯେ, ଜଣେ ବ୍ୟକ୍ତିର ଅସଲ ଓ ଅନ୍ତରସ୍ଥ ପ୍ରେରଣା ଓ ଶ୍ରଦ୍ଧାର ଶକ୍ତି ଏକ ନିର୍ଦ୍ଦିଷ୍ଟ ସମୟରେ କେଉଁ ସ୍ତରରେ ରହିଛନ୍ତି, ଆମ ହାତର ରେଖାଗୁଡ଼ାକରୁ ହୁଏତ ତାହାରି ଏକ ସୂଚନା ମିଳିଥାଏ । ସେହି ଶକ୍ତି ଅଧିକ ନିର୍ଦ୍ଦିଷ୍ଟ ଅର୍ଥାତ୍‍ ସକ୍ରିୟ ହେଉଥିବା ସଙ୍ଗେ ସଙ୍ଗେ ହାତର ରେଖାଗୁଡ଼ାକ ମଧ୍ୟ ବଦଳି ଯିବାରେ ଲାଗିଥାନ୍ତି । ଅର୍ଥାତ୍‍, ଆମ ହାତରେଖା ଗୁଡ଼ିକ ହୁଏତ ଆଦୌ ଆମ ଭବିଷ୍ୟ ଅଦୃଶ୍ୟର ସୂଚନା ଦିଅନ୍ତି ନାହିଁ । ବାହାରର ଏହି ଗାରଗୁଡ଼ାକ କେବଳ ଆମ ଭିତରର ଅସଲ ଚିତ୍ରଟି ବିଷୟରେ ସୂଚନା ଦେଇଥାନ୍ତି । ଆମ ପ୍ରେରଣା ଅର୍ଥାତ୍‍ ଆମ ଶ୍ରଦ୍ଧାର ଆୟତନଟିର ସୂଚନା ଦେଇଥାନ୍ତି । ଆମ ଭିତରର କେନ୍ଦ୍ରଟିକୁ ବୁଝି ପାରିବାଲାଗି ହୁଏତ କେତେକ ସଂକେତ ଦେଇଥାନ୍ତି । ବାହାରଟାରୁ ଭିତରଟାର ସୀମାନିର୍ଦ୍ଧାରଣ ନକରିବା ସକାଶେ ଆମକୁ ହୁଏତ ଏକ ସତର୍କବାଣୀ ମଧ୍ୟ ଶୁଣାଇ ଦେବାର ଚେଷ୍ଟା କରୁଥାନ୍ତି ।

 

୨୨ । ୬ । ୮୨

 

ଅନେକ ମଣିଷ କେବଳ ପରିବାର ପର୍ଯ୍ୟନ୍ତ ଯାଇଥାନ୍ତି । ଦେଶ ପର୍ଯ୍ୟନ୍ତ ଯାଇନଥାନ୍ତି । ଦେଶକୁ ଡେଇଁ ମଣିଷ ଜାତି ପର୍ଯ୍ୟନ୍ତ ଯିବା ଅର୍ଥାତ୍‍ ମଣିଷ ମାତ୍ରକେ ସମସ୍ତଙ୍କୁ ମଣିଷ ପରି ଗ୍ରହଣ କରି ସେମାନଙ୍କ ସହିତ ନିଜର ଏକ ଆତ୍ମୀୟତା—ସୂତ୍ର ରହିଛି ବୋଲି ଅନୁଭବ କରିବା, —ଏକଥାଟି ସେମାନଙ୍କ ଲାଗି ଏକ ଅସମ୍ଭବ ଆଦର୍ଶ ପରି ହୋଇ ରହିଥାଏ । ହୁଏତ ନିଜର ପରିବାରକୁ ମଧ୍ୟ ସେମାନେ ଆପଣାର ସମ୍ପତ୍ତି ବୋଲି ଅନୁଭବ କରୁଥାନ୍ତି । ପରିବାରର ଚାରିପାଖରେ ଉଚ୍ଚ ଉଚ୍ଚ କାନ୍ଥମାନ ଉଠାଇ ସେମାନେ ତାହାକୁ ସତେଅବା ଆପଣାର ଏକ ବ୍ୟକ୍ତିଗତ ଭୂମି ପରି ଦେଖୁଥାନ୍ତି । ଏବଂ ସେହି ପରିବାର ଲାଗି ସବୁଯାକ ତ୍ୟାଗ କରୁଥାନ୍ତି, ଅଶେଷ ପ୍ରକାରର ପାପ କରୁଥାନ୍ତି, ପରିବାର ଲାଗି ଠାକୁରଙ୍କୁ ମନ କରନ୍ତି, ଠାକୁରଙ୍କୁ କାମରେ ଲଗାନ୍ତି । ଏହି ଅବିଶ୍ୱାସୀମାନେ ଆପଣାକୁ କେବେହେଲେ ଠାକୁରଙ୍କ ଭିତରେ ଦେଖି ପାରନ୍ତି ନାହିଁ-। ତେଣୁ, ଏମାନେ କେବେ ହେଲେ ବାଡ଼ ଉଠାଇ ପାରନ୍ତି ନାହିଁ । ଇଏ ବି ଗୋଟାଏ ପ୍ରକାରର ବୈରାଗ୍ୟ, —ଯାହାକି ମଣିଷକୁ ସଂସାର ଭିତରୁ ବାହାର କରିଆଣି ସତେଅବା ଗୋଟାଏ ଗୁମ୍ଫା ଭିତରେ ବନ୍ଦୀ କରି ରଖିଥାଏ, ସଦାବିଭକ୍ତ କରି ରଖିଥାଏ ।

 

ଶ୍ରଦ୍ଧାଟା କାନ୍ଥ ଭିତରେ ଆବଦ୍ଧ ହୋଇ ରହିଲେ ଦୃଷ୍ଟିର କ୍ଷେତ୍ରରେ ତାହା ପ୍ରାୟ ମୂଳଭୂତ ଭାବରେ ଏକ ବିରକ୍ତିରେ ପରିଣତ ହୋଇ ରହିଥାଏ । ଏହି କ୍ଷେତ୍ରରେ ଶ୍ରଦ୍ଧାକୁ ମଧ୍ୟ କାନ୍ଥଗୁଡ଼ାକର ପରିକର କରି ରଖାଯାଇଥାଏ । ଏହି କ୍ଷେତ୍ରରେ ମଣିଷର ଆଖିଗୁଡ଼ାକ ଥାଏ, ସିଏ ତଥାପି ଦେଖି ପାରେ ନାହିଁ । ଆକାଶଗୁଡ଼ାକୁ ମଧ୍ୟ ସିଏ ଆପଣା ଭିତରେ ବାଡ଼ ପକାଇ ଦେଖିବାକୁ ଭଲ ପାଉଥାଏ । ବାଡ଼ ଉଠିଯିବାକୁ ଭୟ କରେ । ନିଜ ଭିତରେ ସେ ସେଥିଲାଗି ଝରକାଗୁଡ଼ାକୁ ବନ୍ଦ କରି ରଖିଥାଏ । ସିଏ ସମସ୍ତଙ୍କୁ ଗ୍ରାସ କରି ଏକ ରହିବ ବୋଲି ମନ କରି ନିଜେ ଅତି ଶୋଚନୀୟ ଭାବରେ ଗ୍ରସ୍ତ ହୋଇ ରହିଥାଏ ।

 

୨୩ । ୬ । ୮୨

 

ଭଲ ପାଇବା ମାୟାରେ ପକାଏ, ପୁଣି ସେଇ ଭଲ ପାଇବା ମାୟାକୁ କାଟେ । ଅର୍ଥାତ୍‍, ମାୟାର ଉପରଖୋଳ ଗୁଡ଼ାକୁ ପାରି କରାଇନେଇ ସେଠି ଏପରି ଏକ ସୂତ୍ରର ପରିଚୟ ଦିଏ; ଯେଉଁ ସୂତ୍ରରେ କି ବାନ୍ଧିହୋଇ ରହିବାକୁ ହିଁ ଏକମାତ୍ର ମୁକ୍ତି ବୋଲି ମନେ ହୁଏ । ଆପେ ବହୁତ ଆଡ଼କୁ ବାଟ ଫିଟାଇଦିଏ । ଆପଣାକୁ ଦେଇଦେବା ସକାଶେ ଭିତରେ ଅନେକ ବଳ ଆସେ ।

 

ମାୟାକୁ ମାୟା ବୋଲି ଜାଣି ତାକୁ ଭୟ କରିବା ଓ ତା’ଠାରୁ ଦୂରରେ ରହିବାକୁ ଚେଷ୍ଟା କରିବା ପୂର୍ବରୁ ମୁଁ ଯେ ଭଲ ପାଇବା ଦ୍ୱାରା ମାୟା ଭିତରେ ପ୍ରବେଶ କରି ମାୟାକୁ କାଟି କାଟି ଆସିଛି, ତାହା ହେଉଛି ମୋ’ର ବଡ଼ ସୌଭାଗ୍ୟ । ମୂଳରୁ ହିଁ ମୋତେ ବୈରାଗୀର ବାଟ ମୋଟେ ଭଲ ଲାଗିନାହିଁ । କୌଣସି ପ୍ରକାର ବିତୃଷ୍ଣା ମଧ୍ୟ କେବେ ଭଲ ଲାଗିନାହିଁ । ତୃଷ୍ଣାକୁ କାଟିବାକୁ ହେଲେ ନିଜ ଭିତରେ ଯେ ପୁଳାଏ ବିତୃଷ୍ଣାକୁ ରୋପଣ କରି ରଖିବାକୁ ହେବ, ମୋ’ର କୌଣସି ଗୁରୁ ମୋତେ ଏକଥା କହି ନାହାନ୍ତି । ମୁଁ ତୃଷ୍ଣାକୁ ଶ୍ରଦ୍ଧାଦ୍ୱାରା ହିଁ କାଟିଛି । ଅନେକ ମଣିଷ ଆପଣାକୁ ମୋଟେ ଦେଇ ପାରନ୍ତି ନାହିଁ । ଆପଣା ଭିତରେ ସତେଅବା ଗଣ୍ଠିଟିଏ ହୋଇ ପଡ଼ିଥାନ୍ତି-। ଏକ ଅସହାୟକାରୀ ଅସମର୍ଥତା ମଧ୍ୟରେ ଘାଣ୍ଟି ହେଉଥାନ୍ତି । ସେଥିରୁ ଯେଉଁ ଉତ୍ତେଜନା ଜାତ ହୁଏ, ହୁଏତ ତାହାହିଁ ବିତୃଷ୍ଣାଗୁଡ଼ାକରୁ ଏକ ଦର୍ଶନ ବାହାର କରି ତାହାକୁ ଜାରି କରି ରଖିବାକୁ ମନ କରେ । ବିତୃଷ୍ଣାର ମଞ୍ଜଭିତରେ ପ୍ରାୟ ସବୁବେଳେ ଏକ ଅସମର୍ଥତା ରହିଥାଏ । ବିତୃଷ୍ଣା ବୈରାଗ୍ୟରେ ପରିଣତ ହେବା ପରେ ସେହି ଅସମର୍ଥତା ଆହୁରି କ୍ରୂୟ ହୋଇ ମଣିଷକୁ କାବୁ କରି ରଖେ ।

 

୨୪ । ୬ । ୮୨

 

ବଡ଼ ଦାଣ୍ଡରେ ମୋ’ର ବିଶ୍ୱଦାଣ୍ଡ କଥା ମନେ ପଡ଼େ । ଜଗତର ନାଥଙ୍କୁ ମୁଁ ସବାଆଗ ମୋ’ ହୃଦୟ ଭିତରେ ଅନୁଭବ କରେ । ସିଏ ଚନ୍ଦନ ବୋଳି ହୋଇ ରଥ ଉପରେ ବାହାରିବା ସମୟରେ ମୁଁ ସତେଅବା ବିଶ୍ଵଯାକର ସବୁ ଧୂଳିକୁ ଦେହଯାକ ବୋଳି ହୋଇ ଦାଣ୍ଡରେ ବାହାରିବା ପରି ଅନୁଭବ କରେ ।

 

ଅନେକ ମଣିଷ ଜଗନ୍ନାଥଙ୍କୁ ଏକାବେଳେକେ ଘରକଣକୁ ଓଟାରି ଆଣନ୍ତି । ତାଙ୍କୁ ଓଡ଼ିଆମାନଙ୍କର ଠାକୁର ବୋଲି କହନ୍ତି ଏବଂ ଓଡ଼ିଶା ଦେଶର ଠାକୁର ବୋଲି କହନ୍ତି । ମୁଁ ଏସବୁ କଥା ମୋଟେ କହିପାରେ ନାହିଁ । ଦେବତାଙ୍କୁ ଆପଣା ଘରେ ଏକ ଠୁଳ ପ୍ରତିମାରୂପେ ଅନୁଭବ କରୁଥିବା ସମୟରେ ମୁଁ ତାଙ୍କରି ଭିତରେ ସମସ୍ତ ଜଗତ ଠୁଳ ହୋଇ, ବିରାଟରୂପ ହୋଇ ସମାବିଷ୍ଟ ରହିଥିବା ପରି ଅନୁଭବ କରିଥାଏ । ସେତେବେଳେ ମୋ’ର ସବୁ କାନ୍ଥ ଭାଙ୍ଗିଯାଏ, ସବୁଯାକ ମୋହ ଏକ ଅନ୍ୟ ଆତ୍ମୀୟତାର ପ୍ରେରଣାରେ କେତେ କେତେ ଆକାଶରେ ଯାଇ ମିଶିଯାଏ । ଯେଉଁମାନେ ଆକାଶଟାକୁ କେବଳ ନିଜର ବୋଲି କହନ୍ତି, ସେମାନଙ୍କ ଭିତରେ ଗୋଟାଏ ଗୋଟାଏ ଉଗ୍ରଗାତ ବ୍ୟତୀତ ମୁଁ ଅନେକ ସମୟରେ ଆଦୌ କିଛିହେଲେ ଦେଖିବାକୁ ପାଏନାହିଁ । ଜଗନ୍ନାଥଙ୍କୁ ଅନାଉ ଅନାଉ ମୋତେ ଆଗ ସମୁଦ୍ର ଦିଶିଯାଏ । ଏହି ସମୁଦ୍ରଟାକୁ ମୁଁ କଦାପି ଗଡ଼ିଆ, ମୋ’ ଗଡ଼ିଆ ବୋଲି କହିବି ନାହିଁ । ଭାବପ୍ରବଣତାକୁ ଉଗ୍ର ଅଳ୍ପତାର ଜରି ଦେଇ ଯେଉଁମାନେ ଭକ୍ତିର ବାନା ଉଡ଼ାଇବେ ବୋଲି ବାହାରିଥାନ୍ତି, ମୁଁ ସେମାନଙ୍କୁ ଆଦୌ ଭକ୍ତ ବୋଲି କହି ପାରେନାହିଁ । ମୋ’ ଭକ୍ତିର ବାସନାଘରଟି ମଧ୍ୟରେ ମୁଁ ସେମାନଙ୍କୁ ଖାପ ଖୁଆଇ ନେଇ ପାରେନାହିଁ ।

 

୨୫ । ୬ । ୮୨

 

ଯେଉଁମାନେ ଏଡ଼େ ବଡ଼ ପାଟି କରି ଦାଣ୍ଡରେ ଭକ୍ତର ସାଜ ପିନ୍ଧି ଭକ୍ତିର ସୁଆଙ୍ଗ କରି ବାହାରିଛନ୍ତି, ସେମାନଙ୍କର ଭକ୍ତି ଉପରେ ମୋ’ର ଅନେକ ସନ୍ଦେହ ରହିଛି । ଯଥାର୍ଥ ସୂତ୍ରଟି ଲାଗି ପାରିଥିଲେ ସେମାନେ ଏହାଠାରୁ ଆହୁରି ଅଧିକ ପରିମାଣରେ ନିର୍ମଳ ହୋଇଥାନ୍ତେ, ଆହୁରି ଅଧିକ ପରିମାଣରେ ନିର୍ଭୀକ ବି ହୋଇ ପାରିଥାନ୍ତେ । ଏବଂ ନିର୍ଭୀକ ହୋଇଥିଲେ ଶାନ୍ତ ହୋଇ ପାରିଥାନ୍ତେ, ଆଦୌ ଏତେ ଅଧିକ ପରିମାଣରେ କାତର ହୋଇ ରହିନଥାନ୍ତେ । ଭିତରର ଅନେକ କାତରତା ବାହାରେ ଅଧିକାଂଶ କ୍ଷେତ୍ରରେ ଏକ ପରଶ୍ରୀକାତରତା ରୂପେ ପ୍ରକାଶ ପାଇଥାଏ । ମଣିଷ ଆପଣାକୁ ସତେଅବା ଗୋଟାଏ ଗାତ ଭିତରେ ପଡ଼ିଥିଲା ପରି ଅନୁଭବ କରେ ଓ ତେଣୁ ଅନ୍ୟ କାହାରିକୁ ହେଲେ ଦେଖି ପାରେନାହିଁ, ଅର୍ଥାତ୍‍ ନିଜ ଅନ୍ତର ଭିତରେ ସ୍ଥାନ ଦେଇ ପାରେନାହିଁ-। ଆପଣାର ଭଗବାନଙ୍କୁ ସାଙ୍ଗରେ ଧରି ସିଏ ସେହି ଗାତଭିତରେ ହିଁ ମରେ ।

 

ଭକ୍ତି, —ଅସଲ ଭକ୍ତି, ଯାହା ଅନ୍ତର ଭିତରକୁ ମୂଳ କରି ନିଜକୁ ଅଭିବ୍ୟକ୍ତ କରେ, —ତାହା କଦାପି ପାଟି କରି ଗଗନ କମ୍ପାଏ ନାହିଁ । ତାହା ମଣିଷମାନଙ୍କୁ ପରସ୍ପର ସହିତ ସମ୍ମିଳିତ କରାଏ, ନିର୍ଭୀକ କରାଏ, ସମ୍ମତ କରାଏ । ଏଇ ଯେତେକ ଅସମ୍ମତ ମଣିଷ ଦାଣ୍ଡରେ ଚିତାଚଇତନ କରି ଆପଣା ପାଟିଗୁଡ଼ାକର ଉଚ୍ଚ ଆବାଜରେ ଆପଣାକୁ ବଡ଼ ଉତ୍ସାହିତ ଭାବରେ ଲୁଚାଇ ରଖି ଦାଣ୍ଡରେ ବାହାରିଛନ୍ତି ସେମାନଙ୍କୁ ଦେଖିଲେ ବେଳେବେଳେ ଭାରି ଶଙ୍କା ଲାଗେ । ଏମାନଙ୍କ ମେଳରୁ ଆଉକୁଆଡ଼େ ପଳାଇ ଯାଇ ଆପଣାର ଅସଲ ଚେର ଓ ଅସଲ ସାହସଗୁଡ଼ିକୁ ଯାବୁଡ଼ି ଧରି ରହିବାକୁ ମନ ହୁଏ ।

 

୨୬ । ୬ । ୮୨

 

ଯିଏ ଶକ୍ତି ଦେଇଛନ୍ତି, ସେଇ କାମ ମଧ୍ୟ ଦେଉଛନ୍ତି, ଯିଏ କାମ ଦେଉଛନ୍ତି, ସେଇ ସେଥିଲାଗି ଆବଶ୍ୟକ ହେଉଥିବା ଶକ୍ତିକୁ ମଧ୍ୟ ଆଣି ଯୋଗାଇ ଦେଉଛନ୍ତି । ତେଣୁ, ଅଭିଯୋଗ କରିବାଲାଗି ମୁଁ ଆଦୌ କୌଣସି ଅବକାଶ ପାଇନାହିଁ ।

 

ତାହାହିଁ ମୋ’ର ସୌଭାଗ୍ୟ । ଅନେକ ମଣିଷ ଅଛନ୍ତି, ଯେଉଁମାନେ କି କାମ କଲାବେଳେ ବିରକ୍ତ ହୁଅନ୍ତି, ଅଭିଯୋଗ କରନ୍ତି ଏବଂ କେତେ ନା କେତେ ଦେଖାଇ ହୁଅନ୍ତି । ସେମାନେ କେତେ ପାଟି କରନ୍ତି, —କେବଳ ସେହି ମାନେ ହିଁ ଯାବତୀୟ ପ୍ରତିକୂଳତା ସତ୍ତ୍ୱେ ଏତେ ଅଧିକ କାର୍ଯ୍ୟ କରି ପାରୁଛନ୍ତି ବୋଲି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାରେ ଲାଗିଥାନ୍ତି । ମୁଁ ସେ ଗୁଡ଼ାକ କିଛି କରେନାହିଁ । କରିବା ଉଚିତ ନୁହେଁ ବୋଲି ଯେ କରେ ନାହିଁ, ସେ କଥା ଆଦୌ ନୁହେଁ, ମୁଁ ସେଗୁଡ଼ାକର ଆବଶ୍ୟକତା ଅନୁଭବ କରି ପାରେନାହିଁ । କାମଟିଏ ହାତକୁ ଆସିବା ବେଳକୁ ସେଇଟି ସହିତ ଭିତରେ ରହିଥିବା ଶକ୍ତି ଉତ୍ସଟିର ଖିଅ କେତେବେଳେ ଯେ ସତେଅବା ମନକୁ ମନ ଲାଗିଥାଏ, ଅନେକ ସମୟରେ ମୁଁ ନିଜେ ମଧ୍ୟ ସେକଥା ଜାଣି ପାରେନାହିଁ । ଆପଣାର ଶକ୍ତିକୁ ଅଲଗାକରି ଅନୁଭବ କରିବା ଆଗରୁ ହିଁ ତାହା ମୋ’ର ବିଭିନ୍ନ କାର୍ଯ୍ୟର ମାଧ୍ୟମରେ ଆପଣାକୁ ଅଭିବ୍ୟକ୍ତ କରିବାରେ ଲାଗିଥାଏ । ତେଣୁ, କେବଳ ସେହି ବନ୍ଧୁଙ୍କୁ ହିଁ କୃତଜ୍ଞତା ଜଣାଇବାକୁ ପଡ଼େ, ଯିଏକି ଭିତରେ ରହି ସେହି ଖିଅଟିକୁ ଲଗାଇ ଦିଅନ୍ତି ଓ ମୋତେ ଅତ୍ୟନ୍ତ ସ୍ୱାଭାବିକ ଭାବରେ ସେହି ଖିଅଟି ଲାଗି ଯୋଗ୍ୟ କରନ୍ତି । ସେହି ଖିଅଟିକୁ ଦେଇ ମୁଁ ତାଙ୍କୁ ଚିହ୍ନେ । ସେହି ଚିହ୍ନିବା ହିଁ ପରିପୂର୍ଣ୍ଣ କରି ରଖିଥାଏ ଏବଂ ତେଣୁ, ସଂସାରରେ ମୋ’ର ଆଉ କୌଣସି ସେର ବା ମାଣ ଅପୂରା ରହିଛି ବୋଲି ମୁଁ କେବେହେଲେ ଅନୁଭବ କରେନାହିଁ । ତେଣୁ ଅଭିଯୋଗ କରିବାର ପ୍ରଶ୍ନ ହିଁ ନଥାଏ । ନିଜର ବନ୍ଧୁପାଖରେ କେବଳ ସହଯୋଗୀ ହୋଇ ହିଁ ରହିବାକୁ ପଡ଼େ ।

 

୨୭ । ୬ । ୮୨

 

ଦିନେ ଦିନେ ପ୍ରକୃତରେ ଫେରିଯିବାକୁ ମନ ହୁଏ । ପ୍ରକୃତରେ ଫେରିଯିବାକୁ ମନ ହୁଏ-। ଆପଣାର ଅସଲ ଘରକୁ ଫେରିଯିବାକୁ ମନ ହୁଏ । ମୁଁ ଯେଉଁଠୁ ଆସିଛି, ସେଇଠିକି ଫେରିଯିବାକୁ ମନହୁଏ । ଓ ଯାହାର କୃପାରୁ ଆସିଛି ତାହାରି ସେହି କୃପା ଭିତରକୁ ଫେରିଯିବାକୁ ମନ ହୁଏ । ସେହି କୃପାକୁ କିଏ ଜନନୀ ବୋଲି କହିଛନ୍ତି, କେହି କ୍ରୋଡ଼ ବୋଲି କହିଛନ୍ତି ଓ କେହି ନୀଡ଼ ବୋଲି କହିଛନ୍ତି । କେହି ଜୀବନ ବୋଲି କହିଛନ୍ତି । କେହି ମୃତ୍ୟ ବୋଲି କହିଛନ୍ତି-। ସେଇଠାକୁ ଫେରିଯିବାକୁ ମନ ହୁଏ । ଆପଣାକୁ ସତକୁ ସତ ଶିଶୁଟିଏ ପରି ମନେହୁଏ । ଶିଶୁଟିଏ ପରି କାନ୍ଦିବାକୁ ମନ ହୁଏ, —କୋଉଠି ଅସଲ ମୂଳଟିକୁ ଯାବୁଡ଼ି ଧରିବାକୁ ମନ ହୁଏ-। ସେଦିନ ସମୟ ବାରି ହୁଏନାହିଁ; ଗତି ବାରି ହୁଏନାହିଁ, —ଖାଲି ଅପେକ୍ଷା କରି ବସିବାକୁ ମନ ହୁଏ-। ଫେରିଯିବାକୁ ମନ ହୁଏ ।

 

ଏପରି ଗୋଟିଏ ଗୋଟିଏ ଦିନ ହେଉଛି ଏକ ସମଗ୍ର ସ୍ମରଣର ଦିନ, ସମଗ୍ର ଲୋଡ଼ିବାର ଦିନ; —ସମ୍ପୂର୍ଣ୍ଣ ଭାବରେ ଶାନ୍ତ ହୋଇ ଆପଣାର ଅସଲ ଚେରଗୁଡ଼ିକୁ ଖୋଜିବାର ଦିନ । ଏଥିରେ ଏକାବେଳେକେ ଅନେକ କାରୁଣ୍ୟ ଓ ଅନେକ ମମତା ଭରି ରହିଥାଏ । ଏକାବେଳେକେ ଏକୁଟିଆ ଲାଗେ, ତଥାପି ସଂଯୁକ୍ତ ହୋଇ ରହିଥିବା ପରି ଲାଗେ । ଅସଲ ଡାକଟିକୁ ଶୁଣୁଥିବା ପରି ଲାଗେ । ଗାଧୋଇ ଗାଧୋଇ ସଜ ହୋଇ ବସିଥିବା ପରି ଲାଗେ । ସେଦିନ ଏଠି କୋଉଠି ହେଲେ ମନ ଲାଗେନାହିଁ । ଆକାଶଗୁଡ଼ିକ ମଧ୍ୟ ସତେଅବା ବାହାରକୁ ବାହାରି ଚାଲିଯିବାର ଦ୍ୱାର ପରି ମନେ ହୁଅନ୍ତି । ଅଶ୍ରୁଗୁଡ଼ାକ ଆକାଶବ୍ୟାପୀ ହୋଇଯାଏ । ନିଜ ଭିତରେ ନିଜର ଗଭୀରତମ କ୍ଷେତ୍ରଟିରେ ଅସଲ ବନ୍ଧୁଟିକୁ ହିଁ ଏକମାତ୍ର ବନ୍ଧୁ ବୋଲି ମନେ ହୁଏ । ଇଏ ଏକ ଅଦଭୂତ ବୈରାଗ୍ୟ, —ଘରୁ ପଳାଇ ଯିବାର ବୈରାଗ୍ୟ ନୁହେଁ, ଘରକୁ ବାହୁଡ଼ି ଆସିବାର ବୈରାଗ୍ୟ ।

 

୨୮ । ୬ । ୮୨

 

ଏହି ଶରୀର ଆଉ ଏହି ମନ ଭିତରେ କିଏ ଆଗ କିଏ ପଛ କେଜାଣି ? ମା ଛାଡ଼ି ଛାଡ଼ି ଗଲେ ଏହି ଶରୀରଟାକୁ ବି ଏଠି ମୋଟେ ଭଲ ଲାଗେନାହିଁ । ମନ ଝୁରିଲେ ଶରୀର ଝୁରେ । ମନ ଭିତରେ ବାର୍ଦ୍ଧକ୍ୟ ପଶିଲେ ସମ୍ଭବତଃ ସବାଆଗ ସେହି ଶରୀର ଭିତରେ ହିଁ ବାର୍ଦ୍ଧକ୍ୟର ଅନୁଭୂତି ଆସି ପ୍ରବେଶ କରେ । ଅର୍ଥାତ୍‍ ଶରୀର ସଙ୍ଗେ ସଙ୍ଗେ ରହିଥାଏ । ଶରୀର ଓ ମନ ଉଭୟ ଭିତରେ ଏପରି ଗୋଟିଏ ସେତୁ ରହିଛି, ଯାହାକି ଶରୀର ଓ ମନକୁ ପରସ୍ପର ସହିତ ସଂଯୁକ୍ତ କରି ରଖିଥାଏ, ପରସ୍ପରକୁ ପରସ୍ପରର ଭାଗୀ କରି ରଖିଥାଏ, ପରସ୍ପରକୁ ଗୋଟିଏ ସଂଜ୍ଞା ଭିତରେ ବାନ୍ଧିକରି ରଖିଥାଏ । ସେହି ସେତୁ ହିଁ ଅସଲ ନିର୍ମାତା, ଅସଲ ଧନ ଓ ଅସଲ ରହସ୍ୟ । ସେହି ସେତୁଟି ଉଜ୍ଜ୍ୱଳ ହୋଇ ରହିଥିଲେ ଓ ଜୀବନରେ ଅସଲ ଆତ୍ମୀୟତାଗୁଡ଼ିକର ପ୍ରେରଣା ହୋଇ ରହିଥିଲେ ଜୀବନରେ ସବୁକିଛି ଉଜ୍ଜ୍ୱଳ ହୋଇ ରହିଥାଏ । ମନ ଉଜ୍ଜ୍ୱଳ ହୋଇ ରହିଥାଏ ଓ ଶରୀର ବି ଉଜ୍ଜ୍ୱଳ ହୋଇ ରହିଥାଏ । ଆଖି ଆଗରେ ବାଟଗୁଡ଼ାକ ଉଜ୍ୱଳ ହୋଇ ବି ଦିଶୁଥାଏ, ପଛକୁ ଅନାଇଲେ ଅସଲ ମୂଳଗୁଡ଼ାକ ଉଜ୍ଜ୍ୱଳ ହୋଇ ଦିଶୁଥାଏ । ଜନନୀର ପାଦଠାରୁ ପଡ଼ିଥିବା ପଥଟି ଚାହିଁଦେଲା ମାତ୍ରକେ ଜଳଜଳ ହୋଇ ଦିଶି ଯାଉଥାଏ ।

 

ସେହି ସେତୁ ହିଁ ଏହି ଜୀବନର ଅସଲ ପ୍ରେରକ ହୋଇ ରହୁ, ତାହାହିଁ ପ୍ରାଥନା । ଏହି ସେତୁଟିକୁ ନାନା କାନ୍ଥ ଓ ନାନା ଗର୍ତ୍ତଦର୍ଶନର କ୍ରୂରତା ଦେଇ ବିକୃତ କରି ପକାଇବା, ତାହାହିଁ ଦୁର୍ଦ୍ଦଶା । ଦୁର୍ଦ୍ଦଶାକୁ ଅତିକ୍ରମ କରିବାକୁ ହେଲେ ଆପଣା ଭିତରେ ଏବଂ ବାହାରେ ରହିଥିବା ଏହି ସେତୁଟି ପାଖକୁ ଫେରିଯିବାକୁ ହେବ । ତେବେ ଦେହ ଓ ମନ କେବେହେଲେ ପଥଭ୍ରଷ୍ଟ ହେବେନାହିଁ । ଜୀବନରେ ପ୍ରେମର ବି କେବେହେଲେ ଅଭାବ ଘଟିବ ନାହିଁ ।

 

୨୯ । ୬ । ୮୨

 

ଊର୍ଦ୍ଧ୍ୱକୁ ଯେତିକି ଭିତରକୁ ମଧ୍ୟ ସେତିକି । କୋଉଠି ହେଲେ ବି ବାଟ ସରିବାର ଆଦୌ କୌଣସି ପ୍ରଶ୍ନ ନାହିଁ । ଏହା ଏକ ନିରାଶାର ନୁହେଁ, ଏକ ଆଶାର କଥା । ଯୋଉମାନେ ଉପରକୁ ଉଠି ଯାଉ ଯାଉ ସର୍ବଶୀର୍ଷ ସ୍ଥାନରେ ଯାଇ ପହଞ୍ଚିଗଲେ ବୋଲି କହନ୍ତି, ସେମାନେ ଆପଣାର କୌଣସି ଏକ ଅନ୍ତର୍ଗତ କ୍ଳାନ୍ତିକୁ ଏକ ସତ୍ରଗତ ଅଥବା ଆନୁଷ୍ଠାନିକ ବେହରଣ ଦେଇ ନିଜର ଅପାରଗତାକୁ ଭୁଲିବାଲାଗି ଇଚ୍ଛା କରୁଥାନ୍ତି । ସମ୍ଭବତଃ, ଊର୍ଦ୍ଧ୍ୱକୁ ବାଟ ଚଳିବାଟାକୁ ଆପଣାର ଭିତରକୁ ବାଟ ଚାଲିବାଠାରୁ ଏକ ଅଲଗା କଥା ବୋଲି ଗ୍ରହଣ କରିଥାନ୍ତି ।

 

ଯେଉଁଠି ଭିତରକୁ ବାଟ ନଫିଟି ଉପରକୁ ଉପରକୁ ସୁନାର ପାହାଚମାନ ଗଢ଼ା ହେବାରେ ଲାଗିଥାଏ, ସେଠି ଉପର ଓ ଭିତର ଉଭୟେ ପ୍ରବଞ୍ଚିତ ହୋଇ ରହିଯାଆନ୍ତି । ଆମ ଜଗତରେ ଏପରି ଅନେକ ମଣିଷ ରହିଛନ୍ତି, ଯେଉଁମାନେ ଭିତରର ମୁହଁରେ ପଥର କିଳିଦେଇ ଖାଲି ଉପରକୁ ଉଠିବାରେ ଲାଗିଥାନ୍ତି । ସେମାନେ ପାହାଚଗୁଡ଼ାକୁ ସତେଅବା ସିଂହାସନ ପରି ମଣନ୍ତି । ସେମାନେ ହେଉଛନ୍ତି କ୍ଷମତାର ମଣିଷ, କ୍ଷମତା ଭିତରେ ପଶି ସେମାନେ ନିଜର ଅସଲ ଜାତିଟିକୁ ହରାନ୍ତି । ବାହାରେ ଯେତିକି ବଡ଼ ମାନୀ ହୁଅନ୍ତି, ଭିତରେ ଆପଣାର ସମ୍ମାନକୁ ସେତିକି ଦୟନୀୟ ଭାବରେ ହରାଇବସନ୍ତି । ଏପରି ମଣିଷଙ୍କୁ ଆମେ କେବଳ ରାଜନୀତି ଭିତରେ ଯେ ଦେଖିବାକୁ ପାଉ, ସେକଥା ମୋଟେ ନୁହେଁ । ଏମାନଙ୍କୁ ଆମେ ସାହିତ୍ୟ ଭିତରେ ଦେଖୁ, ଧର୍ମ ଭିତରେ ଦେଖୁ । ବିଦ୍ୟାଳୟ ଭିତରେ ଦେଖୁ, ଠାକୁରଙ୍କ ପାଖରେ ଦେଖୁ । ଏମାନେ ଆପଣା ଭିତରେ ପ୍ରବେଶକରି ନଥାନ୍ତି ବୋଲି ବାହାରେ ଭାରି ନିର୍ମମ ହୋଇ ରହିଥାନ୍ତି, ଭିତରେ ଭୀରୁ ହୋଇ ବସିଥାନ୍ତି ବୋଲି ବାହାରେ ଉଗ୍ରତାର ଆଡ଼ମ୍ବର କରୁଥାନ୍ତି ।

 

୩୦ । ୬ । ୮୨

 

ବାହାରେ କ’ଣସବୁ ହଜିଗଲା ଓ ହାରି ହୋଇଗଲା, ସେହିକଥା ପକାଇବା ସମୟରେ ଅନେକ ଲୋକ କେଡ଼େ ଉତ୍ସାହରେ କେତେ କ’ଣ କହି ଚାଲିଯାଆନ୍ତି । ମାତ୍ର, ଏହି କେତୋଟି ବର୍ଷ ଭିତରେ ସେମାନେ ନିଜ ଭିତରେ ମଧ୍ୟ ଯାହାସବୁ ହରାଇ ଓ ହଜାଇ ଆସିଲେ, ସେ ବିଷୟରେ ଆଦୌ କିଛି କହନ୍ତିନାହିଁ ।

 

ସେମାନେ କହନ୍ତି, ସମାଜରେ ସାଧୁତା ବୋଲି ଆଉ କିଛିହେଲେ ରହିଲାନାହିଁ, ସୁରୁଚି ବୋଲି କିଛି ରହିଲାନାହିଁ କିମ୍ବା ନୀତି ବୋଲି ବି ଆଉ କିଛିହେଲେ ରହିଲାନାହିଁ । ମଣିଷମାନେ ପ୍ରାୟ ଏକନିର୍ମଳ ବିବେକର ସହିତ ଅସାଧୁ ହେଲେ, ଦୁର୍ନୀତି କଲେ ଓ ନାନା ମନ୍ଦ ରୁଚିକୁ ହିଁ ଜୀବନ ବୋଲି କହିଲେ । ତେଣୁ, ବାହାରେ ସବୁଆଡ଼େ, ବିଷ ବ୍ୟାପିଗଲା, ଗୁଣଗୁଡ଼ାକ ହାରିଗଲେ-। କାଳ ନିର୍ଲଜ୍ଜ ହେଲା । ସେତିକି ବେଳେ ସେମାନେ ନିଜ ଭିତରକୁ ଅନାଇବା ଲାଗି ମୋଟେ ମନ କରନ୍ତି ନାହିଁ । କେଉଁସବୁ ଲୋଭରେ ପଡ଼ି ସେମାନେ କ୍ରମେ କାହିଁକି ଯେ ଏପରି ଭୀରୁ ହେଲେ, ଏପରି ସଙ୍କୁଚିତ ହୋଇ ରହିଗଲେ, ସେମାନେ ସେହି କାରଣଗୁଡ଼ିକୁ ଖୋଜି ବାହାର କରିବାର ମୋଟେ ଇଚ୍ଛା ପ୍ରକାଶ କରନ୍ତିନାହିଁ । ମୋ’ର ବେଳେ ବେଳେ ମନେହୁଏ, ଆମେ ସମସ୍ତେ ଆଗ ଭିତରେ ହାରିଗଲୁ ଓ ନାନାବିଧ ମୋହରେ ପଡ଼ି ଭିତରେ ଭିରୁତାଗୁଡ଼ାକୁ ଅର୍ଥାତ୍‍ କ୍ରୂରତାଗୁଡ଼ାକୁ ପ୍ରଶୟ ଦେଲୁ ବୋଲି ବାହାରେ ମଧ୍ୟ ଏତେ ଏତେ ଦୁର୍ଦ୍ଦଶା ଘଟିଲା । ସମ୍ଭବତଃ ଏହି ଦୃଷ୍ଟିରୁ ଆମେ ଆମ ଭିତରର ତଥା ବାହାରର ଆଲୋଚନା କରି ପାରୁଥିଲେ ଏବେ ମଧ୍ୟ ଆମ ଆଗରେ ଆମକୁ କିଛି ବାଟ ଅବଶ୍ୟ ଦେଖାଯାଆନ୍ତା । ବାଟ ଯେ ତଥାପି ରହିଛି, ଆମଭିତରେ ଏହିଭଳି ଏକ ପ୍ରତ୍ୟୟ ମଧ୍ୟ ଆସନ୍ତା । ଏବଂ ଏହି ପ୍ରତ୍ୟୟଟି ଆସିଗଲା ପରେ ଆମେ ବାହାରଟାକୁ ମଧ୍ୟ ଅନ୍ୟଭାବେ ଦେଖିବାକୁ ସାହସ ପାଆନ୍ତୁ ।

 

୧ । ୭ । ୮୨

 

କାମଟିଏ ସରିଗଲେ ଯାଇ ଆନନ୍ଦ ମିଳେନାହିଁ । କାମଟିଏ କରୁଥିବା ସମୟରେ ଯେଉଁ ଆନନ୍ଦ ମିଳେ, ତାହା କାମ ସରିଯିବା ଜନିତ ଆନନ୍ଦଠାରୁ ଆଦୌ କୌଣସି ଗୁଣରେ କମ୍‍ ନୁହେଁ । ଅସଲ କଥା ହେଉଛି, ମୁଁ ଯେଉଁ କାମଟିକୁ କରୁଛି, ତାହାକୁ କରିବି ବୋଲି ମୁଁ ନିଜେ ଠିକ୍‍ କରିଛି ନା ସେଇଟି ମୋ’ ଉପରେ ଆଉ କାହାଦ୍ୱାରା ଲଦି ଦିଆଯାଇଛି ।

 

ଯଥାର୍ଥ ଜୀବନରେ କାମ ସରେ ନାହିଁ କି ଆନନ୍ଦ ମଧ୍ୟ ସରେନାହିଁ । ସେହି କ୍ଷେତ୍ରରେ ପରେ ଆନନ୍ଦ ପାଇବା ବୋଲି କେହି କୌଣସି କାମ କରେନାହିଁ କିମ୍ବା କାମଟିଏ ସରିଗଲା ବୋଲି କେହି ଆନନ୍ଦ ପାଏନାହିଁ । କାମରୁ ହିଁ ଆନନ୍ଦ ମିଳେ । କାମରୁ ଆମେ ମାର୍ଗରେ ଚାଲିଲୁ ବୋଲି ସୂଚନା ମିଳେ । ଚାଲିଥିବାର ସେହି ଅନୁଭୂତି ହିଁ ଆନନ୍ଦର ଅସଲ କାରଣ ପରି କାର୍ଯ୍ୟ କରେ । ଚାଲିଥିବା ମଣିଷର ପରିଚୟଗୁଡ଼ାକ ପ୍ରଶସ୍ତ ହେବାରେ ଲାଗିଥାଏ, ନିବିଡ଼ ହେବାରେ ଲାଗିଥାଏ । ସେହି ପରିଚୟରୁ ଆନନ୍ଦ ମିଳେ । ସେହି ଅନ୍ତରଙ୍ଗତାରୁ ଆନନ୍ଦ ମିଳେ । ନିଜକୁ ନିଜର ସାଥୀ ବୋଲି ଅନୁଭବ କରିପାରିଲେ ସେଇଥିରୁ ଆନନ୍ଦ ମିଳେ । ଏହି ଜୀବନରେ ଯେଉଁଠି କର୍ମ ଓ ଆନନ୍ଦ ଏକ ନିବିଡ଼ ଅନ୍ତରଙ୍ଗତା ମଧ୍ୟରେ ଏକାଠି ଯୋଡ଼ି ହୋଇ ରହିଥାନ୍ତି, ଆପଣାର ଅସଲ ପ୍ରେରଣାଗୁଡ଼ିକୁ ସେଇଠି ଯାଇ ସଂଯୁକ୍ତ କରି ରଖିଲେ ଯାବତୀୟ କର୍ମ ଏକ ଯୋଗରେ ପରିଣତ ହୁଏ । ଯେଉଁଠି ଯୋଗ ଥାଏ, ସେଠି କୌଣସି ଅପ୍ରସନ୍ନତା ନଥାଏ । ଆପଣାକୁ ମୋଟେ କାହାର ଦାସ ପରି ଅନୁଭବ ହୁଏନାହିଁ । ଭିତରେ ଓ ବାହାରେ କେଉଁ ବିଶ୍ୱବିଭୁ ଅର୍ଥାତ୍‍ ବିଶ୍ୱବନ୍ଧୁ ଲାଗି ଏକ ସ୍ୱାଭାବିକ କୃତଜ୍ଞତା ଭରି ରହିଥାଏ ।

 

୨ । ୭ । ୮୨

 

କାଲି ଯାହା ଆସୁଛି, ଯେଉଁମାନେ ଆଗରୁ ତାହାର ସୂଚନା ପାଇନପାରନ୍ତି, ସେମାନେ ଭାରି କଷ୍ଟ ପାଆନ୍ତି । ସେମାନଙ୍କର ନିଜ ଭିତରେ ବି ହେଉଁ ଭବିଷ୍ୟଦ୍ରଷ୍ଟା ବନ୍ଧୁଟି ସର୍ବଦା ଯଥା ସମୟରେ ଯାବତୀୟ ସୂଚନା ଦେବ ବୋଲି ଅପେକ୍ଷା କରି ରହିଥାଏ, ସେମାନେ ତା’ କଥାକୁ ମଧ୍ୟ ମୋଟେ ଶୁଣି ପାରନ୍ତିନାହିଁ । ସେମାନଙ୍କ ଜୀବନର ଗ୍ରହଣଶୀଳ ପାଖଟାରେ ହୁଏତ ଆଉ ମୋଟେ କୌଣସି ନମନୀୟତା ନଥାଏ । ସେମାନଙ୍କ ଅନୁଭୂତିଗୁଡ଼ାକ ବଡ଼ ଦନ୍ଥଡ଼ା ହୋଇ ଯାଇଥାଏ ଓ ସଂସ୍କାରଗୁଡ଼ିକ ପ୍ରାୟ ଏକ ସୁକଠିନ ଅନ୍ଧତା ପରି ସେମାନଙ୍କୁ ଭିତରେ ଓ ବାହାରେ କାମୁଡ଼ି ଧରିଥାଏ । ସେମାନେ ସେଇଠି ବନ୍ଧା ହୋଇ ରହନ୍ତି । ସେଇଠି ଉଗ୍ର ହୁଅନ୍ତି ଓ ସେଇଠି କିଲି ହୋଇ ରହିଯାଆନ୍ତି । ସଂସାର ବଦଳୁଥାଏ, ମାତ୍ର ସେମାନେ ବଦଳି ପାରନ୍ତି ନାହିଁ । କେବଳ ଅଭିଯୋଗ କରିବାରେ ଲାଗିଥାନ୍ତି । ସେମାନଙ୍କ ଚାରିପାଖରେ ଏକ ମଣିଷ ସଂସାର ଆତଯାତ ହେବାରେ ଲାଗିଥାଏ । ମାତ୍ର ସେମାନେ ସେଇଟି ସହିତ ଆଦୌ କୌଣସିପ୍ରକାର ସୂତ୍ର ଲଗାଇ ପାରନ୍ତି ନାହିଁ । ଭାରି ଏକୁଟିଆ ହୋଇ ରହିଥାନ୍ତି, ତେଣୁ ଭାରି ଉତ୍ତପ୍ତ ହୋଇ ରହିଥାନ୍ତି ।

 

ଏମାନେ ଆପଣାକୁ କାହାରି ପାଖରେ ଦେଇ ପାରନ୍ତିନାହିଁ । ଏପରିକି ଆପଣାର ଅନ୍ତରଙ୍ଗ ହୋଇ ରହି ପାରିବାକୁ ଯେଉଁ ସର୍ବନିମ୍ନ ନମନୀୟତାଟି ଦରକାର, ସେମାନଙ୍କ ପାଖରେ ସେଇଟି ମଧ୍ୟ ନଥାଏ ଓ ତେଣୁ ସେମାନେ ଆପଣା ପାଖରେ ବି ଭାରି ଦୁସ୍ଥ ହୋଇ ରହି ଥାଆନ୍ତି । ତା’ପରେ ସଂସାର ସହିତ ଡୋର ଲଗାଇବାକୁ ସେମାନଙ୍କ ପାଖରେ ପ୍ରାୟ ଆଉ କୌଣସି ସମ୍ବଳ ନଥାଏ । ଏମିତି ମଣିଷମାନେ ସକଳ କ୍ଷେତ୍ରରେ ଏକ ପ୍ରବଳ ସମସ୍ୟା ହୋଇ ରହିଥାନ୍ତି । ବାହାରେ ସଂସାରକୁ ହଟାଇ ରଖିଛନ୍ତି ବୋଲି ଗର୍ବ କରୁଥିବା ଏହି ଲୋକମାନେ ପ୍ରକୃତରେ ଜୀବନ ଭିତରୁ ଗୋଟାସୁଦ୍ଧା ବାସନ୍ଦ ହୋଇ ରହିଥାନ୍ତି ।

 

୩ । ୭ । ୮୨

 

ଅସାଧୁ ମଣିଷର ସାହିତ୍ୟକୁ ଆଗ ଦେଖିବ ନା ତା’ର ଅସାଧୁତାକୁ ଆଗ ଦେଖିବ ? ଅସାଧୁ ଅଧ୍ୟାପକର ଅସାଧୁତା ଓ ଫାଙ୍କିଗୁଡ଼ାକୁ ଆଗେ ଦେଖିବ ନା ସିଏ କୋଉଠାରୁ କେତେ ଡିଗ୍ରୀ ହାସଲ କରିଛି, ସେହି କଥାଟାକୁ ଆଗେ ଦେଖିବ ? ଅସାଧୁ ରାଜନୀତିବାଲାଙ୍କର ଅସାଧୁତାକୁ ଆଗ ଦେଖିବ ନା ସେମାନେ କିଏ ସଫଳ ଭାବରେ କେଉଁସବୁ ପଦରେ ଯାଇ ଅଧିଷ୍ଠିତ ହୋଇ ରହିଛନ୍ତି, ସେହି କଥାଟାକୁ ଆଗ ଦେଖିବ ? ମୁଁ ଯାହା କହୁଛି, ସେହି କଥାଟିକୁ ଆଗ ଦେଖିବ ନା ମୁଁ ମୋ’ ହୃଦୟ ଭିତରେ କେଉଁସବୁ ହୀନତା ଓ ଅସୁନ୍ଦରତା ଗୁଡ଼ାକୁ କେଡ଼େ ଆସକ୍ତି ସହିତ କାମୁଡ଼ି ରଖିଛି, ସେହି କଥାଟିକୁ ଆଗ ଦେଖିବ ?

 

ବର୍ତ୍ତମାନର ତଥା କଥିତ ସଫଳ ମଣିଷମାନଙ୍କୁ ଓ ସେମାନଙ୍କ ଦ୍ୱାରା ପ୍ରପୀଡ଼ିତ ହୋଇ ରହିଥିବା ସମାଜକୁ ବିଚାର କଲାବେଳେ ଆମ ଆଗରେ ସବାଆଗ ଏହି କଥାଟିର ମୀମାଂସା ହୋଇ ଯାଇଥିବା ଉଚିତ । ଆମ ବିବେକ ଭିତରେ ମଧ୍ୟ ସେହି କଥାଟିର ଅଡ଼ୁଆ ଏକେବେଳେକେ ତୁଟି ଯାଇଥିବା ଉଚିତ । ସିଏ ଅସାଧୁତା ଦେଇ ପଦକୁ ଯାଏ, ସିଏ ପ୍ରାୟ ସର୍ବତ୍ର ସେହି ପଦଟାକୁ ମଧ୍ୟ ଅସାଧୁତା ଦ୍ୱାରା କଳଙ୍କିତ କରି ପକାଏ । ଆମ ସମାଜରେ ଏହିପରି ଭାବରେ ହିଁ ବର୍ତ୍ତମାନ ସବୁକିଛି କଳଙ୍କିତ ହୋଇ ରହିଛି । ପଦଗୁଡ଼ାକ ରହିଛି, ମାତ୍ର କଳଙ୍କିତ ହୋଇ ରହିଛି, କଳୁଷିତ ହୋଇ ରହିଛି । ଯେଉଁମାନେ ମନ୍ତ୍ରଗୁଡ଼ାକୁ କେଡ଼େ ସପ୍ରତିଭ ଭାବରେ କଣ୍ଠସ୍ଥ କରି ରଖିଛନ୍ତି, ସେମାନେ ସେଗୁଡ଼ାକୁ ସାଧି ପାରିନାହାନ୍ତି, ତେଣୁ ଆସନଗୁଡ଼ାକ ଭାରି ଅବର୍ଜିଆ ଦିଶୁଛି, ଭାରି ଅସୁନ୍ଦର ଦିଶୁଛି ।

 

୪ । ୭ । ୮୨

 

କୃପାସିନ୍ଧୁ ବୋଲି କହିଲା ବେଳକୁ ବଦନଗୁଡ଼ିକ ମୋ’ ନିଜଭିତରେ ଦିଶିଯାଏ । କୃପାସିନ୍ଧୁ ବୋଲି ଚେତନାଟିଏ ଅନ୍ତରରେ ଭାରି ଚାରିଆଡ଼କୁ ଅନାଇ ଦେଲା ବେଳକୁ ମୁଁ ପାପୀ ବୋଲି ବା ପତିତ ବୋଲି ମୋଟେ କାହାକୁ ଦେଖି ପାରେନାହିଁ ।

 

କୃପାର ଏକ ସିନ୍ଧୁ ଅବଶ୍ୟ ରହିଛି ବୋଲି ଅନୁଭବ କରିବା ଦିନଠାରୁ ମୁଁ ନୈରାଶ୍ୟ ଭୁଲିଛି, ନିରାଶାବାଦ ଛାଡ଼ିଛି । ଆପଣା ହୀନ ବା ଛୋଟ ବୋଲି ମନେ କରିବାର ଯାବତୀୟ ବ୍ୟାଧିକୁ ଅଧର୍ମ ବୋଲି ଜାଣି ପଛରେ ଛାଡ଼ି ଆସିଛି । ଆଉ କାହାରି ଉପରେ କୃପା ବା ଦୟା କରି ତାହାକୁ ଅକିଞ୍ଚନ ବା ଭାଗ୍ୟହୀନ କହିବାଲାଗି ମୋଟେ ମନ ହୋଇନାହିଁ । ସମସ୍ତଙ୍କୁ ସାଙ୍ଗରେ ନେବାକୁ ମନ ହୋଇଛି । ଏହି ସଂସାରରେ ଆମେ ସମସ୍ତେ ସାଙ୍ଗ ହୋଇ ବାଟ ଚାଲୁଥିବା ପରି ମନେ ହୋଇଛି । ଏହି ଯାହାକିଛି ରହିଛି, ସବୁରି ଭିତରେ ସେହି ସିନ୍ଧ ଆପଣାକୁ ସଞ୍ଚାରିତ କରି ରଖିଛି । ତେଣୁ, ମୁଁ କାହାକୁ ବିଲାଗ ବୋଲି କହିବି ଓ କାହାକୁ ଲାଗି କରି ରହିଛି ବୋଲି କହି ପାରିବି ? ଯେଉଁ ମଣିଷମାନେ ସାନ ସାନ କୃପା ଦେଖାଇ କେତେ ନା କେତେ ବାହାଦୁରି କରନ୍ତି, ଭିତରେ ନାନାଭଳି ଘୃଣାକୁ ପୋଷ ମନାଇ ରଖି ବାହାରେ ଘୃଣାର ପ୍ରଦର୍ଶନ କରିବାରେ ଲାଗିଥାନ୍ତି, ସେହି ଲୋକମାନଙ୍କୁ ମୁଁ ମୋଟେ ବୁଝି ପାରିନାହିଁ । ସେମାନେ ଶାସ୍ତ୍ର କାଢ଼ିଛନ୍ତି, ଶାସ୍ତ୍ରଗୁଡ଼ାକୁ ସତେଅବା ଶାସ୍ତ୍ରପରି ବ୍ୟବହାର କରିଛନ୍ତି । ତଥାପି ସେଗୁଡ଼କ ମତେ ସେମାନଙ୍କ ଭିତରେ ରହିଥିବା ଏକ ପାଷଣ୍ଡ ଦୟନୀୟତାର ପ୍ରତିରୂପ ପରି ଭାରି ଜଳ ଜଳ ହୋଇ ଦିଶିଛି । ମୁଁ ଯାହାକୁ ସିନ୍ଧୁ ବୋଲି ଜାଣିଛି, ସେଇ ମୋତେ ପରିଚାଳିତ କରି ଆଗକୁ ନେଇଯାଇଛି ।

 

୫ । ୭ । ୮୨

 

ଭିତରେ ଅସଲ ‘ମୁଁ’ ଟି ରହିଛି, ଯିଏ କି ବେଳେବେଳେ ସମ୍ମତ ହୁଏ, ବେଳେ ବେଳେ ସମ୍ମତ ହୁଏନାହିଁ । ସିଏ ସମ୍ମତ ନହୋଇଥିବା ପର୍ଯ୍ୟନ୍ତ ମୋଟେ କିଛି ସମ୍ଭବ ହୁଏନାହିଁ । ଅନେକ ସମୟରେ ଆମେ ତାକୁ ଅବଜ୍ଞା କରି କେତେ କୁଆଡ଼େ ବୁଲିବାରେ ଲାଗିଥାଉ ସତ, ମାତ୍ର ଫେରିବା ବେଳକୁ ଅତ୍ୟନ୍ତ ନିଃସ୍ୱ ହୋଇ ଫେରିବାକୁ ବାଧ୍ୟ ହେଉ । ତା’ପରେ ଭିତରେ ଓ ବାହାରେ ଉଭୟ କ୍ଷେତ୍ରରେ କଳହ ଲାଗି ରହେ । ଭିତର ଓ ବାହାର ମଧ୍ୟରେ ବି କଳହର କୌଣସି ଅନ୍ତ ନଥାଏ । ବାହାରେ ଯାବତୀୟ ଉତ୍ତେଜନା ସତ୍ତ୍ୱେ ଆମେ ସତେଅବା ନିଜ ଘରଭିତରୁ ବିତାଡ଼ିତ ହୋଇ ରହିଥାଉ ।

 

ତେଣୁ, ଭିତରର ରାସ୍ତାଟି ମାଲୁମ ଥିବା ଦରକାର । ଭିତରର ରୀତିଟି ମାଲୁମ ଥିବା ଦରକାର । ଯେଉଁମାନେ କେବଳ ବାହାରଟାରେ ହିଁ ବାନା ପରେ ବାନା ଉଡ଼ାଇବାରେ ତତ୍ପର ଓ ତର ତର ହୋଇ ରହିଥାନ୍ତି, ଅନେକ ସମୟରେ ସେମାନଙ୍କର ନିଜଭିତରେ ସବୁ ବାନାଗୁଡ଼ାକ ସତେଅବା ଭୁଲୁଣ୍ଠିତ ହୋଇ ପଡ଼ିଥାଆନ୍ତି । ତେଣୁ, ସବା ଆଗ ସେଇ ଭିତରୁ ଆରମ୍ଭ କରିବାକୁ ହୁଏ । ଅସଲ ମୂଳଦୂଆଟି ଭିତରୁ ପଡ଼େ । ଅସଲ ପ୍ରତ୍ୟୟଟି ଭିତରୁ ମିଳେ । ଅସଲ ସମ୍ମତି ସେହି ଭିତରେ ହିଁ ଉପଲବ୍ଧ ହୋଇଯାଏ । ତେଣୁ, ଉଚିତ ଭାବରେ ଅପେକ୍ଷା କରିବାକୁ ହୁଏ । ଉଚିତ ଭାବରେ ହାଲୁକା ହେବାକୁ ହୁଏ । ଉଚିତ ଭାବରେ ନୀରବ ହୋଇ ପାରିଲେ ଭିତର ସହିତ ଲାଗି ରହିଥିବା ସୂତ୍ରଟି ଆସି ହାତରେ ଲାଗିଯାଏ । ତା’ପରେ ଯାଇ ସବୁକିଛି ସାଧ୍ୟ ହୁଏ ।

 

୬ । ୭ । ୮୨

 

ମୁଁ ହୁଏତ ଆରଜନ୍ମରେ ଉପନ୍ୟାସ ଲେଖିବି । ଏ ଜନ୍ମରେ ଏହି ଜୀବନକୁ ବୁଝିବି, ତା’ର ଦୃଶ୍ୟ ଅଦୃଶ୍ୟ ନାନା ଚେରକୁ ଅନୁଭବ କରିବି, ତା’ର ଦୃଶ୍ୟ ଅଦୃଶ୍ୟ ନାନା ଦ୍ୱାରା ଦେଇ ତା’ ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରିବି । ଜୀବନ କହିଲେ ଆପଣା ସହିତ ତଥା ସମାଜ ସହିତ ରହିଥିବା ଯେଉଁ ସମ୍ବନ୍ଧଗୁଡ଼ିକୁ ବୁଝାଏ ଓ ଯେଉଁ ସମ୍ବନ୍ଧଗୁଡ଼ିକର ମାଧ୍ୟମରେ ମନୁଷ୍ୟ ସମୁଚିତ ସକଳ ପ୍ରସ୍ଥଗୁଡ଼ିକୁ ଦେଖି ବର୍ତ୍ତମାନର ତଥା ତା’ ସମ୍ମୁଖରେ ରହିଥିବା ଭବିଷ୍ୟତର କଳନା କରେ, ମୁଁ ସେହି ସମ୍ବନ୍ଧଗୁଡ଼ିକୁ ଅଙ୍ଗେ ନିଭାଇବି । ଯଥାସମ୍ଭବ ଅଧିକ ଆତ୍ମୀୟତା ସହିତ ଅଥଚ ଯଥାସମ୍ଭବ ଅଧିକ ସମୀକ୍ଷାତ୍ମକ ଭାବରେ ମୁଁ ସେହି ସମ୍ବନ୍ଧଗୁଡ଼ିକୁ ନିଜେ ଅଧିଗମୀ ପାରିବାକୁ ସମର୍ଥ ହେବି । ମଣିଷର ବାହାର ସହିତ ଭିତରକୁ ଏକାଠି ମିଳାଇ ଦେଖିପାରିବି, ତା’ର ବ୍ୟକ୍ତିଗତ ସହିତ ତା’ ସାମୂହିକକୁ ମିଳାଇ ଦେଖିବି; ଆପଣାକୁ ଦେବା ଓ ଆପଣାକୁ ସଂରକ୍ଷିତ କରି ରଖିବାର ତା’ର ଯାବତୀୟ ସୂତ୍ରଗୁଡ଼ିକୁ ଯଥାସମ୍ଭବ ସମ୍ପୂର୍ଣ୍ଣ ଭାବରେ ମୁଲାଇ ଦେଖିପାରିବି, —ତେବେଯାଇ ଉପନ୍ୟାସ ଲେଖିବି ।

 

ଉପନ୍ୟାସ ଜୀବନକୁ ଦେଖିବାର, ଜୀବନ ସହିତ ଅଧିକ ଆତ୍ମୀୟତା ଅର୍ଜନ କରିବାର ଓ ଅଧିକ ସମ୍ପୂର୍ଣ୍ଣ ଭାବରେ ଜୀବନର ସମ୍ମୁଖୀନ ହୋଇ ପାରିବାର ଏକ ଦର୍ପଣ ପରି କାର୍ଯ୍ୟ କରିବ-। ଉପନ୍ୟାସ ଆହ୍ୱାନଗୁଡ଼ିକୁ ଏକାବେଳେକେ ଆହ୍ୱାନରୂପେ ଆଣି ଉପସ୍ଥାପିତ କରି ପାରୁଥିବ-। ଉପନ୍ୟାସ ସାହିତ୍ୟ ହେବ; କେବଳ ଏକ କାହାଣୀ ହୋଇ ଆପଣାର କାର୍ଯ୍ୟଟିକୁ ଶେଷ କରି ଦେବନାହିଁ । କେବଳ ଆନନ୍ଦ ଦେବନାହିଁ ଆଳସ୍ୟ ଭାଙ୍ଗିବ । ଅସଲ ସାହିତ୍ୟର ଯାହା କରିବା କଥା, ସାହିତ୍ୟର ଏକ ଅଙ୍ଗରୂପେ ଉପନ୍ୟାସ ସବାଆଗ ତାହାହିଁ କରିବାକୁ ସମର୍ଥ ହେବ-

 

୭ । ୭ । ୮୨

 

ବାହାରର କଥାବାର୍ତ୍ତାଗୁଡ଼ାକ ଯେତେବେଳେ ସତେଅବା ଭାରି କ୍ଳାନ୍ତ କରି ପକାଉଥିବା ପରି ଲାଗେ, ସେତେବେଳେ ଆପଣା ଭିତରକୁ ଫେରି ଆସିବାକୁ ମନ ହୁଏ । ଆପଣା ପାଖରେ ନୀରବ ହୋଇ ବସିପାରିଲେ ସତେଅବା ଭୁବନମୟ ଏହି ଯାବତୀୟ କ୍ଳାନ୍ତିର ଅବସାନ ଘଟୁଥିବା ପରି ମନେହୁଏ । ବାହାରେ ହାତଛଡ଼ା ହୋଇ ଯାଇଥିବା ଖିଅଗୁଡ଼ାକ ପୁଣି ହାତକୁ ଫେରି ଆସୁଥିବା ପରି ଲାଗେ । କ୍ଳାନ୍ତି ଦୂର ହୁଏ । ବାହାରେ ହରାଇ ଆସିଥିବା ନିର୍ଭର ଓ ପ୍ରତ୍ୟୟଗୁଡ଼ିକୁ ପୁନର୍ବାର ଭିତରେ ଠାବ କରି ପାରୁଥିଲା ପରି ମନେ ହୁଏ । ତା’ପରେ ସେହି ନିର୍ଭୟ ଓ ପ୍ରତ୍ୟୟ ଦ୍ୱାରା ବାହାରକୁ ଅନାଇଲେ, ବାହାରଟା ବି ସୁନ୍ଦର ଦିଶେ, ଆପଣାପରି ଦିଶେ ।

 

ଯାହା ଆପଣା ପରି ଦିଶେ, ତାହା କଦାପି କ୍ଳାନ୍ତ କରି ପକାଏ ନାହିଁ । ତେଣୁ, କଥାବାର୍ତ୍ତା ଗୁଡ଼ାକ ଅନ୍ୟ ପ୍ରକାରର ହୋଇ ପାରୁଥାନ୍ତା । କାହାକୁ ପ୍ରହାର କରିବାର ଅଥବା ଯୁକ୍ତିରେ କାହାର ଗୋଡ଼ କାଟିଦେବା ପରିବର୍ତ୍ତେ ତାହା ଆପଣାକୁ ଆହୁରି ଅଧିକ ଗଭୀର ଭାବରେ ଉନ୍ମୋଚିତ କରିଦେଇ ପାରୁଥାନ୍ତା । ଅନେକ ସମୟରେ କଥାବାର୍ତ୍ତା ଗୁଡ଼ାକ ଏପରି ହେଉଥାଏ, ଯେଉଁଥିରେ କି ସମସ୍ତେ ଆପଣାକୁ କବାଟ କିଳି ଲୁଚାଇ ରଖିଥାନ୍ତି ଓ ବାହାରେ କଥାର ଯୁକ୍ତିଦ୍ୱାରା ଶତୃମାନଙ୍କୁ ଘଉଡ଼ାଇ ଦେବାରେ ଲାଗିଥାନ୍ତି । ସେହି କ୍ଷେତ୍ରରେ ଯଦି ତୁମେ ଏକୁଟିଆ ଦୁଆରଟିକୁ ଖୋଲିଦେଇ ସମସ୍ତଙ୍କୁ ସ୍ପର୍ଶ କରିବାକୁ ଇଚ୍ଛା କରୁଥାଅ, ତେବେ ତୁମକୁ ଭାରି ଆଘାତ ସହିବାକୁ ହୁଏ, ଭାରି ମାଡ଼ ଖାଇବାକୁ ହୋଇଥାଏ ।

 

୮ । ୭ । ୮୨

 

ଜୀବନକୁ ଜୀବନ ଭଳି ବଞ୍ଚିବା, —ତାହାହିଁ ସବୁଠାରୁ ବଡ଼ ବିପ୍ଳବ । ଯେଉଁମାନେ ସେହି ପୁରୁଣା ରୀତି ଭିତରେ ନାକ ପର୍ଯ୍ୟନ୍ତ ବୁଡ଼ିରହି ପୁରୁଣା ସହିତ ସଂଗ୍ରାମ କରନ୍ତି, ସେମାନେ ସେମାନଙ୍କର ସକଳ ଶବ୍ଦ ସତ୍ତ୍ୱେ ତଥାପି ସେଇ ପୁରୁଣା ହୋଇ ରହିଥାନ୍ତି । ସମ୍ଭବତଃ କେବଳ ଶବ୍ଦରେ ହିଁ ବିପ୍ଳବ କରୁଥାନ୍ତି । ସେମାନେ ଆପଣାକୁ ବିପ୍ଳବପକ୍ଷ ବୋଲି ଗ୍ରହଣ କରି ନିଅନ୍ତି ଓ ଅନ୍ୟ ପକ୍ଷଟିକୁ ପ୍ରତିବିପ୍ଳବର ପ୍ରତିକ୍ରିୟାଶୀଳ ପକ୍ଷ ବୋଲି ଧରି ନେଇଥାନ୍ତି । ବିପ୍ଳବ ବୋଇଲେ ଏହି ଦୁଇପକ୍ଷ ମଧ୍ୟରେ ଏକ ସଂଘର୍ଷ ବୋଲି ବୁଝନ୍ତି । ପ୍ରତିବିପ୍ଳବୀମାନଙ୍କ ବିରୁଦ୍ଧରେ ଯୁଦ୍ଧ ଶେଷ ହେଲେ ବିପ୍ଳବୀମାନେ ରାଜତ୍ୱ କଲେ ବିପ୍ଳବ ସଫଳ ହୋଇଯିବ ବୋଲି ସେମାନେ ସ୍ୱପ୍ନ ଦେଖୁଥାନ୍ତି ।

 

ଏମିତି ଯେ କୌଣସି ବିପ୍ଳବ ଯଥାର୍ଥରେ ସଫଳ ହୁଏନାହିଁ, ଇତିହାସରେ ତାହାର ଏକାଧିକ ନଜିର ରହିଛି । ଶାସନ ବଦଳିଛି, ଅର୍ଥନୀତି ବଦଳିଛି, —ନୂଆ କର୍ତ୍ତାମାନେ ଆସିଛନ୍ତି, ତଥାପି ଶୋଷଣ ଯାଇନାହିଁ, ଅବଜ୍ଞାଗୁଡ଼ାକ ସେହି ପୂର୍ବପରି ହିଁ ଜବର ହୋଇ ରହିଛି; —ଉତ୍ପୀଡ଼ନ ଓ ଅନ୍ୟାୟଗୁଡ଼ାକ ହୁଏତ ପୂର୍ବାପେକ୍ଷା ଆହୁରି ଅଧିକ ପ୍ରବଳ ହେବାକୁ ଆରମ୍ଭ କରିଛି । ଏବଂ ନୂଆ ଶବ୍ଦ ଓ ନୂଆ ଆଇନ ଦେଇ ସେଗୁଡ଼ାକର ସମର୍ଥନ କରାଯାଇଛି । ବିପ୍ଳବୀ ଶାସନ କହିଲେ ମୁଖ୍ୟତଃ ଏକ ପୋଲିସ୍‍ ଶାସନକୁ ବୁଝାଇଛି । ବର୍ତ୍ତମାନର ବିପ୍ଳବୀ କବିମାନେ କ’ଣ ଆଗାମୀ କାଲି ପାଇଁ ତଥାପି ଏହିପରି ଗୋଟାଏ ଶାସନ ଇଚ୍ଛା କରୁଛନ୍ତି ? ଏହି କବିମାନେ ବେଳ ଆସିଲେ ଯେ ତଥାପି କ୍ଷମତାର ଦାସ ଓ ତୋଷ ମଦକାରୀ ହୋଇ ରହନ୍ତି, ତାହାର ବି ଭୂରି ଭୂରି ପ୍ରମାଣ ରହିଛି ।

 

୯ । ୭ । ୮୨

 

ବାହାରେ ବାଟ ଖୋଜୁ ଖୋଜୁ ଭିତରେ ବାଟ ମିଳିଯାଏ । ମୁଣ୍ଡ ଭିତରେ କେତେ କ’ଣ ଯୁକ୍ତି ବହିପାଠ ହୋଇ ଉଚିତ ଓ ଅନୁଚିତର ସମଧାନ କରିବାରେ ଲାଗିଥାନ୍ତି । କେତେ ଜାଗାରେ ଚାଖି ବୁଲିବାଲାଗି ମନ ହେଉଥାଏ । ବାଟପରି ବାଟଟିଏ ସତକୁ ସତ କେଉଁଠାରେ ରହିଛି ବୋଲି ବିଶ୍ୱାସ ହେଉଥାଏ, ପୁଣି ବିଶ୍ୱାସ ହେଉ ବି ନଥାଏ, ତଥାପି, ଭିତରେ କୋଉଠି କ’ଣ ହେଉଥାଏ କେଜାଣି, ସତକୁ ସତ ବାଟଟିଏ ମିଳିଯାଏ । ପାଚେରୀ ଭିତରେ କବାଟଟିଏ ରହିଥିଲା ପରି ମନେହୁଏ, ଯାହାକୁ କି ଫିଟାଇ ସେପାଖକୁ ଚାଲିଯାଇ ହେବ, ଆଗକୁ ଚାଲିଯାଇ ହେବ ।

 

ଭିତରେ ବାଟ ଫିଟିଲେ ବାହାରେ ମଧ୍ୟ ବାଟ ଫିଟିଯାଏ । ପୃଥିବୀର ଯାବତୀୟ ବାଦ ଓ ବିବାଦ ଭିତରେ ବାଟ ମିଳିଯାଏ । ନାନା ମୁନିଙ୍କର ନାନା ମତ ଭିତରେ ନିଜଲାଗି ତଥାପି ମତଟିଏ ମିଳିଯାଏ । ତା’ପରେ ସମ୍ବନ୍ଧଗୁଡ଼ାକୁ ଯୋଡ଼ିବାଲାଗି ମୋଟେ ଭୟ ଲାଗେନାହିଁ, କାହାରି ଅନ୍ତରଙ୍ଗ ହୋଇ ପାଖରେ ବସିବାକୁ ମୋଟେ ସଙ୍କୋଚ ଲାଗେନାହିଁ । ଏହି ପୃଥିବୀଟାଯାକର ସବୁ ମଣିଷଙ୍କୁ ସତେଅବା ସାଙ୍ଗରେ ବାଟ ଚାଲୁଥିବା ବାଟୋଇଙ୍କ ପରି ମନେ ହୁଏ । ସଂସାରରେ ସମସ୍ତଙ୍କ ଲାଗି ଗୋଟିଏ ମାତ୍ର ବାଟ ନରହି ଏତେ ଏତେ ବିଭିନ୍ନ ପ୍ରକାରର ବାଟ କାହିଁକି ରହିଛି, ନିଜ ବାଟଟିକୁ ପାଇଲେ ସେହି ବିଷୟରେ ଆଉ କୌଣସି ଅଭିଯୋଗ କରିବା ଲାଗି ମୋଟେ ମନ ହୁଏ ନାହିଁ । ପୃଥିବୀର ଅନ୍ୟ ସମସ୍ତଙ୍କୁ ନିଜ ବାଟକୁ ଟାଣି ଆଣିବାର ଯାବତୀୟ ଉଗ୍ରତା ମଧ୍ୟ ଆଉ କୌଣସି ଉତ୍ସାହ ଦିଏ ନାହିଁ । ଆପଣା ପ୍ରତି ଏକ ସହଜ ସମ୍ମାନବୋଧ ଜାତ ହୁଏ, —ତାହା ଅନ୍ୟମାନଙ୍କୁ ମଧ୍ୟ ସମ୍ମାନର ଚକ୍ଷୁରେ ଦେଖି ଶିଖେ ।

 

୧୦ । ୭ । ୮୨

 

ସମସ୍ତେ ଆକୁଳ ହୋଇ ବର୍ଷାପାଇଁ ଅନାଇ ରହିଛନ୍ତି । ଆକାଶରେ ବର୍ଷାର ଭ୍ରାନ୍ତି ରହିଛି ସତ, ମାତ୍ର ମାଟି ଓଦା ହେଲାଭଳି ବର୍ଷା ହେବାପରି ମୋଟେ ମନେ ହେଉନାହିଁ । ପ୍ରାକୃତିକ ନାନା ବିପର୍ଯ୍ୟୟ ଦ୍ୱାରା କାଳ କାଳ ଧରି ଉତ୍ପୀଡ଼ିତ ହୋଇ ରହି ଆସିଥିବା ମଣିଷ ଏହାକୁ କେବଳ କାଳର ଅବିଚାର ବୋଲି ବିଚାର କରୁଛି । ଏହି ମଣିଷମାନଙ୍କ ଭିତରେ ଯେଉଁମାନେ ଅପେକ୍ଷାକୃତ ଅଧିକ ଚତୁର, ସେମାନେ ଏହି ଦୁର୍ବିପାକରୁ ଯଥାସମ୍ଭବ ଅଧିକ ସୁବିଧା ଉଠାଇବାରେ ଲାଗିଛନ୍ତି । ଅଧିକ ଠକୁଛନ୍ତି, ଅନ୍ୟମାନଙ୍କୁ ବଞ୍ଚିତ କରି ନିଜ ଘରଟିକୁ ଭର୍ତ୍ତି କରିବାରେ ଲାଗିଛନ୍ତି । ଏହି ବିପର୍ଯ୍ୟୟକୁ ଆଳକରି ରାଜନୀତି ମଧ୍ୟ ଚାଲିଛି, —ପକ୍ଷ ଓ ପ୍ରତିପକ୍ଷମାନେ ପରସ୍ପର ଅକର୍ମଣ୍ୟତା ସାବ୍ୟସ୍ତ କରିବାରେ ତତ୍ପର ହୋଇ ରହିଛନ୍ତି । ଅନେକ ମଣିଷଙ୍କର ଦୁଃଖରେ ଅଳପ ଥିଲବାଲାମାନେ ମଧ୍ୟ ଦୁଃଖୀ ହୁଅନ୍ତି । ସେମାନେ ତାହା ହେଉନାହାନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ଦୟା ଦେଖାଉଛନ୍ତି । ଦୟା ତ ଭାରତବର୍ଷରେ ଆଦିକାଳରୁ ରହିଛି । ତଥାପି ମଣିଷର ଦୁଃଖ ଯାଇନାହିଁ । ନିର୍ମମତା ବଢ଼ିଛି, ଉଦାସୀନତା ବଢ଼ିଛି, ବ୍ୟକ୍ତିକେନ୍ଦ୍ରୀକତା ମଧ୍ୟ ବୃଦ୍ଧି ପାଇଛି ।

 

ମଣିଷ ଏକତ୍ର ହେଲେ, ସମଭାଗୀ ହେବାକୁ ସମ୍ମତ ହେଲେ ଯାଇଁ ପ୍ରକୃତ ମଣ ହୁଏ । ହୁଏତ ସହଯୋଗ ବି କରେ । ମଣିଷ ତାର ଭିତର ପ୍ରକୃତିରେ ଦୁଷ୍ଟ ଅଥବା ଉଦ୍ୟମହୀନ ହୋଇ ରହିଲେ ତାହାର ପ୍ରକୃତିର ସହଯୋଗଟିକୁ ମଧ୍ୟ ହରାଇବସେ । ଭାରତବର୍ଷର ସମାଜରେ ମଣିଷ ମଣିଷ ଭିତରେ ସହଯୋଗ ନାହିଁ, —ବ୍ୟକ୍ତିଗତ ଭାଗ୍ୟ ଉପରେ ଅତିରିକ୍ତ ବିଶ୍ୱାସ ରହିଛି । ଠାକୁରମାନେ ବି ଭାଗ୍ୟବନ୍ତମାନଙ୍କର ହାତରପାଞ୍ଚ ହୋଇ ରହିଛନ୍ତି । ଆକାଶରେ ଏତେଟିକିଏ ବର୍ଷା ନାହିଁ ।

 

୧୧ । ୭ । ୮୨

 

ସାହିତ୍ୟରେ ଆମେ ସାଙ୍ଗ ହୋଇ ବସିପାରନ୍ତେ, ସାଙ୍ଗ ହୋଇ ପରସ୍ପରର କଥାକୁ ଶୁଣିପାରନ୍ତେ ଓ ନିର୍ଭୀକ ଅର୍ଥାତ୍‍, ନିର୍ଦ୍ୱେଷ ଭାବରେ ପରସ୍ପରର କଥାକୁ ଗ୍ରହଣ ଅଥବା ବର୍ଜନ ମଧ୍ୟ କରି ପାରନ୍ତେ । ତଥାପି ପରସ୍ପରକୁ ଛାଡ଼ନ୍ତେ ନାହିଁ, ଅର୍ଥାତ୍‍ ସାହିତ୍ୟକୁ ଛାଡ଼ନ୍ତେ ନାହିଁ । ଏହିପରି ଭାବରେ ସାହିତ୍ୟର ମାଧ୍ୟମରେ ଆମେ ଅହଂଗୁଡ଼ାକୁ ଅତିକ୍ରମ କରିଯାଇ ପାରୁଥାନ୍ତେ ।

 

ମାତ୍ର, ଯଦି ଆପଣାକୁ ଗୋଟାସୁଦ୍ଧା ନିବୁଜ ଓ କଠିନ କରି ରଖି ଆମେ ସାହିତ୍ୟ ଭିତରେ ପଶୁ, ତେବେ ଆମ ସାହିତ୍ୟ ଆମ ଜୀବନଦେହର ଚାରିପାଖରେ ଅଳଙ୍କାର ପରି ମଣ୍ଡିତ ହୋଇ ରହିଥିଲେ ମଧ୍ୟ ତଥାପି ଆମେ ସାହିତ୍ୟ ଦ୍ୱାରା ଆମ ଜୀବନର ଅନ୍ଧାରଗାର ଗୁଡ଼ାକୁ ମୋଟେ ପାର ହୋଇ ପାରିବା ନାହିଁ । ନିଜକୁ ଜାହିର କରିବା ଲାଗି ଆମେ ଯେଉଁମାନେ ସାହିତ୍ୟ ଭିତରକୁ ଯାଉଛୁ, ସେମାନେ ସାହିତ୍ୟକୁ ଯେ ଆପଣାର ସମ୍ପତ୍ତି ବୋଲି ଭାବୁଛୁ, ଆପଣାକୁ ସେହି ସମ୍ପତ୍ତିର ମାଲିକ ବୋଲି ଅନୁଭବ କରୁଛୁ ଏବଂ ତାହାରି ବଳରେ ନାନା ପ୍ରମତ୍ତତା ଦ୍ୱାରା ପ୍ରବୃତ୍ତ ହୋଇ ସଂପୃକ୍ତ ସମସ୍ତଙ୍କ ଠାରୁ ଖାଲି ସମ୍ମାନର ଓ ସ୍ୱୀକୃତିର କାମନା କରିବାରେ ଲାଗିଛୁ, ତଦ୍ଦ୍ୱାରା ଆମ ସାହିତ୍ୟ ଦୂଷିତ ହୋଇ ଯାଉଛି । ତାହା ଆମରି ଦ୍ୱାରା ଦୂଷିତ ହୋଇ ଯାଉଛି । ଆମର ସାହିତ୍ୟଶ୍ରଦ୍ଧା ସତେଅବା ଏକ ମୋହ ହୋଇ ଆମକୁ ଖାଉଛି । ଆମ ସାହିତ୍ୟକୁ ମଧ୍ୟ ଖାଉଛି । ବାହାରେ ସାହିତ୍ୟ ନାଆଁରେ ସାମୂହିକ ଅହଂର କେଡ଼େ କେଡ଼େ ଅଟ୍ଟାଳିକା ଗଢ଼ାହେବାରେ ଲାଗିଛି, ମାତ୍ର ତଥାପି ଆମ ନିଜ ଭିତରେ ଉଶ୍ୱାସ ହୋଇ ମନ୍ଦିରଟିଏ ଗଢ଼ା ହୋଇ ପାରୁନାହିଁ ।

 

୧୨ । ୭ । ୮୨

 

ବେଳେ ବେଳେ ବାହାରେ କ୍ଳାନ୍ତି ଲାଗିଲେ ନିଜ ଭିତରକୁ ଫେରି ଆସିବାକୁ ହୁଏ । ଭିତରେ ଅସଲ ଜନନୀ ଅପେକ୍ଷା କରି ବସିଥାନ୍ତି । ସେଇଠି ପହଞ୍ଚିଯିବା ମାତ୍ରକେ ହୃଦୟ ପୁଣି ସରସ ହୋଇ ଉଠେ । କପଟତା ଅର୍ଥାତ୍‍ ଅପଶ୍ରମଗୁଡ଼ାକ ବାଟ ଛାଡ଼ି ଦିଅନ୍ତି । ସତେଅବା ପରାସ୍ତ ହୋଇ ସେମାନେ ଆଉ କୁଆଡ଼େ ପଳାନ୍ତି । ଏକାବେଳେକେ ଭିତରକୁ ବାଟ ଦିଶିଯାଏ । ନିଜ ଭିତରେ ଅନେକ ଦଉଡ଼ି ସତେ ଅବା ହାତଛଡ଼ା ହୋଇ ଯାଇଥାଏ, ସେଗୁଡ଼ାକୁ ପୁର୍ନବାର ହାତ ଭିତରେ ଅନୁଭବ କରି ହୁଏ । ଭିତରେ ସବୁ ହିସାବ ମିଳିଯାଏ, —ତେଣୁ କ୍ଳାନ୍ତି ଦୂର ହୁଏ । ସେତେବେଳେ ଅନେକ ଅବିଶ୍ୱାସ ବିଶ୍ୱାସରେ ପରିଣତ ହୁଏ । ଆଖିଗୁଡ଼ିକ ପୁନର୍ବାର ସେମାନଙ୍କର ଚିହ୍ନା ସଂସାରଟିକୁ ଦେଖିବାକୁ ସମର୍ଥ ହୁଅନ୍ତି ।

 

ଭିତରର କ୍ଳାନ୍ତି ଦୂର ହେଲେ ବାହାରର କ୍ଳାନ୍ତି ଦୂର ହୁଏ । ବାହାରଟା ଯୋଉଠି ଯେପରି ଥିଲା, ତାହା ପୁନର୍ବାର ଠିକ୍‍ ସେହିପରି ଭାବରେ ଦୃଷ୍ଟି ଗୋଚର ହୁଏ । ବାହାରେ କୋଉଠି ଯେ ଆଦୌ କିଛି ବିଗିଡ଼ି ଯାଇନଥିଲା, —କୋଉଠି କୌଣସି ଦୁଆର ବନ୍ଦ ହୋଇଯାଇ ନଥିଲା, କେବଳ, ମୁଇଁ କୌଣସି କାରଣରୁ ଅସଲ ଡୋରଗୁଡ଼ିକୁ ହାତଛଡ଼ା କରି ପକାଇଥିଲି, ସେହି କଥାଟି ସ୍ପଷ୍ଟ ହୋଇଯାଏ । ଏମିତି କେତେଥର ହୋଇଛି । ତେଣୁ, ବାହାରର କ୍ଳାନ୍ତିଗୁଡ଼ାକ ଆଉ ମୋଟେ ବିଶ୍ୱାସ ହେଉନାହିଁ । ବାହାରର କ୍ଳାନ୍ତି କେବଳ ଏକ ପ୍ରତିକ୍ରିୟା । ଏହି ପ୍ରତିକ୍ରିୟା ପଛରେ ରହିଥିବା ଅସଲ ମୂଳ କ୍ରିୟାଟିକୁ ଯଥାର୍ଥରେ ଘ୍ରାଣ କରି ସେହିଠାରେ ଯାଇ ଅସଜଡ଼ାଗୁଡ଼ାକୁ ସଜାଡ଼ିଦେଇ ପାରିଲେ ପୁନର୍ବାର ସବୁ ସଜାଡ଼ି ହୋଇଯାଏ ।

 

୧୩ । ୭ । ୮୨

 

Unknown

ସରଳା ବହେନ୍‍ ଅମର ହୋଇ ରହିବେ । ଆମ ସମସ୍ତଙ୍କ ଭିତରେ ଆମର ଯେଉଁ ଅଂଶଟି ଆପଣାକୁ ଆନ୍ତରିକତା ସହି ଦେଇଦେବାରେ କୌଣସି ତ୍ରୁଟି କରେ ନାହିଁ, ସିଏ ଆମର ଠିକ୍‍ ସେହି ଅଂଶଟିକୁ ସ୍ପର୍ଶ କରି ପାରିଥିଲେ । ସେଠାରେ ଜାତି, ଦେଶ ଓ ଲିଙ୍ଗର ଆଦୌ କୌଣସି ବାରଣ ନଥିଲା । ଆମ ସମସ୍ତଙ୍କ ଭିତରେ ରହିଥିବା ସମ୍ମତ ସେବକଟି ପ୍ରତି ହିଁ ତାଙ୍କର ଯାବତୀୟ ଉଦବୋଧନ ଉଦ୍ଦିଷ୍ଟ ହୋଇ ରହିଥିଲା । ଜୀବନର ଶେଷ ପର୍ଯ୍ୟାୟଟି ପର୍ଯ୍ୟନ୍ତ ସେ ଜୀବନର ଏହି ଉଦବୋଧନଟିକୁ ଜାଗ୍ରତ କରି ରଖିଥିଲେ ଓ କୃପଣ ଅର୍ଥାତ୍‍ ଭୟାଳୁ ମଣିଷ ଦେଖିଲେ ଭାରି ଦୁଃଖିତ ହୋଇ ପଡ଼ୁଥିଲେ । ଯିଏ ଆପଣାର ସଂଗ୍ରହଗୁଡ଼ାକୁ ସମ୍ପତ୍ତି ବୋଲି ମଣେ, ଓ ତେଣୁ ସେଗୁଡ଼ାକୁ ଆପଣାର ଘରଟି ଭିତରେ କିଳି ରଖିଥାଏ, ସିଏ କୃପଣ ହୁଏ । ଭୟାଳୁ ହୁଏ, ଅହଙ୍କାରୀ ବି ହୁଏ । ସରଳା ବହେନ୍‍ ଏହି ମଣିଷମାନଙ୍କୁ ହିଁ ସମାଜର ଅଗ୍ରଗତି ପଥରେ ବାଧା ବୋଲି ମାନୁଥିଲେ । କାରଣ, ସିଏ ନିଜେ କୃପଣ ନଥିଲେ, ଅହଙ୍କାରୀ ବି ନଥିଲେ ।

 

ସରଳା ବହେନ୍‍ ଏକାବେଳେକେ ନିଜର ଲୋକ ପରି ମନେ ହେଉଥିଲେ, ଏକାବେଳେକେ ନିଜର ଭଉଣୀ ପରି ମନେ ହେଉଥିଲେ । ସେଠି ହିମାଳୟର ପାର୍ବତ୍ୟ ଗାଆଁ ଗୁଡ଼ିକରେ ସିଏ ଆପଣାକୁ ସମସ୍ତଙ୍କର ଭଉଣୀରେ ପରିଣତ କରି ଦେଇଥିଲେ । ଏକ ଅନ୍ୟ ଭବିଷ୍ୟର ଦର୍ପଣ ଉପରେ ସିଏ, ବର୍ତ୍ତମାନକୁ ଦେଖୁଥିଲେ । ସେଇଥିଲାଗି ବର୍ତ୍ତମାନର ଯାବତୀୟ ମୂର୍ତ୍ତି ଭିତରେ ସିଏ ଭବିଷ୍ୟ ଲାଗି ମର୍ମଟିଏ ପାଇ ଯାଉଥିଲେ ଓ ତାହାରି ପ୍ରେରଣାରେ ଆପଣାକୁ ପରିଚାଳିତ କରୁଥିଲେ । ସେହି ପ୍ରେରଣାଟି ଆମ ଯେଉଁମାନଙ୍କ ଭିତରେ ସର୍ବପ୍ରଧାନ ପ୍ରେରଣା ହୋଇ ରହିବ, ସେମାନଙ୍କ ଲାଗି ସରଳା ବହେନ୍‍ ନିଶ୍ଚୟ ସବୁଦିନ ଲାଗି ବଞ୍ଚି ରହିବେ ।

 

୧୪ । ୭ । ୮୨

 

ଯେଉଁମାନେ ଉତ୍ସାହ ଆସୁନାହିଁ ଉତ୍ସାହ ଆସୁନାହିଁ ବୋଲି କହି ହନ୍ତସନ୍ତ ହେବାରେ ଲାଗିଥାନ୍ତି, ସେମାନଙ୍କ ପାଇଁ ଉତ୍ସାହ କେଉଁଠାରୁ ଆସିବ ବୋଲି ସେମାନେ ଅପେକ୍ଷାକରି ରହିଥାନ୍ତି କେଜାଣି ? ଉତ୍ସାହ ମୋଟେ କେଉଁଠାରୁ ଆସେନାହିଁ । ନିଜେ ପ୍ରସ୍ତୁତ ହେଲେ ଉତ୍ସାହ ଆସେ । ନିଜେ ସମ୍ମତି ଜଣାଇଲେ ଯାଇ ଉତ୍ସାହ ଆସେ । ଯେଉଁମାନେ ଉତ୍ସାହ ଆସୁନାହିଁ ଉତ୍ସାହ ଆସୁନାହିଁ ବୋଲ କହୁଥାନ୍ତି ଓ ଉତ୍ସାହ ଆସିବ ବୋଲି ଅପେକ୍ଷା କରି ବସିଥାନ୍ତି, ସେମାନେ ହୁଏତ ନିଜେ ଯଥାର୍ଥ ଭାବରେ ପ୍ରସ୍ତୁତ ହୋଇ ନଥାନ୍ତି ବା ଯଥାର୍ଥ ଭାବରେ ସମ୍ମତ ହୋଇନଥାନ୍ତି ।

 

ତେଣୁ, ସବାଆଗ ସମ୍ମତି ଦରକାର । ଆମେ ଯେଉଁ ଆଖିରେ ସଂସାରକୁ ଦେଖୁ ସେହି ଆଖିରେ ହିଁ ସମ୍ମତି ରହିବା ଦରକାର । ଜୀବନ ଲାଗି ପୂର୍ଣ୍ଣ ସମ୍ମତି ରହିଥିବା ଦରକାର । ଅର୍ଥାତ୍‍, ଯେଉଁ ପରମ ନିର୍ଭରଟି ମଧ୍ୟରେ ମୁଁ ରହିଛି, ଆତଯାତ ହେଉଛି ଓ ଜୀବନ ଧାରଣ କରୁଛି, ସେହି ନିର୍ଭରଟି ପାଖରେ ସମ୍ମତି ରହିଥିବା ଦରକାର । ହନ୍ତସନ୍ତ ହେଉଥିବା ପର୍ଯ୍ୟନ୍ତ ଆମେ କଦାପି ଯଥାର୍ଥ ଭାବରେ ନିର୍ଭର କରି ପାରିବାର ଯୋଗ୍ୟ ହୋଇ ପାରିବାନାହିଁ । ପ୍ରଧାନତଃ ଆପଣାକୁ ଅର୍ଥାତ୍‍ ଆପଣାର ପାଚେରୀଗୁଡ଼ାକୁ ସୁରକ୍ଷିତ କରି ରଖିବାକୁ ଚେଷ୍ଟା କରୁଥିବା ପର୍ଯ୍ୟନ୍ତ ଆମେ କଦାପି ସେହି ପରମନିର୍ଭରକୁ ଆପଣାର ଗତି ମଧ୍ୟରେ ଅନୁଭବ କରି ପାରିବାନାହିଁ । ପାଚେରୀ ଗୁଡ଼ାକ ଭିତରୁ ବାହାରିବାକୁ ପଡ଼ିବ, ଏହି ଆକାଶକୁ ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ସୁରକ୍ଷାରୂପେ ଅନୁଭବ କରିବାକୁ ପଡ଼ିବ । ତେବେଯାଇ ଆପଣାର ଅନ୍ତଃକେନ୍ଦ୍ରରେ ପରମନିର୍ଭରର ଅନୁଭବ ସମ୍ଭବ ହେବ । ସେହି ଅନୁଭବରୁ ଆବଶ୍ୟକ ସମ୍ମତିଟି ସମ୍ଭବ ହେବ । ଏବଂ ତା’ପରେ ଉତ୍ସାହ ହିଁ ଜୀବନର ଅନ୍ୟ ନାମ ହୋଇ ରହିବ ।

 

୧୫ । ୭ । ୮୨

 

ଯେତେବେଳେ ଦେଉଳରୁ ଦିଅଁଙ୍କୁ ବିଦା କରି ଦିଆଯାଏ, ସେତେବେଳେ ଅନେକ ଲୋକ ତଥାପି ଦେଉଲଟାକୁ ଦେବାଳୟ ଜ୍ଞାନରେ ଦେଖୁଥାନ୍ତି ସତ, ମାତ୍ର ଦେଉଳରେ ଦେବତା ମୋଟେ ନଥାନ୍ତି । ସିଏ ଆଉ କୋଉଠି ଥାଆନ୍ତି । ଚମ୍ପତିମୁଣ୍ଡା ଆଉ ଚମ୍ପତିମୁଣ୍ଡାରେ ଆଉ ନାହିଁ । ଚମ୍ପତିମୁଣ୍ଡା ଆଉ କୋଉଠି ଯାଇ ରହିଲାଣି । ସେଠି କେବଳ ଘରଗୁଡ଼ାକ ରହିଛି, —ବ୍ୟବସ୍ଥାଗୁଡ଼ାକ ଅଛି, ରୁଟିନଗୁଡ଼ାକ ଅଛି ଏବଂ ଭାବପ୍ରବଣତାଗୁଡ଼ାକ ରହିଛି । ସ୍ୱପ୍ନଗୁଡ଼ାକ ତଡ଼ା ଖାଇ ଆଉ କୁଆଡ଼େ ପଳାଇ ଯାଇ ସାରିଲେଣି । ଚାରିପାଖରେ ପର୍ବତ ଓ ଅରଣ୍ୟ ହୁଏତ ସେହି ସ୍ୱପ୍ନଗୁଡ଼ାକୁ ଝୁରିବାରେ ଲାଗିଛନ୍ତି । ଦିନେ ଚମ୍ପତିମୁଣ୍ଡାରେ ଦେଖା ହେଉଥିବା ସ୍ୱପ୍ନ ଗୁଡ଼ିକ ସକାଶେ ସେଠି ଚାରିପାଖର ପର୍ବତ ଏବଂ ଅରଣ୍ୟ ପ୍ରକୃତରେ କେଡ଼େ ସୁନ୍ଦର ଦିଶୁଥିଲେ, ମଣିଷର ଆତ୍ମୀୟ ପରି ହୋଇ ରହିଥିଲେ । ତେଣୁ ପ୍ରେରଣା ଦେଉଥିଲେ ।

 

ସେତେବେଳେ ଯେଉଁମାନେ ଚମ୍ପତିମୁଣ୍ଡାରେ ଥିଲେ, ଚମ୍ପତିମୁଣ୍ଡା ବର୍ତ୍ତମାନ ସେହିମାନଙ୍କ ମଧ୍ୟରେ ବଞ୍ଚିରହିଛି । ସେହି ପିଲାମାନେ ଏବେ ବଡ଼ ହେଲେଣି, ସଂସାର କଲେଣି । ସଂସାରର କେତେ କେତେ ଗଣ୍ଠିକୁ ହୁଏତ ନିଜ କାନିରେ ଆଣି ପକାଇଲେଣି । ତଥାପି ସେମାନଙ୍କ ଭିତରେ ଯଦି ଏତେଟିକିଏ ମଣିଷ, ଖୁସି ମଣିଷ, ସମ୍ମାନ ଦେଉଥିବା ଓ ସମ୍ମାନ ଅନୁଭବ କରୁଥିବା ମଣିଷ, ସାହସୀ ମଣିଷ ଓ ଏହି ସଂସାର ବଦଳିଯିବ ଏବଂ ସେହି ବଦଳି ଯିବାରେ ଆମେ ନିଜେ ବି ସମ୍ମିଳିତ ହୋଇ କିଞ୍ଚିତ୍‍ ସହଯୋଗ କରିପାରିବା ବୋଲି ବିଶ୍ୱାସ ରଖିଥିବା ମଣିଷ, —କୋଉଠିହେଲେ ବଞ୍ଚି ରହିଥାଏ, ତେବେ ସେହିମାନଙ୍କ ଭିତରେ ତାହାରି ମଧ୍ୟଦେଇ ହିଁ ଚମ୍ପତିମୁଣ୍ଡା ବଞ୍ଚି ରହିଛି । ଯେଉଁମାନେ ଚମ୍ପତିମୁଣ୍ଡା ନାମକ ଗୋଟିଏ ବିଦ୍ୟାଳୟର ଘରଗୁଡ଼ାକୁ କାମୁଡ଼ି ଧରି ଗୋଦର ହୋଇ ପଡ଼ି ରହିଛନ୍ତି, ସେମାନେ ଚମ୍ପତିମୁଣ୍ଡାକୁ କୋଉଦିନୁଁ ହାତଛଡ଼ା କରି ସାରିଲେଣି ।

 

୧୬ । ୭ । ୮୨

 

ଅନେକ ସମୟରେ ଅନେକ ଲୋକ ଆସନାଟାକୁ ହିଁ ଦେଖନ୍ତି । ସେହି ଆସନରେ ବସିଥିବା ମଣିଷକୁ ମୋଟେ ଦେଖନ୍ତି ନାହିଁ । ଆସନରୁ ମଣିଷର ବିଚାର କରନ୍ତି । ଏହାଦ୍ୱାରା ସେମାନେ ମଣିଷ ପ୍ରତି ଅତ୍ୟନ୍ତ ଅବିଚାର କରନ୍ତି । ମଣିଷଠାରୁ ଆସନ ବଡ଼ ବା ମଣିଷ ପଛ ଓ ଆସନ ଆଗ, ସେମାନେ ଏହିପରି ଭାବି ଭାରି ଅବିଚାର କରନ୍ତି ।

 

ଯେଉଁମାନେ ମଣିଷକୁ ନଦେଖି ଆସନକୁ ଦେଖିଥାଆନ୍ତି, ସେମାନେ ମଣିଷପ୍ରତି ଅନେକ ସମୟରେ ଏକ ଅବଜ୍ଞା ପ୍ରକାଶ କରିଥାନ୍ତି । ଆସନରୁ ହଟି ଯିବାପରେ ସେହି ମଣିଷର ଜଣେ ମଣିଷ ହିସାବରେ ଯେତିକି ସମ୍ମାନ ଓ ଯେତିକି ସ୍ୱୀକୃତି ଅବଶ୍ୟ ରହିବା କଥା, ସେମାନେ ତାକୁ ସେତିକି ସ୍ୱୀକୃତି ବା ସମ୍ମାନ ବି ଦିଅନ୍ତିନାହିଁ । ଯିଏ ସେହି ଆସନଟିରେ ବସିଲା, ସେଗୁଡ଼ାକୁ ତାହାକୁ ହିଁ ଦିଅନ୍ତି । ଏହିପରି ଭାବରେ ମଣିଷର ଅବଜ୍ଞା କରନ୍ତି । ସେମାନେ ନିଜ କ୍ଷେତ୍ରରେ ମଧ୍ୟ ସେହିପରି କରନ୍ତି; ଅର୍ଥାତ୍‍, ନିଜର ଆସନଟିକୁ ନିଜଠାରୁ ଅଧିକ ଦେଖୁଥାନ୍ତି ଏବଂ ସେହି ଆସନଟିକୁ ନିଜଠାରୁ ଅଧିକ ଦେଖୁଥାନ୍ତି ଏବଂ ସେହି ଆସନଟି ସକାଶେ ହିଁ ନିଜର ଯାହାକିଛି ମୂଲ୍ୟ ବା ସମ୍ମାନ ରହିଛି ବୋଲି ଭାବିବାରେ ଲାଗିଥାନ୍ତି । ସେମାନେ ନିଜକୁ ଦେଖି ପାରନ୍ତିନାହିଁ, ଆପଣାକୁ ଅନୁଭବ କରି ପାରନ୍ତିନାହିଁ । ଅନେକ ସମୟରେ ଏପରି ଏକ ହୀନଭାବ ରହିଥାଏ, ଯାହାଫଳରେ କି ସେମାନେ ନିଜକୁ ମୋଟେ ସମ୍ପୂର୍ଣ୍ଣ ଭାବରେ ଦେଖି ପାରନ୍ତିନାହିଁ । ଏବଂ ନିଜକୁ ସମ୍ପୂର୍ଣ୍ଣ ଭାବରେ, ଅର୍ଥାତ୍‍ ସକଳ ଉଚ୍ଚତା ଓ ସକଳ ଗଭୀରତା ସହିତ ଦେଖି ନପାରିବା ପର୍ଯ୍ୟନ୍ତ ଆପଣାକୁ ମୋଟେ ଯଥାର୍ଥ ସମ୍ମାନ ଦେଇହୁଏନାହିଁ । ତେଣୁ ଆସନର ମାଧ୍ୟମରେ କ୍ଷତିପୂରଣ କରିବାକୁ ହୁଏ ।

 

୧୭ । ୭ । ୮୨

 

ଆମ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଯାହାସବୁ ନହେବାର କଥା, ଅଥଚ ହେବାରେ ଲାଗିଛି, ସମସ୍ତଙ୍କର ଆଖିଆଗରେ ହେଉଛି, ସେହି ବିଷୟରେ ଜାଣିବା ଶୁଣିବା ଲକେ କେତେ କ’ଣ କହି ଯାଉଛନ୍ତି । ସେମାନଙ୍କ ପାଖରେ ଯାଇ ବସିଯିବା ମାତ୍ରକେ ସେମାନେ ପେଡ଼ି ଖୋଲି ଗୋଟିଏପରେ ଗୋଟିଏ କରି ସମ୍ବାଦ ବାହାର କରିବାକୁ ଆରମ୍ଭ କରି ଦେଉଛନ୍ତି । ସେମାନେ କେଡ଼େ ଉତ୍ସାହରେ ସେସବୁ କହି ଯାଉଛନ୍ତି । ତାଙ୍କ ଭିତରେ ପଶିଥିବାରୁ ତାଙ୍କର ଯାବତୀୟ ସମ୍ବାଦ ରଖି ପାରିଛନ୍ତି ବୋଲି ସେମାନେ ସେକଥା କରି ପାରୁଛନ୍ତି ।

 

ଏଗୁଡ଼ାକ ଯିଏ ଶୁଣୁଛି, ଆନନ୍ଦର ସହିତ ଶୁଣୁଛି ଓ ସେଥିରୁ ଏକ ପ୍ରକାରର ଆତ୍ମପ୍ରସାଦ ଲାଭ କରୁଛି, ତା’ର ବି ହୁଏତ କୌଣସି ମେରୁଦଣ୍ଡ ନାହିଁ । ସେଥିଲାଗି ମେରୁଦଣ୍ଡ ନଥିବା ପ୍ରାଣୀମାନଙ୍କର କଥାକୁ ସେ କେଡ଼େ ଉତ୍ସାହରେ ଶୁଣିପାରୁଛି ଏବଂ ସେଥିଲାଗି କେଡ଼େ ଉତ୍ସାହରେ ସେ ସେଗୁଡ଼ାକୁ ମନେ ବି ରଖିପାରୁଛି । ଏଗୁଡ଼ାକ ଘଟୁଛି କେବଳ ସେତିକି ଜାଣିବା ମୋଟେ ଯଥେଷ୍ଟ ନୁହେଁ । ଯିଏ ତାହାକୁ ହିଁ ଯଥେଷ୍ଟ ବୋଲି ମନେ କରୁଛି, ତାହାର ମେରୁଦଣ୍ଡଟା ମଧ୍ୟ ହୁଏତ କୋଉକାଳୁ ଖତରା ହୋଇ ସାରିଲାଣି । ସିଏ ନିଜେ ପଙ୍କଭିତରେ ରହିଛି ଓ ତଥାପି ପଙ୍କଗୁଡ଼ାକର ପ୍ରତିରୋଧ କରି ପାରୁନାହିଁ । ତାଙ୍କର ସମାଚାରଗୁଡ଼ାକୁ କହି ବୁଲିବାକୁ ହିଁ ଆପଣାର ସମଗ୍ର ବିବେକ ବୋଲି ମନେ କରୁଛି । ଆମେ ଯେଉଁମାନେ ଏହିସବୁ କଥା କହିବାରେ ଓ ଶୁଣିବାରେ ଏତେ ଆନନ୍ଦ ଅନୁଭବ କରୁଛୁ ସେମାନେ ହୁଏତ ତଥାପି ସେହି ପଙ୍କଭିତରେ ହିଁ ରହିଛୁ-। ପଙ୍କକୁ ବି ବାସ୍ତବ ଜୀବନ ବୋଲି ଧରିନେଉଛୁ ଏବଂ ତାହାରି ଭିତରେ ରହି ଲୋକଦାଣ୍ଡରେ ଆପଣାକୁ ତଥାପି ଧାର୍ମିକ ଓ ବିବେକୀ ବୋଲି ଦେଖାଇ ହେବାରେ ଲାଗିଛୁ । ତେଣୁ, ବିଦ୍ୟାଳୟ ଗୁଡ଼ିକ ଗୁହାଳ ହୋଇ ରହିଛି ।

 

୧୮ । ୭ । ୮୨

 

ରାତିର ପାହାନ୍ତା ପହରକୁ ସ୍ୱପ୍ନରେ ସତକୁ ସତ ‘‘ଓରେ ନୂତ୍‍ନ ଯୁଗେର୍‍ ଭୋରେ’’ ଗୀତଟିକୁ ଗାଉ ଗାଉ ଏହି ସକାଳ ମଧ୍ୟକୁ ଜାଗି ଉଠିବାରେ ପ୍ରକୃତରେ କେଡ଼େ ଆନନ୍ଦ ନିହତ ହୋଇ ନରହିଛି । ଭିତର ଓ ବାହାର ମଧ୍ୟରେ ପୂର୍ଣ୍ଣ ସହଯୋଗ ରହିଥିଲେ ଯାଇ ଏକଥା ସମ୍ଭବ ହୋଇ ପାରିବ ।

 

ଆଜି ସକାଳେ ତାହାହିଁ ହେଲା । ଅନେକ ଲୋକଙ୍କର ମେଳରେ ବସି ମୁଁ ସେହି ଗୀତଟିକୁ ଗାଇ ସମସ୍ତଙ୍କୁ ଶୁଣାଉଥିଲି । ତାହାରି ଭିତରେ ନିଦ ଭାଙ୍ଗିଗଲା । ହଠାତ୍‍ ଭାଙ୍ଗିଗଲା ନାହିଁ, ଅତ୍ୟନ୍ତ ସ୍ୱାଭାବିକ ଭାବରେ ପ୍ରାୟ ମୋ, ଜାଣତରେ ନିଦ ଭାଙ୍ଗିଲା । ମୁଁ ସତେଅବା ସେଘରୁ ଉଠିପଡ଼ିଲି ଓ ଏଘରକୁ ଆସିଲି ଠିକ୍‍ ସେହିପରି ମନେହେଲା । ସେପାଖ ଘରୁ ଉଠିଆସି ଏପାଖର ଘରେ ପଶିଯିବି, —ଆଦୌ କେଉଁଠି କୌଣସି ଫରକ ନାହଁ । ସେଠି ଯିଏ ଥିଲା, ଠିକ୍‍, ସେଇ ଏଠାକୁ ଚାଲିଆସିଲା । ତାହା ହିଁ ପରମ ସୌଭାଗ୍ୟ । ଅନେକ ସମୟରେ ଏଠି ଥିବା ଲୋକେ ନିଦରେ ସେଠାକୁ ପଳାଇଯାଇ ସ୍ୱପ୍ନ ଦେଖନ୍ତି । ଏଠି ଯାହା କରି ନପାରୁଥାନ୍ତି, ତାହାକୁ ହିଁ କରିବାଲାଗି ସେମାନେ ସ୍ୱପ୍ନରୂପୀ ଅରଣ୍ୟର ଅନ୍ତରାଳ ଭିତରେ ନିଜକୁ ଗୋଟାସୁଦ୍ଧା ସମର୍ପି ଦେଇଥାନ୍ତି । ସେଠାରୁ ଫେରି ଆସିବାକୁ ହୁଏତ ମୋଟେ ମନ କରନ୍ତି ନାହିଁ । ତେଣୁ ସତେଅବା ଏଡ଼େ ବଡ଼ କ’ଣ ଗୋଟାଏ ଆସି ପଡ଼ିଲାପରି ସେମାନେ ଏପାଖରେ ଆସି ପଡ଼ନ୍ତି । ଏଠାକୁ ମୋଟେ ମନ ନକରୁଥିଲେ ମଧ୍ୟ ଏଠି ଆସି ପଡ଼ନ୍ତି । ସେମାନଙ୍କର ସ୍ୱପ୍ନ ସେମାନଙ୍କର ଜାଗ୍ରତ ଅବସ୍ଥାରୁ ବିଚ୍ଛିନ୍ନ ହୋଇ ରହିଥାଏ । ଏବଂ ଗୋଟାଏ ଦୃଷ୍ଟିରୁ ବିଚାର କଲେ, ଏପାଖ ଓ ସେପାଖ ଦୁଇଟାଯାକ ପାଖରେ ହିଁ ସେମାନେ ଏକ ନିଦ୍ରାମଧ୍ୟରେ ହିଁ ବିଚରଣ କରିବାରେ ଲାଗିଥାନ୍ତି । ମୋ’ର ଏପାଖର ଅଗଟି ସେପାଖେ ଯାଇ ଲାଗିଛି, ସେପାଖର ମୂଳଗୁଡ଼ିକ ଏପାଖର ମୂଳଗୁଡ଼ିକୁ ପ୍ରେରଣା ଯୋଗାଇ ଦେଉଛନ୍ତି । ସେଠି ଗୀତ ଗାଉ ଗାଉ ମୁଁ ଏପାଖକୁ ଅତ୍ୟନ୍ତ ସାବଲୀଳ ଭାବରେ ଆସିଯାଇ ପାରୁଛି, —ଏହାହିଁ ମୋ’ ସକାଳଗୁଡ଼ିକର ସବୁଠାରୁ ବଡ଼ ସାର୍ଥକତା ।

 

୧୯ । ୭ । ୮୨

 

ଯୋଉମାନେ ଏପାଖରେ ହନ୍ତସନ୍ତ ହେଉଥାନ୍ତି ଓ ସେପାଖକୁ ଯିବାଲାଗି ଡରୁଥାନ୍ତି, ସେମାନେ ଏପାଖ ଆଉ ସେପାଖ ଦୁଇ ପାଖରେ ହିଁ ହାରନ୍ତି । ଏହି ସଂସାର ସେମାନଙ୍କୁ ମୋଟେ ଭଲ ଲାଗେନାହିଁ ଏବଂ ସେପାଖଟା ସେମାନଙ୍କୁ କେବଳ ଭୟ ଦେଖାଇବାରେ ଲାଗିଥାଏ । ସେମାନଙ୍କୁ ନିଦ୍ରା ହିଁ ଭଲ ଲାଗେ । ଲୁଚି ରହିବାଟା ହିଁ ଭଲ ଲାଗେ । ସେମାନେ ଗୋଟାଏ ପାଖରୁ ଆଉ ଗୋଟାଏ ପାଖକୁ ଗଲାବେଳେ ଦୁଲ କରି ହିଁ ପଡ଼ିବାରେ ଲାଗିଥାନ୍ତି । ସେମାନଙ୍କୁ ଜାଗରଣ ଖରାପ ଲାଗେ, ଏବଂ ନିଦ୍ରା ଭିତରେ ସେମାନଙ୍କୁ କେତେ ନା କେତେ ପ୍ରକାରର ଭୁତ ଗୋଡ଼ାଇବାରେ ଲାଗିଥାଆନ୍ତି । ଶୋଇଲାବେଳେ ଆପଣା ଭୂତଗୁଡ଼ାଙ୍କର ଭୟରେ ସେମାନେ ଖାଲି ଚିର୍‍ଚିରେଇବାରେ ଲାଗିଥାନ୍ତି । ତେଣୁ, ଶୋଇଥିବା ସମୟରେ ଖୁସି ହୋଇ ଗୀତଟିଏ ଗାଇବା ଓ ଗୀତଟି ଗାଉ ଗାଉ ଅତ୍ୟନ୍ତ ସହଜ ଭାବରେ ଏପାଖକୁ ସେହି ଖୁସିଟିକୁ ସାଙ୍ଗରେ ନେଇ ଚାଲିଆସି ପାରିବା, ସେମାନଙ୍କ ଜୀବନରେ ଏକଥା ଆଦୌ ସମ୍ଭବ ହୁଏନାହିଁ ।

 

ଖୁସି ମଣିଷ ଏପାଖ ଓ ସେପାଖ ଦୁଇପାଖକୁ ହିଁ ଜୟ କରି ପାରିବ । ଅର୍ଥାତ୍‍, ଦୁଇଟାଯାକ ପାଖରେ ହିଁ ସିଏ ଆପଣା ଘରେ ରହିଥିଲା ପରି ଅନୁଭବ କରିବ । ତାକୁ ନିଦ୍ରା ଓ ଜାଗରଣ ଉଭୟଟି ଭଲ ଲାଗିବ । ତେଣୁ, ସିଏ ଦୁଇଟି ମଧ୍ୟରୁ ଆଦୌ କୌଣସିଟିକୁ ଡରିବନାହିଁ । ସଂସାରକୁ ଡରିବନାହିଁ ଅଥବା ସଂସାରର ଗାରଗୁଡ଼ାକୁ ବି ମୋଟେ ଡରିବନାହିଁ । ଗୀତ ଗାଇ ସହଜ ଭାବରେ ଏପାଖକୁ ଚାଲିଆସି ପାରିବ ଓ ନୀରବ ଏବଂ ଶକ୍ତ ହୋଇ ଏପାଖରୁ ସେପାଖକୁ ଚାଲିଯାଇ ପାରିବ । ଏପାଖରେ ବା ସେପାଖରେ, ତାକୁ କୌଣସି ପାଖରେ କଦାପି ଏକୁଟିଆ ଲାଗିବନାହିଁ । ସିଏ ନିଜେ ତା’ ସାଥୀରେ ରହିଥିବ, ନିଜେ ନିଜର ସାଥୀ ହୋଇ ରହିଥିବ ।

 

୨୦ । ୭ । ୮୨

 

ଭଗବାନଙ୍କୁ ଆମେସବୁ ନିଜେ ତିଆରି କଲୁ ପ୍ରଧାନତଃ ନିଜନିଜର କାମରେ ଲଗାଇବା ପାଇଁ, ଅର୍ଥାତ୍‍, ତାଙ୍କରି ଦ୍ୱାହି ଦେଇ ପ୍ରଧାନତଃ ନିଜର ସ୍ୱାର୍ଥ ଓ ବାସନାଗୁଡ଼ାକର ପୂରଣ କରିବାପାଇଁ । ଆମର ଏହି କାରସାଦିଟିକୁ ଯେଉଁ ଭଗବାନ ଆମ ଭିତରେ ରହି ଅଙ୍ଗେ ନିଭାଉଥିଲେ, ହୁଏତ ତାଙ୍କୁ ହିଁ ଏଥିଲାଗି ଅଧିକ ଆଘାତ ପାଇବାକୁ ପଡ଼ିଥିବ ।

 

ଭଗବାନଙ୍କୁ ବାହାରେ ପୂଜା କରି ଆମେ କେଡ଼େ ଚମତ୍କାର ଭାବରେ ଭିତରେ ତାଙ୍କୁ ନିଜ କାମରେ ଲଗାଇବାକୁ ଚେଷ୍ଟା କରିଥାଉ ! ଆମେସବୁ ନିଜେ ସିନା ତାଙ୍କର କାମରେ ଲାଗି ପାରୁଥାନ୍ତୁ, ଅନ୍ତତଃ ତାଙ୍କରି କାମରେ ଲାଗିପାରିବା ସକାଶେ ଅଧିକରୁ ଅଧିକ ଯୋଗ୍ୟ ହେଉଥାନ୍ତୁ, କିନ୍ତୁ ସେକଥା ମୋଟେ ହୋଇ ପାରେନାହିଁ । ଯିଏ ବାହାରେ ଆମଠାରୁ ପୂଜା ପାଉଥାନ୍ତି, ଭିତରେ ସିଏ ସତେଯେପରି ଆମ ସହିତ ମୋଟେ ନାହାନ୍ତି, —ଅନେକ ବୁଦ୍ଧି ଖର୍ଚ୍ଚକରି ଆମେ ଆପଣାକୁ ଏହିପରି ଏକ ଅସତ୍ୟ ପାଖରେ ସମ୍ମତ କରି ନେଇଥାଉ ଏବଂ ସେହି ଅନୁସାରେ ଭିତରେ ଅସଲ ଘରଟିକୁ ବନ୍ଦ କରି ରଖି ସତେଅବା ଏକମାତ୍ର ରାଜଚକ୍ରବର୍ତ୍ତୀ ପରି ସ୍ଵେଚ୍ଛାଚରଣ କରୁଥାଉ । ଏବଂ ରାଜଚକ୍ରବର୍ତ୍ତୀମାନେ ସାଧାରଣତଃ ଯେତିକି ଡରନ୍ତି ଆମେ ମଧ୍ୟ ଆମର ଯାବତୀୟ ତର୍ଜନ ଓ ପ୍ରତାପ ସତ୍ତ୍ୱେ ସେତିକି ଡର ସହିତ ବାନ୍ଧିହୋଇ ରହିଥାଉ ଏକୁଟିଆ ଲାଗିଲେ ସାଧାରଣତଃ ଯେତିକି ଡର ମାଡ଼େ, ଆମେ ଠିକ୍‍ ସେତିକି ଡରକୁ ସାଙ୍ଗରେ ଧରି ଘର କରି ରହିଥାଉ । ଏହାଦ୍ୱାରା ଆମର ଉଗ୍ରତା ବଢ଼େ, ଏବଂ ଅସହାୟତା ବଢ଼େ । ଯେଉଁମାନେ ବାହାରେ ଭଗବାନଙ୍କର ପୂର୍ଣ୍ଣତର୍ପଣ ପୂଜା ଲାଗି ବିବିଧ ବିଧିର ଅବତାରଣା କରି ଶାସ୍ତ୍ରଗୁଡ଼ାକୁ ଲେଖିଛନ୍ତି, ସେମାନେ ଆମ ଭିତରଗୁଡ଼ାକ କିଳିହୋଇ ରହିବାରେ ହୁଏତ ଭାରି ସାହାଯ୍ୟ କରଛନ୍ତି । ଆମକୁ ଉଗ୍ର ହେବାଲାଗି ଗୋଟାଏ ପଗଡ଼ି ପିନ୍ଧାଇ ଦେଇଛନ୍ତି । ସେହି ପଗଡ଼ିଟା ଭିତରେ ସତେଅବା ଗୋଟାଏ ଦର୍ପଣ ଉପରେ ଆମେ ଭଗବାନଙ୍କୁ ଠାବ କରିବାକୁ ମନ କରୁଛୁ । ତେଣୁ ହନ୍ତସନ୍ତ ହେଉଛୁ ।

 

୨୧ । ୭ । ୮୨

 

ଯେତେବେଳେ ମଝିରେ କେଉଁଠାରେ ସତେଅବା ଅଟକି ରହିଯିବା ପରି ମନେହେବ, ସେତିକିବେଳେ ମୋତେ ଭିତରେ ବନ୍ଧୁ ଭଳି ରହି କିଏ ଯେପରି ସତେ ଆଗକୁ ଯିବାର ଉତ୍ସାହ ତଥାପି ଦେଉଥିବ, ଜୀବନର ଅସଲ ବନ୍ଧୁଟି ପାଖରେ ସବୁବେଳେ ମୁଁ ସେହି ପ୍ରାର୍ଥନାଟି କରିଆସିଛି ବନ୍ଧୁ ପାଖରୁ ଉତ୍ସାହ ହିଁ ମଗାଯାଏ । ଯିଏ ବନ୍ଧୁଭଳି ନଦିଶି ଆଉକ’ଣ ପରି ଦିଶନ୍ତି, ଅର୍ଥାତ୍‍, ରାଜା ପରି ଦିଶନ୍ତି ଦଣ୍ଡଦାତା ପରି ଦିଶନ୍ତି ଅଥବା ଯମପରି ଦିଶନ୍ତି, ତାଙ୍କପାଖରେ ତ ଭୟରେ କେତେ କ’ଣ ମାଗି ହୋଇଯାଏ, ତାଙ୍କୁ କେତେଭାବରେ ସ୍ତୁତି କରି ପ୍ରସନ୍ନ କରି ରଖିବାକୁ ମନ ହୁଏ, ବେଳେ ବେଳେ ଫାଙ୍କି ଦେବାକୁ ମଧ୍ୟ ମନ ହୁଏ । ଦୂରତାଗୁଡ଼ାକ ବଡ଼ ଭୀତିସ୍ପଦ ଭାବରେ ଅସମର୍ଥ ଓ ଅଳ୍ପବଳ କରି ରଖିଥାନ୍ତି ।

 

ମାତ୍ର, ବନ୍ଧୁ ବୋଲି ଚିହ୍ନିବାର ବାଟଟି ମିଳିଗଲେ ଏହିସବୁ ଅନେକ ପ୍ରମାଦରୁ ରକ୍ଷା ମିଳେ । କିଛି ମାଗିବାକୁ ମନ ହୁଏନାହିଁ । ଖାଲି ଖୁସି ଲାଗେ । ନିଜ ଜୀବନର ଦୃଶ୍ୟଠାରୁ ଆରମ୍ଭ କରି ଅଦୃଶ୍ୟ ପର୍ଯ୍ୟନ୍ତ ସମୁର୍ଣ୍ଣ ରାସ୍ତାଟିକୁ ଅତି ସାମନାରେ ଆଖି ଆଗରେ ପଡ଼ିଥିବା ପରି ମନେହୁଏ । ଯାବତୀୟ ବାଟ ଚାଲିବାରେ ସେଠି ଆଉଜଣେ ବି ବାଟ ଚାଲୁଥିବା ପରି ମନେହୁଏ । ଆପଣା ଉପରେ ବିଶ୍ୱାସ ବଢ଼େ । ପାଖରେ ବନ୍ଧୁଟିଏ ରହିବା ପର୍ଯ୍ୟନ୍ତ ବିଶ୍ୱାସ ହିଁ ଜୀବନ ବଞ୍ଚିବାର ସର୍ବଶ୍ରେଷ୍ଠ ପ୍ରେରଣା ହୋଇ ରହିବା ଅତ୍ୟନ୍ତ ସ୍ୱାଭାବିକ । ସେହି ବିଶ୍ୱାସ କୌଣସି ନିର୍ଦ୍ଦିଷ୍ଟ ବିଷୟ ଉପରେ ବିଶ୍ୱାସ କଦାପି ନୁହେଁ ଯାହାକି ଆଉ କୌଣସି ଅବିଶ୍ଵାସକୁ ଆଶ୍ରୟ କରି ଛିଡ଼ା ହୋଇ ରହିଥାଏ । ଏହି ବିଶ୍ୱାସ କେବଳ ଏକ ଅନ୍ତରଭରା ବିଶ୍ୱାସ, ଏକ ଜୀବନଭରା ବିଶ୍ୱାସ; ଠିକ୍‍ କୋଉଥିଲାଗି ବା କାହାପାଇଁ ବିଶ୍ୱାସ ସେକଥା ସେହି ବିଶ୍ୱାସକୁ ମୋଟେ ଜଣାନଥାଏ ।

 

୨୨ । ୭ । ୮୨

 

ସଂଯମୀ ସହିଷ୍ଣୁ ହେବ । ଅସଂଯମୀମାନଙ୍କ ପ୍ରତି ସହିଷ୍ଣୁ ହେବ, ଅନ୍ୟପନ୍ଥୀମାନଙ୍କ ପ୍ରତି ମଧ୍ୟ ସେ ସହିଷ୍ଣୁ ହେବ । ସିଏ ଆପଣା ଭିତରେ ଆପଣାର ଡୋରଟିକୁ ଯେତିକି ଶ୍ରଦ୍ଧା ଓ ଯେତିକି ନିର୍ଭରର ସହିତ ନିଜ ହାତରେ ରଖି ପାରିଥିବ; ସିଏ ସେତିକି ପରିମାଣରେ ସହିଷ୍ଣୁ ହେବ । ଏବଂ ସିଏ ଯେତିକି ପରିମାଣରେ ସହିଷ୍ଣୁ ହୋଇ ପାରିବ, ନିଜ ଭିତରେ ତା’ର ଡୋରଗୁଡ଼ିକୁ ସେତିକି ପରିମାଣରେ ତା’ର ନିଜ ହାତରେ ରହିଛି ବୋଲି ପ୍ରମାଣ ମଧ୍ୟ ମିଳି ଯାଉଥିବ ।

 

ଧର୍ମରେ, ସମ୍ପ୍ରଦାୟମାନଙ୍କରେ, ଗୁରୁକୁ ମାର୍କା କରି ଅତ୍ୟନ୍ତ ସମାରୋହ ସହିତ ବିକଶିତ ହୋଇ ଆସିଥିବା ମାର୍ଗଗୁଡ଼ିକରେ ପ୍ରାୟ ଯେତିକି ତୋଡ଼ ଦେଖାଇ ସଂଯମର କଥା କୁହାଯାଇଛି, ତେଣେ ସେତିକି ଅପପ୍ରତ୍ୟୟ ସହିତ ଅସହିଷ୍ଣୁ ହେବାଲାଗି ମଧ୍ୟ ଅଶେଷ ପ୍ରରୋଚନା ଦିଆଯାଇଛି । ଅର୍ଥାତ୍‍, ଆମର ସକଳ ସଂଯମ ଅର୍ଥାତ୍‍ ସକଳ ପ୍ରସ୍ତୁତି ଓ ସକଳ ସମ୍ମତି କୋଉଠିକି ଅନୁଚିତ ବାଟରେ ଚାଲିଯାଇଛି କେଜାଣି, ଆମେ ଅନ୍ୟପ୍ରତି ଅସହିଷ୍ଣୁତା ପ୍ରଦର୍ଶନ କରିବାଦ୍ୱାରା ହିଁ ଆମ ନିଷ୍ଠା ଗୁଡ଼ାକୁ ସବୁଠାରୁ ଅଧିକ ନିଶ୍ଚିତ ଭାବରେ ଅନୁଭବ କରି ଶିଖିଛୁ । ଆମ ବାଟରେ ଆଗକୁ ଯିବା ଏହାଦ୍ୱାରା କେତେଦୂର ସମ୍ଭବ ହୋଇଛି କେଜାଣି, ଆମ ଦ୍ୱାରା ଏହି ସଂସାରର ପ୍ରକୃତରେ ଭାରି କ୍ଷତି ହୋଇଛି, —ଆମର ଏହି ମାର୍ଗଗୁଡ଼ାକର ମଧ୍ୟ ଭାରି ବଦନାମ ହୋଇଛି । ମାର୍ଗଗୁଡ଼ାକ ମାର୍ଗକୁ ଚାଲିବାର ପ୍ରେରଣା ନଦେଇ ଅଧିକତର ଅବସରରେ ପରସ୍ପର ସହିତ ଅର୍ଥାତ୍‍ ଅନ୍ୟ ମାର୍ଗଗୁଡ଼ିକ ସହିତ ଲଢ଼ିବାଲାଗି ଅଧିକ ପ୍ରରୋଚନା ଦେଇଛନ୍ତି । ପାଣ୍ଡିତ୍ୟ ବଢ଼ିଛି, ଶାସ୍ତ୍ର ବଢ଼ିଛି, ଉପାସନାର ଆଡ଼ମ୍ବର ବଢ଼ିଛି, ତଥାପି ବାଟୋଇମାନେ ବାଟ ହୁଡ଼ି ଯାଇଛନ୍ତି, କାରଣ ସେମାନେ ପରସ୍ପରକୁ ଚିହ୍ନି ପାରିନାହାନ୍ତି ।

 

୨୩ । ୭ । ୮୨

 

ସୁଅ ସହିତ ମିଶିଯିବା ପ୍ରକୃତରେ କେଡ଼େ ସହଜ । ଆମେ କେଡ଼େ ଉତ୍ସାହରେ ପୁରୁଣାକୁ ନୂଆ କରିବାକୁ ବାହାରୁ, ଅର୍ଥାତ୍‍ ପୁରୁଣା ସୁଅଟାକୁ ବଦଳାଇ ଦେବାକୁ ବାହାରୁ, ଅଥଚ କେଡ଼େ ଶୀଘ୍ର ସେହି ପୁରୁଣା ସୁଅଟା ଭିତରେ ସମ୍ପୂର୍ଣ୍ଣ ଭାବରେ ମିଶିଯାଉ ଓ ଜଡ଼ିତ ହୋଇଯାଉ । କେବଳ ବାହାରେ କେତେଟା ସନ୍ତକକୁ ଧରି ପଡ଼ି ରହିବାରେ ହିଁ ଆମର ଯାବତୀୟ ବିପ୍ଳବ ବାନ୍ଧିହୋଇ ରହିଯାଏ ।

 

ଶିକ୍ଷକ ଏହି ବିଷୟରେ ସବାଆଗ ସାବଧାନ ରହିବ । ତା’ର ଶିକ୍ଷା ଏହି ନିନ୍ଦିତ ଓ ବିଫଳ ସୁଅଗୁଡ଼ାକୁ ବଦଳାଇ ଦେଇପାରିବ ବୋଲି ଯଦି ସିଏ ପ୍ରକୃତରେ ବାହାରିଥିବ, ତେବେ ତାକୁ ପୁରୁଣା ସନ୍ତକଗୁଡ଼ାକ ଠାରୁ ମଧ୍ୟ ଅତି ସ୍ପଷ୍ଟଭାବରେ ଦୂରରେ ରହିବାକୁ ପଡ଼ିବ । ତା’ ଶିକ୍ଷାଦ୍ୱାରା ଯେଉଁ ପରିବର୍ତ୍ତନ ଘଟିବ, ତାହା ଯେପରି କେବଳ ବାହାରେ ନଘଟି ମଣିଷର ଅନ୍ତର ଭିତରେ ଓ ପାରସ୍ପରିକ ସମ୍ବନ୍ଧ ଭିତରେ ଘଟିବ, ସିଏ ସେହି କଥାଟି ବିଷୟରେ ଭାରି ସତର୍କ ହୋଇ ରହିଥିବ । ସମ୍ବନ୍ଧ ଭିତରେ ପ୍ରକୃତ ପରିବର୍ତ୍ତନଟି ଘଟିଲେ ହୁଏତ ବାହାରର ସନ୍ତକଗୁଡ଼ାକ ବି ବଦଳି ଯିବାକୁ ବାଧ୍ୟ ହେବ । ନୂଆ ଚାଦର ଓ ନୂଆ ଚାନ୍ଦୁଆରେ ଆଉ ପୁରୁଣା ଠାକୁରମାନଙ୍କୁ ମୋଟେ ଆପ୍ୟାୟିତ କରି ରଖିବାର ଆବଶ୍ୟକତା ହେବନାହିଁ । ପୁରୁଣା ଭଦ୍ରତାଗୁଡ଼ାକୁ ଜଗି ତଥାପି ନୂଆ କଥା କହି ଫୁଲାଇ ହେବାର ବି ଆଉ କୌଣସି ଆବଶ୍ୟକତା ନଥିବ । ପୁରୁଣା ମୂଳଦୁଆଗୁଡ଼ାକୁ ଭାଙ୍ଗିଦେଲେ ଯାଇ ଏହି ସୁଅଟା ମଧ୍ୟ ବଦଳିଯାଇ ପାରିବ । ମାତ୍ର, ନିଜ ଭିତରେ ସେହି ଅସଲ ଅନିଚ୍ଛୁକମାନଙ୍କୁ ମଙ୍ଗାଇ ନପାରିବା ପର୍ଯ୍ୟନ୍ତ ଏକଥାଟି ହୁଏତ କେବେହେଲେ ସମ୍ଭବ ହୋଇ ପାରିବନାହିଁ ।

 

୨୪ । ୭ । ୮୨

 

Sincere ମଣିଷର କଥା ବି sincere, —ଅର୍ଥାତ୍‍ ଯାହାଭିତରେ ତା’ର ଆନ୍ତରିକତା ହିଁ ସର୍ବଶ୍ରେଷ୍ଠ ପ୍ରେରଣାରୂପେ କାର୍ଯ୍ୟ କରୁଥାଏ, ତାହାର କଥାରେ ମଧ୍ୟ ଆନ୍ତରିକତା ରହିଥାଏ । ତେଣୁ, ତାର କଥାକୁ କଦାପି ନିରର୍ଥକ ବୋଲି କହି ଆଡ଼େଇ ଦେଇ ହୁଏନାହିଁ । ଅର୍ଥାତ୍‍, କଥାର ମଧ୍ୟ ଏକ ମୂଲ୍ୟ ରହିଛି । ଗୁଡ଼ାଏ କଥା କହିବା ସବୁବେଳେ ଆଦୌ ମନ୍ଦ ବି ନୁହେଁ । ଯାହା ଭିତରେ ମୂଳତଃ ଜୀବନପ୍ରତି ଏକ ଆନ୍ତରିକତା ରହିଛି, ତାହାର କଥା ମଧ୍ୟ ତାହାର କାମ ପରି ସମାନ ଭାବରେ ମୂଲ୍ୟବାନ । ସେହି କ୍ଷେତ୍ରରେ କାମ ଓ କଥା ଉଭୟେ ମୂଳବାନ । ଆନ୍ତରିକତା ନଥିବା ମଣିଷର କଥା ଯେପରି ମୂଲ୍ୟହୀନ, କାମ ବି ସେହିପରି ମୂଲ୍ୟହୀନ ।

 

ଯୋଉମାନେ ଖାଲି କଥା କହି ଜୀବନ ବିତାଇଦେଲେ, ସେମାନେ ନିଜପ୍ରତି ଅନାନ୍ତରିକ ରହିଥିବାରୁ ହିଁ ପ୍ରଧାନତଃ ସେପରି କଲେ । ନିଜେ ନିଜ ସହିତ ଭିତରେ ଅସଲ ସମ୍ପର୍କଟିକୁ ସ୍ଥାପନ କରି ପାରିଲେନାହିଁ ଓ ଅସଲ ଉତ୍ସଟିକୁ ଛୁଇଁ ପାରିଲେନାହିଁ ସେମାନେ ଏପରି କଲେ । ତେଣୁ, ସେମାନେ ନିଜ ଅନୁଭୂତିକୁ ଆଦୌ କିଛି କିଛି କହି ପାରିଲେନାହିଁ । ଶାସ୍ତ୍ରରୁ କହିଲେ, ପାଣ୍ଡିତ୍ୟରୁ କହିଲେ ଅଳଙ୍କାର ଭିତରୁ କହିଲେ, ମାତ୍ର ଆପଣାର ଅନୁଭୂତିରୁ ପ୍ରାୟ କିଛି କହି ପାରିଲେନାହିଁ । ତେଣୁ, ପ୍ରାୟ ଏକ ଦୁଃଖଦ କ୍ଷତିପୂରଣ କରାଇବାର ଅବଶ୍ୟକତାରେ ପଡ଼ି ସେମାନେ କଥା କହିଲେ । ଅଧିକରୁ ଅଧିକ କଥା କହିଲେ । କଥାରେ ଘର ବୁଡ଼ାଇଦେଲେ, ସାରା ସଂସାରକୁ ମଧ୍ୟ ବୁଡ଼ାଇଦେଲେ । ତେଣୁ କେବଳ ବିରକ୍ତିର ଭାଜନ ହେଲେ । ମାତ୍ର, ଅନ୍ୟ ପକ୍ଷରେ ଯେଉଁମାନେ sincere, ସେମାନେ ଆହୁରି କଥା କହନ୍ତୁ, ଆହୁରି ଆମ ସାଙ୍ଗକୁ ଆସନ୍ତୁ । ଯେଉଁମାନେ ଆପଣା ଭିତରେ ମୋଟେ ବିଭକ୍ତ ହୋଇ ରହିନାହାନ୍ତି, ଯେଉଁମାନେ କଥାକୁ ଗୋଟାଏ ମୁଖାପରି ଆଦୌ ବ୍ୟବହାର କରୁନାହାନ୍ତି, ସେମାନେ କଥା କହନ୍ତୁ । ତାହା କଦାପି ନିରର୍ଥକ ଯିବନାହିଁ । ତାହା ଯଥାର୍ଥ ବାଣୀର କାର୍ଯ୍ୟ କରିବ ।

 

୨୫ । ୭ । ୮୨

 

ପ୍ରତିଦ୍ୱନ୍ଦୀ ଅନ୍ୟ ମଣିଷମାନଙ୍କ ସହିତ ଲଢ଼ି ଲଢ଼ି ଯଦି ମୋ’ର ଦିନ ଗଲା, ତେବେ ମୁଁ ଜୀବନରେ ଏକାନ୍ତ ପ୍ରତିକୂଳ ହୋଇ ରହିଥିବା ଅନୁଷ୍ଠାନଗୁଡ଼ାକ ବିରୁଦ୍ଧରେ ଲଢ଼ିବି ଆଉ କେତେବେଳେ ? ବର୍ତ୍ତମାନ ଆମ ସମାଜରେ ଆମେ ସବୁଯାକ ଅଭିମାନୀ ଏହିପରି ପରସ୍ପର ବିରୁଦ୍ଧରେ ହିଁ ଲଢ଼ିବାରେ ଲାଗିଛୁ । ତେଣୁ, ଆମକୁ ଆଉ ଅସନାଗୁଡ଼ାକ ମୋଟେ କାଟୁନାହିଁ । ଆମକୁ ପରସ୍ପର କଥା କାଟୁଛି, ପରସ୍ପରର ଅପମାନଗୁଡ଼ାକ ସବୁଠାରୁ ଅଧିକ ପରିମାଣରେ କାଟୁଛି । ଆମେ ଶିଷ୍ଟ ଓ ବରିଷ୍ଠ ଭାବରେ ଯେଉଁସବୁ ସ୍ଥାନରେ ରହିଛୁ, ସେହି ସ୍ଥାନଗୁଡ଼ିକୁ ହଗ ବୁଡ଼ାଇବାରେ ଆମ ସମସ୍ତଙ୍କର ଭାଗ ରହିଛି ଓ ଆମେ ପରମ ନିଷ୍ଠା ସହକାରେ ପ୍ରଧାନତଃ ତାହାହିଁ କରିବାରେ ଲାଗିଛୁ ସତ, ମାତ୍ର ଏଣେ ସେହି ଗୁହାଳଟା ଭିତରେ ହିଁ ପରସ୍ପରର ମୁହଁକୁ କାଦୁଅ ଛାଟୁଛୁ ଓ ପରସ୍ପରର ଗୋଡ଼ରେ ପ୍ରହାର କରିବାକୁ ମନ କରୁଛୁ । ଆମ ଘରଗୁଡ଼ାକ ଯେ କ୍ରମେ ଗୁହାଳ ହୋଇ ଆମକୁ ନାନାବିଧ ଅସମର୍ଥତା ଭିତରେ ପକାଇ ରଖିଛୁ, ସେକଥା ଦେଖିବାକୁ ଆଉ ବେଳ ନାହିଁ ।

 

ଆଉ ମୋଟେ କୁଆଡ଼କୁ ନଚାହିଁ କେବଳ ନିଜଆଡ଼କୁ ଚାହିଁଲେ ଯାହା ଜଣା ଅବଶ୍ୟ ହୁଏ, ଆମମାନଙ୍କର ସେହି ଦଶା ହୋଇଛି । ମଣିଷ କେବଳ ନିଜକୁ ଏତେଗୁଡ଼ାଏ ଦେଖୁଥିଲା ପର୍ଯ୍ୟନ୍ତ ତାକୁ ଅସମର୍ଥ କରି ରଖିଥିବା ଚତୁର୍ଦ୍ଦିଗଟାକୁ ମୋଟେ ଦେଖି ପାରେନାହିଁ । ପରସ୍ପର ସହିତ ମନ କରି ଉତ୍ତପ୍ତ ହୋଇ ବସିଥିଲା ପର୍ଯ୍ୟନ୍ତ ସିଏ ସେହି ସାନ ଗାତଟି ଭିତରେ ହିଁ ହିରୋ ପରି ଦିଶିବାର ନାନା ଅପଭୂମିକା ଗ୍ରହଣ କରୁଥାଏ ସତ, ମାତ୍ର ତାର ଅସଲ ଭୂମିକା ଗୁଡ଼ିକରେ ମୋଟେ ଅବତୀର୍ଣ୍ଣ ହୋଇପାରେ ନାହିଁ । ସେଇଥିଲାଗି ଗୁହାଳ ଭିତରେ ପଡ଼ି ରହିଥାଏ । ଗୁହାଳକୁ ସହେ ପଛକେ, ମାତ୍ର ଅନ୍ୟମାନଙ୍କୁ ମୋଟେ ସହି ପାରେନାହିଁ । ତା’ପରେ ଅତ୍ୟନ୍ତ ଅଣବିଶ୍ୱାସୀଙ୍କ ପରି ସେ ଏହି ସଂସାରରେ ମୋଟେ କିଛି ସମ୍ଭବ ହେବନାହିଁ ବୋଲି କହେ ଓ ପ୍ରାୟ ଖୁସି ହୋଇ ନିଜର ଅସାମର୍ଥ୍ୟଗୁଡ଼ାକୁ ସମର୍ଥନ କରୁଥାଏ ।

 

୨୬ । ୭ । ୮୨

 

ସାହିତ୍ୟ ବଢ଼ୁଛି, ଅଥଚ ସାହସ ବଢ଼ୁନାହିଁ କାହିଁକି ? ତାହାର ଏକ ପ୍ରଧାନ କାରଣ ହେଉଛି ଯେ, ଭୀରୁ ମଣିଷ ତାର ଆପଣାର ଭୀରୁତାଗୁଡ଼ାକୁ ଅଧିକରୁ ଅଧିକ ଯତ୍ନର ସହିତ ସୁରକ୍ଷିତ କରି ରଖିବାକୁ ଇଚ୍ଛା କରୁଛି ଏବଂ ସାହିତ୍ୟକୁ ପ୍ରଧାନତଃ ସେହି କାମରେ ଲଗାଉଛି । ଅର୍ଥାତ୍‍ ସାହିତ୍ୟ ଏକ ଆବରଣ ପରି କାମ କରୁଛି, ତେଣୁ ଆବରଣଗୁଡ଼ାକୁ ମୋଟେ ଖୋଲି ପାରୁନାହିଁ । ସାହିତ୍ୟ ଏକ ପଳାୟନ ପରି କାର୍ଯ୍ୟ କରୁଛି, ତେଣୁ ମୋଟେ ଅସଲ ନୈକଟ୍ୟଟିକୁ ଆଣି ଦେଇ ପାରୁନାହିଁ ।

 

ନୈକଟ୍ୟର ବାସନଟି ବଢ଼ୁଥିଲେ ଯାଇ ସାହସ ବଢ଼ନ୍ତା । ଲୁଚି ରହିବାର ଅନ୍ୟବୃତ୍ତି ଗୁଡ଼ାକ ଆମଭିତରେ ଏପରି ପ୍ରବଳ ହୋଇ ରହିଥିବା ପର୍ଯ୍ୟନ୍ତ ଆମେ ଆଉ କାହା ନିକଟକୁ ଯିବାର ଭାଜନ ହୋଇ ପାରିବା ? ଆମ ସାହିତ୍ୟର ମାଧ୍ୟମରେ ଆମେ ଯାହାକିଛି ଲେଖୁଛୁ, ତାହା ଆମକୁ ଅନ୍ତତଃ ନିଜପାଖରେ ଅଧିକ ସାହସୀ ହେବାଲାଗି ପ୍ରବୃତ୍ତ କରାଇ ପାରନ୍ତା ଅନ୍ତତଃ ନିଜପାଖରେ ଲୁଚି ରହିବାକୁ ଆମେ ଆଦୌ କୋଣସି ଉଦ୍ୟମ କରନ୍ତୁନାହିଁ । ଆମ ଭିତରୁ ଅନେକ ସାହିତ୍ୟିକ ସାହିତ୍ୟଠାରୁ ସତେଅବା ସେତିକି ବ୍ୟତୀତ ଆଉ ସବୁକିଛିର କାମନା ରଖିଥାନ୍ତି । ସେମାନେ ଯଶଃର କାମନା ରଖିଥାନ୍ତି, —ସେହି ଯଶଃକୁ ମଧ୍ୟ ଆପଣା ଉପରେ ଗୋଟାଏ ଆବରଣ ପରି ବ୍ୟବହାର କରିବାକୁ ଇଚ୍ଛା କରନ୍ତି । ସାହିତ୍ୟକ ସାହିତ୍ୟକ ପାଖରେ ବସିଲେ ଯେଉଁ ଅସଲ ଦ୍ୱାରୋନ୍ମୋଚନ, ଅର୍ଥାତ୍‍ ଅସଲ ସଂସ୍ରବଟି ସମ୍ଭବ ହେଉଥାଆନ୍ତା, ଅଧିକାଂଶ ସମୟରେ ତାହା ସମ୍ଭବ ହୋଇ ପାରେନାହିଁ । ତେଣୁ ସାହିତ୍ୟ ବଢ଼େ ଓ ତାହା ସହିତ ଭୀରୁତାଗୁଡ଼ାକ ମଧ୍ୟ ବଢ଼େ; ଜୁଗୁପ୍ସାଗୁଡ଼ାକ ବଢ଼େ । ସେହି ଜୁଗୁପ୍‍ସାଗୁଡ଼ାକୁ ଅନେକ ସମୟରେ ଶୈଳୀ ବୋଲି କୁହାଯାଏ । ସେହି ଶୈଳୀ ସତେଅବା ଏକ ପାଟବସ୍ତ୍ର ପରି କାର୍ଯ୍ୟ କରେ ଯାହାକି ଆମ ଜୀବନର ଅସଲ ଶୈଳୀଟିକୁ ଭାରି ଯତ୍ନର ସହିତ ଢାଙ୍କି ରଖିଥାଏ ।

 

୨୭ । ୭ । ୮୨

 

ସାହିତ୍ୟ ବଢ଼ୁଛି, ଅଥଚ ସୌହାର୍ଦ୍ଦ୍ୟ ବଢ଼ୁନାହିଁ କାହିଁକି ? ମଣିଷ ମଣିଷ ଭିତରେ ସୌହାର୍ଦ୍ଦ୍ୟ କାହିଁକି ଏପରିକି, ସାହିତ୍ୟିକ ଓ ସାହିତ୍ୟିକ ଭିତରେ ବି ସୌହାର୍ଦ୍ଦ୍ୟ ବଢ଼ୁନାହିଁ କାହିଁକି ? ସାହିତ୍ୟ ସହିତ ରହିଥିବା ଆମର ସମ୍ବନ୍ଧଟି ଯଦି ସତକୁ ସତ ସର୍ଜନାତ୍ମକ ହୋଇଥାନ୍ତା, ତେବେ ଆମର ସାହିତ୍ୟ ଏପରି ଈର୍ଷାନ୍ଵିତ ଏବଂ ଉତ୍ତେଜିତ ହୋଇ ରହି ପାରୁଥାନ୍ତା କିପରି ? ଯଦି ଆମ ସାହିତ୍ୟ ସହିତ ଆମର ସମ୍ବନ୍ଧଟି ଯଥାର୍ଥରେ ଭଲ ପାଇବାର ଏକ ସମ୍ବନ୍ଧ ହୋଇଥାନ୍ତା, ତେବେ ସାହିତ୍ୟ ଭିତରେ ପଶି ଆମେ ଅଧିକ କପଟୀ, ଅଧିକ ସ୍ୱାର୍ଥକାମୀ ଓ ଅଧିକ ଅଭିନୟ ପରାୟଣ ହୋଇ ପାରୁଥାନ୍ତୁ କିପରି ?

 

ସମ୍ଭବତଃ ଅସଲ କଥା ହେଉଛି ଯେ, ସାହିତ୍ୟ ଆମ ଜୀବନ ଓ ଆମ ଚେତନାର ଯେତିକି ଗଭୀରକୁ ଭେଦି ପାରିବା ଉଚିତ, ଆମେ ତାହାକୁ ମୋଟେ ଗଭୀରଯାଏ ମୋଟେ ଭେଦିବାକୁ ଦେଉନାହୁଁ । ଅନ୍ୟପ୍ରକାରେ କହିଲେ, ଆପଣାକୁ ସାହିତ୍ୟ ଭିତରକୁ ଯେତିକି ପରିମାଣରେ ଭେଦାଇ ପାରିବା ଉଚିତ, ଆମେ ସେତେଯାଏ ଭେଦିବାପାଇଁ ମୋଟେ ପ୍ରସ୍ତୁତ ହୋଇ ପାରୁନାହିଁ । ସାହିତ୍ୟ ଆମକୁ ଭେଦିବା ପୂର୍ବରୁ ହୁଏତ ଆମେ ସାହିତ୍ୟକୁ ଖାଇଯାଉଛୁ, ସାହିତ୍ୟକୁ ଏକ ପଣ୍ୟରୂପେ ବ୍ୟବହାର କରୁଛୁ; —ଏହିପରି ନାନାଭାବେ ସାହିତ୍ୟକୁ ଅସମର୍ଥ କରି ରଖୁଛୁ । ଆମର ତଥାକଥିତ ସାହିତ୍ୟ କ୍ରମଶଃ ଆମ ଅହଙ୍କାର —ଶରୀରଟା ଉପରେ ସତେଅବା ଏକ ଭୂଷଣ ପରି ବ୍ୟବହୃତ ହେଉଛି । ଏହିସବୁ ସୁଆଙ୍ଗରୁ ସୌହାର୍ଦ୍ଧ ସମ୍ଭବ ହୁଅନ୍ତା କିପରି ? ସାହିତ୍ୟର କ୍ଷେତ୍ରରେ ବର୍ତ୍ତମାନ ଏପରି କେତେ ନୂଆ ସୁହୃତ ଦରକାର, ଯେଉମାନେ କି ସାହିତ୍ୟ ଭିତରେ ଯଥାର୍ଥ ସୌହାର୍ଦ୍ଦ୍ୟଟିକୁ ସମ୍ଭବ କରି ପାରିବେ ।

 

୨୮ । ୭ । ୮୨

 

ଏଇଟା ସରିଲେ ସେଇଟାକୁ ଆରମ୍ଭ କରିବି, ଏହିପରି ଗୋଟାଏ ପ୍ରକାରର ବ୍ୟାକୁଳତା ଉଚିତ ଧ୍ୟାନ ଏବଂ ଶ୍ରଦ୍ଧାର ସହିତ ଏଇଟାକୁ ମଧ୍ୟ କରି ପାରିବାରେ ସତେଅବା ଭାରି ବାଧା ସୃଷ୍ଟି କରିବାକୁ ଆସିଥାଏ । ତା’ଫଳରେ ଏଇଟି ପ୍ରତି ଆଦୌ ନ୍ୟାୟବିଚାର କରା ହୁଏନାହିଁ । ଆଜିପରେ କାଲି ଆସିବ ଓ କାଲିପରେ ପଅରଦିନ ବି ଆସିବ; କିନ୍ତୁ ସେଥିଲାଗି ଏକ ଅକାରଣ ବ୍ୟାକୁଳତା ପ୍ରକାଶ କରାଯାଇ ଆଜିଟି ସହିତ ରହିଥିବା ଲୟସୂତ୍ର ଗୁଡ଼ିକୁ ଅସ୍ତବ୍ୟସ୍ତ କରି ଦିଆଯିବ କାହିଁକି ?

 

ମଣିଷ ବାଧ୍ୟ ହୋଇ କାମ କରୁଥିବା ପର୍ଯ୍ୟନ୍ତ ହୁଏତ ଆଜିର କାମଟିକୁ କଲାବେଳେ କାଲିର କଥା ଭାବେ ଓ କାଲିର କାମଟି କାଲି କରିବାକୁ ଯିବାବେଳେ ଆଜିର କାମଟି ହୋଇ ପାରିଲା ନାହିଁ ବୋଲି ପଶ୍ଚାତ୍ତାପ କରିବାରେ ଲାଗିଥାଏ । ସେହି ବ୍ୟାକୁଳତା ଓ ସେହି ପଶ୍ଚାତ୍ତାପ ତାର ଅନେକ ଯଥାର୍ଥ ପ୍ରସ୍ତୁତିକୁ ନଷ୍ଟ କରିଦିଏ । ତାର ଅନେକ ନୀରବତାକୁ ଭାଙ୍ଗି ଦେଇ ଯାଏ, ତାର ଶ୍ରଦ୍ଧାସ୍ଥାନଗୁଡ଼ିକୁ ଭାଙ୍ଗି ଦେଇଯାଏ । ତେଣୁ, ନାନା ଅହେତୁକ କାରଣ ସୃଷ୍ଟି କରି ସିଏ ଆପଣାର ଗୋଡ଼ରେ ଆପେ ପଥର ବାନ୍ଧି ରଖିଥାଏ । ତା’ର ଯାବତୀୟ କାମକୁ ସିଏ ବିକୃତ କରିପକାଏ । ମୁଁ ସଂସାରରେ ଏହିପରି ଅନେକ ବ୍ୟସ୍ତ ମଣିଷଙ୍କୁ ଦେଖିଛି । ସେମାନଙ୍କର ସଂସର୍ଗରେ ଆସି ସତେଅବା କୌଣସି ରୋଗର ଆକ୍ରମଣ ଲାଗି ଉନ୍ମୁକ୍ତ ହୋଇଯିବା ପରି ମନେ ହୋଇଛି । ସେତେବେଳେ ଭାରି ସାବଧାନ ରହିବାକୁ ପଡ଼ିଛି । ଆପଣାର ସୂତ୍ରଗୁଡ଼ିକୁ ଅଧିକ ବିଶ୍ୱାସର ସହିତ ଧରିକରି ରଖିବାକୁ ପଡ଼ିଛି । ଭିତରର ଯେଉଁ ନୀରବ ସ୍ଥାନଟି ମୋତେ ସବୁଠାରୁ ଅଧିକ ନିର୍ଭର ଯୋଗ୍ୟ ଭାବରେ ଆପଣା ପଥ ଉପରେ ପଥସ୍ଥ କରି ରଖିଛି, ସେହି ସ୍ଥାନକୁ ଅବିଚଳିତ ଭାବରେ ଛୁଇଁକରି ରହିବାକୁ ପଡ଼ିଛି । ତେବେଯାଇ ବ୍ୟାଧିର ସଂକ୍ରମଣରୁ ଆପଣାକୁ ବଞ୍ଚାଇ ରଖିପାରିଛି । ଆଜିର ଆହ୍ଵାନଟିକୁ ମୁଁ ଆଜି ବଞ୍ଚିବି, —ତାହାରି ଦ୍ୱାରା ହିଁ ମୁଁ କାଲିର ଆହ୍ଵାନଟି ଲାଗି ମୋ’ର ଉଚିତ ବର୍ତ୍ତବ୍ୟଟିକୁ କରିପାରିବି; —ଏବଂ ତେଣେ ଟିପଗୁଡ଼ାକ ଟାଣ ବି ହୋଇ ରହିଥିବ ।

 

୨୯ । ୭ । ୮୨

 

ଅସମ୍ମତି ହିଁ ଅସୁସ୍ଥତା । ଯଥାର୍ଥ ସମ୍ମତି ଜୀବନାଗ୍ରହର କେବଳ ଗୋଟିଏ ଭାଗରେ ନୁହେଁ । କେବଳ ମସ୍ତିଷ୍କରେ, କେବଳ ପ୍ରାଣଭାଗରେ କିମ୍ବା କେବଳ ଶରୀରରେ ନୁହେଁ । ଏହା ସବୁ ଭାଗରେ ସ୍ୱାଭାବିକ ଭାବରେ ଆପଣାକୁ ବ୍ୟକ୍ତ କରି ପାରୁଥିବା ଏକ ସମଗ୍ର ସମ୍ମତି ।

 

ଏପାଖରୁ ସମ୍ମତି ପ୍ରକାଶ ପାଇବା ଅର୍ଥ ସେପାଖରୁ ଆଶୀର୍ବାଦ ଲାଭ କରିବା ଲାଗି ଅସଲ ଦ୍ୱାରଟିର ଉନ୍ମୋଚନ । ବାହାରଟି ଭିତରେ ପ୍ରବେଶ ଲାଭ କରିବାଲାଗି ଭିତରେ ଅସଲ ଦ୍ୱାରଟିର ଉନ୍ମୋଚନ ଏବଂ; ଭିତର ସହିତ ରହିଥିବା ଅସଲ ସ୍ପର୍ଶଟିକୁ ଅନୁଭବ କରି ପାରିବାଲାଗି ବାହାରର ଏହି ଯାବତୀୟ ଦେଖା ଓ ଯାବତୀୟ ସମ୍ପର୍କ ସ୍ଥାପନର କ୍ଷେତ୍ରରେ ଏକ ସ୍ୱାଭାବିକ ଇଚ୍ଛୁକତା । ଏସବୁ ଖାଲି ଜ୍ଞାନର କଥା ନୁହେଁ, ଏଗୁଡ଼ାକ ଖିଅ ଲଗାଇବାର କଥା, ଆଉ କାହାର ହୋଇଯିବାର କଥା, ଆପଣାର ମୁହୂର୍ତ୍ତଗୁଡ଼ିକ ସତେଅବା ଆଉ କାହାପାଖରେ ସମର୍ପିତ ହୋଇ ରହିଥିବା ପରି ଅନୁଭବ କରିବା କଥା । ସେହି ଖିଅଟି ଲାଗି ରହିଛି, ଅସଲ ସମ୍ମତିଟି ମଧ୍ୟ ମହଜୁଦ ରହିଛି । ସବୁକିଛି ଲାଗି କରି ରହିଛି, ମୋଟେ ଛାଡ଼ିହୋଇ ରହିନାହିଁ । ଲାଗିହୋଇ ରହିଥିବାର ଯେଉଁ ସହଜ ଖୁସି; ତାହାହିଁ ସମ୍ମତି । ତେଣୁ, ସେଠି ଆଉ କୌଣସି ପ୍ରକାରର ଅସୁସ୍ଥତା କିପରି କୁଆଡ଼ୁ ଆସିବ ? ଦେହର ଖିଅଟି ଯଥାସ୍ଥାନରେ ଲାଗି ରହିଥିବ, ଯଥାସ୍ଥାନରୁ ପ୍ରେରଣା ଆସି ଦେହରୁ ସତତ ସମ୍ମତ କରି ରଖିଥିବ, ସମର୍ଥ କରି ରଖିଥିବ । ଅନ୍ଧାରଗୁଡ଼ାକର ଖିଅ ଚାହିବା ମାତ୍ରକେ ଯାଇ ଆଲୋକରେ ଲାଗିଯାଇ ପାରୁଥିବ ଓ ତେଣୁ ଆପଣାର ପରିତ୍ରାଣ ଅର୍ଥାତ୍‍ ଆରୋଗ୍ୟବିଧାନ କରି ପାରୁଥିବ । ତା'ପରେ ଜୀବନଟା ତ କେବଳ ଏକ ଉତ୍ସବ ପରି ମନେହେବ, ସେହି ଉତ୍ସବରେ ନିଜକୁ ଏକ ସହଯୋଗୀ ପରି ମନେହେବ । ସେଠି ଅସୁସ୍ଥତା ପଶିବ ଆଉ କେଉଁବାଟେ ?

 

୩୦ । ୭ । ୮୨

 

ପରିବା କାଟିବା ସମୟରେ ମୋ’ର ବୋଉ କଥା ମନେ ପଡ଼ିଯାଏ । ଘରକୁ ଦୁଆର ଓଳାଇବାକୁ ଆସୁଥିବା ଲକ୍ଷ୍ମୀ ଯେତେବେଳେ ମୋତେ ପନିକି ଉପରେ ବସି ପରିବା କାଟୁଥିବାର ଦେଖେ, ସେତେବେଳେ ବାବୁ ଏପରି ଗୋଟାଏ କାମ କରୁଛନ୍ତି ବୋଲି ଭାବି ହୁଏତ କେତେ କ’ଣ ବିଚାର କରି ପକାଏ । ଏହି କାମଟିକୁ କରିବାକୁ ମୋତେ କାହିଁକି ଲାଜ ମାଡ଼ୁନାହିଁ ବୋଲି ବିଚାରି ସିଏ ହୁଏତ ତା’ ଭିତରେ ବଡ଼ ସଙ୍କୁଚିତ ହୋଇପଡ଼େ ।

 

ମୋତେ ଏସବୁ କାମ କରିବାକୁ ପ୍ରକୃତରେ ମୋଟେ ଲାଜ ମାଡ଼େ ନାହିଁ । କାରଣ, ଏଗୁଡ଼ାକ କରୁଥିବା ସମୟରେ ମୁଁ ମୋଟେ ଏଠି ନଥାଏ । ମୁଁ ବୋଉ ପାଖରେ ଥାଏ । ଆହୁରି କେତେ କେଉଁଠିଥାଏ । ଯେଉଁଠି ରହିପାରିଲେ, ମଣିଷ ଯାହାକିଛି କରିବ, ସେସବୁ ତାକୁ ସବୁକିଛି ଭଲ ଲାଗିବ, ମୁଁ ସେହି ସବୁଠାରେ ରହିଥାଏ । ମୋ ପିଲାଦିନେ ବୋଉ ପନିକି ପକାଇ ଯେତେବେଳେ ପରିବା କାଟି ବସୁଥିଲା, ସେତେବେଳେ ମୁଁ ମଧ୍ୟ ତା’ପାଖରେ ବସୁଥିଲି । ପରିବା କଟାର ସମ୍ପୂର୍ଣ୍ଣ କର୍ମଟିକୁ ଦେଖିବାପାଇଁ ମୋତେ ଭାରି ଭଲ ଲାଗୁଥିଲା । ମୁଁ ବୋଉ ପାଖରେ ଅଜଟ କରି ବସୁଥିଲି । ଟୋକେଇକ ଯାକ ସବୁ ପରିବା କଟାଯିବ ବୋଲି ଅଜଟ କରୁଥିଲି । ରୁଷି କରି ଗଡ଼ି ଯାଉଥିଲି । ସେତେବେଳେ ବୋଉକୁ ମୋ’ର ସବୁ ଅଜଟ ସହିବାକୁ ପଡ଼ୁଥିଲା । ଏବେ ବି ପରିବା କାଟି ବସିଲେ ସେସବୁ ଭାରି ମନେ ପଡ଼େ ଏସବୁ ମନେ ପଡ଼ି ଦୁଃଖ ହୁଏ ନାହିଁ । ଦୂରଗୁଡ଼ାକୁ ପାଖରେ ପାଇଲେ ଯେଉଁ ଖୁସି ଲାଗେ, ମୁଁ ଠିକ୍‌ ସେହି ଖୁସିଟିକୁ ଅନୁଭବ କରେ । ଏହି କାମଟା ଯେ ଚାକରର କାମ ଅଥବା କେବଳ ସ୍ତ୍ରୀ ଲୋକମାନଙ୍କର କାମ, ମୁଁ ସେକଥା ଭୁଲିଯାଏ । ମୁଁ ବାବୁଙ୍କ ପରି ବସି ପରିବା କାଟେ । ଖୁସି ହୋଇ ପରିବା କାଟେ । ତେଣୁ, ପରିବା କାଟୁଛି ବୋଲି ଭୁଲିଯାଏ ।

 

୩୧ । ୭ । ୮୨

 

ଯିଏ ଯେଉଁ ଚେତନାର ସ୍ତରରେ ରହିଛି, ଗ୍ରସ୍ତ ହୋଇ ରହିଛି, ସିଏ ଉପରେ ରହିଥିବା ଆଉ ଏକ ଚେତନାର ସ୍ତରକୁ ଉଠିଯିବ, ସେଇଟି ସହିତ ଆପଣାର ଏକ ଯଥାର୍ଥ ସ୍ପର୍ଶ ଘଟାଇବ ଓ ତା’ପରେ ସେହି ଭୂମିଟି ସହିତ, ସିଏ ଆଗରୁ ଯେଉଁ ସ୍ତରରେ ରହିଥିଲା, ତାହାର ଏକ ସମ୍ମିଳନ ଘଟାଇବ । ଉପରଟିର ନିର୍ଦ୍ଦେଶ ଅନୁସାରେ ସିଏ ସ୍ତରଟିରେ ଏକ ପରିବର୍ତ୍ତନ ଆଣିବ । ତେବେଯାଇ ସଂସାର ବଦଳିବ ।

 

ଆମେ ଅନେକେ ଜୀବନରେ ଯାହାକିଛି ପାଉଛୁ, ଆମେ ଯୋଉଗୁଡ଼ାକୁ ସିଦ୍ଧ ବୋଲି କହୁଛୁ, ତାହାକୁ ସାଙ୍ଗରେ ନେଇ ଆମେ ସତେଅବା କେତେ କୁଆଡ଼େ ପଳାଇ ଯିବାର ଫିକର କରୁଛୁ । ଏହି ପଳାଇ ଯିବାକୁ ଅନେକ ସମୟରେ ମୁକ୍ତି ବୋଲି କୁହାଯାଉଛି । ଏହାଦ୍ୱାରା ଆମର ଜୀବନଗୁଡ଼ାକ ଗୋଟାଏ ଗୋଟାଏ ଦ୍ଵୀପରେ ପରିଣତ ହୋଇଯାଇଛି । ଆଉ ସଂସାର ବୋଲି କିଛି ରହୁନାହିଁ । ପ୍ରତିଦ୍ୱନ୍ଦୀମାନଙ୍କର ପ୍ରକୋପରେ ସଂସାର ଏକ ଜଞ୍ଜାଳରେ ପରିଣତ ହୋଇଯାଉଛି । ସ୍ୱପ୍ନଗୁଡ଼ାକ ଖାଲି ବହିଭିତରେ ଅଟକି ରହିଯାଉଛି । ମୁହଁଗୁଡ଼ାକ ମୁଖାରେ ପରିଣତ ହୋଇ ରହୁଛି-। ଆମେସବୁ ସିଧା ଭଗବାନଙ୍କ ପାଖରେ ଯାଇ ପହଞ୍ଚିଗଲୁ ବୋଲି ଢମ କରିବାରେ ଲାଗିଛୁ-। ଆପଣାର ଗୁହାଗୁଡ଼ିକୁ ମନ୍ଦିର ବୋଲି ଘୋଷଣା କରି ଆମେ ତାହାରି ଭିତରେ କିଳି ହୋଇ ରହି ଯାଉଛୁ । ତେଣୁ, ଆପଣାଟିର ଅର୍ଜନଟିକୁ ଧରି ଆମେ ଯିଏ ଯୁଆଡ଼େ ପଳାଇ ଯିବାକୁ କଦାପି ମନ କରିବା ନାହିଁ । ଆମେ ଏହି ଘରଟିରେ ସେହି ଘରଟିର ଏକ ସ୍ପର୍ଶ ଘଟାଇବା । ସେହି ସ୍ପର୍ଶଟିର ମାଧ୍ୟମରେ ପରସ୍ପରକୁ ଛୁଇଁବା । ତେବେ ସଂସାର ଅନ୍ୟପ୍ରକାରେ ଲାଗିବ । ମୋଟେ ଜଞ୍ଜାଳ ପରି ମନେ ହେବନାହିଁ । ସେତେବେଲେ ଯାଇ ସିଦ୍ଧିଗୁଡ଼ାକ ପ୍ରକୃତ ସିଦ୍ଧି ବୋଲି ପ୍ରମାଣିତ ହେବ ।

 

୧ । ୮ । ୮୨

 

ବଡ଼ ସକାଳୁ ଏହି ବର୍ଷା କେଡ଼େ ଭଲ ଲାଗେ । ଭିତରେ କେତେ କାହାର ସ୍ପର୍ଶ ବାଜୁଥିବା ପରି ସମସ୍ତେ ସତେଅବା ଏକାବେଳେକେ ଚେଇଁ ଉଠନ୍ତି । ଏକ ଶାନ୍ତ ପ୍ରସନ୍ନତା ଜୀବନର କେତେ କେତେ ଗ୍ଳାନିକୁ କୁଆଡ଼େ ଉଡ଼ାଇ ନେଇଯାଏ ଏବଂ ଆପଣାକୁ ଏହି ସଂସାରର ମାଟି ଭିତରେ ଚେର ଭେଦାଇ ରହିଥିବା ଗୋଟିଏ ଗଛଟିଏ ପରି ମନେହୁଏ । ଆପଣାକୁ ଗଛଟିଏ ପରି ଅନୁଭବ କରିବା ମୋଟେ ସହଜ କଥା ନୁହେଁ ? ଚେରଗୁଡ଼ାକ ମାଟିରେ ରହିଥିବ, ତେଣେ ଶାଖାପ୍ରଶାଖାମାନ ବାହୁ ଟେକି ଆକାଶ ଭିତରକୁ ଲମ୍ବିଯାଇ ପାରୁଥିବେ, —ଆପଣାକୁ ପବନ ଆଉ ଆଲୁଅ ଭିତରେ ନିଃସଙ୍କୋଚ ଭାବରେ ପ୍ଳାବିତ କରି ରଖି ହେଉଥିବ, —ପତ୍ରମାତେ ସତେଅବା କାହାର କେତେ ଆଖି ପରି ହରିତୋଜ୍ଜ୍ୱଳ ହୋଇ ରହିଥିବେ ଏବଂ ସବା ଉପରେ ଏହି ସବୁକିଛିକୁ ଏକ ଭୂମି ପରି ବ୍ୟବହାର କରି ଏକ ସହଜ ସମର୍ପଣର ପ୍ରତୀକ ହୋଇ ଫୁଲଗୁଡ଼ିକ ସମୟ ଜାଣି ଫୁଟି ଉଠି ପାରୁଥିବେ, —ଏପରି ଅନୁଭବ କରିବା ପ୍ରକୃତରେ ଭାରି ଭାଗ୍ୟର କଥା । ପୁଣି, ଏହି ସକାଳର ବର୍ଷା ଭିତରକୁ ଆପଣାକୁ ଉନ୍ମୋଚିତ ଗଛଟିଏ ପରି ମେଲାଇ ଦେଇ ପାରିବା, ଏହା ଆସିଥିବା ସମଗ୍ର ଦିନଟିକୁ ବି ଧନ୍ୟ କରି ଦେଉଥିବା ପରି ମନେ ହେଉଥାଏ ।

 

ମୋ’ ଜୀବନର ବୃକ୍ଷଟି ଉପରେ ପ୍ରତିଦିନ ସକାଳେ ଠିକ୍‌ ଏହିପରି ଭାବରେ ମୁଁ ବୃଷ୍ଟି ଜଳର ଆଶୀର୍ବାଦ ଅଜାଡ଼ି ହୋଇ ପଡ଼ୁଥିବାର ଅନୁଭବ କରିବାଲାଗି ଯେପରି ସମର୍ଥ ହୁଏ, ଆଜି ଆଗ ତାହାରିଲାଗି ପ୍ରାର୍ଥନା କରିବି । ମୋ’ର ପ୍ରତ୍ୟକ ଲୋମକୂପରେ ଫୁଲଟିମାନ ହୋଇ ଫୁଟି ଉଠି ମୁଁ ସେହି ପ୍ରାର୍ଥନା କରିବି । ଏହି, ପବନ ଏହି ପ୍ରସନ୍ମୋଜ୍ଜ୍ୱଳ ସ୍ପର୍ଶ, —ଏହି ଗୁଡ଼ିକ ହିଁ ମୋ’ ଘରର ସବୁଠାରୁ ବଡ଼ ଧର୍ମ ହୋଇ ରହିଥାଉ, ସବୁଠାରୁ ବଡ଼ ସନ୍ତକ ହୋଇ ରହିଥାଉ ।

 

୨ । ୮ । ୮୨

 

ସଂସାର ମୋଟେ ତଳକୁ ତଳକୁ ଯାଉନାହିଁ । ମୁଁ ନିଜେ ଯେତେବେଳେ ତଳକୁ ତଳକୁ ଯାଉଛି, କେବଳ ସେତିକିବେଳେ ହିଁ ମୋତେ ସାରା ସଂସାର ତଳକୁ ତଳକୁ ଯାଉଥିବା ପରି ଦିଶୁଛି-। ସାରା ସଂସାର ତ ତଳକୁ ଓ ଆହୁରି ତଳକୁ ଯାଉଛି, ମାତ୍ର ମୁଁ ନିଜେ କେଉଁଠାରେ ଅଛି ? ଆମେ ପ୍ରତ୍ୟେକ ଏହି ପ୍ରଶ୍ନଟିକୁ ନିଜକୁ ପଚାରିଲେ ଅସଲ ସ୍ଥିତିଟିର ମର୍ମଭେଦ କରି ପାରିବା । ଅନେକ ସମୟରେ ଆମେ ଆପଣାକୁ ଏହି ପ୍ରଶ୍ନଟି କରିବାଲାଗି ଯଥେଷ୍ଟ ସାହସୀ ହୋଇ ପାରୁନାହିଁ । ତେଣୁ ସଂସାର ଉପରେ ଦୋଷ ଲଦିଦେଇ ଆମେ ନିଜକୁ ଘୋଡ଼ାଇ ରଖିବାର ଚେଷ୍ଟା କରୁ ।

 

ମୁଁ ନିଜେ ଯେପର୍ଯ୍ୟନ୍ତ ତଳକୁ ତଳକୁ ଯିବାର ସୁଅଟା ଭିତରେ ସାମିଲ ହୋଇ ନଯାଇଛି, ସେପର୍ଯ୍ୟନ୍ତ ସାରା ସଂସାର ପ୍ରକୃତରେ ତଳକୁ ତଳକୁ ଯାଉଥିଲେ ମଧ୍ୟ ମୋତେ ତାହା କଦାପି ତଳକୁ ତଳକୁ ଯାଉଥିବା ପରି ଦେଖା ଯିବନାହିଁ । ମୋ’ ନିଜ ଭିତରେ ନାନା କାରଣରୁ ନୈରାଶ୍ୟ ହିଁ ଜୀବନର ସର୍ବପ୍ରଧାନ ଭାବ ହୋଇ ଘୋଟି ନଯାଉଥିଲା ପର୍ଯ୍ୟନ୍ତ ସଂସାର ଆଡ଼କୁ ଅନାଇ ମୁଁ କେବଳ ଆଶା ହିଁ ଦେଖୁଥିବି । ଆକାଶରେ ଘୋଟିଥିବା କଳା ମେଘଗୁଡ଼ାକ ସତ୍ତ୍ୱେ ତଥାପି ଆଲୋକ ଦେଖୁଥିବି । ଅନ୍ତତଃ ଏହି ମେଘଗୁଡ଼ାକ ପଛରେ ଆଲୋକ ରହିଛି ବୋଲି ବିଶ୍ୱାସ କରୁଥିବି । ମୁଁ ସେତେବେଳେ ସେହି ମେଘଗୁଡ଼ାକୁ ହଟାଇ ଦେବାଲାଗି ବି ଚେଷ୍ଟା ବି କରିବି-। ଅନ୍ଧାରକୁ ମାନିନେଲେ ଆଲୋକକୁ ଅନୁଭବ କରିବାର ଅସଲ ବିଶ୍ୱାସଟି ହାତଛଡ଼ା ହୋଇଯାଏ । ହୁଏତ ସେହି କାରଣରୁ ଆମ ସମସ୍ତଙ୍କର ସହଯୋଗରେ ଏବଂ ସଂସାରରେ ଅନ୍ଧାର ବଢ଼ି ବଢ଼ି ଯାଉଛି ଓ ସଂସାର ତଳକୁ ତଳକୁ ଯାଉଛି ବୋଲି ଦେଖା ଯାଉଛି । ମୁଁ ନିଜେ ତଳକୁ ତଳକୁ ଯାଉଛି, ଏହାହିଁ ସର୍ବପ୍ରଧାନ କଥା ।

 

୩ । ୮ । ୮୨

 

ଚାରିପାଖରେ ବାଡ଼ ଦିଆ ଯାଇଥିବା ଘରଟି ଭିତରେ ଜଣେ ଜଣେ ମଣିଷ ଯେତିକି ଦେଖନ୍ତି ଓ ଯେତିକି ବୁଝନ୍ତି, ସେମାନେ ସେତିକିକୁ ହିଁ ସମଗ୍ର ସଂସାର ବୋଲି ଜାଣନ୍ତି । ସେମାନେ କେତେ ଦେଖିବେ ଓ କେତେ ଜାଣିବେ, ସେହି କଥାଟି ମଧ୍ୟ ସେମାନଙ୍କ ପିଲାଦିନର ନାନା ସଂସ୍କାର ଦ୍ୱାରା ନିର୍ଣ୍ଣିତ ହୋଇ ସାରିଥାଏ । ସେହି ସଂସ୍କାରଗତ ଆକସ୍ମିକତାଗୁଡ଼ାକୁ ସତେଅବା ଗୋଟାଏ ଗୋଟାଏ ଅମେଘ ଜୀବନ ନିୟମର ଜ୍ଞାନରେ ଗ୍ରହଣ କରିବାକୁ ସେମାନଙ୍କୁ ପିଲାଦିନରୁ କହି ଦିଆଯାଇଥାଏ । ଶାସ୍ତ୍ର ଓ ପୁରାଣରେ ସେହି ମାନିବାଟାକୁ ହିଁ ଧର୍ମ ବୋଲି କୁହାଯାଏ । ଅଧିକାଂଶ ମଣିଷ ଜୀବନସାରା ସେତିକି ଭିତରେ ବାନ୍ଧିହୋଇ ରହିଥାନ୍ତି । ସେତିକିକୁ ଆହୁରି ଅଧିକ ପରିମାଣରେ ଓ ଅଧିକ ପରିପାଟୀରେ ଫେଣାଇ ସେମାନେ ତାହାକୁ ସଂସ୍କୃତି ବୋଲି କହନ୍ତି-। ଆପଣାର ଠାକୁରମାନଙ୍କୁ ମଧ୍ୟ ସେତିକି ଚୂନା ଦେଇ ଗଢ଼ନ୍ତି । ସେମାନେ ଗାର ଡେଇଁଯାଇ ପାରନ୍ତିନାହଁ । ଗାର ନଡେଇଁବାକୁ ହିଁ ସୁଖ ବୋଲି ଭାବୁଥିବା ମଣିଷ ତା' ବୁଝିବାକୁ କିଞ୍ଚିତ ସୁଖ ଅବଶ୍ୟ ପାଏ, ମାତ୍ର ସିଏ କ୍ରମେ ଭାରି ଭୀରୁ ହୋଇଯାଏ ।

 

ସିଏ ଆପଣା ପାଖରେ ମଧ୍ୟ ଭୀରୁ ହୋଇ ରହେ । ଆପଣାକୁ ମଧ୍ୟ କଳନା କରି ପାରେନାହିଁ । ଆପଣାର ସମଗ୍ର ବିସ୍ତାରଟିକୁ ମୋଟେ ଦେଖି ପାରେନାହିଁ । ତେଣୁ, ସମଗ୍ର ସମ୍ଭାବନାଟିକୁ ମଧ୍ୟ ଅନୁମାନ କରି ପାରେନାହିଁ । ସିଏ ଅଧିକକୁ ଡରେ । ତେଣୁ, ସଂସାର ବଦଳିବାକୁ ଯାଉଥିଲା ବେଳେ ସିଏ ତାକୁ ତଳକୁ ଯାଉଥିବା ପରି ଅନୁଭବ କରେ । ସଂସାର ସହିତ ଆଦୌ ତାଳ ଦେଇ ପାରେ ନାହିଁ । ସଂସାରର, ଜୀବନର ଓ ସମ୍ବନ୍ଧଗୁଡ଼ାକର ଅସଲ ପ୍ରେରଣାଟିକୁ ଆପଣା ଭିତରେ ଭରି ସତତ ସମ୍ମତ ହୋଇ ରହିଥିବା ଆଖିରେ ନିଜକୁ ଓ ସଂସାରକୁ ଦେଖିବାକୁ ସିଏ ଭାରି ଡରେ । ଯୋଉଠି ଥାଏ, ସେଇଠି ରହିଯାଏ ।

 

୪ । ୮ । ୮୨

 

କାଲି ଜଣେ ଅଧ୍ୟାପକ ଏଡ଼େବଡ଼ ପାଟି କରି କହିଲେ ଯେ ଅଧ୍ୟାପକ ହେବାରେ ଆଉ କୌଣସି ଆକର୍ଷଣ ନାହିଁ, କୌଣସି ଲାଭ ମଧ୍ୟ ନାହିଁ । ନିଜର ଛାତ୍ରମାନଙ୍କୁ ପରାମର୍ଶ ଦେବାର ଛଳରେ ସିଏ ସେହିକଥା କହୁଥିଲେ ।

 

ମୁଁ ଅବାକ୍‌ ହୋଇ ତାଙ୍କ କଥା ଶୁଣୁଥିଲି । ସମସ୍ତେ ଅଧ୍ୟାପକ ହୁଅନ୍ତି ନାହିଁ । କାରଣ, ସମସ୍ତେ ଅଧ୍ୟାପକ ହେବାକୁ କଦାପି ମନ କରନ୍ତିନାହିଁ । ଅଧ୍ୟାପକ ହେବାର ଯୋଗ୍ୟତା ଅର୍ଥାତ୍‍ ଉପଯୁକ୍ତ ଶ୍ରଦ୍ଧା ମଧ୍ୟ ସମସ୍ତଙ୍କର ନଥାଏ । ଆପଣାକୁ ଉଚିତ ଭାବରେ ନବୁଝ ଯେଉଁମାନେ ପରିସ୍ଥିତିରେ ପଡ଼ି ଅଥବା ଅନାହୃତ ହୋଇ ଅଧ୍ୟାପନା ଭିତରେ ପ୍ରବେଶ କରିଥାନ୍ତି, ସେମାନେ ପଛରେ ପସ୍ତାନ୍ତି ଅଧ୍ୟାପନାରେ ଆପଣାର ନାନା ଅସମର୍ଥତାକୁ ପ୍ରମାଣ କରନ୍ତି ଓ ତେଣୁ ସମ୍ପୃକ୍ତ ସମସ୍ତଙ୍କ ଦ୍ୱାରା ହାସ୍ୟାସ୍ପଦ ବି ହୁଅନ୍ତି । ଆମ ଅଧ୍ୟାପନା କ୍ଷେତ୍ରରେ ଏପରି ଅମଙ୍ଗ ଅଧ୍ୟାପକ ବହୁସଂଖ୍ୟାରେ ଅଛନ୍ତି । ସେମାନେ ନିଜପାଖରେ ନାନାବିଧ କାରଣରୁ ବିଦ୍ରୋହୀ; ତେଣୁ ସଂସାରରେ ଯୋଉ କାର୍ଯ୍ୟଟିରେ ପଶିଛନ୍ତି, ସେଥିପାଇଁ ଏକାନ୍ତ ଅମଙ୍ଗ । ମୁଁ ଆପଣା ଭିତରକୁ ଯେତିକି ଯେତିକି ପ୍ରବେଶ କରିବାକୁ ସମର୍ଥ ହୁଏ, ମୋତେ ସେତିକି ଜଳ ଜଳ ହୋଇ ଦିଶି ଯିବାପରି ଲାଗେ ଯେ, ମୁଁ ଅଧ୍ୟାପକ ବ୍ୟତୀତ ଆଉ କିଛିହେଲେ ହୋଇ ପାରିନଥାନ୍ତି । ଅର୍ଥାତ୍‍, ଜୀବନରେ ସବୁଦିନ ଲାଗି ଛାତ୍ରଟିଏ ହୋଇ ରହିଥାନ୍ତି ଏବଂ ମୋ’ର ଜ୍ୟେଷ୍ଠ ତଥା କନିଷ୍ଠ ସତୀର୍ଥମାନେ ହିଁ ମୋ’ର ସବୁଠାରୁ ଅଧିକ ଆପଣାର ହୋଇ ରହିଥାନ୍ତେ । ସେହିମାନଙ୍କ ଦ୍ୱାରା ହିଁ ମୋ’ ଘରଗୁଡ଼ାକ ସର୍ବଦା ପୂର୍ଣ୍ଣ ହୋଇ ରହିଥାନ୍ତା । ମୁଁ କେବଳ ଯାହା ହୋଇ ପାରିଥାନ୍ତି, ତାହାହିଁ ହେବାକୁ ମନ କରି ପାରିଲି ବୋଲି ବୋଧହୁଏ ମୋତେ ସବୁକିଛି ଏତେ ବେଶୀ ଭଲ ଲାଗୁଛି । ସଂସାର ଭଲ ଲାଗୁଛି । ନିଜକୁ ସତେଅବା ଆପଣାର ସାଙ୍ଗଟିଏ ଭଳି ଲାଗୁଛି ।

 

୫ । ୮ । ୮୨

 

ଏ ସଂସାର ଭିତରେ ମଣିଷ ହିଁ ମୋତେ ସବୁଠାରୁ ଭଲ ଲାଗେ । ଫୁଲକୁ ଫୁଲଟିଏ ଯେପରି ଭଲ ଲାଗୁଥିବ, ଠେକୁଆଟିଏ ଦେଖିଲେ ଆଉଗୋଟିଏ ଠେକୁଆକୁ ଯେପରି ଭଲ ଲାଗୁଥିବ, ଆଉଜଣେ ମଣିଷକୁ ଦେଖିଲେ ମତେ ସେହିପରି ଭଲ ଲାଗେ । ଦୁଷ୍ଟ ଶିଷ୍ଟ ବା ଜ୍ୟେଷ୍ଠ କନିଷ୍ଠ କିଛି ବାରିବାକୁ ମନ ହୁଏନାହିଁ । ଜଣେ ମଣିଷର ମତ ମୋ’ ନିଜର ମତ ସହିତ କେତଦୂର ମିଳୁଛି ବା ନମିଳୁଛି, ସେକଥା ମଧ୍ୟ ଜାଣିବାକୁ ମୋଟେ ମନ ହୁଏ ନାହିଁ । ମଣିଷକୁ ଭଲ ଅଥବା ଖରାପ ବୋଲି ଚିହ୍ନି ସେହି ଅନୁସାରେ ତା’ ସହିତ ନିଜ ସମ୍ବନ୍ଧର ନିରୂପଣ କରିବା ପୂର୍ବରୁ ତା' ସହିତ ଏକ ନିବିଡ଼ ସମ୍ପର୍କ ଯୋଡ଼ି ହୋଇଯାଏ ଏବଂ ଭାରି ଭଲ ଲାଗେ । ସତେ ଯେପରି ଦୁହିଁଙ୍କ ଭିତରେ ସଙ୍ଗାତ ଦୁଇଜଣ ପରସ୍ପର ଲାଗି ଅପେକ୍ଷା କରି ରହିଥିଲେ ଓ ବର୍ତ୍ତମାନ ପରସ୍ପରକୁ ସ୍ପର୍ଶ କଲେ, ସେହିପରି ଲାଗେ ।

 

ମୋ’ ନିଜର ଏକ ମତ ରହିଛି, କାରଣ ମୋ’ ନିଜର ଏକ ପଥ ବି ରହିଛି । ମାତ୍ର, ମତ ବା ପଥରୁ ମୁଁ ଏପର୍ଯ୍ୟନ୍ତ କେବେହେଲେ କୌଣସି ମଣିଷର ବିଚାର କରିନାହିଁ । ସମସ୍ତଙ୍କୁ ମୋ’ ପଥକୁ ଟାଣିବାଲାଗି ମୁଁ କେବେହେଲେ ଇଚ୍ଛା କରିନାହିଁ । ପଥ ଅନେକ ରହିବ, ମତ ଅନେକ ରହିବ; ତଥାପି ଦୂରତାଗୁଡ଼ାକ କମି ଯାଉଥିବ, ତଥାପି ପରସ୍ପରକୁ ଭଲ ଲାଗୁଥିବ । ପରସ୍ପର ଲାଗି ପ୍ରଚୁର ସହାନୁଭୂତି ରହିଥିବ । ପରସ୍ପର ପରସ୍ପରର ସତେଅବା ପରିପୂରକ ପରି ଅନୁଭବ କରି ପାରୁଥିବେ । ତେବେଯାଇ ହେବ । ଅନେକ ଲୋକ ଖୋଳଗୁଡ଼ାକରୁ ମଣିଷମାନଙ୍କର ବିଚାର କରନ୍ତି । ମୁଁ ସେପରି କରି ପାରେନାହିଁ । ମୋ’ ଖୋଳଗୁଡ଼ାକରୁ ମଧ୍ୟ କେହି ମୋ’ର ବିଚାର କରୁ ବୋଲି ମୁଁ ମୋଟେ ଇଚ୍ଛା କରେନାହିଁ । ଏହି ଖୋଳମାନେ ବାରମ୍ବାର ଖସି ପଡ଼ୁଥିବେ । ଯାହା ଅସଲ ତାହାହିଁ ରହୁଥିବ । ଆଖିଗୁଡ଼ାକ ରହିଥିବ । ଶ୍ରଦ୍ଧା ରହିଥିବ । ଦୁଆର ଗୁଡ଼ିକ ଉନ୍ମୁକ୍ତ ହୋଇ ରହିଥିବେ ।

 

୬ । ୮ । ୮୨

 

ମଣିଷର ଅହଙ୍କାର ମତେ ମୋଟେ ଭଲ ଲାଗେନାହିଁ । ଅହଙ୍କାର ଥିଲେ ମଣିଷ ଫୁଲେଇ ହୁଏ, ଦେଖେଇ ହୁଏ, କେତେପ୍ରକାରେ କୃତ୍ରିମ ବିନୟ କରିବାରେ ଲାଗିଥାଏ । ଅହଙ୍କାରୀର ଭାଷା ଅଲଗା, ଭଙ୍ଗୀ ଅଲଗା ଓ ହୁଏତ ଚାହାଣି ବି ଅଲଗା । ମେଳ ଭିତରେ ରହିଥିଲେ ମଧ୍ୟ ଅହଙ୍କାରୀ ସମସ୍ତଙ୍କଠାରୁ ଏକାବେଳେକେ ବାରି ହୋଇ ପଡ଼ିବାଲାଗି ଭାରି ଚେଷ୍ଟା କରୁଥାଏ । ଅହଙ୍କାରୀ ନିଜକୁ ଦର୍ପଣ କରେ ତା'ରି ଭିତରେ ସମସ୍ତଙ୍କୁ ଦେଖେ, ସମସ୍ତଙ୍କୁ ମାପେ, ସମସ୍ତଙ୍କୁ କଳେ । ଅହଙ୍କାରୀ ତୁଳନା କରେ ଓ ଆପଣାକୁ ହିଁ ସବୁଠାରୁ ଅଧିକ ଭାରି ବୋଲି ଦେଖାଏ ।

 

ଜଣେ ଜଣେ ମଣିଷ ଜୀବନରେ କେତେ କ’ଣ ଅର୍ଜନ କରିଥାନ୍ତି, ମାତ୍ର ଅହଙ୍କାରୀ ହୋଇ ସବୁ ସାରନ୍ତି । ଅସଲ ସ୍ୱାଭିମାନଟି ନଥାଏ ବୋଲି ହୁଏତ ସେମାନେ ଅହଙ୍କାରୀ ହୋଇଥାନ୍ତି । ଆପଣାକୁ ଯିଏ ଯଥାର୍ଥ ସମ୍ମାନ ଦେଉଥାଏ, ସିଏ କଦାପି ଅହଙ୍କାରୀ ହୋଇ ଆପଣାର ସମ୍ମାନ ହରାଏ ନାହିଁ । ଯିଏ ଯଥାର୍ଥ ଶ୍ରଦ୍ଧା ଦେଇ ଆପଣାକୁ ଦେଖୁଥାଏ, ସିଏ ସେହି ଶ୍ରଦ୍ଧାଟିକୁ ନେଇ ହିଁ ସଂସାରରେ ବଣିଜ କରିବାକୁ ଯାଏ ଓ ସଂସାରରେ ସମ୍ପର୍କ ଯୋଡ଼ିବାକୁ ଯାଏ । ସିଏ କିଛି ଭାଙ୍ଗେନାହିଁ, ଯୋଡ଼ିବାରେ ହିଁ ଆନନ୍ଦ ପାଏ । ଅଲଗା ହୋଇ ରହେନାହିଁ, ସମ୍ମିଳିତ ହୋଇ ପାରିବାରେ ଆନନ୍ଦ ପାଏ । ଅହଙ୍କାରୀର ଭଗବାନ ବି ଠିକ୍‍ ତା’ରି ପରି ଭାରି ଛୋଟ ହୋଇ ରହିଥାନ୍ତି; ପ୍ରାୟ ପିତୁଳାଟିଏ ହୋଇ ରହିଥାନ୍ତି । ସେହି ପିତୁଳାଟି ସବୁଠାରୁ ଅଧିକ ଖାଣ୍ଟି ସୁନାରେ ତିଆରି ହୋଇଛି ବୋଲି ଅହଙ୍କାରୀ କେଡ଼େ ଗର୍ବ କରି କହିବାରେ ଲାଗିଥାଏ । ତଥାପି, ସେହି ଗର୍ବ ମଧ୍ୟ ତା’ର କୌଣସି ପରିତ୍ରାଣ-ବିଧାନ କରି ପାରେନାହିଁ । ଅହଙ୍କାରୀ ପାଖକୁ ଡାକି ଜାଣେନାହିଁ ନିଜର କରି ଜାଣେନାହିଁ । ହୁଏତ ସିଏ ନିଜକୁ ବି ନିଜର କରି ଜାଣିନଥାଏ । ଏଡ଼େ ବଡ଼ ସଂସାରରେ ଭାରି ଏକୁଟିଆ ହୋଇ ରହିଥାଏ ।

 

୭ । ୮ । ୮୨

 

ପ୍ରାୟ ପଚିଶବର୍ଷ ପରେ ସେଦିନ ଆଉଥରେ ‘‘ଦୋ ବିଘା ଜମିନ୍‌’’ ଦେଖି ଆସିଲି । ଏହି ପଚିଶ ବର୍ଷ ମଧ୍ୟରେ ଏହି ଦେଶରେ ସମାଜର ଅବସ୍ଥା କ’ଣ ବଦଳିଲା, ମୁଁ ସେହିକଥା ଭାବୁଥିଲି । ମଣିଷର ଯେଉଁ ଅସହାୟତା ବିଷୟରେ ସେଥିରେ କେଡ଼େ ନିପୁଣ ଭାବରେ କେତେ କଥା କୁହାଯାଇଛି, ସେହି ଅସହାୟତା ଏବେ ମଧ୍ୟ ଦେଶରୁ ଯାଇନାହିଁ । ସବୁ ମଣିଷ ଯେ ଏ ଦେଶରେ କେବେ ଅନ୍ତତଃ ନିମ୍ନତମ ନିର୍ଭରର ସହିତ ଜୀବନଧାରଣ କରି ରହିବାର ଅଧିକାର ପାଇପାରିବେ ସେକଥା ମଧ୍ୟ ଆଖି ଆଗରେ କିଛି ଦିଶୁଥଲା ପରି ମୋଟେ ମନେ ହେଉନାହିଁ । ଗତ ପଚିଶି ବର୍ଷ ଭିତରେ ଅସହାୟତା ବହୁବିଧି ହୋଇଛି ଓ ଅନ୍ୟ ପକ୍ଷରେ କ୍ରୁରତାଗୁଡ଼ାକ ମଧ୍ୟ ବହୁବିଧ ହୋଇଛି । କାହିଁକି ଏପରି ହୋଇଛି, ବିଦ୍ରୋହ କଲାପରି ଭିତରେ ସେହି ପ୍ରଶ୍ନଟା ହିଁ ଗର୍ଜନ କରି ଉଠୁଛି ।

 

ରାଜନୀତି ଭିତରୁ ସମ୍ବେଦନଶୀଳତା ମରିଗଲେ ଠିକ୍‌ ଏହିପରି ଭାବରେ ସବଳ ମଣିଷର କ୍ରୂରତାଗୁଡ଼ାକ ବଢ଼େ ଏବଂ ଅନ୍ୟ ପକ୍ଷରେ ଦୁର୍ବଳ ମଣିଷର ଅସହାୟତା ଗୁଡ଼ାକ ମଧ୍ୟ ବୃଦ୍ଧି ପାଇଥାଏ । ଦେଶର ପ୍ରାୟ ଅଧେ ମଣିଷ ଏବେ ମଧ୍ୟ ଅସହାୟ ହୋଇ ରହିଛନ୍ତି । ଭାଗ୍ୟନାମକ ପଥରକୁ ତୁଣ୍ଡି କରି ବାନ୍ଧି ସେମାନେ କଷଣ ସହୁଛନ୍ତି ଓ ପରାଭାବ ମାନୁଛନ୍ତି । ଗୋଟାଏ ପ୍ରକାରର ମନୁଷ୍ୟତାବିରୋଧୀ ଧର୍ମ ଏହି ଦେଶରେ ମଣିଷକୁ କଷ୍ଟ ସହିବାର ଗୋଟାଏ ଯନ୍ତ୍ରରେ ପରିଣତ କରି ରଖିବାରେ ଏବେ ମଧ୍ୟ ଭାରି ସାହାଯ୍ୟ କରୁଛି । ମନ୍ଦିରମାନଙ୍କରେ ଚଲାଖି ମଣିଷର ଅନୁଷ୍ଠାନମାନେ ଭଗବାନଙ୍କର ଭଜନ ପରିବେଷଣ କରୁଛନ୍ତି ଏବଂ ଏହି ହାଉଆଟକୁ ଭାଗବାଦୀ କରି ରଖିଛନ୍ତି । ମଣିଷର ନିଜ ଭିତରେ ଯେ ଶକ୍ତି ରହିଛି, ସେକଥା କେହି କହୁନାହିଁ । ଯଥାର୍ଥ ଶକ୍ତି ହିଁ ଭଗବାନଙ୍କର ଏକ ଅନ୍ୟନାମ ବୋଲି ମଣିଷମାନଙ୍କୁ କେହି କହୁନାହିଁ ।

 

୮ । ୮ । ୮୨

 

ଆମେ ଉପନ୍ୟାସ ପଢ଼ୁଥିବା, ନାଟକ ଦେଖୁଥିବା,—ଏଗୁଡ଼ାକୁ କେବଳ ଉପଭୋଗ ବୋଲି ଗ୍ରହଣ କରୁଥିବା ଓ ଏଣେ ଆମର ପୁରୁଣା ଫାଶଗୁଡ଼ିକ ଭିତରେ ଛନ୍ଦି ହୋଇ ରହିଥିବା । ଯିଏ ଉପନ୍ୟାସ ଲେଖୁଛି ବା ନାଟକ ତିଆରି କରୁଛି, ସିଏ ବି ସେହି ଫାଶଗୁଡ଼ାକ ଭିତରେ ପ୍ରାୟ ସମାନ ଭାବରେ ଛନ୍ଦିହୋଇ ରହିଥିବ । ତେବେ ସେହି ସାହିତ୍ୟକୁ ଆମେ ସାହିତ୍ୟ ବୋଲି କାହିଁକି କହିବା ?

 

ସାହିତ୍ୟ ଜୀବନର ସନ୍ଧାନୀ ହେବ । ଯଦି କେତେକ ମଣିଷ ସାହିତ୍ୟକୁ କଳାର ସନ୍ଧାନୀ କରି ରଖିବାକୁ ଇଚ୍ଛା କରିବେ, ତେବେ ସେହି ତଥାକଥିତ କଳା ମଧ୍ୟ ଜୀବନର ସନ୍ଧାନୀ ହୋଇ ରହିବ । ଦଳେ ଲୋକ ସାହିତ୍ୟ ନାମରେ ବର୍ବର ଓ ନୃଶଂସ ହୋଇ ରହିଥିବେ, ସାହିତ୍ୟକୁ ସକଳ ହୃଦୟ ଦାନ କରି ଜୀବନରେ ଅର୍ଥାତ୍‍ ଜୀବନଗତ ଯାବତୀୟ ସମ୍ବନ୍ଧଗୁଡ଼ିକର ଏକାବେଳେକେ ହୃଦୟହୀନ ହୋଇ ରହିଥିବେ, ତେବେ ତଦ୍ଦ୍ୱାରା କାହାର କୌଣସି ଉଦୟ ହୋଇ ପାରିବନାହିଁ । ଆମେ ସମସ୍ତେ ସାହିତ୍ୟ ନାମରେ ଗୁଡ଼ାଏ ମିଛଗର୍ବ ଭିତରେ ଫଲିକରି ରହିଥିବା ଓ ତେଣେ ଜୀବନର ଅସଲ ଅନୁରାଗଦାଣ୍ଡରେ ନିଃସ୍ୱ ହୋଇ ରହିଥିବା । ଫାଶଗୁଡ଼ାକରୁ ମୁକ୍ତ ହେବାକୁ ହେଲେ ଏହି ଅରୀତିଗୁଡ଼ାକରୁ ମଧ୍ୟ ମୁକ୍ତ ହେବାକୁ ହେବ । ସାହିତ୍ୟକୁ ଜୀବନର ପରିକର ରୂପେ ଗ୍ରହଣ କରିବାକୁ ପଡ଼ିବ । ଜାତୀୟତାବାଦୀ ଅମଳର ଯାବତୀୟ ଭ୍ରାନ୍ତି ଭିତରୁ ଆପଣାକୁ ମୁକ୍ତ କରି ଆଣିବାକୁ ହେବ । ତା’ ନହେଲେ, ସାହିତ୍ୟ ଥିବ, ସାହିତ୍ୟତମଗୁଡ଼ାକ ବି ପୂର୍ଣ୍ଣମାତ୍ରାରେ ରହିଥିବ, ରଙ୍ଗଗୁଡ଼ାକ ଲାଗି ପୂର୍ଣ୍ଣ ପରାକ୍ରମରେ ରଙ୍ଗମଞ୍ଚଗୁଡ଼ାକ ଚାଲିଥିବ, ତଥାପି ଆମେ ସମସ୍ତେ କ୍ରମେ ଅଧିକରୁ ଅଧିକ ବଳହୀନ ହେବାରେ ଲାଗିଥିବା, ଅଧିକରୁ ଅଧିକ ପରିମାଣରେ ଜୀବନଭୀରୁ ହୋଇ ଯାଉଥିବା ।

 

୯ । ୮ । ୮୨

 

ଭିତରେ ଭୟ ରହିଥିଲେ ବାହାରେ କଦାପି ଖିଅ ଯୋଡ଼ି ହେବ ନାହିଁ । ଭୟ ଭିତରେ କୋଉଁଠି ଅହଙ୍କାର ବି ଆତ୍ମଗୋପନ କରି ରହିଥିବ ଓ ସେହି ଅହଙ୍କାର ହିଁ ସବୁପ୍ରକାର ଅସଲ ଖିଅ ଯୋଡ଼ିବାରେ ପ୍ରତିବନ୍ଧକ ହୋଇ ରହିଥିବ । ଦୁଆର ଥିବ, ଅଥଚ କିଳା ହୋଇ ରହିଥିବ । ସୂତାଗୁଡ଼ାକ ଥିବ, ଅଥଚ କ୍ରମପ୍ରସାରିତ ହୋଇ କାହାକୁ ଛୁଇଁ ପାରିବାଲାଗି ଚେଷ୍ଟା କରିବା ପରିବର୍ତ୍ତେ ଗୋଡ଼ଗୁଡ଼ାକୁ ସମ୍ପୂର୍ଣ୍ଣ ଭାବରେ ବାନ୍ଧି କରି ରଖିଥିବ । ଭିତରେ କନ୍ଦିଗୁଡ଼ିକରେ, କେଡ଼େ କେଡ଼େ ଠାକୁର ବସିଥିବେ, ପୂଜା ପାଉଥିବେ, ଭୋଗ ପାଉଥିବେ, ଅଥଚ ଉଶ୍ୱାସ କରି ପାରୁନଥିବେ; —ହୁଏତ ଅଧିକରୁ ଅଧିକ ଦୁର୍ବଳ କରିଦେବାରେ ହିଁ ଲାଗିଥିବେ । ଅନେକ ସମୟରେ ଭିତରେ ଆଦୌ କୌଣସି ଖିଅ ପ୍ରାୟ କୋଉଠିହେଲେ ଲାଗିନଥିଲେ ହିଁ ଆମେ ବାହାରେ କେତେପ୍ରକାର ଦଉଡ଼ିକୁ ଫାଶ କରି ବଳି କେତେ କାହାକୁ ଧରିବାକୁ ଚେଷ୍ଟା କରୁଥିବା । ଭିତରେ ଭୀରୁତାମାନେ କାମୁଡ଼ି ଧରିଥିବେ ଓ ବାହାର ଉଗ୍ରତାମାନେ ନାନାଭାବେ ଉତ୍ତପ୍ତ କରି ରଖିଥିବେ । ଭୟ ଭୀରୁ କରେ, ଉଗ୍ର ବି କରେ ।

 

ଭୟ କମିଲେ ଭଲ ପାଇବା ବଢ଼େ । ଏବଂ ଭଲ ପାଇଲେ, ଭିତର ଓ ବାହାର ଉଭୟ କ୍ଷେତ୍ରରେ କୋଳାହଳଗୁଡ଼ାକ କମ୍‌ ହୋଇଯାଏ । ନିଜର ଘରଟି ସମ୍ପୂର୍ଣ୍ଣ ଭାବରେ ଆପଣାର ବୋଲି ଲାଗେ ଏବଂ ଚାହିବା ମାତ୍ରକେ ଦୁଆରଗୁଡ଼ିକ ଖୋଲିଯାଇ ବି ପାରୁଥାଏ । ନିଜ ଭିତରେ ନିଜର ଅତୃପ୍ତି ଓ ଅଭାବଗୁଡ଼ାକୁ ଆଉ କୋଉଠି ଗଣ୍ଠି ପକାଇ ମୋଟେ ଲୁଚାଇ ରଖିବାକୁ ପଡ଼େନାହିଁ । ତେଣୁ, ଯେଉଁମାନେ ବାହାରେ କେଡ଼େ କୋଳାହଳ କରନ୍ତି ଓ କେତେ ବିକଳ ହେଉଥାନ୍ତି, ବାହାରେ ପ୍ରକୃତରେ କିଛି ଏକାବେଳେକେ ବିଗିଡ଼ି ଯାଉଥାଏ ବୋଲି ସେମାନେ ଯେତେ ସେପରି କରୁନଥାନ୍ତି, ନିଜ ଭିତରେ ଗଣ୍ଠିଗୁଡ଼ାକ ଅସମ୍ଭାଳ ହୋଇ ପଡ଼ୁଥିବାରୁ ତାହା କରୁଥାନ୍ତି ।

 

୧୦ । ୮ । ୮୨

 

ସାହିତ୍ୟର ଅନ୍ତର ଭିତରକୁ ପଶିବା ହେଉଛି ସମୀକ୍ଷକର ସର୍ବପ୍ରଥମ ଯୋଗ୍ୟତା । ଅର୍ଥାତ୍‍, ଆପଣାର ଅନ୍ତର ଭିତରକୁ ସାହିତ୍ୟ ଲାଗି ଯଥାର୍ଥ ବାଟଟିଏ ଛାଡ଼ିଦେଇ ପାରିଲେ ଯାଇ ଆମେ ସାହିତ୍ୟର ଅନ୍ତର ଭିତରକୁ ପ୍ରବେଶ କରିବାଲାଗି ସମର୍ଥ ହୋଇପାରିବା । ଅନ୍ତର ଭିତରକୁ ପ୍ରବେଶ କରିବାର ଅର୍ଥ ନୁହେଁ ଯେ ଆମେ ଗଣ୍ଠିଟିଏ ପକାଇ ଦେଇ ଅଥବା କାନ୍ଥଟିଏ ଘେରାଇ ଦେଇ ତାହାରି ଭିତରେ ସାହିତ୍ୟ ସହିତ ଅଳପ ହୋଇ ରହିବା, ନିବୁଜ ହୋଇ ରହିବା । ଅନମନୀୟ ହୋଇ ରହିଥିବା । କେତେଟା ଅବିଶ୍ୱାସ ଅଥବା ଅତିବିଶ୍ଵାସକୁ ଗଣ୍ଠି କରି ତାହାରି ଭିତରେ ଚଉକଷ ହୋଇ ରହିଲେ ଆମେ ସାହିତ୍ୟବିଦ୍ୟାରେ ପ୍ରବୀଣ ହେବା ସତ, ମାତ୍ର ସାହିତ୍ୟର ଅନ୍ତର ଭିତରେ ପ୍ରବେଶ କରି ପାରିବନାହିଁ ।

 

ଏବଂ ଅନ୍ତର ଭିତରକୁ ପ୍ରବେଶ କରି ନପାରିଥିବା ପର୍ଯ୍ୟନ୍ତ ଓ ଯଥାସମ୍ଭବ ଅଧିକ ପ୍ରଶସ୍ତ ହୋଇ ସାହିତ୍ୟକୁ ଅବଲୋକନ କରି ନପାରୁଥିବା ପର୍ଯ୍ୟନ୍ତ ଆମେ ସମୀକ୍ଷାର କେବଳ ବାହାର ହିତଗୁଡ଼ାକ ପାଖରେ ହିଁ ରହିଯିବା, — ଅଧିକ ଭିତରକୁ ପ୍ରବେଶ କରି ପାରିବାନାହିଁ । ଅସଲ ଦୃଷ୍ଟିର ବିଚାର ଓ ସମୀକ୍ଷା କଲେ ସାହିତ୍ୟର ଯାବତୀୟ ସ୍ଥାନୀୟ ଭୂଗୋଳକୁ ଅତିକ୍ରମ କରାଯାଇ ପାରିବାଲାଗି ସାମର୍ଥ୍ୟ ରହିଥିବା ଦରକାର । ସେହି ଅସଲ ସମ୍ମତିଟି ଆମ ଭିତରେ ରହିଥିଲେ ଯାଇ ଆମେ ସ୍ଥାନୀୟ ସାହିତ୍ୟର ଯାବତୀୟ ସ୍ଥାନୀୟତା ସତ୍ତ୍ୱେ ତଥାପି ତାହାକୁ ଭୂମି କରି ସାହିତ୍ୟର ଅନ୍ତର ଭିତରକୁ ପ୍ରବେଶ କରି ପାରିବା । ଓଡ଼ିଆ ସାହିତ୍ୟ ଏକ ସ୍ଥାନୀୟ ସାହିତ୍ୟ ହୋଇଥିଲେ ମଧ୍ୟ ତାହା ସବାଆଗ ସାହିତ୍ୟ, —ସମୀକ୍ଷକର ପ୍ରଥମ ଉପଲବ୍ଧି ଏହାହିଁ ହୋଇପାରିବା ଉଚିତ । ନହେଲେ ଆମର ଉତ୍ତେଜନା ଗୁଡ଼ାକ ହୁଏତ ନାନାଭାବରେ ଅଳଙ୍କାରଯୁକ୍ତ ହୋଇ ପ୍ରକାଶ ପାଇବାର ପ୍ରଶୟ ପାଉଥିବ ସିନା, ମାତ୍ର ଆମେ ସାହିତ୍ୟ ଭିତରୁ ଭାରି ହାସ୍ୟାଷ୍ପଦ ଭାବରେ ବଞ୍ଚିତ ହୋଇ ରହିଥିବା ।

 

୧୧ । ୮ । ୮୨

 

ଓଡ଼ିଶାରେ ସାହିତ୍ୟର ସମୀକ୍ଷା ଦରିଦ୍ର ହୋଇ ରହିଛି, ତାହାର ଏକ ପ୍ରଧାନ କାରଣ ହେଉଛି ଯେ, ସମୀକ୍ଷକମାନଙ୍କର ଦୃଷ୍ଟି କୋଣଗୁଡ଼ାକ ଭାରି ଦରିଦ୍ର ହୋଇ ରହିଛି । ସେହି ଦୃଷ୍ଟିକୋଣ ସାହିତ୍ୟକୁ ସତେଅବା ନିଜର ଗୋଟାଏ ସମ୍ପତ୍ତି ପରି ଦେଖୁଛି । ତା’ ନିଜ ଭାଷାରେ ଲେଖା ହୋଇଥିବାରୁ ସିଏ ଗୋଟାଏ ସାହିତ୍ୟକୁ ମୋ’ ସାହିତ୍ୟ ବୋଲି କହୁଛି ଓ ନିଜର ଭାଷା ଲେଖା ନହୋଇ ଥିବାରୁ ଆଉଗୋଟିଏ ସାହିତ୍ୟକୁ ଆଉକାହାର ସାହିତ୍ୟ ବୋଲି କହୁଛି । ଗୋଟିଏ ଶ୍ରଦ୍ଧା କରିବା ସକାଶେ ଆଗ ଦିଗଗୁଡ଼ାକୁ ଅଶ୍ରଦ୍ଧାଦ୍ୱାରା ବାନ୍ଧି ରଖିବାକୁ ପଡ଼ୁଛି ।

 

ଗୋଟିଏ ଶ୍ରଦ୍ଧା କରିବାକୁ ହେଲେ ଯେ ଆହୁରି ଅନେକଙ୍କୁ ଅଶ୍ରଦ୍ଧା କରିବାକୁ ପଡ଼ିବ, ସାହିତ୍ୟର ସମୀକ୍ଷାରେ ଏହି ପ୍ରଥମ ଭ୍ରମଟିର ଅପନୋଦନ ହୋଇପାରିଲେ ଯାଇ ସମୀକ୍ଷା ସୁସ୍ଥ ହେବ ଓ ସମୀକ୍ଷାର ଯୋଗ୍ୟ ସମ୍ମାନ ଲାଭ କରିପାରିବ । ଓଡ଼ିଶାରେ ସାହିତ୍ୟ ସମୀକ୍ଷା ନାନା କାରଣରୁ ଓଡ଼ିଶାର ଉଗ୍ର ସୀମାଗୁଡ଼ାକ ଭିତରେ ଆବଦ୍ଧ ହୋଇ ରହିଛି । ଓଡିଶା ବୋଲି ଏକ କାଳ୍ପନିକ ଚଉହଦୀ ବିଶିଷ୍ଟ ଜଳାଶୟଟି ଯେ ପୃଥିବୀର ଏକମାତ୍ର ଜଳାଶୟ ଓ ଅନ୍ତତଃ ଭାରତବର୍ଷର ସର୍ବଶ୍ରେଷ୍ଟ ଜଳାଶୟ, ଆପଣାର ସକଳ ସମୀକ୍ଷା ଦେଇ କେତେ ସମୀକ୍ଷକ ସେଇଟାକୁ ହିଁ ପ୍ରମାଣ କରିବାକୁ ବାହାରନ୍ତି ଓ ସେଇଟା ପ୍ରମାଣିତ ହୋଇଗଲେ ସେମାନଙ୍କର ସମୀକ୍ଷା ଶେଷ ହୋଇଗଲା ବୋଲି କେଡ଼େ ଆଶ୍ୱସ୍ତ ଅନୁଭବ କରନ୍ତି । ସେମାନଙ୍କର ସମୀକ୍ଷା ସହିତ ସେମାନେ ନିଜେ ନିଜେ ହିଁ ଏକ ଅସ୍ୱାଭାବିକ ରିତିରେ ଲଟରପଟର ହେଉଥାନ୍ତି । ଆପଣା ଡିହଟି ଉପରେ ବାଡ଼ ବସାଇ ତାହାରି ମଧ୍ୟରେ ଜଳକ୍ରୀଡ଼ା କରୁଥାଆନ୍ତି । ତେଣେ ହୃଦୟମାନଙ୍କୁ ବୁଦ୍ଧିର ପରିକର କରି ରଖିଥାନ୍ତି । ବୁଦ୍ଧି ଦ୍ୱାରା ଉତ୍ତେଜିତ ବୁଦ୍ଧି ଦ୍ୱାରା ସେମାନେ ହୃଦୟର ସମୀକ୍ଷା କରନ୍ତି; ତିଥି, ବାର ଓ ମନ ଦେଇ ସେମାନେ ଅସଲ ହୃଦୟଗୁଡ଼ିକୁ ଚିହ୍ନାଇଦେଇ ପାରିଲେ ବୋଲି ଭାବୁଥାନ୍ତି । ସେମାନେ ଭାରି ନିର୍ବୁଦ୍ଧିଆଙ୍କ ପରି କାର୍ଯ୍ୟ କରନ୍ତି ।

 

୧୨ । ୮ । ୮୨

 

‘ଜୀବନ ବିଦ୍ୟାଳୟ’ର ଦ୍ଵିତୀୟ ସଂସ୍କରଣ ସକାଶେ ପ୍ରଥମ ସଂସ୍କରଣଟିକୁ ପ୍ରସ୍ତୁତ କଲାବେଳେ କାଲି ବହିରୁ ପୃଷ୍ଠା ପରେ ପୃଷ୍ଠା ପଢ଼ି ଯାଉଥିଲି । ସତେଅବା ନିଜ ଜୀବନରୁ ପୃଷ୍ଠା ପରେ ପୃଷ୍ଠା ପଢ଼ି ଯାଉଥିବା ପରି ମନେ ହଉଥିଲା । ଭିତରଟା ସେତେବେଳେ ଯାହାଥିଲା, ବର୍ତ୍ତମାନ ଠିକ୍‍ ସେଇଆ ରହିଛି । ବୟସ ହୃଦୟର ଆକାଂକ୍ଷାଗୁଡ଼ିକୁ କୌଣସି ପ୍ରକାରେ ମୋଟେ ଭାଙ୍ଗି ପାରିନାହିଁ । ଭିତରେ ଓ ବାହାରେ ଏକ ଅନମନୀୟ ଶ୍ଵାସ ହିଁ ମୋ’ର ଯାବତୀୟ ସମ୍ବନ୍ଧସ୍ଥାପନର ଆଧାରଶିଳା ହୋଇ ରହିଛି ।

 

ଏବଂ ସବୁଠାରୁ ବଡ଼ କଥା ହେଉଛି, ମୋ’ ଭିତରର ଶିକ୍ଷାର୍ଥୀ ଏବଂ ଶିକ୍ଷକ ଠିକ୍‌ ସେହିସବୁ ଦିନ ପରି ଆଜି ମଧ୍ୟ ସମ୍ମତ ହୋଇରହିଛି, ସବୁଜ ହୋଇ ରହିଛି । ଦେବାକୁ ପ୍ରସ୍ତୁତ ହୋଇ ରହିଛି, ଆମନ୍ତ୍ରଣ କରି ଭିତରକୁ ନେଇଯିବାକୁ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଏହି ପୂର୍ଣ୍ଣ ସମ୍ମତିର ସହିତ ନିଜକୁ ଦେବା ଓ ପୂର୍ଣ୍ଣ ଶ୍ରଦ୍ଧାର ସହିତ ନିଜ ଭିତରକୁ ସମସ୍ତଙ୍କୁ ଡାକିନେବା, —ଏହାହିଁ ମୋ’ର ଯାବତୀୟ ଦୃଷ୍ଟିରେ ସର୍ବମୂଳ ନିୟାମକ ହୋଇ ରହିଛି । ସଂସାରଭିତରେ, ବିଶ୍ୱାସଗୁଡ଼ାକ କେତେ କମିଲା ବା ବଢ଼ିଲା, ସେଗୁଡ଼ାକର ହିସାବ କରି ମୁଁ କେବେହେଲେ ଆପଣାର ବିଶ୍ୱାସକୁ ସିନ୍ଦୁକରେ ବନ୍ଦ କରିବା ଅଥବା ସିନ୍ଦୁକ ଭିତରୁ ବାହାର କରିବାକୁ ନିଷ୍ପତି କରିବାର କୌଣସି ଚେଷ୍ଟା କରିନାହିଁ । ବିଶ୍ୱାସ ଦ୍ୱାରା ଜୀବନ ବଞ୍ଚିବାର ଆଧାରଭୂତ କଳାଟି ମୋ’ ନିଜ ଜୀବନରେ ସବୁଠାରୁ ବଡ଼ ଉନ୍ମୋଚନକାରୀ ରୂପେ କାର୍ଯ୍ୟ କରୁଛି । ଏବଂ ଜୀବନ ବିଦ୍ୟାଳୟରେ ଯେଉଁ ଭାଇ ଓ ଭଉଣୀମାନେ ସେତେବେଳେ ସେଠାରେ ମୋ’ ସହିତ ଏକାଠି ହୋଇ ସେଠିକାର ବ’ଣ ଓ ପାହାଡ଼କୁ ଦେଖୁଥିଲେ ଓ ଆକାଶଟାକୁ ଆପଣାର ନିଃଶ୍ଵାସରେ ଅନୁଭବ କରୁଥିଲେ, ସେହିମାନେ ହିଁ ସବୁଠାରୁ ଅଧିକ ପରିମାଣରେ ଏହି ବିଶ୍ୱାସଦ୍ୱାରା ହିଁ ବାଟ ଚାଲିବାର ପ୍ରେରଣା ମୋତେ ଦେଇଛନ୍ତି ।

 

୧୩ । ୮ । ୮୨

 

ଏହି ଦେହର ମଧ୍ୟ ଆକାଂକ୍ଷା ରହିଛି । ଦେହକୁ କେବଳ ଜଡ଼ ଅର୍ଥାତ୍‍ ତୁଚ୍ଛ ଓ ହେୟ ବୋଲି ଅନୁଭବ କରୁଥିବା ପର୍ଯ୍ୟନ୍ତ ଆମେ ତାର ସେହି ଆକାଂକ୍ଷା କଦାପି ଅନୁଭବ କରି ପାରିବ ନାହିଁ ।

 

ଏ ଦେହ ପ୍ରକୃତରେ ଯାହାରି, ତାହାକୁ ହିଁ ଆପଣାର ପ୍ରତ୍ୟେକ କୋଷରେ ଅନୁଭବ କରି ସେହି ଉତ୍ତରାଧିକାରଟିକୁ ଆପଣାର ସାନ ଓ ବଡ଼ ପ୍ରତ୍ୟେକ ମୁହୂର୍ତ୍ତରେ ବଞ୍ଚିବା, —ତାହାହିଁ ହେଉଛି ଏ ଦେହର ଆକାଂକ୍ଷା । ଆମେ ଯେଉଁମାନେ ଆପଣାର ଜୀବନରେ ମନ ଓ ପ୍ରାଣକୁ ଆପଣାର ଯାବତୀୟ ଆକାଂକ୍ଷାର ଅଧିକାରୀ ବୋଲି ଗ୍ରହଣ କରି ନେଇଥାଉ, ସେହିମାନେ ହିଁ ମନର ଶିଖାରେ ପଡ଼ି ଦେହକୁ ପ୍ରାୟ ଅପାଂକ୍ତେୟ ବୋଲି ଗ୍ରହଣ କରିବାକୁ ଶିକ୍ଷା କରିଥାଉ । ତେଣୁ, ଦେହ ଆମର ସାଙ୍ଗରେ ଥାଏ ସତ, ମାତ୍ର ସତେଅବା ଅଧସ୍ତନ ହୋଇ ରହିଥାଏ । ଆମ ଜୀବନରେ ଯେତେବେଳେ ଯେଉଁ ବ୍ୟତିକ୍ରମ ଅଥବା ସ୍ଖଳନ ଆସେ, ସେଥିପାଇଁ ଆମେ ଦେହକୁ ହିଁ ଦାୟୀ କରୁ, ଦେହକୁ ଦଣ୍ଡ ଦେଉ ଏବଂ ମନ ଓ ପ୍ରାଣକୁ ଉଦ୍ଧତ କରି ଛାଡ଼ି ଦେଉଥାଉ । ଦେହରୂପକ ଗ୍ରାମରେ ସେମାନେ ବ୍ରାହ୍ମଣ ହୋଇ ବୁଲୁଥାନ୍ତି, ସକଳ ସେବାର ଉପଭୋଗ ସେହିମାନେ ହିଁ କରୁଥାନ୍ତି । ଏ ରୀତି ବଦଳିବା ଦରକାର । ମନ ଓ ପ୍ରାଣର ସ୍ୱାସ୍ଥ୍ୟଲାଗି ମଧ୍ୟ ତାହା ଏକାନ୍ତ ଆବଶ୍ୟକ । ସ୍ୱାସ୍ଥ୍ୟ କହିଲେ ଏକ ସମଗ୍ର ଉପଲବଧିକୁ ବୁଝାଏ । ଯେଉଁମାନେ ମନ ଓ ପ୍ରାଣର ସବୁମନ୍ତେ ପରିଚର୍ଯ୍ୟା କରି ଦେହକୁ ଫୁଙ୍ଗୁଳା ଛାଡ଼ି ଦେଇଥାନ୍ତି, ସେମାନଙ୍କର ସକଳ ଦର୍ଶନବାଦ ସତ୍ତ୍ୱେ ସେମାନେ କେବଳ ଅଦର୍ଶନ ଭିତରେ ହିଁ ବୁଡ଼ି ରହିଥାନ୍ତି । କେବଳ ଖଣ୍ଡିଆ ଦେଖନ୍ତି, ଖଣ୍ଡିଆ ଚିନ୍ତା କରନ୍ତି ଓ ଖଣ୍ଡିଆ ହୋଇ ଜୀବନ ବଞ୍ଚନ୍ତି ।

 

୧୪ । ୮ । ୮୨

 

ଖୁସି ଦ୍ୱାରା ମଣିଷ ଅନେକ କାର୍ଯ୍ୟ କରିପାରେ । ଖୁସି ଦ୍ୱାରା ହିଁ ଯାବତୀୟ ଯଥାର୍ଥ କାର୍ଯ୍ୟ କରିବା ସମ୍ଭବ ହୋଇଥାଏ । ବାହାରେ ଖୁସି କାରଣ ଭିତରେ ପରିପୂର୍ଣ୍ଣ ବିଶ୍ୱାସ । ବାହାରେ ଖୁସି କାରଣ ଭିତରର ଯେଉଁ ଆଖି ଆପଣାକୁ ପ୍ରସାରିତ କରିଦେଇ ବାହାରକୁ ଦେଖେ, ତାହା ବାହାରୁ ଦେଖୁଥିଲେ ମଧ୍ୟ ହୃଦୟକୁ ଦେଖେ, ମୋହମୁକ୍ତି ହୋଇ ଦେଖେ; ଦେଖୁ ଦେଖୁ କାହାକୁ ଗିଳି ପକାଏ ନାହିଁ ଅଥବା କାହାରିଦ୍ୱାରା ଗିଳିହୋଇ ଯାଏନାହିଁ । ସିଏ ଆପଣାର ସମଗ୍ର ଦ୍ୱାରଟିକୁ ଉନ୍ମୁକ୍ତ କରି ଦେଖେ । ତେଣୁ ଏକ ଗଭୀର କୋଳାହଳବର୍ଜିତ ଖୁସି ହିଁ ତା’ ଜୀବନର ସର୍ବପ୍ରଧାନ ଉତପ୍ରେରକ ହୋଇ ରହିଥାଏ ।

 

ଏହି ଖୁସିର କୌଣସି କାରଣ ନାହିଁ । କିମ୍ବା ଅଧିକ ଯଥାର୍ଥ ଭାବରେ କହିଲେ, କାରଣ ଅଛି ମାତ୍ର ତାହାକୁ, ଆଉ ଦଶଜଣଙ୍କର ବୁଝିଲାଭଳି ମୋଟେ ପ୍ରକାଶ କରି କହି ହୁଏନାହିଁ । ନିଜ ଭିତରେ ତାହାକୁ ଅବଶ୍ୟ ବୁଝିହୁଏ, ଅନୁଭବ କରି ହୁଏ, ଆପଣାର ସମସ୍ତ ଚେତନା ମଧ୍ୟକୁ ସଂକ୍ରମିତ ବି କରି ଦେଇହୁଏ, ଆପଣାର ଯାବତୀୟ ସମ୍ବନ୍ଧ ମଧ୍ୟକୁ ବି ପ୍ରସାରିତ କରି ଦେଇହୁଏ । ତାହା ଯେ ଆପଣା ଜୀବନର ସବୁଠାରୁ ଅଧିକ ଅନ୍ତରଙ୍ଗ ନିୟାମକ ହୋଇ ରହିଛି, ଏହି ସତ୍ୟଟିକୁ ମଧ୍ୟ ଅନୁଭବ କରିହୁଏ । ଭିତରେ ଖୁସି ଥିଲେ ନିଜ ସହିତ କୌଣସି ଝଗଡ଼ା ନଥାଏ । ବାହାର ଆଉ ଭିତର ମଧ୍ୟରେ କୌଣସି ଦ୍ଵନ୍ଦ ନଥାଏ । ତେଣୁ, ଆପଣାକୁ ଶହେଗୁଣ ଅଧିକ ସାର୍ଥକ ଭାବରେ ଦେଇ ହୁଏ । ଖୁସି ମର୍ମପ୍ରବେଶ କରାଏ, ଆପଣା ଭିତରକୁ ବାଟ ଦେଖାଇଦିଏ; ଜଗତ ଭିତରକୁ ମଧ୍ୟ ବାଟ ଦେଖାଏ, ଜଗତସାରା ବନ୍ଧୁର ଆବିଷ୍କାର କରିପାରେ ।

 

୧୫ । ୮ । ୮୨

 

କହିବା କେବଳ କହିବା ନୁହେଁ । ଯୋଉମାନେ ଖାଲି କହନ୍ତି, ସେମାନେ କଥାଗୁଡ଼ାକୁ ଭିତରେ ଭେଦାଇ ପାରନ୍ତିନାହିଁ । କାରଣ, ସେମାନେ କଥାଗୁଡ଼ାକର ଆହ୍ୱାନକୁ ସହି ପାରନ୍ତିନାହିଁ ତେଣୁ ଉଦ୍‍ଗାରି ପକାନ୍ତି ।

 

କଥାଗୁଡ଼ାକ ହେଉଛି ଭିତର ଲାଗି ବାହାରର ଆହ୍ୱାନ । ବାହାରଟା ଭିତରେ ଭେଦିଲେ ମଣିଷ କ୍ରମଶଃ ଆପଣା ଭିତରକୁ ଚାଲିଯାଏ । ବାହାରର ଆହ୍ୱାନଗୁଡ଼ାକ ନିଜ ଭିତରକୁ ଯାଇ କେତେପ୍ରକାରେ ପାଚେ, ପୋଖତ ହୁଏ; ଏକ ନିଜସ୍ୱ ଆବେଦନ ଓ କ୍ରିୟାଶୀଳ ଶକ୍ତିମତ୍ତାରେ ରନ୍ଧା ହୁଏ ଏବଂ ତା’ପରେ ଯାଇ ଆପଣାର ଏକ ନିଜସ୍ୱ କଥାରେ ପରିଣତ ହୁଏ । ସେହି କଥା ଭିତରେ ସଂକଳ୍ପ ରହିଥାଏ, ମୁଁ ଯେ ଭିତରେ ସତକୁ ସତ ପ୍ରସ୍ତୁତ ହୋଇ ସାରିଲିଣି, ତାହାର ସ୍ପଷ୍ଟ ପ୍ରମାଣମାନ ରହିଥାଏ । ସେହି କଥାଗୁଡ଼ିକ କହି ମୁଁ ବାହାରକୁ ଆସେ, ବାହାର ପାଖରେ ଆପଣାକୁ ନିବେଦିତ କରିଦିଏ, —ବାହାରୁ ଯାହା ଗ୍ରହଣ କରିଥିଲି, ମୁଁ ଯେ ତାହାର ଯୋଗ୍ୟ ହୋଇ ପାରିଛି, ମୋ’ କଥାଗୁଡ଼ିକ ବାହାର ପାଖରେ ସେହି ସତ୍ୟଟିକୁ ପ୍ରକାଶ କରେ । ମୋ’ର ଅନ୍ତରସ୍ଥ କୃତଜ୍ଞ ବିଶ୍ୱାସଗୁଡ଼ିକୁ ପ୍ରକାଶ କରେ । ଏହି ଦେଶ ସମ୍ବନ୍ଧରେ ମୁଁ ଯାହାକିଛି କହିବି, ତାହା ଏହି ଦେଶ ପ୍ରତି ମୋ’ର ସେହି କୃତଜ୍ଞତାକୁ ହିଁ ପ୍ରକାଶ କରିବ । ଏହି ଦେଶ ଯେ ମୋତେ କେତେ ଦେଇଛି, ମୋତେ କେତେମନ୍ତେ ତିଆରି କରିଛି, କେତେ ଭୂମିକୁ କେତେପ୍ରକାରେ ପ୍ରସାରିତ କରି ମୋତେ ଆହୁରି କେତେ କେତେ ନୂତନ ଭୂମିର ପରିଚୟ ଦେଇଛି, ସେହି ସବୁକିଛି ଲାଗି କୃତଜ୍ଞତା ଜଣାଇ ହିଁ ମୁଁ ଏଠାରେ ଯାହାକିଛି କହିବି । ଜନନୀ ପାଖରେ ତା’ର ଏକ ସନ୍ତାନ ସକ୍ରିୟ କୃତଜ୍ଞତା ଜଣାଇବାକୁ ଆସିଥିବା ପରି ମୁଁ ଯାହାକିଛି କହିବି । ତେବେ ଯାଇ କହିବା ପରି କିଛି କହି ପାରିବି । ମୋ’ କହିବା ଦ୍ୱାରା ମୋ’ର ବାହାର ଓ ଭିତର ମଧ୍ୟରେ ଯେ ଏକ ସମତା ରହିଛି, ମୁଁ ସେହି କଥାଟିକୁ ଘୋଷଣା କରିପାରିବି ।

 

୧୬ । ୮ । ୮୨

 

ଭିତରେ ଆପଣାର ଅନୁଭୂତିଲବ୍ଧ ବିଶ୍ୱାସ ରହିଥିବ,—ସେହି ବିଶ୍ୱାସଟି ଅନୁସାରେ ଏକ ଜୀବନ ବଞ୍ଚିବା ସମ୍ଭବ ହେଉଥିବ, ଏବଂ ଏସବୁ ମୋ’ ଦ୍ୱାରା ସମ୍ଭବ ହେଉନାହିଁ, ମାତ୍ର ମୋତେ ମୋ’ ଭିତରେ ରହି ପରିଚାଳିତ କରୁଥିବା ଏକ ବୃହତ୍ତର ସତ୍ତା ଅର୍ଥାତ୍‍ ବୃହତ୍ତର ଶକ୍ତି ଦ୍ୱାରା ହିଁ ସମ୍ଭବ ହେଉଛି ବୋଲି ସତତ ଏକ ଅନୁଭବ ହେଉଥିବ,—ଯଦି ଏତିକି ହୋଇ ପାରୁଥିବ, ତେବେ ତଦ୍ଦ୍ୱାରା ଜୀବନରେ ଏପରି ଏକ ଉଜ୍ଜ୍ୱଳତା ସମ୍ଭବ ହେବ, ଯାହାକି ଜୀବନକୁ ପ୍ରକୃତରେ ଧନୀ କରି ରଖିପାରିବ । ଏବଂ ଏହିଭଳି ଜଣେ ବ୍ୟକ୍ତି ଯେଉଁ ସମାଜରେ ବାସ କରୁଥିବ, ସେହି ସମାଜଟି ଲାଗି ମଧ୍ୟ ସିଏ ଅନେକ ଉଜ୍ଜ୍ୱଳତାର କାରଣ ହେବ । ସିଏ ଯେଉଁ ଦେଶରେ ବାସ କରୁଥିବ, ସେହି ଦେଶଲାଗି ମଧ୍ୟ ସିଏ ଅନେକ ଉଜ୍ଜ୍ୱଳତାର କାରଣ ହେବ । ତେଣୁ, ସବାଆଗ ବ୍ୟକ୍ତିଟିଏ ଲୋଡ଼ା ।

 

ବିଶ୍ୱାସ ଲୋଡ଼ା, ଜୀବନ ଲୋଡ଼ା, ଭକ୍ତି ବି ଲୋଡ଼ା । ବିଶ୍ୱାସ, ଜୀବନ ଏବଂ ଭକ୍ତି, —ଏହି ତିନୋଟିଯାକର ନେତୃତ୍ୱ ଲୋଡ଼ା । ନେତୃତ୍ୱର ନିଜ ଭିତରେ ଯେଉଁଠି ଆପଣାର ଅନୁଭୂତିଲବ୍ଧ ମୋଟେ କୌଣସି ବିଶ୍ୱାସ ନଥିବ, ଯେତେବେଳେ ନେତୃତ୍ୱ କ୍ଷମତା ବ୍ୟତୀତ ତା’ ଜୀବନରେ ଆଉ କୌଣସି ଗୁଣରେ ଉଦବୋଧନ ଦେଇ ପାରୁନଥିବ ଏବଂ ନେତୃତ୍ୱ ଯେତେବେଳେ ଆପଣାକୁ ହିଁ ଆପଣା ଚେତନା ବିତରଣର ବୃହତ୍ତମ ପରିଧି ବୋଲି ଗ୍ରହଣ କରି ନେଇଥିବ, ସେତେବେଳେ ଔଜ୍ଜ୍ୱଲ୍ୟ ଆଉ ଆସିବ କେଉଁଠୁ ? ସେତେବେଳେ ବାହାରେ ବସ୍ତୁଗୁଡ଼ାକ ସହସ୍ର ଗୁଣ ହେଉଥିବ, ବାଣଗୁଡ଼ାକ ପୂର୍ଣ୍ଣ ଦର୍ପରେ ଆକାଶମଣ୍ଡଳକୁ କେତେ ରଙ୍ଗରେ ଓ କେତେ ଆଲୁଅରେ ଆଚ୍ଛାଦିତ କରି ରଖିଥିବେ, —ତଥାପି ହୃଦୟ ଭିତରେ, ବ୍ୟକ୍ତିର ଏବଂ ଦେଶର, —ଉଭୟଙ୍କର ହୃଦୟ ଭିତରେ ପ୍ରଧାନତଃ ଅନ୍ଧକାରର ହିଁ ରାଜତ୍ୱ ଚାଲିଥିବ, —ଅନ୍ଧକାର ଗୁଡ଼ାକ ହିଁ ରାଜା ହୋଇ ବସିଥିବେ ।

 

୧୭ । ୮ । ୮୨

 

ଦେହ ଖରାପ ଲାଗିଲେ ଅନେକ ମଣିଷ ଭାବନ୍ତି, ଯେପରି ଏହି ସଂସାରରେ ଆଉ କେଉଁଠିହେଲେ କାହାରି ଦେହ ନାହିଁ । ସଂସାରର ସବୁ ଦେହକୁ ଆପଣାର ଅନ୍ତ୍ର ଭିତରେ ବାନ୍ଧି ରଖିଥିବା ପରି ସେମାନେ ନିଜ ଦେହରେ ସତେଅବା ସାରା ସଂସାରର ଯନ୍ତ୍ରଣାକୁ ଅନୁଭବ କରନ୍ତି ଓ ପ୍ରତିବାଦ କରିବାରେ ଲାଗିଥାନ୍ତି । ସେହି ବୋଝ ବୋହୁଥିବା ଦୁର୍ଦ୍ଦଶାକୁ ସେମାନେ ଯେତିକି ଅଧିକ ସଚେତନ ଭାବରେ ଅନୁଭବ କରନ୍ତି, ସେତିକି ଅଧିକ କଷ୍ଟ ପାଆନ୍ତି ।

 

ମୋ’ ଦେହ ଉପରେ ସମସ୍ତ ସଂସାରର ଦେହରେ ବୋଝ ଆସି କଦାପି ଲଦିହୋଇ ରହିନାହିଁ । ସଂସାରର ସକଳ ଦେହକୁ ମୋ’ର ଏହି ଦେହ ସ୍ପର୍ଶ କରି ରହିଛି । ତେଣୁ, ଏହି ଗୋଟିଏ ଦେହ ଉପରେ ଯେଉଁ ଦୁଃଖ ବା ଆଘାତ ଆସୁଛି, ତାହା ମୋ’ର ଏହି ଗୋଟାଏ ଦେହ ଭିତରେ କଦାପି ସୀମାବଦ୍ଧ ହୋଇ ରହୁନାହିଁ । ସଙ୍ଗେ ସଙ୍ଗେ ତାହା ସତେଅବା ଏକ ସ୍ପନ୍ଦନ ଜରିଆରେ ସବୁଆଡ଼େ ପ୍ରସାରିତ ହୋଇ ଯାଉଛି ଓ ମୋ’ର ଏହି ଗୋଟିଏ ଦେହକୁ କେଡ଼େ ଉଶ୍ୱାସ କରିଦେଇ ପାରୁଛି । ଦେହର ଦୁଃଖ କୁଆଡ଼େ କେତେଆଡ଼େ, ଖେଳାଇ ହୋଇ ଯାଉଛି, ଦେହର କ୍ଷତମାନ ସତେଅବା ଚାହିଁବା ମାତ୍ରକେ କୁଆଡ଼େ ଭଲ ହୋଇ ଯାଉଛନ୍ତି । ଏହି ଦେହ ସବୁଯାକ ସୂତ୍ର ଛିଣ୍ଡାଇ ଯେତିକି ଯେତିକି ଆପଣା ଭିତରେ ସତେଅବା ଗୋଟାଏ ପଥର ଗଦା ପରି ଏଡ଼େ ଉଚ୍ଚ ହୋଇ ଦିଶିବାକୁ ଚେଷ୍ଟା କରୁଥାଏ, ତାହା ସେତିକି ସେତିକି ଅସୁସ୍ଥ ହୁଏ ଓ ଅସୁସ୍ଥତାରୁ ସେତିକି ଅଧିକ କଷ୍ଟପାଏ । ମାତ୍ର, ଯଦି ତାହା ସ୍ଵେଚ୍ଛାକୃତ ଭାବରେ ଆପଣାକୁ ସଂସାରର ଦେହାସାମାନ୍ୟ ମଧ୍ୟରେ ଏକ ଅଂଶ ବୋଲି ମନେ କରେ, ତେବେ ତାର ଅସୁସ୍ଥତା ବି କୁଆଡ଼େ ହରଣ ହୋଇଯାଏ । ତା’ପରେ ସବୁ ହାଲୁକା ଲାଗେ । ଏହି ସମଗ୍ରତାକୁ ସତେଅବା ଜନନୀର ଦେହ ବିସ୍ତାର ପରି ଅନୁଭୂତ ହୁଏ ।

 

୧୮ । ୮ । ୮୨

 

ସକାଳର ଏଇ ଧାରା ବର୍ଷା ଆଡ଼କୁ ଅନାଇ ରହିବାକୁ ମନ ହୁଏ । ସେତେବେଳେ ସତେଅବା ନିଜ ଆଖିରେ ନିଜ ଆଡ଼କୁ ଅନାଇ ରହିଥିବା ପରି ମନେହୁଏ । ଅଧିକାଂଶ ସମୟରେ ଆମେ ନିଜ ଆଖିରେ ନିଜକୁ ଅନାଇ ପାରିବାର ସାମର୍ଥ୍ୟଟିକୁ ହରାଇ ବସିଥାଉ । ମୋତେ ଏକାବେଳେକେ ସମସ୍ତ ଅନାଇ ରହିଛନ୍ତି ଅର୍ଥାତ୍‍ ଏତେଗୁଡ଼ାଏ ଆଖି ମୋ’ ପଛେ ପଛେ ଦଉଡ଼ିଛନ୍ତି, ଏହିପରି ଗୋଟାଏ ସତର୍କ ଶଙ୍କା ଆମର ନିଜ ଆଖିଗୁଡ଼ାକୁ ସତେଅବା ସଂତ୍ରସ୍ତ କରି ରଖି ପକାଇଥାନ୍ତି ଓ ତେଣୁ ଆମେ କିଛିହେଲେ ଦେଖି ପାରୁନାହିଁ ।

 

ନିଜ ଆଡ଼କୁ ଅନାଇଲେ ପଥଟିଏ ଦିଶେ, ଅର୍ଥାତ୍‍ ସ୍ରୋତଟିଏ ଦିଶେ । ଏହି ସ୍ରୋତର ଉତ୍ସ ଅଛି, ଗତି ଅଛି, ଦିଗ ଅଛି, ମାତ୍ର ଏହା ଯେ କେଉଁଠାରେ ଯାଇ ଶେଷ ହେବ, ସେକଥା ମୋତେ ଜଣାନାହିଁ । ଦିଗଟି ଆଡ଼କୁ ଅନାଇଲେ ମୋତେ କେବଳ ସତେଅବା କୋଉ ବନ୍ଧୁର ଘରଆଡ଼କୁ ପଡ଼ିଥିବା ବାଟ ପରି ଦେଖାଯାଉଛି । ଏହି ସ୍ରୋତ ସମ୍ଭବତଃ ଯୋଉଠୁ ଆରମ୍ଭ ହୋଇଛି, ଠିକ୍‍ ସେହିଠାରେ ଯାଇ ସଂଯୁକ୍ତ ହେବାକୁ ଯାଉଛି । ଏବଂ ମଝିବାଟରେ ମୋ’ର ଜୀବନଜାଗା ଗୁଡ଼ିକର ସମସ୍ତ ଜଳାଶୟକୁ ସତେଅବା ତାହା ଗୋଟିଏ ଆତ୍ମୀୟତା ଓ ଗୋଟିଏ ନିର୍ଭର ଭିତରେ ମିଶାଇଦେଇ ଯାଉଛି । ଏବଂ ମୋତେ କେତେ ବଳ ଦେଇ ଯାଉଛି, ମୋ'ଠାରୁ କେତେ ଭୟକୁ ଭାଙ୍ଗିଦେଇ ଯାଉଛି । ଏ ବର୍ଷା ବର୍ଷା ନୁହେଁ,—ଏହା ଏକ ସ୍ୱୀକୃତି,—ଜୀବନର ସ୍ୱୀକୃତି,—ଉପରେ ଯେ ଏକ ଆକାଶ ରହିଛି ଓ ତଳେ ଯେ ଏକ ଭୂଇଁ ରହିଛି, ତାହାରି ଏକ ପରମ ସ୍ୱୀକୃତି ।

 

୧୯ । ୮ । ୮୨

 

ମଣିଷ ପାଖରେ ପଇସା ବେଶୀ ହେଲେ ମଣିଷ ମଦ ପିଏ । କ୍ରମେ ମଦ ତାକୁ ପିଇବାକୁ ଆରମ୍ଭ କରେ ଓ ତା’ ପଇସାକୁ ମଧ୍ୟ ପିଇଯାଏ । କାଲି ସେହିପରି ଏକ ମଣିଷକୁ ଦେଖିଲି । ତା’ର ପଇସା ଅଛି । ହୁଏତ ଘର ନାହିଁ, ପରିବାର ନାହିଁ, କୋଉଠି ଗୋଟିଏ ହେଲେ ଚେର ଲାଗିନାହିଁ, —କେବଳ ପଇସା ଗୁଡ଼ାଏ ଅଛି । ସିଏ ଭିତରେ ଯେ ଏକ ଶକ୍ତି ରହିଛି, ସେହି ଶକ୍ତି ଯେ ମଣିଷକୁ କେତେ ସମର୍ଥତା ଆଣି ଦେଇପାରିବ, ପିଉ ପିଉ ସେହି ମଣିଷଟି ଏହି କଥାଟିକୁ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇଛନ୍ତି । ନିଜ ଭିତରେ ଗାଦି ମାଡ଼ି ବସିଥିବା ମଦ୍ୟପଟା ହାତରେ କେବଳ ଗୋଟାଏ କଣ୍ଢେଇ ହୋଇ ରହିଛନ୍ତି, ଆପଣାର ମୁହୂର୍ତ୍ତଗୁଡ଼ାକ ହାତରେ ମଧ୍ୟ ତୁଚ୍ଛା କଣ୍ଢେଇଟି ହୋଇ ରହିଛନ୍ତି । ତେଣୁ ନିଜେ ନିଜ ମୁହୂର୍ତ୍ତଗୁଡ଼ିକର ମୋଟେ ମାଲିକ ହୋଇ ପାରୁନାହାନ୍ତି ତାଙ୍କର ସବୁ ସୂତା ହାତଛଡ଼ା ହୋଇ ଯାଇଛି ।

 

ମଣିଷ ମଣିଷ ପରି ବଞ୍ଚିବାକୁ ପଇସା ଦରକାର । କିନ୍ତୁ ମଣିଷ ଘୁଷୁରିଟିଏ ହେବାଲାଗି ଭଗବାନ ତା’ ହାତରେ କାହିଁକି ପଇସା ଦିଅନ୍ତି କେଜାଣି ? କାଲି ସେହି ମଣିଷଟାର ମୁହଁ ପ୍ରକୃତରେ ଗୋଟାଏ ଘୁଷୁରିର ମୁହଁ ପରି ଦେଖା ଯାଉଥିଲା । ମୁଁ ତା’ ଭିତରେ କେତେ ଭିତରକୁ ଭେଦିବାକୁ ଚେଷ୍ଟା କଲି; —ମଣିଷ ତା’ ଭିତରେ ଯେଉଁ ତଳେ ଯାଇ ଲୁଚି ରହିଥିଲା, ମୁଁ ତାର ପତ୍ତା ମଧ୍ୟ ପାଇଲିନାହିଁ । ମୁଁ କେବଳ ଏତିକି ହିଁ ଭାବୁଥିଲି; ଏତିକି ପଇସା କମାଇଲେ ମଣିଷ ନିଜ ସହିତ କେତେ ଖିଅ ଲଗାଇ ବଞ୍ଚିପାରନ୍ତା, —ଭିତରେ ଏବଂ ବାହାରେ କେତେ ଏଇଶ୍ୱର୍ଯ୍ୟ ଲାଗି ଯୋଗ୍ୟ ହୋଇ ପାରନ୍ତା । ପଇସାର ଯୋଗ୍ୟ ନହୋଇ ହାତକୁ ପଇସା ଆସିଲେ ବୋଧହୁଏ ମଣିଷ ଠିକ୍‍ ଏହିପରି ଭାବରେ ହିଁ ନରଖର ହୁଏ, ହୀନମାନ ହୁଏ ।

 

୨୦ । ୮ । ୮୨

 

ଯେଉଁମାନେ ଯାହାକୁ ସଂସାରରେ ସବୁଠାରୁ ଭଲ ବୋଲି କହୁଛନ୍ତି, ସେମାନେ ହୁଏତ କେବଳ ସେତିକିଯାଏ ଚାଖିଛନ୍ତି । ସଂସାରରେ ମଦହିଁ ସବୁଠାରୁ ଭଲ ଜିନିଷ ଓ ବଡ଼ ଜିନିଷ ବୋଲି ଯିଏ ମଜଗୁଲୁଗୁଲୁ ଏଡ଼େ ବଡ଼ ବଡ଼ ଆଖିରେ କହୁଛି, ସିଏ ହୁଏତ କେବଳ ମଦଯାଏ ଚାଖିଛି । ଯିଏ ପଇସାକୁ ହିଁ ସର୍ବପ୍ରଧାନ ବୋଲି କହୁଛି, ସିଏ ବିଚରା କେବଳ ପଇସାଯାଏ ଚାଖିଛି-। କାମବାସନା ଚରିତାର୍ଥ କରିବାକୁ ହିଁ ଜୀବନର ସବୁଠାରୁ ବଡ଼ ଆନନ୍ଦବର୍ଦ୍ଧନ ବୋଲି ଘୋଷଣା କରିଥିବା ମଣିଷମାନେ ବି ହୁଏତ ଠିକ୍‍ ସେହିପର୍ଯ୍ୟନ୍ତ ଯାଇଛନ୍ତି । ଏମାନଙ୍କ ଭିତରୁ କିଏ ମଦକୁ ସବୁଠାରୁ ବଡ଼ ମଜା ବୋଲି କହୁଛି, ଆଉକିଏ ପଇସାକୁ ବଡ଼ ମଜା ବୋଲି କହୁଛି, ଆଉକିଏ କାମବାସନାର ରଞ୍ଜନକୁ ହିଁ ଶ୍ରେଷ୍ଠତମ ବୋଲି ଘୋଷଣା କରୁଛି । ଏମାନେ ପ୍ରତ୍ୟେକ ଠିକ୍‍ ସେହିଯାଏ ଯାଇଛନ୍ତି, ଠିକ୍‍ ସେହିଯାଏ ଚାଖିଛନ୍ତି । ଅଥବା, ଏପରି ହୁଏତ ହୋଇଛି ଯେ, ଏମାନେ ଜୀବନର ପଥରେ ଆଗକୁ ଯାଉ ଯାଉ ଏଇପର୍ଯ୍ୟନ୍ତ ଆସି ଅଟକି ଯାଇଛନ୍ତି ଓ ଏଇଟାକୁ ହିଁ ଶେଷ ଗାର ବୋଲି ମାନି ନେଇଛନ୍ତି, ସବୁଠାରୁ ଅଧିକ ମଧୁର କୁଣ୍ଡ ବୋଲି କହୁଛନ୍ତି ।

 

ଅଟକି ଯିବାଟା ମଜା ନୁହେଁ, ବାଟ ଚାଲିବାଟା ହିଁ ଯଥାର୍ଥ ମଜା, ଯଥାର୍ଥ ପରିପୂର୍ଣ୍ଣତା । ବାଟ ଚାଲୁଥିବା ମଣିଷକୁ ପଇସା, ମଦ ଅଥବା କାମବାସନା କେହି ଅଟକାଇ ରଖି ପାରନ୍ତିନାହିଁ । ସିଏ ନିଜ ପାଖରେ ବି କେବେହେଲେ ଅଟକି ଯାଏନାହିଁ । ନିଜ ସହିତ ବାନ୍ଧି ବୁନ୍ଧି ହୋଇ ରହି ଆତ୍ମରତି ଭିତରେ କଦାପି ପୀଡ଼ିତ ହୋଇ ରହେନାହିଁ । ତେଣୁ, ଆପଣାର ବେଡ଼ୀଗୁଡ଼ାକୁ ହିଁ ସଂସାରରେ ସବୁଠାରୁ ବଡ଼ ମୁକ୍ତି ବୋଲି ଘୋଷଣା କରିବାର ଦୁର୍ଗତି ଭିତରେ ସିଏ କଦାପି ପଡ଼େନାହିଁ । ତାକୁ ପାଚେରୀମାନେ ପାଚେରୀ ଭାଙ୍ଗିବାର ଉଦବୋଧନ ଦେଇ ଯାଉଥାନ୍ତି । ଆପଣାର ଗଭୀରତା ଗୁଡ଼ାକ ତାକୁ ଆହୁରି ଗଭୀରତା ଆଡ଼କୁ ପ୍ରେରଣା ଦେଇ ନେଇ ଯାଉଥାନ୍ତି ।

 

୨୧ । ୮ । ୮୨

 

ସଂସାରରେ କେତେକ ମଣିଷ ଭୋଗକୁ ହିଁ ସବୁଠାରୁ ବଡ଼ ଆନନ୍ଦ ବୋଲି ଧରି ନେଇଥାନ୍ତି । ସେମାନେ ଆପଣାକୁ ନେଇ ପ୍ରାୟ ଗୋଟାସୁଦ୍ଧା ଭୋଗ ଭିତରେ ପକାଇ ଦେଇଥାନ୍ତି-। ଆପଣାର ଭୋଗଗୁଡ଼ାକୁ ଯେତିକି ଲୋଭସକ୍ତ ଭାବରେ ବୃଦ୍ଧି କରିବାରେ ଲାଗି ଥାଆନ୍ତି, ଅନ୍ୟର ଭୋଗକୁ ହୁଏତ ପ୍ରାୟ ସେତିକି ଅଧିକ ପରିମାଣରେ ଈର୍ଷା କରିବାରେ ଲାଗିଥାନ୍ତି-

 

ଯଦି ଭୋଗ ହିଁ ମୋ’ ଲାଗି ସୁସ୍ଥତମ ଜୀବନଶୈଳୀ ହୁଅନ୍ତା, ତେବେ ଅନ୍ୟର ଭୋଗକୁ ମୁଁ କଦାପି ଇର୍ଷା କରନ୍ତିନାହିଁ । ତେଣୁ; ଏହି ସଂସାରରେ ମୁଇଁ ଏକା ସବୁକିଛି ଭୋଗ କରିବି, ଅନ୍ୟାନ୍ୟ ଅନେକେ କେବଳ ଅନାଇ ରହିଥିବେ ଅର୍ଥାତ୍‍ ବଞ୍ଚିତ ହୋଇ ରହିଥିବେ, ଭୋଗର ଯାବତୀୟ ବାସନା ଓ ଉତ୍ସାହ ସହିତ ଏହିପରି ଗୋଟିଏ ଭାବନା ପ୍ରାୟ ସବୁଠାରେ ବିମିଶ୍ରିତ ହୋଇ ରହିଥାଏ । ଏହି ଭାବନା ଖାସ ଭୋଗରୁ ଜନ୍ମଲାଭ କରେନାହିଁ, —ତାହା ଅହଂକାମନାରୁ ଜନ୍ମଲାଭ କରିଥାଏ । ଏବଂ ଅହଂକାମନାଟି ହିଁ ଆମର ଯାବତୀୟ ଭୋଗଜୀବନ ଭିତରେ ପଶି ଭୋଗଜନିତ ଆମର ସକଳ ଆନନ୍ଦକୁ ଅଧିକାଂଶ ସମୟରେ ନଷ୍ଟକରି ଦେଇଥାଏ । ଜଣେ ମଣିଷ ଅହଂମୁକ୍ତ ହୋଇ ଭୋଗ ଭିତରେ ପ୍ରବେଶ କରୁଥିଲେ ସମ୍ଭବତଃ କଦାପି ଏତେବେଶୀ ଅସୁସ୍ଥ ହେଉନଥାନ୍ତା । ସିଏ ଭୋଗ ଭିତରେ ହୁଏତ ଆପଣା ଜୀବନର ଅନେକ ମୂଳଭୂତ ବିତୃଷ୍ଣାକୁ ଅତିକ୍ରମ କରିଯାଇ ପାରୁଥାନ୍ତା । ମାତ୍ର ସାଧାରଣତଃ ସେକଥା ହୋଇ ପାରେନାହିଁ । ଅହଂର ବାଡ଼ଗୁଡ଼ାକ ଭିତରେ ଭାରି ଉତ୍ତେଜିତ ହୋଇ ରହି ଭୋଗାକାଂକ୍ଷୀ ମଣିଷ ଅସହିଷ୍ଣୁ ହୁଏ ଆପଣା ଲାଗି ପ୍ରାୟ ଅନ୍ଧ ହୋଇ ରହେ । ସମସ୍ତଙ୍କର ସାଙ୍ଗ ହୋଇ ଆଗକୁ ଗଲେ ସଂସାରରେ ଯେଉଁସବୁ ଆନନ୍ଦ ମିଳେ, ସିଏ ଆପଣାକୁ ସେଥିରୁ ବଞ୍ଚିତ କରି ରଖିଥାଏ । ଯାବତୀୟ ଭୋଗ ସତ୍ତ୍ୱେ ଭିତରେ ଭାରି ବଞ୍ଚିତ ଓ ଅସ୍ଵୀକୃତ ହୋଇ ରହିଥାଏ ।

 

୨୨ । ୮ । ୮୨

 

ପିତୁଳା ମଣିଷ ଗଢ଼ିଛି, ସେଇ ମଣିଷ ପିତୁଳାକୁ ଭାଙ୍ଗିଛି । ପିତୁଳାଗୁଡ଼ାକୁ ଅବଲମ୍ବନ ରୂପେ ଗ୍ରହଣ କରି କେତେ ମଣିଷ ନିଶା ବି ଖାଇଛନ୍ତି । ମୂର୍ତ୍ତିର ମଧ୍ୟ ଦେଇ ମର୍ମର ନିକଟବର୍ତ୍ତୀ ହେବା ଲାଗି ପ୍ରଥମେ ଏହି ମୂର୍ତ୍ତିଗୁଡ଼ାକର ଭିଆଣ ହୋଇଥିଲା । ମର୍ମକୁ କେନ୍ଦ୍ରପ୍ରେରଣା ରୂପେ ଗ୍ରହଣ କରି ସମ୍ପ୍ରଦାୟ ସମ୍ଭବ ହୋଇ ପାରିନଥାନ୍ତା ବୋଲି ସମ୍ଭବତଃ ସମ୍ପ୍ରଦାୟରେ ବିଶେଷ ଉତ୍ସାହ ରଖୁଥିବା ମଣିଷମାନେ ମୂର୍ତ୍ତିକଳ୍ପନା ଆଡ଼କୁ ମନ ବଳାଇଥିଲେ । ମୂର୍ତ୍ତିଭିତରେ ପଶି ମଣିଷମୂର୍ତ୍ତିକୁ ଅତିକ୍ରମ କରିଯିବ, ଏହାହିଁ ମୂର୍ତ୍ତିପୂଜାର ସର୍ବପ୍ରଧାନ ଉଦ୍ଦେଶ୍ୟ ଥିଲା ।

 

ଆଧୁନିକ ପୌତ୍ତଳିକତାରେ ପିତୁଳା ବି ପଛକୁ ଚାଲିଗଲାଣି । ମର୍ମ ବୋଲି ଗୋଟାଏ ପଦାର୍ଥ କୋଉଠି ରହିଛି ବୋଲି ଭାବିବା ସକାଶେ ମଧ୍ୟ ଏବେ କାହାରି ବେଳ ହେଉନାହିଁ । ପିତୁଳା ଭିତରେ ଉତ୍ତେଜିତ ସମାରୋହକାରୀମାନେ ଏବେ ଆପଣାକୁ ହିଁ ଦେଖୁଛନ୍ତି । ଆପଣାର ଅହଂଟାକୁ ଏଡ଼େବଡ଼ ଆକାରରେ ଦେଖୁଛନ୍ତି । ସାମୂହିକ ଅହଂମଣ୍ଡନ ଗୁଡ଼ାକ ଏହି ବ୍ୟକ୍ତିଗତ ଅହଂର ସ୍ଫୀତିରେ ପ୍ରାୟ ପ୍ରସାଧନ ପରି କାର୍ଯ୍ୟ କରୁଛି । ମର୍ମକୁ ସ୍ପର୍ଶ କରିବାର ଯଥାର୍ଥ ଅନ୍ତଃପ୍ରେରଣା ସହିତ ମୂର୍ତ୍ତି ପାଖରେ ଆପଣାକୁ ସମର୍ପିତ କରିବାର ଓ ତାହାରି ମାଧ୍ୟମରେ ଆପଣାକୁ ଆହୁରି ଅଧିକ ସମର୍ପଣ ଲାଗି ଯୋଗ୍ୟ କରିବାର ଧାରାଟି ଏବେ ପୁରୁଣା ହୋଇଗଲାଣି-। ଆଧୁନିକ ପୌତ୍ତଳିକ ମୂର୍ତ୍ତିକୁ ବି ଖାଇଗଲାଣି । ମୂର୍ତ୍ତି ଭିତରଦେଇ ଆପାଣାଟାକୁ ହିଁ ପ୍ରାୟ ଏକ ପ୍ରଚଣ୍ଡ ଓ ବର୍ବର କାମୁକତା ସହିତ ସିଏ ଏବେ ପ୍ରତିଷ୍ଠିତ କରି ରଖିବାର ବାର ଧରିଲାଣି-। ଏହି ପୌତ୍ତଳିକତା ତାକୁ କେଉଁଠି ହେଲେ ପହଞ୍ଚାଇ ପାରୁନାହିଁ, କେବଳ ନିଜ ଗାତଟିକୁ ଆହୁରି ଉଗ୍ର କରି ରଖିବାରେ ସାହାଯ୍ୟ କରୁଛି ।

 

୨୩ । ୮ । ୮୨

 

ଯାହା ରହିଆସିଛି, ତାହା ପରମ୍ପରା ନୁହେଁ । ଯାହା ଆମ ଜୀବନ ଭିତରକୁ ଭେଦିପାରିଛି ଏବଂ ଆମ ଜୀବନର ଏକ ଅଂଶରେ ପରିଣତ ହୋଇଛି, ତାହାହିଁ ପରମ୍ପରା । ବ୍ୟକ୍ତିଗତ ଜୀବନର ଏକ ପ୍ରସ୍ଥରୂପେ ଆମର ଯେଉଁ ସାମୂହିକ ଜୀବନ ରହିଛି, ସେହି ସାମୂହିକ ଜୀବନରେ ଆମେ କେଉଁ ମୂଲ୍ୟବୋଧର ସ୍ତରରେ ବଞ୍ଚୁଛୁ; ତାହାହିଁ ଆମର ଅସଲ ପରମ୍ପରା । ତେଣୁ, ପୁରୁଷାନୁକ୍ରମିକ ଭାବରେ ପର୍ବଟାଏ ପାଳିବା ଅଥବା ଦିନଟିଏ ମାନିବା, ଏହାକୁ ହୁଏତ ଏକ ପାରମ୍ପରିକ ଅଭ୍ୟସ୍ତତା ବୋଲି କୁହା ଯାଇପାରେ, ମାତ୍ର ତାହା କଦାପି ପରମ୍ପରା ନୁହେଁ । ଅନେକ ସମୟରେ ଆମ ସାମୂହିକ ଜୀବନର ପ୍ରେରଣାକ୍ଷେତ୍ର ଗୁଡ଼ିକରେ ସମ୍ଭବତଃ ଅଧିକ ମହତ୍ତ୍ୱପୂର୍ଣ୍ଣ ବିଶେଷ କିଛି ନଥାଏ ବୋଲି ଆମେ ଏହି ଅଭ୍ୟସ୍ତତାଗୁଡ଼ାକୁ ହିଁ ପରମ୍ପରା ବୋଲି କହିଥାଉ । ଦଉଡ଼ିଗୁଡ଼ାକ ଭିତରେ ବାନ୍ଧିହୋଇ ପଡ଼ିଥାଉ ।

 

ପରମ୍ପରାରେ ମଧ୍ୟ ସର୍ବଦା ଏକ ସ୍ତରଭେଦ ରହିଥାଏ । ସାମୂହିକ ଜୀବନରେ ଆମର ଯେତିକି ଅବଦାନ ରହିଥାଏ ଓ ଆମେ ଯେତିକି ଯଥାର୍ଥ ନିବିଡ଼ତାର ସହିତ ସାମୂହିକ ଜୀବନଟି ସହିତ ନିଜକୁ ଗ୍ରନ୍ଥି କରି ରଖିଥାଉ, ସେହି ଅନୁସାରେ ଆମ ପରମ୍ପରାଗୁଡ଼ିକର ସ୍ତର ବି ନିର୍ଦ୍ଧାରିତ ହୋଇ ରହିଥାଏ । ଅନେକ ସମୟରେ ସମୂହର ଅନ୍ୟମାନଙ୍କଠାରୁ ଆପଣାକୁ ସ୍ୱତନ୍ତ୍ର ଓ ବିଶିଷ୍ଟ କରି ଦେଖାଇବାର ମତଲବରେ ମଧ୍ୟ ଆମେ ପରମ୍ପରାଗୁଡ଼ାକୁ ଭାରି ସମାରୋହ ସହିତ ପାଳନ କରୁ ଓ ତାହାକୁ ମଧ୍ୟ ସଂସ୍କୃତି ବୋଲି କହୁ । ଆମ ସମାଜରେ ପରମ୍ପରାଗୁଡ଼ାକୁ ଅନାଇ ଦେଖିଲେ ଅନେକ ସମୟରେ ସେଥିଲାଗି ଆମ ସମାଜରେ ରହିଥିବା ସଂହତିଗୁଡ଼ିକ ଯେତେ ଆଖିରେ ନପଡେ଼, ଦୂରତା ଓ ତାରତମ୍ୟଗୁଡ଼ାକ ତାଠାରୁ ଅଧିକ ପରିମାଣରେ ହିଁ ଅନୁଭୂତ ହୋଇଥାଏ । ହିନ୍ଦୁ ସମାଜରେ ପରମ୍ପରାଗୁଡ଼ାକ ଯେପରି ବେଶୀ, ହୁଏ ସେହି କାରଣରୁ ଦୂରତାଗୁଡ଼ାକ ମଧ୍ୟ ସେତିକି ବେଶୀ ।

 

୨୪ । ୮ । ୮୨

 

କବି ଜୀବନ ଯାକ କବିତା ଲେଖିଲେ । ଜୀବନର ଶେଷ ଦାଣ୍ଡକୁ ଆସି ଯାହା ଲେଖିଛନ୍ତି ସବୁଗୁଡ଼ାକ ବାଜେ ବୋଲି କହିଲେ । ହୁଏତ ଛଳରେ କହିଲେ । ହୁଏତ କୌଶଳ କରି କହିଲେ । ବିନୟ କରି କଦାପି କହି ନଥିବେ । କୌଣସି କବି ଯେଡ଼େ ବିନୟୀ ହୋଇଥିଲେ ମଧ୍ୟ ନିଜ ସୃଷ୍ଟିଗୁଡ଼ିକୁ କଦାପି ବାଜେ ବୋଲି କହିବି ନାହିଁ ।

 

ଏହି ବିଡ଼ମ୍ବନାଟି କଦାପି କେବଳ ବ୍ୟକ୍ତିଗତ ନୁହେଁ । ଯେଉଁ ସମାଜର କବି ଜୀବନର ଉତ୍ତରଚରଣକୁ ଆସି ଆପଣାର ସବୁକିଛି ରଚନାକୁ ବାଜେ ବୋଲି କହୁଛି, ତଦ୍ଦ୍ୱାରା ସେହି ସମାଜ ମଧ୍ୟ ଆଦୌ କମ୍‍ ବିଡ଼ମ୍ବିତ ହେଉନାହିଁ । ସେହି ରଚନାଗୁଡ଼ିକ ଦ୍ୱାରା ସମାଜ ସିନା ସମ୍ପୃକ୍ତ କବିଙ୍କୁ ଚିହ୍ନିଲା, ମାତ୍ର ତାଙ୍କ ଜୀବନସାରା କବି ଯେପରି ମୋଟେ ତାଙ୍କ ନିଜ ରଚନା ଭିତରେ ନଥିଲେ, ହୁଏତ ଆପଣାର କୌଣସି ଅନ୍ୟକାମୀ ବା ଅହଂକାମୀ କୋରଡ଼ ଭିତରେ ରହିଥିଲେ ଓ ଥାଇ ଆପଣାକୁ ହିଁ ମୋଟା କରିବାକୁ କବିତାର ପାଟବସ୍ତ୍ରମାନ ଗୁଡ଼ାଇ ହେବାରେ ଲାଗିଥିଲେ । ଯୋଉ ସମାଜରେ ସାହିତ୍ୟ ପଛରେ କେବଳ ଏତିକି ଆବେଦନ ବା ଏତିକି ପ୍ରୟୋଜନୀୟତା ରହିଛି, ସେହି ସମାଜ ପ୍ରକୃତରେ ତାହାଦ୍ୱାରା ଭାରି ଦରିଦ୍ର ହେବାରେ ଲାଗିଛି । ଆମ କବିଙ୍କ ପରି ଆମେ ମଧ୍ୟ ସେତିକି ଦରିଦ୍ର ହେବାରେ ଲାଗିଛୁ । ଆମେ ସାହିତ୍ୟ ଆମଲାଗି ମୁଖ୍ୟତଃ ପାଟବସ୍ତ୍ର ପରି ହୋଇଛି ଏବଂ ଆମ ପର୍ବଦିନ ମାନଙ୍କରେ ଆମକୁ କିଞ୍ଚିତ ଭାବପ୍ରବଣ କରି ରଖିବାରେ ତାହା ସାହାଯ୍ୟ କରୁଛି । ସେଦିନ କବିଙ୍କର କଥା ଶୁଣିବାବେଳେ ସେହି ଦାରିଦ୍ର୍ୟଟା ବିରୁଦ୍ଧରେ ମୋ’ର ମନ ବିଦ୍ରୋହ କରି ଉଠୁଥିଲା ।

 

୨୫ । ୮ । ୮୨

 

ଅନେକ ମଣିଷଙ୍କ ସହିତ ମୋ’ର ମତ ମିଳେନାହିଁ । ମାତ୍ର ମତ ନମିଳିଲା ବୋଲି ମୁଁ ସେହି ମଣିଷମାନଙ୍କ ସହିତ ଆଦୌ କୌଣସି ବିଚ୍ଛିନ୍ନତା ଅନୁଭବ କରେନାହିଁ । ତା’ର ସର୍ବପ୍ରଧାନ କାରଣ ହେଉଛି, ମୋ’ର ମତଗୁଡ଼ାକୁ ମୁଁ କଦାପି ଚୂଡ଼ାନ୍ତ ବୋଲି ଗ୍ରହଣ କରିନଥାଏ । କାରଣ, ରାସ୍ତା ସରିଗଲା ଓ ଆଗକୁ ଆଉ କୌଣସି ବାଟ ଚାଲିବାକୁ ନାହିଁ ବୋଲି ମୁଁ ଅନୁଭବ ବି କରି ପାରେନାହିଁ । ଗୋଟାଏ ନିର୍ଦ୍ଦିଷ୍ଟ ମତକୁ ନେଇ ଯେଉଁମାନେ ଯୁଦ୍ଧ କରିବାଲାଗି ପ୍ରସ୍ତୁତ ହୋଇଯାନ୍ତି ସେଥିଲାଗି ସେମାନଙ୍କ ସହିତ କଥା କହି କିଛି ହାସଲ କରିବାକୁ ମୋ’ର ଖୁବ୍‍ ବେଶୀ ବଳ ପାଏନାହିଁ ।

 

ମତ ପଛରେ ଗୋଟାଏ ମଣିଷ ରହିଥାଏ, ଗୋଟାଏ ଦୃଷ୍ଟିକୋଣ ରହିଥାଏ । ଏହା ଦୃଷ୍ଟିକୋଣକୁ ଏକ ଆକାର ଓ ପ୍ରତୀତି ଦେଇ କେତୋଟି ଦୃଷ୍ଟିଗତ ଦିଗ୍‌ବଳୟ ମଧ୍ୟ ରହିଥାଏ । କୌଣସି ବ୍ୟକ୍ତିଙ୍କର ମତକୁ ଶୁଣିଲାବେଳେ ମୁଁ ସେହି ସବୁ ଦିଗ୍‌ବଳୟକୁ ଯଥାସମ୍ଭବ ଅଧିକ ସମ୍ପୂର୍ଣ୍ଣ ଭାବରେ ଅବଲୋକନ କରିବାକୁ ଚେଷ୍ଟା କରେ । ସେହି ଅବଲୋକନରୁ ମୋତେ ନିଜକୁ ମଧ୍ୟ ଅନେକ ଖାଦ୍ୟ ମିଳେ ଅନେକ ବଳ ମିଳେ । ଆପଣାକୁ ଆହୁରି ଅଧିକ ସମଗ୍ର ଭାବରେ ବିଚାର କରିବାଲାଗି ଉତ୍ସାହ ମିଳେ । ମାତ୍ର, ଏସବୁ ଯାହା ହେଉ ପଛକେ, ଏକ ମତକୁ ସର୍ବମୂଳ ସମ୍ପତ୍ତି କରି ମୁଁ କେବେହେଲେ କୌଣସି ମଣିଷର ବିଚାର କରେ ନାହିଁ । ସେଇଥିଲାଗି, ମତ ଅଲଗା ହେବାମାତ୍ରକେ ମୁଁ କେବେ କୌଣସି ମଣିଷଠାରୁ ଅଲଗା ହୋଇ ପଳାଇ ଆସେନାହିଁ । କାରଣ, ଆପଣାର ମତ ବିଷୟରେ ମୋ’ ଭିତରେ ମୋଟେ କୌଣସି ଅହଙ୍କାର ନଥାଏ । ମୋ’ର ଅସଲ ଗୌରବ ମୋ’ ନିଜର ବାଟଟିକୁ ଚାଲିବାରେ; ତେଣୁ, ନିଜ ମତର ସାମ୍ରାଜ୍ୟ ବିସ୍ତାର କରିବାରେ ମୋ’'ର ଆଦୌ କୌଣସି ଆଗ୍ରହ ନଥାଏ ।

 

୨୬ । ୮ । ୮୨

 

ଭ୍ରମକୁ ଆମ ସ୍ଥାନୀୟତା ଗୁଡ଼ିକର ଜ୍ୟୋତିଷଶାସ୍ତ୍ରରେ ପ୍ରାୟ ଏକ ଦୁର୍ଯୋଗ ବୋଲି କୁହାଯାଇଥାଏ । ଭ୍ରମଣ ମୋତେ ଏକ ପରମ ସୁଯୋଗ ପରି ଲାଗେ । ଭ୍ରମଣ ଗୋଟାଏ ଅନ୍ୟପ୍ରକାର ରୁଟିନ, ଗୋଟିଏ ଅନ୍ୟପ୍ରକାର ସାକ୍ଷାତ୍‌କାର । ତାର ଦିଗ୍‌ବଳୟ ଗୁଡ଼ାକ ଅନେକ ପ୍ରଶସ୍ତ, ତାର ଆହ୍ୱାନଗୁଡ଼ାକ ମଧ୍ୟ ଅନେକ ପ୍ରେରଣାଦାୟକ ।

 

ଭ୍ରମଣ ସମ୍ପର୍କ ବଢ଼ାଏ । ଖାଲି ବାହାରେ ସମ୍ପର୍କଗୁଡ଼ାକୁ ଅଧିକତର ଯେ କରାଏ, କେବଳ ସେତିକି ନୁହେଁ, ଭିତରେ ମଧ୍ୟ ନିଜସହିତ ରହିଥିବା ସମ୍ପର୍କଗୁଡ଼ିକୁ ନିବିଡ଼ତର କରାଏ, ସ୍ପଷ୍ଟତର କରାଏ । ବାହାରର ଦର୍ପଣ ଉପରେ ଆପଣାକୁ ଦେଖିବା ଅନେକ ମଣିଷଙ୍କର ଭାଗ୍ୟରେ ପ୍ରାୟ ସମ୍ଭବ ହୁଏନାହିଁ । ଗୋଟାଏ ନିର୍ଦ୍ଦିଷ୍ଟ ଘରେ ବନ୍ଦ ହୋଇ ରହିଥିବା ପର୍ଯ୍ୟନ୍ତ ଅନେକ ମଣିଷ ସେହି କଥାଟିକୁ ମୋଟେ ସହଜରେ କରି ପାରନ୍ତିନାହିଁ । ତେଣୁ, ପ୍ରାୟ ଅତ୍ୟନ୍ତ ଏକପାଖିଆ ହୋଇ ଆପଣା ଭିତରଟାର ହିଁ ଦର୍ପଣ ଉପରେ ବାହାରଟାର ସମୀକ୍ଷା କରୁଥାନ୍ତି, ବାହାରଟାର ମୂଲ୍ୟାୟନ କରି ବସିଥାନ୍ତି । ଏମାନଙ୍କର ବାହାର ଭିତରେ କୌଣସିଟିର ବି ସମାଧାନ ହୋଇ ପାରେନାହିଁ । ତଥାକଥିତ ବାହାର ସଂସାରରେ ବିଚରଣ କରୁଥିଲେ ମଧ୍ୟ ଏହି ଲୋକମାନେ ତଥାପି ଆପଣାର କେତେଟା ପ୍ରାୟସତ୍ୟ ଭିତରେ ହିଁ ଛନ୍ଦି ହୋଇ ରହିଥାନ୍ତି । ଅଧିକ ଗଭୀରକୁ ଯିବାଲାଗି ଭୟ କରନ୍ତି ଅଧିକ ପ୍ରଶସ୍ତ ହେବାଲାଗି କୁଣ୍ଠିତ ହୁଅନ୍ତି । ଯେଉଁ ଗାରପାଖକୁ ଆସି ବାହାର ଓ ଭିତର ଗୋଟିଏ ତଦାତ୍ମକତରେ ଏକାଠି ହୋଇଯାଆନ୍ତି, ସେମାନେ ସେହି ଗାରଟିର କଳ୍ପନା ବି କରି ପାରନ୍ତିନାହିଁ । ଫଳରେ ସେମାନଙ୍କର ମୁହୂର୍ତ୍ତଗୁଡ଼ାକ ଭାରି ଗୋଡ଼ଛନ୍ଦା ହୋଇ ପଡ଼ି ରହିଥାନ୍ତି । ମୋ’ର ଘର ବାହାରଟାକୁ ମୋଟେ ଡରେନାହିଁ । ତେଣୁ, ମୁଁ ଅନେକ ଅହେତୁକ ସତର୍କତାରୁ ଆପଣାକୁ ରକ୍ଷା କରିବାରେ ସମର୍ଥ ହୁଏ ।

 

୨୭ । ୮ । ୮୨

 

ଆପଣା ଭିତରେ ନାନା ଛଦ୍ମତା ଦ୍ୱାରା ବୁଣା ହୋଇ ରହିଥିବା ଜାଲ ଭିତରଦେଇ ଯେଉଁମାନେ ଆକାଶଟିକୁ ଦେଖିବାକୁ ଇଚ୍ଛା କରନ୍ତି, ସେମାନେ ବି ଭାରି ଜାଲଜାଲୁଆ କରିପକାନ୍ତି-। କୌଣସି ସାନ ଜଳାଶୟ ଉପରେ ଯେତେବେଳେ ଆକାଶର ପ୍ରତିଫଳନ ହେଉଥାଏ, ସେତେବେଳେ ହୁଏତ ଜଳାଶୟ ଆପଣାକୁ ମୋଟେ ଦେଖି ପାରୁନଥିବ, —ଆପଣାର ସାନ ଦେହଟିରେ ଯାହାର ପ୍ରତିଫଳନ ହୋଇଛି, ତାହାରି ଭିତରେ ସିଏ ଆପଣାକୁ ଭୁଲି ଯାଉଥିବ-। ସିଏ ଆପଣାକୁ ଠିକ୍‌ ଆକାଶ ପରି ଅନୁଭବ କରୁଥିବ ।

 

ମଣିଷମାନଙ୍କ ଭିତରେ ଅନେକ ସମୟରେ ଏପରି ଅନେକ ଥାଆନ୍ତି, ଯେଉଁମାନେ କି ଜାଲ ଦେଇ ଆକାଶକୁ ଧରି ଆଣିବାକୁ ଚାହାନ୍ତି । ସେମାନେ ଆପଣାର ଜାଲଟି ମଧ୍ୟରେ ଆକାଶକୁ ବାନ୍ଧି ରଖିବାକୁ ମନ କରୁଥାନ୍ତି । ନିଜର ବଡ଼ ଜାଲଟା ଭିତରେ ସାନ ଆକାଶଟିକୁ ଦେଖି ସେମାନେ ସତେଅବା ଭାରି ଦୁଷ୍ଟ ଅନୁଭବ କରନ୍ତି । ଏଭଳି ମଣିଷମାନେ କେବେହେଲେ ଆକାଶର ଭାଜନ ହୋଇ ପାରନ୍ତିନାହିଁ । ଚାରିପାଖର ଆକାଶ ଭିତରେ ଏମାନେ ଆପଣାକୁ ହିଁ ସବୁଠାରୁ ବଡ଼ କରି ଦେଖୁଥାନ୍ତି । ତେଣୁ, ଅସଲ ଆଶୀର୍ବାଦ ଅର୍ଥାତ୍‍ ଅସଲ ଉନ୍ମୋଚନର ଆଦୌ ଯୋଗ୍ୟ ହୋଇ ପାରନ୍ତିନାହିଁ । ଆପଣାର ଜାଲକୁ ସେମାନେ କେତେ ସୁନା ଆଉ ରୂପା ଦେଇ ମଣ୍ଡାଇ ରଖିବାକୁ ଇଚ୍ଛା କରୁଥାନ୍ତି । ସେହି ଜାଲର ମଝିରେ ସବୁଠାରୁ ଅଧିକ ମୂଲ୍ୟର ଗୋଟିଏ ଖଟୁଲି ଉପରେ ସେମାନେ ଶାସ୍ତ୍ରରେ ପଢ଼ିଥିବା ଯାବତୀୟ ଆକାଶକୁ ବାନ୍ଧି ରଖିଥାନ୍ତି; ସେମାନେ ତାକୁ ଠାକୁର ବୋଲି କହନ୍ତି । ମାତ୍ର ଆପେ ସେହି ଖଟୁଲିରେ ମାଲିକ ହୋଇ ବସିଥାନ୍ତି । ଏମାନେ ଆକାଶକୁ ନାନା ଦଉଡ଼ି ଦେଇ ଖୁଣ୍ଟରେ ବାନ୍ଧି ରଖିପାରିଲେ ବୋଲି କେତେ ଖୁସି ହେଉଥାନ୍ତି; ମାତ୍ର ଆକାଶଠାରୁ ବଞ୍ଚିତ ହୋଇ ରହିଥାନ୍ତି, ତେଣୁ ଆପଣା ପାଖରେ ଭାରି ପ୍ରବଞ୍ଚିତ ହୋଇ ରହିଥାନ୍ତି ।

 

୩ । ୯ । ୮୨

 

ଗୋଟାଏ ଦେଶରେ ଯେ ଏତେଗୁଡ଼ାଏ ଗାଆଁ ରହିଛି ଓ ଏତେ ଅଧିକ ସଂଖ୍ୟାରେ ଅସହାୟ ମଣିଷମାନେ ଅଛନ୍ତି, ଦାରୁଣ କନ୍ୟା ନଦୀବନ୍ଧ ଭାଙ୍ଗି ଜୀବନକୁ ଉଚ୍ଛନ୍ନ କରିବା ସମୟରେ ଯାଇ ଅନେକ ମଣିଷଙ୍କୁ ସେକଥା ଜଣାପଡ଼େ । ତାପୂର୍ବରୁ ଶାସକମାନେ ଶାସନ କରୁଥାନ୍ତି । ନେତାମାନେ ଅଧିକ କ୍ଷମତାର ଲୋଭକୁଣ୍ଡ ଗୁଡ଼ାକରେ କେଡ଼େ ପ୍ରତାପର ସହିତ ଜୁଡ଼ୁଜୁଡ ହୋଇ ଦଉଡ଼ିବାରେ ଲାଗିଥାନ୍ତି । ସମସ୍ତେ ବାବୁ ହୋଇ ବାବୁଗିରିଗୁଡ଼ାକୁ ଜାହିର କରିବାରେ ଲାଗି ପଡ଼ିଥାନ୍ତି । ସହରଗୁଡ଼ାକରେ ଯେଉଁମାନେ ରହିଥାନ୍ତି, ସେମାନେ ସତେଅବା ଉପନିବେଶଗୁଡ଼ାକୁ ମନେ ପକାଇବା ପରି ଗାଆଁକୁ ମନେ କରିଥାନ୍ତି ।

 

ଆମ ଦେଶରେ ଆଗ ନଦୀବନ୍ଧ ଭାଙ୍ଗି ଗାଆଁ ଭିତରକୁ ପାଣିସୁଅ ଛୁଟିଲେ ଯାଇ ସରୁ ସରୁ ଦୟାର ସୁଅ ଗାଆଁକୁ ଛୁଟିବାକୁ ଆରମ୍ଭ କରେ । ସହରର ଦୟାଳୁ ଲୋକମାନେ ସେତେବେଳେ ସତେଅବା ବିଚିତ୍ରବୀର୍ଯ୍ୟ ମାନଙ୍କର ରୂପଧରି ଗାଆଁକୁ ଦଉଡ଼ନ୍ତି । ଗୋଟାଏ ସ୍ୱାଧୀନ ଦେଶରେ ଦୀର୍ଘ ପଇଁତିରିଶ ବର୍ଷ ହେଲା ଏତେ ମଣିଷ କାହିଁକି ଯେ ଏଭଳି ଅସହାୟ ଅବସ୍ଥାରେ ଅଛନ୍ତି, ସେକଥା ଆଗରୁ କେହି ଭାବି ନଥାନ୍ତି ଅଥବା ପାଣି ଛାଡ଼ିଗଲା ପରେ ମଧ୍ୟ କେହି ଭାବିବାଲାଗି ଉଚିତ ମନେ କରନ୍ତିନାହିଁ । ଗାଆଁ ମଣିଷମାନେ ବି କେଡ଼େ ନିଦକ ଓ ନିରାସକ୍ତ ଭାବରେ ନିଜର ପୁରୁଣା ଭାଗ୍ୟଗୁଡ଼ାକୁ ଧରି ପଡ଼ି ରହିଥାନ୍ତି । ଶକ୍ତିଗୁଡ଼ାକ ସେମାନଙ୍କର ପେଟ ଭିତରେ କୁଆଡ଼େ ଦବିକରି ରହିଥିବା ପରି ରହିଥାଏ । ବିପଦରେ ପଡ଼ିବା ସମୟରେ ଯାଇ ସେମାନଙ୍କର କିଛି ଜୀବନ ଅଛି ବୋଲି ଜଣାପଡ଼େ ।

 

୫ । ୯ । ୮୨

 

ଗୁରୁ କେହି ନାହାନ୍ତି, ଆମେ ସମସ୍ତେ ଛାତ୍ର । ଅସଲ ଦୃଷ୍ଟିକୋଣଟି ଗୁରୁମାନଙ୍କୁ ଆବିଷ୍କାର କରି ସେମାନଙ୍କ ନାଆଁରେ ଦିନ ପାଳି ସେମାନଙ୍କର ପୂଜା କରିବାର ଦୃଷ୍ଟିକୋଣ ନୁହେଁ । ଅସଲ ଦୃଷ୍ଟିକୋଣ ହେଉଛି ନିଜକୁ ଛାତ୍ର ବୋଲି ଅନୁଭବ କରିବାର ଦୃଷ୍ଟିକୋଣ, ଆପଣାକୁ ସତତ ଗ୍ରହଣଶୀଳ କରି ରଖି ଶତନେତ୍ର ଓ ସହସ୍ରଦ୍ୱାର ହୋଇ ବାଟ ଚାଲିବାର, ଡୋର ଲଗାଇବାର ଏବଂ ଆତ୍ମୀୟତାର ଦୃଷ୍ଟିକୋଣ । ଯେଉଁ ତଥାକଥିତ ଗୁରୁ ଆପଣାକୁ ତଥାପି ମୂଳତଃ ଜଣେ ଛାତ୍ର କରି ରଖିପାରିଛି, ସେଇ ହେଉଛି ଅସଲ ଗୁରୁ । ସିଏ ଛାତ୍ରମାନଙ୍କଠାରୁ ପୂଜା ଲୋଡ଼ିବନାହିଁ, ଆପଣାର ଛାତ୍ରମାନଙ୍କ ପାଖରେ ସିଏ ଅନେକ କାରଣରୁ କୃତଜ୍ଞ ହୋଇ ରହିବ । ନିଜେ ପୂଜା ପାଇବ ବୋଲି ସିଏ ଦେଶସାରା ଗୋଟାଏ ଦିନର ନିର୍ଦ୍ଧାରଣ କରି ଦେବାଲାଗି ମୋଟେ ମନ କରିବନାହିଁ । ତା’ର ସବୁ ଦିନଗୁଡ଼ିକ ନିର୍ମଳ ଗ୍ରହଣ ଓ ନିର୍ମଳ ପରିଚୟର ଦିନ ହୋଇ ରହିଥିବ ।

 

ଗୁରୁ ଦିବସରେ ମୁଁ ଆଜି ମୋ’ର ଛାତ୍ରମାନଙ୍କୁ ହିଁ ପ୍ରଣାମ ଜଣାଇ ଆସିବି । ସେମାନେ ଯେ ମୋତେ ଏଡ଼େ ଆଦରରେ ଏତେ ସୁଯୋଗ ଦେଲେ, ମୋତେ ସତତ ଗ୍ରହଣଶୀଳ ହୋଇ ରହିବା ସକାଶେ ଏଡ଼େ ଉତ୍ସାହ ଦେଲେ, ମୋତେ ବୁଢ଼ା ହେବାରୁ ବଞ୍ଚାଇ ରଖିଲେ, ମୁଁ ସେଥିଲାଗି ସେମାନଙ୍କ ପାଖରେ ଅନେକ କୃତଜ୍ଞ ହୋଇ ରହିବି । ତଥାକଥିତ ଛାତ୍ରମାନଙ୍କୁ ଆପଣାର ସତୀର୍ଥ ଏବଂ ସହପଥଚାରୀ ରୂପେ ଅନୁଭବ କରିବା, ଏହାହିଁ ଗୁରୁର ସବୁଠାରୁ ବଡ଼ ସୌଭାଗ୍ୟ । ସେହି ସୌଭାଗ୍ୟରୁ ମୁଁ ଯେପରି କେବେହେଲେ ବଞ୍ଚିତ ହୋଇ ନରହେ । ମୋ’ର ଛାତ୍ରମାନଙ୍କୁ ମୁଁ ଯେପରି କେବେହେଲେ ଈର୍ଷା ନକରେ, ସେମାନଙ୍କ ଠାରୁ ଦୂରଛଡ଼ା ହୋଇ ଠିଆ ହୋଇ ସେମାନଙ୍କ ଅପେକ୍ଷା ଉଚ୍ଚ ବୋଲି ଦିଶିବାର ବଡ଼ାଇ ନକରେ ।

 

୬ । ୯ । ୮୨

 

ଅସଲ କଥା ବ୍ରହ୍ମଚର୍ଯ୍ୟ ନୁହେଁ, ଅସଲ କଥା ହେଉଛି love, ଭଲ ପାଇବା, ଆତ୍ମୀୟତା ଅର୍ଜନ କରିବା, ଅର୍ଥାତ୍‍ ଆପଣାକୁ ଦେବା ଏବଂ ସେହି ଦେବାର ମାଧ୍ୟମରେ ଏକ ଅଭେଦତା ଅର୍ଜନ କରିବା । ଗୋଟାଏ ସ୍ତର ରହିଛି, ଯେଉଁଠାରେ କି ଏହି love ଅର୍ଥାତ୍‍ ଅନ୍ତରଙ୍ଗ ବୋଧ ହିଁ ଅସଲ ବ୍ରହ୍ମଚର୍ଯ୍ୟା ବା ବ୍ରହ୍ମଚାରଣାରେ ପରିଣତ ହୋଇଯାଏ । ସେହିଠାରେ ପହଞ୍ଚି ଦୂରତାଗୁଡ଼ାକ କଟେ, ଗଣ୍ଠିଗୁଡ଼ାକ ଫିଟେ । ତେଣୁ ସଂଶୟ ଯାଏ ।

 

ସାଧାରଣତଃ ବୈରାଗ୍ୟଧର୍ମୀ ଆଚାରୀମାନେ ବ୍ରହ୍ମଚର୍ଯ୍ୟକୁ ଯେଉଁ କ୍ଷୁଦ୍ରାୟତନ ଅର୍ଥରେ ବୁଝିଥାନ୍ତି, ତାହା ମଣିଷକୁ ଅଧକରୁ ଅଧିକ ବାନ୍ଧି ରଖେ, ହୁଏତ ଅଲଗା କରି ରଖେ । ଏକୁଟିଆ ହୋଇ ବାଟ ଚାଲିବାର ସପକ୍ଷରେ ଏକ ଉତ୍ତେଜନା ସୃଷ୍ଟି କରେ । ସେହି ଉତ୍ତେଜନା ଅନେକ ସମୟରେ ଏକ ଘୃଣାକୁ ଜନ୍ମ ଦିଏ ଏବଂ ସେହି ଘୃଣା ଆତ୍ମୀୟତା-ଅର୍ଜନର ଅନ୍ତରାୟ ରୂପେ କାର୍ଯ୍ୟ କରେ । ଫଳରେ ଜୀବନର ନମନୀୟତା ଚାଲିଯାଏ, ଏକ କଠୋରତା ହିଁ ସବୁଠାରୁ ବଡ଼ ସନ୍ତକ ବୋଲି ଆପଣାକୁ ଦେଖାଇ ହେବାରେ ଲାଗିଥାଏ । ଏହାଦ୍ୱାରା ଅଲଗା ହୋଇ ଆପଣାକୁ ମୁଣ୍ଡାଇ ରଖୁଥିବା ବାବାଜୀ ହୁଏତ ବହୁସଂଖ୍ୟାରେ ମିଳିଯାଆନ୍ତି, —ମାତ୍ର ସଂସାରରେ ଭଲ ପାଇବା ବଢ଼େନାହିଁ, ଗୋଟାଏ ଆତ୍ମୀୟତାକୁ କାଟିଲେ ଯାଇ ଆଉଗୋଟିଏ ଆତ୍ମୀୟତା ଯଥାର୍ଥରେ ବଢ଼ିପାରିବ ବୋଲି ଏକ ଭ୍ରମର ଅବତାରଣା କରାଯାଏ । ତା’ପରେ ବ୍ରହ୍ମଚର୍ଯ୍ୟକୁ ନାନା ଶାଖାରେ ବିଭକ୍ତ କରାଯାଏ, ନାନା ଭେକରେ ଚିହ୍ନାଇ ଦିଆଯାଏ । ତାହାକୁ ତୁଚ୍ଛା ଶରୀରସ୍ତରର କେତେଟା ଶ୍ରମ କରାମତି ଭିତରକୁ ଓହ୍ଲାଇ ଅଣାଯାଏ । ସେହି କରାମତିକୁ ନେଇ ପ୍ରତିଯୋଗିତା ହୁଏ, ବାବାଜୀ ସଂସାରୀକୁ ଦେଖି ହସିବାଲାଗି ଅନେକ ଅବସର ପାଏ । ବ୍ରହ୍ମଚାରଣା ଆଉ ଚାରଣା ହୋଇ ନରହି କବାୟଦ ବା ଡ୍ରିଲରେ ପରିଣତ ହୋଇଯାଏ ।

 

୭ । ୯ । ୮୨

 

ବନ୍ଧୁ କହିଲେ, ଓଡ଼ିଶା ଉପରକୁ ଭଗବାନଙ୍କର କି କ୍ରୋଧ କେଜାଣି, ଭଗବାନ ଓଡ଼ିଶାକୁ ଏହି ବିଭୀଷିକାମୟ ବନ୍ୟା ଭୋଗାଇବାକୁ ମନ କଲେ । ମୁଁ କହିଲି, ଭଗବାନ କ୍ରୋଧ କରି ପାରନ୍ତି ନାହିଁ । କ୍ରୋଧୀ ମଣିଷ ପରସ୍ପରଠାରୁ ଡୋର ଛିଡ଼ାଇ ବସିଥିବା ମଣିଷ ଓ ନିଜେ ନାନା ପାପରେ ଲାଲସୀ ହୋଇ ନିଜ ଉପରେ କ୍ରୋଧ କରି ଆପଣାର ଅବନୈତିକ କର୍ତ୍ତବ୍ୟଟିକୁ ସମ୍ପାଦନ କରିଦେଉଛି ବୋଲି ଭାବୁଥିବା ମଣିଷ ହିଁ ଭଗବାନଙ୍କଠାରେ କ୍ରୋଧର ଆରୋପ କରେ, ମଣିଷର କେତେ କେତେ ଗୁଣ ଅଥବା ଦୁର୍ଗୁଣକୁ ନେଇ ସିଏ ଭଗବାନଙ୍କଠାରେ ଥାପିଦିଏ ।

 

ଭଗବାନ କ୍ରୋଧ କରନ୍ତିନାହିଁ, ଭଗବାନ ଭଲ ପାଆନ୍ତି । ସିଏ କଦାପି ଛାଡ଼ି ଚାଲିଯାଆନ୍ତି ନାହିଁ, ଏଇଠି ଆମରି ପାଖରେ ଥାଆନ୍ତି । ଆମେ ଅସନାଗୁଡ଼ାକୁ ନେଇ ଏତେ ବ୍ୟସ୍ତ ହୋଇ ରହିଥାଉ ଯେ, ଆମେ ତାଙ୍କୁ ମୋଟେ ଦେଖି ପାରୁନାହିଁ । ସିଏ ଆମ ଘର ଭିତରକୁ ଆସିଲେ ଆମକୁ ଲାଜ ମାଡ଼ିବ ବୋଲି ଆମେ ତାଙ୍କୁ ଆମଠାରୁ ନାନା ଆଳରେ ଦୂରରେ ରଖିବାକୁ କେତେ ପ୍ରୟାସ କରିବାରେ ଲାଗିଥାଉ । ତଥାପି ସିଏ କ୍ରୋଧ କରନ୍ତି ନାହିଁ । ଆମେ ହିଁ କ୍ରୋଧ କରୁ ଏବଂ ନିଜ ଉପରେ ଦୋଷଗୁଡ଼ାକୁ ଆରୋପିତ କରି ନପାରୁଥିବା ହେତୁ ଭଗବାନଙ୍କ ଉପରେ ତାହାର ଆରୋପ କରୁ । ଯାବତୀୟ ସମୟରେ ଯେ ଆମେ ଭଗବାନଙ୍କୁ ମନେ କରି ପାରୁଛୁ, ତାହାହିଁ ପ୍ରମାଣ କରି ଦେଉଛି ଯେ ଭଗବାନ ଆମର ପାଖେ ପାଖେ ରହିଛନ୍ତି । ଆମେ ଚାହିବା ମାତ୍ରକେ ତାଙ୍କୁ ସ୍ୱୀକାର କରିନେଇ ପାରିବା, ଆପଣାର ଭିତରେ ଓ ପରସ୍ପର ଭିତରେ ତାଙ୍କୁ ସ୍ୱୀକାର କରିନେଇ ପାରିବା ।

 

୮ । ୯ । ୮୨

 

ଏମାନେ ସମସ୍ତେ ପରସ୍ପର ବିରୁଦ୍ଧରେ ଲଢ଼ିଲେ, ପରସ୍ପର ବିରୁଦ୍ଧରେ ବ୍ୟୂହ ରଚନା କଲେ । ଏହିପରି ଭାବରେ ରାଜନୀତିର ଏକ ନୂଆ ସଂଜ୍ଞା ବାହାର କଲେ । ତେଣୁ ଦାରିଦ୍ର୍ୟ, ଅସହାୟତା ଏବଂ ଅକିଞ୍ଚନତା ବିରୁଦ୍ଧରେ ଲଢ଼ାଇ କରିବାଲାଗି ଏମାନଙ୍କର ଆଉ କୌଣସି ବଳ ରହିଲାନାହିଁ ।

 

ମଣିଷ ଯେତେବେଳେ କେବଳ ନିଜ ବ୍ୟତୀତ ଆଉ କିଛିହେଲେ ଦେଖି ପାରେନାହିଁ, ସେତେବେଳେ ସିଏ ପରସ୍ପର ବିରୁଦ୍ଧରେ ଲଢ଼ିବାକୁ ହିଁ ସର୍ବପ୍ରଥମ କାମ୍ୟ ବୋଲି ଗ୍ରହଣ କରିନିଏ । ସେତେବେଳେ ସ୍ୱାର୍ଥ ହିଁ ପରମ ଅର୍ଥରେ ପରିଣତ ହୁଏ । ପରମାର୍ଥଗୁଡ଼ାକ ଗୋଟାଏ ଗୋଟାଏ କଥାରେ ପରିଣତ ହୁଅନ୍ତି, ମୂର୍ତ୍ତିରେ ପରିଣତ ହୋଇ ମନ୍ଦିର ଭିତରେ ପୂଜା ପାଆନ୍ତି । ମଣିଷ ସତେଅବା ନିଜର ଅସଲ ସତ୍ୟଟି ଠାରୁ ପରିତ୍ୟକ୍ତ ହୋଇ ରହିଥାଏ । ଆପଣା ପାଖରେ ଅସ୍ଵୀକୃତ ହୋଇ ରହିଥାଏ । ହୁଏତ ସେଇଥିଲାଗି ହିଁ ମଣିଷ ପରସ୍ପରକୁ ବି ଚିହ୍ନିପାରେ ନାହିଁ । କେବଳ ପରସ୍ପରକୁ ଖାଇଯିବାକୁ ହିଁ ଏକମାତ୍ର ଧର୍ମସମାଧାନ ବୋଲି ବିଚାର କରେ । ବର୍ତ୍ତମାନ ଆମ ଦେଶରେ ପ୍ରାୟ ସେଇଆ ହେଉଛି । ସେଇଥିଲାଗି ଏଠାରେ ଦେଶର ମଣିଷମାନେ ସତେଅବା ପରସ୍ପର ବିରୁଦ୍ଧରେ ବିଭକ୍ତ ହୋଇ ରହିଛନ୍ତି । ଗୋଟାଏ ପାଖ ଯେତିକି ଅସହାୟ ହେଉଛି, ଅନ୍ୟ ପାଖଟା ସେତିକି ଉଗ୍ର ହେବାରେ ଲାଗିଛି । ଧର୍ମଗୁଡ଼ାକ ଆଚରଣକୁ ଛା ପ୍ରାୟ ସେହି ଉଗ୍ରତାଗୁଡ଼ାକୁ ବଢ଼ାଇବାରେ ହିଁ ଅଧିକ ସାହାଯ୍ୟ କରୁଛି । ଅନେକ ସମୟରେ ଉଗ୍ରତାମାନେ ହିଁ ଆପଣାକୁ ସଂସ୍କୃତି ବୋଲି ସାବ୍ୟସ୍ତ କରିବାଲାଗି କେତେ ପ୍ରକାରେ ବେଶ ହୋଇ ବାହାରୁଛନ୍ତି । ତଥାପି ଅସହାୟତା ଗୁଡ଼ାକ ବଢ଼ି ବଢ଼ି ଚାଲିଛି । ନେତୃତ୍ୱଗୁଡ଼ାକ ସତେଅବା ମୁହଁ ବୁଲାଇ ବସିଛନ୍ତି-

 

୧୭ । ୯ । ୮୨

 

ଦେହପ୍ରତି ମୋହ କମିଲେ ଦେହପ୍ରତି ଅତ୍ମୀୟତା ବଢ଼େ । ନିଜର ଦେହ ଯେତେଦିନ ଯାଏ ସତେଅବା ନିଜର ଗୋଟାଏ ସମ୍ପତ୍ତି ପରି ମନେ ହେଉଥାଏ, ସେତେଦିନ ଯାଏ ଦେହକୁ କେତେ ପ୍ରକାରର ମୋହ ଭାରି ନିର୍ମମ ଭାବରେ ମାଡ଼ି ବସିଥାନ୍ତି । ସେହି ମୋହଗୁଡ଼ାକୁ ଡେଇଁ ଯିବାକୁ ହୁଏ । ମୋହଗୁଡ଼ାକୁ ଡେଇଁବା ଲାଗି ଆପଣାର ଦେହଟାକୁ ମଧ୍ୟ ଆପଣାର ଯାତ୍ରାରେ ସହଚରରୂପେ ଗ୍ରହଣ କରି ନେବାକୁ ହୁଏ, ସହଚର ପରି ଅନୁଭବ କରିବାକୁ ହୁଏ । ଆପଣାର ଦେହପ୍ରତି ପ୍ରଧାନତଃ ଏକ ମୋହଦୃଷ୍ଟି ରହିଥିବା ପର୍ଯ୍ୟନ୍ତ ଦେହକୁ ବିଶେଷ ଭାବରେ କେତେ ପ୍ରକାରର ରୋଗ ମାଡ଼ି ବସିଥାନ୍ତି । ଏବଂ ମୋହମୁକ୍ତ ହେଲେ ସେହିସବୁ ରୋଗରୁ ଅବ୍ୟାହତି ମିଳେ ।

 

ଏହି ସମ୍ପୂର୍ଣ୍ଣ ଆକାଶ, ସମ୍ପୂର୍ଣ୍ଣ ପବନ ଓ ସମ୍ପୂର୍ଣ୍ଣ ଆଲୋକ ଭିତରେ ଆପଣାର ଦେହଟିକୁ ଯଥାସମ୍ଭବ ଅଧିକ ସମଗ୍ର ଭାବରେ ଦେଖିବା ଯେତେବେଳେ ସମ୍ଭବ ହୁଏ, ସେତେବେଳେ ଦେହ ସହିତ ଏକ ମୋହମୁକ୍ତ ଆତ୍ମୀୟତାର ସମ୍ବନ୍ଧ ରହିଥିବାର ଅନୁଭବ କରିବା ମଧ୍ୟ ସମ୍ଭବ ହୋଇଯାଏ-। ଦେହକୁ ସମଗ୍ର ଭାବରେ ଦେଖିଲାବେଳେ ଦେହ ମୋଟେ ଖାଲି ଦେହପରି ମନେ ହୁଏନାହିଁ-। ମୋ’ର ଯାବତୀୟ ଅନୁରାଗର ସର୍ବମୂଳ ଚେରଗୁଡ଼ିକ ସତେଯେପରି ଦେହର ଭୂମିଟିକୁ ଲାଗିକରି ରହିଥିବା ପରି ଅନୁଭବ ହେଉଥାଏ ଓ ତେଣୁ ମୋ’ର ଅନୁରାଗ ଗୁଡ଼ିକ ସେହି ଦେହର ଭୂମିରେ ପରୀକ୍ଷିତ ହେବାରେ ମଧ୍ୟ ଲାଗିଥାନ୍ତି । ଅନେକ ମଣିଷ ଅନ୍ୟାନ୍ୟ ଭୂମିରୁ ପଳାଇ ଆସି ନାନା କାରଣରୁ ଦେହର ଭୂମିରେ ଆଶ୍ରୟ ନିଅନ୍ତି, ଦେହ ସମସ୍ତଙ୍କ ମୂଳରେ ରହିଛି ବୋଲି ତାହାକୁ ହିଁ ସର୍ବସ୍ଵ ବୋଲି ଆବୋରି ରହିଥାନ୍ତି । ସେମାନେ ଦେହର ମୋହରେ ପଡ଼ିଯାଆନ୍ତି । ସେମାନଙ୍କ ଜୀବନର ଯାବତୀୟ ଭଲମୂଳତଃ ଏକ ଦେହଗତ କାତରତାର ସ୍ତରରେ ହିଁ ପଡ଼ି ରହିଥାଏ-

 

୨୫ । ୯ । ୮୨

 

ଆଶାବାଦ ଆଦୌ ଏକ ବାଦ ନୁହେଁ, —ଏହା ହେଉଛି ଜୀବନର ଏକ ସମଗ୍ର ଦୃଷ୍ଟିକୋଣ । ଆଶାବାଦକୁ ଆପଣାର ଏକ ବାଦ ବୋଲି ଗ୍ରହଣ କରି ସଂସାରରେ କେହି ଆଶାବାଦୀ ହୁଅନ୍ତିନାହିଁ, ଭିତରେ ବିଶ୍ୱାସ ବଢ଼ିଲେ ହିଁ ମନୁଷ୍ୟ ଆଶାବାଦୀ ହୋଇଥାଏ ।

 

ଅନେକ ମଣିଷ ଏହି ସଂସାରରେ ଆପଣା ଚାରିପାଖରେ ଗୋଟିଏ ପାଚେରୀ ତିଆରି କରି ରଖିଥାନ୍ତି । ସେମାନେ ତାହାରି ଭିତରେ ନିଜକୁ ସୁରକ୍ଷିତ କରି ରଖିବାକୁ ଇଚ୍ଛା କରୁଥାନ୍ତି । ଆପଣାର ପ୍ରାୟ ସକଳ ଉଦ୍ୟମକୁ ହିଁ ସେଇଥିଲାଗି ଉଦ୍ଦିଷ୍ଟ କରି ରଖିଥାନ୍ତି । ସୁରକ୍ଷାକୁ ହିଁ ଜୀବନର ସର୍ବପ୍ରଥମ ଆବଶ୍ୟକତା ଓ ତେଣୁ ଧର୍ମ ବୋଲି ମଣୁଥାନ୍ତି । ଏହିପରି ଲୋକମାନେ ହିଁ ସାଧାରଣତଃ ନିରାଶାବାଦୀ ହୁଅନ୍ତି । ଏମାନେ ଆପଣାକୁ ଦେବାକୁ ଇଚ୍ଛା କରନ୍ତିନାହିଁ । କେବଳ ଦୂରରେ ଥାଇ, ବାହାରେ ଥାଇ ବୁଦ୍ଧି ଦେଇ ସଂସାରକୁ ଦେଖନ୍ତି । ତେଣୁ ସମଗ୍ରଟି ସହିତ ଆପଣାକୁ ଗଅଁଠାଇ ଆଦୌ ଦେଖି ପାରନ୍ତିନାହିଁ । ସଂସାର ସହିତ ବାନ୍ଧିହେବାକୁ ହିଁ ଆତ୍ମୀୟତା ବୋଲି ଅନୁଭବ କରି ପାରନ୍ତି ନାହଁ । ସେମାନେ ଅନ୍ଧାର ଦେଖନ୍ତି । ଖଳତାଗୁଡ଼ାକୁ ସବାଆଗ ଦେଖନ୍ତି । ଅନ୍ତର ଭିତରେ ଯେଉଁ ପରମ ‘ଅସ୍ତି’ ନିବାସ କରୁଥାଏ, ସେମାନେ ମହାବୁଦ୍ଧି ହୋଇ ସେଇଟିକୁ ଦେଖୁଥିଲେ ମଧ୍ୟ ପ୍ରାୟ ନଦେଖିବା ପରି ଭ୍ରାଣ କରୁଥାନ୍ତି । ଆଶାବାଦକୁ ସେମାନେ ପ୍ରଧାନତଃ ଏକବାଦ ବୋଲି ମଣନ୍ତି । କାହା ଭିତରେ ବିଶ୍ୱାସ, ସ୍ୱୀକୃତି ଓ ଭାବତ୍ମକତା ଭର୍ତ୍ତି ହୋଇ ରହିଥିବାର ଦେଖିଲେ ସେମାନେ ତାହାକୁ ସତେଅବା ଗୋଟିଏ ବାଦର ପରିମାଣ ବୋଲି ବୁଝନ୍ତି । ଏମାନେ ଅସଲ ରଜ୍ଜୁଗୁଡ଼ିକୁ ଲୁଚାଇ ରଖିଥାନ୍ତି ।

 

୨୯ । ୯ । ୮୨

 

ଇସ୍ରାଏଲ୍‌ ଦେଶରେ ସୈନିକ ଯିଏ, ଶାସକ ସିଏ । ସେଠି ବର୍ତ୍ତମାନର ଶାସକମାନେ ଏକଦା ସୈନିକ ଥିଲେ । ସେନାବାହିନୀ ଦ୍ୱାରା ହିଁ ଯେ ଏହି ସଂସାରରେ ସର୍ବୋଚ୍ଚ ମୀମାଂସାଗୁଡ଼ିକ ହୋଇ ପାରିବ, —ସେମାନେ ସବାଆଗ ସେହି ଶିକ୍ଷାଟିକୁ ଗ୍ରହଣ କରି ତଜ୍ମନିତ ଯାବତୀୟ ପରିପକ୍ଵତା ଏବଂ ଅନମନୀୟତାକୁ ସାଙ୍ଗରେ ଧରି ଏବେ ଶାସନ ଭିତରକୁ ଆସିଛନ୍ତି । ଇସ୍ରାଏଲ୍‌ ରାଜନୀତିରେ ସମ୍ଭବତଃ ସେଇଥିଲାଗି ପ୍ରାୟ ସମସ୍ତେ ସେହି ସୈନିକର ସର୍ବମୂଳ ଦୃଷ୍ଟି ଉପରେ ନିର୍ଭର କରି ହିଁ ଆପଣାକୁ ପରିଚାଳିତ କରିଥାନ୍ତି । ଆପଣାର ପରିବେଶକୁ ଶତାବ୍ଦୀ ଶତାବ୍ଦୀ ଧରି ମୁଖ୍ୟତଃ ଏକ ଭୟର ପରିବେଶ ରୂପେ ଅନୁଭବ କରିଥିବାରୁ ହିଁ ହୁଏତ ଇସ୍ରାଏଲରେ ସମସ୍ତଙ୍କୁ ଉଗ୍ର ହେବାର ଏକ ନିର୍ମମ ଶିକ୍ଷା ଦିଆଯାଇଛି । ଇସ୍ରାଏଲର ରାଜନୀତିକୁ ସୈନିକମାନଙ୍କର କବଳରୁ ମୁକ୍ତ କଲେ ଯାଇ ଇସ୍ରାଏଲ୍‌ ପ୍ରକୃତିସ୍ଥ ହୋଇ ପାରିବ । ତା’ପରେ ଯାଇ ସେଠାରେ ସହଜୀବନର ଅସଲ ଆକାଶଗୁଡ଼ିକ ଦେଖାଯିବାକୁ ଆରମ୍ଭ କରିବ ।

 

ଇସ୍ରାଏଲ୍‌ ନାମରେ ଶାସନ ଓ ରାଜନୀତିର ମୁଖା ପିନ୍ଧିଥିବା ଓ କେବଳ ଖଡ଼୍‌ଗ ଉପରେ ବିଶ୍ୱାସ କରୁଥିବା ସୈନ୍ୟମାନେ ବର୍ତ୍ତମାନ ଯାହା କରୁଛନ୍ତି, ସେଗୁଡ଼ାକୁ ଦେଖି ମୋ’ର ବାରବାର ମାର୍ଟିନ ବୁବର ଓ ଅର୍ନଷ୍ଟିସିମନଙ୍କ କଥା ମନେପଡ଼ୁଛି । ପ୍ରାୟ ତିରିଶବର୍ଷ ତଳେ ମୁଁ ଇସ୍ରାଏଲରେ ଏହିମାନଙ୍କୁ ହିଁ ସେହି ଦେଶର ଅସଲ ଆତ୍ମୀକ ପ୍ରତିନିଧି ବୋଲି ଗ୍ରହଣ କରିଥିଲି । ସେମାନେ କ’ଣ ଗୋଟାସୁଦ୍ଧା ଇସ୍ରାଏଲର ମନ ଭିତରୁ ବିତାଡ଼ିତ ହୋଇ ରହିଲେ ? ତେବେ ଏ ସୈନ୍ୟମାନଙ୍କୁ ମୁଣ୍ଡାଇ ଇସ୍ରାଏଲ ଏକ ସମୂହ ହିସାବରେ ପୃଥିବୀରେ ପ୍ରକୃତରେ ଆଉ କେତେ ବାଟ ଚାଲିପାରିବ, ମୁଁ ନିଜକୁ ସେହିକଥା ପଚାରୁଛି ।

 

୧୩ । ୧୦ । ୮୨

 

ଆମେ ଡାକିଲେ ଭଗବାନ ସତେଯେପରି ସବୁ କାମ ଛାଡ଼ି ସବାଆଗ ଆମକୁ ଆମ ଦୁଃଖରୁ ରକ୍ଷା କରିବା ସକାଶେ ସଙ୍ଗେ ସଙ୍ଗେ ଦଉଡ଼ି ଆସନ୍ତି, ଅନେକ ସମୟରେ ଅନେକ ମଣିଷ ପ୍ରାୟ ସେହିପରି ଭାବରେ ଚିନ୍ତା କରିଥାନ୍ତି । ହୁଏତ ଖାସ୍‌ ସେହିପରି ଏକ ଆବଶ୍ୟକତାରେ ପଡ଼ି ହିଁ ସେମାନେ ଭଗବାନଙ୍କୁ ଲୋଡ଼ିଥାନ୍ତି । ସେମାନେ ଭାବନ୍ତି, ଭଗବାନ ନିଶ୍ଚୟ ଦଉଡ଼ି ଆସିବେ, ସବୁ କାମ ଛାଡ଼ି ଆଗ ମୋ’ ପାଇଁ ଦଉଡ଼ି ଆସିବେ । ସେଦିନ ଫୁଲ ଫୁଟିବନାହିଁ, ସୂର୍ଯ୍ୟ ଉଠିବନାହିଁ, ଆକାଶ ଚହଟିବ ନାହିଁ କିମ୍ବା ଚଢ଼େଇ ବି ଗାଇବ ନାହିଁ । ମୋ’ର ଦୁଃଖବିମୋଚନ ସକାଶେ ଭଗବାନଙ୍କର ସବୁଯାକ କାମ ବନ୍ଦ ରହିବ ।

 

ଏହା ଏକ ବିଭ୍ରାନ୍ତି, ହୁଏତ ଏକ ମୂଳଭୂତ କ୍ଳାନ୍ତିଜନିତ ବିଭ୍ରାନ୍ତି । ଯିଏ କେବଳ ନିଜର ଦୁଃଖ ଦୂର ହେବ ବୋଲି ଭଗବାନଙ୍କୁ ଡାକେ, ଭଗବାନଙ୍କୁ ଲୋଡ଼େ ଅଥବା ଆପଣାର ନାନା ଆତୁରତାକୁ ମିଶାଇ ଭଗବାନ ନାମକ ଏକ ବସ୍ତୁକୁ ଆପଣାର ବାସନାମୁତାବକ ତିଆରି କରି ରଖିଥାଏ, ତାର ଦୁଃଖ କେବେହେଲେ ଯାଏନାହିଁ । ଭଗବାନଙ୍କ ଆଖିରେ ସିଏ ହୁଏତ ଗୋଟାଏ ପଶୁ ହୋଇ ରହିଥାଏ । ତା’ ଭିତରେ ପ୍ରାୟ ଏକ ପାଶବିକ କ୍ଲାନ୍ତି ରାଜତ୍ୱ କରିବାରେ ଲାଗିଥାଏ । ଭଗବାନଙ୍କୁ ସତକୁ ସତ ଅନୁଭବ କରୁଥିବା ମଣିଷ ବାଟ ଚାଲେ, ଭଲ ପାଏ, ଆପଣାକୁ ଅଧିକରୁ ଅଧିକ ପରିମାଣରେ ଦିଏ, ପାଚେରୀଗୁଡ଼ାକୁ ଭାଙ୍ଗେ, —ଆପଣା ଦୁଃଖଗୁଡ଼ାକର ପାଚେରୀଟାକୁ ବି ଭାଙ୍ଗିଦିଏ । ସିଏ ଅଧିକରୁ ଅଧିକ ପରିମାଣରେ ଭଗବାନଙ୍କୁ ସତେଅବା ପଥସଙ୍ଗୀ ପରି ଅନୁଭବ କରିବାକୁ ସମର୍ଥ ହୁଏ ।

 

୪ । ୧୧ । ୮୨

 

ଆପଣାକୁ କେନ୍ଦ୍ର କରି ମୁଁ କେତେଆଡ଼େ ଯାଏ, ଆପଣାର ପରିଧିଗୁଡ଼ାକୁ ପ୍ରସାରିତ କରି ମୁଁ କେତେ କେତେ ପରିଧିକୁ ସ୍ପର୍ଶ କରେ, —ସେହି ପରିଧିଗୁଡ଼ିକର ସ୍ପର୍ଶ କଲାବେଳେ ମୁଁ ଆପଣା ସହିତ ଆପଣାର ସ୍ପର୍ଶଟି ନିବିଡ଼ିତର ହୋଇ ଆସୁଥିବା ପରି ଅନୁଭବ କରେ । ଏହାଦ୍ୱରା ଆପଣାର କେନ୍ଦ୍ରଟି ହିଁ ସବୁଠାରୁ ଲାଭବାନ ହୁଏ, —ଗୋଟିଏ କେନ୍ଦ୍ର ଯେ ଏକାବେଳେକେ ସବୁଯାକ କେନ୍ଦ୍ରର ସ୍ପର୍ଶ ଲାଭ କରି ସମଗ୍ର ଆକାଶଟାକୁ ହିଁ ଏକ ପରିଧିରେ ପରିଣତ ହୋଇ ଯାଇଥିବାର ଅନୁଭବ କରେ, ତାହାହିଁ ମୋ’ର ସକଳ ବିଚରଣ ମଧ୍ୟରେ ସବୁଠାରୁ ଅଧିକ ଭାଗ୍ୟବାନ ଫଳରୂପେ ଅନୁଭୂତ ହୁଏ । ତା’ପରେ ବାଡ଼ଗୁଡ଼ାକୁ ଆଉ ମୋଟେ ଭାଙ୍ଗିବାକୁ ପଡ଼େନାହିଁ, ବାଡ଼ଗୁଡ଼ିକ ଭାରି ସ୍ୱାଭାବିକ ଭାବରେ ବିଦାୟ ହୋଇ ଚାଲି ଯାଇଥାନ୍ତି ।

 

ମୋ’ର ଅସଲ ପ୍ରୟାସ ଠିକ୍‌ ଏହି ପ୍ରୟାସ । ଏହି ପ୍ରୟାସ ମୋତେ ସକାଳ ଓ ସଞ୍ଜର ବିସ୍ତାର ଦେଇ ଘେରାଇ ହୋଇ ରହିଥିବା ଜୀବନମଣ୍ଡଳଟି ସହିତ ଯୁକ୍ତ କରି ରଖିଥାଏ । ମୋଟେ ଏକୁଟିଆ ଲାଗେ ନାହିଁ । ଏବଂ ତା’ପରେ ଭିତରକୁ ଅନାଇଲେ ଭଗବାନ ଜଳଜଳ ହୋଇ ଦିଶନ୍ତି, ଚାରିପାଖକୁ ଅନାଇଲେ କେବଳ ଖିଅଗୁଡ଼ାକ ହିଁ ଦେଖାଯାଏ । ସେହି ଗୌରବଟୀକୁ ମୁଁ ଶବ୍ଦ ଦେଇ ବର୍ଣ୍ଣନା କରି ପାରେନାହିଁ । ସତ, ମାତ୍ର ତାହାକୁ ମୁଁ ମୋ’ର ଦେହର ସଞ୍ଚରଣପଥ ଭିତରେ ବି ଅନୁଭବ କରିପାରେ । ସଂଶୟଗୁଡ଼ିକର ସମାଧାନ ପାଇଁ ସ୍ୱତନ୍ତ୍ର ଭାବରେ ଏକ ଜୀବନଦର୍ଶନର ଅନ୍ୱେଷଣ କରିବାକୁ ପଡ଼େନାହିଁ । ଅନୁଭବ ହିଁ ଦର୍ଶନରେ ପରିଣତ ହୁଏ । ଅନୁଭବଗୁଡ଼ିକ ହିଁ ଆଖିମାନଙ୍କୁ ଯଥାର୍ଥ ତାତ୍ପର୍ଯ୍ୟଟିକୁ ଆଣି ଯୋଗାଇ ଦେଉଥାନ୍ତି ।

 

୫ । ୧୧ । ୮୨

 

ବାସନା ଅନେକ, ବାସନା ପ୍ରବଳ, —ମାତ୍ର ସବୁଯାକ ବାସନା ପଛରେ ସେହି ଗୋଟିଏ ଅସଲ ବାସନା, —ସେଇଟି ହେଉଛି ସର୍ବଦା ସମର୍ପିତ ହୋଇ ରହିଥିବାର ବାସନା, ଦୁଆର ଖୋଲା ରହିଥିବାର ବାସନା, ଓ ଆପଣାକୁ ଯୋଗ୍ୟ ରୂପେ ଦେଇ ପାରିବାର ବାସନା ।

 

ଅନ୍ୟ ଯାବତୀୟ ବାସନାର ମଧ୍ୟ ଦେଇ ସର୍ବଦା ଏହି ମୂଳ ବାସନାଟି ହିଁ ଆପଣାକୁ ଅଭିବ୍ୟକ୍ତ କରି ଆଣିବାକୁ ଚେଷ୍ଟା କରୁଥାଏ । ଅନେକ ସମୟରେ ଆପାଣାର ଭିତରେ ହିଁ ଏପରି କୋଉଠି ପ୍ରତିବନ୍ଧକଟିଏ ରହିଥାଏ, ଯାହା ଫଳରେ କି ଅସଲ ଦୁଆରଟି ଖୋଲି ନପାରୁଥିବା ଦୁଃଖଟିକୁ ଲୁଚାଇବା ଲାଗି ହିଁ ଆହୁରି କେତେ ମିଛ ଦୁଆରକୁ ଖୋଲା ରଖିବାର ଅଭିନୟ ଲାଗି ରହିଥାଏ; ଆପଣାକୁ ଦେଇ ନପାରିବାର ଦୁଃଖଟିକୁ ଲୁଚାଇ ରଖିବାଲାଗି ବାହାରେ କେତେପ୍ରକାର ଉଗ୍ର ପ୍ରତ୍ୟାଖ୍ୟାନର ଅଭିନୟ ଚାଲିଥାଏ । ଅନେକ ସେହି ଅଭିନୟରୁ ହିଁ ମଣିଷଟାକୁ ଚିହ୍ନିବାକୁ ଚେଷ୍ଟା କରନ୍ତି । ମାତ୍ର, ସେହି ଅଭିନୟର ଭିତରକୁ ଅର୍ଥାତ୍‍ ସେପାଖକୁ ଯାଇପାରିବା ଉଚିତ । ତେବେଯାଇ ଆପାଣା ଭିତରେ ରହିଥିବା ଦୁଃଖୀଟିର ଦୁଃଖମୋଚନ ସମ୍ଭବ ହୋଇ ପାରିବ । ଅସଲ ବାସନାଟିକୁ ଚିହ୍ନିପାରିଲେ ଆପଣା ସହିତ ପରିଚୟର କ୍ଷେତ୍ରରେ ମଧ୍ୟ ଏକ ଉକ୍ରାନ୍ତି ସମ୍ଭବ ହେବ । ତା’ପରେ ଆପଣାକୁ ପ୍ରତ୍ୟାଖ୍ୟାତ କରି ରଖିବାର ଯାବତୀୟ ପ୍ରୟାସ ଆଉ ମୋଟେ ଭଲ ଲାଗିବନାହିଁ । ଗଣ୍ଠିଗୁଡ଼ାକ ଫିଟିଗଲେ ଯାଇ ଅସଲ ଖିଅଗୁଡ଼ିକ ଲାଗି ପାରିବ, ଆପଣାକୁ ଆପଣାର ବନ୍ଧୁରୂପେ ଚିହ୍ନିବା ସମ୍ଭବ ହେବ ।

 

୧୨ । ୧୧ । ୮୨

 

ମୋ’ ନିଜ ଜନ୍ମଦିନ ଦିନ ଏହି ସଂସାରର ସମସ୍ତଙ୍କୁ ଓ ସବୁକିଛିକୁ ଏକ ଆନନ୍ଦମୟ ଶୁଭ ଜନ୍ମଦିନ ମନାସି ଆସିବାକୁ ମନ ହୁଏ । ଜନ୍ମଦିନ ଏକ ଦିନ ନୁହେଁ, ଜନ୍ମଦିନ ହେଉଛି ଏକ ଦୃଷ୍ଟିକୋଣ, —ଆପଣା ଭିତରେ ଏକ ଗଭୀରତାର ଅନୁଭୂତି, —ସର୍ବୋପରି, ଆପଣାର ଜୀବନରେ ସତତ ସମ୍ମିଳିତ ହୋଇ ରହିଥିବାର ଏକ ଅନୁଭୂତି । ସେହି ଅନୁଭୂତି ମୁକ୍ତି ଦିଏ, ଆପଣା ପାଖରେ ଆପଣାକୁ ଅତ୍ୟନ୍ତ ଭାଗ୍ୟବାନ ବୋଲି ଚିହ୍ନାଇ ଦେଇଯାଏ ।

 

ବୟସ ବଢ଼ୁଥିଲେ ମଧ୍ୟ ତଥାପି ବୁଢ଼ା ନହେଉଥିବାର ଏକ ସ୍ୱାଭାବିକ ଅନୁଭୂତି, —ତାହାହିଁ ଜନ୍ମଦିନର ଅସଲ ଅନୁଭୂତି । ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ବୟସ ବଢ଼ୁଥିବା ସଙ୍ଗେ ସଙ୍ଗେ ସଂସାର ସହିତ ଲାଗିଥିବା ସକଳ ଦଉଡ଼ିକୁ ଅର୍ଥାତ୍‍ ମାୟାକୁ କାଟି ଆତ୍ମସ୍ଥ ହୋଇ ରହିବାର ପରାମର୍ଶ ଦେଇଥାନ୍ତି । ଅହଂ କଟିଲେ ହିଁ ଯଥାର୍ଥରେ ଆତ୍ମସ୍ଥ ହେବା ସମ୍ଭବ ହୁଏ । ଅହଂ କଟିଲେ ଦଉଡ଼ିଗୁଡ଼ାକ ମୋଟେ କଟେନାହିଁ, —ଦଉଡ଼ିଗୁଡ଼ାକ ଅଧିକ ମଜବୁତ ହୁଏ । ତଥାକଥିତ ମାୟା ଭିତରେ ମର୍ମଦର୍ଶନ ସମ୍ଭବ ହୁଏ । ତାହା ଆହୁରି ଅନେକ ଅନାବିଷ୍ଣୁତ ମମତାକୁ ସମ୍ଭବ କରେ । ଜୀବନକୁ ଅଧିକ ଧନବାନ କରି ଦେଇଯିବାରେ ଲାଗିଥାଏ । ବରଷକ ପରେ ବରଷ ଲଗାଏତ ଏହି ଅନୁଭୂତି ହେଉଛି ମୋ’ର ସର୍ବଶ୍ରେଷ୍ଠ ଅନୁଭୂତି । କୃତଜ୍ଞତା ଓ ଖୁସି, ସେହି ଅନୁଭୂତିର ଏହି ଦୁଇଟିଯାକ ହେଉଛନ୍ତି ଦୁଇଟି ଡେଣା । କୌଣସି ଏକ ନିର୍ଦ୍ଦିଷ୍ଟ ପଦାର୍ଥଲାଗି ଖୁସି ନୁହେଁ ବା କୌଣସି ଏକ ନିର୍ଦ୍ଦିଷ୍ଟ ଉପକାର ପାଇଥିବା ଜନିତ କୃତଜ୍ଞତା ନୁହେଁ । ଏହି ଖୁସି ଓ କୃତଜ୍ଞତା ଏଇ ଜୀବନର ଦୁଇଟା ଆଖିପରି, ଲମ୍ବି ହୋଇ ରହିଥିବା ଦୁଇଟି ବାହୁ ପରି ଏହି ଦୁଇଟା ଡୋରରେ ସତେଅବା ଏହି ସଂସାରର ସବୁଯାକ ଡୋର ବାନ୍ଧିହୋଇ ରହିଛି, ବରଷକୁ ବରଷ ମୋତେ କେତେ ନୂଆ ନୂଆ ଆଶୀର୍ବାଦରେ ଭାଗୀ କରାଇଦେଇ ଯାଇଛି ।

 

୧୪ । ୧୧ । ୮୨

 

ଆପଣା ପାଖରେ ମୁଁ ନୀତି ଥିର ହୋଇ ବସି କଥା କହି ଆସିଛି । ଥିର ହୋଇ ବସିବାର ଅର୍ଥ ହେଉଛି ଅନ୍ତରଙ୍ଗ ହୋଇ ବସିବା । ଆପଣା ସହିତ କଥା କହିବାର ଅର୍ଥ ହେଉଛି ଆପଣାର ସମ୍ମୁଖୀନ ହେବା, ଆପଣାକୁ ମଝିରେ ରଖି ସଂସାରଗୋଟାକର ସମ୍ମୁଖୀନ ହେବା ଓ ଏହିଭଳି ଜୀବନର ବାଟଟିକୁ ଚାଲିବା । ଏହି ସମ୍ମୁଖୀନ ହେବାରେ, କଥା କହିବାରେ ଓ ବାଟ ଚାଲିବାରେ ଯେ ଆଦୌ କୌଣସି କୋଳାହଳ କରିବାକୁ ପଡ଼େନାହିଁ; ମୁଁ ସେ କଥା ଆପଣାର ଅଭିଜ୍ଞତାରୁ ଜାଣିଛି । କୋଳାହଳ ନକରିବା ଦ୍ୱାରା ବାହାରର ସବୁ ବାଟକୁ ମୁଁ ଆପଣା ଭିତରେ ଅନୁଭବ କରିଛି, ତଥାକଥିତ ବାହାରର ସକଳ ସମ୍ପର୍କକୁ ଆପଣାର ଭିତରେ ମଧ୍ୟ ଅନୁଭବ କରି ପାରିଛି ।

 

ସବୁ କଥା କହିବାକୁ କଦାପି ଯଥାର୍ଥ dialogue ବୋଲି କୁହାଯାଇ ପାରିବନାହିଁ । dialogueରେ ଆପଣାକୁ ଅତ୍ୟନ୍ତ ନମନୀୟ ଓ ଅତ୍ୟନ୍ତ ଗ୍ରହଣଶୀଳ କରି ରଖିବାକୁ ହୁଏ, ଆପଣାର ଦୁଆରଗୁଡ଼ିକୁ ଖୋଲିଦେବାକୁ ପଡ଼େ । ଶ୍ରଦ୍ଧା ସ୍ୱାଭାବିକ ନହେଲେ ଦୁଆର ଖୋଲେ ନାହିଁ; ତେଣୁ ଶ୍ରଦ୍ଧା ସ୍ୱାଭାବିକ ନହେଲେ dialogue ମଧ୍ୟ ସମ୍ଭବ ହୁଏନାହିଁ । ଏବଂ dialogue ସମ୍ଭବ ନହେବା ପର୍ଯ୍ୟନ୍ତ ଏହି ସଂସାର ମୋଟେ ଆପଣାର ଘର ପରି ଲାଗେନାହିଁ । ଅର୍ଥାତ୍‍, ଏହି ସବୁଟି ଭିତରେ ଆପଣାର ଏକ ସମଗ୍ର ବିଶ୍ୱାସମୟ ସ୍ଥାନ ଅବଶ୍ୟ ରହିଛି ବୋଲି ଅନୁଭବ କରି ହୁଏନାହିଁ । ସଂସାରକୁ ସତେଅବା ଗୋଟାଏ ଶତ୍ରୁଦୁର୍ଗ ପରି ମନେହୁଏ । ମଣିଷମାନେ ବି ଶତ୍ରୁ ପରି ଦେଖାଯାଆନ୍ତି, ପ୍ରତିଦ୍ୱନ୍ଦୀ ପରି ଦେଖା ଯାଉଥାନ୍ତି । ଯାବତୀୟ ସମାଧାନ କିଞ୍ଚିତ ପରିମାଣରେ ମସ୍ତିଷ୍କ ଦ୍ୱାରା ଓ କିଞ୍ଚିତ ପରିମାଣରେ ଭୟ ଦ୍ୱାରା ହେବାର ଲାଗିଥାଏ । ନିଜକୁ ମଧ୍ୟ ଗୋଟାସୁଦ୍ଧା ନିଜର ବୋଲି ମନେ ହୁଏନାହିଁ ଓ ପୂର୍ଣ୍ଣ ବିଶ୍ୱାସର ସହିତ ଆପଣାକୁ ଗ୍ରହଣ କରି ହୁଏନାହିଁ ।

 

୧୫ । ୧୧ । ୮୨

 

ନୀରବତା ମୋ’ ଅନ୍ତର ଭିତରେ ଥାଏ ଅଥବା ବାହାରେ ସୁନ୍ଦର ପାହାଡ଼ ସୁନ୍ଦର ଅରଣ୍ୟ, ସୁନ୍ଦର ଆକାଶର ସେହି ପ୍ରସନ୍ନ ଓ ଗଭୀର ବିସ୍ତୃତି ଭିତରେ ରହିଥାଏ, ଗତ ସପ୍ତାହରେ ଆପଣାକୁ ପ୍ରାୟ ଗୋଟାସୁଦ୍ଧା ଅଷ୍ଟନ କରି ରହିଥିବା ନୀରବତାକୁ ସ୍ପର୍ଶ କରି ରହିଥିବା ସମୟରେ ମୁଁ ସେହିକଥା ଭାବୁଥିଲି । କୋଉଠିହେଲେ, ଭିତରେ ଅଥବା ବାହାରେ ଆଦୌ କୌଣସି ସଂଶୟ ନଥିଲା ସତ, ତଥାପି ଏହି ବିରାଟ ନିମଜ୍ଜନ ଅଥବା ସ୍ୱୀକାର ଅଥବା ସମ୍ମତିରେ ଅସଲ ଉତ୍ସଟି ଯେ କେଉଁଠି ମୁଁ ଅନେକ ସମୟରେ ସେହିକଥା ଭାବୁଥିଲି । ମୋତେ ପରିପୂର୍ଣ୍ଣ କରି ରଖିଥିବା ବସ୍ତୁଟିକୁ ଠାବ କରିବାକୁ ଇଚ୍ଛା କରୁଥିଲି । ଠାବ କରି ମଧ୍ୟ ସମ୍ଭବତଃ ତଥାପି ଠାବ କରି ପାରୁନଥିଲି । ଯାହା ମୋ’ ଭିତରୁ ମୁଁ କଳ୍ପନା କରି ପାରୁଥିବା ଯାବତୀୟ ବାହାର ଓ ଯାବତୀୟ ଊର୍ଦ୍ଧ୍ୱକୁ ପ୍ରଲମ୍ବିତ ହୋଇ ରହିଛି, ତାକୁ ମୁଁ ଠାବ କରିପାରିବି କିପରି ?

 

ନୀରବତା ସମ୍ଭବତଃ ଏହି ଅବିଷ୍କାରଟି ମଧ୍ୟରେ ରହିଛି । ମୋ’ ଭିତରେ ଯିଏ ରହିଛି, ମୋ’ ବାହାରେ ମଧ୍ୟ ସେଇ ରହିଛି,—ଏହି ଅବିଷ୍କାରଟି ମଧ୍ୟରେ ରହିଛି । ଭିତରଟି ସହିତ ବାହାରକୁ ଯୋଡ଼ି ପାରିବାରେ ରହିଛି । ବାହାରୁ ନିଜ ଭିତରକୁ ଏବଂ ଭିତରୁ ବାହାର ଆଡ଼କୁ ଅନାଇ ପାରିବାରେ ହିଁ ନିହିତ ହୋଇ ରହିଛି । ଅର୍ଥାତ୍‍, ଆପଣାଛାଏଁ କାହାର ହୋଇଯିବାରେ ହିଁ ରହିଛି । ନୀରବତା ହେଉଛି ଏକ ଅନୁଭୂତି, —ଆପଣା ଭିତରେ ଏକ ଅସଲ ସ୍ୱୀକୃତି ଏବଂ ଅସଲ ସଙ୍ଗତିଟିକୁ ଲାଭ କରି ପାରିଥିବାର ଏକ ଅନୁଭୂତି । ଦୁଆର କିଳି ଏକୁଟିଆ ହୋଇ ବସିବା ବାହାରକୁ ବେଳେବେଳେ ନୀରବତା ପରି ଦେଖା ଯାଉଥିଲେ ମଧ୍ୟ ତାହା ହେଉଛି ଏକ ଉଗ୍ରତା, ଏକ ଉତ୍ତେଜନା । ନୀରବତା ଛୁଆଇଁ ଦିଏ, ଡୋର ଲଗାଏ ଯାବତୀୟ ବିଚ୍ଛିନ୍ନତାର ବ୍ୟାଧିରୁ ମୁକ୍ତ କରିଆଣେ ।

 

୧୬ । ୧୧ । ୮୨

 

ଅନେକ ସମୟରେ ସତେଅବା ମୁଣ୍ଡଳାଟିଏ ବୁଲି ମୁଁ ଯେଉଁଠାରୁ ଆରମ୍ଭ କରିଥିଲି, ଠିକ୍‍ ସେଇଠି ଆସି ପହଞ୍ଚି ଯାଉଛି । ସେତେବେଳେ ଆପଣାକୁ ଭାରି ଅଯୋଗ୍ୟ ପରି ମନେହେଉଛି । ସତେଅବା ଭାରି ବଞ୍ଚିତ ପରି ମନେହେଉଛି । ଆପଣାକୁ ଅଯୋଗ୍ୟ ଓ ବଞ୍ଚିତ ବୋଲି ଅନୁଭବ କରିବାର ଏହି ଯେଉଁ ଅନୁଭୂତି, ତାହାହିଁ ସମ୍ଭବତଃ ମଣିଷର ସବୁଠାରୁ ବଡ଼ ଦୁର୍ଭାଗ୍ୟ । ସେହି ଦୁର୍ଭାଗ୍ୟ ଅଟକାଇ ରଖେ, ଗୋଡ଼ାଗୁଡ଼ାକୁ ବାନ୍ଧି ପକାଏ ଓ ଡେଣାଗୁଡ଼ାକୁ କାଟି ପକାଏ ।

 

ଆପଣାକୁ ସେହି ଦୁର୍ଭାଗ୍ୟରୁ ମୁକ୍ତ କରି ରଖିବା, ତାହାହିଁ ଅସଲ ଅଗ୍ରଗତି । ଯେତେ ନକାରାତ୍ମକ ପରି ଶୁଣା ଯାଉଥିଲେ ମଧ୍ୟ ତାହାହିଁ ହେଉଛି ସକଳ ଅଗ୍ରଗତିର ସର୍ବମୂଳ ସର୍ତ୍ତ । ସେହି ଦୁର୍ଭାଗ୍ୟଟିର କବଳ ଭିତରେ ସନ୍ତପ ହୋଇ ରହିବାକୁ ପଡ଼ୁନଥିଲେ ସେହି ପୁରୁଣା ଆକାଶଟାଏ ମଧ୍ୟ ନୂଆ ନୂଆ ଦିଗ୍‍ବଳୟର ଦର୍ଶନ ସମ୍ଭବ ହେବାରେ ଲାଗିଥାଏ । ଆପଣା ଭିତରକୁ ନୂଆ ନୂଆ ବାଟ ଦିଶି ଯାଉଥାଏ ଏବଂ ବାଟଗୁଡ଼ାକ ସୋପାନ ପରେ ସୋପାନ ଚଢ଼ି ଚାଲିଯିବାର ଆହ୍ୱାନ ଦେଇ ଯାଉଛନ୍ତି । ସେତେବେଳେ ଯାବତୀୟ ସ୍ପର୍ଶ ନୂତନ ସ୍ପର୍ଶପରି ମନେହୁଏ, ଯାବତୀୟ ସାକ୍ଷାତ ନୂତନ ଲାଗେ, ଅନନ୍ୟ ଲାଗେ । ଆପଣାକୁ ନୂତନ କରି ଜନ୍ମ ଦେଉଥିବା ପରି ମନେହୁଏ । ଅତ୍ୟନ୍ତ ଭାଗ୍ୟବାନ ପରି ମନେହୁଏ । ସେତେବେଳେ ଆଖି-ପାଆନ୍ତାର ଏହି ପୃଥିବୀ ଏବଂ ଆଖି ସେ ପାଖର ଆକାଶ ଉଭୟେ କେବଳ ବନ୍ଧୁର ଦର୍ଶନ କରାଇବାରେ ଲାଗିଥାନ୍ତି । ଆପଣାକୁ ଛୁଇଁବା ବେଳକୁ ସତେଅବା କେଉଁ ବନ୍ଧୁକୁ ଛୁଇଁଆସିବା ପରି ମନେ ହେଉଥାଏ । ସେତେବେଳେ ମୁଣ୍ଡଳାଗୁଡ଼ାକ କୁଣ୍ଡଳୀ ହୋଇ ଉପରକୁ ଉପରକୁ ନେଇ ଗଲାପରି ବୋଧହୁଏ ।

 

୧୭ । ୧୧ । ୮୨

 

ତାହାକୁ ମୁଁ ଏକ ସ୍ନେହର ଉତ୍ସବୋଲି ଅନୁଭବ କରିବି, ଯିଏକି ମୋ’ର ଅନ୍ତର ଓ ବାହାରକୁ ପରିପୂର୍ଣ୍ଣ କରି ବିଦ୍ୟମାନ ରହିଛି, —ସିଏ ମୋ’ ଉପରେ ବିଶ୍ୱାସ ରଖିଛି, —ମୋ’ର ଯାବତୀୟ ଗ୍ରହଣଦ୍ୱାରକୁ ସିଏ ଭଲ କରି ଜାଣିଛି, ମୋ’ର ସମଗ୍ର ଗ୍ରହଣପାତ୍ରଟିକୁ ସତେଅବା ନିଜ ହାତ ଆଗରେ ଧରି ତାହାକୁ ଆପଣାର ସ୍ନେହଦ୍ୱାରା ହିଁ ଭରତି କରିଦେବାରେ ଲାଗିଛି । ଏହି ଭର୍ତ୍ତି କରିଦେବାରେ ଆଦୌ କୌଣସି ସର୍ତ୍ତ ନାହିଁ । ଏକ ମହିମାମୟ ଦେବାର ଇଚ୍ଛା ସତେଅବା ପରିପୂର୍ଣ୍ଣ ସମ୍ମତିକୁ ମୋ’ର ସକଳ ଗଭୀର ମଧ୍ୟରୁ ପ୍ରେରିତ କରି ନେଇଆସୁଛି । ଏହି ଘର, ଦୁଆର ଧନ୍ୟ ହେଉଛି, —ମୋ’ର ସକଳ ବ୍ୟାକୁଳତାକୁ କେତେ ନା କେତେ ବିଶ୍ୱାସରେ ହିଁ ପରିପୂର୍ଣ୍ଣ କରିଦେଉଛି । ଆପଣାକୁ ମୁଁ ସତେଅବା ସାନ ଅଥଚ ପୂର୍ଣ୍ଣସମ୍ମତ ଦୀପଟିଏ ପରି ଅନୁଭବ କରୁଛି ।

 

ଏହି ସମ୍ମତି ହେଉଛି ଶକ୍ତିର ଅନ୍ୟ ନାମ, ସାଧନାର ପୂର୍ଣ୍ଣତର ପରିଣତି । ଶକ୍ତିକୁ ମାଗିବାକୁ ପଡ଼େନାହିଁ; ଆଗ ସମ୍ମତ ହେବାକୁ ହୁଏ । ଆଗ ଆପଣାକୁ ଗୋଟାସୁଦ୍ଧା ମୁକୁଳା କରିଦେବାକୁ ହୁଏ, ଗୋଟାସୁଦ୍ଧା ହାଲୁକା କରିଦେବାକୁ ହୁଏ । ତା’ପରେ ଯାହା ଅନୁଭୂତ ହୁଏ, ତାହାହିଁ ଶକ୍ତି । ଯାହା ସୂତ୍ରରୂପେ ଅବସ୍ଥିତ ରହି ଏହି ସମୁଦାୟ ଆକାଶଟିକୁ ଆଲୋକର ଛୁଆଁ ଦେଇ ସ୍ପର୍ଶ କରାଇ ଦେଉଥାଏ, ତାହାହିଁ ସ୍ନେହ । ତାହା ପ୍ରକୃତରେ ଅଯାଚିତ ଭାବରେ, ଇଚ୍ଛାକୃତ ଭାବରେ ଅଜାଡ଼ି ହୋଇ ପଡୁ଼ଥାଏ । ସେତେବେଳେ ସବୁ ମାଗିବା ବନ୍ଦ ହୋଇ ଯାଏ; ସେଇ ଗୋଟିଏ ଅନୁମତିପତ୍ରକୁ ହାତରେ ଧରି ବାଟ ଚାଲିବା, —ଜୀବନରେ ତାହାହିଁ ଏକମାତ୍ର ଗୌରବ ଓ ଧର୍ମରେ ପରିଣତ ହୋଇ ରହିଯାଏ ।

 

୧୮ । ୧୧ । ୮୨

 

ଆପଣାର ମାଟିକୁ ମୁଁ ନିନ୍ଦା କରିବିନାହିଁ । ଆପଣାର ଦେଶକୁ ନିନ୍ଦା କରିବିନାହିଁ । ମୁଁ ଅସାଧୁତାକୁ ନିନ୍ଦା କରିବି, ଅସାଧୁମାନଙ୍କର ଚତୁରପଣିଆକୁ ନିନ୍ଦା କରିବି । ପ୍ରଦର୍ଶନପଟୁତାକୁ ନିନ୍ଦା କରିବି । ଦେଶକୁ, ସଂସ୍କୃତିକୁ ଓ ଜାତୀୟତାକୁ ଆଳ କରି ଯେଉଁ କାନ୍ଥଗୁଡ଼ାକୁ ପାଟକନା ପିନ୍ଧାଇ ଏଠି ଠିଆ କରି ରଖା ଯାଇଛି, ତାହାକୁ ହିଁ ମୁଁ ନିନ୍ଦା କରିବି ।

 

ଯେଉଁମାନେ ଏହି ଦେଶରେ ମୋଟେ କିଛି ହୋଇ ପାରିବନାହିଁ ବୋଲି ସଶବ୍ଦ କ୍ଷୋଭପ୍ରକାଶ କରି କହନ୍ତି, ମୁଁ ହଠାତ୍‍ ସେମାନଙ୍କୁ ମୋଟେ ବୁଝିପାରେ ନାହିଁ । ଭିତରେ ଅନ୍ତତଃ ଆପଣା ପାଖରେ ସାଧୁ ହୋଇ ରହିଥିବା ମଣିଷ ହୁଏତ କେବେହେଲେ ଏଭଳି କଥା କହିବାକୁ ମନ କରିବନାହିଁ । ସାଧୁ ମଣିଷ ଆପଣାର ଭୂମିଟିକୁ କଦାପି ନିନ୍ଦା କରିବନାହିଁ । ସିଏ ଉଦ୍ୟମ କରିବ, ଆପଣା ଉପରେ ବିଶ୍ୱାସ ରଖିଥିବାରୁ ସିଏ ଅନ୍ୟମାନଙ୍କ ଉପରେ ମଧ୍ୟ ବିଶ୍ୱାସ ରଖିଥିବ, ଆପଣାକୁ ନେଇ ଅନେକ ଆଶା ଓ ଅନେକ ନିର୍ଭରର ସହିତ ବାଟ ଚାଲୁଥିବାରୁ ସିଏ ଅନ୍ୟମାନଙ୍କ ବିଷୟରେ ମଧ୍ୟ କଦାପି ନୈରାଶ୍ୟ ପ୍ରକାଶ କରିବନାହିଁ । ମୋ’ ଚାରିପାଖରେ ସାଧୁମାନଙ୍କର ଖୋଳ ପିନ୍ଧି ଯେଉଁସବୁ ଅସାଧୁ ମଣିଷ କେଡ଼େ କୋଳାହଳପୂର୍ଣ୍ଣ ହୋଇ ବିଚରଣ କରୁଛନ୍ତି ଅନେକ ସମୟରେ ମଉକା ପାଇଲେ ସେହିମାନେ ହିଁ ସତେଅବା କେଡ଼େ ବ୍ୟାକୁଳ ଉତ୍ସାହରେ ଏହି ଦେଶକୁ ନିନ୍ଦା କରନ୍ତି ଓ ଏହି ମାଟିକୁ ନିନ୍ଦା କରନ୍ତି । ମୁଁ ସେମାନଙ୍କ ପାଖରୁ ସାବଧାନ ହୋଇ ରହିବାକୁ ଚେଷ୍ଟା କରେ । ସେମାନଙ୍କର ଅସାଧୁତା ଯେପରି ମୋତେ କଦାପି ସ୍ପର୍ଶ ନକରେ, ମୁଁ ସେଥିଲାଗି ଭଗବାନଙ୍କ ପାଖରେ ପ୍ରାଥନା କରୁଥାଏ ।

 

୧୯ । ୧୧ । ୮୨

 

ଯେଉଁମାନେ ଦେଶପାଇଁ କାନ୍ଦି ସଭାକୁ ସ୍ତମ୍ଭୀଭୂତ କରି ପକାଉଛନ୍ତି, ସେମାନେ ତାଙ୍କ ସମୟରେ କେଉଁଠାରେ ଥିଲେ ? ବୁଢ଼ାବେଳେ ଭୋ’ ଭୋ’ ହୋଇ କାନ୍ଦିବାଲାଗି କ’ଣ ସେମାନେ ଆପଣାର ଯୌବନ ସମୟରେ ନିର୍ବୀର୍ଯ୍ୟ ହୋଇ ରହିଲେ ? ଖାଲି ଭାବପ୍ରବଣତା କଲେ, ଖାଲି କଥା କହିଲେ ଓ ଖାଲି ଜଳକା କରି ରଖିଲେ ? ସେମାନେ ଏହି ଦେଶଟାକୁ ମନଇଚ୍ଛା ଭୋଗିଲେ, ଅର୍ଥାତ୍‍, ପୁରୁଣାଗୁଡ଼ିକ ଭିତରେ ବେକେ ପର୍ଯ୍ୟନ୍ତ ବୁଡ଼ିରହି ପୁରୁଣାଟାରୁ ଯେତେ ଯାହା ଫାଇଦା ମିଳିବା କଥା, ସେମାନେ ସେତେ ଫାଇଦା ଉଠାଇଲେ ଓ ପ୍ରାୟ ସେଇ କାରଣରୁ ହିଁ ନୂଆକୁ ଅଟକାଇ ରଖିଲେ ।

 

ସେହି ବୃଦ୍ଧମାନେ ଆଜି ଦେଶପାଇଁ ନକାନ୍ଦି ନିଜପାଇଁ କାନ୍ଦନ୍ତୁ । ଆପଣାର ଅସାଧୁତାଗୁଡ଼ାକୁ ଲୁଚାଇ ରଖିବାଲାଗି ସେମାନେ ଆଉ ମୋଟେ କୌଣସି ଚେଷ୍ଟା ନକରନ୍ତୁ । ଗୋଟାଏ ଦେଶ ରାଜନୀତିକ ସ୍ୱାଧୀନତା ଲାଭ କରିବାର ପଇଁତିରିଶ ବର୍ଷ ପରେ ଦେଶଲାଗି ଖାଲି ସଭାଗୁଡ଼ାକରେ କାନ୍ଦି ବାହାରିଲେ ସେହି କାନ୍ଦଣାକୁ କଦାପି ସାଧୁତା ବୋଲି କୁହା ଯିବନାହିଁ ବା ସେହି କାନ୍ଦଣାଦ୍ୱାରା ଦେଶର ଦୁଃଖ ଦୂର ହେବନାହିଁ । ଅସାଧୁ ମଣିଷ ଯେଉଁଦିନ ଅନ୍ତତଃ ଆପଣାର ଅସାଧୁତା ପାଇଁ କାନ୍ଦି ପାରିବାର ସାହସ କରିବ, ତଦ୍ଦ୍ୱାରା ଦେଶର କୌଣସି ମଙ୍ଗଳ ନହେଉ ପଛକେ, ତା’ନିଜର ଅନେକ ମଙ୍ଗଳ ହେବ । ତା’ର ମୋହ ଭଙ୍ଗ ହେବ । ଆପଣାର ଚାରିପାଖରେ ସିଏ ଠିଆ କରି ରଖିଥିବା ଅନେକ ଔଦ୍ଧତ୍ୟର ପାଚେରୀକୁ ସେତେବେଳେ ଯାଇ ସିଏ ଭାଙ୍ଗିଦେବାକୁ ମନ କରିବ । ସେତେବେଳେ ଯାଇ ସିଏ ମଣିଷଙ୍କୁ ଲୋଡ଼ିବ । ମୁଖାଗୁଡ଼ାକୁ ମୁହଁ ଉପରୁ ଓହ୍ଲାଇଦେଇ ମଣିଷମାନଙ୍କୁ ଲୋଡ଼ିବ । ମଣିଷ ହେବ । ସଭାରେ କାନ୍ଦିବାକୁ ମୋଟେ ମନ କରିବନାହିଁ । ମଣିଷକୁ ଭଲପାଇ ଶିଖିବ ।

 

୨୦ । ୧୧ । ୮୨

 

ସ୍ପର୍ଶ କରିପାରିଲେ ସବୁ ଫୁଲର ବାସ ମିଳିଯାଏ, ସବୁଯାକ ସମ୍ଭାବନାର ନିର୍ଭର ମିଳେ ଏବଂ ଭିତର ତଥା ବାହାର ଦୁଇଟିଯାକର ଜ୍ୟୋତି ସତେଅବା ଆଶୀର୍ବାଦ ହୋଇ ଉପରେ ଆସି ଅଜାଡ଼ି ହୋଇ ପଡ଼ୁଥିବା ପରି ମନେହୁଏ ।

 

ଦୂରତା କଟିଗଲେ ହିଁ ସ୍ପର୍ଶ କରିହୁଏ । ଦୂରତାର କାମନା କରୁଥିବା ପର୍ଯ୍ୟନ୍ତ ଦୂରତା ଅନୁଭୂତ ହେଉଥାଏ । ଭିତରେ ଥିବା ଜଣେ ଅନିଚ୍ଛୁକ ନାନା ଯୁକ୍ତି ଦେଖାଇ ଦୂରତାକୁ ହିଁ ଶାସ୍ତ୍ର ଓ ସୂତ୍ର କରି ବଖାଣିବାରେ ଲାଗିଥିବା ପର୍ଯ୍ୟନ୍ତ ଦୂରତା ଥାଏ, —ଦୂରରେ ଠିଆହେବାକୁ ମନ କରୁଥିବା ପର୍ଯ୍ୟନ୍ତ ହିଁ ଦୂରତା ଥାଏ । ଭିତର ଏବଂ ବାହାର କେବଳ ଯେ ସତେଅବା ଦୁଇଭାଗ ପରି ମନେ ହେଉଥାଏ ତା’ ନୁହେଁ, ନିଜ ଭିତରଟା ମଧ୍ୟ ସତେଅବା କେତେକେତେ ଭାଗ ହୋଇ ରହିଥାଏ, ବାହାରଟାକୁ ନିଜ ଭିତରେ ଏକ ଅନ୍ତର୍ଗତ ଆତ୍ମୀୟତା ସହିତ ଅନୁଭବ କରି ପାରିବାଲାଗି ମୋଟେ ବଳ ପାଉନଥାଏ ଓ ବୁଦ୍ଧି ଦିଶୁନଥାଏ । ତେଣୁ ଆଉ କେହି ନିର୍ଦ୍ଦୟ ହେବାରୁ ଯେ ସ୍ପର୍ଶ କରିବା ସମ୍ଭବ ହୋଇପାରେନାହିଁ, ସେକଥା ମୋଟେ ନୁହେଁ । ଆପେ ଅନିଚ୍ଛୁକ ହୋଇ ରହିଥିବା ପର୍ଯ୍ୟନ୍ତ ସ୍ପର୍ଶ ସମ୍ଭବ ହୁଏନାହିଁ । ତେଣୁ, ଆପଣା ଭିତରେ ସେହି ଅସଲ ଅନିଚ୍ଛୁକତାଟିକୁ ଅତିକ୍ରମ ପାରିବା ହେଉଛି ଅସଲ କଥା । ଆପଣା ଭିତରେ ସତେଅବା ନିନ୍ଦା ହୋଇ ବସିଥିବା ସେହି ଭୀରୁ ନିର୍ଦ୍ଦୟତାଟାକୁ ହିଁ ସମ୍ମତ କରି ଆଣିବା ହେଉଛି ଅସଲ କଥା । ତାହାକୁ ଏହି ସକାଳ ପରି ସମ୍ମତ କରି ଆଣିବା, ଏହି ସକାଳ ପରି ପ୍ରସନ୍ନ କରି ଆଣିବା, —ତାହାହିଁ ଅସଲ କଥା, ଅସଲ ସାଧନା ।

 

୨୧ । ୧୧ । ୮୨

 

ସମ୍ଭବତଃ ଆଗ ମଣିଷ, ତା’ପରେ ନୀତି । ସଂସ୍କାରବଶତଃ ତଥାକଥିତ ନୀତିଗୁଡ଼ିକୁ ଆମେ ଏପରି ଦାରୁଣ ଓ ଅନମନୀୟ ଭାବରେ ଆପଣା ଉପରେ ଲଦିକରି ରଖିଥାଉ ଯେ; ଆମ ସଂସାରରେ ଓ ଆମ ସମ୍ବନ୍ଧଗୁଡ଼ାକରେ ଆମେ ଆଗ ନୀତିଗୁଡ଼ାକୁ ଦେଖୁ ଓ ସେହି ନୀତିର ବାଡ଼ ଭିତରେ ମଣିଷକୁ ମାପି ଚୁପି ସାନ ବା ବଡ଼ କରି ଦେଖିବାକୁ ଆଗ୍ରହୀ ହୋଇଥାଉ । ଆପଣା ଭିତରେ ସ୍ଵଭାବ ବିକଶିତ ଏକ ନୀତିର ନିର୍ଭର ନପାଇଥିଲା ପର୍ଯ୍ୟନ୍ତ ବୋଧହୁଏ ସେହିପରି ହିଁ ହୋଇଥାଏ । ଅର୍ଥାତ୍‍ ଆମେ ସମସ୍ତେ ବାଟ ଚାଲିବା ଅପେକ୍ଷା ବାଟ ଚାଲିବାର ଶାସ୍ତ୍ରଗତ କାଇଦା ଅର୍ଥାତ୍‍ ବାରଣ ଓ ଅବାରଣଗୁଡ଼ାକୁ ଦୋରସ୍ତ ଅର୍ଥାତ୍‍ କଣ୍ଠସ୍ଥ କରି ରଖିବାକୁ ଅଧିକ ସମ୍ମାନାସ୍ପଦ ବୋଲି ମନେ କରିଥାଉ । ସବାଆଗ ଜଣେ ମଣିଷର ବାଟ ଚାଲିବାକୁ ଦେଖି ପାରୁନାହିଁ ବୋଲି ମଣିଷକୁ ବି ଯଥାର୍ଥ ଭାବରେ ମୋଟେ ଦେଖି ପାରୁନାହିଁ ।

 

ଆଗ ବାଟ ଚାଲିବା, ତା’ପରେ ନୀତି । ବାଟ ଚାଲିବାର ଅଭୀପ୍ସାଟି ଅଧିକରୁ ଅଧିକ ଅନ୍ତର୍ଗତ ଏବଂ ସମ୍ପ୍ରସାରିତ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ଏହି ନୀତିର ଆୟତନ ଓ ଅର୍ଥଗୁଡ଼ାକରେ କେତେ ଅନୁପ୍ରସ୍ଥ ଓ ଅନୁଲମ୍ବ ପରିବର୍ତ୍ତନ ଘଟିବାରେ ଲାଗିଥାଏ । ବାଟ ଚାଲିବାର ମୂଳତର ପ୍ରେରଣାଟିରୁ ହିଁ ଏକ ନୀତିକୁ ସହାୟକରୂପେ ଗ୍ରହଣ କରିବାର ଦ୍ଵିତୀୟ ପ୍ରେରଣାଟି ଜନ୍ମଲାଭ କରିଥାଏ ।

 

୨୨ । ୧୧ । ୮୨

 

ଅନେକ ସମୟରେ ନିଜ ପାଖରୁ ନିଜର ଅତ୍ୟନ୍ତ ସନ୍ନିଧାନରୁ ଯାଇ ନିଜ ପାଖରୁ ଧୈର୍ଯ୍ୟ ମାଗିବାକୁ ହୁଏ, ବଳ ମାଗିବାକୁ ହୁଏ, ସହଯୋଗ ଏବଂ ସ୍ନେହ ମାଗିବାକୁ ହୋଇଥାଏ । ଆପଣା ସହିତ ବିବାଦ ଲଢ଼ି ଜୀବନରେ ଗୋଟିଏ ପହୁଣ୍ଡ ମଧ୍ୟ ଆଗକୁ ଯାଇ ହୁଏନାହିଁ । ଫୁଲଟିଏ ହୋଇ ଫୁଟିବାକୁ ହେଲେ ହୁଏତ କଢ଼କୁ ମଧ୍ୟ ଏହିପରି ଗଛର ଅନୁମତି ମାଗିବାକୁ ଅବଶ୍ୟ ପଡ଼ୁଥିବ । ଆପେ ଜନନୀ ହେବାକୁ ହେଲେ ଆପଣା ଭିତରେ ଅସଲ ମୂଳ ହୋଇ ବସିଥିବା ପରମ ଅନୁମନ୍ତଙ୍କ ପାଖରେ ଠିକ୍‍ ଏହିପରି ଭାବରେ ସମ୍ମତି ମାଗିବାକୁ ପଡ଼ୁଥିବ ।

 

ସେହି ସମ୍ମତି ହିଁ ଅସଲ ବଳ । ସେହି ସମ୍ମତିଟିକୁ ଭିତରୁ ଅନୁଭବ କରୁଥିବା ପର୍ଯ୍ୟନ୍ତ ବାହାରର ସକଳ ସମ୍ମତି ଉପଲବ୍ଧି ହୋଇ ରହିଥାଏ । ଅତ୍ୟନ୍ତ ସ୍ୱାଭାବିକ ଭାବରେ ସବୁ ସମ୍ମତ ଏବଂ ପ୍ରସ୍ତୁତ ହୋଇ ରହିଥାନ୍ତି । ଭିତର ସମ୍ମତି ତାହାହିଁ ଉତ୍ସାହ । ସେହି ଉତ୍ସାହଟି ସହିତ ଖିଅ ଲାଗିଥିବା ପର୍ଯ୍ୟନ୍ତ ଏହି ଦିଗ୍‍ବଳୟଗୁଡ଼ିକ ସତେଅବା ଗୋଟିଏ ଗୋଟିଏ ତୋରଣ ପରି ଅନୁଭୂତ ହୁଅନ୍ତି, ଯାହାକି ଚାଲିଲା ମାତ୍ରକେ ଫିଟି ଫିଟି ଯିବାରେ ଲାଗିଥାନ୍ତି । ଆପଣାର ସହଯୋଗ କାମନା କରିବା, ଆପାଣାଠାରୁ ଧୈର୍ଯ୍ୟ ଓ ବଳ ମାଗିବା, ତାହାହିଁ ଅନ୍ତର ଭିତରୁ ବାହରଲାଗି ସ୍ଵୀକୃତିର ପ୍ରାର୍ଥନା କରିବା । ସେହି ସ୍ୱୀକୃତି ମୋ’ଲାଗି ସବୁବେଳେ ରହିଛି, —ତାହାହିଁ ମୋ’ର କେଡ଼େବଡ଼ ଭାଗ୍ୟ । ମୋ’ର କେଡ଼େ ବଡ଼ ଆନନ୍ଦ !

 

୨୩ । ୧୧ । ୮୨

 

କୃତଜ୍ଞତା ଜୀବନର ଏକ ସ୍ୱାଭାବିକ ସମଗ୍ର ଆଭିମୁଖ୍ୟରେ ପରିଣତ ହେବା ପରେ ଆପଣାର କୋଷଗୁଡ଼ିକୁ ଭିତରେ ମଧ୍ୟ ସତେବା ଆଗରୁ ବନ୍ଦ ହୋଇ ରହିଥିବା ଦରଜାଗୁଡ଼ିକ ଖୋଲିଯାଏ । କୋଷଗୁଡ଼ିକ, ଯେଉଁମାନେ କି ଆଗରୁ ହୁଏତ ଗୋଟାଏ ବୋଝପରି ଲାଗୁଥିଲେ, ଏଣିକି ସତେଅବା ଗୋଟିଏ ଗୋଟିଏ ଫୁଲପରି ଅନୁଭୂତ ହୁଅନ୍ତି ଓ ସେହିମାନଙ୍କର ସାମାହାରରେ ସମସ୍ତ ଦେହଟି ସତେଯେପରି କାହାପାଖରେ ନିବେଦନଯୋଗ୍ୟ ହୋଇ ପାରିବାଲାଗି ଫୁଲଟିଏ ପରି ଫୁଟି ଉଠିବାଭଳି ମନେ ହେଉଥାଏ । ସାରା ଜୀବନର ସଂସାର ସତେ ଅବା ଗୋଟିଏ ବଗିଚାପରି ଲାଗେ, ସେହି ବଗିଚାଟି ଭିତରେ ଆପେ ସତେଅବା ନିଜ ଘରଟି ଭିତରେ ରହିଥିବା ପରି ମନେହୁଏ । ଜୀବନ ଧନ୍ୟ ହୁଏ । ଆପାଣାକୁ ଏହିପରି ନିବେଦନ ସମ୍ମତ ଫୁଲଟିଏ ପରି ପ୍ରତ୍ୟକ୍ଷ କରି ଏହି ଆଖିମାନେ ବି ଧନ୍ୟ ହୋଇ ଯାଆନ୍ତି ।

 

ଜୀବନରେ ଏକ ପର୍ଯ୍ୟାୟ ଥାଏ, ସେତେବେଳେ ଦେବା ଆଉ ନେବାର ଅଲଗା ଅଲଗା ହିସାବ ହୁଏ, ଦୁଇ ହିସାବରେ ତୁଳନା ହୁଏ ଏବଂ ତା’ପରେ ଜୀବନରେ ଲାଭବାନ ହେବାର ଏବଂ କ୍ଷତି ସହିବାର ନିରାଟ ବିଚାରଟିକୁ କରା ଯାଇଥାଏ । କୃତଜ୍ଞ ହୋଇ ରହିବାରେ ଦେବା ଓ ନେବାର ଦୁଇଟିଯାକ ଆଭିମୁଖ୍ୟ କୋଉଠି କେତେବେଳେ ଯେ ଏକାଠି ହୋଇ ମିଶି ଯାଆନ୍ତି, ସେକଥା ମୋତେ ଜାଣି ହୁଏ ନାହିଁ । ସମ୍ମତିର ଦ୍ଵାରଗୁଡ଼ାକ ସହଜ ଭାବରେ ଖୋଲା ହୋଇ ରହିଥାଏ । ଦେବା ଓ ପାଇବା ଉଭୟେ ଏକାବେଳକେ ସମ୍ଭବ ହୋଇ ପାରନ୍ତି ।

 

୨୪ । ୧୧ । ୮୨

 

ଜୀବନକୁ ଯେଉଁମାନେ ସତେଅବା ଗୋଟାଏ ଜଙ୍ଗଲରେ ପରିଣତ କରି ରଖିଥାନ୍ତି, ଜୀବନରେ ସଫଳତା କହିଲେ ସେମାନେ ପ୍ରଧାନତଃ ଜଣେ ଶିକାରୀର ସଫଳତାକୁ ହିଁ ବୁଝାଏ । ଶିକାରୀ ପରି ଉଦ୍ଧତ ହୁଅନ୍ତି, ଶିକାରୀ ପରି ଆପଣାର ପ୍ରଶଂସା କରୁଥାନ୍ତି । ସାରା ଜଗତଟାକୁ ମଧ୍ୟ ସେମାନେ ସତେଅବା ଗୋଟାଏ ଜଙ୍ଗଲ ପରି ଦେଖୁଥାନ୍ତି ।

 

ଏକ ତଥାକଥିତ ଅର୍ଥରେ ମଣିଷ ଯେତିକି ସଭ୍ୟ ହେବାରେ ଲାଗିଛି ତା’ଆଖିରେ ସଂସାରର ସେତିକି ଅଧିକରୁ ଅଧିକ ମଣିଷ ସତେଅବା ଶିକାରର ବସ୍ତୁ ପରି ଦେଖାଯିବାରେ ଲାଗିଛନ୍ତି । ଶିକାରୀମାନେ ଯେପରି ଆପଣା ଶିକାରର ନାନା ପରାକ୍ରମକୁ ଶିଙ୍ଗ, ଚର୍ମ ଓ ଛାଲ କରି ଆପଣା ଘରେ ସାଇତି ରଖିଥାନ୍ତି, ଏହି ମଣିଷମାନେ ସେହିପରି ସଂସାରରେ କେତେ କେତେ ମଣିଷଙ୍କର ସତ୍ୟାନାଶ କଲେ ଓ କେତେ ମଣିଷଙ୍କୁ ଅତିକ୍ରମ କରି ଆହୁରି ବଡ଼ ହୋଇ ଉପରକୁ ଉଠିଗଲେ, ସେହି କଥା କହି କେଡ଼େ ଆନନ୍ଦ ଅନୁଭବ କରିଥାନ୍ତି, ମୁଁ ଏହି ସଂସାରକୁ କେବେହେଲେ ଏକ ଜଙ୍ଗଲ ବୋଲି ମନେ କରିନାହିଁ ଅଥବା ଏଠାରେ ମୁଁ କାହାରିକୁ ମାଡ଼ି ଦଳି ଦେଇ; ଅସ୍ଵୀକାର ବା ଅବଜ୍ଞା କରି ଅତିକ୍ରମ କରିଯିବାକୁ ମୋଟେ ଇଚ୍ଛା କରିନାହିଁ । ସଂସାରର ଏହି ଘରଟିରେ ମୁଁ ମଣିଷକୁ ସାଥୀ ହିସାବରେ ଲୋଡ଼ିଛି, ସଙ୍ଗୀ ହିସାବରେ ଓ ସମଧର୍ମ ହିସାବରେ ବି ଲୋଡ଼ିଛି । ନିଜ ଭିତରେ ମଧ୍ୟ ସେଇଥିଲାଗି ସତେଅବା ଏକ ଘର ବା ଏକ ଆସ୍ଥାନ ପ୍ରସ୍ତୁତ ହୋଇ ଆସୁଥିବା ପରି ଅନୁଭବ କରିଛି ।

 

୫ । ୧୨ । ୮୨

 

ସ୍ମରଣ ଅନେକ ପ୍ରକାରର ରହିଛି । ସ୍ମରଣ କରିବାଲାଗି ଅନେକ ଗୁଣକୀର୍ତ୍ତନ କରନ୍ତି । ଭାବବିହ୍ୱଳ ହୋଇ ଗୋଟିଏ ନିର୍ଦ୍ଧିଷ୍ଟ ଦିନକୁ ଆଉ ସବୁ ଦିନ ଅପେକ୍ଷା ବିଶିଷ୍ଟ ହୋଇ ରହିଥିବା ଦିନଟିଏ ରୂପେ ପାଳନ କରି ମଧ୍ୟ ଅନେକେ ଅନୁଷ୍ଠାନିକ ଭାବରେ ସ୍ମରଣ କରିଥାନ୍ତି । ଆହୁରି ଅନେକେ କ୍ଷତିଗୁଡ଼ାକୁ ଅନୁଭବ କରନ୍ତି, ଖାଲି ହୋଇ ଯାଇଥିବା ସ୍ଥାନଟି କଦାପି ପୂର୍ଣ୍ଣ ହୋଇ ପାରିବନାହିଁ ବୋଲି ଭାବ ବ୍ୟକ୍ତ କରି ପ୍ରାୟ ବ୍ୟାକୁଳ ଓ ଆତୁର ହୋଇ ପଡ଼ନ୍ତି । ସ୍ପର୍ଶଦ୍ଵାରା ମଧ୍ୟ ସ୍ମରଣ କରାଯାଇପାରେ । ସ୍ମରଣ କଲାବେଳେ ମୁଁ ଠିକ୍‍ ସେହିପରି ସତେଅବା ସ୍ପର୍ଶ କରୁଥିବା ପରି ଅନୁଭବ କରିଥାଏ ।

 

ଅସଲ ସ୍ପର୍ଶ ଭିତରେ ହୁଏ, ଭିତରେ ହିଁ ମିଳେ । ବାହାରେ ହାତ ବଢ଼ାଇ ବହିସ୍ତ୍ର ଆଉ କୌଣସି ବସ୍ତୁକୁ ସ୍ପର୍ଶ କରୁଥିବା ପରି ମୋଟେ ମନେ ହୁଏ ନାହିଁ । ଯୋଉ ବସ୍ତୁକୁ ସ୍ପର୍ଶ କରାଯାଏ, ତାହାକୁ ସେହି ଭିତରେ ହିଁ ସ୍ପର୍ଶ କରାଯାଏ । ଏବଂ ଭିତରେ ଯଥାର୍ଥ ସ୍ପର୍ଶଟି ଘଟି ପାରିଲେ ତଥାକଥିତ ବାହାରେ ସକଳ ଗତିଶୀଳତା ଓ ସକଳ ଆବେଦନ ମଧ୍ୟରେ ସେହି ବସ୍ତୁଟି ଏକାବେଳକେ ପୂରି ରହିଥିବା ପରି ମନେହୁଏ । ଯିଏ ପ୍ରତ୍ୟେକ ସ୍ମରଣକୁ ଏହିପରି ଗୋଟିଏ ଗୋଟିଏ ସ୍ପର୍ଶରେ ପରିଣତ କରି ପାରିଛି, ସିଏ ପ୍ରକୃତରେ ଘରଟିଏ ପରି ଘରକରି ରହିଛି ଓ ବାଟଟିଏ ପରି ବାଟଟିଏ ଚାଲିଛି । ତା’ଲାଗି କେବେହେଲେ ବି କୌଣସି ବିଚ୍ଛେଦ ଘଟୁନାହିଁ । ଓ କୌଣସି ବିଚ୍ୟୁତି ମଧ୍ୟ ଘଟୁନାହିଁ ।

 

୭ । ୧୨ । ୮୨

 

ଏକାବେଳକେ ଗତିଶୀଳ ଏବଂ ଅଚଞ୍ଚଳ । ଗୋଟାଏ ଦୃଷ୍ଟିରୁ ବିଚାର କରି କହିଲେ, ଭିତରେ ଗତିଶୀଳ ଏବଂ ବାହାରେ ଅଚଞ୍ଚଳ । ଅତ୍ୟନ୍ତ ସ୍ଵାଭାବିକ ଭାବରେ ଗତିଶୀଳ ଏବଂ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଅଚଞ୍ଚଳ । ଗତିଶୀଳ ଅଚଞ୍ଚଳତା ହିଁ ହୁଏତ ଏକମାତ୍ର ଯଥାର୍ଥ ଅଚଞ୍ଚଳତା ଓ ଚଞ୍ଚଳ ଗତିଶୀଳତା ହିଁ ହୁଏତ ଏକମାତ୍ର ଯଥାର୍ଥ ଗତିଶୀଳତା ।

 

ଅନେକଙ୍କର ଭିତରଟା ଏପରି ଭାବରେ ଜଡ଼ ଏବଂ ଗତିବିହୀନ ହୋଇ ରହିଥାଏ ଯେ, ସେମାନେ ବାହାରେ ପ୍ରାୟ ଏକ ବ୍ୟାଧିତ ଭାବରେ ଗତିଶୀଳ ଚଞ୍ଚଳ ହୋଇ ରହିଥାନ୍ତି । ଭିତରେ ବ୍ୟାଧିତ ଭାବରେ ଦ୍ରୁତ ଓ ସନ୍ତାପିତ ହୋଇ ରହିଥିଲେ ବି ଅନେକ ସମୟରେ ବାହାରଟାକୁ ହୁଏତ ଏକ ଅନମନୀୟ ଜଡ଼ତା ସର୍ବଦା ଗ୍ରାସ କରି ରହିଥାଏ । ଯେଉଁମାନେ କେବଳ ଗତିଶୀଳ ହେବାକୁ ହିଁ ଜୀବନର ଏକମାତ୍ର ତାଡ଼କ ପରି ଗ୍ରହଣ କରି ନେଇଥାନ୍ତି, ସେମାନଙ୍କର ଯାବତୀୟ ପ୍ରେରଣା ସତେଅବା ଚେରଛିଣ୍ଡା ହୋଇ ରହିଥାନ୍ତି । ଆପଣାର ସୂତାଗୁଡ଼ାକୁ ସେମାନେ ହୁଏତ କେବେହେଲେ ଏକାଠି କରି ଧରି ରଖି ପାରନ୍ତିନାହିଁ । ଏବଂ ଅପର ପକ୍ଷରେ, ଯେଉଁମାନେ ଅଚଞ୍ଚଳ ହୋଇ ରହିବାକୁ ଜୀବନର ପରମ ବ୍ରତରୂପେ ଆଦରି ନେଇଥାନ୍ତି, ସେମାନେ ଏହିପରି ଆଚରଣ କରି କରି କ୍ରମେ ମାଦଳ ହୋଇ ଯାଆନ୍ତି । ଥୋବରା ହୋଇ ଯାଆନ୍ତି । ଯାବତୀୟ ଗତିଶୀଳତାକୁ ଡରନ୍ତି । ଉପେକ୍ଷାକୁ ହିଁ ଥିରତା ବୋଲି ଭାବନ୍ତି । ତେଣୁ ଦୁଇଟିଯାକ ଏକାଠି ରହିଥିବା ଉଚିତ । ଏବଂ ଯୁଗପତ୍‍ ଭାବରେ ହିଁ ରହିଥିବା ଉଚିତ ।

 

୧୬ । ୧୨ । ୮୨

Unknown

 

ସମସ୍ତେ ପ୍ରଥମେ ତଳେ ଥାଆନ୍ତି, କ୍ରମଶଃ ଉପରକୁ ଉଠନ୍ତି । ଏହି ପ୍ରକ୍ରିୟାଟିର ମଧ୍ୟଦେଇ ଯାଉ ଯାଉ କେତେ ମଣିଷ ଉପରକୁ ଯିବା ପରେ ଆଉ ତଳ ସହିତ ନିଜ ଭିତରେ ଆଦୌ କୌଣସି ଖିଅ ରଖି ପାରନ୍ତି ନାହିଁ । ସେମାନେ ମୋଟେ ଠିଆ ହୋଇ ରହିବାକୁ ଇଚ୍ଛା କରନ୍ତି ନାହିଁ, ବସିଯିବାକୁ ହିଁ ମନ କରନ୍ତି । ଏବଂ ବସିଲେ କେବେହେଲେ ତଳେ ବସିବାକୁ ବି ମନ କରନ୍ତିନାହିଁ । ଏକାବେଳକେ ଚଉକି ଉପରେ ଯାଇ ବସନ୍ତି । ଆପଣାର ହୃଦୟ ଭିତରେ ସତେଅବା ଏହି ଚଉକିଗୁଡ଼ାକ ସହିତ ହିଁ ଏକ ପରିଣୟସତ୍ରରେ ଆବଦ୍ଧ ହୋଇ ରହିଥାନ୍ତି । ଆପଣାକୁ ଚଉକି ତଳେ ହିଁ ଦେଖିବାର ହୀନିମାନରେ ପଡ଼ିଯାଆନ୍ତି । ଅର୍ଥାତ୍‍ ଆଗ ଚଉକିକୁ ଦେଖନ୍ତି, ତା’ପରେ ଯାଇ ଆପଣାକୁ ଦେଖନ୍ତି ।

 

ସଂସ୍କୃତି ଓ ସଂଖ୍ୟର ଯାବତୀୟ କ୍ଷେତ୍ରର ଏହି ମଣିଷମାନେ ହେଉଛନ୍ତି ଅଲକ୍ଷଣା ମଣିଷ, ଆମର ଦିଗ୍‍ବଳୟଗୁଡ଼ିକୁ ଭାରି ଶୋଚନୀୟ ଭାବରେ ଲକ୍ଷ୍ମୀଛଡ଼ା କରି ରଖିଥିବା ଗୋଟିଏ ଗୋଟିଏ ମଣିଷ । ଏମାନେ ମଇଳାଗୁଡ଼ାକୁ ଆଣି ଏକାବେଳକେ ଘରଭିତରେ ପୂରାଇବାକୁ ମନ କରୁଥାନ୍ତି, କେବଳ ଆପଣାକୁ ହିଁ ଦେଖୁଥାନ୍ତି, ଆପଣା ସହିତ ହିଁ ପ୍ରଣୟ କରୁଥାନ୍ତି । ସାହିତ୍ୟର ପିଣ୍ଡାଗୁଡ଼ାକ ଉପରେ ଏମାନଙ୍କୁ କଜିଆ କରିବାର ଦେଖିଲେ ସାହିତ୍ୟକୁ ସାଙ୍ଗରେ ନେଇ ନୀରବରେ ସଭାଗୁଡ଼ାକରୁ ବାହାରି ଆସିବା ସକାଶେ ହିଁ ମନ ହୋଇଥାଏ । ଏମାନଙ୍କର ପାଖ ମାଡ଼ିବାକୁ ଇଚ୍ଛା ହୁଏନାହିଁ ।

 

୨୩ । ୧୨ । ୮୨

 

ଖଣ୍ଡିତ ଭାବରେ ଦେଖିବା, ତାହାହିଁ ମାୟା । ଖାଲି ଉପରଟାକୁ ଦେଖିବା ହେଉଛି ମାୟା, ନାନା କାରଣରୁ ସ୍ଵାର୍ଥ ପ୍ରଣୋଦିତ ହୋଇ ଦେଖିବା, —ତାହାହିଁ ମାୟା । ତେଣୁ, ସଂସାରକୁ ମୁଁ ମାୟା ବୋଲି କିପରି କହି ପାରିବି, ଅନିତ୍ୟ ବୋଲି ବି କିପରି କହିପାରିବ ? ମୋ’ର ଦେଖିବା ଗୁଡ଼ାକରେ ଓ ଗ୍ରହଣ କରିବା ଗୁଡ଼ାକରେ ଯଦି ଖଣ୍ଡିତତା ଭର୍ତ୍ତି ହୋଇ ରହିଥାଏ, ତେବେ ମୋ’ର ଶ୍ରଦ୍ଧାଗୁଡ଼ାକ ମଧ୍ୟ ଅବଶ୍ୟ ଖଣ୍ଡିତ ହୋଇ ରହିଯିବ ଏବଂ ଶ୍ରଦ୍ଧାଥାନଟି ଖଣ୍ଡିତ ହୋଇ ରହିଥିବା ପର୍ଯ୍ୟନ୍ତ ମୁଁ ଆପଣାକୁ ଆପଣାର ଦେଖିବା, ଅନୁଭବ କରିବା ଓ ଗ୍ରହଣ କରିବାର ମଧ୍ୟଦେଇ କଦାପି ସମ୍ପୂର୍ଣ୍ଣଭାବରେ ଦେଇ ପରିବିନାହିଁ । ଆପଣାକୁ ନାନା ଅନିତ୍ୟତାର ଭାବନାଦ୍ୱାରା କୁଟିଳ କରି ରଖିଥିବା ପର୍ଯ୍ୟନ୍ତ ମୁଁ କେବେହେଲେ ନିତ୍ୟତାର ପାଖ ମାଡ଼ି ପାରିବନାହିଁ ।

 

ତେଣୁ, ମାୟାକୁ ନିତ୍ୟତାର ପ୍ରସ୍ଥ ଦେଇ ଦେଖିଲେ ତାହାହିଁ ସତ୍ୟ ମୋହକୁ ସମଗ୍ରତାର ପ୍ରସ୍ଥ ଦେଇ ଅନୁଭବ କରି ପାରିଲେ ତାହାହିଁ ଶ୍ରଦ୍ଧା । ଏସବୁ, —ଏହି ସତ୍ୟବୋଧ ଓ ଶ୍ରଦ୍ଧାନୁଭବ, ଏଗୁଡ଼ିକ ସଂସାର ଭିତରେ ନାହିଁ, ଏସବୁ ମୋ’ର ସ୍ୱନିର୍ବାଚିତ ଅବବୋଧଟିର ସ୍ତରରେ ହିଁ ନିହିତ ହୋଇ ରହିଛି । ଏହି ସ୍ତରଟିକୁ ମୁଁ ଯେତିକି ଅଧିକ ଗଭୀର ଭାବରେ ଛୁଇଁ ପାରିବି, ମୋ’ ଜୀବନରେ ମାୟାର ଭାଗ ଏବଂ ଅଶ୍ରଦ୍ଧାର ଭାଗଗୁଡ଼ିକ ସେତିକି ସେତିକି ଊଣା ହୋଇ ଯାଉଥିବ, ସଂସାରଟା ସେତିକି ଅଧିକ ସତ୍ୟରୂପେ ପ୍ରତିଭାତ ହେବାରେ ଲାଗିଥିବ ଓ ମୁଁ ସେତିକି ଅଧିକ ଆତ୍ମୀୟତାର ସହିତ ଆପଣାର ସ୍ଵୀକୃତ ବି ହେବାରେ ଲାଗିଥିବା ।

 

୧୯୮୩

୧୦ । ୧ । ୮୩

 

ସ୍ୱପ୍ନଗୁଡ଼ାକ ସଫଳ ହୋଇ ଆସୁଥିବାର ଅନୁଭବ ହେଲେ ଆଖିଗୁଡ଼ାକ ଲୁହରେ ଭର୍ତ୍ତି ହୋଇ ଆସିବାପରି ମନେ ହୁଏ । ମାୟାଗୁଡ଼ାକ ଭମାଇ ଦେବାରେ ଲାଗିଥାନ୍ତି; ଏହି ସଂସାରରେ କେବଳ ଅସମ୍ଭବତାର ସୀମାଗୁଡ଼ାକ ଚରିଯିବା ବ୍ୟତୀତ ଏଠି ମୋଟେ କିଛି ହେବନାହିଁ ବୋଲି ଯାବତୀୟ ସମ୍ଭବ ସହିତ ସୂତ୍ର କାଟି ନିଃସମଗ୍ର ହୋଇ ବସିଥିବା ଚତୁରମାନେ ଉପଦେଶ ଦେବାରେ ଲାଗିଥାନ୍ତି । କର୍ତ୍ତାମାନେ ଚଉକିଗୁଡ଼ାକୁ ଧାଡ଼ୀ କରି ଉଚ୍ଚ କରି ଦେଖାଇ ଏହା ସେପାଖକୁ ଦିଗ୍‍ବଳୟ ବୋଲି ଆଉ କିଛିହେଲେ ନାହିଁ ବୋଲି କହି ବିଶ୍ଵାସ ହରାଇ ବସିଥିବା ବୁଢ଼ା ହରିଣଙ୍କ ପରି ଖାଲି ସତର୍କ କରିଦେବାରେ ଲାଗିଥାନ୍ତି । ଏହି ସ୍ୱପ୍ନଗୁଡ଼ାକ ହୁଏତ ସ୍ୱପ୍ନ ହୋଇ ରହିଯିବ ବୋଲି ଭିତରୁ ଏକ ସନ୍ଦେହ ନିଜର ଚାରିପାଖର ଆବୋରି ମାଡ଼ି ଆସୁଥିବା ପରି ମନେ ହେଉଥାଏ । ଏତିକିବେଳେ ଆଖି ଆଗରେ ସିନ୍ଦୂରାଫାଟେ, ଚିତ୍ତ ଆକାଶରେ ସିନ୍ଦୂରା ଫାଟେ । ସତେଅବା ମଣିଷଟିଏ ମୋ’ର ଆଡ଼କୁ ଅନାଇ ବନ୍ଧୁଟିଏ ପରି ଖାଲି ମୁରୁକି ହସିବାରେ ଲାଗିଥାଏ । ଭବିଷ୍ୟଟା ମଧ୍ୟ ସତେଅବା କେଡ଼େ ବଡ଼ ବନ୍ଧୁପରି ଅଶେଷ ପ୍ରତ୍ୟୟର ସନ୍ତକ ହୋଇ ନିକଟବର୍ତ୍ତୀ ହୋଇ ଆସୁଥିବା ପରି ମନେ ହେଉଥାଏ । ସେତିକିବେଳେ ଆଖିରେ ଲୁହ ଭର୍ତ୍ତି ହୋଇଆସେ । ଭିତରେ ଥିବା କେଉଁ ବୃକ୍ଷଗୁଡ଼ାକ ସତେଅବା ଏକାବେଳକେ କଅଁଳ ଉଠି ବାହାରକୁ ଲୁହ ହୋଇ ଝରିପଡ଼ନ୍ତି । ସେତେବେଳେ ଆପଣା ଉପରେ କେତେ ପ୍ରତ୍ୟୟ ଆସେ । ବାହାରେ ଦେଖିବାକୁ ସାଙ୍ଗରେ ହୁଏତ କେହି ନଥିଲେ ମଧ୍ୟ ତଥାପି ମୋଟେ ଏକୁଟିଆ ବୋଲି ମନେ ହୁଏନାହିଁ ।

 

୧୧ । ୧ । ୮୩

 

ଜୀବନକୁ ଆମେ ଅନେକ ଅନେକ ସମୟରେ ପ୍ରାୟ ଏକ ପୁନରାବୃତ୍ତି ବୋଲି ମନେ କରୁଥିଲେ ମଧ୍ୟ ଜୀବନ ତଥାପି ମୋଟେ ଏକ ପୁନରାବୃତ୍ତି ନୁହେଁ । ଆମର ଏହି ଆଖିରେ ଏମିତି କ’ଣ ଗୁଣଟିଏ ରହିଛି ଯେ ତାହା ପ୍ରତିଦିନ ହୁଏତ ସେହି କଥାଟିକୁ ଦେଖୁଥିଲେ ମଧ୍ୟ ପ୍ରକୃତରେ ଠିକ୍‍ ସେହି କଥାଟିକୁ ମୋଟେ ଦେଖେନାହିଁ । ମଣିଷର ସମ୍ପର୍କ ଓ ସମ୍ବନ୍ଧ ଆକାଂକ୍ଷାରେ ଏପରି କ’ଣ ବିଶେଷ କଳାଟିଏ ରହିଛି ଯେ, ସିଏ ହୁଏତ ପ୍ରତ୍ୟହ ସେହି ସମ୍ପର୍କଗୁଡ଼ିକୁ ଦୋହରାଇବାକୁ ଯାଉଥିଲେ ହେଁ ପ୍ରକୃତରେ ଠିକ୍‍ ସେହି ସମ୍ପର୍କଟିକୁ ମୋଟେ ଦୋହରାଇ ପାରେନାହିଁ । ମଣିଷ ପ୍ରତ୍ୟହ ନୂଆ ନୂଆ ଭାବରେ ସମ୍ବନ୍ଧ ଯୋଡ଼େ । ନୂଆ ଭାବରେ ସମ୍ବନ୍ଧ କରେ ଓ ନୂଆ ଭାବରେ ସମ୍ବନ୍ଧିତ ହୁଏ ।

 

ଏହି ଯାବତୀୟ ଦେଖିବା ଓ ଛୁଇଁବାର ଅସଲ ପ୍ରେରକ ହୋଇ ଏକ ଭଲ ପାଇବା ରହିଛି, ଯାହାକି ମନୁଷ୍ୟର ଦେଖିବା ଓ ଛୁଇଁବାର ଏହିଭଳି ଭାବରେ ଐଶ୍ଵର୍ଯ୍ୟମୟ ଓ ଅନନ୍ୟ କରି ରଖିଥାଏ । ଭଲ ପାଇବାର ଅନନ୍ୟତା ସହିତ ମଣିଷର ଦେଖିବା ମଧ୍ୟ ସର୍ବଦା ନୂତନ ହୋଇ ଚାଲିଥାଏ । ମଣିଷର ଯାବତୀୟ ଦୁଆର ଖୋଲିବା ତା’ଲାଗି ଏକ ନୂତନ ବନ୍ଧୁର ସ୍ପର୍ଶ ଓ ନିର୍ଭର ଆଣି ଦେଇ ଯାଉଥାଏ । ସେଥିଲାଗି ସଂସାରଗୁଡ଼ାକ ପାହାଚପରି ଲାଗେ, ସକାଳଗୁଡ଼ାକୁ କଦାପି ଗୋଟିଏ ଅନ୍ୟଟିର କେବଳ ପୁନରାବୃତ୍ତି ପରି ଲାଗେନାହିଁ । ସମ୍ଭବତଃ ସେଇଥିଲାଗି ହିଁ ଏହି ଦେଖିବା ସରେନାହିଁ, ଏଇ ଛୁଇଁବା ମଧ୍ୟ କେବେହେଲେ ସରେନାହିଁ ।

 

୧୨ । ୧ । ୮୩

 

ଭଲ ପାଇବା ଅନେକ ଧକ୍କା ଖାଇଲା, ତଥାପି ବୃଦ୍ଧି ହିଁ ପାଇବାରେ ଲାଗିଲା । ହୁଏତ ତାହାକୁ ହିଁ ଜୀବନର ସର୍ବପ୍ରଥମ ଅଭିଜ୍ଞତା, ସର୍ବପ୍ରଥମ ଲାଭ ଓ ସର୍ବପ୍ରଥମ ଶିକ୍ଷା ବୋଲି କୁହାଯାଇପାରିବ । ଯେଉଁମାନେ ଅଧିକରୁ ଅଧିକ ଚାଲାଖ ହୋଇ ରହିବେ ବୋଲି ଆପଣାର ସାନ କଣଟିଏ ତିଆରି କରି ତାହାରି ଭିତରେ ଆପଣାକୁ ପ୍ରାୟ ମୁଣ୍ଡାଇ ଧରି ଛିଡ଼ା ହୋଇ ରହିଥାନ୍ତି, ସେମାନେ ଜାଣିଶୁଣି ଆପଣାର ଅନେକ ଲାଭରୁ ଆପଣାକୁ ହିଁ ବଞ୍ଚିତ କରି ରଖିଥାନ୍ତି ।

 

ଭଲ ପାଇବାରେ ହାରିବା ବା ଜିତିବାର ବିଚାର କରାଯାଏ ନାହିଁ । ହାରିବା ଓ ଜିତିବାର ବିଚାରଟା ହିଁ ଆମ ଜୀବନର ସର୍ବନିୟାମକ ବିଚାର ହୋଇ ରହିଥିବା ପର୍ଯ୍ୟନ୍ତ ଆମେ ହୁଏତ ଭଲ ପାଇବାର ସମର୍ଥ ବି ହୋଇ ପାରୁନାହିଁ, ଏବଂ ସେହି ଅସମର୍ଥତା ଆମକୁ ଆପଣା ପାଖରେ ମଧ୍ୟ ନାନାଭାବେ ଅସମର୍ଥ କରି ରଖିଥାଏ । ଆପଣା ଭିତରେ ଆପଣାର ସୂର୍ଯ୍ୟଟି ଉଦୟ ହୋଇ ଆମର ଯାବତୀୟ ପାଚେରୀକୁ ଭାଙ୍ଗି ଦେବ ବୋଲି ଅପେକ୍ଷା କରି ବସିଥାଏ, ମାତ୍ର ତଥାପି ଆମେ ଆପେକ୍ଷମାଣ ସେହି ଅସଲ ବନ୍ଧୁଟିର କୌଣସି ଇଙ୍ଗିତକୁ ଅନୁଭବ କରି ପାରୁନାହିଁ । ଏହା ଆମର ଦୁର୍ଭାଗ୍ୟ । ଏହାଦ୍ଵାରା ଆମେ ନିଜେ ହିଁ ଅଲଗା ହୋଇ ରହିବାକୁ ଅନେକ ସମୟରେ ଅସଲ ମୁକ୍ତିପଥ ବୋଲି ମାନୁଥାଉ ଆପଣାକୁ ବଞ୍ଚିତ କରି ରଖିଥାଉ ।

 

୧୩ । ୧ । ୮୩

 

ଆପଣାକୁ ନିଃସ୍ଵ ବୋଲି ଲାଗିଲାବେଳେ ସବାଆଗ ମଣିଷ ମନେ ପଡ଼ନ୍ତି । ଧନ ମନେ ପଡ଼େନାହିଁ, ଯଶ ମନେ ପଡ଼େନାହିଁ ମାନସମ୍ମାନ ଗୁଡ଼ାକ ବି ମୋଟେ ମନେ ପଡ଼ନ୍ତିନାହିଁ । ଏକୁଟିଆ ଲାଗିଲାବେଳେ ଭିତରେ ଅତି ଆପଣାର ମଣିଷଟି ସଂସାରରେ ସବାଆଗ ମଣିଷମାନଙ୍କୁ ହିଁ ଖୋଜୁଥାଏ । ମଣିଷମାନଙ୍କ ସହିତ ଲାଗିଥିବା ତା’ର ସେହି ଅନ୍ତର୍ଗତ ଡୋରଟି, ଯାହାକି ଭିତର ସହିତ ବାହାରକୁ ଏକତ୍ର କରି ରଖିଛି ଓ ଭିତର ତଥା ବାହାରର ଜୀବନକୁ ସମ୍ଭବ କରାଉଛି, ସେହି ଅନ୍ତର୍ଗତ ଡୋରଟିକୁ ହିଁ ସିଏ ଖୋଜିବାରେ ଲାଗିଥାଏ । ସେହି ଡୋରଟି ହାତଛଡ଼ା ହୋଇ ଗଲେ ଆପଣାକୁ ନିଃସ୍ଵ ଲାଗେ ଏକୁଟିଆ ଲାଗେ ।

 

ଅନେକ ମଣିଷ ମଣିଷକୁ ଛାଡ଼ି ମୂଲ୍ୟଗୁଡ଼ାକର ଆଲୋଚନା କରନ୍ତି । ସେମାନେ ମଣିଷକୁ ଛାଡ଼ି ଧର୍ମର ଆଲୋଚନା କରନ୍ତି, ଅନେକ ସମୟରେ ସୁଖ ଓ ଶାନ୍ତିର ବି ଆଲୋଚନା କରନ୍ତି । ଏମାନେ ଜୀବନରେ ହୁଏତ କେବେହେଲେ ସାଙ୍ଗଟିଏ ପାଇନଥାନ୍ତି । ଆପଣାପାଖରେ ମଧ୍ୟ ସାଙ୍ଗଟିଏ ହୋଇ ପାରିନଥାନ୍ତି । ସେଇଥିଲାଗି ସଂସାରଘରକୁ ମଣିଷକୁ ବାଦ ଦେଇ ଦେଖନ୍ତି, ମୂଲ୍ୟବୋଧର ଆକାଶ ଗୁଡ଼ାକୁ ମଧ୍ୟ ମଣିଷକୁ ବାଦ୍‍ ଦେଇ କଳନା କରନ୍ତି । ଏମାନେ ମଣିଷକୁ ଛାଡ଼ି ପଣ୍ଡିତ ହୁଅନ୍ତି, ମଣିଷକୁ ବାଦ୍‍ ଦେଇ ଧର୍ମର କଳନା ଓ କଳ୍ପନା ବି କରନ୍ତି । ମୁଁ ତାହା କରି ପାରେନାହିଁ । ଆପଣାକୁ ଅନୁଭବ କରିବା ପୂର୍ବରୁ ମୁଁ ଏହି ଡୋରଟିକୁ ଆଗ ଅନୁଭବ କରିଥାଏ । ଆପଣାକୁ ଯଥାର୍ଥ ଭାବରେ କରିବା ଲାଗି ମୁଁ ସବାଆଗ ଏହି ଡୋରଟିକୁ ଅନୁଭବ କରିଥାଏ ।

 

୧୪ । ୧ । ୮୩

 

ସେମାନେ ଯେଉଁ ମଣିଷଟି ହୋଇ ପାରିନାହାନ୍ତି, ମୁଁ ସେହି ମଣିଷଟିକୁ ଖୋଜୁଛି । ସେହି ମଣିଷଟି ହେବାଲାଗି ସେମାନେ ହୁଏତ ଇଚ୍ଛା ବି କରୁନାହାନ୍ତି । ମୁଁ ଚେଷ୍ଟା କରୁଛି । ସେମାନେ ଖୋଲା ଭିତରେ ପଶିଛନ୍ତି । ଖୋଳଗୁଡ଼ାକୁ ଭଲ ପାଉଛନ୍ତି । କାରଣ, ଖୋଳଗୁଡ଼ାକ ଖସିଗଲେ ଯେ ସେମାନଙ୍କର ସ୍ୱରୂପ ବୋଲି ଆଉ ଆଦୌ କୌଣସି ପଦାର୍ଥ ରହିବନାହିଁ, ସେମାନେ ସେହି ଭୟଟି ହିଁ କରୁଛନ୍ତି ।

 

ଆପଣାର ଯାବତୀୟ ଉଦ୍ୟମ ଭିତରେ ମୁଁ ସେହି ମଣିଷଟିକୁ ଖୋଜୁଛି । ମୋ’ର ଯାବତୀୟ କର୍ମ, ଜ୍ଞାନୋଦ୍ୟମ ଓ ଯାବତୀୟ ସମ୍ବନ୍ଧକାମନା ଭିତରେ ମୁଁ ସେହି ମଣିଷଟିକୁ ଖୋଜୁଛି-। ମୋ’ ଜୀବନକାମନାର ସକଳ ମୁହୂର୍ତ୍ତର ଗଭୀରରେ ମୁଁ ସେହି ମଣିଷଟିକୁ ଅନୁଭବ କରିବାକୁ ହିଁ ଇଚ୍ଛା କରୁଛି । ମୋ’ର ସାହିତ୍ୟ —କାମନା ମୋ’ର ଜୀବନକାମନା ଠାରୁ ମୋଟେ ଅଲଗା ନୁହେଁ, ତେଣୁ ସାହିତ୍ୟ ଭିତରେ ମଧ୍ୟ ମୁଁ ସେହି ମଣିଷଟିକୁ ଖୋଜୁଛି । ସାହିତ୍ୟ ମାଧ୍ୟମରେ ଯାବତୀୟ ଅଭିବ୍ୟକ୍ତ ଦେଇ ମୁଁ ଆପଣା ଭିତରେ ସେହି ମଣିଷଟିର ସନ୍ଧାନ କରିବାରେ ଲାଗିଛି । ତାହାର କିଞ୍ଚିତ ସ୍ପର୍ଶ ମଧ୍ୟ ପାଇଛି, ଏବଂ ତାହାହିଁ ମୋତେ ଅଭିଭୂତ କରି ପକାଇଛି, ମୋ’ର ଯାବତୀୟ ବୈରାଗ୍ୟକୁ ଏକ ଅନନ୍ତ ଅନୁରାଗରେ ପରିଣତ କରିଦେଇଛି, ପ୍ରଧାନତଃ ହୁଏତ ସେହି କାରଣରୁ ସାହିତ୍ୟ ମୋତେ ଏତେ ଭଲ ଲାଗିଛି, ମୋ’ର ଆପଣାର ଏକ ଧର୍ମ ପରି ଲାଗିଛି, ମୋ’ ଆପଣାର ଏକ କ୍ଷେତ୍ର ବୋଲି ମନେ ହୋଇଛି ।

 

୨୩ । ୧ । ୮୩

 

ଜୀବନରେ ହାରି ହାରି ହିଁ ମୁଁ ଜିତି ଜିତି ଆସିଛି । ମୋ’ର ଯେଉଁ ବିଦ୍ୟା ଯେଉଁ ଜ୍ଞାନ ଓ ଯେଉଁ ବୁଦ୍ଧି ମୋତେ ଏହି ହାରିବାର ସହଜ ହୃଦୟଟିକୁ ଦେଇଛି, ତା’ପାଖରେ ମୁଁ ଚିରଦିନ କୃତଜ୍ଞ ହୋଇ ରହିବି ।

 

କେବଳ ଆପଣାଟାକୁ ବଜ୍ର କରି ରଖିବାଲାଗି ଯେଉଁମାନେ ସଂସାରଟାକୁ ହରାଇ ବସିଥାନ୍ତି, ମୁଁ ସେମାନଙ୍କୁ ପ୍ରତ୍ୟହ କେତେକେତେ କ୍ଷେତ୍ରରେ ଦେଖୁଛି । ସେମାନେ ବାହାରକୁ କେଡ଼େ ତୋଫାହୋଇ ଦିଶନ୍ତି । ଆପଣାର ଯାବତୀୟ ବୁଦ୍ଧିର ଯାବତୀୟ ପାଲିଶ୍‍ ଦେଇ ସେମାନେ ଆପଣାକୁ ଅଧିକରୁ ଅଧିକ ତୋଫା କରି ଦେଖାଇବାର ହିଁ ଚେଷ୍ଟା କରୁଥାନ୍ତି ହାରିବାକୁ ସତେଅବା କୋଉଠି ହାରନ୍ତି ନାହିଁ, ସବୁଠାରେ ଗଡ଼ ଜୟ କରୁଥାନ୍ତି; — ‘ତାହାକୁ ହିଁ ପରମସମ୍ମାନ ପରି ମଣନ୍ତି । ମୁଁ କାହାରି ଉପରେ ଜୟପତାକା ଉଡ଼ାଇବାକୁ ଇଚ୍ଛା କରେନାହିଁ । ତେଣୁ ଅପେକ୍ଷା କରିଥାଏ । ବାହାରକୁ ଦେଖିବାଲାଗି ଗୋଟାସୁଦ୍ଧା ହାରିଯାଇ ମୁଁ ଅପେକ୍ଷା କରିଥାଏ । ବାହାରେ ଯାହାସବୁ ହରାଇ ଆସିଥାଏ ମୁଁ ତାହାକୁ ହିଁ ଭିତରେ ତଥାପି ସାଇତି ଧରି ଅପେକ୍ଷା କରୁଥାଏ । ତେଣୁ, ମୋତେ ବାହାରେ କି ଭିତରେ ମୋଟେ କର୍କଶ ହେବାକୁ ପଡ଼େନାହିଁ । ଏବଂ ତା’ପରେ ଯାହାସବୁକୁ ବାହାରେ ହରାଇଥାଏ, ସେସବୁ ଓ ସେମାନେ ଗୋଟି ଗୋଟି ହୋଇ ଲେଉଟି ଆସନ୍ତି-। ମୋ’ଜୀବନର ସେହି ପୁରୁଣା ସତ୍ୟଟିକୁ ତଥାପି ଆହୁରି ଥରେ ଅଙ୍ଗେ ନିଭାଇଲା ପରି ଅନୁଭବ ହୁଏ ।

 

୨୭ । ୧ । ୮୩

 

ଥରେ ଥରେ ଆପଣାକୁ ହତ୍ୟା କରିବାକୁ ଇଚ୍ଛା ହୁଏ । ଆପଣା ଭିତରେ ଯାହା କିଛି ପୁରୁଣାଗୁଡ଼ାକୁ ହିଁ ଆବୋରି କରି ରଖିଛି, ତାହାରି ବିରୁଦ୍ଧରେ ଏକ ସମ୍ପୂର୍ଣ୍ଣ ବିଦ୍ରୋହ କରିବାକୁ ଇଚ୍ଛା ହୁଏ ଏବଂ ସବାଆଗ ହତ୍ୟା ବ୍ୟତୀତ ଆଉ ଅନ୍ୟ କିଛି ଉପାୟ ନାହିଁ ବୋଲି ମନେ ହେଉଥାଏ । ଜୀବନରେ କେତେଟା ପାହାଚ ଉଠି ଆସିବାପରେ ଏହି ପୁରୁଣାମାନେ ହିଁ ଭାରି ଖଞ୍ଜରେ ସତେଅବା ଏକାବେଳେକେ ଅନେକ ପାହାଚ ତଳକୁ ଖସାଇ ନେଇଯିବା ପରି ମନେ ହୁଅନ୍ତି । ସେତେବେଳେ ଆପଣାକୁ ଅନାଇ ଭାରି ବିକଳ ଲାଗେ । ଭାରି ମ୍ରିୟମାଣ ଲାଗେ । ମୋ’ନିଜ ଭିତରେ, ଯେଉଁଠି ମୁଁ ମୋ’ର ପରମବନ୍ଧୁଙ୍କୁ ଥାପନ କରି ରଖିଛି ଓ ତାହାଙ୍କୁ ହିଁ ମୋ’ର ଯାବତୀୟ ପରିଧିଚରଣର କେନ୍ଦ୍ରରୂପେ ସ୍ଵୀକାର କରି ନେଇଛି, ସେଇଠି ଯେ ମୋତେ ଏପରି ବିକଳ ଓ ସୂତଚ୍ୟୁତ କରି ରଖିବାର ଏଡ଼େ ପ୍ରଚଣ୍ଡ ହୋଇ ପାରୁଥିବା ଉପାଦାନଗୁଡ଼ାକ ରହିଛି ଓ ମୋ’ଭିତରେ ଥିବା ପୁରୁଣାଗୁଡ଼ାକୁ ଭୁଞ୍ଜି ପୁଷ୍ଟ ହୋଇ ରହିଛି, ତାହାହିଁ ଭାରି ଆଶ୍ଚର୍ଯ୍ୟ ଲାଗେ, ବିଶ୍ଵାସର ଆଖିଗୁଡ଼ାକ ଟଳି ଗଳାପରି ଲାଗେ ।

 

ସେତେବେଳେ ପ୍ରାର୍ଥନା ବ୍ୟତୀତ ଆଉ ଅନ୍ୟ ଉପାୟ ନାହିଁ । ପ୍ରାର୍ଥନା ଅର୍ଥାତ୍‍ ଆପଣା ଭିତରର ଯାବତୀୟ ଅର୍ଜନକୁ ଗୋଟିଏ ସମ୍ମତିରେ ପରିଣତ କରି ପୁନର୍ବାର ଆପଣା ପାଖରେ ପ୍ରତିଶ୍ରୁତି ବଦ୍ଧ ହୋଇ ରହିବା । ପ୍ରାର୍ଥନା, ଅର୍ଥାତ୍‍ ବାହାରର ଯାବତୀୟ ଉଗ୍ରତାକୁ ଛାଡ଼ି ଭିତରେ ଥିର ହୋଇରହିବା, —ଆପଣା ବିଶ୍ଵାସର ସୂତାଗୁଡ଼ାକୁ ପୁନର୍ବାର ଏକତ୍ର କରି ଗୁନ୍ଥିନେବା, ଗୁନ୍ଥି ଗୁନ୍ଥି କେନ୍ଦ୍ର ପର୍ଯ୍ୟନ୍ତ ଯିବା, ଏବଂ ଏହିପରି ଭାବରେ ଅକାତରେ କାତ ପାଇବା ।

 

୧୪ । ୨ । ୮୩

 

ଯାବତୀୟ ଦୁର୍ଘଟଣା ଆଗ ଘଟଣା । ଗୋଟିଏ ଗୋଟିଏ ଘଟଣାରୂପେ ହିଁ ତଥାକଥିତ ଦୁର୍ଘଟଣାଗୁଡ଼ିକ ଏହି ସଂସାରରେ ଓ ଆମ ଜୀବନରେ ଘଟିଥାଆନ୍ତି । ଆମେ ତଦ୍ଦ୍ଵାରା ଅସୁବିଧାରେ ପଡ଼ୁ ବୋଲି ହୁଏତ ସେଗୁଡ଼ିକୁ ଦୁର୍ଘଟଣାରୂପେ ଓ ଦୁର୍ଘଟଣା ବୋଲି କହୁ । ଏଗୁଡ଼ିକୁ ପୁଣି ଅନେକ ଆଗକୁ ବରାଦ ହୋଇ ରହିଥିବା ଏକ ଦଣ୍ଡ ବୋଲି ମନେ କରନ୍ତି । ଗ୍ରହମାନେ କ୍ରୋଧ କଲେ ଦୁର୍ଘଟଣା ଘଟେ ବୋଲି ସେମାନେ ଅନୁମାନ କରନ୍ତି ଓ ସେହି ଅନୁମାନଗୁଡ଼ିକର ପ୍ରତିବିଧାନ ମଧ୍ୟ କରିବାକୁ ଚେଷ୍ଟା କରନ୍ତି । ସେହି ସାନ୍ତ୍ଵନା ବିଧାନଗୁଡ଼ିକୁ ସେମାନେ ଗ୍ରହମାନଙ୍କର ଶକ୍ତିବିଧାନ ବୋଲି ବି କହିଥାନ୍ତି ।

 

ଯାହାକିଛି ଘଟେ, ତାହା ନିଶ୍ଚୟ ଏକ ବରାଦ ଅନୁସାରେ ଘଟେ । ତତ୍କାଳିକ ଘଟଣାଗୁଡ଼ିକର ପରିଣାମ ଅଥବା ବରାଦ ଅନୁସାରେ ଘଟେ ଅଥବା ବିଶ୍ଵଭିପ୍ରାୟ ସ୍ତରର କୌଣସି ଅନ୍ୟ ବରାଦ ଅନୁସାରେ ତାହା ଘଟେ । ମାତ୍ର ଏକଥା ଅତ୍ୟନ୍ତ ସତ୍ୟ ଯେ ଏଗୁଡ଼ାକୁ କୌଣସି ଶତ୍ରୁ ଘଟାଏ ନାହିଁ । ଆହୁରି ପାଦେ ଆଗକୁ ଯାଇ ହୁଏତ କହିବାକୁ ମନ ହେଉଛି ଯେ, ଏସବୁକୁ କୌଣସି ବନ୍ଧୁହିଁ ଘଟାଏ । ଯିଏ ଯାବତୀୟ ତାତ୍କଳିକତାକୁ ଏକ ଅଖଣ୍ଡ ସମଗ୍ର କାଳର ପରିପ୍ରେକ୍ଷୀରେ ଦେଖୁଛି, ଯିଏ ଆମରି ଭିତରେ ଅଛି, ଆମକୁ ଘେରି କରି ରହିଛି ଆମକୁ ଏହି ସମଗ୍ର ଭିତରେ ଏକକରୂପେ ପରିଚାଳିତ ଓ ଅନୁକୂଳିତ ପ୍ରସ୍ତୁତ କରି ନେଉଛି, ସେହି ବନ୍ଧୁ ହିଁ ଯାବତୀୟ ଘଟଣାକୁ ଘଟାଏ । ସେହି ବନ୍ଧୁ ଲାଗି ମୁଁ ବାଟ ଛାଡ଼ିଦେବି ।

 

୯ । ୩ । ୮୩

 

ଜଣେ ମଣିଷ ଭଲ ମଣିଷ ବୋଲି ଯେ ତାହାକୁ ମୋତେ ଭଲ ଲାଗେ, ସେକଥା ମୋଟେ ନୁହେଁ । ମୋ’ ଜୀବନରେ ସାଧାରଣତଃ ଯେପରି ହୋଇଥାଏ ତାହା ହେଉଛି ଏହିପରି ! ଜଣେ ମଣିଷ ମୋତେ ଆଗ ଭଲ ଲାଗେ, ତା’ପରେ ସେହି ମଣିଷଟି ମୋ’ ଆଗରେ ଜଣେ ଭଲ ମଣିଷ ବୋଲି ଅନୁଭୂତ ହେବାକୁ ଲାଗେ । ଅର୍ଥାତ୍‍, ଯେଉଁ ମଣିଷଟି ମୋତେ ଭଲ ଲାଗେ, ମୁଁ ତାହାର ଭଲଗୁଡ଼ିକୁ ହିଁ ସବା ଆଗ ଓ ସବା ବଡ଼ କରି ଅନୁଭବ କରିବାକୁ ସ୍ଵାଭାବିକ ଭାବରେ ଇଚ୍ଛା ପ୍ରକାଶ କରେ । ଯାହା ଦେଖିବାକୁ ଇଚ୍ଛା ପ୍ରକାଶ କରେ, ମୁଁ ତାହାହିଁ ଦେଖେ । ଏହିପରି ଭଲଗୁଡ଼ାକୁ ହିଁ ଦେଖୁ ଦେଖୁ ଓ ଭଲର ମାଧ୍ୟମରେ ଜଣେ ମଣିଷକୁ ଦେଖିବାରେ ଆପଣାକୁ ଅଭ୍ୟସ୍ତ କରି ଆଣୁ ଆଣୁ ତାହା ସତେଯେପରି କ୍ରମଶଃ ମୋ’ ଦେଖିବାର କ୍ଷେତ୍ରକୁ ମଧ୍ୟ ସମଗ୍ର ଭାବରେ ପ୍ରଭାବିତ କରେ । ଅର୍ଥାତ୍‍, କ୍ରମେ ସବୁ ମଣିଷଙ୍କର ଭଲଟା ହିଁ ଆଖିରେ ପଡ଼େ ଓ ତେଣୁ ସବୁ ମଣିଷଙ୍କୁ ଭଲ ଲାଗେ ।

 

ସବୁ ମଣିଷଙ୍କୁ ଭଲ ଲାଗେ, ଅର୍ଥାତ୍‍ କାହାକୁ ଆଉ ମୋଟେ ଭୟ ଲାଗେ ନାହିଁ । ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ମସ୍ତିଷ୍କର ସମସ୍ତ କରାମତିକୁ କାମରେ ଲଗାଇ ଆପଣାର ଭୟଗୁଡ଼ାକୁ ଆପଣାର ଚାରିପାଖରେ ଭାରି ଚମତ୍କାର ଭାବରେ ବୁଣି ରଖିଥାନ୍ତି । ସେମାନେ କେଉଁଠୁ କିଛି ଭଲ ନାହିଁ ଓ ଭଲ ମଣିଷ ଏବେ ମୋଟେ ଜନ୍ମ ହେଉନାହାନ୍ତି ବୋଲି ଏଡ଼େ ପାଟି କରି କହନ୍ତି । ସେମାନେ ଆପଣାକୁ ବି ହୁଏତ ମସ୍ତିସ୍କ ଦେଇ ବୁଝନ୍ତି । ତେଣୁ କାହାରି ହୃଦୟକୁ ସ୍ପର୍ଶ କରି ପାରନ୍ତିନାହିଁ । ବାହାରେ ବାହାରେ ସଂଶୟୀ ହୋଇ ରହନ୍ତି ।

 

୧୩ । ୩ । ୮୩

 

ମୋ’ର ଆଖିଗୁଡ଼ିକ ହିଁ ମୋ’ ଜୀବନରେ ପରମ ବନ୍ଧୁ ହୋଇ ରହିଲେ । ସେହିମାନେ ହିଁ ମୋତେ ଅନେକ କୃପାଣତାରୁ ବଞ୍ଚାଇ ରଖିଲେ, ଆପଣା ଭିତରେ ଅନେକ ପ୍ରକାର ଲୁଚି ରହିବାକୁ ମଧ୍ୟ ବଞ୍ଚାଇ ରଖିଲେ । ବାହାରେ ଯେତିକି ଦେଖିବା ଉଚିତ, କେବଳ ସେତିକିକୁ ହିଁ ଦେଖିବାଲାଗି ସାଂସାରିକ ନୀତିବାଦୀମାନଙ୍କର କେତେ ଉପଦେଶ ରହିଥିଲା । ଆଖି ସେହି ଉପଦେଶକୁ ମୋଟେ ମାନିଲାନାହିଁ । ଆଖି ସବୁ ଦେଖିଲା, ସବୁକିଛିକୁ ଛୁଇଁବାକୁ ମନ କଲା । ସବୁକିଛିକୁ ଏହିପରି ଭାବରେ ଛୁଇଁବାର ମନ କରି କ୍ରମେ ଆପଣା ଦେଖିବାର ସର୍ବମୂଳ ଧର୍ମଟିକୁ ଏକ ଅନୁରାଗରେ ପରିଣତ କରିଦେଲା । ଅନୁରାଗ ଦ୍ଵାରା ଦେଖି ସିଏ ଭିତରେ ପ୍ରବେଶ କଲା । ଏବଂ ଭିତରେ ପ୍ରବେଶ କରି ଅନୁରାଗଗୁଡ଼ିକ ସହିତ ହିଁ ତା’ର ଭେଟ ହେଲା ସକଳ କ୍ଷେତ୍ରରେ ସକଳ ଖୋଳ ତଳେ ସବୁଠି ଜଣେ ଜଣେ ଅନୁରାଗୀ ବସି ରହିଥିବାର ଅନୁରାଗୀ ହେଲା ।

 

ନିଜ ଭିତରକୁ ମଧ୍ୟ ଏହି ଆଖି ସେହି ଅନୁରାଗ ସହିତ ପ୍ରବେଶ କରିବାକୁ ମନ କଲା । ନୀତିବାଦୀ ହୋଇ ଯେଉଁମାନେ ପୋଲିସ ସାଜି ଆପଣା ଭିତରକୁ ପଶନ୍ତି, ସେମାନଙ୍କର ଆଖିଠାରୁ ସେମାନଙ୍କ ଭିତରର ଅନେକ କିଛି ଲୁଚି ରହିଯାଏ । ମୁଁ ନିଜ ଭିତରକୁ କେବେହେଲେ ପୋଲିସ୍‍ ହୋଇ ପସିବାକୁ ମନ କରିନାହିଁ । ମୁଁ ଅନୁରାଗ ସହିତ ପ୍ରବେଶ କରିଛି, ତେଣୁ ମୋ’ଭିତରେ ଥିବା କିଛିହେଲେ ମୋ’ଠାରୁ ଅନ୍ତରା ହୋଇଯାଇ ଲୁଚିବାକୁ ମନ କରିନାହାନ୍ତି । ମୋ’ର ବାହାର ଓ ଭିତରେ ମଧ୍ୟରେ ମୋ’ର ଆଖିଟା ହିଁ ଏହିପରି ଭାବରେ ମୋ’ର ସର୍ବପ୍ରଧାନ ଯୋଗସୂତ୍ରକାରୀ ହୋଇ ରହିଛି । ମୋତେ ଅନେକ ଦିନତାରୁ ବଞ୍ଚାଇ ରଖିଛି ।

 

୨୧ । ୩ । ୮୩

 

ଦିନେ ଦିନେ ଭିତର ଆଡ଼କୁ ଅନାଇଦେଲା ବେଳକୁ ଗୋଟାସୁଦ୍ଧା ପରିପୂର୍ଣ୍ଣ ହୋଇ ରହିଥିବା ପରି ଅନୁଭବ ହୁଏ । ଅଭାବ ଅନେକ ଥାଏ ତଥାପି ପରୁପୂର୍ଣ୍ଣତାର ବୋଧ ହେଉଥାଏ । ଅଭାବଗୁଡ଼ାକ ଚାଲିବାକୁ ରହିଥିବା ବାକି ବାଟଗୁଡ଼ାକ ପରି ମନେ ହେଉଥାଏ । ସେହି ବାକି ବାଟଗୁଡ଼ାକ ସତେଅବା କେଉଁ ଅନ୍ତରଙ୍ଗ ବନ୍ଧୁର ଅତି ନିକଟକୁ ପଡ଼ିଥିବା ବାଟପରି ମାନେ ହେଉଥାନ୍ତି ।

 

ଏହିପରି ଗୋଟିଏ ଗୋଟିଏ ଦିନରେ ଆପଣାକୁ ପରିପୂର୍ଣ୍ଣ ଭାବରେ ଦେଇହୁଏ । ତେଣୁ ପରିପୂର୍ଣ୍ଣ ଭାବରେ ପାଇହୁଏ । ନିଜ ଭିତରେ ଆଦୌ କୌଣସି ଆର୍ତ୍ତତାର ଅନୁଭବ ହୁଏନାହିଁ । ମୋଟେ କିଛି ବି ଛଡ଼ାଇନେଇ ପଳାଇବାକୁ ମନ ହୁଏନାହିଁ । ପୂର୍ଣ୍ଣତାର ଏକ ସମଗ୍ର ପ୍ରସ୍ଥ ଦେଇ ଶୂନ୍ୟଗୁଡ଼ାକୁ ଦେଖିବା, —ସମ୍ଭବତଃ ତାହାହିଁ ଆମକୁ ଅସଲ ଉତ୍ସାହର ଉତ୍ସଗୁଡ଼ିକୁ ବତାଇ ଦେଇଯାଏ । ଜୀବନ ସଂଗ୍ରହର ସମ୍ପୂର୍ଣ୍ଣ ଅର୍ଥନିତୀଟା ହିଁ ସେତେବେଳେ ଗୋଟାସୁଦ୍ଧା ବଦଳିଯାଏ । ସେତେବେଳେ କେନ୍ଦ୍ରଟି ଅନୁସାରେ ସୂତ୍ରଗୁଡ଼ିକ ଚାଲେ, ସୂତ୍ରଗୁଡ଼ାକ କୌଣସି ପ୍ରକାରେ କେନ୍ଦ୍ରକୁ ବିକ୍ଷୁବ୍ଧ କରି ରଖିବାକୁ ମୋଟେ ଆସନ୍ତି ନାହିଁ । ସେତେବେଳେ ଆପଣାର କେନ୍ଦ୍ରଟି ଆଡ଼କୁ ଅନାଇଦେବ ମାତ୍ରକେ ଆକାଶଟାଯାକର ବି ପରିଚୟାନୁଭୂତି ସମ୍ଭବ ହୋଇଯାଏ । ଏହି ଅନୁଭୂତି ଏକ ଅପୂର୍ବ ଅନୁଭୂତି, ଏକ ଅତ୍ୟନ୍ତ ଐଶ୍ୱର୍ଯ୍ୟମୟ ଅନୁଭୂତି । ସେହି ଅନୁଭୂତି ହିଁ ଅନ୍ତର୍ଗତ ଯାବତୀୟ ଦୀନତାରୁ ବଞ୍ଚାଇ ରଖେ । ନିବୃତ୍ତିଗୁଡ଼ାକୁ ଯଥାର୍ଥରେ ପ୍ରବୃତ୍ତି ମଧ୍ୟକୁ ରୂପାନ୍ତରିତ କରିଦିଏ ।

 

୨୩ । ୩ । ୮୩

 

ପଣ୍ଡିଚେରୀ, —ମୋ’ ପାଇଁ ଏକ ସ୍ଵପ୍ନର ତୀର୍ଥ । ଯେଉଁ ସ୍ଵପ୍ନମଧ୍ୟକୁ ପ୍ରୟାଣ କରାଯାଏ, ସେଇଟି ନୁହେଁ, ମାତ୍ର ଯେଉଁ ସ୍ଵପ୍ନକୁ ଆବାହନ କରାଯାଏ, —ଠିକ୍‍ ସେଇ ସ୍ଵପ୍ନ ।

 

ଏଠାକୁ ଆସିଲେ ସ୍ଵପ୍ନଗୁଡ଼ାକ ସମ୍ଭବ ବୋଲି ଅନୁଭବ ହୁଅନ୍ତି । ସାଧାରଣ ବୋଧଗୁଡ଼ାକ ମଧ୍ୟରେ ରହିଥିବା ସମୟରେ ଆମେ ଯାହାକୁ ଅନେକେ ବାସ୍ତବ ବୋଲି କହୁ, ଯାହାକୁ ବାଡ଼ ପରି କରିଦେଇ ଆମେ ତାହାରି ଭିତରେ ବିଚରଣ କରୁଥାଉ, ଅର୍ଥାତ୍‍ ଆପଣାକୁ ଅସଲ ଯାବତୀୟ ଚାରଣାରୁ ବଞ୍ଚିତ କରି ରଖିଥାଉ ସେହି ବାସ୍ତବ ଭାରି ଖଣ୍ଡିତ ମନେହୁଏ, —ଆପଣାର ଅଭିଳାଷ ଗୁଡ଼ିକ ସହିତ ସେହି ବାସ୍ତବ ମୋଟେ ଖାପ ଖାଇ ପାରେ ନାହିଁ । ଏହି ସବୁକିଛି ଯେ ବଦଳିଯିବ, ସେହି ବିଶ୍ଵାସଟି ଏଠୁ ସାରା ଜଗତ ମଧ୍ୟକୁ ସଂକ୍ରାମିତ ହୋଇ ଯାଉଥିବା ପରି ଅନୁଭୂତ ହୁଏ । ଆପଣାର ଜୀବନକୁ ସେହି ସଂକ୍ରମଣର ବାହନରେ ପରିଣତ କରି ନିଜ ଭିତରେ ସାର୍ଥକତାର ଏକ ଅନୁଭତ ହୁଏ । ଯାହାଫଳରେ ଆପଣାର ବାଟଗୁଡ଼ିକ ଭଲ ଲାଗେ ଏହି ବାଟଗୁଡ଼ିକ ପଛରେ କେହିଜଣେ ବନ୍ଧୁ ପଥପ୍ରଦର୍ଶକ ହୋଇ ରହିଥିବା ପରି ମନେହୁଏ । ଜୀବନରେ ଏହି ସବୁକିଛିକୁ ବୃତ୍ତାୟିତ କରି ଏକ କେନ୍ଦ୍ର ଅବସ୍ଥିତ ରହିଥିଲା ପରି ବୋଧ ହୁଏ । ସେହି କେନ୍ଦ୍ର ଅନେକ ନାସ୍ତିକୁ ଅସ୍ତିରେ ପରିଣତ କରେ ଅନେକ ସଂଶୟକୁ ବିଶ୍ଵାସରେ ପରିଣତ କରେ, —ଏବଂ ଉତ୍ସାହଗୁଡ଼ାକୁ କେବଳ ବାଟରେ ପରିଣତ କରିଦେବାରେ ଲାଗିଥାଏ ।

 

୨୪ । ୩ । ୮୩

 

ନିଜ ମୁକ୍ତିକୁ ନେଇ ମଣିଷ ଯେଉଁ ସ୍ଵର୍ଗକୁ ଯିବ ବୋଲି ଇଚ୍ଛା କରି ଆସିଛି, ସେହି ସ୍ଵର୍ଗ କୋଉଠିହେଲେ ନାହିଁ । ହୁଏତ ସେହି ସ୍ଵର୍ଗର ଏକ କଳ୍ପନା ରହିଛି, ମଣିଷ ଆପଣାର ଅହଙ୍କାର ଭିତରେ ରହିଛି । କାଳେ ସମସ୍ତଙ୍କର ସେଠାକୁ ଯିବା ନହେବ ଓ ତେଣୁ ମୋ’ର ଯିବାଟା ମଧ୍ୟ ସମ୍ଭବ ହୋଇ ପାରିବନାହିଁ, ଏହିପରି ଏକ ଭୟ ଭିତରେ ସେହି ସ୍ଵର୍ଗ ଯୁଗେ ଯୁଗେ ନାନା ଦ୍ଵନ୍ଦ୍ୱଦ୍ଵାରା ଗ୍ରସ୍ତ ହୋଇ ରହିଛି । ଦ୍ଵନ୍ଦ୍ୱଗୁଡ଼ାକ ଅବିଶ୍ୱାସକୁ ବଢ଼ାଇଛି । ଅବିଶ୍ଵାସରୁ ବାଡ଼ ଗୁଡ଼ାକର ଭିଆଣ ହୋଇଛି । ଏବଂ ତା’ପରେ, ସେହି ବାଡ଼ ଭିତରେ ହିଁ ମଣିଷ ତା’ ଦୁଃଖ, ସୁଖ । ଆଶା, ଆଶଙ୍କା, ବୃଦ୍ଧି ଓ ଅଭିବୃଦ୍ଧିର ଚିନ୍ତା କରିବାକୁ ବାଧ୍ୟ ହୋଇଛି ।

 

ହୁଏତ ସେଇ ବାଡ଼ଗୁଡ଼ାକ ସକାଶେ ହିଁ ଅସଲ ଉଦ୍ୟମଗୁଡ଼ାକ କ୍ରମେ ଶିଥିଳ ହୋଇ ଆସିଛି । ଉଦ୍ୟମଗୁଡ଼ାକ ବାହାରର ନାନା ପୂଜା, ପ୍ରଶସ୍ତି ଓ ଧର୍ମ ପସାଧନ ଭିତରେ କୁଆଡ଼େ ମନ କୁଆଡ଼େ ହଜି ଯାଇଛନ୍ତି । କେଡ଼େ କେଡ଼େ ଦେଉଳ ଉଠିଛି, ମଣିଷମାନଙ୍କର ଭିଡ଼ରେ ଉତ୍ସବମାନ ଜମିଛି । ମାତ୍ର ସେହି ଭିଡ଼ରେ ପ୍ରତ୍ୟେକ ମଣିଷ କେବଳ ନିଜକୁ ହିଁ ଦେଖିଛି, ସେମାନେ ପରସ୍ପରକୁ ଆଦୌ ଦେଖି ପାରିନାହାନ୍ତି । ଅର୍ଥାତ୍‍, ଅସଲ ସୂତ୍ରଟିକୁ ମୋଟେ ଦେଖି ପାରିନାହାନ୍ତି । ଯେଉଁ ସୂତ୍ରଟିକୁ ପ୍ରତ୍ୟେକେ ଆପଣାଲାଗି ଖୋଜୁଥାନ୍ତି ସେହି ସୂତ୍ର ଯେ ସମସ୍ତଙ୍କୁ ଏକାଠି ବାନ୍ଧି ରଖିଛି, କେବଳ ନିଜପ୍ରତି ଉଦ୍ଦିଷ୍ଟ ହୋଇ ରହିଥିବା ଏକ ଅନ୍ୟ ଉତ୍ସାହ ଦ୍ଵାରା ତାଡ଼ିତ ହୋଇ ସେମାନେ ସେହି ସୂତ୍ରଟିକୁ ଆଦୌ ଅନୁଭବ କରିନାହାନ୍ତି । ରାସ୍ତାଟିକୁ ଖଣ୍ଡ ଖଣ୍ଡ କରି କେବଳ ନିଜ ଦୁଆରଟି ଆଗରେ ତା’ର ଯେଡ଼ିକି ଅରାଟିଏ ରହିଛି, ତାହାକୁ ହିଁ ଧାମଜ୍ଞାନରେ ପୂଜା କରିଛନ୍ତି । ସେଠାରେ ନିଜ ନାମରେ ବାନା ଉଡ଼ାଇଛନ୍ତି, ବାନା ଭିତରେ ତାଙ୍କୁ ଦେଖି ପାରିନାହାନ୍ତି ସେମାନେ କେବଳ ଆପଣାକୁ ହିଁ ଦେଖିଛନ୍ତି ।

 

୨୫ । ୩ । ୮୩

 

ଯେଉଁ ଯୋଗ ଆତ୍ମୀୟତାକୁ ପ୍ରସାରିତ କରିବାର ମାର୍ଗରେ ମଣିଷକୁ ଗଣନା କରେନାହିଁ, ସେ ଯୋଗ ମୋ’ଲାଗି ନୁହେଁ, —ତାହା ହେଉଛି ଏକ ମୌଳିକ ବିରକ୍ତି । ସେହି ବିରକ୍ତି ପଛରେ ଖାଲି ଯେ ଏକ ମୂଳଭୂତ ଉଦାସୀନତା ରହିଥାଏ ତା’ ନୁହେଁ, —ତା’ ପଛରେ ଏକ ମୂଳଭୂତ ପରାଭବ ବୋଧ ମଧ୍ୟ ରହିଥାଏ । ଅର୍ଥାତ୍‍ ସବୁ ମଣିଷଙ୍କୁ ନେଇ ଅର୍ଥାତ୍‍ ସବୁ ମଣିଷଙ୍କୁ ବାଟ ଛାଡ଼ିଦେଇ ଯେଉଁ ସୁନ୍ଦର ଓ ସଦ୍‍ଭାବନା ଅର୍ଥାତ୍‍ ସହଭାବନାପୂର୍ଣ୍ଣ ପୃଥିବୀଟିର କଳ୍ପନା କରାଯାଇଛି, ତାହା ଯେ ଅନେକ ଅନେକ ଯୁଗ ବିତିଗଲେ ମଧ୍ୟ ତଥାପି ସମ୍ଭବ ହେବନାହିଁ ଓ ତେଣୁ ସେହି ଆକାଂକ୍ଷାଟିରୁ ବାହାରେ ରହି ଭଗବାନଙ୍କୁ ଉପଲବ୍ଧି କରିବାର ଏକ ଅନ୍ୟ ପଥକୁ ଆଦରି ନେବାକୁ ହେବ, ସେଥିରେ ଏହିପରି ଏକ ପରାଜୟବୋଧ ଭାରି କ୍ରୂର ଭାବରେ ରହିଥାଏ ଓ ଜୀବନ ଦୃଷ୍ଟିରେ ଶ୍ରଦ୍ଧାଗତ ପ୍ରସରଣଗୁଡ଼ିକର କ୍ଷେତ୍ରରେ ଭାରି ଉପଦ୍ରବ ସୃଷ୍ଟି କରିବାରେ ଲାଗିଥାଏ ।

 

ଏ ବାଟ ମୋ’ର ନୁହେଁ । ମୋ’ ବାଟ ହେଉଛି ଆତ୍ମୀୟତାକୁ କ୍ରମପ୍ରସାରିତ କରି ଅଗ୍ରସର ହେବାର ଅର୍ଥାତ୍‍ ଅଧିକରୁ ଅଧିକକୁ ଆପଣା ସାଧନାର ଅଙ୍ଗ ବୋଲି ଆଦରି ନେବାର ବାଟ । ଏହି ବାଟରୁ ମଣିଷ କଦାପି ବାଦ୍‍ ଯାଏନାହିଁ । ଏହି ବାଟରେ ସବା ଉପରକୁ ଅନାଇ ମୁଁ ଭଗବାନଙ୍କୁ ଦେଖେ । ସେହି ଦେଖା ମୋତେ ଏଠି ମୋ’ର ଯାବତୀୟ ସୂତ୍ରାୟନକୁ ପୁଣ୍ୟମୟ କରେ, ଉତ୍ସାହରେ ଭରିଦିଏ । ମୋତେ କ୍ରୂର ଅଥବା ଉଦାସୀନ ହେବାରୁ ବଞ୍ଚାଇ ରଖେ ।

 

୨୬ । ୩ । ୮୩

 

ଏଣିକି ପୁଅ ସାଙ୍ଗପରି ଲାଗୁଛି । ପୁଅ ପରି ଲାଗୁଛି; ସାଙ୍ଗ ପରି ଲାଗୁଛି । ପୁଅକୁ କେବଳ ପୁଅପରି ନୁହେଁ, ଆପଣାର ସାଙ୍ଗ ଭଳି ପାଇବା, —ଏଇ ହେଉଛି ପିତାମାତାଙ୍କ ସାଧନା । ପୁଅକୁ ପୁଅ କରି ପାଇବା, —ଇଏ ପିତାମାତାଙ୍କର ସାଧ୍ୟାୟତନର ବାହାରେ, —ସେହି ଘଟଣାଟି ଉପରେ ସେମାନଙ୍କର ଆଦୌ କୌଣସି କର୍ତ୍ତୃତ୍ଵ ନାହିଁ । ଯେଉଁମାନେ ଏହି କ୍ଷେତ୍ରରେ ଆପଣାର ଏକ ସ୍ଵତନ୍ତ୍ର କର୍ତ୍ତୃତ୍ଵ ବିସ୍ତାର କରି ରଖିବାକୁ ଚାହାନ୍ତି ଓ ତାହାକୁ ହିଁ ସ୍ନେହ ଏବଂ ଦାୟିତ୍ଵ ବୋଲି କହି ଫୁଲେଇ ହେଉଥାନ୍ତି, ସେମାନେ ଅନେକଥର ସ୍ଥଳରେ ଗୋଟାଏ ଅଧିକାରବୋଧ ଭିତରେ ହିଁ ଛନ୍ଦି ହୋଇ ରହିଥାନ୍ତି । ଯେଡ଼େ ହୃଷ୍ଟ ହୋଇ ରହିଥିଲେ ମଧ୍ୟ ଭାରି ବାନ୍ଧିହୋଇ ରହିଥାନ୍ତି ।

 

ପୁଅକୁ ସାଙ୍ଗ କରି ପାଇବା, —ଅର୍ଥାତ୍‍ ତାକୁ ଆପଣା ସାଙ୍ଗରେ ଜଣେ ବାଟୋଇ କରି ପାରିବା । ମୋ’ର ଯାହା ବାଟ, ତାହାରି ବି ଯେ ସେଇ ଏକା ବାଟ ହୋଇଥିବ, ସେକଥା ମୋଟେ ନୁହେଁ । ତା’ର ବି ଗୋଟିଏ ବାଟ ଥିବ । ସେହି ବାଟକୁ ସିଏ ଆପେ ପାଇଥିବ ଏବଂ ପୂର୍ଣ୍ଣ ସମ୍ମତ ଅର୍ଥାତ୍‍ ପୂର୍ଣ୍ଣ ପ୍ରସନ୍ନ ଭାବରେ ସିଏ ସେହି ବାଟଟିକୁ ଚାଲୁଥିବ; କାହାରି ବାଟକୁ ଗ୍ରାସ କରିବାକୁ ମନ ବଳାଉ ନଥିବ ଅଥବା କାହାରି ବାଟଦ୍ୱାରା ଆପେ ଗ୍ରସ୍ତ ହୋଇ ପଡ଼ିବାର ପ୍ରମାଦରେ ପଡ଼ୁନଥିବ, —ଅଥଚ ସାଙ୍ଗ ହୋଇ ଚାଲୁଥିବ, ବଳ ଦେଉଥିବ, —ଏକ ପରିପୂର୍ଣ୍ଣ ଜୀବନସ୍ଵୀକୃତି ଏବଂ ଜୀବନସମ୍ମତିର ଦୃଷ୍ଟାନ୍ତ ହୋଇଥିବ । ଯେଉଁ ବାପ ମାଆ ଏହି ପରିତ୍ରାଣ ପାଇଯାଆନ୍ତି । ସେମାନେ ଯଥାର୍ଥରେ ସ୍ଵୀକୃତ ହୁଅନ୍ତି ।

 

୨୭ । ୩ । ୮୩

 

ମୁଁ କାହାରିକୁ ଆପଣା ପାଖକୁ ଟାଣି ଆଣିବାଲାଗି ଚେଷ୍ଟା କରିବିନାହିଁ । ମୁଁ ନିଜେ ତା’ପାଖରେ ଟାଣି ହୋଇଯିବି । ମୁଁ କାହାରିକୁ ଆକର୍ଷିତ କରିବି ନାହିଁ, ମୁଁ ନିଜେ ଆକର୍ଷିତ ହୋଇଯିବି । ଏବଂ ସକଳ ଆକର୍ଷଣର ଊର୍ଦ୍ଧ୍ଵରେ ଯେଉଁ ପରମ ଆକର୍ଷଣ ଯୁଗେ ଯୁଗେ ସମସ୍ତଙ୍କୁ ବ୍ୟାକୁଳ କରିଛି, ପାଖକୁ ଡାକିଛି ଓ ଆହୁରି ପାଖକୁ, —ଏକାବେଳେକେ ଅନ୍ତର ଭିତରକୁ ଯିବାଲାଗି ଆହ୍ଵାନ ଦେଇଛି ସେହି କ୍ଷେତ୍ରରେ ମଧ୍ୟ ମୁଁ ଅତି ଆତୁର ଭାବରେ ତାକୁ ନିଜ ଭିତରକୁ ଟାଣି ଆଣି ନିଜ ପରିମିତଗୁଡ଼ାକର ସାହାଯ୍ୟରେ ଦେଖାଇବାକୁ ମୋଟେ କୌଣସି ଚେଷ୍ଟା କରିବିନାହିଁ । ମୁଁ ଆପଣାକୁ ତା’ପରିମିତ ଭିତରକୁ ପ୍ରସାରିତ କରିଦେବି । ତାହାରି ହୋଇଯିବି ।

 

ଏ ବାଡ଼ଗୁଡ଼ାକ ଖାଲି ବାହାରେ ନୁହେଁ, ଭିତରେ ବି ଭାଙ୍ଗି ଭାଙ୍ଗି ଯାଉଥିବା; ଖାଲି ଭିତରେ ନୁହେଁ, ବାହାରେ ବି ଭାଙ୍ଗି ଭାଙ୍ଗି ଯାଉଥିବ । ଖାଲି ତଥାକଥିତ ନିରାସକ୍ତି ଗୁଡ଼ାକରେ ନୁହେଁ, ସକଳ ଆସକ୍ତିର କ୍ଷେତ୍ରରେ ମଧ୍ୟ ଭାଙ୍ଗି ଭାଙ୍ଗି ଯାଉଥିବ । ବାନ୍ଧି ରଖିବାର, କିଳି ରଖିବାର ଓ ଅଧିକାରୀ ହୋଇ ରହିବାର ସକଳ ପରାକ୍ରମ ପରାଭୂତ ହୋଇ ଆପଣାର ଯାବତୀୟ ସ୍ପର୍ଦ୍ଧାକୁ ସେହି ପରମ ଚରଣ ତଳେ ନେଇ ସମର୍ପଣ କରି ଆସୁଥିବ, —ଅର୍ପଣ କରିବାର ଯୋଗ୍ୟତା ହାସଲ କରିବାରେ ଲାଗିଥିବ । ଯାବତୀୟ ପାଇବା କହିଲେ ମୁଁ ଠିକ୍‍ ଏହି କଥାକୁ ବୁଝେ, ଯାବତୀୟ ଭଲ ପାଇବା କହିଲେ ମୁଁ ବି ଏହି କଥାକୁ ବୁଝେ । ଅର୍ଥାତ୍‍, ମୁଁ ଯାହାକୁ ଭଲ ପାଇବି, ସତତ ତାହାରି ହୋଇଯିବାକୁ ଚେଷ୍ଟା କରିବି, ଏବଂ ଯାହାକିଛି ବି ପାଇବି ତାହାରିଦ୍ଵାରା ଅଧିକୃତ ରହିଥିବି ।

 

୨୮ । ୩ । ୮୩

 

ଯିଏ ଯେତିକି ଦେବ, ସିଏ ସେତିକି ପାଇବ । ଯିଏ ଯେତିକି ଦେବ ଆପଣାକୁ ଦେବାଲାଗି ପ୍ରସ୍ତୁତ ହୋଇ ରହିଥିବ, ସିଏ ସେତିକି ବୁଝିବ, ଜାଣିବ, ଅଧିଗମି ପାରିବ, ସେତିକି ଧନୀ ହେବ । ଏକଥା କେବଳ ଆପଣାକୁ ପ୍ରେରଣା ଆଣି ଦେବାଲାଗି ତିଆରି ହୋଇ ରହିଥିବା ଏକ କଥାନୁହେଁ, ଏହା ସବୁଦିନେ ବାରବାର ପଙ୍ଗେ ନିଭାଇବା କଥା, —ପୁରୁଣା ସତ୍ୟଟି ସହିତ ନୂଆ ଅଭୀପ୍ସା ମିଶାଇ ବାରବାର ନୂଆ କରି ଉପଲବ୍ଧି କରିବାର କଥା ।

 

ସେଇଥିଲାଗି, ଯୋଉଠି ଯେତେଥର ମୁଁ ନମସ୍କାର କରିବାପାଇଁ ମୁଣ୍ଡ ନୁଆଁଏ, ସେଠି ମୁଁ ସବା ଶେଷକୁ ମୋ’ ନିଜ ପାଖରେ ଆସି ହାବୁଡ଼ି ଯାଉଥିଲା ପରି ମୋ’ର ମନେ ହେଉଥାଏ । ସମସ୍ତେ ସେତେବେଳେ କେତେ କ’ଣ ମାଗନ୍ତି, —କେତେ କ’ଣ ହିସାବ କରନ୍ତି, ତୁଳନା କରନ୍ତି, ଆର୍ତ୍ତତାର କେତେ ଆଡ଼ମ୍ବରମୟ ପାହାଚକୁ ଅତିକ୍ରମ କରିବାରେ ଲାଗିଥାନ୍ତି । ମୁଁ ସବୁ ଦୁଆର ବୁଲି ଆସି ନିଜ ଦୁଆରେ ହାବୁଡ଼ିଯାଏ, ଆପଣାକୁ ହିଁ ମାଗେ । ମୁଁ ଆହୁରି ଅଧିକରୁ ଅଧିକ ଦେଇପାରିବି, ଆହୁରି ଅଧିକ ପରିପୂର୍ଣ୍ଣ ଓ ନିର୍ଭରଯୋଗ୍ୟ ଭାବରେ ଦେଇପାରିବି, ଆପଣା ପାଖରେ ମୁଁ ତାହାହିଁ ମାଗୁଥାଏ । ଏତେ ପାଇଲି, ଅଥଚ ଦେଲାଭଳି କିଛି ଦେଇ ପାରିଲିନାହିଁ, —ଏହିପରି ଏକ ଭାବନା ମୋତେ ସତେ ଆଲୋଡ଼ିତ କରି ରଖିଥାଏ । ଅସଲ ଦ୍ଵାରଟି ଆଦୌ ମାଗିବାର ଦ୍ଵାର ନୁହେଁ, ତାହା ହେଉଛି ଦେବାର ଦ୍ଵାର, ଚିହ୍ନିବାର ଅର୍ଥ ହେଉଛି ଦେବା, —ଆପଣାକୁ ଦେଇପାରିଲେ ହିଁ ଆପଣାର ଅସଲ ଦାନ ଅର୍ଥାତ୍‍ ଅସଲ ଐଶ୍ଵର୍ଯ୍ୟଗୁଡ଼ିକୁ ଚିହ୍ନିହୁଏ, —ମୁଁ ଏଗୁଡ଼ିକୁ ଆପଣା ବଣିଜର ମୂଳଭୂତ ଗୋଟିଏ ଗୋଟିଏ ସତ୍ୟରୂପେ ଉପଲବ୍ଧି କରିଥାଏ ।

 

୨୯ । ୩ । ୮୩

 

ବୈରାଗ୍ୟ ମଧ୍ୟଦେଇ ଯେ ଅନୁରାଗ ପାଖକୁ ଆସିବାକୁ ପଡ଼ିବ, ସେକଥା ଆଦୌ ନୁହେଁ । ଅନେକ ବୈରାଗ୍ୟବାଦୀ ସତେଅବା ସିଦ୍ଧାନ୍ତ କଲାପରି ଏହି ବିଷୟରେ ଶିରାପ୍ରଶିରା ଉଖାରି କେତେ କ’ଣ କରିବାକୁ ମନ କରିଛନ୍ତି । ବୈରାଗ୍ୟ ମଧ୍ୟ ଦେଇ ଅନୁରାଗ ମଧ୍ୟକୁ ଆସିବା, ତାହା ମୋ’ର ମାର୍ଗ ନୁହେଁ, ଅନୁରାଗକୁ ହିଁ ଆପଣାର ସର୍ବମୂଳ ଚକ୍ଷୁରେ ପରିଣତ କରାଯାଇପାରେ । ଅନୁରାଗର ସମଗ୍ରତା ମଧ୍ୟରେ ହୁଏତ ତଥାକଥିତ ବୈରାଗ୍ୟ ଲାଗି ମଧ୍ୟ ସ୍ଥାନ ରହିଥାଏ, ମାତ୍ର ସେଥିଲାଗି ଆଦୌ କୌଣସି ସଂଘର୍ଷ କରିବାକୁ ପଡ଼େନାହିଁ । ତାହା ଅତ୍ୟନ୍ତ ସ୍ଵାଭାବିକ ଭାବରେ ସାଧ୍ୟ ହୁଏ । ସମଗ୍ରଟିକୁ ଧରି ରଖି ପାରିବାର ଆଗ୍ରହରେ ଖଣ୍ଡଗୁଡ଼ାକୁ ଆପେ ଆପେ ଛାଡ଼ିଯାଏ । ତେଣୁ ଦଉଡ଼ି ଛିଣ୍ଡାଇ ଆସିବାର ଦୁର୍ଭାଗ୍ୟଗୁଡ଼ାକୁ ମୋଟେ ସହିବାକୁ ପଡ଼େନାହିଁ ।

 

ସଂସାରରେ ଏପରି ଅନେକ ଆର୍ତ୍ତ ଅନୁରାଗୀ ରହିଛନ୍ତି, ଯେଉଁମାନେ ଅନୁରାଗର କଥା କହୁଥାନ୍ତି ସତ, ମାତ୍ର ବୈରାଗ୍ୟ ଏବଂ ବିରକ୍ତିରେ ବାଟ ଚାଲୁଥାନ୍ତି, ବିରକ୍ତିରେ ହିଁ ବାଟ ଚାଲୁଥାନ୍ତି, ବିରକ୍ତିରେ ହିଁ ବାଣିଜ୍ୟ କରୁଥାନ୍ତି । ବୈରାଗ୍ୟ ଓ ବିରକ୍ତିର ପାହିଲି ଖୁଡ଼ାକରେ ହିଁ ଅନୁରାଗକୁ ମାପିବାକୁ ମନ କରୁଥାନ୍ତି । ଅସଲ କଥା ହେଉଛି, ବୈରାଗ୍ୟ ପାଚିଲେ କଦାପି ସେହି ପ୍ରକ୍ରିୟାରେ ହିଁ ତାହା ଅନୁରାଗରେ ପରିଣତ ହୋଇ ଯାଏ ନାହିଁ । ବରଂ, ଅନୁରାଗକୁ ହିଁ ମାର୍ଗ ବୋଲି ଧରିପାରିଲେ ସେଥିଲାଗି ଆବଶ୍ୟକ ରାଗ୍ୟଗୁଡ଼ାକ ସହଜ ହୋଇଯାଏ, ସନ୍ତାପହୀନ ଭାବରେ ସମ୍ଭବ ହୋଇଯାଏ । ସଂସାର ସୁନ୍ଦର ଦିଶେ ବୋଲି ଆଗରୁ ଯେଉଁ ଅସୁନ୍ଦରତା ଗୁଡ଼ାକ ପାଖରେ ଏକଦା ଝୁଣ୍ଟିବାକୁ ହୋଇଥିଲା, ସେଗୁଡ଼ାକ ଅତି ସହଜରେ ପାର ହୋଇ ଯାଆନ୍ତି, ଗଣ୍ଠିମାନେ ମନକୁ ମନ ଫିଟିଯାଆନ୍ତି ।

 

୩୦ । ୩ । ୮୩

 

ଗୋଟାଏ ଯୁଗ ଥିଲା, ଯେତେବେଳେ ନିଜର ଗଣ୍ଠିକୁ ନେଇ ଭଗବାନଙ୍କର ଗଣ୍ଠି ସହିତ ଯୋଡ଼ିବାକୁ ହିଁ ଯୋଗ ବୋଲି ବୁଝାଉଥିଲା । ଯୋଗୀମାନେ ପ୍ରଧାନତଃ ସେହି ତପସ୍ୟା ହିଁ କରୁଥିଲେ, ଦିଗ୍‍ବିଜୟୀ ହେଉଥିଲେ । ଆପଣା ଉପଲବ୍ଧିର ମଞ୍ଚା ଉପରେ କେଡ଼େ ଉଚ୍ଚ ହୋଇ ରହୁଥିଲେ ।

 

ବର୍ତ୍ତମାନ ଆଗ ଗଣ୍ଠି ଫିଟାଇବା ହେଉଛି ଯୋଗର ପ୍ରଥମ ପାବଚ୍ଛ । ଆଗ ଗଣ୍ଠି ଫିଟିବ–ତା’ପରେ ଏହି ସବୁଟି ସହିତ ସମ୍ମିଳିତ ହେବାକୁ ପଡ଼ିବ, ଯାବତୀୟ ବ୍ୟବଧାନକୁ ଦୂର କରିବାକୁ ପଡ଼ିବ । ସମଗ୍ର ମଧ୍ୟରେ ତାଙ୍କର ପରିଚୟଟିକୁ ଜୀବନର ସକଳ ଭୂଣିରେ ଅନୁଭବ କରିବାକୁ ପଡ଼ିବ । କୌଣସି ଗୋଟିଏ ଭୂମିକୁ ମଧ୍ୟ ମାୟାବୋଲି କହି ଛାଡ଼ି ଆସିବାକୁ ପଡ଼ିବ ନାହିଁ-। ଏବଂ ସେହି ପ୍ରସାରଣର ପ୍ରକ୍ରିୟାରେ ଆପଣା ଭିତରେ ସହଯୋଗୀ ଉତପ୍ରେରକ ହୋଇ ଯେଉଁ ଅସଲ କେନ୍ଦ୍ରଟି ରହିଛି, ତାହାରି ସହିତ ଯୁକ୍ତ ହୋଇ ରହିଥିବ । ସେଇଠୁ ବିଶ୍ଵଯାକର ପ୍ରେରଣା ମିଳିବ; ତାହାରି ସ୍ପର୍ଶରେ ଅହଂବାଚୀ ଯାବତୀୟ ଗଣ୍ଠି ଓ ଅଧିକାର କରିବାର ଯାବତୀୟ ମୋହ ଫିଟିଯିବ-। ମୋହଗୁଡ଼ାକ ଫିଟିଫିଟି ଗଲେ ଗୋଟି ଆପଣାକୁ କିଳି ରଖିଥିବା ଦମ୍ଭ ବା ମାୟାଗୁଡ଼ାକ କ୍ରମଶଃ ଯୁକ୍ତ ହେବାର ଏ ଗୋଟିଏ ସୂତ୍ରରେ ପରିଣତ ହୋଇ ଯାଉଥିବ । ତେବେଯାଇ ଏହି ସଂସାର ପ୍ରକୃତରେ ଘର ପରି ମନେହେବ, ସମସ୍ତ; ମୂଳତଃ ସହଯାତ୍ରୀ ପରି ଦିଶିବେ । ଆପଣାକୁ ନେଇ କରାଯାଉଥିବା ଯାବତୀୟ ଉଗ୍ରତା ଓ ହୀନତାର ଅବସାନ ଘଟିବ । ଏବଂ ଯାବତୀୟ ଉପଲବ୍ଧି ଏକ ସହଜ ଖୁସି ଏବଂ ସହଜ ସମର୍ପଣ ରୂପେ ଆପଣାକୁ ଅଭିବ୍ୟକ୍ତ କରିବାରେ ଲାଗିଥିବ-। ସଂସାରରେ ବଞ୍ଚିବାଟା ଏକ ଖୁସିରେ ହିଁ ପରିଣତ ହୋଇ ରହିଥିବ ।

 

୩୧ । ୩ । ୮୩

 

ଏହି ଯେଉଁ ନୂଆ ଯୁଗ ଅବଶ୍ୟ ଆସୁଛି ବୋଲି ମୁଁ ସମସ୍ତଙ୍କ ଆଗରେ କହିବାରେ ଲାଗିଛି, ମୁଁ ତାହାର କେତେ କାମରେ ଲାଗିଲି ? ଏକ ନୂତନ ମଣିଷ ଅବଶ୍ୟ ଜନ୍ମଲାଭ କରିବାକୁ ଯାଉଛି ବୋଲି ମୁଁ ଯେତେ ପ୍ରକାରେ ସମସ୍ତଙ୍କର ହୃଦବୋଧ କରାଇବାରେ ଲାଗିଛି, ମୁଁ ନିଜେ ଏହି ପୁରୁଣା ମଣିଷମାନଙ୍କର ଅନ୍ତର ଭିତରେ କେତେଦୂର ସେହି ନୂଆ ମନିଷଟିକୁ ଅନୁଭବ କରିବାକୁ ସମର୍ଥ ହେଲି ? ଯେଉଁ ନୂତନ ସମ୍ବନ୍ଧଟିକୁ ଭର୍ତ୍ତି କରି ଏକ ନୂଆ ବ୍ୟକ୍ତି ଓ ନୂଆ ସମାଜ ସମ୍ଭବ ହେବାକୁ ଯାଉଛି ବୋଲି ମୁଁ ଅଧିକରୁ ଅଧିକ ପରିଣାମରେ କହିବାରେ ଲାଗିଛି, ମୁଁ ନିଜେ ସେହି ସମ୍ବନ୍ଧଟିକୁ ବଞ୍ଚି ପରିଲି ? —ଏହିଗୁଡ଼ିକରେ ହିଁ ମୋ’ ବିଶ୍ଵାସର ଅସଲ ପରୀକ୍ଷା ହେଉଛି, ଏହିପରି ଭାବରେ ହିଁ ଏହି ବର୍ତ୍ତମାନ ମଧ୍ୟରେ ଭବିଷ୍ୟତ ଜନ୍ମ ନେବାରେ ଲାଗିଛି ।

 

ଯାହା ଆସୁଛି, ତାହା, ଯାହା ଅଛି, ତାହାରି ଅନ୍ତର ଭିତରେ ରହିଛି । ମୁଁ ଆପେ ହୁଏତ ନାନା କୃତ୍ରିମତାର ଖୋଳ ପିନ୍ଧି ବସିଥିବାରୁ, ଯାହା ଅଛି ତା’ଭିତରେ ‘ଯାହା ଆସୁଛି’ ଦେଖି ପାରୁନାହିଁ । ବର୍ତ୍ତମାନ ଭିତରେ ଭବିଷ୍ୟତକୁ ଅନୁଭବ କରିବାକୁ ଓ ବଞ୍ଚିବାକୁ ହେଲେ ଜୀବନର ସର୍ବାବଶ୍ୟକ ଅବଲମ୍ବନ ରୂପେ ଯେଉଁ ସାହସ ଦରକାର, ସେହି ସାହସ ଅର୍ଥାତ୍‍ ସେହି ବିଶ୍ୱାସର ଯୋଗ୍ୟ ମୁଁ ହୋଇ ପାରୁନାହିଁ ବୋଲି ସେପରି ହେଉଛି । ତେଣୁ, ମୋ’ ବିଶ୍ଵାସଗୁଡ଼ାକ ବହି ପାଠର ସ୍ତରରେ ରହିଯାଉଛି । ମୋ’ ଉତ୍ସାହଗୁଡ଼ାକ କଥାରେ ରହିଯାଉଛି ।ଏହିପରି ଭାବରେ ଅନେକ ସ୍ଥଳରେ ହେଉଛି । ତେଣୁ, ଭବିଷ୍ୟ ଘୁଞ୍ଚି ଘୁଞ୍ଚି ଯାଉଛି । ବର୍ତ୍ତମାନଟା ବି ବେଶ୍‍ ସହନୀୟ ହୋଇ ରହିଛି । ଭାରି ଆରେଇ ଯାଇଥିବା ପରି ଆମ ସଙ୍ଗେ ସଙ୍ଗେ ରହିଛି ।

 

୧ । ୪ । ୮୩

 

ଚେତନା ହେଉଛି ମୂଳତଃ ଏକ ସମ୍ବନ୍ଧ । ମନୁଷ୍ୟ ଜୀବନର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ଏହି ଚେତନା ରୂପକ ସମ୍ପତ୍ତି । ଏହି ରୂପକ ସମ୍ପତ୍ତି । ସମ୍ବନ୍ଧକୁ ଆମେ ଅନେକ ସମୟରେ ସତେଅବା ଗୋଟାଏ ଗାତା ପରି ମନେ କରିଥାଉ । ଗାତଟାକୁ ହିଁ ସତ୍ୟବୋଲି ମାନିଥାଉ, —ଯେଉଁ ଗାତ ଭିତରେ କି କେବଳ ଆମେ ଥାଉ ଓ ଆମେ ଯାହାସହିତ ସମ୍ବନ୍ଧ କରିଥାଉ ସିଏ ଥାଏ, ଆଉ କେହି ନଥାନ୍ତି । ସମ୍ବନ୍ଧ ସ୍ଥାପନ କରିବାର ଅର୍ଥ ଆପଣାର ଅଡ଼ୁଆଗୁଡ଼ାକୁ ଆପଣାର ଚାରିପାଖରେ ଚୁରାଇ ତୁରାଇ ହୋଇ ଏକ ହୋଇ ବସିବା ବା ଏକା ଉଗ୍ର ହୋଇ ରହିବା ନୁହେଁ; ଗ୍ରାସ କରି ରହିବା ନୁହେଁ ଅଥବା ଗ୍ରସ୍ତ ହୋଇ ରହିବା ମଧ୍ୟ ନୁହେଁ । ସମ୍ବନ୍ଧ ସ୍ଥାପନ କରିବାର ଅର୍ଥ ହେଉଛି ଆପଣାକୁ ଏକ ବିସ୍ତାର ଭିତରେ ଅନୁଭବ କରିବା । ସେହି ବିସ୍ତାରର ଭୂମିଟି ଉପରେ ଆପଣାକୁ ଓ ଏହି ସବୁ କିଛିକୁ ଅନୁଭବ କରିବା, —ବିସ୍ତାରକୁ ହିଁ ଆପଣାର ଅସଲ ଅବଲମ୍ବନ ରୂପେ ଗ୍ରହଣ କରିନେଇ ପାରିବା । ଆପଣା ସହିତ ଏହି ବିସ୍ତାରର ଭିତ୍ତିଟି ଉପରେ ହିଁ ଯାହାକିଛି ସମ୍ବନ୍ଧ ରଖିବା, —ସେହି ସମ୍ବନ୍ଧ ସ୍ଥାପନାକୁ ହିଁ ଅସଲ ମୁକ୍ତି ବୋଲି ଜାଣିବା, —ଆପଣାର ଯାବତୀୟ ଦୁଃଖ ମୋଚନର ରହସ୍ୟ ବୋଲି ଜାଣିବା ।

 

ଏହି ସମ୍ବନ୍ଧ, —ଏହି ଚେତନା ହେଉଛି ଜୀବନର ସର୍ବଶ୍ରେଷ୍ଠ ବିଭବ । ଏହି ସମ୍ବନ୍ଧର ଗୋଟିଏ କେନ୍ଦ୍ର, ଅନେକ ପରିଧି । ଏହି କ୍ଷେତ୍ରରେ ପରିଧିଗୁଡ଼ିକୁ ବଢ଼ାଇବା ସକାଶେ ଆଦୌ କୌଣସି ଭୟ ଲଗେନାହିଁ, —ସେହିପରି ଏକ ମୂଳ ବିଶ୍ଵାସ ହିଁ ସେହି କେନ୍ଦ୍ରର ଅସଲ ବିଭୂତି ଓ ଅସଲ ସ୍ପନ୍ଦନ ହୋଇ ରହିଥାଏ, ଏବଂ ସେହି ସ୍ପନ୍ଦନ ଏ ଜୀବନର ଯାବତୀୟ ପରିଧିକୁ ଏକାଠି ଧରି ରଖିଥାଏ, ତାହାକୁ ଗୋଟିଏ ଶ୍ରଦ୍ଧା ଭିତରେ ଧରି ରଖିଥାଏ ।

 

୮ । ୪ । ୮୩

 

କୋଳାହଳକୁ ମୋ’ର ସବୁଠାରୁ ଅଧିକ ଭୟ । ଏହି କୋଳାହଳ ଦ୍ଵାରା ହିଁ ଭଗବାନ ମିଳନ୍ତି ବୋଲି ଯଦି କେବେ କେହି ପ୍ରମାଣ କରିଦିଏ ତେବେ ମୁଁ ବରଂ ତଦ୍ଦ୍ଵାରା ମିଳି ପାରୁଥିବା ସେହି ଭଗବାନଙ୍କୁ ଛାଡ଼ି ଆସିବି, ମାତ୍ର କୋଳାହଳ ଭିତରକୁ କଦାପି ଯିବିନାହିଁ । ଜ୍ଞାନ ଯେତିକି ଯେତିକି ଆପଣାର ଅସଲ ତଲଟିକୁ ଅନୁଭବ କରିପାରେ; ଜ୍ଞାନର କୋଳାହଳ ସେତିକି କମେ; ଭକ୍ତି ଯେତିକି ଯେତିକି ଆପଣାର ଅସଲ ସ୍ପର୍ଶଟିକୁ ପାଇବାର ଭାଜନ ହୁଏ ଭକ୍ତି ସେତିକି ପରିମାଣରେ ନୀରବ ହୋଇ ଆସେ । କୋଳାହଳ ସରିଲେ ଯାଇ ପ୍ରସନ୍ନତା ସମ୍ଭବ ହୁଏ, କୋଳାହଳ ସରିଲେ ଯାଇ ବିଶ୍ଵାସ ଓ ନିର୍ଭରତା ଅସଲ ମୂଳଦୁଆଟି ପଡ଼ିପାରେ ।

 

କୋଳାହଳ ଏକ ଅବିଶ୍ଵାସର ସୂଚନା ଦିଏ, ହୁଏତ ଏକ ଅହଙ୍କାରର ବି ସୂଚନା ଦିଏ । ଆପଣାର ଜ୍ଞାନ ଓ ଭକ୍ତିକୁ ନିମିତ୍ତ କରି ଆପଣାକୁ ଦେଖାଇ ହେବାର ଏକ ପ୍ରଚ୍ଛନ୍ନ କିମ୍ବା ପ୍ରତ୍ୟକ୍ଷ ଅହଙ୍କାର ରହିଥିବା ପର୍ଯ୍ୟନ୍ତ ମଣିଷ କୋଳାହଳ କରୁଥାଏ, ସେହି କୋଳାହଳ ଦ୍ଵାରା ହିଁ ଭଗବାନ ମିଳିବେ ଶାସ୍ତ୍ରର ପ୍ରଣାମ ଦେଇ କୋଳାହଳ ସହିତ କହିବାରେ ଲାଗିଥାଏ । ତଦ୍ଦ୍ଵାରା ସେହି କୋଳାହଳ ହିଁ ଜିତେ ଭଗବାନ ହାରି ହାରି ଯାଉଥାନ୍ତି । ଅସଲ ମଣିଷଟି, ଅର୍ଥାତ୍‍ ଅସଲ ଜ୍ଞାନୀ ଓ ଅସଲ ଭକ୍ତ ସତେଅବା ଭାରି ଲାଜରା ହୋଇ କୋଉ ପଛରେ ଲୁଚି ରହିଥାଏ । କୋଳାହଳୀ ମଣିଷ ସେହି କୋଳାହଳ ପାଖରେ ହିଁ ଆପଣାକୁ ବିକି ଦେଇଥାଏ ।

 

୧୦ । ୪ । ୮୩

 

‘ପାଇଛି’ ପାଇଛି ବୋଲି କୋଳାହଳ କରୁଥିବା ମଣିଷ ହୁଏତ ଆଦୌ କିଛିହେଲେ ପାଇନଥାଏ । ଅଥବା, ହୁଏତ ଆଉକିଛି ପାଇଥାଏ । ମାତ୍ର ସେଇଟିକୁ ସିଏ ଅସଲ ପାଇବା ବୋଲି ଧରି ନେଇଥାଏ । ଏମିତି ପାଇଥିବା ମଣିଷମାନେ ହୁଏତ ସମ୍ପ୍ରଦାୟ ଗଢ଼ନ୍ତି, ଏଡ଼େ ବଡ଼ ପାଟି କରି ‘ଆମେ ତାକୁ ପାଇଛୁ’ ବୋଲି କହନ୍ତି, ଏହାହିଁ ଏକମାତ୍ର ବାଟ’ ବୋଲି କେଡ଼େ କୋଳାହଳ କରି କହନ୍ତି । ଯଥାର୍ଥରେ ପାଇଲେ ମଣିଷ ନୀରବ ହୋଇଯାଏ । କେବଳ ଏକ ଖୁସି ହିଁ ଅନୁଭବ କରେ-। ସେହି ଖୁସି ଏକ ସହଜ ଏବଂ ସତତପ୍ରସନ୍ନତରେ ପରିଣତ ହୁଏ । ପାଇଥିବା ମଣିଷ ବାଦ କରେନାହିଁ, ଏ ବାଟକୁ ଏକାବେଳକେ ଠକ ଓ ଆଉ କୌଣସି ବାଟକୁ ପାଇଥିବାର ଭୁଲ୍‍ ବୋଲି କହିବାକୁ ଯାଏନାହିଁ । ଚାଲିବାଟାକୁ ହିଁ ବାଟ ପାଇଥିବାର ଅସଲ ସନ୍ତକ ଓ ଅସଲ ପ୍ରମାଣ ବୋଲି ଗ୍ରହଣ କରିଥାଏ ।

 

ଯଥାର୍ଥରେ ପାଇଲେ ସମସ୍ତେ ପାଇଥିଲା ପରି ଅନୁଭବ ହୁଏ । ଯଥାର୍ଥରେ ଖୋଜି ପାରିଲେ ସମସ୍ତେ ଖୋଜୁଥିଲା ପରି ଲାଗେ । ତେଣୁ, ଆୟତନଗୁଡ଼ାକୁ କିମ୍ବା ବୋଲିଗୁଡ଼ାକୁ ହିଁ ସର୍ବସାର କରି ଧରି ଆଉ ମୋଟେ ବାଦ କରିବା ପାଇଁ ମୋଟେ ମନ ହୁଏନାହିଁ । ନିଜେ ଗୁରୁଭଳି ଗୁରୁଟିଏ ପାଇଲେ ସଂସାରରେ ହୁଏତ କାହାକୁ ହେଲେ ଗୁରୁଛେଉଣ୍ଡ ବୋଲି ମନେ ହୁଏନାହିଁ । ଆପଣାର ହୃଦୟ ଭିତରେ ଅସଲ ଚରଣସ୍ପର୍ଶଟି ଅନୁଭବ କରି ପାରିଥିଲେ, ଏହି ସଂସାରରେ ଯାହାକୁ ଅଣାଇଲେ ମଧ୍ୟ ତା’ଭିତରେ ଚରଣଯୁଗଳର ଦର୍ଶନ ମିଳିଯାଏ । ତେଣୁ ଦୁଃଖ ଯାଏ । ଆପଣାର ସ୍ଵଦର୍ଶନଟି ଏକ ବିଶ୍ଵମୟ ଦର୍ଶନରେ ପରିଣତ ହୁଏ ଓ ଯାବତୀୟ କୋଳାହଳ ଏକ ସହଜ ପ୍ରସନ୍ନତା ଏବଂ ସହଜ ସଂଲଗ୍ନତାର ପ୍ରକ୍ରିୟାରେ ଶ୍ରଦ୍ଧାମୟ ନୀରବତାକୁ ରୂପାନ୍ତରିତ ହୋଇଯାଏ ।

 

୧୧ । ୪ । ୮୩

 

ଆପଣାକୁ ସବାଆଗରେ ରଖି ଅହଙ୍କାରଟାକୁ ହିଁ ଯାବତୀୟ ଜୀବନବାସନାର ପରମଧର୍ମ ରୂପେ ମାନୁଥିବା ପର୍ଯ୍ୟନ୍ତ ଏହି ସଂସାରରେ ଭାରି ଡର ମାଡ଼ୁଥାଏ । ମାତ୍ର, ଆଗରେ ଭଗବାନ ଥିବେ, ମୋଟେ ବାଟ ଦେଖାଇ ନେଉଥିବେ, —ଅର୍ଥାତ୍‍ ମୋ’ର ଯାବତୀୟ ଉଦ୍ୟମର ପ୍ରତ୍ୟେକ ପଦକ୍ଷେପରେ ମୁଁ ଅସଲ ସୂତ୍ରଗୁଡ଼ିକୁ ଅନୁଭବ କରି ପାରୁଥିବି ଓ ସେହି ସୂତ୍ରଗୁଡ଼ିକ ମୋତେ ଅଭୟ ମଧ୍ୟରେ ରଖିଥିବ । ଅହଙ୍କାର ନଥିବ, ଅଥଚ, ଆପଣା ଭିତରକୁ ଚାହିଁଦେଲା ବେଳକୁ ସବୁ ଦେଖା ଯାଉଥିବ । ଆପଣାର ଆତ୍ମୀୟତା ଗୁଡ଼ିକର ଦ୍ଵାର ଖୋଲିଦେବା ବେଳକୁ ସବୁ କିଛିକୁ ଧରି ହେଉଥିବା । ତାହାହିଁ ଭୟମୁକ୍ତ ଜୀବନ, ତାହାହିଁ ଜଣେ ମଣିଷର ଅସଲ ଜୀବନ ।

 

ଏକ ଭୟମୁକ୍ତ ପ୍ରସନ୍ନତାରେ ବାଟ ଚାଲିବା, ଆତ୍ମୀୟତାକୁ ହିଁ ଜାଣିବାର, ଛୁଇଁବାର ଏବଂ ପାଇବାର ଅସଲ ସୂତ୍ରରୂପେ ଅନୁଭବ କରିବା, —ଏହାହିଁ ଏହି ସଂସାରରେ ମୋ’ ଜୀବନର ସବୁଠାରୁ ବଡ଼ ଲାଭ । ଏହିପରି ଲାଭବାନ ହୋଇ ରହିବାର ଧାରାଟିକୁ ଆପଣାର ଧାରା କରି ରଖି ପାରିଥିବା ପର୍ଯ୍ୟନ୍ତ ଏ ସଂସାର ମୋତେ କେବେହେଲେ ଅସନା ଲାଗିବ ନାହିଁ; —ଅର୍ଥାତ୍‍, ମାୟା ପାରି ଲାଗିବନାହିଁ । ମୋ’ର ଭଲ ପାଇବା ଗୁଡ଼ାକ କଦାପି ମୋହରେ ପରିଣତ ହେବାର କୌଣସି ଭୟ ନଥିବ ।ଏହି ଆତ୍ମୀୟତା ଓ ଏହି ପ୍ରସନ୍ନତା ମୋ’ର ଚିରସହଚର ହୋଇ ରହିଥାଆନ୍ତୁ । ମୁଁ ଏହିପରି ଭାବରେ ଠିକ୍‍ ଏହି ସକାଳଟି ପାରି ହାଲୁକା ହୋଇ ରହିଥାଏ । ଆକାଶମାନେ ସତେଅବା ମୋ’ ଆପଣା ଘରର ଝରକା ପରି ଅନୁଭୂତ ହେଉଥାନ୍ତୁ । ଆପଣାକୁ ଲୁଚାଇ ରଖିବାର ସକଳପ୍ରମାଦରୁ ମୁଁ ନିଜକୁ ମୁକ୍ତ କରି ରଖିଥାଏ ।

 

୧୨ । ୪ । ୮୩

 

କୁଜେନ୍ଦ୍ରୀ ଗାଆଁବାଟେ ଯାଉଥିବା ବେଳେ ସବାଆଗ କେଶବ କଥା ମନେପଡ଼େ । ଯଦି କେଶବ ଥାଆନ୍ତା, ତେବେ କାଲି ମୁଁ କେବଳ ସେହି ବାଟ ଦେଇ ଚାଲି ଯାଇନଥାନ୍ତି, ମୁଁ କେଶବକୁ କେବଳ ସ୍ମରଣ କରିନଥାନ୍ତି । ସେଠାରେ ମୁଁ ଓହ୍ଲାଇ ଥାଆନ୍ତି, କେଶବ ସହିତ ତା’ଘରକୁ ଯାଇଥାନ୍ତି-। ଏଠି ଦିନେ ଓଳିଏ ରହିଥାନ୍ତି । କେତେ କ’ଣ ଦୁଃଖସୁଖ ହୋଇଥାନ୍ତି; କେତେ କ’ଣ ପାଇଥାନ୍ତି, ତେବେ କ’ଣ ଦେଇ ପାରିଥାନ୍ତି ।

 

କୁଜେନ୍ଦ୍ରୀ ଗାଆଁବାଟ ଦେଇ ଗଲାବେଳେ ଆଜ୍ଞାଙ୍କର କଥା ମନେପଡ଼େ । ସିଏ ଏବେ ଫୁଲବାଣୀ ଆଡ଼େ ଅଛନ୍ତି, ଏହି ଗାଆଁରେ ନାହାନ୍ତି । ମାତ୍ର ଏକଥା ସତ ଯେ, ପ୍ରଥମ କୁଜେନ୍ଦ୍ରୀ ଗାଆଁକୁ ଆସିବା ସମୟରେ ମୁଁ ପ୍ରକୃତରେ ସେହି ଆଜ୍ଞାଙ୍କ ପାଖକୁ ଆସିଥିଲି । ଆଜ୍ଞା ଅର୍ଥାତ୍‍ ଶ୍ରୀ ବିଶ୍ଵନାଥ ପଟ୍ଟନାୟକ । ସେତେବେଳେ ଏହି ଆଜ୍ଞାଙ୍କର ଦର୍ପଣ ଉପରେ ହିଁ ମୁଁ କୁଜେନ୍ଦ୍ରୀ ଅଞ୍ଚଳର ଭବିଷ୍ୟକୁ ଦେଖିଥିଲି, ଏଠାରେ ବାସ କରୁଥିବା ମଣିଷମାନଙ୍କର ସାହସୀ ଭବିଷ୍ୟକୁ ଦେଖୁଥିଲି । ବର୍ତ୍ତମାନ ସେହି ଦର୍ପଣଟି କୋଉଦିନରୁ ଭାଙ୍ଗିଗଲାଣି । ଅନ୍ୟମାନେ ଆସି କୁଜେନ୍ଦ୍ରୀ ଅଞ୍ଚଳରେ ମାମଲତକାର ହେଲେଣି, ଦର୍ପଣ ପରି ଦେଖାଗଲେଣି । ଲୋକମାନଙ୍କର ଚିତ୍ତକୁ ଆକର୍ଷଣ କଲେଣି । କୁଜେନ୍ଦ୍ରୀର ଲୋକମାନେ ସେତେବେଳର ତୁଳନାରେ ହୁଏତ ଅଧିକ ଭୀରୁ ହେଲେଣି । ସେମାନେ ହୁଏତ ଆଉ କୌଣସି ଭବିଷ୍ୟକୁ ମୋଟେ ଦେଖି ପାରୁନାହାନ୍ତି । କେବଳ ବର୍ତ୍ତମାନଟାକୁ ଦେଖି ପାରୁଛନ୍ତି । ବର୍ତ୍ତମାନ ସହିତ ସତେଅବା ଭାରି ଜ୍ଵରଗ୍ରସ୍ତ ଭାବରେ ଜଡ଼ିତ ହୋଇ ରହିଲେଣି-। ଯେଉଁ ବିପ୍ଳବ ଏଠି ଘଟିଥାନ୍ତା, ଅଥଚ ଘଟିଲାନାହିଁ, ଏସବୁ ସବାଆଗ ତାହାରି ଏକ ସ୍ମୃତି ଦେଇ ଯାଉଛି ।

 

୧୩ । ୪ । ୮୩

 

ଅମୁକ କଥା କଲେ ଦଶବର୍ଷର ସାଧନା ମାତ୍ର ଦଶଦିନରେ ସଫଳ ହୋଇଯିବ ବୋଲି ଯେଉଁମାନେ ପରାମର୍ଶ ଦେବାକୁ ଆସନ୍ତି, ସେମାନଙ୍କର ଔଷଧକୁ ମୁଁ ମୋଟେ ଔଷଧରୂପେ ଗ୍ରହଣ କରିପାରେ ନାହିଁ । ଆଉ କାହାପାଇଁ ହୁଏତ ତାହା ଔଷଧ ରୂପେ କାର୍ଯ୍ୟ କରିପାରେ, ହୁଏତ ଏକ ଉତପ୍ରେରକ ରୂପେ ବି କାର୍ଯ୍ୟ କରିପାରେ । ମାତ୍ର ଯେଉଁପରି ମଳୁମାନଙ୍କ ସକାଶେ ସେହି ଔଷଧ ସାଧାରଣତଃ ଉଦ୍ଦିଷ୍ଟ ହୋଇ ରହିଥାଏ, ମୁଁ ସେହି ମଳୁ ବୋଲି ଆଦୌ ଅନୁଭବ କରି ପାରେନାହିଁ । ତେଣୁ, ସେହି ଔଷଧଗୁଡ଼ାକ ଆଡ଼କୁ ମଧ୍ୟ ମୋଟେ ମନ ଯାଏନାହିଁ ।

 

ମୁଁ ଆପଣାକୁ କେବେହେଲେ ଗୋଟାଏ ମଳୁପରି ଭାବିନାହିଁ । ଆପେ ଯାହା, ଠିକ୍‍ ତାହା ହୋଇ ଫୁଟି ଊଠିବାଲାଗି ଗୋଟିଏ କଢ଼ ବା ଗୋଟିଏ ବାସନା କ’ଣ ଆପଣାକୁ ଗୋଟାଏ ମଳୁ ବୋଲି ଭାବିବାକୁ ବାଧ୍ୟ ? ଫୁଟିବାର ପ୍ରକ୍ରିୟାଟିକୁ ମୁଁ ସେଥିସକାଶେ ସାଧାରଣ ଅର୍ଥରେ କୌଣସି ସିଦ୍ଧିରୂପେ ମଧ୍ୟ ଗ୍ରହଣ କରି ପାରେନାହିଁ । ଏକ ରୋଗମୁକ୍ତି ପରି ଗ୍ରହଣ କରିବା ତ ଆହୁରି ଅଧିକ ଦୂରର କଥା । ଯାହାକୁ ମୁଁ କେତେ ଦୂରରେ ଥାଇ ମଧ୍ୟ ଏକାନ୍ତ ସତ୍ୟ ଓ ଏକାନ୍ତ ନିଜର ବୋଲି ଅନୁଭବ କରି ସାରିଛି, ତାହାରି ପାଖକୁ ଯିବାଲାଗି ମୁଁ ଆପଣାକୁ ଗୋଟାଏ ମଳୁପରି ଅନୁଭବ କରିବି କାହିଁକି ସେଥିପାଇଁ କୌଣସି ଔଷଧ ଖାଇ ଶୀଘ୍ରାତିଶୀଘ୍ର ଆରୋଗ୍ୟ ଲାଭ କରିବାକୁ ବା ମନ କରିବି କାହିଁକି ? ଅସଲ ସିଦ୍ଧି ଯାହା, ତାହା କେବଳ ମୋ’ର ସିଦ୍ଧି ନୁହେଁ, ତାହା ସମଗ୍ର ସଂସାରର ସିଦ୍ଧି । ମୋ’ର କେବଳ ଫୁଟି ଉଠିବାର ମାର୍ଗଟି, —ଆହ୍ଵାନକୁ ଜାଣି ଉନ୍ମୋଚିତ ହୋଇ ଉଠିବାର ଧର୍ମଟି । ଅନ୍ୟ କୌଣସି ଅଙ୍ଗକୁ ମୁଁ ସାଧନାଙ୍ଗ ବୋଲି ମୋଟେ ଗ୍ରହଣ କରି ପାରେନାହିଁ ।

 

୧୪ । ୪ । ୮୩

 

ଯେଉଁ ଚେତନା ଏକାବେଳେକେ ଊର୍ଦ୍ଧ୍ଵ ଏବଂ ନିମ୍ନ ଉଭୟକୁ ଆବୋରି ଧରିବାକୁ ସମର୍ଥ ହୁଏ ଓ ଜୀବନ କହିଲେ ଏକ ସମଗ୍ର ଅଭିକ୍ରମକୁ ବୁଝାଏ, ତାହା ହେଉଛି ଆଧ୍ୟାତ୍ମିକ ଚେତନା । ଏହି ଚେତନା ସାହସ କରିବାର ଚେତନା । ଏହି ସାହସ ଆପଣାକୁ ସବାଶେଷ ପରାସ୍ତ ପର୍ଯ୍ୟନ୍ତ ଉନ୍ମୋଚିତ କରିବାର ସାହସ । ଶ୍ରଦ୍ଧା ହିଁ ଜୀବନର ସର୍ବାନ୍ତଭୁକ୍ତକାରୀ ଚେତନାରେ ପରିଣତ ହୋଇ ପାରିଲେ ସେହି ସାହସ ସମ୍ଭବ ହୋଇଥାଏ ।

 

ପଳାଇ ଯିବାକୁ ହିଁ ମୂଳ ବୃତ୍ତି କରି ଧରିଥିବା ଯାବତୀୟ ବ୍ୟାକୁଳତା ଆମକୁ ଆମ ଭିତରେ ରହିଥିବା ଏହି ଶ୍ରଦ୍ଧା ଏବଂ ସାହସ ପାଖରୁ ଅପସାରିତ କରି ନେଇଯାଏ । ତା’ପରେ ଜୀବନଟା ଭାଗ ଭାଗ ହୁଏ; ନାନା ତୋ’ର ମୋ’ରରେ ପରିଣତ ହୋଇଯାଏ । ଦିବ୍ୟତା ଦିଅ ଗୁଡ଼ାକରେ ବିଭକ୍ତ ହୋଇଯାଏ ଓ ଦିଅଁମାନେ ମୋହବୋଳା ହୋଇ ପ୍ରାୟ ଗୋଟିଏ ଗୋଟିଏ ସ୍ଵାର୍ଥମୟତାର ପ୍ରତିନିଧିତ୍ଵ କରିବାରେ ଲାଗନ୍ତି । ଦିଅଁମାନଙ୍କ ସହିତ ଛନ୍ଦି ହୋଇଗଲେ ମଣିଷ କ୍ରମେ ଭୀରୁ ହୁଏ, ଅସମର୍ଥତାଗୁଡ଼ାକୁ ଆଦରି ରହିବାକୁ ମନକରେ, —ଅନେକ ସମୟରେ ଅକର୍ମଣ୍ୟତା ଗୁଡ଼ାକୁ ହିଁ ସ୍ଵର୍ଗ ବୋଲି ଭାବି ଲୋଭ କରେ, —ପାଚେରୀ ଭିତରେ ରହିଯାଏ । ଅନ୍ଧ ହୁଏ, ଉଗ୍ର ହୁଏ, ତଥାପି ପାଚେରୀ ଭିତରେ ରହିଯାଏ । ଏହି ପାଚେରୀ ଭିତରେ ତଥାକଥିତ ଗୁରୁମାନଙ୍କୁ ସତେଅବା ବାନ୍ଧିହୋଇ ରହିବାର ଖୁଣ୍ଟପରି ବ୍ୟବହାର କରାଯାଏ । ସଂକୀର୍ଣ୍ଣତା ଆଡ଼ମ୍ବରମୟ ହୁଏ, ଆଡ଼ମ୍ବରଗୁଡ଼ାକ ହିଁ ଐଶ୍ଵର୍ଯ୍ୟ ବୋଲି କୁହାଯାଏ ।

 

୧୬ । ୪ । ୮୩

 

ଭଲ ପାଇବା କ’ଣ କେବଳ ଗୋଟାଏ ମୋହ, କେବଳ ଗୋଟାଏ ମାୟା ? —ସେଦିନ କୌଣସି ପତ୍ରିକାରେ ଉତ୍‍ଥାପିତ ଏହିପରି ଗୋଟିଏ ପ୍ରଶ୍ନର ପ୍ରଦତ୍ତ ଉତ୍ତରମାନ ପଢ଼ୁଥିଲି-। ଏହି ପ୍ରଶ୍ନଟିକୁ ଦେଶର କେତେଜଣ ନାମଅର୍ଜନକାରୀ ଲେଖକଙ୍କୁ ପଚରାଯାଇଛି ଓ ସେମାନେ ସେହି ପ୍ରଶ୍ନର ଉତ୍ତର ଦେଇଛନ୍ତି । ପ୍ରଧାନତଃ ବ୍ୟକ୍ତିଗତ ଜୀବନରେ କାହାକୁ ନା କାହାକୁ ଭଲ ପାଇଥିବାର କାହାଣୀ କେତୋଟିକୁ ଭିତ୍ତି କରି ସେମାନେ ପ୍ରଶ୍ନଟିର ଉତ୍ତର ଦେଇଛନ୍ତି....ଏକ ସାମ୍ବାଦିକ ଭଙ୍ଗୀରେ ଉତ୍ତର ଦେଇଛନ୍ତି ।

 

ଭଲପାଇବା ଦ୍ଵାରା ମୁଁ କ’ଣ ପାଇଲି, କେବଳ ଏହି କଥାଟାକୁ ଭିତ୍ତି କରି ଯଦି ମଣିଷ ଭଲ ପାଇବାର ବଣିଜ କରି ବାହାରିବ, ତେବେ ତା’ର ଭଲପାଇବା ତାକୁ ନିଶ୍ଚୟ ଧୋକାରେ ପକାଇଦେବ । ଭଲପାଇବା କହିଲେ ମଣିଷ ତା’ନିଜ ସଂସାର ବୋଲି କହୁଥିବା ଯଦି ତା’ର ଗୋଟିଏ କୁଟୁମ୍ବ ପ୍ରତି ସୀମାବଦ୍ଧ ରହିଥିବା ତା’ର ବାସନା ଏବଂ ଐକାନ୍ତିକ ମୋହଗୁଡ଼ାକୁ ବୁଝାଇବ, ତେବେ ତା’ର ଭଲ ପାଇବା ତା’ଲାଗି ପ୍ରକୃତରେ ଅନେକ ମୋହର କାରଣ ହୋଇ ରହିଥିବା, ତାକୁ ଅନେକ ପ୍ରକାରେ କିଳି ରହିଥିବ, ଅନେକ କିଛିରୁ ଟାକୁ ବଞ୍ଚିତ କରି ରଖିଥିବ । ପୃଥିବୀରେ ଠିକ୍‍ ଏହିପରି ଭାବରେ ଅନେକ ମଣିଷ ଭଲ ପାଆନ୍ତି ଏବଂ ବଞ୍ଚିତ ହୋଇ ରହନ୍ତି । ସେମାନେ ଭଲ ପାଇବାର ଗାର ମାଡ଼ି ପାରନ୍ତିନାହିଁ ଭଲ ପାଇବାକୁ ସତେଅବା କୌଣସି ଭଣ୍ଡାଘରର ଏକୁଟିଆ ମାଲିକ ହେବା ବୋଲି ବୁଝୁଥାନ୍ତି । ସେମାନେ ଆଦୌ କୌଣସି ଭଣ୍ଡାରର ଅଧିକାର ଲାଭ କରି ପାରନ୍ତିନାହିଁ ।

 

୧୭ । ୪ । ୮୩

 

ଅନେକ ମଣିଷ କହୁଛନ୍ତି ଏସବୁ କିଛି ହୋଇ ପାରିବନାହିଁ । ଆମେ କହୁଛୁ ହେବ । ସେମାନେ ଆପଣା ଭିତରୁ ଯାବତୀୟ ସତ୍ୟ ସମ୍ଭାବନା ସହିତ ଲାଗିଥିବା ସେମାନଙ୍କର ଅସଲ ପ୍ରତ୍ୟୟର ଖିଅଟିକୁ ହରାଇ ବସିଛନ୍ତି । ଯେଉଁ ପ୍ରତ୍ୟୟଟିକୁ ହରାଇ ବସିଲେ ଆମେ ତା’ପରେ ବୁଦ୍ଧିର ଯୁକ୍ତିଗୁଡ଼ାକୁ ଦେଖାଇ ସତ୍ୟକୁ କାଟିବା ସକାଶେ ବାହାରୁ ଏବଂ ସେଇଥିରୁ ହିଁ ଆପଣାର ଏକ ମୂଳଭୂତ ଅସମର୍ଥତା ସକାଶେ ସମର୍ଥନମାନ ପାଇବାକୁ ଚେଷ୍ଟା କରୁ, ସେମାନେ ସେହି ପ୍ରତ୍ୟହଟିକୁ ହରାଇ ବସିଛନ୍ତି । ଆମେ ଯେଉଁମାନେ ସବୁକିଛି ହୋଇପାରିବ ବୋଲି କହୁଛୁ, ଆମେ ସମ୍ଭାବନାର ସେହି ଖିଅଟିକୁ ନିଜଭିତରେ ଅନୁଭବ କରି ପାରୁଛୁ । ଏସବୁ ହେବ ବୋଲି ଆମକୁ ଲାଗୁଛି, କାରଣ ଆମେ ସେହି ହେବାର ପ୍ରକ୍ରିୟାଟିରେ କାର୍ଯ୍ୟରେ ଲାଗିପାରିବା ପାଇଁ ପ୍ରସ୍ତୁତ ହୋଇ ରହିଛୁ । ପରିମାଣ ଯାହା ହେଉ ପଛକେ ଆମେ ସମ୍ମତି ଦେଇ ସାରିଛୁ । ଆମେ କେହିହେଲେ ବୁଦ୍ଧି ପାଖରୁ ହୁଡ଼ି ଯାଇନାହୁଁ; ମାତ୍ର ହୃଦୟର ଅସଲ ଅନୁଭବ ଓ ପ୍ରତ୍ୟୟଗୁଡ଼ିକୁ ଅନ୍ତତଃ ଆମ ନିଜ ସକାଶେ ପ୍ରତିପାଦିତ କରି ରଖିପାରିବା ସକାଶେ ଆମେ ବୁଦ୍ଧିକୁ ସହଯୋଗୀ ରୂପେ ବ୍ୟବହାର କରୁଛୁ ।

 

ତେଣୁ ଆମର କାହାରି ସହିତ ଲଢ଼େଇ ନାହିଁ । ସମ୍ମତ ମଣିଷ କାହାରି ସହିତ ଲଢ଼ାଇ କରେନାହିଁ । ଆପଣାର ସକଳ ଅନୁରାଗକୁ ସିଏ ଏକ ସମ୍ମତିରେ ପରିଣତ କରି ରଖିଥାଏ । ତେଣୁ ପ୍ରସ୍ତୁତ ହୋଇ ରହିଥାଏ । ଅସଲ ପ୍ରୟୋଜନଗୁଡ଼ିକୁ ଆପଣା ଭିତରେ ଅନୁଭବ କରିପାରେ । ସିଏ ସେହିଗୁଡ଼ିକ ଲାଗି ନିମିତ୍ତ ହୁଏ । ଖୁସିରେ ନିମିତ୍ତ ହୁଏ । କ୍ରମେ ଏପରି ଏକ ସମୟ ଆସି ପହଞ୍ଚେ, ଯେତେବେଳେ କି ଏହି ଖୁସି ହିଁ ତା’ଜୀବନର ଏକମାତ୍ର ପ୍ରେରକ ହୋଇ ରହିଥାଏ ଖୁସି ହିଁ ଏକମାତ୍ର ପ୍ରତ୍ୟୟ ଓ ପ୍ରମାଣ ହୋଇ ରହିଥାଏ ।

 

୧୯ । ୪ । ୮୩

 

ମଣିଷ କେଡ଼େ, ଜଟିଳ, ଅର୍ଥାତ୍‍ ସିଏ ଏକାବେଳେକେ କେଡ଼େ ଅନେକବିଧ ଅଥଚ ତାହାର ସାନିଧ୍ୟ କେଡ଼େ ସମଗ୍ର, କେଡ଼େ ଆଲୋଡ଼ନପୂର୍ଣ୍ଣ ଓ କେତେ ପ୍ରସନ୍ନତାମୟ । ମଣିଷ ସହିତ ଏକତ୍ର ହୋଇ ମୁଁ ଯେତିକି ଯେତିକି ତା’ର ଅଧିକ ପାଖକୁ ଆସିବାକୁ ସମର୍ଥ ହୁଏ, ମୋ’ ନିଜ ଭିତରର ଗଣ୍ଠିଗୁଡ଼ାକ ମଧ୍ୟ ସତେ ଯେପରି ସେତିକି ସେତିକି ଅଧିକ ପରିମାଣରେ ଫିଟି ଫିଟି ଯାଉଥିବାର ଅନୁଭବ ହୁଏ । ଅନ୍ୟ ପାଖରେ ଆପଣାକୁ ଅକୃତ୍ରିମ ଭାବରେ ନିକଟବର୍ତ୍ତୀ କରିଆଣି ମୁଁ ଆପଣଙ୍କୁ ହିଁ ଅଧିକ ନିବିଡ଼ ଅନ୍ତରଙ୍ଗ ଏବଂ ଉଷ୍ମ ଭାବରେ ପାଇଥାଏ । ଯେଉଁମାନେ ମନୁଷ୍ୟ ସମ୍ବନ୍ଧର ସଂସାରକୁ ଏକ ଅନିତ୍ୟ ସଂସାର ବୋଲି କହନ୍ତି, ଏକ ବିକଳ୍ପରୂପେ ଅନେକ ସମୟରେ ସୁନ୍ଦର ପ୍ରକୃତି ଓ ଅଧିକ ନିର୍ଭରଯୋଗ୍ୟ ଏକ ଧର୍ମମାର୍ଗର ଆଶ୍ରୟ ଗ୍ରହଣ କରିବା ସକାଶେ ପରାମର୍ଶ ଦେଇଥାନ୍ତି, —ସେମାନଙ୍କୁ ମୁଁ ଅଧିକାଂଶ ସମୟରେ ହିଁ ମୋଟେ ବୁଝି ପାରେନାହିଁ ।

 

ପ୍ରକୃତି, ଧର୍ମ ଓ ଯାବତୀୟ ଅର୍ଜନ ଏବଂ ଚୟନକୁ ମୁଁ ଏହି ମନୁଷ୍ୟସାନିଧ୍ୟ ଓ ମନୁଷ୍ୟସଂଖ୍ୟର ପରିପ୍ରେକ୍ଷୀରେ ଅନୁଭବ କରିଥାଏ ବୋଲି ସମ୍ଭବତଃ ଏହି ସବୁଗୁଡ଼ିକୁ ଏଡ଼େ ନିଷ୍ଠାର ସହିତ ସ୍ପର୍ଶ କରିପାରେ । ଆପଣାର କୌଣସି ପ୍ରକାର ଆର୍ତ୍ତତା ନେଇ ମୁଁ କଦାପି ଏଗୁଡ଼ିକର ନିକଟକୁ ଯାଏନାହିଁ । ସେଇଥିଲାଗି ମୁଁ ଏଗୁଡ଼ିକୁ ଯଥାର୍ଥରେ ପାଏ ଓ ଆପଣାକୁ ସମ୍ପୂର୍ଣ୍ଣ ଭାବରେ ଏଗୁଡ଼ିକ ପାଖରେ ସମର୍ପଣ କରି ଦେଇଥାଏ । ଏଗୁଡ଼ିକ ସହିତ ମୋ’ର ପରିଚୟର ଚେରସବୁ ମୋ’ ନିଜ ଗଭୀରକୁ ହିଁ ଭେଦି ରହିଥିବା ପରି ଓ ମୋ’ର ନିଜ ଆକାଶଗୁଡ଼ିକୁ ସ୍ପର୍ଶ କରି ରହିଥିବା ପରି ଅନୁଭବ ହୁଏ ।

 

୪ । ୫ । ୮୩

 

ସେଦିନ ଫୁଲବାଣୀର ଘନ ଘଞ୍ଚ ଜଙ୍ଗଲ ଭିତରେ ଉଠାଣି ଓ ଗଡ଼ାଣି ରାସ୍ତାଗୁଡ଼ାକୁ ଅତିକ୍ରମ କରୁଥିବା ବେଳେ ମୁଁ ଭାରି ମୁଗ୍ଧ ହୋଇ ମଣିଷର କଥା ଭାବୁଥିଲି । ମୁଗ୍ଧ ହେଲେ ଠିକ୍‍ ଏମିତି ମୁଁ ମଣିଷର କଥା ଭାବେ, ଯାହା ମୋ’ଠାରୁ ସର୍ବାପେକ୍ଷା ଅଧିକ ନିକଟବର୍ତ୍ତୀ, ମୁଁ ତାହାରି କଥା ଭାବେ । ମୁଗ୍ଧ ହେବା ଅର୍ଥାତ୍‍ ସ୍ଵାଭାବିକ ଭାବରେ ଏକ ଏକାତ୍ମକତା ଅନୁଭବ କରିବା, ଏକ ଅନ୍ତରଙ୍ଗତା ପାଖରେ ଆପଣାକୁ ଅତ୍ୟନ୍ତ ସମ୍ମତ ଭାବରେ ଖିଅ ଯୋଡ଼ି ରଖିବା । ଖିଅ ଯୋଡ଼ି ହୋଇଯିବା ମାତ୍ରକେ ମତେ ସବୁଠାରୁ ଅଧିକ ନିକଟବର୍ତ୍ତୀ ଅର୍ଥାତ୍‍ ସବୁଠାରୁ ଅଧିକ ଅନ୍ତରଙ୍ଗ ଭାବରେ ମଣିଷ ହିଁ ଦେଖାଯାଏ । ପ୍ରକୃତିର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ମୁଁ ମଣିଷ ପାଖକୁ ଆସି ମଣିଷର ସୌନ୍ଦର୍ଯ୍ୟକୁ ଖୋଜି ବୁଲୁଥାଏ ।

 

ଏପରି ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ମଣିଷ ସହିତ ବୈର କରି ପ୍ରକୃତିର ସଙ୍ଗ ଲୋଡ଼ନ୍ତି ଓ ପ୍ରକୃତିର ସଙ୍ଗ ଲାଭ କରି ମଣିଷ ଭୁଲନ୍ତି, ମଣିଷର ସଂସାରକୁ ଭୁଲିଯାଆନ୍ତି । ମୁଁ ମୋଟେ ସେପରି କରିପାରେ ନାହିଁ । ପ୍ରକୃତି ସହିତ କୌଣସି ପ୍ରକାରର ବୈର କରି ଯେ ମୁଁ ମଣିଷ ପାଖକୁ ବାହୁଡ଼ି ଆସେ, ସେକଥା ମଧ୍ୟ ମୋଟେ ନୁହେଁ, ଏକାତ୍ମକ ହେବା, ଅର୍ଥାତ୍‍ ନିଜ ଘରକୁ ବାହୁଡ଼ି ଆସିବା, —ଆପଣା ଡୋରଟିର ସୁରାଖ ପାଇ ଏହି ସମଗ୍ରରୂପୀ ଘରଟି ସହିତ ଏକ ଅନ୍ତରଙ୍ଗତା ଅନୁଭବ କରିବା, ସେହି ଅନ୍ତରଙ୍ଗତାରେ ଆପଣାକୁ ସଂଯୁକ୍ତ, ଉତ୍ତୋଲିତ ଓ ଗୌରବାନ୍ୱିତ ଅନୁଭବ କରିବା । ମୋର ଠିକ୍‍ ସେହିପରି ହୁଏ । ମୋ’ର ଯାବତୀୟ ଉତ୍ତୋଳନ ଓ ଯାବତୀୟ ଏକାତ୍ମକତା ମୋଟେ ମୋ’ର ନିଜ ଭିତରକୁ ଡାକି ନେଇଆସେ । ମୋତେ ତାହା ସମଗ୍ରର ସଙ୍ଗ ଦିଏ; —ମଣିଷର ସଙ୍ଗ ଦିଏ ଏବଂ ଭଗବାନଙ୍କର ସଙ୍ଗ ଦିଏ ।

 

୫ । ୫ । ୮୩

 

ଫୁଲବାଣୀ ଜିଲ୍ଲାରେ ସୁନ୍ଦର ପ୍ରକୃତି ଭିତରେ ସେହି ଭୂମିର ଅସଲ ମଣିଷମାନଙ୍କୁ ଅରଣ୍ୟର ପଶୁତୁଲ୍ୟ କରି ରଖାଯାଇଛି । ଚରମ ଆର୍ଥିକ ଦାରିଦ୍ର୍ୟ ସେଠାରେ ଅନେକ ମଣିଷଙ୍କୁ ଭାରି ଅସମର୍ଥ କରି ରଖିଛି । ସମର୍ଥ ମଣିଷମାନେ ପ୍ରାୟ ସମସ୍ତେ ବାହାରୁ ଆସିଛନ୍ତି । ସେମାନେ ସଭ୍ୟତାର ଅର୍ଥାତ୍‍ ଚତୁରତାର ମଣିଷ ହିସାବରେ ସେଠାରେ ସବୁଯାକ ଜମିକୁ ଦାଖଲ କରି ନେଇଛନ୍ତି । ଦୈନନ୍ଦିନ ଜୀବନର ପ୍ରାୟ ଯାବତୀୟ ଅଧିକାରକୁ ସେହିମାନେ ହିଁ ଭୋଗ କରୁଛନ୍ତି । ସିଂହର ଶିକାରରୁ ସାଙ୍ଗରେ ଅନୁସରଣିଆ ହୋଇ ବୁଲୁଥିବା ବିଲୁଆ ଯେତିକି ଭାଗ ପାଏ, ଫୁଲବାଣୀର ସ୍ଥାୟୀ ଅଧିବାସୀମାନେ ଚତୁରମାନଙ୍କର ଉପାର୍ଜିତ ପଣ୍ୟଗୁଡ଼ାକରୁ ପ୍ରାୟ ସେତିକି ଭାଗ ପାଇ ପାରୁଛନ୍ତି । ଥୋକେ ମଣିଷଙ୍କୁ ଉପରେ ବସାଇ ଏବଂ ଅଧିକ ମଣିଷଙ୍କୁ ପଛେ ପଛେ ଚଳାଇ ସେଠି ଜୀବନର ଶଗଡ଼ ତଥାପି ଚାଲିଛି ।

 

ଆଦିବାସୀର ଆର୍ଥିକ ଦାରିଦ୍ର୍ୟ ଯିବାର ଯଥେଷ୍ଟ ବାଟ ଖୋଲି ପାରିନାହିଁ ଓ ଶୋଷଣରେ ଫାନ୍ଦଗୁଡ଼ାକୁ ଆଖିଦୃଶିଆ ହୋଇ ହଟି ଯାଇନାହିଁ ସତ, ମାତ୍ର ମନର ଦାରିଦ୍ର୍ୟ କ୍ରମେ ଅପସରି ଯିବାପରି ଲାଗୁଛି । ଚତୁରମାନଙ୍କର ଏହି ନୂଆ ଅରଣ୍ୟର ନ୍ୟାୟଗୁଡ଼ାକୁ ଆଦିବାସୀ ଆଗପରି ମାନି ନେବାକୁ ସତେଅବା ଆଉ ମୋଟେ ସମ୍ମତ ହେଉନାହିଁ । ସେହି ଆଖିରେ ସିଏ ନିଜକୁ ବି ଦେଖିବାକୁ ଆରମ୍ଭ କରୁଛି । ତା’ଭିତରେ ରହିଥିବା ଏକ ସମ୍ମାନବୋଧର ପରିପ୍ରେକ୍ଷୀରେ ସିଏ କ୍ରମେ ବାହାରୁ ତା’ଉପରେ ଲଦା ଯାଇଥିବା ଅସମ୍ମାନଗୁଡ଼ାକର ପରୀକ୍ଷା କରୁଛି ।

 

୬ । ୫ । ୮୩

 

ଆଗ ସ୍ଵୀକୃତି, ତା’ପରେ ଅଭିବ୍ୟକ୍ତି, ତା’ପରେ ସାହିତ୍ୟ ସୃଷ୍ଟି । ଏପରି ଅନେକ ଲେଖକ ଥାଆନ୍ତି, ଯେଉଁମାନେ ଆଗ ଲେଖନ୍ତି, ସ୍ଵୀକୃତି ପାଇବାଲାଗି ଶ୍ରମ କରି ଲେଖନ୍ତି, ସ୍ଵୀକୃତି ପାଇବେ ବୋଲି ଆପଣାଠାରୁ ବରାଦ ଦେଇ ଲେଖାମାନ ବାହାର କରନ୍ତି । ସେମାନେ ସ୍ଵୀକୃତିକୁ ଲୋଡ଼ନ୍ତି; ଜୀବନକୁ ଯେତେ ନଲୋଡ଼ନ୍ତି ହୁଏତ ସ୍ଵୀକୃତିକୁ ହିଁ ତା’ଠାରୁ ଅନେକ ଅଧିକ ପରିମାଣରେ ଲୋଡ଼ନ୍ତି ।

 

ମୁଁ ଭାବେ, ଆଗ ଭଲ ପାଇବାକୁ ହୁଏ । ଆଗ ଆପଣାକୁ ଦେବାକୁ ହୁଏ । ଆପଣାକୁ ଦେବା, ଅର୍ଥାତ୍‍ ସ୍ଵୀକୃତ ହେଲିବୋଲି ଅନୁଭବ କରିବା । ଏହି ସ୍ଵୀକୃତି ଆପଣା ଭିତରୁ ମିଳେ । ଅର୍ଥାତ୍‍, ଆପଣା ଭିତରେ ସବାଆଗ ଘରଟିଏ ମିଳିଯାଏ, ଗୋଟିଏ ପଥ ମିଳିଯାଏ, ଆପଣାର ଭିତରକୁ ଅନାଇଦେବା ମାତ୍ରକେ ଅର୍ଥାତ୍‍ ଆପଣା ଭିତରେ ଆପଣାକୁ ଛୁଇଁ ଆସିବା ମାତ୍ରକେ ସତେଅବା କେଉଁ ଜନନୀର ଅଟଳ ନିର୍ଭରଟିକୁ ଛୁଇଁ ଆସିବାପରି ମନେ ହେଉଥାଏ । ତା’ପରେ ହାତରେ କଲମ ଆପେ ଆପେ ଧରି ହୋଇଯାଏ, ଆପଣାକୁ ଏକ ଏକ ବୀରପରି ମନେହୁଏ, ବଳପ୍ରାପ୍ତ ସନ୍ତାନ ପରି ମନେହୁଏ । ଏସବୁ ଘଟିଯିବା ପରେ ଆଉ ବାହାରର କୌଣସି ସ୍ଵୀକୃତି ଲାଗି ଗୋଲାମି ଖଟିବା ସକାଶେ ଆଦୌ କୌଣସି ଅବକାଶ ରହେନାହିଁ । ଯେଉଁମାନେ ବାହାରର ସ୍ଵୀକୃତି ଗୁଡ଼ାକୁ ହିଁ ଜୀବନର ସୂର୍ଯ୍ୟ ବୋଲି ଭାବୁଥାନ୍ତି, ଜୀବନରେ ସେମାନଙ୍କର ଅସଲ ସୂର୍ଯ୍ୟଦର୍ଶନଟି ହୋଇ ନଥାଏ ବୋଲି ଏପରି ହେଉଥାଏ । ଆପଣା ଭିତରେ କୌଣସି ଏକ ପ୍ରକାରେ ସେମାନେ ଅରକ୍ଷିତ ହୋଇ ରହିଥାନ୍ତି ବୋଲି ବାହାରେ ପ୍ରଚଣ୍ଡ ଓ ଉତ୍ତପ୍ତ ଭାବରେ ସ୍ଵୀକୃତିଗୁଡ଼ିକୁ ଗିଳିବାରେ ହିଁ ମାତିଥାନ୍ତି, ତଥାପି ଆପଣା ପାଖରେ ନରଖର ହୋଇ ରହିଥାନ୍ତି ।

 

୭ । ୫ । ୮୩

 

ଯାହାପାଇଁ ମୁଁ ଜୀବନ ବଞ୍ଚିବି ମୋତେ ତାହାରିଠାରୁ ହିଁ ମୋ’ଜୀବନ ବଞ୍ଚିବାର ଶକ୍ତି ମିଳି ଯାଉଥିବ । ମୁଁ ଯେତିକି ବଞ୍ଚିବି, ମୋତେ ସେତିକି ପରିମାଣରେ ଶକ୍ତି ଉପଲବ୍ଧ ହେବ । ଏବଂ ଯେଉଁ ସ୍ତରରେ ବଞ୍ଚିବି, ସେହି ସ୍ତରର ଶକ୍ତି ହିଁ ଉପଲବ୍ଧ ହେଉଥିବ । ଏହାହିଁ ବିଧାନ ।

 

ଆମେ ଅନେକେ ଅନେକ ସମୟରେ ଆପଣାକୁ ନିତାନ୍ତ ଶକ୍ତିହୀନ ବୋଲି କହି କାତର ହେବାରେ ଲାଗିଥାଉ । ସେହି କାତରତା ଆମର ଅସଲ ବା ସର୍ବମୂଳ କାତରତାର ନୁହେଁ, ତାହା ହେଉଛି ଏକ ପରିମାଣ । ଆଉ ଏକ ଅସଲ କାତରତାର ପରିମାଣ ସେହି ଅସଲ କାତରତା ହେଉଛି ଆମ ଅଭୀପ୍ସାଗତ କ୍ଷେତ୍ରର କାତରତା । ଯିଏ ପର୍ବତ ଗଢ଼ିବାକୁ ମନ ନକରିବ, ତା’ଭିତରେ ପର୍ବତ ଚଢ଼ିବାର ଶକ୍ତି ଆସିବା କୁଆଡ଼େ ? ଯିଏ ଦୁଆର ଖୋଲିବାକୁ ମନ ନକରୁଥିବା, ତା’ ଭିତରେ ଦୁଆର ଖୋଲିବାକୁ ବଳ ଆସିବ କୁଆଡ଼ୁ ? ଯିଏ ଭେଟିବାକୁ ମନ ନକରିବ, ଭେଟିବା ଲାଗି ତା’ଭିତରେ ଆବଶ୍ୟକ ସାହସ ବା ଅନୁରାଗ ଆସିବ ବା କୁଆଡ଼ୁ ? ଅନେକ ମଣିଷ ଆଗ ଶକ୍ତିଲାଗି ଅପେକ୍ଷା କରିଥାନ୍ତି, ଆଗ ମନ କରନ୍ତି ନାହିଁ । ତେଣୁ, ଆପଣାକୁ ନେଇ ଅତ୍ୟନ୍ତ କାତର ଭାବରେ ରହିଥାନ୍ତି । ଜୀବନର ଅସଲ ବଣିଜଗୁଡ଼ିକୁ ସେମାନେ ଡାକି ଆଣି ପାରନ୍ତି ନାହିଁ ? ଯେଉଁ ଶକ୍ତି ରହିଥିଲେ ଆମେ ଗୋଟାସୁଦ୍ଧା ତାଙ୍କରି ହୋଇଯିବାର ଭାଗ୍ୟ ଅର୍ଜନ କରୁ, ସେମାନେ ମୋଟେ ସେହି ଶକ୍ତିର ଭାଜନ ହୋଇ ପାରନ୍ତି ନାହିଁ ।

 

୮ । ୫ । ୮୩

 

କାମଗୁଡ଼ାକ ମୋଟେ ସରେନାହିଁ । ତଥାପି ଗାରଗୁଡ଼ାକ ପାର ହୋଇ ଯାଉଥାନ୍ତି । ଗାରଗୁଡ଼ିକ ଗୋଟିକପରେ ଗୋଟିଏ ହୋଇ ପାର ହୋଇ ଯାଉଥାଆନ୍ତି । ଗାରଟିଏ ଡେଇଁଲେ କାମ ସରେନାହିଁ । କାମଗୁଡ଼ିକ ରହେ, ମାତ୍ର କାର୍ଯ୍ୟ କରିବାର ଭୂମିରେ ଏକ ପରିବର୍ତ୍ତନ ଘଟିଥାଏ ଭୂମିର ପରିବର୍ତ୍ତନ ନିଜ ଭିତରେ ସତେଅବା ଗୋଟାଏ ପାଦ ଆଗକୁ ଯିବାର ଅନୁଭୂତି ଆଣି ଦିଏ; ଏବଂ ତାହାକୁ ଅଗ୍ରଗତି ବୋଲି କୁହାଯାଏ ।

 

ଯେଉଁମାନେ କାମ ସାରି ନିଶ୍ଚିତ ଅର୍ଥାତ୍‍ କୃତକର୍ମ ହୋଇ ବସିଯିବେ ବୋଲି ତରତର ହେଉଥାନ୍ତି, ମୁଁ ସେମାନଙ୍କୁ ମୋଟେ ବୁଝି ପାରେନାହିଁ ଅଥବା ସେମାନଙ୍କର କାମକୁ ମଧ୍ୟ ବୁଝି ପାରେନାହିଁ । ହୁଏତ ସେମାନେ କାମଗୁଡ଼ାକୁ ଗୋଟାକ ପରେ ଗୋଟାଏ କରି ବେଶ୍‍ ସାରିଦେଇ ପାରୁଥାନ୍ତି, ମାତ୍ର ଗାରଗୁଡ଼ାକୁ ଡେଇଁ ପାରୁନଥାନ୍ତି । । ତେଣୁ କାମ ସାରିବା ପରି ଦେଖା ଯାଉଥିଲେ ମଧ୍ୟ ସର୍ବଦା ସେହି ସୀମାଟି ମଧ୍ୟରେ ହିଁ ଲଟରପଟର ହୋଇ ରହିଥାନ୍ତି । କାମକୁ ଭଲ ପାଇ ପାରୁନଥାନ୍ତି, ତଥାପି ସେହିଗୁଡ଼ିକ ଭିତରେ ଗୁଡ଼ାଇ ହୋଇ ରହିଥାନ୍ତି । ମୁଁ ମୋ’ର କାମକୁ ଭଲ ପାଏ । ମୁଁ ମୋ’ର କାମଗୁଡ଼ାକୁ ନିଜେ ଆଦରି ନେଇଥାଏ, ତେଣୁ ମୋ’ କାମ ଗୁଡ଼ାକ ସହିତ ମୋ’ର ଏକ ଖୁସିର ସମ୍ବନ୍ଧ ରହିଥାଏ । ଏବଂ ଯାହାସହିତ ଖୁସିର ସମ୍ବନ୍ଧ ରହିଥାଏ, ସେଗୁଡ଼ିକ ପ୍ରକୃତରେ ଭଗବାନଙ୍କର କାମ ବୋଲି ମନେହୁଏ । ଆପଣାକୁ ସମ୍ମତ ଯନ୍ତ୍ରଟିଏ ପରି ମନେହୁଏ । ତେଣୁ ଭାରି ଗୌରବାନ୍ଵିତ ପରି ମନେହୁଏ । ନିଜର କର୍ମ ଆଦୌ କୌଣସି ଏକ କଷଣ ହୋଇ ରହେନାହିଁ । କଷଣର ଯାବତୀୟ ଗଣ୍ଠିକୁ ଫିଟାଇବାର ମାଧ୍ୟମରେ ପରିଣତ ହୁଏ ।

 

୯ । ୫ । ୮୩

 

ଆମ ସାହିତ୍ୟ ଦୃଷ୍ଟି ଆମ ଜୀବନ ଦୃଷ୍ଟିର ହିଁ ପ୍ରତିଫଳନ କରାଇଥାଏ । ତେଣୁ ଆମେ ନିଜନିଜର ଅନ୍ତରଙ୍ଗ ସ୍ପର୍ଶର ପଥରେ ଯେତିକି ଯାଏ ଯିବାଲାଗି ସମର୍ଥ ହୋଇଥାଉ, ଆମର ସାହିତ୍ୟରେ ମଧ୍ୟ ଆମେ ଠିକ୍‌ ସେହିଯାଏ ଯାଉ । ଏହିପରି ଭାବରେ ଆମର ଯାବତୀୟ ସାହିତ୍ୟକଳନା ଦ୍ଵାରା ଆମେ ପ୍ରଧାନତଃ ନିଜର ସୀମାଗୁଡ଼ିକୁ ହିଁ ପ୍ରତିପାଦିତ କରି ଦେଇଥାଉ ।

 

ଆପଣାର ଯାବତୀୟ ସୀମା ଅବଶ୍ୟ ରହିଛି । ସେଥିରେ ଅପରାଧ ବି କିଛି ନାହିଁ । ଆଉ ଗୋଟିଏ ସୀମାକୁ ସ୍ପର୍ଶ କରିବା ସକାଶେ ଗୋଟିଏ ସୀମାକୁ ଡେଇଁ ଯିବାର ଯେଉଁ ଆବଶ୍ୟକତା ରହିଥାଏ, ତାହା ହିଁ ଆମ ନିଜ ପାଖରେ ଆପଣାକୁ ଘନିଷ୍ଠତର କରିଥାଏ । ମାତ୍ର, ହୁଏତ ଅନେକ ଲୋକ ଅଛନ୍ତି, ଯେଉଁମାନେ କି ନିଜ ସହିତ ଏହି ଘନିଷ୍ଟତା ଅର୍ଜନ କରିବାକୁ ସାହାସ କରି ପାରନ୍ତି ନାହିଁ । ସେମାନେ ଆପଣା ପାଖରେ ଧରା ଦେବାକୁ, ଅର୍ଥାତ୍‍ ଆପଣାର ସୂର୍ଯ୍ୟ ପାଖରେ ଆପଣାର ଲୁକ୍କାୟିତ କଣଗୁଡ଼ାକୁ ମୁକୁଳା କରି ଦେଖାଇ ଦେବାକୁ ମୋଟେ ମନ କରନ୍ତି ନାହିଁ । ଏମାନେ ଆପଣାର ସୀମାଟାକୁ ହିଁ ତେଣୁ ଚରମ ସୀମା ବୋଲି କହନ୍ତି ଓ ସେହି ସୀମା ପାଖରେ ଅତ୍ୟନ୍ତ ସନ୍ତର୍ପଣ ସହିତ ଅଟକି ଯାଇଥାନ୍ତି । ସୀମାଗୁଡ଼ାକୁ ଡେଇଁବାର ଯେ ସେଗୁଡ଼ାକର ଅସଲ ସାର୍ଥକତା ରହିଛି, ସେମାନେ ନିଜ ଜୀବନରେ ସେହି ସତ୍ୟଟିକୁ ଆଦୌ ଛୁଇଁ ପାରନ୍ତି ନାହିଁ । ଛୁଇଁବାକୁ ମନ କରିବା ପୂର୍ବରୁ ଛାନିଆ ହୁଅନ୍ତି, ତେଣୁ ମୋଟେ ଛୁଇଁ ପାରନ୍ତିନାହିଁ । ଆପଣାର ବାହାରେ ମଧ୍ୟ ସେମାନେ ଏହି ନାନା ସୀମାକୁ ଡେଇଁବାଲାଗି ବଡ଼ ଅସମ୍ମତ ଓ ତେଣୁ ବଡ଼ କାତର ହୋଇ ରହିଥାନ୍ତି ।

 

୧୦ । ୫ । ୮୩

 

ଜୀବନରେ ସାଧୁତା, —ତାହାହିଁ ସାହିତ୍ୟରେ ସାଧୁତା ନିମନ୍ତେ ସର୍ବ ବୃହତ ପ୍ରେରଣା । ଜୀବନରେ ସାଧୁତା ନଥିଲେ ସାହିତ୍ୟ ମଧ୍ୟ ଅନେକ ସମୟରେ ଅଳଙ୍କାରରେ ପରିଣତ ହୁଏ ଏକ ପ୍ରକାରର ଅହଙ୍କାରରେ ପରିଣତ ହୁଏ । ସମାଜ ଓ ସମ୍ବନ୍ଧର କ୍ଷେତ୍ରରେ ତାହା ନାନାବିଧ ଅସୂୟାକୁ ଜନ୍ମ ଦିଏ । ଗ୍ରନ୍ଥଗୁଡ଼ାକ ବଢ଼େ ଗ୍ରନ୍ଥରୁ ମିଳୁଥିବା ଯଶଗୁଡ଼ାକୁ ସେତେବେଳେ ଏଡ଼େ ଏଡ଼େ ଗଦା କରି ରଖା ଯାଇପାରେ ଏବଂ ପ୍ରଦର୍ଶିତ କରାଯାଇପାରେ । ମାତ୍ର ଅସାଧୁତା ମଧ୍ୟ ବଢ଼େ । ଜୀବନରେ ଭର୍ତ୍ତି ହୋଇ ରହିଥିବା ଅସାଧୁତାଗୁଡ଼ାକର ସମ୍ମୁଖୀନ ହେବା ପରିବର୍ତ୍ତେ ସାହିତ୍ୟ ସେହି ଅସାଧୁତାର ପରିକର ହୁଏ, ପୋଷାକ ହୁଏ, ଅସାଧୁତା ଗୁଡ଼ାକ ଉପରେ ଏକ ସର୍ବାଳଙ୍କାର ମଣ୍ଡିତ ବିଡ଼ମ୍ବନାକାରୀ ଖୋଳରୂପେ ବ୍ୟବହୃତ ବି ହୁଏ ।

 

ଜୀବନରେ ସାଧୁତା, —ତାହାର ଅର୍ଥ ହେଉଛି ଅନ୍ତର୍ଗତ ଅନୁରାଗ ସହିତ ଜୀବନକୁ ଚିହ୍ନିବା, ଆପଣାର ଚତୁର୍ଦ୍ଦିଗରେ ଥିବା ଜୀବନ ସହିତ ଅଧିକରୁ ଅଧିକ ଅନ୍ତରଙ୍ଗ ଭାବରେ ସମ୍ମିଳିତ ହେବା,ତାହାରିଲାଗି ଆପଣାକୁ ଅଧିକରୁ ଅଧିକ ନିର୍ମଳ ଭାବରେ ସମର୍ପିତ କରି ରଖିବା, —ଏବଂ ସବୁଠାରୁ ବଡ଼ କଥା ହେଉଛି, ଏହି ଯାବତୀୟ ଉଦ୍ୟମ ମଧ୍ୟରେ ଆଦୌ କୌଣସି କୃତ୍ରିମତାକୁ ପ୍ରଶୟ ନଦେବା । ଏବଂ ସେହି କୃତ୍ରିମତାକୁ ଛାଡ଼ି ନପାରିବାର ଏକ କ୍ଷତିପୂରଣ ରୂପେ ଅହଂପ୍ରେରିତ ନାନା ଅନ୍ୟ ସଂଗ୍ରହ ଏବଂ ଅନ୍ୟ ଲାଳସାକୁ ଆପଣାର ଜୀବନସାର କରି ରଖିବା । ସାହିତ୍ୟ ଶକ୍ତିମାନ ହେଲେ ଜୀବନର ଅସାଧୁତାଗୁଡ଼ାକୁ ଭାଙ୍ଗିବାରେ ହିଁ ସାହସ ଆଣି ଦେଇଥାଏ । ଶକ୍ତିମାନ ସାହିତ୍ୟ ସ୍ଵୟଂ ଏକ ଖୋଳପରି ବ୍ୟବହୃତ ହେବାକୁ ଲଜ୍ଜା ଅନୁଭବ କରେ ।

 

୧୧ । ୫ । ୮୩

 

ଆମେ ଯେଉଁମାନେ ଜୀବନରେ ଅସାଧୁ ହୋଇ ସାହିତ୍ୟରେ ସାଧୁ ହେବାକୁ ହିଁ ଏକମାତ୍ର ଶାପମୋଚନକାରୀ ମୁଖାପରି ଗ୍ରହଣ କଲୁ, ଆମେ ହୁଏତ ସାହିତ୍ୟର ବି ପ୍ରକୃତରେ କୌଣସି ଉପକାର କରି ପାରିଲୁନାହିଁ । ଆମେ ଯେଉଁମାନେ ଜୀବନରେ ଭୀରୁ ହୋଇ ସାହିତ୍ୟର ସାହସ ଦେଖାଇଲୁ, ଆମେ ହୁଏତ ନିଜର ସେହି ସାହିତ୍ୟ ଦ୍ଵାରା ସର୍ବୋପରି ନିଜକୁ ଠିକ୍‌ କରି ରଖିଲୁ ଏବଂ ଆମର ଅସଲ ଆହ୍ୱାନଗୁଡ଼ିକୁ ବିଡ଼ମ୍ବିତ ହୋଇ ରହିବାକୁ ବାଧ୍ୟ କଲୁ । ଜୀବନର ଯାବତୀୟ ଅନ୍ତଃସୌନ୍ଦର୍ଯ୍ୟଚ ଶୈଳୀକୁ ଗୋଟାସୁଦ୍ଧା ଫାଙ୍କିଦେଇ ଆମେ ଯେଉଁମାନେ ସାହିତ୍ୟରେ ଶୈଳୀର ସରୋବରମାନ ଖୋଲି ବାହାରିଲୁ, ଆମେ ତଦ୍ଦ୍ଵାରା ଆମ ଆକଶଗୁଡ଼ାକୁ ଲଜ୍ଜିତ କରି ରଖିଲୁ । ଦିଗ୍‌ଭ୍ରଷ୍ଟହୋଇ ରହିଲୁ କାଳକୁ ଲୁଚିଲୁ ।

 

ଲୁଚିବା ଆଧୁନିକତା ନୁହେଁ । ଦାଣ୍ଡକୁ ସୁନ୍ଦର ଦିଶିବା ମଧ୍ୟ କଦାପି ଆଧୁନିକତା ନୁହେଁ । ଏଗୁଡ଼ାକ ଆଦିମତା, ଯେଉଁ ଆଦିମତାକୁ ଆମେ ଚେତନାର ଗୁଳାରେ କ୍ରମେ ଛାଡ଼ି ଛାଡ଼ି ଆସିଛୁ । ତଥାପି, ଭିତରେ ଆମ ଆଦିମତା ଓ ଉଦାସୀନତା ଗୁଡ଼ାକ କେଉଁଠି ପ୍ରଲୁପିତ ହୋଇ ରହିଛି କେଜାଣି, ବାହାରର କେତେ ନା କେତେ ସୌଖୀନ୍‌ ଖୋଳ ପିନ୍ଧି ତାହା ଆମର ସକଳ ଅନ୍ତର୍ବୋଧ ଶକ୍ତିକୁ ଚିତା କାଟି ବାହାରକୁ ବାହାରି ଆସୁଛି । ଆମକୁ ନାନାବିଧ ଜୁଗୁପ୍‌ସା ମଧ୍ୟରେ ବଡ଼ ଏକାକୀ ଓ ତେଣୁ ବଡ଼ ଉଗ୍ର କରି ରଖୁଛି । ଆମେ ଯେଉଁମାନେ ଶୋଇ ରହିବାକୁ ହିଁ ମନ କରୁଛୁ, ଆମେ ସାହିତ୍ୟକୁ ମଧ୍ୟ ସେହିପରି ଖୋଳ ପରି ବ୍ୟବହାର କରୁଛୁ । ଆଧୁନିକ ଯୁଗରେ ସବୁ କୃତ୍ରିମ ହୋଇଗଲା ବୋଲି ଚିତ୍କାର କରୁଛୁ ସତ, ମାତ୍ର ସ୍ଵୟଂ କୃତ୍ରିମତାକୁ ହିଁ ପ୍ରୟୋଜନବାଦୀ ଭାବରେ ସର୍ବାରାଧ୍ୟ କରି ଆବୋରି ରହିଛୁ ।

 

୧୨ । ୫ । ୮୩

 

ମୋଟେ ବିରସ ଲାଗୁନାହିଁ, ମୋତେ ରୁଷି ବସିବାକୁ ବେଳ ହେଉନାହିଁ । ଚାରିପାଖରେ ସାହିତ୍ୟର ଘରକୁ କେତେ ଚିତା ଓ କେତେ ପଇତାରେ ମଣ୍ଡାଇ ରଖିଥିବା ବନ୍ଧୁମାନେ କେତେ ରୁଷୁଛନ୍ତି, ନାନା ଅଳଙ୍କାର ଓ ସିଦ୍ଧବାକ୍ୟ ଦେଇ ଆପଣାର ସେହି ରୁଷିବାଗୁଡ଼ାକୁ କେତେ ମନ୍ତେ ପ୍ରକାଶ କରିବାରେ ଲାଗିଛନ୍ତି । ଏହି ରୁଷିବାକୁ ପ୍ରକାଶ କରିବାର ଠାଣିଟା କାହାର କେଡ଼େ ମନୋରମ ହେଲା, ଅନ୍ୟ ଭାଷାରେ ପ୍ରକଟ ହୋଇଥିବା ଠାଣିଠାରୁ ଆମ ଭାଷାରେ ଅଧିକ ମନୋରମା ହେଲା କି ନାହିଁ, ସେହି ବିଷୟରେ ନିଜଘରେ ବସି ସେମାନେ କେତେ ତୁଳନା କରୁଛନ୍ତି । ନିଜର ଗୁଣକୁ କେତେ ଗାଉଛନ୍ତି । ମୋ’ର କ୍ଷୋଭଗୁଡ଼ାକୁ ମୁଁ ନିଜର ବିଶ୍ୱାସଦ୍ୱାରା ଅତିକ୍ରମ କରିବି । ମୋ’ ଆଗରେ ଛିଡ଼ା ହୋଇଥିବା ପାହାଡ଼ଗୁଡ଼ାକୁ, ସଂଶୟ ପାହାଡ଼ଗୁଡ଼ାକୁ ଏବଂ ଅସହାୟତାର ପାହାଡ଼ଗୁଡ଼ାକୁ ମୁଁ ନିଜେ ପାହାଡ଼ ଉଠି ଅତିକ୍ରମ କରିବି । ଏବଂ ଯଦି ସେହି ବିଷୟରେ କିଛି ଲେଖିବି ତେବେ ସେଥିରେ ଏହି ଅତିକ୍ରମ କରିବାର କଥାଗୁଡ଼ାକୁ ହିଁ ସର୍ବପ୍ରଧାନ ହୋଇ ରହିଥିବ ।

 

ଏବଂ ଅନ୍ୟମାନଙ୍କୁ ମୋ’ରି ପରି ପଥ ଚାଲୁଥିବା ଅନ୍ୟମାନଙ୍କୁ ମୋ’ର ଲେଖୁଥିବା ଓ କହୁଥିବା ସକଳ କଥା ସେହିଁ ଅତିକ୍ରମ କରିବାଲାଗି ଅଧିକ ଉତ୍ସାହ ଦେବ । ଆମେ ପରସ୍ପର ଆଗରେ ଦୁଃଖ ବଡ଼େଇ କରିବାନାହିଁ, ପରସ୍ପର ପାଖରେ ଦୃଢ଼ ବିଶ୍ଵାସର ଉତପ୍ରେରକ ହୋଇ ରହିବା । ତାହାହିଁ ଆମକୁ ବାନ୍ଧି ରଖିଥିବା ସାହିତ୍ୟର ଅସଲ ସୂତ୍ର ହୋଇ ରହିବ । ଆମେ ସମସ୍ତଙ୍କୁ ପରସ୍ପରର ଅଧିକ ନିକରବର୍ତ୍ତୀ କରି ରଖିବ । ଆମ ସମସ୍ତଙ୍କର ଆଖି ଆହୁରି ଅଧିକ ସୁନ୍ଦରକୁ ଦେଖିବାଲାଗି ସମର୍ଥ ହେଉଥିବ, ଅତିକ୍ରମ କରି ଯାଉଥିବ ।

 

୧୩ । ୫ । ୮୩

 

ଏପାଖରୁ ଦେଖିଲେ ମୋ’ର ଉଦ୍ୟମ ସେପାଖରୁ କହିବାକୁ ଗଲେ ତାଙ୍କର ଦୟା ସେହି ଗୋଟିଏ କଥାକୁ ଏହିପରି ଦୁଇପ୍ରକାରେ କରିହୁଏ । ସେଇ ଗୋଟିଏ କଥା ଏହିପରି ଭାବରେ ଦୁଇପ୍ରକାରେ ଅନୁଭୂତ ହୁଏ, ଦୁଇପ୍ରକାରେ ପ୍ରେରଣା ଦିଏ ।

 

ତେଣୁ, ଏସବୁ ମୋ’ର ଉଦ୍ୟମ ବୋଲି କହୁଥିବା ସମୟରେ ମୁଁ କଦାପି ତାଙ୍କର ଇଚ୍ଛା ବୋଲି ଅସ୍ଵୀକାର କରେନାହିଁ; ଅଥବା, ଏସବୁ ତାଙ୍କରି ଇଚ୍ଛକ ବୋଲି କହୁଥିବା ସମୟରେ ଏସବୁ ଭିତରେ ମୋ’ର ଉଦ୍ୟମଟିକୁ ସ୍ଵୀକାର କରିବାକୁ ମଧ୍ୟ ମୁଁ କେବେହଲେ ଭୁଲି ଯାଏନାହିଁ । ମୋ’ର ଉଦ୍ୟମ ହେଲେ ତାଙ୍କର ଆଶୀର୍ବାଦ ଉପଲବ୍ଧ ହୁଏ ଅଥବା ତାଙ୍କରି ଆଶୀର୍ବାଦ ଉପଲବ୍ଧ ହେଲେ ମୋ’ର ଉଦ୍ୟମ ଗତିଶୀଳ ହୁଏ, ଏହି ବିଷୟରେ ମୁଁ କୌଣସି ପ୍ରକାରର ଦ୍ଵନ୍ଦ୍ୱ ଅନୁଭବ କରି ପାରେନାହିଁ । କେବଳ ଏତିକି ଅନୁଭବ କରିଥାଏ ଯେ, ତାଙ୍କର ଆଶୀର୍ବାଦଗୁଡ଼ିକ ମୋ’ର ସମ୍ମତି ଲାଗି ସର୍ବଦା ହିଁ ଅପେକ୍ଷା କରି ରହିଥାଏ । ମୋ’ର ସମ୍ମତି ସମ୍ଭବ ହୋଇଯିବା ମାତ୍ରକେ ତାଙ୍କର ଆଶୀର୍ବାଦ ହିଁ ମୋ’ ଭିତରେ ଶକ୍ତିରୂପେ ଅବତୀର୍ଣ୍ଣ ହୁଏ, ବିଶ୍ଵାସ ହୋଇ ପ୍ରେରିତ ହୁଏ, ଏବଂ ମୁଁ ଯାହାକୁ ଆପଣାର ଶକ୍ତି ବୋଲି କହେ, ତାହା ସତେଅବା ଦଶଗୁଣ ବୃଦ୍ଧିପ୍ରାପ୍ତ ହୋଇ ମୋ’ ନିଜପାଖରେ ନିଜକୁ କେଡ଼େ ଗୌରବାନିତ୍ୱ କରି ଅନୁଭବ କରାଏ । ତା’ପରେ ମୁଁ ତାଙ୍କରି ଇଚ୍ଛାକୁ ନିଜ ଜୀବନରେ ପୂର୍ଣ୍ଣ କରିବାଲାଗି ଭାଜନ ହୁଏ । ଅର୍ଥାତ୍‍, ସର୍ବୋତ୍ତମ ଭାବରେ ଭାଜନ ହୁଏ । ଜୀବନରେ ଆଉ କୌଣସି ସଂଗ୍ରାମ କରିବାକୁ ପଡ଼େନାହିଁ; ଅର୍ଥାତ୍‍ ମୋ’ର ଯାବତୀୟ ଉଦ୍ୟମ ତାଙ୍କରି ଉଦ୍ୟମରେ ପରିଣତ ହୁଏ । ମୋ’ ଭିତର ଦେଇ ତାଙ୍କର ଉଦ୍ୟମ, ଅର୍ଥାତ୍‍ ତାଙ୍କରି ଆଶୀର୍ବାଦ । ତା’ପରେ ଜୀବନରେ ଆଉ କିଛି ଅସମ୍ଭବ ରହେନାହିଁ ।

 

୧୪ । ୫ । ୮୩

 

ଧର୍ମ, ସାହିତ୍ୟ, ନୈତିକ ଜୀବନ ଏପରି ଗୋଟିଏ ଗୋଟିଏ ଅନୁରାଗର କ୍ଷେତ୍ର, ଯେଉଁଠାରେ କି ପଥ ଓ ମତ ବିଭିନ୍ନ ହେଲେ ମଧ୍ୟ ତଥାପି ପରସ୍ପର ସଦଭାବ ରହିପାରିବ, ସୌହାର୍ଦ୍ଦ୍ୟ ମଧ୍ୟ ରହି ପାରିବ । ଏସବୁ କ୍ଷେତ୍ରରେ କେନ୍ଦ୍ର ହେଉଛି ବାଟ ଚାଲୁଥିବା ଗୋଟିଏ ମନୁଷ୍ୟ-। ଧର୍ମର କ୍ଷେତ୍ରରେ ଧର୍ମ ଅସଲ କେନ୍ଦ୍ର ନୁହେଁ, ଅସଲ କେନ୍ଦ୍ର ହେଉଛି ଧର୍ମର ଆୟତନ ଓ ଆକାଶ ଭିତରେ ଆପଣା ଲାଗି ପଥଟିଏ ଖୋଜି ଓ ପଥଟିଏ ବାଛି ତାହାରି ଉପରେ ବାଟ ଚାଲୁଥିବା ମଣିଷ । ସାହିତ୍ୟର କ୍ଷେତ୍ରରେ ସାହିତ୍ୟ ଅସଲ କେନ୍ଦ୍ର ନୁହେଁ, ଅସଲ କେନ୍ଦ୍ର ହେଉଛି ସାହିତ୍ୟର ଆୟତନ ଓ ସାହିତ୍ୟର ଆକାଶ ଭିତରେ ପଥଟିଏ ଖୋଜି ଓ ପଥଟିଏ ବାଛି ତାହାରି ଉପରେ ବାଟ ଚାଲୁଥିବା ମଣିଷ । ଠିକ୍‌ ସେହିପରି, ନୈତିକ ଜୀବନର କ୍ଷେତ୍ରରେ ମଧ୍ୟ କୌଣସି ନୀତି କଦାପି କେନ୍ଦ୍ର ନୁହେଁ, —ଅସଲ କେନ୍ଦ୍ର ହେଉଛି ନୀତିର ଆୟତନ ଓ ଆକାଶ ମଧ୍ୟରେ ଆପଣା ଲାଗିନୀତିର ଏକ ପଥକୁ ଖୋଜି ଓ ଗୋଟିକୁ ବାଛି ସେହି ଅନୁସାରେ ପ୍ରସନ୍ନ ଓ ଅନସୂୟ ହୋଇ ବାଟ ଚାଲୁଥିବା ଜଣେ ମଣିଷ । ବାଟ ଚାଲୁଥିବା ମଣିଷ କଦାପି କଳହ କରେନାହିଁ, ଈର୍ଷା କରେ ନାହିଁ, —ସିଏ ବାଟ ହିଁ ଚାଲେ । ବାଟ ଚାଲୁଥିବା ଅନେକ ଅନ୍ୟ ମଣିଷଙ୍କ ଠାରୁ ସେ ଉତ୍ସାହ ପାଏ, ସେମାନଙ୍କୁ ଉତ୍ସାହ ଦିଏ । ବାଟଗୁଡ଼ାକ ଅସଲ ଚଲାଳିକୁ ପରସ୍ପରର ପରିପୂରକ ହୋଇ ଦିଶନ୍ତି । ସବୁ ବାଟର ମହିମାକୁ ନିର୍ଣ୍ଣିତ କରି ଦେଉଥିବା ବାଟଚଲାଳିର ନିଷ୍ଠା ହିଁ ଅସଲ କଥା ହୋଇ ରହିଥାଏ ।

 

୧୫ । ୫ । ୮୩

 

Every day is an interesting day, —ପ୍ରତ୍ୟେକ ଦିନ ମୋତେ ଏକ ନୂତନ ଦିନପରି ଲାଗେ । ପ୍ରତ୍ୟେକ ଦିନ ମୋ’ପାଖକୁ ଏକ ନୂତନ ଦିନ ହୋଇ ଆସେ ଏବଂ ପ୍ରତ୍ୟେକ ଦିନଟିକୁ ମୁଁ ଏକ ନୂତନ ଦିନପରି ଅନୁଭବ କରେ । ନୂତନ ହେଉଥିବାର ଓ ନୂତନକୁ ଭେଟୁଥିବାର ଏହି ଯେଉଁ ଅବିଚ୍ଛିନ୍ନ ଅନୁଭୂତି ମୋଟେ ତାହାହିଁ ଅମରତ୍ଵ ଏବଂ ଅବିଚ୍ଛନ୍ନତ୍ୱ ପରି ଲାଗେ । ଆପଣାକୁ ନେଇ ଏହି ରାସ୍ତା ଅନୁକ୍ଷଣ ଏହିପରି ଲମ୍ବିକରି ରହିଥିବ ବୋଲି ଅନୁଭବ ହୁଏ-। ଅନୁକ୍ଷଣ ଏହିପରି ଭାବରେ ଲମ୍ବି ରହିଥିବା, ଅଥଚ ଆଦୌ ଏକ ପୁନରାବୃତ୍ତି ପରି ଲାଗୁନଥିବ-

 

ସବୁଦିନ ସକାଳେ ନିଦ ଭାଙ୍ଗିଯିବା ବେଳକୁ ମୋ’ର ଠିକ୍‌ ଏହିକଥା ଗୁଡ଼ିକ ମନେ ପଡ଼ିଯାଏ । ଆପଣା ଛାଏଁ ମନେ ପଡ଼ିଯାଏ । ଏହି କଥାଗୁଡ଼ିକୁ ସ୍ମରଣ କରିବି ବୋଲି ମୁଁ କେବେହେଲେ ମନେମନେ ଠିକ୍‌ କରିନାହିଁ ଅଥବା ଆପଣାକୁ ଏପରି କୌଣସି ନିୟମ ଭିତରେ ବାନ୍ଧିନାହିଁ । ନିୟମଗୁଡ଼ାକର ସ୍ତର କୋଉଦିନୁ ପାର ହୋଇଗଲାଣି । ଏସବୁ ଆପଣାଛାଏଁ ହୋଇଛି-। ସକାଳୁ ନିଦ ଭାଙ୍ଗିଲା ବେଳକୁ କେବେ କୌଣସି ଦେବତାଙ୍କୁ ବି ମନେ ପଡ଼େନାହିଁ । କୌଣସି ଠାକୁରଙ୍କ ପାଖରେ ଦୁଃଖ ଜଣାଇବା ମନେ ପଡ଼େନାହିଁ । କୌଣସି ପ୍ରକାରର ଅହଙ୍କାରୀ ଆର୍ତ୍ତଭାବ ମୋତେ କାମୁଡ଼ି ଧରିବାକୁ ମାଡ଼ି ଆସେ ନାହିଁ ଓ ମୋ’ ଜୀବନ ଉପରେ ଭୂଷଣ ହୋଇ ରହିବାକୁ ମନ କରେନାହିଁ । ମୁଁ ଖୁସି ହୋଇ ଉଠେ, କାଲି ଯେମିତି ଖୁସି ହୋଇ ଶୋଇବାକୁ ଯାଇଥିଲି, ଆଜି ଠିକ୍‌ ସେମିତି ଖୁସୀ ହୋଇ ଉଠେ । ଖୁସିରେ ନିଦ ଭାଙ୍ଗେ । ଖୁସିରେ ମୁଁ ରାତି ଆଉ ଦିନ ମଧ୍ୟରେ ରହିଥିବା ତୋରଣଟିକୁ ପାର ହୋଇଯାଏ । ନବଜନ୍ମ ଲାଭ କରେ ।

 

୧୬ । ୫ । ୮୩

 

ଗୋଟାଏ ଗୋଟାଏ ଦିନ ବରଷରେ ପ୍ରତ୍ୟେକ ଦିନ ଲାଗି ସନ୍ତକ ହୋଇ ରହିଯାଏ । ସତେଅବା ଏକ ନିମିତ୍ତ ହୋଇ ରହିଯାଏ । ଗୋଟାଏ ଗୋଟାଏ ଅଭିଜ୍ଞତା ବା ଅନୁଭବ ଯେମିତି ଜୀବନରେ ଏକ ପ୍ରତିନିଧିମୂଳକ ଅଭିଜ୍ଞାତା ଓ ଅନୁଭବ ହୋଇ ରହିଯାଏ, ଜୀବନକୁ ଗୋଟାଏ ନିର୍ଦ୍ଦିଷ୍ଟ ଦିଗରେ ଓ ନିର୍ଦ୍ଦିଷ୍ଟ ଭାବରେ ପ୍ରେରିତ କରିଦିଏ, ଜୀବନରେ ଏକ ନିର୍ଦ୍ଦିଷ୍ଟ ଶୈଳୀକୁ ସ୍ଥାୟୀ ଶୈଳୀରେ ପରିଣତ କରିଦେଇ ଯାଏ, ଠିକ୍‍ ସେହିପରି ଗୋଟିଏ ଗୋଟିଏ ଦିନ ସ୍ଵସ୍ମରଣର ପଟ ଉପରେ ଏପରି ଉଜ୍ଜ୍ଵଳ ଓ ସ୍ପନ୍ଦନ ସଞ୍ଚାରକାରୀ ହୋଇ ରହିଯାଏ ଯେ, ସତେଅବା ତାହାହିଁ ଜୀବନର ସବୁଦିନ ଗୁଡ଼ାକୁ ସ୍ପନ୍ଦିତ କରି ରଖିଥାଏ, —ହୁଏତ ତାହାହିଁ ଆମକୁ ନାନା ନିତ୍ୟନୈମିତ୍ତିକତା ଏବଂ ବୈଚିତ୍ୟହୀନତାରୁ ବଞ୍ଚାଏ ।

 

ଆଜି ମୋ’ ଜୀବନର ସେହିଭଳି ଏକ ଦିନ ଏକ ପବିତ୍ର ଏବଂ ବଳଦାୟକ ଅନୁସ୍ମରଣର ଦିନ । ସେହି ଦିନଟି କୁଆଡ଼େ ଚାଳିଶବଷ ପଛରେ ଯାଇ ରହିଲାଣି ସତ, ମାତ୍ର ତାହାକୁ ଏକ ଦର୍ପଣ ପରି ଅନୁଭବ କଲାବେଳକୁ ମୋ’ର ନିତିଦିନ ଗୁଡ଼ାକ ସତେଅବା ସେହିଦିନଟି ଉପରେ ପ୍ରତିଫଳିତ ହୋଇ ରହିଥିବାର ମୁଁ ଦେଖିପାରୁଛି । ମୋ’ ଭାବଗ୍ରାହିତାର ସବୁଯାକ ଚେର ସତେଅବା ତଲକୁ ଆହୁରି ତଳକୁ ଯାଇ ସେହି ଦିନଟିର ପ୍ରେରଣା ମଧ୍ୟରେ ଠୁଳ ହୋଇ ରହି ଯାଇଛନ୍ତି । ଯିଏ ମୋତେ ସେହି ଦିନଟିର ଭଜନ କରିଥିଲା, ସେହି ବନ୍ଧ ପାଖରେ ମୁଁ ଆଜି ମଧ୍ୟ କୃତଜ୍ଞ । ମୋତେ ସିଏ ଅନେକ ଅଧମତରୁ ରକ୍ଷା କରିଛି, ଅନେକ ହୀନ ବିଚ୍ଛିନ୍ନତା ଭିତରୁ ବାଟ କଢ଼ାଇ ଆଣିଛି । ତେଣୁ ଆଜି ଦିନଟି ମୋ’ର ଜୀବନ ଭିତରେ ପ୍ରକୃତରେ ତା’ରି ଦିନ ।

 

୧୭ । ୫ । ୮୩

 

ଯିଏ ପାଖରେ ନଥାଏ, ସେହି ପୁଣି ପାଖକୁ ଆସିଥାଏ । ପୂର୍ଣ୍ଣବିଶ୍ଵାସରେ ଅପେକ୍ଷା କରି ରହିଥିଲେ ଜୀବନରେ କେବେ କିଛି ଖଣ୍ଡିଆ ହୋଇ ଯାଏନାହିଁ । ଅପେକ୍ଷା କରି ରହିଥିବା ବେଳେ ମଧ୍ୟ ଦୂରତାଗୁଡ଼ାକ ମୋଟେ ଅନୁଭୂତ ହୁଅନ୍ତି ନାହିଁ । ଯେଉଁମାନେ ଆତୁର ହୁଅନ୍ତି, ହାତମୁଠା ଭିତରୁ ଚାଲିଗଲେ ଏକାବେଳକେ ଛାଡ଼ି ଚାଲିଗଲା ବୋଲି ପାଟି କରିବାରେ ଲାଗନ୍ତି, ମୁଁ ସେମାନଙ୍କୁ ଏକ ନିକୃଷ୍ଟ ଧରଣର ପୌତ୍ତଳିକ ବୋଲି କହିଥାଏ । ଏହି ଆର୍ତ୍ତ ପୌତ୍ତଳିକାମାନେ ଆପଣାର ଅହଙ୍କାରଟାକୁ ହିଁ ପିତୁଳା ଭିତରେ ଦେଖନ୍ତି । ସେମାନେ ଅପେକ୍ଷା କରି ଜାଣନ୍ତିନାହିଁ ।

 

ମଝିରୁ ପାଚେରୀ ଉଠିଯିବା ପରେ ଯେତେବେଳେ ଅତି ପାଖରେ ବସି ଘ୍ରାଣ କରିହୁଏ, ସେତେବେଳେ ପାଚେରୀ କେବେ ରହିଥିଲା ବୋଲି ମୋଟେ ମନେ ପଡ଼େନାହିଁ । ଆମ୍ବଗଛରେ ବଉଳ ଭର୍ତ୍ତି ହୋଇ ରହିଥିବା ସମୟରେ ଆମ୍ବଗଛରେ କେବେ ବଉଳ ନଥିଲା ବୋଲି ଯେମିତି ମୋଟେ ମନେ ପଡ଼େନାହିଁ, ପ୍ରାୟ ସେମିତି । ତେଣୁ କିଛି ଯାଏନାହିଁ, ଆଜିର ଖଣ୍ଡିଆ କାଲିକୁ ନଥାଏ, ବିଶ୍ଵାସର ସହିତ ଚାହିଁଲେ ସବୁ ପରିପୂର୍ଣ୍ଣ ଓ ଅତିପାଖର ହୋଇ ରହିଥିବାର ଅନୁଭବ ହୁଏ-। ଏବଂ ସବୁଠାରୁ ବଡ଼ କଥା ହେଉଛି, ପାହାଚ ହୋଇ ଉଠି ଯାଉଥିବା ପରି ମନେ ହୁଏ-। ଏହି ପାହାଚ ପାହାଚ ଉଠିଯାଇ ପାରିବା ହେଉଛି ମୋ’ ବିଶ୍ଵାସର ସବୁଠାରୁ ବଡ଼ ପ୍ରତ୍ୟୟ-। ଏହି ପ୍ରତ୍ୟୟ ମୋ’ ଜୀବନରେ ଏକ ଅନୁକ୍ଷଣ ଗତିଶୀଳତା ସୃଷ୍ଟି କରି ରଖିଥାଏ । ସଂସାରଟାଯାକ ମୋତେ ଲାଗିକରି ରହିଥିଲା ପରି ଲାଗେ । ଖାଲି ଏକ ତଥାକଥିତ ଅଲଗା ଅନ୍ତର୍ଜୀବନର କ୍ଷେତ୍ରରେ ନୁହେଁ, ବାହାରେ ମୋ’ର ଯାବତୀୟ ସମ୍ପର୍କର କ୍ଷେତ୍ରରେ ମଧ୍ୟ ମୁଁ ପାହାଚକୁ ପାହାଚ ଉଠିଯାଏ, ପାହାଚକୁ ପାହାଚ ଗଭୀରକୁ ଉଠେ, ଗଭୀରକୁ ସ୍ପର୍ଶ କରେ ।

 

୧୮ । ୫ । ୮୩

 

ଦୁଃଖ ଭଲ ଲାଗେ ନାହିଁ ସତ, ମାତ୍ର ଦୁଃଖ କେବେହେଲେ ଡର ବି ମାଡ଼େ ନାହିଁ । ଅନେକ ଲୋକ ଅଛନ୍ତି, ଯେଉଁମାନେ କି ଜାଣି ଜାଣି ଦୁଃଖ ସହନ୍ତି, —ସେମାନେ ଦୁଃଖକୁ ବରଣ କରି ଆଣନ୍ତି । ହୁଏତ ଦୁଃଖକୁ ଭଲ ଲାଗେ ବୋଲି ସେମାନେ ଏପରି କରିଥାନ୍ତି । ଦୁଃଖକୁ ଏକ ପ୍ରଦର୍ଶନର ବସ୍ତୁରେ ପରିଣତ କରିହେବ ବୋଲି ବିଶ୍ଵାସ କରୁଥିବାରୁ ସମ୍ଭବତଃ ଏପରି କରନ୍ତି । ଭଲ ପାଇବାର ବୃତ୍ତି ବଢ଼ିଲେ ପ୍ରଦର୍ଶନ ଗୁଡ଼ାକ କମି କମି ଯାଏ । ଗୋଟାଏ ସମୟ ଆସେ ଯେତେବେଳେ କି ପ୍ରଦର୍ଶନ କରିବାକୁ ଭାରି ଲାଜ ଲାଗେ । ସେତେବେଳେ ବି ଜୀବନରେ ଦୁଃଖ ରହେ ମାତ୍ର ତାହାର ଏକ ଅନ୍ୟ ତାତ୍ପର୍ଯ୍ୟ ସହିତ ରହେ । ଭଲ ପାଇବାର ଆଭିମୁଖ୍ୟଟି ଜୀବନରେ ପ୍ରଧାନ ଆଭିମୁଖ୍ୟରେ ପରିଣତ ହୋଇଗଲେ ଦୁଃଖକୁ ଆଉ ମୋଟେ ଡର ମାଡ଼େ ନାହିଁ । ଉଠି ଉଠି ଚାଲି ଯାଉଥିବା ପାହାଚକୁ ଆଉ ଡର ମାଡ଼ିବ କାହିଁକି ?

 

ଦୁଃଖକୁ ନଡରି ଦୁଃଖକୁ ସହିପାରିଲେ ଜୀବନରେ ଯାବତୀୟ ଦୁଃଖ ସତେଅବା ମୁହଁରେ ହସ ହୋଇ ଫୁଟିଉଠେ । ଏକ ପ୍ରସନ୍ନତା ହିଁ ଜୀବନର ଅନୁକ୍ଷଣ ଅଭିବ୍ୟକ୍ତିରେ ପରିଣତ ହୋଇଯାଏ । ସେତେବେଳେ ଦୁଃଖ ବା ସୁଖ, କୌଣସିଟି ବି ଆଉ ମୋଟେ ଆତୁର କରି ପାରନ୍ତି ନାହିଁ । ଦୁଃଖରେ ଆତୁର ହେଉଥିବା ବ୍ୟକ୍ତି ସୁଖରେ ବି ଆତୁର ହୁଏ । ସୁଖରେ ଏଡ଼େ ଆସକ୍ତ ଭାବରେ କାମୁଡ଼ି ଧରିଥାଏ ଯେ, ଦୁଃଖର ନାଆଁ ଶୁଣିଲେ ଡରେ, ସେହି ଡରରେ ସିଏ ଆପଣାର ଚିହ୍ନା ଗୁଳାଗୁଡ଼ାକ ଭିତରେ ଯାଇ ପଡ଼ିଥାଏ । ଆଦୌ ବାଟକୁ ବାହାରେ ନାହିଁ, ଆଦୌ କାହାରି ସମ୍ମୁଖୀନ ହୁଏ ନାହିଁ । ତା’ଠାକୁରଗୁଡ଼ାକୁ ମଧ୍ୟ ସିଏ ସେଇ ଗମ୍ଭୀରି ଭିତରକୁ ନେଇଯାଏ ।

 

୨୧ । ୫ । ୮୩

 

କ୍ଷଣେ ଚାଲିଗଲେ ଦିନେ ଚାଲି ଯିବାପରି ଲାଗେ, ଦିନଟିଏ ଚାଲିଗଲେ ସତେଅବା କେତେକ’ଣ ଚାଲିଯିବା ପରେ ଲାଗେ । ଦିନେ ଦିନେ ଏହିପରି ଘଣ୍ଟା ଘଣ୍ଟା ଅତିକ୍ରାନ୍ତ ହୋଇଯାଏ, ତଥାପି ମୋଟେ ବାଟ ଚାଲୁଥିବା ପରି ଲାଗେନାହିଁ । ଏହି ଅଟକି ରହିବା ହିଁ ସବୁଠାରୁ ବଡ଼ ପ୍ରମାଦ-। ଏଇଟା ସହିତ ମୋଟେ ସାଲିଶ୍‍ କରି ହୁଏନାହିଁ ।

 

ତେଣୁ ମୁଁ କେବେ ଅଟକି ଯିବିନାହିଁ ବୋଲି ପଣ କରି ପଥଉପରେ ବାହାରିଛି । ଶାସ୍ତ୍ର ପାଖରେ ଅଟକି ଯିବିନାହିଁ, କୌଣସି ପ୍ରକାର ପ୍ରତିମା ପାଖରେ ଅଟକି ଯିବିନାହିଁ, କୌଣସି ପ୍ରକାର ଆଳସ୍ୟ ପାଖରେ ମଧ୍ୟ କଦାପି ଅଟକି ଯିବ ନାହିଁ । ବାଦ ପାଖରେ ଅଟକି ଯିବିନାହିଁ କିମ୍ବା ବିବାଦ ପାଖରେ ଅଟକି ଯିବ ନାହିଁ । କୌଣସି ସ୍ଥିତିରେ ବି ମଣିଷ ଭିତରେ ବି ମଣିଷ ଭିତରେ କିମ୍ବା ବାହାରେ ଅଟକି ଯିବିନାହିଁ, ଏହା ହେଉଛି ମୋ’ ଲାଗି ସର୍ବପ୍ରଥମ ଗୁରୁବାକ୍ୟ । ଯିଏ ମୋତେ ଏହି ବାକ୍ୟଟିକୁ ହିଁ ପ୍ରଥମ ବାକ୍ୟ ବୋଲି ଗ୍ରହଣ କରିବାକୁ ତିଆରି କରି ରଖିଥାନ୍ତି ସିଏ ଯିଏ ବା ଯେଡ଼େ ହୋଇଥାନ୍ତୁ ପଛକେ, ମୁଁ ତାହାଙ୍କୁ ହିଁ ଗୁରୁତୁଲ୍ୟ ଗ୍ରହଣ କରେ । ତାଙ୍କରି ବାକ୍ୟରେ ମୁକ୍ତି ମିଳେ, ପର୍ବତ ଅତିକ୍ରମ କରି ହୁଏ ଜନ୍ମ ସାର୍ଥକ ହୁଏ । ଜୀବନ, ଅର୍ଥାତ୍‍ ଅତିକ୍ରମ କରିଯିବାର ଏକ ସତତ ଉଦ୍ୟମ । ଏଥିଲାଗି ଅସଲ ଆହ୍ୱାନଗୁଡ଼ିକୁ ସତତ ଶୁଣିବାକୁ ହୁଏ । ନିଜ ଭିତରେ ଶୁଣିବାକୁ ହୁଏ ଏବଂ ନିଜ ବାହାରେ ବି ଶୁଣିବାକୁ ହୁଏ । ଯିଏ ଶୁଣେ, ସତତ ଶୁଣି ସେଇ ଜୀବନବିଧାତାର ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ରହିଥାଏ । ତାକୁ ଆଉ ଅନ୍ୟତ୍ର ଖୋଜିବାକୁ ପଡ଼େନାହିଁ । ସିଏ ଶାସ୍ତ୍ର ମାନେ ନାହିଁ ଶାସ୍ତ୍ରଗୁଡ଼ାକୁ ନିଜର ଅସଲ ଆହ୍ୱାନଗୁଡ଼ିକ ଅନୁସାରେ ମନାଇ ପାରେ । ସେଇ କୀର୍ତ୍ତିମାନ ହୁଏ ।

 

୨୨ । ୫ । ୮୩

 

ଦେବଦେବୀରେ ମୋ’ର ବିଶ୍ଵାସ ନଥାଏ । ହଁ, ଗୋଟିଏ ଗୋଟିଏ ଆଲମ୍ବନ ହିସାବରେ କେତେଦୂର ପର୍ଯ୍ୟନ୍ତ ସେମାନଙ୍କର ଏକ ଆବଶ୍ୟକତା ଅବଶ୍ୟ ରହିଛି । ଯିଏ ସେମାନଙ୍କୁ ଅନ୍ତର ଭିତରେ ପ୍ରକୃତରେ ଚିହ୍ନେ, ସିଏ ସେମାନଙ୍କ ଭିତରେ କଦାପି ଆବଦ୍ଧ ହୋଇ ରହେନାହିଁ ସେମାନଙ୍କୁ ଡେଇଁ ଚାଲିଯାଏ । ସିଏ ଚେତନା ଭିତରକୁ ଚାଲିଯାଏ, —ଆପଣା ଭିତରକୁ ଚାଲିଯାଏ, ବିଶ୍ୱରୂପୀ ସମଗ୍ରଟି ମଧ୍ୟକୁ ଚାଲିଯାଏ । ଚେତନା ଭିତରେ କେବଳ ଚେତନା ହିଁ ଦିଶେ, ଦେବଦେବୀମାନେ ଆଦୌ ଦିଶନ୍ତି ନାହିଁ, ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ଦେବାଦେବୀମାନଙ୍କର ଫାନ୍ଦରେ ହିଁ ପଡ଼ି ଯାଇଥାନ୍ତି । ସେମାନେ ସେତିକି ଦେଖନ୍ତି । ଚେତନାକୁ ବି ଦେବାଦେବୀଙ୍କ ରୂପ କରି ଥୋଇ ଦିଅନ୍ତି । ପୌତ୍ତଳିକ ହୋଇ ରହିବାରେ ପରମାନନ୍ଦ ଲାଭ କରନ୍ତି ।

 

ମୁଁ ଦେବଦେବୀଙ୍କୁ ମାନେ, ବିଶ୍ଵାସ କରେ, —ମାତ୍ର ଏକ ସେତୁରୁପେ ମାନେ, ଏକ ସେତୁ ବୋଲି ବିଶ୍ଵାସ କରେ । ଚେତନାକୁ ଏକ ଠୁଳ ରୂପ ଦେବାକୁ ଯାଇ ମଣିଷ ହିଁ ତା’ କଳ୍ପନା ତଥା ପ୍ରେରଣାର ଆବଶ୍ୟକତାରୁ ସେମାନଙ୍କୁ ଯେ ତିଆରି କରିଛି, ମୁଁ ଏହି କଥାଟିକୁ ମାନେ । ତେଣୁ କେବେହେଲେ ଫାଶରେ ପଡ଼ିଯାଏ ନାହିଁ । ଠୁଳ ଭିତରେ କିଳି ହୋଇ ରହିଯାଏ ନାହିଁ । ତେଣୁ, ନାନା ପାଚେରୀ ବାନ୍ଧି ତା’ରି ଭିତରେ ଆପଣାର ଅଳ୍ପତା ଓ ମୁଗଧାତାଗୁଡ଼ାକୁ ଏଡ଼େ ବଡ଼କରି ଦେଖାଇବାର ଓ ତାହାକୁ ନେଇ ମୋହପ୍ରବଣ ହୋଇ ବସିବାର ପ୍ରମାଦ ଭିତରେ ମୁଁ କେବେ ପଡ଼େନାହିଁ । ଦେବତାମାନେ ମୋତେ ଭାରି ଆକର୍ଷଣ କରିଥାନ୍ତି, ମାତ୍ର ସେମାନଙ୍କ ନିଜ ଆଡ଼କୁ କଦାପି ନୁହେଁ, —ସେମାନେ ମୋତେ ଚେତନା ପାଖରେ ନେଇ ପହଞ୍ଚାଇ ଦେଇଥାନ୍ତି ।

 

୨୩ । ୫ । ୮୩

 

ସମୟଗୁଡ଼ାକୁ ମୁଁ ନିଜର କରି ପାରୁନଥିବି, ସମୟ ମୋ’ ଦିହରେ ବୋଲୁଅ ହୋଇ ବାଜୁଥିବ ଓ ଚାଲି ଯାଉଥିବ, —ଏହିପରି ଏକ ଅବସ୍ଥାରେ ପଡ଼ିଥିବା ସମୟରେ ପ୍ରକୃତରେ ଭାରି କ୍ଳାନ୍ତ ଲାଗେ ।

 

ସେତିକିବେଳେ ଆପଣାର ଏକାନ୍ତ ନିଜର ଘରଟିକୁ ବାହୁଡ଼ି ଆସିବାକୁ ମନ ହୁଏ । ଆପଣାର ସବୁଠାରୁ ଅଧିକ ପ୍ରିୟ କାମଗୁଡ଼ିକୁ କରିବାକୁ ହୁଏ, ସେହି ଗୁଡ଼ିକ ଭିତରେ ହିଁ ନିମଗ୍ନ ହୋଇ ରହିବାକୁ ହୁଏ । ତା’ ପରେ ସମୟ ପୁନର୍ବାର ବାହୁଡ଼ି ଆସେ । ଆପଣାର ଘରଟି ଭିତରକୁ ବାହୁଡ଼ି, ଆସିଲେ ସମୟ ବାହୁଡ଼ି ଆସେ । ଏବଂ ସମୟ ବାହୁଡ଼ି ଆସି ପାରିଲେ ତା’ ପରେ ଆଉ କ୍ଳାନ୍ତି ବି ଲାଗେ ନାହିଁ । କ୍ଳାନ୍ତି ଲାଗେନାହିଁ, ଅର୍ଥାତ୍‍ ସମୟରୂପୀ ସମଗ୍ରଟି ମଧ୍ୟରେ ଆପଣାକୁ ଠାବ କରି ହୁଏ । ଯେଉଁ ସମୟ ସତେଅବା ଗୁଡ଼ାକ ଦଉଡ଼ି ଦେଇ ବାନ୍ଧି ରଖିଥିଲା, ତାହା ଗୋଟିଏ ଚିହ୍ନା ସ୍ରୋତପରି ବୋଧ ହୁଏ ଓ ତାହାରି ଉପରେ କୌଣସି ପ୍ରକାର କ୍ଷୋଭ ନରଖି ଆପଣାକୁ ଛାଡ଼ି ଦେଇହୁଏ । ଆପଣାକୁ ନେଇ କୌଣସି ପ୍ରକାର ଅଭିନୟ କରିବାକୁ ପଡ଼େନାହିଁ, ଅମଙ୍ଗ ଭାବରେ ଆପଣାକୁ ଆଦୌ କେଉଠିହେଲେ ବସାଇବାକୁ ପଡ଼େନାହିଁ । ଭିତରେ ପୂର୍ଣ୍ଣ ସମ୍ମତି ରହିଥିଲେ ଯେତିକି ହାଲୁକା ମନେହୁଏ, ବାହାରକୁ ଅନାଇଲେ ମଧ୍ୟ ଠିକ୍‍ ସେତିକି ହାଲୁକା ମନେହୁଏ । ଏବଂ ସବୁଠାରୁ ବଡ଼ କଥା ହେଉଛି, ସେତେବେଳେ ସମୟ ଭିତରେ ଆପଣାର ଅନ୍ତରଙ୍ଗ କେନ୍ଦ୍ରଟି ମଧ୍ୟ ଅତି ସହଜରେ ମିଳିଯାଏ । କେନ୍ଦ୍ରଟିକୁ ଅନୁଭବ କରି ପାରୁଥିବା ପର୍ଯ୍ୟନ୍ତ ମଣିଷମାନଙ୍କ ଭିତରେ ମୋଟେ ଏକୁଟିଆ ଲାଗେନାହିଁ । ସମ୍ବନ୍ଧଗୁଡ଼ାକ ମୋଟେ ଅଣନିଃଶ୍ଵାସୀ କରି ପକାନ୍ତିନାହିଁ । ସବୁରି ଭିତରେ ରହିଥିବା ଖିଅଟି ଅତି ସହଜରେ ନିଜ ହାତରେ ଅନୁଭବ କରି ହୋଇଯାଏ ।

 

୨୪ । ୫ । ୮୩

 

ଫେରି ଆସିବା ଏକ ସକାରାତ୍ମକ ଏବଂ ସ୍ୱୀକୃତିମୂଳକ କଥା । ମାତ୍ର ପଳାଇଯିବା ଏକ ନକରାତ୍ମକ ଓ ଅସ୍ୱୀକୃତିମୂଳକ କଥା । ସହର ଛାଡ଼ି କିଛି ସମୟ ଶକାଶେ ଗାଆଁକୁ ଯାଇଥିବା ବେଳେ ସତେଅବା ଆପଣାର ସମଗ୍ରତର ନିକଟ ଘରଟିକୁ ଫେରି ଆସିବାପରି ଲାଗେ । କୁଆଡ଼ ପଳାଇ ଆସିଥିଲା ପରି ମୋଟେ ଲାଗେ ନାହିଁ । ତେଣୁ ସମ୍ପୂର୍ଣ୍ଣ ଭାବରେ ଏକ ସ୍ୱୀକୃତି ମୂଳକ ଅନୁଭବ ହିଁ ହୋଇଥାଏ । ଏହି ସ୍ୱୀକୃତି ଆପଣା ପାଖରେ ହିଁ ସ୍ୱୀକୃତି, ଅର୍ଥାତ୍‍ ଏହି ଆକାଶର ସମଗ୍ରସ୍ଵୀକାରଟି ଭିତରେ ନିଜକୁ ଯଥାସମ୍ଭବ ଅଧିକ ପରିମାଣରେ ଡୋର ଲଗାଇ ରଖିଥିବାର ଏକ ଅନୁଭବ ଏବଂ ତଜ୍ଜଳିତ ଆନନ୍ଦ ।

 

ଗାଆଁକୁ ଗଲେ, ଅର୍ଥାତ୍‍ ଗ୍ରାମାଞ୍ଚଳର ମୁକ୍ତ ବିସ୍ତାର ମଧ୍ୟରେ ଆପଣାକୁ ସ୍ପର୍ଶ କରିବାର ସୁଯୋଗ ପାଇବା ମାତ୍ରକେ ଆପଣା ଭିତରର ଚେରଗୁଡ଼ିକ ଅର୍ଥାତ୍‍ ସମଗ୍ର ଅନୁରାଗଗୁଡ଼ିକ ଏବଂ ସମଗ୍ର ପ୍ରତ୍ୟୟଗୁଡ଼ିକ ସତେଅବା ପ୍ରତ୍ୟେକ୍ଷ ଭାବରେ ଅନୁଭୂତି ହୁଅନ୍ତି । ସେଥିଲାଗି, ଯୋଉ ଗାଆଁକୁ ଗଲେ ମଧ୍ୟ ନିଜ ଗାଆଁଟି ପରି ଲାଗେ । ସଂସାରରେ ଯେଉଁ ଘରେ ପଶିଗଲେ ମଧ୍ୟ ନିଜ ଘର ଭିତରକୁ ପଶିଗଲା ପରି ଅନୁଭବ କରିବା —ଜୀବନର ଅନେକ ଭାଗ୍ୟ ଭିତରୁ ଏଇଟି ହେଉଛି ଗୋଟିଏ । ସମସ୍ତଙ୍କର ଭାଗ୍ୟରେ ଏମିତି ମୋଟେ ଘଟେନାହିଁ । କେବଳ ନିଜର ଘରଟିକୁ ହିଁ ଯିଯର ଘର ବୋଲି ଦେଖି ଆଉ ସବୁକିଛିକୁ ବାହାରେ ରଖି ମଝିରେ ଏଡ଼େ ବଡ଼ ଗୋଟାଏ ବାଡ଼ ଠିଆ କରି ରଖିଥିବା ସତର୍କମାନେ ରହି ସୌଭାଗ୍ୟ କେବେହେଲେ ଲାଭ କରି ପାରନ୍ତିନାହିଁ । ସେମାନେ ଯଥାକଥିତ ନିଜ ଘରେ ବି ଭାରି ଏକୁଟିଆ ଓ ଭାରି ସଂଶଙ୍କ ହୋଇ ରହିଥାନ୍ତି ।

 

୨୫ । ୫ । ୮୩

 

କୃତଜ୍ଞତା ପ୍ରକାଶ କରାଯାଏ ନାହିଁ କାଳକ୍ରମେ ଏକ ମୀମାଂସକ ଜୀବନ ଦୃଷ୍ଟିରେ ପରିଣତ ହୁଏ । କୃତଜ୍ଞତା ପ୍ରକାଶ କରିବାକୁ ପ୍ରଥମ ଅବସ୍ଥାରେ ପ୍ରାୟ ସମସ୍ତେ ଏକ ସମାଜଦ୍ଵାରା ସ୍ଵୀକୃତ ଉଚିତ ଆଚରଣ ବୋଲି ଗ୍ରହଣ କରିଥାନ୍ତି । ଅନେକ ମଣିଷ ଜୀବନଯାକ ପ୍ରାୟ ସେହିଠାରେ ହିଁ ରହିଯାଆନ୍ତି । ଅର୍ଥାତ୍‍ ଏକ ଆଚରଣରୂପେ କୃତଜ୍ଞତାକୁ ଅବଲମ୍ଵନ କରନ୍ତି । ଯେଉଁଠାରୁ କୌଣସି ଉପକାର ପାଆନ୍ତି, ସେଠାରେ ଔଚିତ୍ୟ ରକ୍ଷା କରି କୃତଜ୍ଞତା ପ୍ରକାଶ କରନ୍ତି । ଯେଉଁଠାରୁ କୌଣସି ଉପକାର ପାଇନଥାନ୍ତି ସେଠାରେ କୃତଜ୍ଞତା ପ୍ରକାଶ କରିବାର ବା କୃତଜ୍ଞ ହୋଇ ରହିବାର କୌଣସି ଅବଶ୍ୟକତା ରହିଛି ବୋଲି ଅନୁଭବ ବି କରି ପାରନ୍ତିନାହିଁ ।

 

ଜୀବନରେ ଆଚରଣର ଅବସ୍ଥାଟିକୁ ଅତିକ୍ରମ କରିଯିବାକୁ ପଡ଼େ । ଆଚରଣ ଯେତେବେଳେ ବାହାରୁ ପ୍ରେରିତ ନହୋଇ ଭିତରୁ ପ୍ରେରିତ ହୁଏ, ସେତେବେଳେ ତାହା ଏକ ଦୃଷ୍ଟିକୋଣରେ ପରିଣତ ହୁଏ, ଅର୍ଥାତ୍‌ ଏକ ମୂଳଭୂତ ଅନୁରାଗରେ ପରିଣତ ହୋଇଯାଏ । ସେତେବେଳେ କୃତଜ୍ଞତା ଦେଖାଇବାକୁ ପଡ଼େନାହିଁ, ଅର୍ଥାତ୍‍ କୃତଜ୍ଞ ହେବାଲାଗି, ମୋ’ର କିଏ ଉପକାର କଲା, ସେଥିଲାଗି ଅପେକ୍ଷା କରିବାକୁ ପଡ଼େନାହିଁ । ସେତେବେଳେ ସମଗ୍ର ସଂସାରପ୍ରତି କୃତଜ୍ଞ ହୋଇ ରହିବାକୁ ହିଁ ସବୁଠାରୁ ବଡ଼ ଆନନ୍ଦ ବୋଲି ଅନୁଭୂତ ହୁଏ । ସକାଳଠାରେ କୃତଜ୍ଞ ରହିବାକୁ ମନ ହୁଏ ସନ୍ଧ୍ୟାପାଖରେ ବି କୃତଜ୍ଞତାରେ ହୃଦୟ ନଇଁଆସେ ଅର୍ଥାତ୍‍ ନିକଟବର୍ତ୍ତୀ ହୋଇଆସେ । ଅର୍ଥାତ୍‍ ଆମର କୃତଜ୍ଞତା ଆମକୁ ଆହୁରି ଗାର ଡିଆଁଇ ଏକ ଏକାତ୍ମକତା ଆଡ଼କୁ ପରିଚାଳିତ କରି ନେଇଯାଏ । ସେତେବେଳେ କାହାରି ଲାଗି, ସଂସାର ଲାଗି, ଭଗବାନଙ୍କ ଲାଗି ନିଜ ଜୀବନକୁ ବଞ୍ଚିଲେ ଯାଇ ଯଥାର୍ଥ ଭାବରେ ଜୀବନ ବଞ୍ଚି ହେବାର ଅନୁଭୂତି ହୁଏ ।

 

୨୬ । ୫ । ୮୩

 

ସାହିତ୍ୟ ଦ୍ଵାରା ମଧ୍ୟ ଆମକୁ ଯୁକ୍ତ ହେବାର ଧାରାଟିଏ ମିଳି ଯାଉଥାନ୍ତା, ଯଦି ଆମେ ସାହିତ୍ୟର ଆହ୍ଵାନଗୁଡ଼ିକୁ ଯଥାର୍ଥ ଭାବରେ ଜାଣୁଥାନ୍ତେ, ସେହି ଆହ୍ଵାନଗୁଡ଼ିକୁ ଯଥାର୍ଥ ଭାବରେ ଜାଣୁଥାନ୍ତେ, ସେହି ଆହ୍ୱାନଗୁଡ଼ିକୁ ଅନ୍ତରସ୍ଥ କରି ପାରୁଥାଆନ୍ତେ ଏବଂ ସେହି ଆହ୍ଵାନଗୁଡ଼ିକର ଜବାବ ଦେବାଲାଗି ଯୋଗ୍ୟ ହୋଇ ପାଉଥାନ୍ତେ; ଏବଂ ସର୍ବୋପରି, ଯଦି ଆମେ ନାନା ଅନ୍ୟ ପ୍ରମତ୍ତତାର ବଶବର୍ତ୍ତ । ହୋଇ ଆମର ଅହଙ୍କାରଗୁଡ଼ାକୁ ନେଇ ସାହିତ୍ୟକୁ ଦୂଷିତ ଏବଂ ରୁଗଣ୍‌ କରି ନପକାଉଥାନ୍ତେ ।

 

ଆମେ ଯଦି ସାହିତ୍ୟଦ୍ଵାରା ସଖ୍ୟ ହିଁ ଲୋଡ଼ୁଥାନ୍ତେ, ସଖ୍ୟକୁ ସର୍ବପ୍ରଧାନ ଜୀବନମୂଲ୍ୟ ରୂପେ ସ୍ଵୀକାର କରି ଯଦି ଆମେ ତାହାରିଦ୍ଵାରା ହିଁ ଆମ ସାହିତ୍ୟପଥରେ ଆଗକୁ ଆଗକୁ ଅର୍ଥାତ୍‍ ଭିତରକୁ ଭିତରକୁ ଅଗ୍ରସର ହୋଇପାରୁଥାନ୍ତେ, ତେବେ ତଦ୍ଦ୍ଵାରା ଆମେ ଏହି ଜଗତରେ କେତେ ନା କେତେ ଉଦୟସାଧନାରେ ସମ୍ମିଳିତ କରି ରଖିପାରନ୍ତେ । ଆମ ସାହିତ୍ୟ ଦେଇ ଆମ ନିଜଲାଗି ଖ୍ୟାତି କିଣିବାକୁ ମନ ନକରି ଆମେ ତଦ୍ଦ୍ଵାରା ଆପଣାକୁ ଅଧିକରୁ ଅଧିକ ସାର୍ଥକ ଭାବରେ ଦେଇ ପାରୁଥାନ୍ତେ । ତେବେଯାଇ ସାହିତ୍ୟଦ୍ଵାରା ଆମର ଅସଲ ସମ୍ବନ୍ଧଗୁଡ଼ିକ ଯୋଡ଼ି ହୋଇଯାଇ ପାରୁଥାନ୍ତା, ଅସଲ ଦ୍ଵାରଗୁଡ଼ିକ ଖୋଲିଯାଇ ପାରୁଥାଆନ୍ତା । ଏବଂ ଅସଲ ଗଣ୍ଠିଗୁଡ଼ିକ ଫିଟି ପରୁଥାନ୍ତା । ମାତ୍ର, ନାନା କାରଣରୁ ଆମେ ସାହିତ୍ୟକୁ ଏକ ସମ୍ପତ୍ତି କରି ବ୍ୟବହାର କରୁ ଆମର ମତ୍ତତାଗୁଡ଼ାକ ଲାଗି ଏକ ପଙ୍କପୋଖରୀ ପରି ତାକୁ ବ୍ୟବହାର କରିବାରେ ଲାଗିଛୁ । ସେଥିଲାଗି ଆମର ସାହିତ୍ୟ ଆମରି ପରି ଅଳ୍ପବଳ ଏବଂ ଉଗ୍ର ହୋଇ ରହିଯାଉଛି ।

 

୨୭ । ୫ । ୮୩

 

ଆମେ ସମସ୍ତେ କ୍ରମଶଃ ଅଧିକରୁ ଅଧିକ ଯୋଗ୍ୟ ହେବାକୁ ହିଁ ଏକ ସ୍ଵାଧୀନ ଦେଶରେ ଆମ ଜୀବନକୁ ସର୍ବପ୍ରଥମ ବ୍ରତ କରିପାରିଥିଲେ ଏହି ଦେଶରେ ଆମେ କେଡ଼େ ସୁନ୍ଦର ଦିଶୁ ଥାଆନ୍ତେ ଏବଂ ଏହି ଦେଶ ମଧ୍ୟ ଆମକୁ ନେଇ ପ୍ରକୃତରେ କେଡ଼େ ସୁନ୍ଦର ଦିଶୁଥାନ୍ତା । ସତ୍ୟ ବୋଲି, ଉଦ୍ୟମ ବୋଲି, ଏବଂ ଅନୁରାଗ ବୋଲି ଆମେ ପ୍ରତ୍ୟେକେ ଯେତିକି ଜାଣିଥିଲୁ ଏକ ସଦାଉନ୍ମୁକ୍ତ ଆନ୍ତରିକତା ସହିତ ଆମେ ଯଦି ତାହାକୁ ଆପଣାର ଜୀବନରେ ବଞ୍ଚିବାକୁ ଏକ ସାଧୁ ଚେଷ୍ଟା କରିଥାନ୍ତୁ, ତେବେ ଏହି ଦେଶ ବର୍ତ୍ତମାନ କେଡ଼େ ଅନ୍ୟପ୍ରକାର ହୋଇଥାଆନ୍ତା । ଦେଶ କହିଲେ ଯେ ଏକ ପାରସ୍ପରିକ ଲୋଡ଼ିବା ଏବଂ ପାରସ୍ପରିକ ଅଭୀପ୍ସାକୁ ବୁଝାଏ, ସେକଥା ଆମେ ସେତେବେଳେ ନିଶ୍ଚୟ ଅନୁଭବ କରି ପାରୁଥାନ୍ତୁ । ଆମ ଯେଉଁମାନଙ୍କର ଚତୁରତା ବୋଲି ଗୋଟାଏ ଆଖିଥିଲା, ସେମାନେ କେଡ଼େ ପ୍ରମତ୍ତ ଭାବରେ ଆପଣାର ଆଉ ସବୁ ଆଖିକୁ ବୁଜିଦେଲେ, ପ୍ରମତ୍ତ ହୋଇ ବସିଲେ ଓ ଏହି ଦେଶଟାକୁ ଜୁର କରିବାରେ ଲାଗିଗଲେ । ଯେଉଁମାନେ ରାଜା ହୋଇ ବସିବାକୁ ଆସିଥିଲେ ସେମାନେ ସତେଅବା ଦେଶର ମଞ୍ଜଟାକୁ ହିଁ ଖାଇଗଲେ । ନେତୃତ୍ଵର ମହତ ଗଲା । ନେତାମାନେ ହିଁ ଏହି ଦେଶରେ ନେତୃତ୍ଵ ପ୍ରତି ଏକ ଅବିଶ୍ଵାସ ଉତ୍ପନ୍ନ ହେବାରେ ସବୁଠାରୁ ଅଧିକ ସାହାଯ୍ୟ କଲେ ।

 

ଏବେ ବି ଫେରି ଆସିବାକୁ ବେଳ ଅଛି, ବାଟ ଅଛି । ଏବେ ବି ସାଧୁତା ପାଖକୁ, ଆନ୍ତରିକତା ପାଖକୁ ଫେରି ଆସିବାକୁ ଦୁଆର ଖୋଲାହୋଇ ରହିଛି । ସେହି ବିକଳ୍ପକୁ ଆପଣା ଜୀବନରେ ଲୋଡ଼ିବାର ମଣିଷ ଅଧିକରୁ ଅଧିକ ହେଲେ ଓ ସେମାନେ ପରସ୍ପରକୁ ଲୋଡ଼ିଲେ ହୁଏତ ଏହି ଦେଶ ପୁଣି ଆପଣାର ଅସଲ ଆବେଦନ ଗୁଡ଼ିକ ପାଖକୁ ଫେରିଆସି ପାରିବ ।

 

୨୮ । ୫ । ୮୩

 

ମଣିଷ, ଅଧିକାଂଶ ମଣିଷ ସାଧାରଣ ପଶୁସ୍ତରରୁ ମୋଟେ ଖୁବ୍‍ ବେଶୀ ଉଚ୍ଚକୁ ଉଠି ନଥାନ୍ତି ଓ ତେଣୁ ସେମାନଙ୍କର ଏହି ସଂସାରରେ ପ୍ରକୃତରେ ଖୁବ୍‍ବେଶୀ ଉତ୍ତରଣଚ ପ୍ରତ୍ୟଶା କରିବା ଆଦୌ ଉଚିତ ନୁହେଁ ବୋଲି ଯେଉଁଠି ଉପରେ ରହିଥିବା ଏବଂ ମଣିଷମାନଙ୍କୁ ଚଲାଉଥିବା ବ୍ୟକ୍ତିମାନେ କହନ୍ତି, ସେଠାରେ ସେହି ଉପରସ୍ଥମାନେ ହିଁ ତଦ୍ଦ୍ଵାରା ତୁଚ୍ଛା ପଶୁସ୍ତରର ହୋଇ ରହିବାକୁ ଏକ ନୈତିକ ପ୍ରଶ୍ରୟ ପାଇଥାଆନ୍ତି ।

 

ଭିତରେ, ଆପଣା ଭିତରେ ଭଲ ଖୋଜୁଥିଲେ ମଣିଷ ବାହାରେ, ଅର୍ଥାତ୍‍ ଅନ୍ୟ ମଣିଷମାନଙ୍କ ଭିତରେ ମଧ୍ୟ ଭଲ ଖୋଜେ ଭଲଟାକୁ ହିଁ ଆଘ୍ରାଣ କରିପାରେ ଓ ସେହି ଭଲର ଏକ ସମଗ୍ର ପରିପ୍ରେକ୍ଷୀରେ ମଣିଷକୁ ସ୍ଵୀକାର କରି ନେଇଥାଏ । ତଦ୍ଦ୍ଵାରା ଆପେ ବାଟ ହୁଡ଼ି ନଯିବାକୁ ପ୍ରକୃତରେ ଅନେକ ସାହାଯ୍ୟ ମିଳେ । ଆମ ଦେଶରେ ନେତୃତ୍ଵଗୁଡ଼ାକ ପଶୁ ହେବାକୁ ମନ କରି ସମ୍ଭବତଃ ମଣିଷମାନଙ୍କୁ ଗୋଡ଼ିପଥର ପରି ବ୍ୟବହାର କଲା, ବାଟ ହୁଡ଼ିଲା । ମଣିଷମାନଙ୍କର ନିୟତିଗୁଡ଼ାକ ତାକୁ କ୍ରମଶଃ ସତେଅବା ପଣ୍ୟପରି ମନେହେଲା । ସିଏ ଆପଣା ବ୍ୟତୀତ ସତେଅବା ଆଉ କାହାକୁ ହେଲେ ଦେଖି ପାରିଲାନାହିଁ । ତେଣୁ ପାଷଣ୍ଡ ହେଲା । କୌଣସି ଶିକ୍ଷକ ଯେପରି ସ୍ଵୟଂ ପଶୁ ହେବାର ପ୍ରଶ୍ରୟ ପାଇବ ବୋଲି ତା’ପାଖରେ ପାଠ ପଢ଼ୁଥିବା ପିଲାମାନଙ୍କୁ ପଶୁ ବା ଗୋଡ଼ିମାଟି ବୋଲି ଧରିନିଏ ଓ ତା’ପରେ ପୂର୍ଣ୍ଣ ପ୍ରଶ୍ରୟରେ ପାଷଣ୍ଡ ହୁଏ, ଏକଥା ଠିକ୍‍ ସେହିପରି । ପରିଣାମ ସ୍ୱରୂପ, ଏ ଦେଶରେ ଯିଏ ଚଲାଖି ହେଲା, ସିଏ ପାଷଣ୍ଡ ପରି ଭୋଗ କରିବାକୁ ଓ ବର୍ଜନ କରିବାକୁ ହିଁ ତା’ର ସବାବଡ଼ ଧର୍ମ ବୋଲି ଗ୍ରହଣ କଲା ।

 

୨୯ । ୫ । ୮୩

 

ସାହିତ୍ୟ କରି ଆମେ ସିନା ଅଧିକ ଉଦାର ହେଉଥାନ୍ତୁ, ମାତ୍ର ସାହିତ୍ୟ ବୋଲି ଆମେ ଯାହାସବୁ କରିବାରେ ଲାଗିଛୁ, ସେଥିରେ ଆପଣାର କେତେ ଅନୁଦାରତା ଭର୍ତ୍ତି କରିଦେଇ ଆମେ ତାହାକୁ ହିଁ ସାହିତ୍ୟ ବୋଲି କହୁଛୁ ଓ ବାନା ଉଦାଉଛୁ ।

 

ଭଲ ପାଇବା ଆମ ଭିତରେ ଅଧିକରୁ ଅଧିକ ପ୍ରସାରଣ ଆଣି ଦିଆନ୍ତା । ଆପଣାର ବାଡ଼ଗୁଡ଼ାକୁ ଉଠାଇ ଦେଇ ଆମେ ଆହୁରି ପ୍ରସାରିତ ହୋଇ ଯାଉଥାନ୍ତୁ । ଅର୍ଥାତ୍‍, ଜାଗା ଦିଅନ୍ତୁ, ଆମନ୍ତ୍ରିତ କରି ଆଣନ୍ତୁ, ଅନୁରାଗ ବଢ଼ାନ୍ତୁ, —ଭିତରଟାକୁ ଦେଖିପାରନ୍ତୁ ଏବଂ ଗଭୀରତା ଗୁଡ଼ିକୁ ସ୍ପର୍ଶ କରି ପାରନ୍ତୁ । ସାହିତ୍ୟ ସର୍ବପ୍ରଥମେ ଏକ କାରିଗରୀର କ୍ଷେତ୍ର ନୁହେଁ, ଜାତୀୟତାର କ୍ଷେତ୍ର ବି ନୁହେଁ, ଏହା ସର୍ବୋପରି ଏକ ଭଲ ପାଇବାର କ୍ଷେତ୍ର । ଆପଣାକୁ ଦେବାର କ୍ଷେତ୍ର, ଅଭିବ୍ୟକ୍ତ କରିବାର କ୍ଷେତ୍ର, —ଆପଣାକୁ ଅଭିବ୍ୟକ୍ତି କରି ଅଧିକରୁ ଅଧିକ ସ୍ପର୍ଶ କରି ପାରିବାର କ୍ଷେତ୍ର । ତେଣୁ, ଆମର ଅନୁଦାରତାଗୁଡ଼ାକୁ ବିସର୍ଜନ ଦେଇ ଆପଣାକୁ ଏକ ବୃହତ୍ତମ ସମଗ୍ର ସହିତ ଆପଣାର ଭିତରେ ଓ ବାହାରେ ବାନ୍ଧି ରଖିବାର କ୍ଷେତ୍ର । ଆମେ ଏହି କ୍ଷେତ୍ରଟି ଭିତରକୁ ମଙ୍ଗୁଳା ହୋଇ ଆସି ପାରିଥିଲେ ସତକୁ ସତ ଏହି ସଂସାରରେ ମଙ୍ଗଲ ବଢ଼ାଇବାର କେତେ କାରଣ ହୋଇ ପାରିଥାନ୍ତୁ । ମାତ୍ର ତାହା ହୋଇ ପାରେ ନାହିଁ । ସାହିତ୍ୟ ଆମକୁ ଅଧିକରୁ ଅଧିକ ଘୋଡ଼ାଇ ରଖିବାର ଢାଙ୍କୁଣୀ ପରି ଅନେକ ସମୟରେ କାର୍ଯ୍ୟ କରେ । ଆମର ଦମ୍ଭ, ଭୟ ତଥା କ୍ଷୁଦ୍ରତାଗୁଡ଼ାକୁ ଉଷୁମ ଦେଇ ଅଧକ ପଚାଏ । ଆମକୁ ଉଗ୍ର କରେ, ନାନାବିଧ ଜୁଗୁପ୍‍ସାରେ ଆମକୁ ଭାରି ଦରିଦ୍ର ଓ ଉତ୍ତେଜିତ କରି ରଖିଥାଏ ।

 

୩୦ । ୫ । ୮୩

 

ସାନ ଘରଟି ଭଲ ଲାଗେ ଆଶ୍ରୟ ଦିଏ, କେଡ଼େ ମନୋରମ ମନେ ହୁଏ, ତାହାକୁ କେଡ଼େ ମନୋରମ କରି ସଜାଇ ହୁଏ । ତାହାକୁ ଖାସ୍‌ ଆପଣାର ବୋଲି ଅନୁଭବ କରି କେଡ଼େ ଗର୍ବ ହୁଏ । ବେଳେ ବେଳେ ଆମେ ତାହାକୁ ନିଜର ଭୂମି ବୋଲି କହୁ, ନିଜର ସଦନ ବୋଲି କହୁ ନିଜର ଦେଶ ବୋଲି କହୁ । ସେହି ଐକାନ୍ତିକ ଅନୁରାଗଟି ଆଉ ପ୍ରକାରେ ଉକୁଟି ନିଜର ଭାଷାରେ ପରିଣତ ହୁଏ ନିଜର ସାହିତ୍ୟ ବୋଲି ପରିଚୟ ଦିଏ । ସମ୍ଭବତଃ ସେହି ସକାଶେ ହିଁ ଆପଣାର ଦେଶ, ଆପଣାର ଭାଷା ଓ ଆପଣାର ସାହିତ୍ୟ ନିଜକୁ ଏତେ ମନୋରମ ମେନ ହୁଏ । ଆପଣା ଘରଟିକୁ ନିବୁଜ କରି ରଖିବା ଲାଗି ଆମେ ସେହି ଘରର ଚାରି ପାଖରେ ପାଚେରୀ ଉଠାଉ । ଅର୍ଥାତ୍‌ ନିଜ ଆଖିଟିକୁ ଆମେ ଛୋଟ କରିଆଣୁ ଓ ସେହି ପ୍ରକ୍ରିୟାରେ ହିଁ ପାଚେରୀଗୁଡ଼ିକର ସୃଷ୍ଟି ହୁଏ । ସେଇଥିରୁ ପ୍ରମାଦ ବାହାରେ । ଆମ ଅନ୍ତରକୁ ପ୍ରମାଦ ହୁଏ, ବାହାରେ ପ୍ରସାରି ରହିବା ଏହି ଆକାଶ ପ୍ରତି ମଧ୍ୟ ପ୍ରମାଦ ହୁଏ ।

 

ମୋ’ ନିଜ ଭୂମିର ଅଧିକରୁ ଅଧିକ ଗଭୀରକୁ ଯିବାର ଅନୁରାଗ ରଖି ପାରୁଥିଲେ ମୁଁ ଆପଣାର ଭିତରେ ମଧ୍ୟ ତଥାକଥିତ ଆକାଶଟିକୁ ଠାବ କରି ପାରନ୍ତି । ଏବଂ ତଥାକଥିତ ବାହାରେ ଥିବା ଏହି ସମଗ୍ରଟିର ଅନ୍ତର ଭିତରେ ନିଜର ଭୂମିଟିକୁ ତା’ର ପରିପ୍ରେକ୍ଷୀଗତ ସକଳ ବ୍ୟଞ୍ଜନ ଦେଇ ଦେଖିବାକୁ ମନ କଲେ ମୁଁ ତଥାକଥିତ ଭିତରେ ରହିଥିବା ଅନ୍ତରଟିକୁ ବାହାରେ ମଧ୍ୟ ପ୍ରତ୍ୟକ୍ଷ କରି ପାରନ୍ତି । ଅନେକ ସମୟରେ ସେହି କଥାଟି ହୋଇ ପରେନାହିଁ । ତେଣୁ, ଆମର ସମାଧାନ ଗୁଡ଼ାକରେ ଓ ଅନୁରାଗ ଗୁଡ଼ାକରେ ପ୍ରମାଦ ଆସେ ଓ ଦ୍ଵନ୍ଦ ଉପସ୍ଥିତ ହୁଏ । ଏଇଟିକୁ ପୂର୍ଣ୍ଣ ରୂପେ ଦେଖି ହୁଏନାହିଁ କିମ୍ୱା ସେଇଟିକୁ ବି ଘର ଭିତରେ ଥାନ ଦେଇ ହୁଏନାହିଁ ।

 

୨ । ୬ । ୮୩

 

ଯୋଉଠି ମଣିଷମାନେ ଅପଣା ଭିତରେ ରହିଥିବା ଖଣ୍ଡିଆଗୁଡ଼ିକୁ ଅବତାରରେ ପରିଣତ କରି ଉପରକୁ ଦି’ଗୁଣ ଫୁଟ ଦେଇ ଏଡ଼େ ଏଡ଼େ ସୁନ୍ଦର କଥା କହିବାରେ ଲାଗିଥାନ୍ତି, ସେଠୁ ମୋ’ ର ଛାଟିପିଟି ପଳାଇ ଆସିବାକୁ ମନ ହୁଏ । ଜୀବନରେ ସମ୍ଭବତଃ ସେହି ଗୋଟିଏ ଥାନରେ ହିଁ ମୁଁ ପ୍ରବଳ ବୌରାଗ୍ୟର ବଶବର୍ତ୍ତୀ ହୋଇ ରହିଥାଏ । ଯେଉଁଠାରେ ଅନ୍ଵେଷଣଗୁଡ଼ାକ ମଧ୍ୟ ପ୍ରାୟ ଜାଣିଶୁଣି ଖଣ୍ଡିଆ ହୋଇ ରହିଥାଏ ସେଠାରେ ବୈରାଗ୍ୟ ପ୍ରକାଶ କରିବା ବ୍ୟତୀତ ମୋ’ର ଆଉ କୌଣସି ଗତି ନଥାଏ । ତା’ ନହେଲେ ନିଜେ ମଧ୍ୟ ସେହି ଖଣ୍ଡିଆ ଅତ୍ୟାନୁରାଗ ଗୁଡ଼ାକ ଦ୍ଵାରା ମୁଁ ନିଜେ ହୁଏତ ଭାରି ସଂକ୍ରାମିତ ହୋଇ ହୋଇ ପଡ଼ିବି ବୋଲ ଭୟ ରହିଥାଏ ।

 

ଖଣ୍ଡିଆଗୁଡ଼ାକୁ ନିଜ ଭିତରେ ସତେଅବା ପାଟକନା ଗୁଡ଼ିଆ ହୋଇ ରଖା ଯାଇଥାଏ । ଖଣ୍ଡିଆଗୁଡ଼ାକର ହିଁ ପରାୟଣ ହେବାରେ ଲାଗିଥାଏ । ଅର୍ଥାତ୍‌, ଭିତରେ ଗୋଟାଏ ପ୍ରକାରର ଅହଂକାରୀ ଅନିଚ୍ଛୁକତା ରହିଥାଏ, ଯାହାକି ମୋଟେ ଆପଣାର ଆତ୍ମସନ୍ତୋଷର ଦୁଆରଗୁଡ଼ାକୁ ଖୋଲିଦେବାକୁ ଇଚ୍ଛା କରୁନଥାଏ । ସିଏ ଯାହା ବୁଝିଥାଏ, ସେତିକିରେ ରହିଥାଏ ଅଥବା ଟିକିଏ ଅନ୍ୟଭାବରେ କହିଲି, ସିଏ ଯେତିକିରେ ରହିଥାଏ, ଭାରି ଅନମନୀୟା ହଠତା ସହିତ ସେତିକିରେ ରହିବ ବୋଲି ପ୍ରାୟ କୃତସଂକଳ୍ପ ହୋଇ ବସିଥାଏ । ଅନୁରାଗରୁ ହୁଡ଼ିଗଲେ ଏହିପରି ହୁଏ । ତା’ପରେ କେବଳ ନିଜର କାନ୍ଥଗୁଡ଼ାକ ପ୍ରତି ଓ ନିଜର ଶିଙ୍ଗଗୁଡ଼ାକ ପ୍ରତି ହିଁ ଯାହାକିଛି ପ୍ରୀତି ରହିଥାଏ । ଶିଙ୍ଗ ଦେଖାଇ ଭାରି ଚମତ୍କାର ଭାବରେ ଘଉଡ଼ାଇ ଦେଇହୁଏ ।

 

୩ । ୬ । ୮୩

 

କୃତ୍ରିମତା ଭାରି କ୍ଳାନ୍ତିଦାୟକ । ସମ୍ଭବତଃ ତା’ର ସର୍ବମୂଳ କାରଣ ହେଉଛି ଯେ କୃତ୍ରିମ ମଣିଷ ନିଜଭିତରେ କୌଣସି ନା କୌଣସି ଭାଗଟି ଲୁଚାଇ ରଖିବାକୁ ଚେଷ୍ଟା କରୁଥାଏ ଓ ତେଣୁ ପ୍ରାୟ ବାଧ୍ୟ ହେଲା ପରି ଆଉ କୌଣସି ଭାଗକୁ ଅଧିକରୁ ଅଧିକ ପ୍ରଦର୍ଶାଇ ହେବାକୁ ମଧ୍ୟ ଚେଷ୍ଟା କରୁଥାଏ । ଆପଣାର ଭିତରଟିକୁ ଖୋଲି ଦେଲେ ସିନା ମଣିଷ କ୍ରମଶଃ ଫୁଟି ଉଠିବାରେ ଲାଗିଥାଏ, ଏହି ସଂସାରରେ ସମସ୍ତଙ୍କ ମେଳରେ ଆପଣାକୁ କୌଣସି ବଗିଚାର ଫୁଲଟିଏ ପରି ଅନୁଭବ କରୁଥାଏ । ମାତ୍ର, ଆପଣାକୁ ଲୁଚାଇ ରଖିବାଦ୍ଵାରା ସିଏ ଆପଣାକୁ ଏହି ଫୁଟି ପାରିବାର ପ୍ରୟାସରୁ ମଧ୍ୟ ବଞ୍ଚିତ କରି ରଖିଥାଏ । ସେହି ବଞ୍ଚିତ ହୋଇ ରହିତବାରୁ ହିଁ କ୍ଳାନ୍ତି ଆସେ । ତେଣୁ, ମଣିଷଗୁଡ଼ାକ ଯେତେବେଳେ ବାହାରେ ଆପଣାକୁ ଭାରି ଦେଖାଇ ହେବାକୁ ଚେଷ୍ଟା କରନ୍ତି, ଭିତରେ ସେମାନେ କେତେ ନା କେତେ କ୍ଳାନ୍ତିରେ ଛଟପଟ ହେବାରେ ଲାଗିଥାନ୍ତି ।

 

ମୁଁ କ୍ଳାନ୍ତି, ଅନୁଭବ କରେନାହିଁ । କ୍ଳାନ୍ତି ମଣିଷମାନେ ହିଁ ନିଜକୁ ବାହାରଟା ସହିତ ଖାପ ଖୁଆଇ ଭାରି ଜାକଜମକ ହୋଇ ରହିବଆକୁ ଚେଷ୍ଟା କରିବାରେ ଲାଗିଥାନ୍ତି । ମୁଁ ଏହିପରି ଖାପ ଖୁଆଇବାର କୌଣସି ଆବଶ୍ୟକତା ଅନୁଭବ କରେନାହିଁ । ମୁଁ ଆଖି ଭିତରେ ପ୍ରଧାନତଃ ଅନୁରାଗ ହିଁ ଦେଖେ । ସେହିପରି ଦେଖିବାରୁ ମୁକ୍ତି ପାଏ, ସବୁକିଛି ପାଏ । ନିଜଭିତରେ ସତେଅବା ମୋ’ର କେଉଁ ପରମବନ୍ଧୁ ମୋତେ କେତେ ବୁଝାମଣା ସହିତ ଗୋଟାଏ କରି ରଖିଥାଏ । ମୋତେ ବିରକ୍ତ ହେବାର ସବୁ ପ୍ରମାଦରୁ ବଞ୍ଚାଇ ରଖିଥାଏ । ତେଣୁ ବାହାରେ ବି ନିଜକୁ ଲୁଚାଇବାର କୌଣସି ଆବଶ୍ୟକତା ମୋଟେ ନଥାଏ ।

 

୪ । ୬ । ୮୩

 

ମୁଁ ଏମାନଙ୍କ ମଧ୍ୟରୁ କାହାରି ସହିତ ପ୍ରତିଯୋଗିତା କରେନାହିଁ, ତେଣୁ ଏମାନଙ୍କର ଅନେକ ମନ୍ଦ ସଂକ୍ରମଣରୁ ରକ୍ଷା ପାଇଯାଏ । ଏମାନେ ଅଧ୍ୟାପନା କରୁ କରୁ ସାହିତ୍ୟ କରନ୍ତି, ସାହିତ୍ୟ କରୁ କରୁ ବାବୁ ହୁଅନ୍ତି, ବାବୁ ହେଉ ହେଉ ସାହିତ୍ୟଘରେ ମାମଲାତକାର ବି ହୁଅନ୍ତି, ଭର୍ତ୍ତା ହୁଅନ୍ତି । ତା’ପରେ ସାହିତ୍ୟକୁ ହନ୍ତସନ୍ତ କରିବାରେ ଲାଗିଥାନ୍ତି । ବୁଢ଼ା ହୁଅନ୍ତି, ତଥାପି ପରସ୍ପରକୁ ଘୃଣା କରୁଥାନ୍ତି, ଈର୍ଷା କରୁଥାନ୍ତି, ଆପଣା ଲାଗି ଗୋଟିଏ ଗୋଟିଏ ସାନ କୁଦ ତିଆରି କରି ତାହାରି ଉପରେ କୁଞ୍ଜର ହୋଇ ନାଚୁଥାନ୍ତି । କେବେହେଲେ ନିଜ ଆଡ଼କୁ ଅନାଇ ପାରନ୍ତିନାହିଁ । ଆଉ କିଏ ସେମାନଙ୍କ ଆଡ଼କୁ ଅନାଇଥିବା ବା ସେମାନଙ୍କର କଳନା କରୁଥିବ ବୋଲି ହୁଏତ କଳ୍ପନା ମଧ୍ୟ କରି ପାରନ୍ତି ନାହିଁ । ଆପଣା ଭିତରେ ଏମାନଙ୍କର ଆଦୌ କୌଣସି ପାହାଚ ନଥାଏ-। କେବଳ ପଥର ମୁଣ୍ଡାଏ ସତେଅବା କେତେ ଅହଙ୍କାରରେ ଫୁଲିକରି ରହିଥାଏ ।

 

ଏମାନଙ୍କ ଭିତରେ ବି ମଣିଷ କେତେ ଗଭୀରରେ ଯାଇ ରହିଛି । ଏମାନଙ୍କର ଯାବତୀୟ ଆଧୁନିକ କୃତିମାତା—ସରାଗ ପଛରେ ସନାତନ ଅନୁରାଗୀ ମଣିଷଟି କୋଉଠି ଯାଇ ପୋତିହୋଇ ରହିଛି । ଏମାନଙ୍କ ସହିତ ଏକାଠି ବସିବା ବେଳେ ମୁଁ ସେହି ମଣିଷଟିକୁ ଉଖାରି ବାହାର କରିବାଲାଗି ଚେଷ୍ଟା କରେ, ସେମାନେ ବାହାରେ ଯେଡେ ବଡ଼ ହୋଇଥିଲେ ମଧ୍ୟ ମୁଁ ସେମାନନକ ଭିତରେ ରହିଥିବା ସାହି ମଣିଷଟି ସହିତ ଖୁରି ଖାଏ, —ସେମାନଙ୍କ ଭିତରେ ଉପରେ ଜମା ହୋଇ ରହିଥିବା ସବୁଯାକ ମାଟିକୁ ତାଡ଼ି ଏକାବେଳେକେ ପୋକ ପରି ପଶିଯିବାକୁ ମନ ହୁଏ । ସେମାନଙ୍କ ଅସଲ ନଅରଟି କାହିଁକି ଯେ ଏପରି ଉଢ଼ୁଆଳ ହୋଇ ରହିଛି, ମୁଁ ତାର କୌଣସି ଅନ୍ତ ବି ପାଏନାହିଁ ।

 

୫ । ୬ । ୮୩

 

ସାହିତ୍ୟ କହିଲେ ଯେଉଁମାନେ ସବା ଆଗ ସ୍ୱୀକୃତିକୁ ବୁଝନ୍ତି, ସେମାନେ ଆପଣାର ଦର୍ପଣ ଉପରେ ହିଁ ସାହିତ୍ୟକୁ ଦେଖନ୍ତି । ସ୍ୱୀକୃତି କହିଲେ ସେମାନେ ସବାଆଗ ଆସନଗୁଡ଼ାକୁ ବୁଝନ୍ତି । ଆସନ ପିଛା ଲାଗିଥାନ୍ତି । ଆସନଗୁଡ଼ାକ ଦ୍ଵାରା ଆପଣା ଭିତରେ ରହିଥିବା ଗାତଗୁଡ଼ାକର ପୂରଣ କରିବାରେ ଲାଗିଥାନ୍ତି ।

 

ସାହିତ୍ୟର ବି ଗୋଟାଏ ଦର୍ପଣ ଅଛି । ପ୍ରେମର ଯେମିତି ଏକ ଦର୍ପଣ ରହିଛି, ପ୍ରାୟ ସେହିପରି । ସେହି ଦର୍ପଣ ଉପରେ ଆପଣାକୁ ଦେଖିଲେ ସେଠି ସ୍ୱୀକୃତି କିମ୍ୱା ଆସନ କିଛି ଦେଖା ଯାଏନାହିଁ । ସେଠି କେବଳ ପାହାଚମାନେ ଦିଶନ୍ତି । ଏହି ପାହାଚଗୁଡ଼ିକୁ ଆରୋହଣ କରିବାକୁ ହୁଏ । ଆରୋହଣକୁ ହିଁ ସେଠାରେ ଯାତ୍ରା ବୋଲି କୁହାଯାଏ । ସାହିତ୍ୟର ଆହ୍ଵାନ, ଅର୍ଥାତ୍‌ ଆରୋହଣର ଆହ୍ଵାନ । ଜୀବନ କହିଲେ, ଏପରିକି ଜୀବନର ଯାବତୀୟ ଉପଲବ୍ଧି କହିଲେ ପ୍ରଧାନତଃ ଯେଉଁ ଆରୋହରଣକୁ ବୁଝାଏ, ସାହିତ୍ୟର ଆରୋହଣ ହେଉଛି ତାହାରି ଗୋଟିଏ ଅଙ୍ଗ-। ତେଣୁ ସାହିତ୍ୟ ଆପଣାର ଏକ ସ୍ଵତନ୍ତ୍ର ଅହଙ୍କାର ଭିତରେ ଆପଣାକୁ କଦାପି କିଳି ରଖେନାହିଁ-। ସାହିତ୍ୟ ଡାକି ନେଇଯାଏ, । ଏହି ଆଖିଗୁଡ଼ିକୁ ଡାକି ନେଇଯାଏ ଏବଂ ସବା ପଛରେ ରହିଥିବା ହୃଦୟକୁ ମଧ୍ୟ ଡାକି ନେଇଯାଏ । ସାହିତ୍ୟ ସାଙ୍ଗ ଯୋଗାଇ ଦିଏ । ସାହିତ୍ୟକୁ ସାଙ୍ଗ କଲେ ସାରା ସଂସାର ସାଙ୍ଗପରି ଲାଗେ । ଆପେ ଆପଣା ପାଖରେ ମଧ୍ୟ ସତେଅବା ସାଙ୍ଗଟିଏ ପରି ଲାଗେ-। ତତ୍ତ୍ୱକାରମାନେ ତତ୍ତ୍ଵକୁ ସାଙ୍ଗ କରିଥାନ୍ତି । ସାହିତ୍ୟର ମଧ୍ୟ ଗୋଟିଏ ତତ୍ତ୍ଵ ରହିଥାଏ । ମାତ୍ର ସେହି ତତ୍ତ୍ଵ ମଣିଷକୁ ଅଧକରୁ ଅଧିକ ବୁଦ୍ଧିଆ କରିନେବାର ତତ୍ତ୍ଵ ନୁହେଁ ଅଧିକରୁ ଅଧିକ ଯୋଗ୍ୟ କରିନେବାର ତତ୍ତ୍ଵ ।

 

୬ । ୬ । ୮୩

 

ଆମେ ସମସ୍ତେ ଅସାଧାରଣରୁ ଆରମ୍ଭ କରୁ, ମାତ୍ର ଅସାଧାରଣ ସାଧାରଣରେ ପରିଣତ ହେଲେ ଯାଇ ଜୀବନର ଯଥାର୍ଥ ଉପଲବ୍ଧି ହୋଇଥାଏ । ସମସ୍ତେ ପ୍ରାୟ ନାଟକରୁ ହିଁ ଆରମ୍ଭ କରୁ ଆମର ସମ୍ମତି ଥିଲେ ତାହା କ୍ରମଶଃ ଜୀବନର ଏକ ସ୍ୱାଭାବିକତାକୁ ଉନ୍ମୀତ ହୋଇଆସେ । ଆଗ ଏ ବ୍ରତ ଓ ସେ ବ୍ରତରୁ ଆରମ୍ଭ କରୁ, ମାତ୍ର କ୍ରମଶଃ ସମସ୍ତ ଜୀବନ ହିଁ ସତେଯେପରି ଏକ ଅନନ୍ତ ବ୍ରତରେ ପରିଣତ ହୋଇଯାଏ । ପ୍ରଥମେ କେତେ ଦେଖାଇହେଉ କେତେପ୍ରକାରେ ପ୍ରଗଳ୍‌ଭ ହେଉ, ମାତ୍ର କ୍ରମଶଃ ଏହି ସବୁଗୁଡ଼ିକ କେବଳ ଗୋଟିଏ ନୀରବତା ମଧ୍ୟରେ ହିଁ ପରିପୂର୍ଣ୍ଣତା ଲାଭ କରନ୍ତି, ଆପଣାକୁ ଲାଭ କରନ୍ତି, ସମସ୍ତେ ଅତି ସାଧାରଣରେ ପରିଣତ ହୋଇ ଜୀବନକୁ ଏକ ସମଗ୍ର ଏକକରେ ପରିଣତ କରି ଦିଅନ୍ତି । ପ୍ରଥମେ ଆମେ କେତେ ବିଧି ମାନୁ; ଯାହାକୁ ସବାବଡ଼ ବୋଲି ମାନୁ, ତା’ ଲାଗି ଅସାଧାରଣ କରି ଘରଟିଏ ତିଆରି କରୁ, ଏବଂ ସାଧାରଣ ଜୀବନଗୁଡ଼ାକୁ ବଞ୍ଚିଲାବେଳେ ସେହି ଅସାଧାରଣ ଘରଟିର କବାଟଟିକୁ ଆଉଯାଇ ଦେଇ ଆମେ ଏଣେ ଅଲଗା ହୋଇ ଆପଣାର ଜୀବନକୁ ବଞ୍ଚୁ । ମାତ୍ର ଏହି ରୀତି କ୍ରମଶଃ ଛାଡ଼ି ଛାଡ଼ି ଯାଏ । କୌଶଳଗୁଡ଼ାକ ଛାଡ଼ି ଛାଡ଼ି ଯାଏ: ଜୀବନ ଏକ ସମଗ୍ର କୁଶଳତା, ପ୍ରସନ୍ନତା ଅର୍ଥାତ୍‌ କୋଳାହଳଶୂନ୍ୟତାରେ ଧନ୍ୟ ହୋଇ ରହିବାକୁ ଆରମ୍ଭ କରେ । ସବୁ ନାଟକ ବନ୍ଦ ହୋଇଯାଏ ।

 

ଯେଉଁମାନେ ଜୀବନଯାକ ନାଟକର ସ୍ତରରେ ହିଁ ରହିଯାଆନ୍ତି, ସେମାନେ ନାଟକରୁ ଜୀବନ ବୋଲି ଭାବନ୍ତି, ବିଧି ମାନିବାକୁ ହିଁ ଭଲ ହେବା କହନ୍ତି, —ବେଶଗୁଡ଼ାକୁ ମୁଖ ବୋଲି କହନ୍ତି ବିହ୍ୱଳତା ଗୁଡ଼ାକୁ ଭାବ ବୋଲି ମାନନ୍ତି । ସେମାନେ ସେହି ନାଁନା ଦରବାରିପଣ ଭିତରେ ଭାରି ମର୍ମନ୍ତୁଦ ଭାବରେ ବଞ୍ଚିତ ହୋଇ ରହିଯାଆନ୍ତି ।

 

୭ । ୬ । ୮୩

 

ଆଦର୍ଶ କାହାକୁ କହନ୍ତି ଓ ବାସ୍ତବ କାହାକୁ କହନ୍ତି, ସେହି ବିଷୟରେ ଶାନ୍ତ୍ରମତଗତ ବିବାଦ ଆଗରୁ ଯେପରି ଲାଗି ରହିଥିଲା, ସମ୍ଭବତଃ ଭବିଷ୍ୟତରେ ମଧ୍ୟ ସେହିପରି ସବୁଦିନ ଲାଗି ରହିଥିବ । କିଏ ଆପଣାକୁ ଆଦର୍ଶବାଦୀ କହି ଗୌରବ ଅନୁଭବ କରୁଥିବ ଓ ତେଣୁ ଅନ୍ୟମାନଙ୍କୁ ବାସ୍ତବବାଦୀ କହି ତୁଚ୍ଛ ମଣୁଥିବ । ସେହିପରି ଆଉ କେଉଁମାନେ ଆପଣାକୁ ବାସ୍ତବବାଦୀ କହି କେଡ଼େ ଠିକ୍‌ ବାଟରେ ରହିଥିବା ପରି ଦେଖାଇ ହେଉଥିବେ ଏବଂ ତେଣୁ ଅନ୍ୟମାନଙ୍କୁ ଆଦର୍ଶବାଦୀ କହି ଦୟା ଦେଖାଉଥିବେ । ମାତ୍ର, ସେହି ଯୁକ୍ତିଗୁଡ଼ାକ ଯେଉଁଠାରେ ଯେପରି ହୋଇ ରହିଥାଉ ପଛକେ, ପ୍ରତ୍ୟେକ ବ୍ୟକ୍ତି ତା’ର ନିଜର ଜୀବନରେ ତା’ ବାସ୍ତବ ଓ ଆଦର୍ଶ ମଧ୍ୟରେ କେଉଁଠାରେ ଏକ ଗାର ପକାଇ ରଖିଛି, ଅର୍ଥାତ୍‌ କେଉଁଠି ସେ ନିଜେ ବାସ୍ତବକୁ ଅତିକ୍ରମ କରି ଆଦର୍ଶ ଆରମ୍ଭ ହେଲା ବୋଲି ଭାବୁଛି ଓ ଆଦର୍ଶରୁ ଅବତରଣ କରି ବାସ୍ତବରେ ପ୍ରବେଶ କଳା ବୋଲି ନିଷ୍ପତ୍ତି କରୁଛି, ହୁଏତ ସେଇଥିରୁ ହିଁ ଆମେ ତା’ ଜୀବନରେ ରହିଥିବା ଆଦର୍ଶ ଓ ବାସ୍ତବର ଏକ ତୁଳନାତ୍ମକ ଚିତ୍ର ଅଙ୍କନ କରି ପାରିବା । ଅର୍ଥାତ୍‌, ତା’ର ଏକ ବିଚାର କରି ପାରିବା ।

 

ଆମର ଏହି ଗାରଟି ଯେଉଁଠି, ଆମେ ମଧ୍ୟ ଠିକ୍‌ ସେଇଠି । ତା’ ବ୍ୟତୀତ, ଆମେ ଯାହାକିଛି କହୁ ଭାବପ୍ରବଣ ହୋଇ କୌଣସି ଏକ ଦ୍ୱୀପକୁ ବ୍ରହ୍ମାଣ୍ଡ ବୋଲି କହି ଯେଉଁଠି ସବୁକିଛି ମିଳିଗଲା ବୋଲି ଭ୍ରମ କରୁ ଓ ତେଣୁ ଗୋଡ଼ହାତ ବାନ୍ଧି ବସିଯାଉ, ଏଗୁଡ଼ାକ ସବୁ ବାହ୍ୟ । ଆମ ନିଜକୁ ଜାଣିବାକୁ ହେଲେ ଓ ଜଳିବାକୁ ହେଲେ ଆମକୁ ଆମର ଏହି ଗାରଟିକୁ ଜାଣିବାକୁ ପଡ଼ିବ । ନିଜର ପାଶମୋଚନ ଲାଗି ଆମକୁ ବରାବର ଏହି ଗାରଟିକୁ ଡେଇଁ ଆଗକୁ ଓ ଆହୁରି ଆଗକୁ ଯିବାର ସ୍ପର୍ଦ୍ଧା କରିବାକୁ ପଡ଼ୁଥିବ ।

 

୮ । ୬ । ୮୩

 

ଯୋଉଟାକୁ ମୁଁ ପାରିବିନାହିଁ, ସେଇଟା ହେଉଛି ଆଦର୍ଶ । ତେଣୁ, ଯେଉଁମାନେ ସେଗୁଡ଼ାକୁ ସମ୍ଭବ ବୋଲି ଅନୁଭବ କରୁଛନ୍ତି ଓ ସେହି ଅନୁସାରେ ଆପଣା ଭିତରର ସର୍ବୋତ୍ତମ ସମ୍ବନ୍ଧଗୁଡ଼ିକୁ ବିକଶିତ କରିଆଣି କିଞ୍ଚିତ ପ୍ରୟାସ କରୁଛନ୍ତି, ସେମାନେ ହେଉଛନ୍ତି ଆଦର୍ଶବାଦୀ, —ମୋ’ ପ୍ରେରଣାର ଅଭିଧାନରେ ଯେତେବେଳେ ଏହି ଯୁକ୍ତିଗୁଡ଼ାକ ଭାରି ଗଭୀର ଭାବରେ ଗୋଟାଏ ଗୋଟାଏ ବଦ୍ଧମୂଳ ବିଶ୍ୱାସ ହୋଇ ରହିଯାଏ, ସେତେବେଳେ ମୁଁ ଆପଣାକୁ ବାସ୍ତବବାଦୀ ବୋଲି କହେ ଓ ସେଥିଲାଗି କିଞ୍ଚିତ୍‌ ପୌରୁଷ ବି ଅନୁଭବ କରେ । ବାସ୍ତବବାଦୀ —ଅର୍ଥାତ୍‌ ମୋ’ରି ସୀମାଗୁଡ଼ାକ ଭିତରେ ରହିଥିବା ସତ୍ୟଗୁଡ଼ାକୁ ହିଁ ସମ୍ପୂର୍ଣ୍ଣସତ୍ୟ ଏବଂ ପରମ ସତ୍ୟ ବୋଲି ମାନିବା, ଆଉ ଅନ୍ୟ କୌଣସି ସୀମା ଉପରେ ନିର୍ଭର କରିବାକୁ ମନା କରିଦେବା । ଏହା ମୂଳତଃ ଏକ ଅଶିଷ୍ଟତା ।

 

ଆଦର୍ଶ ଅପାରଗତାର ସନ୍ତକ ନୁହେଁ । ଆଦର୍ଶ ହେଉଛି ଏକ ପରବର୍ତ୍ତୀ ସୋପାନ, ଯେଉଁଠାରେ ପହଞ୍ଚିବା ଲାଗି ମୁଁ ପ୍ରୟାସ କରୁଛି, ମୋ’ର ବର୍ତ୍ତମାନର ଦର୍ପଣ ଉପରେ ଯାହା ପ୍ରତିଫଳିତ ହୋଇ ମୋତେ ଆହ୍ଵାନ କରୁଛି, ସେଠି ପହଞ୍ଚିବା ଲାଗି ଏକ ପ୍ରୟାସ କରିବାକୁ ଯିଏ ମୋତେ ଆବଶ୍ୟକ ଶକ୍ତି ଏବଂ ବିଶ୍ୱାସ ଯୋଗାଇ ଦେଉଛି । ଜୀବନରେ ତାହାରି ସହିତ ଏକ ସୂତ୍ର ଲାଗିଛି ବୋଲି ଏହି ବର୍ତ୍ତମାନ ମଧ୍ୟ ଏଡ଼େ ତାତ୍ପର୍ଯ୍ୟପୂର୍ଣ୍ଣ ଲାଗୁଛି । ଆଦର୍ଶ ସହିତ ଯୋଡ଼ା ହୋଇଛି ବୋଲି ବାସ୍ତବର ଏକ ଔଚିତ୍ୟ ମଧ୍ୟ ରହିଛି । ଏକ ଅନ୍ତର୍ଗତ ବିଶ୍ଵ ହିଁ ଆଦର୍ଶ ସହିତ ବାସ୍ତବକୁ ଯୋଡ଼ିକରି ରଖିଛି, ମୋ’ର ଏହି ସୋପାନଟିକୁ ମୋ’ର ପରବର୍ତ୍ତୀ ସୋପନ ସହିତ ଯୋଡ଼ିକରି ରଖିଛି । ମୋତେ ସତତ ଗତିଶୀଳ କରି ରଖିଛି । ମୋତେ ବନ୍ଦୀ ହୋଇ ରହିଯିବାର ପ୍ରମାଦରୁ ରକ୍ଷା କରିଛି । ତେଣୁ ମୋ’ ଲାଗି ବାସ୍ତବ ଓ ଆଦର୍ଶ ଉଭୟ ଏଡ଼େ ଆହ୍ୱାନମୟ ହୋଇ ପାରିଛନ୍ତି ।

 

୯ । ୬ । ୮୩

 

ଅସଲ କଥା ହେଉଛି, ମୁଁ ସବୁ ପାରିଚି । ଆହୁରି ସ୍ପଷ୍ଟ କରି କହିଲେ, ମୁଁ ଯୋଉଟାକୁ ମନ କରିବି, ତାହାକୁ ଅବଶ୍ୟ ପାରିବି । ହୁଏତ ଏକଥା ମଧ୍ୟ ସତ୍ୟ ଯେ, ନପାରିବାର ହୋଇଥିଲେ ମୁଁ କଦାପି କୌଣସି କଥାକୁ ମନ କରନ୍ତିନାହିଁ ।

 

ମୁଁ ଯଦି ମୋ’ ଭିତରକୁ ଯଥାର୍ଥ ଭାବରେ ଅନାଇ ପାରୁଥିବି, ଯଦି ଭିତରକୁ ଅନାଇ ପାହାଚ ପରେ ପାହାଚକୁ ଅନୁଭବ କରି ପାରୁଥିବି ଯଦି ପାହାଚଗୁଡ଼ିକୁ ଅବଲମ୍ଵନ କରି ବାଟ ଚାଲି ପାରୁଥିବି, ତେବେ ମୁଁ ଯାହା ନପାରିବି, ତାହାକୁ କଦାପି ମନା କରିବିନାହିଁ । ଯେଉଁ ମଣିଷମାନେ ଭିତରଟାକୁ ଲୁଚାଇ ରଖିଲେ ଯାଇ ବାହାର ସହିତ କୌଣସି ନା କୌଣସି କାରଣ ସ୍ଥାପନ କରି ପାରନ୍ତି, ସେମାନେ ଭିତରେ ଥିବା ବନ୍ଧୁର ସନ୍ଧାନ ପାଇନଥାନ୍ତି; —ସେହି ବନ୍ଧୁର ଆଭାସ ଓ ଏପରିକି ଆଘାତ ପାଇଥିଲେ ମଧ୍ୟ ତା’ପାଖରୁ ବାଆଁରେଇ ହୋଇ ବୁଲୁଥାନ୍ତି । ତାକୁ ସଚେତନ ଭାବରେ ଛୁଇଁବାଲାଗି ହୁଏତ ସାହସ ବି କରି ପାରନ୍ତିନାହିଁ । ଏବଂ ସେଇଥିଲାଗି ଭିତରେ ଆଉ ବାହାରେ ଦ୍ଵିବିଧ ହୋଇ ହୋଇ ରହିଥାନ୍ତି, ଆଦର୍ଶ ଆଉ ବାସ୍ତବକୁ ସେମାନେ ଅଲଗା କରି ଦେଖୁଥାନ୍ତି । ସତେଅବା ଭିତରେ ତଥା ବାହାରେ ଦୁଇଖଣ୍ଡ ହୋଇ ରହିଥାନ୍ତି । ଦୁଇଖଣ୍ଡ ହୋଇ ଜୀବନ ବଞ୍ଚିବାର ସନ୍ତାପ ଭୋଗ କରୁଥାନ୍ତି । ସେହି ସନ୍ତାପରୁ ଉଗ୍ରତା ଆସେ, ଏବଂ କାତର ଏବଂ ଉଦ୍ଧତ ପ୍ରଗଳ୍‍ଭତା ଜନ୍ମଲାଭ କରେ । ତାହାହିଁ ମୁଖାଗୁଡ଼ାକୁ ଭାରି ଚକଚକ କରି ରଖିଥାଏ, ବାହାରେ ଯେତିକି ପ୍ରକୋପ ଥାଏ, ଭିତରେ ସନ୍ତାପ ପ୍ରାୟ ସେତିକି ପ୍ରାରିମାଣରେ ଘାରି ରହିଥାଏ-। ସିଏ ଏକ ଭାରି ହାସ୍ୟାସ୍ପଦ ଅବସ୍ଥା ।

 

୧୦ । ୬ । ୮୩

 

ବହିଟିଏ ଲେଖା ସରିଲେ ଗୋଟିଏ ପାହାଚ ଉଠିଗଲା ପରି ମନେହୁଏ । ଅର୍ଥାତ୍‌ ଗୋଟିଏ ପାହାଚ ନିକଟକୁ ଚାଲି ଆସିଲାପରି ଲାଗେ । କଲି ମାତୃରଚନାବଳୀର ଗୋଟିଏ ଖଣ୍ଡର ଅନୁବାଦ ଶେଷ ହେଲା । ସତେଅବା ଆଉଥରେ ପ୍ରଣାମ କରି କାହା ମନ୍ଦିରରୁ ଫେରି ଆସୁଥିବା ପରି ମନେହେଲ । ଲାକେ ସାନ୍ନିଧ୍ୟ ପାଇବା ସକାଶେ ମନ୍ଦିରରୁ ଯାଆନ୍ତି । ମନ୍ଦିରର ଦୂରରେ ରହିଥିଲେ ଦୂରରେ ରହିଥିବା ପରି ମନେ କରନ୍ତି । ମୁଁ ପ୍ରଣାମ କରି ସାନ୍ନିଧ୍ୟପାଏ, ସେହି ସାନ୍ନିଧ୍ୟ ମୋ’ ସଙ୍ଗେ ସଙ୍ଗେ ମୋ’ ଆଖିଭିତରେ ସତେଅବା ଏକ ହାଲୁକା ଆଲୁଅ ହୋଇ ରହିଥାଏ । ହାଲୁକା ହେଲେ ଭିତରେ କେତେ ଆଶୀର୍ବାଦ ଯେ ସାହାସରେ ରୂପାନ୍ତରିତ ହୋଇଯାଏ ଓ ବିଶ୍ୱାସର ଏକ ମୂଳଦୂଆ ହୋଇ ରହେ; ଅସଲ ପ୍ରଣାମ ଆମକୁ ତାହାରି ଅନୁଭୂତି ଦେଇଯାଏ ।

 

ଜୀବନରେ ଏହିପରି ବରାବର ପ୍ରଣାମ କରିବାର ଉତ୍ସବ ଲାଗି ରହିଥାଉ । ଶେଷକୁ ଜୀବନଟାଯାକ ଏକ ସ୍ଵାଭାବିକ ପ୍ରଣାମ ହୋଇ ରହିଲେ ଯେପରି ଲାଗେ, ବାଟ ଚାଲି ଆଗକୁ ପାଖକୁ ଯାଉଥିବା ସଙ୍ଗେ ସଙ୍ଗେ କ୍ରମେ ସେହିପରି ଏକ ଅନୁଭବ ହେବାକୁ ଆରମ୍ଭ କଲାଣି । ଏହିପରି ଅନୁଭବ ସମ୍ଭବ ହେବାଲାଗି ଆଗରୁ ଆଭରଣ ହୋଇ ରହିଥିବା କେତେ କ’ଣ ଖସିପଡ଼େ-। ଗୋଟାଏ ସୋପାନରୁ ଆସିଲେ ଶାସ୍ତ୍ରର କେତେ କ’ଣ ବାକ୍ୟ ଯେପରି ପ୍ରାୟ ଚକ୍ଷୁ ପରି ମନେହୁଏ, ଅର୍ଥାତ୍ ଅନାବଶ୍ୟକ ମନେ ହୁଏ, ଠିକ୍‍ ସେହିପରି । ଏଗୁଡ଼ାକ ସବୁକିଛି ଖସିପଡ଼ୁ-। ଯଥାର୍ଥ ସାନ୍ନିଧ୍ୟକୁ ଆସିବାକୁ ହେଲେ ଯେ ସତେ ପ୍ରଣାମକୁ ହିଁ ଆପଣାର ଅସଲ ଉପାସନା ରୂପେ ଗ୍ରହଣ କରିନେବାକୁ ହୁଏ, ଜୀବନରେ ସେହି ବିଶ୍ଵାସ ଅଧିକରୁ ଅଧିକ ଦୃଢ଼ ହେବାରେ ଲାଗିଥାଉ-

 

୧୧ । ୬ । ୮୩

 

ଆପଣା ପାଖରେ ବିଜୟୀ ହେବା ଅର୍ଥାତ୍‌ ଆପଣାକୁ ସ୍ଵୀକାର କରିବା । ଆପଣାଠାରୁ ଅଧିକ ବୃହତ୍ତର ଯେ ଜଣେ ଆପଣା ଭିତରେ ସାଥୀପରି ରହି ବାଟ ଦେଖାଉଛି, ସାହସ ଦେଉଛି, ମାଗିଲା ମାତ୍ରକେ ଶକ୍ତି ଯୋଗାଇ ଦେଉଛି, ଅନୁଭବ କଲା ମାତ୍ରକେ ପାଖରେ ଆସି ପହଞ୍ଚି ଯାଉଛି ଏବଂ ସବୁଠାରୁ ବଡ଼କଥା ହେଉଛି ଆପଣାକୁ ଯଥାର୍ଥ ଭାବରେ ଉନ୍ମୋଚିତ କରି ରଖିପାରିଲେ ଯିଏ ଆପଣାକୁ ନେଇ ଏହି ସମଗ୍ର ବିଶ୍ଵ ସହିତ ଏକ ଅଭୀପ୍ସିତ ଗଭୀର ସ୍ତରରେ ନେଇ ସମ୍ମିଳିତ କରାଇ ଦେଉଛି, ତାହାକୁ ହିଁ ସ୍ଵୀକାର କରିବା, ଅର୍ଥାତ୍‌ ତାହାରି ପାଖରେ ହିଁ ବିନୀତ ହୋଇ ରହିବା, —ତାହାରି ସହିତ ସୂତ୍ର ଲଗାଇ ରଖିଥିବା, —ଆପଣାର ଏହି ଯାବତୀୟ ଅର୍ଜନ ଓ ଐଶ୍ଵର୍ଯ୍ୟକୁ ତାହାରି ବୋଲି ଅନୁଭବ କରିବ, ସେହି ଅନୁଭବଟି ଦ୍ଵାରା ଅଧିକ ଧନ୍ୟ ହେବା, ଜଗତରେ ନିର୍ଭୟ ଅର୍ଥାତ୍‌ ନିଷ୍କପଟ ହୋଇ ବାଟ ଚାଳିବା । ଅର୍ଥାତ୍‌, ପ୍ରତିଦିନ ସକାଳେ ଏହିପରି ନୂଆ କରି ଫୁଟିଉଠି ପାରିବା ଏବଂ ପରବର୍ତ୍ତୀ ସକାଳକୁ ପୁନର୍ବାର ଫୁଟି ଉଠି ପାରିବାଲାଗି ଅନେକ ବିଶ୍ଵାସ ସହିତ ରାତିଯାକ ଅପେକ୍ଷା କରି ରହିବା, ଆକାଶରୁ ଆପଣାର ବାଟଟିକୁ ଚିହ୍ନି ବାହାର କରିବା ଓ ତାହାକୁ ହିଁ ଜୀବନର ସବୁଠାରୁ ବଡ଼ ଆନନ୍ଦ ବୋଲି ଜାଣିବା । ମୁଁ ଏହାକୁ ହିଁ ସବୁଠାରୁ ବଡ଼ ଆନନ୍ଦ ବୋଲି ଜାଣିଛି ।

 

ଯିଏ ଦୁଆର ଖୋଲେନାହିଁ, ଆପଣାକୁ ଲୁଚାଇ ରଖେ, ସିଏ ଭିତରେ ଭାରି ଦୁର୍ବିନୀତ ଓ ଉଗ୍ରହୁଏ, ହୁଏତ ସେଇ ମଣିଷ ଏଣେ ବାହାରେ ବିନୟୀ ହୁଏ, ଅକାରଣ ବିନୟ କରି ବୁଲୁଥାଏ । ଭିତରେ ନିଜ ପାଖରେ ବଇରୀପଣ କରେ ଓ ସମସ୍ତଙ୍କୁ ମୁଖା ପିନ୍ଧି ଆପ୍ୟାୟିତ କରି ରଖିଥାଏ ।

 

୧୨ । ୬ । ୮୩

 

ପଛକୁ ଅଣାଇବା ବେଳକୁ ଆଖି ପାଉନାହିଁ କିମ୍ବା ଆଗକୁ ଅନାଇବା ବେଳକୁ ମଧ୍ୟ ଆଖି ପାଉନାହିଁ । ଆଗରେ ମୁଁ କେବଳ ଦିଗ୍‌ବଳୟଗୁଡ଼ିକୁ ଦେଖିବାକୁ ପାଉଛି । ଦିଗ୍‌ବଳୟର ପରେ ବଳୟ ଦେଖିବାକୁ ପାଉଛି । ଏମାନେ ମୋତେ କୌଣସି ପ୍ରକାର ଭୟ ଦେଖାଉ ନାହାନ୍ତି; ମୋତେ ହାତ ବଢ଼ାଇ ଡାକୁଛନ୍ତି, ମୋତେ ଆହୁରି ବ୍ୟାକୁଳ କରୁଛନ୍ତି । ସେହିଗୁଡ଼ିକର ସହଧର୍ମୀ ଭାବରେ ମୋ’ ଭିତରେ ଅନ୍ତର୍ନିହିତ ହୋଇ କ’ଣ ରହିଥାଏ କେଜାଣି, ସତେଅବା ଆପଣାର ଗୋଟିଏ କେଉଁ ଘରର ସନ୍ଧାନ ପାଇଥିବା ଭଳି ମୁଁ ଆଗକୁ ଗୋଡ଼ କାଢ଼େ, ହୃଦୟ ଭିତରୁ ହାତ ବଢ଼ାଏ, ଆଖିଭିତରୁ ନୂଆ କଳନାର କେତେ କାଠିଆ ସ୍ୱାଭାବିକ ଭାବରେ ବାହାରି ଆସନ୍ତି । ମୋତେ ମୋଟେ ଡର ମାଡ଼େନାହିଁ ମୁଁ ଆଗକୁ ଅର୍ଥାତ୍‌ ଆପଣାର ଭିତରକୁ ଭିତରକୁ ଯିବାରେ ଲାଗିଥାଏ ।

 

ଏହି ଦିଗ୍‍ବଳୟଗୁଡ଼ାକ ଯେତେବେଳେ କୌଣସି କାରଣରୁ ଡରମାଡ଼େ, ସେତିକିବେଳେ ଅନେକ ମଣିଷ ସେଗୁଡ଼ାକ ହୁଏତ ମୃତ୍ୟୁ ବୋଲି ନାଆଁ ଦିଅନ୍ତି । ଏହି ଡର ସେମାନଙ୍କର ଭିତରୁ ହିଁ ଜନ୍ମଲାଭ କରିଥାଏ । ସେମାନେ ପାହାଚ ଗୁଡ଼ାକୁ ଦେଖି ଡରନ୍ତି; ସମୁଦ୍ରକୁ ଦେଖି ଡରନ୍ତି । ସେମାନେ ଚିହ୍ନା ସମତଳଟିକୁ ହିଁ ଜୀବନ ବୋଲି କହିବାରେ ଅଭ୍ୟସ୍ତ ହୋଇ ରହିଥାନ୍ତି । ସେମାନଙ୍କର ଆହାର ବିହାର, ପ୍ରେମ ଓ କାମନା, ସାହିତ୍ୟ, ସଂସ୍କୃତି, ଧର୍ମ ଏବଂ ଯାବତୀୟ ଜିଜ୍ଞାସା ଏହି ଚିହ୍ନା ସମତଳଟି ମଧ୍ୟରେ ହିଁ କିଳିହୋଇ ରହିଥାଏ । ସେମାନଙ୍କ ଶାସ୍ତ୍ର କେବଳ ଏହି ସମତଳଟିକୁ ଯାବତୀୟ ସମତଳ ବୋଲି ବର୍ଣ୍ଣନା କରେ । ତେଣୁ ସେମାନେ ଆଗକୁ ଅନାଇ ମୃତ୍ୟୁକୁ ହିଁ ଦେଖନ୍ତି । ବଞ୍ଚିଥିବା ସମୟରେ ବି ମୃତ୍ୟୁକାତର ହୋଇ ରହିଥାନ୍ତି ।

 

୧୩ । ୬ । ୮୩

 

ମୁଁ ଯାହା ଦେଖେ ମୋତେ ସବୁକଥା ଠିକ୍‍ ସେହିପରି ଦେଖାଯାଏ । ଅର୍ଥାତ୍‍, ମୁଁ ଯେପରି ଦେଖେ, ମୋତେ ତାହା ଠିକ୍‍ ସେହିପରି ଦେଖାଯାଏ । ମୋ’ର ଆଖି ଭିତର ଦେଇ ସଂସାରଟା ଯେପରି ଭାବରେ ଅଭିବ୍ୟକ୍ତ ହୁଏ, ସେଥିରୁ ସଂସାର ଅପେକ୍ଷା ଅଧିକ ପରିମାଣରେ ମୋ’ ନିଜ ବାରତା ହିଁ ମିଳିଥାଏ ।

 

ଭିତରେ ବାହାରକୁ ଉକୁଟାଇବାର ଏହି ପ୍ରକ୍ରିୟା, ଏହାହିଁ ମୋ’ର ସାଧନାର ପ୍ରକ୍ରିୟା, ଏହାହିଁ ମୋ’ର ସଖ୍ୟଭାବନାର ପ୍ରକ୍ରିୟା, ଜୀବନ ସହିତ ମୋ’ ମିତ୍ରତାର ମାନଦଣ୍ଡଟି ଏହିପରି ଭାବରେ ନିର୍ଣ୍ଣିତ ହେବାରେ ଲାଗିଥାଏ । ସେହି ମାନଦଣ୍ଡ ମୁଁ ଅଧିକ ଅଧିକ ଆଗକୁ ଯିବା ସଙ୍ଗେ ସଙ୍ଗେ ଅର୍ଥାତ୍‍ ଭିତରୁ ମୋ’ର ଢାଙ୍କୁଣିଗୁଡ଼ାକ ଖୋଲିଯିବା ସଙ୍ଗେ ସଙ୍ଗେ ବଦଳି ଯିବାରେ ଲାଗିଥାଏ । ସେହି ବଦଳି ଯିବାର ଇତିହାସ ହେଉଛି ମୋ’ ଜୀବନରେ ଆପଣାକୁ ନେଇ ଫୁଲ ଫୁଟାଇ ପାରିବାର ଇତିହାସ । ଭିତରେ କୋଉଠି କ’ଣ ବିଗିଡ଼ି ଯାଇଥିଲେ ଅଥବା କୋଉଠି କିଏ ଲୁଚି ରହିବାକୁ ଚାହୁଁଥିଲେ ଏହି ଫୁଲ ଫୁଟିବାର ଇତିହାସ ପ୍ରାୟ ଏକ ସମାନ ବର୍ଣ୍ଣାଢ଼୍ୟତା ଏବଂ ଆଡ଼ମ୍ବରମୟତା ସହିତ ଏକ ବାଡ଼ ବସାଇବାର ଇତିହାସରେ ପରିଣତ ହୁଏ । ଅଭିବ୍ୟକ୍ତି ନାଆଁରେ ଗଦା ଗଦା ବହି ଲେଖାହୁଏ, ମାତ୍ର ତଥାପି ଅଭିବ୍ୟକ୍ତି ପ୍ରତ୍ୟାଖ୍ୟାତ ହୋଇ ରହିଥାଏ । ସେତେବେଳେ ମୁଖା ଦେଇ ଆପଣାକୁ ସଜାଇବା ହିଁ ଅଭିବ୍ୟକ୍ତିର ଅନ୍ୟ ନାମ ବୋଲି ଘୋଷିତ ହୁଏ । ଶୈଳୀଗୁଡ଼ାକ ଶଇତାନ ହୋଇ ମୁଣ୍ଡ ଉପରେ ବସନ୍ତି । ସଣ୍ଠଣା ଦିଶିବାକୁ ହିଁ ନୀତି ବୋଲି କୁହାଯାଏ । ମନୋହର ଦିଶିବାକୁ ହିଁ ସୌନ୍ଦର୍ଯ୍ୟ ବୋଲି ଘୋଷଣା କରାଯାଏ ।

 

୧୪ । ୬ । ୮୩

 

ଜୀବନରେ ସମ୍ପତ୍ତି ବୋଲି ଏତେଟିକିଏ ଜମା କରି ରଖି ପାରିଲିନାହିଁ, ତଥାପି ଏହି ସବୁଯାକ ସତେଅବା ମୋ’ ଲାଗି କେଡ଼େ ନା କେଡ଼େ ସମ୍ପତ୍ତି ବୋଲି ଲାଗିଲା । ଏଗୁଡ଼ାକ ମୋ’ରି ଭଣ୍ଡାରର ଖାତାରେ ମୋ’ରି ନାଆଁରେ ଲେଖା ହୋଇଥିଲେ ଆଉ ଅଧିକ କ’ଣ ହୋଇଥାନ୍ତା ? ସମସ୍ତ ସଂସାର ଯେତେବେଳେ ଘର ଭଳି ଲାଗେ, ସମସ୍ତ ଭବିଷ୍ୟ ଯେତେବେଳେ ଜନନୀ ପରି ହାତ ବଢ଼ାଇ ଡାକୁଥାଏ; ସମସ୍ତ ବର୍ତ୍ତମାନ ଯେତେବେଳେ ଆହ୍ୱାନରୂପେ ଅନୁଭବ ହୁଏ, ଏବଂ ସର୍ବୋପରି, ଯେତେବେଳେ ପ୍ରତ୍ୟେକ ଅବସର ସତେଅବା କାହାର ସ୍ନେହଦ୍ୱାରା ହିଁ ନିର୍ମିତ ହୋଇ ରହିଥିବା ପରିପୂର୍ଣ୍ଣ ସମର୍ପଣର ଏକ ଅବସର ହୋଇ ରହିଥାଏ, ସେତେବେଳେ ଆଉ ଅନ୍ୟ କେଉଁ ସମ୍ପତ୍ତି ମୋ’ର କ’ଣ କରିବାକୁ ଆସିବ ?

 

ଯାହାକୁ ମୁଁ ହାତରେ ପାଇଛି, ମୁଁ ସତେଅବା ତା’ରି ହୋଇ ଯାଇଛି । ତାକୁ ମୋ’ ନିଜ ହାତମୁଠାରେ ଏକୁଟିଆ ମୋ’ର ବୋଲି ବନ୍ଦ କରି ରଖିବାକୁ ମୋ’ର ମନେ ପଡ଼ିନାହିଁ । ଫୁଲମାଳା ଗୁଡ଼ାକ ସବୁ ଶ୍ୟାମଙ୍କର ବୋଲି ହିଁ ମନେ ହୋଇଛି । ଏବଂ ତେଣୁ ଅଲଗା କରି ନିଜ ବେକରେ ଆଉ କୌଣସି ମଲ୍ଲୀମାଳ ଗଳାଇ ଅରସିକତା କରିବାକୁ ଆଉ ମୋଟେ ଇଚ୍ଛା ହୋଇନାହିଁ । ଏହି ସଂସାରରେ କେତେ ଥାନରେ ମତଭେଦ ହୋଇଛି, ମାତ୍ର ମୁଁ କାହାକୁ ଈର୍ଷା କରିନାହିଁ । ଯେଉଁ ବାଦ ବିବାଦରେ ପରିଣତ ହୋଇ ମଣିଷକୁ ସମସ୍ତଙ୍କଠାରୁ ଅଲଗା କରି ରଖିବାରେ ହିଁ ସୁଖ ପାଏ ଓ ତାହାକୁ ହିଁ ବିଜୟ ବୋଲି ଜ୍ଞାନ କରେ, ମୋ’ର ସେହି ବାଦ ଆଡ଼କୁ କେବେହେଲେ ମନ ଯାଇନାହିଁ-। ଏବଂ ସବୁଟି ଉପରେ ମୋ’ ନିଜ ଜୀବନର ମଧ୍ୟ ଦେଇ ପରମଜୀବନର ବିଜୟ ଅର୍ଥାତ୍‍ ପ୍ରସ୍ଫୁଟନ ଲାଗି ହିଁ ପୂର୍ଣ୍ଣ ସମ୍ମତି ସହିତ ବାଟ ଛାଡ଼ି ଦେଇଛି ।

 

୧୫ । ୬ । ୮୩

 

‘‘ମୁଁ ଅମୁକ କଲି’’, ‘‘ମୋ’ ଦ୍ୱାରା ଏକଥା ହେଲା’’ ‘‘ମୁଁ ହିଁ ଏହି କଥାଟିକୁ ସମ୍ଭବ କଲି’’, ଅର୍ଥାତ୍‍ ଗୋଟିଏ ଭାଷାରେ କହିଲେ ମୁଁ ଥିଲି ବୋଲି ଏହି ସବୁକିଛି ହେଲା, —ନଚେତ୍‍ ମୋଟେ କିଛି ହୋଇ ପାରିନଥାନ୍ତା, —ଅବସର ଗ୍ରହଣ କରିଥିବା ଜଣେ ଗୁରୁଜନ କାଲି କଥାକଥାକେ ସେହି କଥା କହୁଥିଲେ । ଗୁରାଇ ତୁରାଇ ହୋଇ କହୁଥିଲେ । ତାଙ୍କ ଭିତରେ ସତେ ଅବା ସିଏ ‘‘କିଛି ନକରି ଥିବା’’ର ଏକ ନୈରାଶ୍ୟ-ଅଡ଼ୁଆ ଭିତରେ ଗୁରାଇ ତୁରାଇ ହୋଇ ରହିଥିଲେ ।

 

ବୟସ ହେଲା ବେଳକୁ ମଣିଷକୁ କେନ୍ଦ୍ରଟିଏ ମିଳିଯିବା କଥା, ଯେଉଁ କେନ୍ଦ୍ରର ସହିତ ପ୍ରସାରଣଧର୍ମିତା ଦ୍ୱାରା ମଣିଷ ସଂସାରର ଯାବତୀୟ କେନ୍ଦ୍ରକୁ ଛୁଇଁ ପାରୁଥିବ ଓ ତେଣୁ ଆପଣାର ଅଲଗା ଏକ କେନ୍ଦ୍ର ଅର୍ଥାତ୍‍ ଅହଂ ରହିଛି ବୋଲି ଆଉ ମୋଟେ ଅନୁଭବ କରୁନଥିବ ।

 

ପରିପକ୍ୱତା ଆସିବା ସଙ୍ଗେ ସଙ୍ଗେ ମଣିଷ ଭିତରେ ଏପରି ଏକ ଆଖିର ବିକାଶ ହୋଇଆସିବା ଉଚିତ, ଯାହାଦ୍ୱାରା କି ସିଏ ଅଧିକରୁ ଅଧିକ ଆଖିର ଗବାକ୍ଷ ଦେଇ ସବୁକିଛି ଦେଖି ପାରୁଥିବ । ଯିଏ କେନ୍ଦ୍ରଟିଏ ପାଇ ନଥାଏ, ସେଇ କେନ୍ଦ୍ରଟାକୁ ନେଇ ଦେଖାଇ ହେବାରେ ଲାଗିଥାଏ, କେନ୍ଦ୍ରଟିଏ ନପାଇଥିବାର ନୈରାଶ୍ୟ ବିଷୟରେ ଆପଣାକୁ ବାରବାର ଧରାପକାଇ ଦେଉଥାଏ । ଏହିଭଳି ମଣିଷମାନଙ୍କୁ ସେମାନଙ୍କର କେନ୍ଦ୍ରଟି ମାଧ୍ୟମରେ ଚିହ୍ନିବାକୁ ଗଲେ ପ୍ରକୃତରେ ଭାରି ନିରାଶ ହେବାକୁ ହୁଏ । ଏହିଭଳି ମଣିଷ ଭିତରର ପିଲାଟି ନାନା ନିର୍ଯ୍ୟାତନାର ଉପଦ୍ରବ ଭିତରେ କୋଉକାଳୁ ମରିଯାଇଥାଏ । ମଣିଷ ଭିତରେ ଥିବା ତା’ର ଅସଲ କେନ୍ଦ୍ର, —ସିଏ ବୋଧହୁଏ ଗୋଟିଏ ପିଲା । ସେହି ପିଲାକୁ ଗୋଟିଏ ଚକ୍ଷରୁ ଶତେ ଚକ୍ଷୁ କରିବା, ତାହାହିଁ ସମ୍ଭବତଃ ଜୀବନର ପ୍ରିୟତମ ସାଧନା ।

Image